Krushna Priya Mohapatra

Romance Tragedy

3  

Krushna Priya Mohapatra

Romance Tragedy

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

6 mins
254


   


ଜେଜେ ତମର "ଗର୍ଲଫ୍ରେଣ୍ଡ "ଥିଲେ ?

" ଆରେ ହେ ଚଗଲା, ଗର୍ଲଫ୍ରେଣ୍ଡ କଣ କିରେ !!

ଗର୍ଲ ଫ୍ରେଣ୍ଡ ଜାଣିନ .....?

ମାନେ ଝିଅସାଙ୍ଗ ...ତମେ ସ୍କୁଲ କଲେଜରେ ପଢିବା ବେଳେ ତୁମ ସହିତ କେଉଁ ଝିଅ ପଢୁ ଥିଲେ କି ତୁମ ସହିତ ବେଶି ମିଶୁଥିଲେ କି ?

କି ସାଙ୍ଗ ହୋଇ ବୁଲିବାକୁ ଯାଉଥିଲ ? ଯେଉଁ ଝିଅ ସହିତ ବେଶି ମିଶୁଥିଲ ତାକୁ କହନ୍ତି ଗର୍ଲଫ୍ରେଣ୍ଡ । 

"ନା ସେମିତି କେହି ମୋର ଝିଅ ପିଲା ସାଙ୍ଗ ନ ଥିଲେ।"ହେଲେ ତୋର ଏସବୁ ବୁଝିବାକୁ କାହିଁକି ଇଚ୍ଛା ହେଉଥିଲା ଶୁଣେ !!

ନାଇଁ ଯେ ମୁଁ ଏମିତି ପଚାରି ଦେଲି !

ଆଚ୍ଛା .." ତୋର କିଏ ଗର୍ଲଫ୍ରେଣ୍ଡ ଅଛି କି” ? ଚୁପ୍ କି ମୋତେ କହି ଦେ ...ମୁଁ କାହାକୁ କହିବିନି !

 "ହେ ନାଇ ମ ମୋର କେହି ନାହାନ୍ତି , ହେଲେ ମୋ ସାଙ୍ଗ ରିଙ୍କୁର ଗର୍ଲଫ୍ରେଣ୍ଡ ଅଛି

ବୋଲି ସିଏ କହୁଥିଲା "। ତା ସଙ୍ଗରେ ଯୋଉ ଝିଅଟା ଯାଏ ସିଏ ତାର ଗର୍ଲଫ୍ରେଣ୍ଡ ।

ହଇରେ ସିଏ ତା ସାଙ୍ଗେ ଯାଏ ବୋଲି ସିଏ କଣ ଖାଲି ଗର୍ଲଫ୍ରେଣ୍ଡ ,ତା ଭଉଣୀ ହୋଇଥିବ।

ନା ସିଏ ତା ଭଉଣୀନୁହେଁ ।ସିଏ କହୁଥିଲା କି ଆମେ ଦୁହେଁ ବଡ଼ ହେଲେ ବାହାହେବୁ।

 "କିରେ ତମେ ସବୁ ପିଲା ବେଳୁ ଏତେ କଥା ଜାଣିଲଣି ,ପାଠ ପଢିବାକୁ ଯାଉଛ ନା ଏଇ କଥା ସିଖିବାକୁ " ! ଆରେ ତୁ ସେ ରିଙ୍କୁକୁ କେମିତି ଚିହ୍ନିଲୁ? ତୁ ତ ଏଠି ରହୁନୁ ଛୁଟି ଦିନରେ ଆସୁଛୁ ।

ହଁ ମୁଁ ଯେତେବେଳେ ଗାଁ କୁ ଆସେ ରିଙ୍କୁ ସାଙ୍ଗେ ଖେଳେ ସେ କଥା ତମେ କଣ ଜାଣିନ ....


 "ହଁ ଜାଣିଚି ହେଲେ ,ତତେ ସିଏ ଏକଥା କହିଲା କାହିଁକି ?" ତୁ କଣ ତାକୁ ପଚାରିଲୁ …!

ନା ମ ମୁଁ କାହିଁକି ପଚାରିବି ! ସିଏ ମୋତେ କହିଲା ଯେ ଆମ ସ୍କୁଲ ବହୁତ ଦୂର ତ ମୁଁ ବାପାଙ୍କୁ କହୁଛି "ମୋର ଗୋଟିଏ ସାଇକଲ କିଣି ଦିଅ ଆଉ ମୁଁ ସେଇଥିରେ ସ୍କୁଲ ଯିବି। ମୁଁ ସାଇକଲ ଚଲେଇବି ଆଉ ମୋ ସାଇକଲରେ ମାନୀକୁ ବସେଇକି ନେବି" ।କାହିଁକି ନା ମାନୀ ମୋର ଗର୍ଲଫ୍ରେଣ୍ଡ ତ ,ସେଥିପାଇଁ । ହଉ ମୁଁ ଯାଉଛି ଖେଳିବାକୁ କହି କହି ଆଦି ପଳେଇଲା ଦୌଡ଼ି ଦୌଡ଼ି।


ବିଜୟ ହସିଦେଲା ତା କଥା ଶୁଣି। ମନେ ମନେ ଭାବିଲା ,"ସମୟ କେତେ ବଦଳି ଯାଇଛି "!

   ଏତେ ଛୋଟ ପିଲାଗୁଡା କେତେ କଥା ଯାଣୁଛନ୍ତି ଅଥଚ ଆମେ ଏମାନଙ୍କ ବୟସରେ କେବଳ ସାଙ୍ଗ ସାଥୀ ଖେଳ ଛଡ଼ା ଆଉ କିଛି ଜାଣିନଥିଲୁ । ଆଦିର କଥା ଶୁଣି ଲାଗୁନି ସିଏ class-5 ରେ ପଢୁଥିବ ! ଆମକୁ ବାହାଘର ,ଭଲପାଇବା ଏ କଥା ଭାବିବାକୁ, କହିବାକୁ ଲାଜ ଲାଗୁଥିଲା।


   ସିଏ ଦଶମ ଶ୍ରେଣୀରେ ପଢ଼ିଲା ବେଳେ ମଞ୍ଜୁକୁ ସାଇକଲରେ ବସେଇ ସ୍କୁଲ ଯାଉଥିଲା ପୁଣି ଶ୍ରୀଧର ସାରଙ୍କ ଘରୁ ସାଇକଲ ନେଇ । ମନରେ ପୁଣି ଥରେ ସେଇ ସ୍ମୃତି ଉଜ୍ଜୀବିତ ହୋଇଉଠିଲା ବିଜୟର।

  ମଞ୍ଜୁ ଶ୍ରୀଧର ସାରଙ୍କ ଝିଅ , ଭାରି ଭଲ ପାଠ ପଢେ ।ବିଜୟ ଯେତେବେଳେ ଦଶମ ଶ୍ରେଣୀ ରେପଢୁଥିଲା ମଞ୍ଜୁ ସେତେବେଳେ ଅଷ୍ଟମ ଶ୍ରେଣୀରେ ନାମ ଲେଖିଲା । ସେତେବେଳେ ସବୁ ଗାଁ ରେ ହାଇସ୍କୁଲ ନଥାଏ ତେଣୁ ଚାରି ପାଞ୍ଚ ମାଇଲ ଦୂରରେ ଥିବା ଆଉ ଗୋଟିଏ ଗାଁ କୁ ସେମାନେ ପଢ଼ିବାକୁ ଯାଆନ୍ତି।

 ଶ୍ରୀଧର ସାରଙ୍କ ପାଖକୁ ଟିଉସନ ଯାଉଥିବାରୁ ସାର ବିଜୟକୁ ଭଲ ଭାବରେ ଜାଣି ଥିଲେ। ମଞ୍ଜୁ ସେଇ ସ୍କୁଲରେ ନାଁ ଲେଖାଇବା ପରେ ଚାଲି ଚାଲି ଯିବା କଷ୍ଟ କର ଜାଣି ସାର ,ତାଙ୍କ ସାଇକେଲ ବିଜୟକୁ ଦେଇ଼ ମଞ୍ଜୁକୁ ସବୁଦିନ ତା ସହିତ ସ୍କୁଲ ନେଇଯିବାପାଇଁ କହିଲେ । ସାରଙ୍କ କଥା ମାନି ବିଜୟ ସବୁଦିନ ମଞ୍ଜୁକୁ ନେଇ ସ୍କୁଲ ଯାଏ । ସେତେବେଳେ ପିଲାମାନଙ୍କୁ ସାଇକେଲ ମିଳିବା କଷ୍ଟକର ଥିଲା ସବୁ ପିଲା ଚାଲି ଚାଲି ଯିବା ଆସିବା କରୁଥିଲେ। ଆଉ ଯାହାକୁ ସାଇକେଲଟେ ମିଳିଯାଉ ଥିଲା ସିଏ ଏରୋପ୍ଲେନ୍ ଚଲଉଥିବା ପାଇଲଟ ଠାରୁନିଜକୁ କମ ବୋଲି ଭାବୁନଥିଲା ।

 ମଞ୍ଜୁ ସାଇକେଲର ଆଗରେ ବସୁଥିଲା ।ଆଉ ସେମାନେ ସ୍କୁଲ ଯିବା ଆସିବା କରୁଥିଲେ। ଏମିତି ଭାବେ ସେମାନଙ୍କର ଗୋଟିଏ ଶ୍ରେଣୀ ସରିଗଲା ମଞ୍ଜୁର ନବମ ଶ୍ରେଣୀ ଆଉ ବିଜୟର ଏକାଦଶ ଶ୍ରେଣୀ ହୋଇଗଲା ।

   ମଞ୍ଜୁ ଶ୍ରେଣୀରେ ପ୍ରଥମସ୍ଥାନ ପାଇ ପାସ କଲା ବିଜୟ ମଧ୍ୟ ଭଲ ନମ୍ବର ରଖିଥାଏ ।ଧୀରେ ଧୀରେ ସିଏ ମଞ୍ଜୁପ୍ରତି ଶ୍ରଦ୍ଧାଶୀଳ ଆଉ ଯତ୍ନବାନ ହେବାର ଅନୁଭଵ କରୁଥାଏ।ତା ସହିତ ସମୟ ବିତାଇବାକୁ ତାକୁ ଭଲ ଲାଗୁଥିଲା।

  ମଞ୍ଜୁ ତାକୁ ଗୋଟେ ଛୋଟ ପ୍ରଜାପତି ପରି ସୁନ୍ଦର ଦେଖା ଯାଉଥିଲା।ପ୍ରଜାପତି ପରି ଚଞ୍ଚଳ ଆଉଫୁଲ ଭଳି ଖିଲଖିଲ ହସୁଥିବା ଝିଅଟିଏ ।

ଯେତେବେଳେ ସିଏ ତା ସଙ୍ଗରେ ସ୍କୁଲ ଯାଏ ତାକୁ ରାସ୍ତା ଜଣା ପଡ଼େନା।ସିଏ ଭାବେ ବାଟ ଟା ଆହୁରି କିଛି ଲମ୍ବା ହେଇ ଯାଆନ୍ତାକି ।

 ଏମିତି ଏମିତି ହୋଇ ବିଜୟର ଏକାଦଶ ଶ୍ରେଣୀର ଟେଷ୍ଟ ପରୀକ୍ଷା ସରିଗଲା ତାର ସ୍କୁଲ ଯିବା ବନ୍ଦ ହେଇଯିବ ଜାଣି ମଞ୍ଜୁ କହିଲା… ବିଜୟ ଭାଇ,ମତେ ଟିକେ ସାଇକେଲ ଶିଖେଇ ଦିଅ ମୁଁ ଏକା ସ୍କୁଲ ଯିବି ।

ବିଜୟ ତାକୁ ସାଇକେଲ ଚଲାଇବା ଶିଖାଇ ଦେଲା । ସିଏ ନିଜେ ନିଜେ ସ୍କୁଲ ଯିବାକୁ ଲାଗିଲା

ହେଲେ ।.......

 ବିଜୟର ପାଠ ପଢାରେ ମନ ଲାଗେନି ,ଇଚ୍ଛା ହୁଏ ମଞ୍ଜୁକୁ ଟିକେ ଦେଖି ଆସିବାକୁ। ପୁଣି ଭାବେ ଏମିତି ତାକୁ ଦେଖିବାକୁ ଗଲେ ଶ୍ରୀଧରସାର,ମଞ୍ଜୁ ଏମାନେ କାଳେ କଣ ଭାବିବେ,ସେତେବେଳେ ଝିଅ,ପୁଅ କଥାବାର୍ତ୍ତା ହେବାକୁ ଲୋକ ମାନେ ପସନ୍ଦ କରୁନଥିଲେ। କିନ୍ତୁ ସାରଙ୍କ ଅନୁମତିରେ ସେ ଦୁଇ ଜଣ ସ୍କୁଲ ଯାଉଥିଲେ ।ହେଲେ ସ୍କୁଲ ଯିବା ବନ୍ଦ କରିବା ପରେ ମଞ୍ଜୁ ସହିତ ଦେଖା କରିବା ଠିକ୍ ହେବ ନାହିଁ।


    ତାପରେ ବିଜୟକୁ ଗୋଟେ ବାହାନା ମିଳିଗଲା। ମଞ୍ଜୁ ସ୍କୁଲରୁ ଫେରିଲେ ସାଙ୍ଗ ମାନଙ୍କ ସହିତ ନଈ କୂଳକୁ ଯାଏ ।ସେ ମଧ୍ୟ ସବୁଦିନ ନଈ କୂଳକୁ ଯିବାକୁ ଲାଗିଲା ସେଇଠି ମଞ୍ଜୁ ସହିତ ଦେଖା ହୁଏ କଥା ହୋଇ ଘରକୁ ଫେରେ। ଯେଉଁ ଦିନ ନଈ କୂଳକୁ ମଞ୍ଜୁ ଯାଇନଥାଏ ସେଦିନ ତାକୁ ଭଲଲାଗେ ନାହିଁ।

ତାପରେ ତାର ମେଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଲା ।ସହର ଯାଇ କଲେଜରେ ପଢିବାକୁ ହେବ ଏଇ କଥା ତାକୁ ଯେତିକି ଖୁସି ଦେଉଥାଏ, ତା ଠାରୁ ବେଶି ଦୁଃଖ ମଞ୍ଜୁକୁ ନ ଦେଖି ରହିବାକୁ ପଡ଼ିବ ଭାବି ଲାଗୁଥାଏ।

 ମଞ୍ଜୁ ଭାରି ଖୁସି ହୋଇଗଲା, ବିଜୟ ସହରକୁ ଯିବ କଲେଜରେ ପଢିବ। ନଈ କୂଳେ ଦେଖା ହୋଇ କହିଲା ବିଜୟ ଭାଇ, ତୁମେ ସେଠାରେ ପଢିଲେ ମୁଁ ଵି ତ ଆଉ ଦି ବର୍ଷ ପରେ ସେଠାକୁ ଯାଇ ପଢିବି । ତେଣୁ ମୋତେ ବହୁତ ଖୁସି ଲାଗୁଛି।

 ବିଜୟ କିନ୍ତୁ କହି ପାରୁନଥିଲା ଯେ ମୁଁ ତତେ ନ ଦେଖି ରହିପାରିବିନି ବୋଲି। ଦିନ ଯେତେ ଆଗକୁ ଯାଉଥାଏ ବିଜୟର ମନବିଷାଦରେ ଭରି ଯାଉଥାଏ।

   ଦୁଃଖରେ ଦୁଃଖରେ ବିଜୟ ସହରକୁ ଚାଲି ଗଲା ।ସେତେବେଳେ ଏତେ ଗାଡି ମୋଟର ସୁବିଧା ନ ଥିଲା ଆସିବା ଯିବାକୁ ବହୁତ ଅସୁବିଧା ହେଉଥିଲା ।ବିଜୟ ଦୀର୍ଘ ଦିନ ପରେ ଗାଁକୁ ଆସିଥାଏ ।ତା ମନ କେମିତି ନଈ କୂଳକୁ ଯାଇ ମଞ୍ଜୁ ସହିତ ଦେଖା କରିବ । ହେଲେ ସେ ନଈ କୂଳେ ମଞ୍ଜୁକୁ ସେଦିନ ଦେଖି ନପାରି ମନ ଦୁଃଖରେ ଫେରିଲା ।


ରାତିରେ ତାକୁ ଠିକ୍ ସେ ନିଦମଧ୍ୟ ହେଲା ନାହିଁ। ସକାଳୁ ସକାଳୁ ଉଠି ଶ୍ରୀଧର ସାରଙ୍କ ଘରେ ପହଞ୍ଚିଗଲା । ସାରଙ୍କୁ ପ୍ରଣାମ କଲା ଶ୍ରୀଧର ସାର ଖୁସି ହୋଇ ଆଶୀର୍ବାଦ କଲେ । ବିଜୟ ମନେ ମନେ ମଞ୍ଜୁକୁ ଖୋଜୁ ଥାଏ। ପଚାରିବାକୁ ସାହସ କରିପାରୁ ନଥାଏ। କଲେଜ ବିଷୟରେ କେତେ କଥା ପଚାରିବା ପରେ ସାର ମନକୁ କହିଲେ ଯେ ,ଛୁଟି ହୋଇଥିବାରୁ ମଞ୍ଜୁ ତାର ମାମୁଁଘରକୁ ବୁଲିବାକୁ ଯାଇଛି। ବିଜୟ ମନକୁ ବୁଝେଇ ଘରକୁ ଫେରିଲା । କେବେ ଆସିବ କାହାକୁ ପଚାରି ପାରୁନଥାଏ।

 

ତାର ଛୁଟି ସରିବା ବେଳ ହୋଇଗଲା ମଞ୍ଜୁକୁ ଦେଖିନପାରି ଫେରି ଯିବାକୁ ଜମ୍ମା ଇଚ୍ଛା ହେଉ ନ ଥାଏ। ଏମିତି ଭାବି ନଈ କୂଳେ ବୁଲୁ ଥାଏ।ଦୂରରୁ ମଞ୍ଜୁ ଆସିବା ଭଳି ଲାଗିଲା ,ହେଲେ ସିଏ ମଞ୍ଜୁ ନଥିଲା। ତାର ସାଙ୍ଗ ଥିଲା।ବିଜୟ ତାକୁ ପଚାରି ଜାଣିଲା କାଲି ସକାଳେ ସିଏ ଫେରିବ ।


ତାକୁ କହିବୁ ମୁଁ ଆସିଛି ବୋଲି। କହି ଘରକୁ ଫେରିଲା । ତା ପର ଦିନ ନଈକୂଳେ ମଞ୍ଜୁକୁ ଦେଖି ଖୁସିରେ ବିଭୋର ହୋଇଗଲା। ସିଏ ମଞ୍ଜୁମଧ୍ୟ କଲେଜ, ପାଠପଢା, ସହର,ଇତ୍ୟାଦି ବିଷୟରେ ପଚାରି ବସିଲା।

ବିଜୟକୁ ଏବେ ମଞ୍ଜୁ ଅପରୂପା ସୁନ୍ଦରୀ ଲାଗୁଥାଏ। ଢଳ ଢଳ କଥା କୁହା ଆଖି ,ଗୋଲାପ ପାଖୁଡା ପରି ଓଠ ,ମୁହଁ ଯେମିତି ପଦ୍ମଫୁଲର କଢ ଟିଏ ଆଉ କିଛି ସମୟ ପରେ ଫୁଟି ଯିବ ସିଏ ଗପୁଥାଏ ବିଜୟ ତା ମୁହଁକୁ ଚାହିଁ ଆନନ୍ଦରେ ଆତ୍ମହରା ହେଇ ଯାଉଥାଏ।

  ସନ୍ଧ୍ୟା ହୋଇ ଆସିଲା ,ଘରକୁ ଫେରିବା ବେଳ ହେଲାଣି କହି ମଞ୍ଜୁ ଚାଲିଗଲା ।

 ବିଜୟକୁ ସବୁଆଡେ ଖାଲି ମଞ୍ଜୁର ମୁହଁ ଦେଖା ଯାଉଥିଲା। ତାକୁ ଲାଗିଲା ମଞ୍ଜୁବିନା ସିଏ ବଞ୍ଚି ପାରିବନି ।କେମିତି କହିବ ଯେ ମଞ୍ଜୁ ମୁଁ ତତେ ବହୁତ ବହୁତ ଭଲ ପାଏ ବୋଲି।


 ସେଦିନ ଆମ୍ବଗଛରେ ବଉଳ ତାକୁ କାହିଁକି ବେଶି ମହ ମହ  ବାସୁଥିଲା,ଶୀତଳ ପବନ ଦେହରେ ବାଜି ଶୀହରଣ ସୃଷ୍ଟି କରୁଥିଲା । ସେଇ ବଉଳର ବାସ୍ନା, ବାସ୍ନାର ବିଭୋର ପଣରେ ବିତି ଗଲା ସେଇ ବର୍ଷର ବସନ୍ତ ,ଗ୍ରୀଷ୍ମ ଆଉ ବର୍ଷା ପରେ ଶୀତ । ତା ପରେ ମଞ୍ଜୁ କଲେଜରେ ନାମ ଲେଖାଇଲା।

     ତା ହଷ୍ଟେଲ ଆଉ ବିଜୟ ହଷ୍ଟେଲ ମଝିରେ କଲେଜ BA ପରୀକ୍ଷା ଚାଲିଥାଏ ।ମଝିରେ ମଝିରେ ତାର ବିଜୟ ସହିତ ଦେଖା ହୁଏ ବେଳେ ବେଳେ ସାଙ୍ଗହୋଇ ଛୁଟିରେ ଗାଁକୁ ଯାଆନ୍ତି। ଏତେ ମିଶି ମଧ୍ୟ ବିଜୟ କେବେ ତାକୁ ତା ମନ କଥା କହି ପାରେନା। ହେଲେ ମଞ୍ଜୁ କଣ ଚିନ୍ତା କରୁଛି ତା ବିଷୟରେ ସିଏ କଣ ମୋତେ ସେତିକି ଭଲ ପାଉଛି ଯେତିକି ମୁଁ ତାକୁ ଭଲ ପାଉଛି। ଯଦି ତା ଭଲ ପାଇବାକୁ ସେ ସ୍ୱୀକାର ନ କଲା ତେବେ ସିଏ କଣ କରିବ । ଶ୍ରୀଧର ସାର କଣ ଆମ ସମ୍ପର୍କକୁ ସ୍ବୀକୃତି ଦେବେ । ବେଳେ ବେଳେ ଏମିତି ଭାବି ଭରଷା ପାଏନା ବିଜୟର.....

    ଆଗକୁ କଣ ହେବ ଏଇ ସମ୍ପର୍କର ?

  ଏମିତି ସମୟ ଗଡ଼ି ଚାଲି ଥାଏ। ବିଜୟ MA ପଢ଼ିବାକୁ ଭୁବନେଶ୍ୱର ଚାଲିଗଲା । ଗୋଟେ ଥର ଗାଁ କୁ ଛୁଟିରେ ଆସି ଶୁଣିଲା ଯେ ମଞ୍ଜୁର ବାହାଘର ଠିକ୍ ହୋଇ ଯାଇଛି।

ଆଉ ଅଳ୍ପ ଦିନ ପରେ ବାହାଘର.....

 ବିଜୟର ପାଦ ତଳୁ ମାଟି ଖସିଗଲା ଯେମିତି। କାହାକୁ କିଛି କହିବି ପାରୁନି। ମଞ୍ଜୁକୁ ତା ସାଙ୍ଗ ହାତରେ ଡକାଇ ପଠାଇଲା। ତାକୁ କିଛି କହିବା ପୁର୍ବରୁ ମଞ୍ଜୁ କହିଲା ବିଜୟ ଭାଇ ତୁମେ ମୋତେ ମନେ ମନେ ଭଲ ପାଉଛ । କିନ୍ତୁ ମୁହଁ ଖୋଲି କେବେ କହି ପାରିଲନି । ଆଉ ମୁଁ କାହାକୁ କହିବି ବାପାଙ୍କୁ, ବୋଉକୁ ....କେମିତି ଵି କହିବି ଯେ ମୁଁ ବିଜୟ ଭାଇଙ୍କୁ ଭଲପାଉଛି ବୋଲି ।ଏବେ ଆଉ ସେ କଥା ଭାବି କିଛି ଲାଭ ନାହିଁ ।

 ବାପା ବୋଉ ତାଙ୍କ ପସନ୍ଦରେ ମୋତେ ବାହା ଦେଉଛନ୍ତି ।ତାଙ୍କ ସମ୍ମାନ ରକ୍ଷା କରି ମୋତେ ବାହା ହେବାକୁ ପଡ଼ିବ । ପାରିବ ତ ମୋତେ ଭୁଲି ବାକୁ ଚେଷ୍ଟା କରିବ ।ଦୁଇ ଜଣଙ୍କ ଆଖିରୁ ଲୁହଝରୁ ଥିଲା ।


ସେଇଦିନ ରାତିରେ ବିଜୟ ଗାଁ ରୁ ପଳେଇ ଆସିଲା ।ବହୁତ ଚେଷ୍ଟା କଲା ତାର ପ୍ରଥମ ପ୍ରେମକୁ ଭୂଲିବା ପାଇଁ । ଏତେ ବର୍ଷ ପରେ ଵି ସିଏ ନଈ କୂଳକୁ ଗଲେ ମଞ୍ଜୁର ସେଇ ନିଷ୍ପାପ ମୁହଁଟା ମନେ ପଡ଼ିଯାଏ ।

ହୃଦୟର କେଉଁ ନିଭୃତ କୋଣରେ ମଞ୍ଜୁ ଏବେ ଵି ଛୋଟିଆ ସ୍ଥାନଟିଏ ଅଧିକାର କରି ରହିଛି। ବିଜୟକୁ ସବୁ ପୂର୍ଣ୍ଣତା ମଧ୍ୟରେ କେଉଁଠି ଟିକେ ଅପୂର୍ଣ୍ଣ ରହିଲା ଭଳି ଲାଗେ। ଅଜାଣତରେ ଦୀର୍ଘଶ୍ୱାସଟିଏ ନେଲା ସେ।



Rate this content
Log in

Similar oriya story from Romance