Kalyani Nanda

Romance

2  

Kalyani Nanda

Romance

ପ୍ରୀତିଝର

ପ୍ରୀତିଝର

7 mins
470


ପ୍ଲସ ଟୁ ଆଡମିଶନ ହେଲା ପରେ କଲେଜରେ ଅମିତା ର ଆଜି ପ୍ରଥମ ଦିନ । ଟିକିଏ ଟିକିଏ ଖୁସି, ଟିକିଏ ଟିକିଏ ଭୟ ଲାଗୁଥାଏ ତାକୁ । କଲେଜ ହତା ଭିତରକୁ ପଶୁ ପଶୁ ତା ଭୟ ଆଉ ଟିକିଏ ବଢିଗଲା । ହୃତପିଣ୍ଡ ର ଧକ ଧକ ଆହୁରି ଜୋର ରେ ବଢିବାକୁ ଲାଗିଲା । ଅମିତା ଆଗରୁ ବାଳିକା ବିଦ୍ୟାଳୟ ରେ ପଢି ପାସ୍ କରି କଲେଜରେ ଏଡମିସନ ନେଇଥିଲା, ସିଏ ପୁଣି ସହଶିକ୍ଷା ମହାବିଦ୍ୟାଳୟ । ଆଗରୁ ସ୍କୁଲରେ ଝିଅ ମାନଙ୍କ ସହ ସ୍ବଚ୍ଛନ୍ଦ ଭାବରେ ବୁଲାବୁଲି କରୁଥିଲା । କିନ୍ତୁ ଏଠି ? ଯୁଆଡେ ଦେଖିବ ,ଝିଅ, ପୁଅ ମାଳ ମାଳ ହେଇ କେତେ ସ୍ବଚ୍ଛନ୍ଦ ଭାବରେ ଘୁରୁଛନ୍ତି । ଭାରି ଅସ୍ବସ୍ତି ଲାଗୁଥାଏ ଅମିତାକୁ । କଲେଜ ଭିତରେ ନିଜ ସମ ବୟସ୍କ , ନିଜ ଠୁଁ

ବଡ କ୍ଲାସର ପୁଅ, ଝିଅ । ଭୟ କୁ ଜାବୁଡି ଧରି କଲେଜ ଭିତରକୁ ପାଦ ବଢାଉଥାଏ ଅମିତା । ଯୌବନ ସିଡିରେ ପ୍ରଥମ ପ୍ରଥମ ପାଦ ପକାଉ ଥିବା ଅମିତା ମିଶ୍ର ଏକ କୁଳୀନ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରର ଝିଅ ଥିଲା । ଅମିତା ଭୟ, ଦ୍ବନ୍ଦ, ଦ୍ବିଧା କୁ ଜାବୁଡି ଧରି ଧୀରେ ଧୀରେ ଆଗେଇ ଯାଉଥାଏ । ଯୌବନର ପରଶ ଅମିତା ର ମନକୁ ଆଲୋଡିତ ସିନା କରୁଥାଏ କିନ୍ତୁ ଯୌବନର ମାଦକତା ର ଛୁଆଁ କଣ ତାକୁ ଜଣା ନ ଥାଏ । ଏମିତି ଦୋଦୁଲ୍ୟମାନ ଅବସ୍ଥାରେ କେମିତି କୁଆଡେ ଯେ ସେ ଯିବ ଭାବିଲା ବେଳେ ତା ସ୍କୁଲ ସାଂଗ ତୃପ୍ତି ମହାନ୍ତି ସହ ତାର ଦେଖା ହେଇଗଲା । ତାକୁ ଦେଖିଲା ପରେ ଅମିତା ର ଭୟ ଭୟ ଭାବ କିଛିଟା ଦୂର ହେଲା । ନିଜକୁ କିଛିଟା ସହଜ ମନେ ହେଲା ।

ଧୀରେ ଧୀରେ କଲେଜର ସେଇ ନୂତନ ପରିବେଶରେ ଅମିତା ନିଜକୁ ଖାପ ଖୁଆଇ ନେଲା । କିଛିଦିନ ପରେ କଲେଜ ନିର୍ବାଚନ ର ହାବା ଗରମ ହେବାକୁ ଲାଗିଲା । ପ୍ରାର୍ଥୀ ମାନେ ନିଜ ନିଜର ଚେଷ୍ଟାରେ ଛାତ୍ର, ଛାତ୍ରୀଙ୍କୁ ଭୋଟ୍ ଦେବାକୁ ଅନୁନୟ ବିନୟ କରିବାକୁ ଲାଗିଲେ । ନିର୍ବାଚନ ଯାଏ କଲେଜର ପରିବେଶ ବେଶ ସରଗରମ ଥାଏ । ଶୁଭାଶିଷ ପଟ୍ଟନାୟକ, ବି.ଏସସି ଶେଷ ବର୍ଷ ଛାତ୍ର, କଲଚରାଲ ସେକ୍ରେଟାରୀ ପଦବୀ ପାଇଁ ପ୍ରାର୍ଥୀ ହୋଇଥାଏ । ଶୁଭାଶିଷ ତୃପ୍ତିର ମାମୁଁ ପୁଅ ଭାଇ ହୁଏ । ଶୁଭାଶିଷ ତା ସହ ଅମିତାକୁ ବହୁତ ଥର ଦେଖିଛି । ଝିଅଟିକୁ ଦେଖି ତାକୁ ବେଶ ଭଲ ଲାଗିଥିଲା । ଅମିତାକୁ ସେ ସୁବିଧା ଦେଖି ତା ପାଇଁ ଭୋଟ ଦେବାକୁ ଅନୁରୋଧ କରିଥିଲା । ତୃପ୍ତି ଦ୍ବାରା ମଧ୍ଯ ବହୁ ବାର କହିଥିଲା । ଶୁଭାଶିଷ ପଟ୍ଟନାୟକ ଦେଖିବାକୁ ସୌମ୍ଯ, ବଳିଷ୍ଠ ଚେହେରା । ବ୍ଯବହାରରେ ଶାଳୀନତା । ଅମିତାକୁ ବହୁତ ଥର ଘରକୁ ଫେରିଲା ବେଳେ, କଲେଜ ଆସିଲା ବେଳେ ଶୁଭାଶିଷ ତାକୁ ଭେଟି ନିଜ ପାଇଁ ଭୋଟ ଦେବାକୁ ଅନୁରୋଧ କରେ । ପ୍ରକୃତରେ ଶୁଭାଶିଷ ର ସେଇଟା ଖାଲି ଗୋଟିଏ ବାହାନା ଥିଲା ଅମିତା ସହ କଥା ହେବାକୁ । ଅମିତା ର କଥାକୁହା ଆଖି ଦୁଇଟି ଓ ତା ଘଞ୍ଚ , କଳା କେଶ ହିଁ ତା ସୌନ୍ଦର୍ଯ୍ଯ ର ଏକ ଆକର୍ଷଣ ଥିଲା । ଗହମ ରଂଗ ସୁନ୍ଦର ଶରୀର ବେଶ୍ ଆକର୍ଷଣୀୟ ଥିଲା ,ତା ଛଡା ତାର ନମ୍ର ବ୍ୟବହାର ଅନ୍ଯ ଏକ ମୁଖ୍ଯ ଆକର୍ଷଣ ଥିଲା ,ଯାହା କି ଶୁଭାଶିଷ କୁ ଅମିତା ପ୍ରତି ଆକୃଷ୍ଟ କରିଥିଲା । ଶୁଭାଶିଷ ନିର୍ବାଚନରେ ବିଜୟୀ ହୋଇ କଲଚରାଲ ସେକ୍ରେଟାରୀ ହେଲା । କିନ୍ତୁ ନିର୍ବାଚନ ପରେ ଶୁଭାଶିଷ ର ଅମିତା ପ୍ରତି ଆକର୍ଷଣ କମିବା ପରିବର୍ତ୍ତେ ବଢିବାକୁ ଲାଗିଲା । ଅମିତା ସହ ଶୁଭାଶିଷ ର ମିଳାମିଶା ଧୀରେ ଧୀରେ ବଢିବାକୁ ଲାଗିଲା । ଦୁହେଁ ଦୁହିଁଙ୍କୁ ଦିନେ ନ ଦେଖିଲେ ରହି ପାରୁ ନ ଥିଲେ । ଶୁଭାଶିଷ ଯେଉଁଦିନ କଲେଜ ଆସି ନ ଥାଏ , ଅମିତାକୁ ମୋଟେ ଭଲ ଲାଗେନି, ଖୋଜିବୁଲେ ଶୁଭାଶିଷ କୁ । ଶୁଭାଶିଷ ମଧ୍ଯ ଅମିତା ର କ୍ଲାସ ସରିବା ଯାଏ ଅପେକ୍ଷା କରିଥାଏ । ବେଳେ ବେଳେ ଦୁହେଁ କ୍ଲାସ ନ ଯାଇ କୌଣସି ରେଷ୍ଟୁରାଣ୍ଟ ରେ ବସି କଥା ହୁଅନ୍ତି । ଅମିତା ନିଜେ ବି ଆଶ୍ଚର୍ଯ୍ଯ ହୁଏ , ଏମିତି କାହିଁକି ତା ସାଥେ ହେଉଛି ? ଶୁଭାଶିଷ ନ ଥିଲେ ପାଖରେ ତାକୁ ଟିକିଏ ବି ଭଲ ଲାଗେନି, ଦେଖା ହେଲେ ତାକୁ ଛାଡି ଯିବାକୁ ମନ ହୁଏନି । ସେ କଣ ତାକୁ ଭଲ ପାଇବ ବସିଛି ? ୟାକୁ କଣ ପ୍ରେମ କହନ୍ତି ? ଅମିତା ର ପ୍ରଥମେ ପ୍ରଥମେ ଏଇ ପ୍ରେମ, ଫ୍ରେମ ବିଷୟରେ କିଛି ଧାରଣା ନ ଥିଲା । ସାଂଗ ମାନଙ୍କ ପାଖରୁ ଶୁଣିଥିଲା, ପ୍ରେମ କୁଆଡେ ପ୍ରଥମ ଦେଖାରେ ହୋଇଯାଏ, ଆଖିରେ ଆଖିଏ ମିଶିଗଲେ, ମନ ସହ ମନ ମିଶିଗଲେ

କୁଆଡେ ପ୍ରେମ ହୋଇଯାଏ । ତା ହେଲେ ସେ କଣ ଶୁଭାଶିଷ କୁ ଭଲ ପାଇ ବସିଛି ? ହଁ, ବୋଧହୁଏ ସେଇଆ । ଦିନେ କଲେଜ କ୍ୟାଣ୍ଟିନ ରେ ଅମିତା ଆଉ ଶୁଭାଶିଷ ବସି କଫି ପିଉଥା ନ୍ତି, ଶୁଭାଶିଷ ଅମିତା ର ହାତ ଧରି କହିଲା , " ମିତା, ତୁମକୁ ଛାଡି ମୁଁ ରହିପାରିବିନି । ତୁମକୁ ଯେ ମୁଁ ବହୁତ ଭଲ ପାଏ । ନିଜ ଠୁ ବି ବେଶି । ତୁମେ କଣ ମୋତେ ଭଲ ପାଅନି? " ଅମିତା ଲାଜ ଲାଜ ହୋଇ ହଁ ମାରିଲା । ସେତିକିରେ ତା ମୁହଁ ନାଲି ପଡି ଯାଇଥାଏ ଶୁଭାଶିଷ ମୁଗ୍ଧ ଚାହାଣୀରେ ତାକୁ ଦେଖୁଥାଏ । ଅମିତା ଓ ଶୁଭାଶିଷ ଦିନକୁ ଦିନ ଆହୁରି ନିକଟତର ହେଉଥାନ୍ତି । ବେଳେ ବେଳେ କ୍ଲାସ ମିସ୍ କରି କଲେଜ କ୍ୟାଣ୍ଟିନ, ବା କୌଣସି ପାର୍କରେ ବସି ଥାନ୍ତି । ଶୁଭାଶିଷ ଖୁବ ସୁନ୍ଦର ଗୀତ ବୋଲେ । ଏକାନ୍ତ ସମୟରେ ଅମିତା କଥାରେ ଗୀତ ଗାଇ ଶୁଣାଏ । ଏଇ ସମ୍ମାନ ଭିତରେ ଦୁହେଁ ପରସ୍ପର ଆହୁରି ନିକଟତର ହେଲେ । ଦୁହିଁଙ୍କ ପ୍ରେମ ଆହୁରି ଗଭୀର ହେବାକୁ ଲାଗିଲା । ସେ ଦୁହିଁଙ୍କୁ କଲେଜର love bird ବୋଲି ତାଙ୍କ ସାଂଗ ମାନେ କୁହନ୍ତି । ଅମିତା ର କ୍ଲାସ ସରି ନଥିଲେ ଶୁଭାଶିଷ ତାକୁ ଅପେକ୍ଷା କରିଥାଏ । ଦୁଇ ଜଣ

ସାଇନ୍ସ ନେଇଥିବାରୁ ଶୁଭାଶିଷ ଅମିତାକୁ ବହୁତ ସମୟରେ ପଢାପଢିରେ ମଧ୍ଯ ସାହାଯ୍ଯ କରେ ।


ଏଇ ଭିତରେ କଲେଜର ବାର୍ଷିକ ଉତ୍ସବ ହେବ ବୋଲି ଶୁଭାଶିଷ କଲେଜର ଏଇ

ବାର୍ଷିକ ଉତ୍ସବ ପାଇଁ ଜୋରସୋରରେ ପ୍ରସ୍ତୁତି ରେ ଲାଗି ପଡିଥାଏ । କଲଚରାଲ ସେକ୍ରେଟାରୀ ହୋଇଥିବାରୁ ତା ଉପରେ ସବୁ ଦାୟିତ୍ବ ରହିଥାଏ । ଶୁଭାଶିଷ

ସେକ୍ରେଟାରୀ ଭାବରେ ଖୁବ ବ୍ଯସ୍ତ ଥାଏ । ଶେଷରେ ବାର୍ଷିକ ଉତ୍ସବର ଦିନ ବି ଆସିଗଲା । ଅମିତା ବି କଲେଜ ଆସିଥାଏ । ଆଜି ଶୁଭାଶିଷ ମଂଚ ଉପରେ ଗୀତ ଗାଇବ ।ଆଉ ଅମିତା ଆସିବନି କେମିତି ? ଶୁଭାଶିଷ ଖୁବ୍ ଭଲ ଗୀତ ଗାଏ । ଅମିତା ତା ଗୀତ ଶୁଣି ମୁଗ୍ଧ ହୁଏ। ଶୁଭାଶିଷ ମଂଚ ଉପରେ ଗୀତ ଗାଇବା ଆରମ୍ଭ କରି ଦେଇ ଥାଏ । ଅମିତା ର ଯେଉଁ ଗୀତଟି ବେଶ ପସନ୍ଦ ସେଇ ଗୀତ ଗାଉଥାଏ ଶୁଭାଶିଷ ।

" ପ୍ରିୟା ମୋର,

ତୁମ ଆଖି କୋଣେ ଲୁହ ବୁନ୍ଦା ଟିଏ କରି ରଖିଥାଅ,

ପଲକ ଉହାଡେ ରହିଥିବି,

ତୁମ କଳା କବରୀରେ ଗଜରା କରି ପିନ୍ଧିଥାଅ ,

ଜୀବନ ତୁମ ମହକରେ ଭରିଦେବି ,

କାନର ଝୁମୁକା ଟିଏ କରି ଦିଅ ମୋତେ ,

ପ୍ରୀତିର ଗୀତି ମୁଁ ଯେ ଶୁଣାଉଥିବି,

ଗୋଡର ପାଉଁଜି କରି ପିନ୍ଧିଥାଅ ମୋତେ ,

ରୁଣୁ ଝୁଣୁ ହୋଇ ବାଜୁ ଥିବି ,

ତୁମ ଓଠର ଲାଲିମା କରିଦିଅ ମୋତେ ,

ଧାରେ ହସ ହୋଇ ଲାଖି ଥିବି,

ମନ କୋଣେ ମୋତେ ସାଇତି ରଖିଥାଅ ,

ସ୍ମୃତିଟିଏ ହୋଇ ସଦା ଝୁରୁ ଥିବି ।

ମୁଗ୍ଧ ହୋଇ ଅମିତା କେଉଁ ଏକ ଅଜଣା ରାଇଜେ ହଜି ଯାଇଥିଲା । ହାତତାଳି ଶୁଣି ସଚେତନ ହେଲା । ଏକ ଅଜଣା ଲାଜରେ ଶିହରି ଉଠୁଥିଲା, ସଂକୁଚିତ ହୋଇ ଉଠୁଥିଲା । ସମୟ ଧୀରେ ଧୀରେ ବିତି ଯାଉଥାଏ । ଶୁଭାଶିଷ ଓ ଅମିତା ର ସଂପର୍କ ଦିନକୁ ଦିନ ଗଭୀର ହେଉଥାଏ । ସମୟ କ୍ରମେ ଶୁଭାଶିଷ ଏମ.ଏସସି ଶେଷ କରି ଚାକିରୀ ପାଇଁ ପ୍ରସ୍ତୁତିରେ ଲାଗି ପଡିଲା । ଅମିତା ବି . ଏସସି ପରେ ବି . ଏଡ୍ କରି ଗୋଟିଏ ସ୍କୁଲରେ ଶିକ୍ଷୟିତ୍ରୀ ଭାବରେ ଚାକିରୀରେ ଯୋଗ ଦେଇଥାଏ । ଶୁଭାଶିଷ ମଧ୍ଯ ଏ ଭିତରେ ବ୍ଯାଙ୍କ ଅଫିସର ଚାକିରୀ ପାଇ ଅହମଦାବାଦରେ ଯୋଗ ଦେଇଥାଏ । ଅମିତା ଘରର ବଡ଼ ଝିଅ ଥିଲା , ତା ତଳେ ଗୋଟିଏ ଭଉଣୀ ଓ ଗୋଟିଏ ସାନ ଭାଇ ଥାଆନ୍ତି । ବଡ ଝିଅ ବୋଲି ଅମିତା ର ବାହାଘର କରିବାକୁ ତା ବାପା ଲାଗିପଡିଥାନ୍ତି । କିନ୍ତୁ ଅମିତା ଦିନେ ସାହାସ କରି ତା ବାପା, ମାଁ ଙ୍କୁ ତାର ଓ ଶୁଭାଶିଷ ସହ ସଂପର୍କ ବିଷୟରେ ଜଣାଇଦେଲା । ତା ବାପା ତାଙ୍କ ଝିଅର ବାହାଘର କରଣ ପୁଅ ସହ ଦେବାକୁ ରାଜି ନ ଥିଲେ । ଅମିତା ବି ଶୁଭାଶିଷ ଛଡା ଆଉ କାହାକୁ ବାହା ହୋଇ ପାରିବନି ବୋଲି ଘରେ କହି ଦେଇଥାଏ । କେମିତି ବା ଜଣକୁ ନିଜ ମନ, ପ୍ରାଣ ଦେବାପରେ ଆଉ ଜଣକ ସହ ଘର ସଂସାର କରି ପାରିବ । ଶୁଭାଶିଷ କୁ ମଧ୍ଯ ନିଜ ଇଚ୍ଛା ଜଣାଇଦେଇଥାଏ । ଶୁଭାଶିଷ ତାକୁ ଆଶ୍ବାସନା ଦେଇଥାଏ ଯେ ସେ ଶୀଘ୍ର ଆସି ତାକୁ ତାଙ୍କ ଘରର ବୋହୁ କରି ନେଇଯିବ । ସତକୁ ସତ ଦିନେ ଶୁଭାଶିଷ ତା ବାବା, ମାଁ ଙ୍କୁ ନେଇ ଅମିତା ଘରକୁ ବାହାଘର ପ୍ରସ୍ତାବ ନେଇ ଆସିଲା । ଅମିତା ବାପା ମୂଳରୁ ରାଜି ନ ଥିଲେ । ବ୍ରାହ୍ମଣ ଘରର ଝିଅକୁ ତାଙ୍କର କେମିତି କରଣ ଘରର ବୋହୁ ହେବାକୁ ଦେବେ । ଲୋକେ କଣ କହିବେ । କିନ୍ତୁ ଶୁଭାଶିଷ କୁ ଦେଖି , ତା ବ୍ଯବହାର, ତା ବାପା , ମାଁ ଙ୍କର ବ୍ଯବହାର ଅମିତାର ମାଁଙ୍କୁ ପ୍ରଭାବିତ କରିଥିଲା । ସେ ସେଇଦିନ ଅମିତା ବାପାଙ୍କୁ ବୁଝାଇବେ କହି ଶୁଭାଶିଷକୁ ଆଶ୍ବାସନା ଦେଇ ଫେରି ଯିବାକୁ କହିଥିଲେ ।

ପରେ ବହୁ କଷ୍ଟରେ ଅମିତା ବାପା ରାଜି ହୋଇଥିଲେ ଏଇ ବାହାଘର ପାଇଁ ।

ଆଜି ଅମିତା ଶୁଭାଶିଷ ଘରର ବୋହୁ । ଚଉଦ ବର୍ଷର ଘର ସଂସାର ତାର । ପୁଅ ବେଦାନ୍ତ, ଝିଅ ନିଧି , ଶାଶୁ, ଶ୍ବଶୁର ଙ୍କୁ ନେଇ ତାର ସୁଖର ସଂସାର ହସି ଉଠୁଛି । ଅମିତା ର ବାପା ତା ଖୁସିର ସଂସାର ଦେଖି ନିଶ୍ଚିନ୍ତ ହୋଇଛନ୍ତି । ଏଇ ସବୁ ଭାବୁ ଭାବୁ କେତେବେଳେ ଯେ ସନ୍ଧ୍ଯା ପାଂଚ ଟା ହେଇଗଲାଣି ,ଅମିତା ଜାଣିପାରିନି। " ଆରେ ମାଁ , ଆଜି ଚା ଦେବୁନି କି ?" ଶ୍ବଶୁର ଙ୍କ ଡାକରେ ଅମିତା ଚମକି ପଡିଲା । ଘଣ୍ଟା ଦେଖିଲା

ପାଂଚ ଟା ବାଜିଲାଣି । ଛୁଆ ଦୁଇଟା ବି ଆଜି ଡେରି କଲେଣି । ଏମିତି ଭାବୁଛି , ନିଧି ତା ଝିଅ ଦୌଡି ଆସି ମାଁ କୁ ତାର ଟ୍ରଫି ଦେଖାଇଲା । ସଂଗୀତ ପ୍ରତିଯୋଗିତାରେ ପ୍ରଥମ ହୋଇ ଜାତୀୟସ୍ତରରେ ଉନ୍ନୀତ ହୋଇଛି । ଆଗାମୀ ସପ୍ତାହରେ ଦିଲ୍ଲୀ ଯିବ । ଅମିତା ନିଜ ଝିଅର ଯୋଗ୍ୟତାରୁ ଆତ୍ମହରା ହୋଇ ଉଠିଲା । ତା ଝିଅ ତା ବାପା ଶୁଭାଶିଷ ପରି ଖୁବ୍ ଭଲ ଗୀତ ଗାଏ । ଏଇ ସମୟରେ ଶୁଭାଶିଷ ବି ଆସିଯାଉଥାଏ ଅଫିସରୁ । ଖୁସି ହୋଇ ସମସ୍ତଙ୍କୁ କହିଲା , " ଶୀଘ୍ର ବାହାରି ପଡ଼ ସମସ୍ତେ । ଆଜି ବାହାରେ ଡିନର କରି ଆସିବା ।" ଅମିତା ଶ୍ବଶୁରଙ୍କ ପାଇଁ ଚା କରିବାକୁ ରୋଷେଇଘର ଆଡେ ଚାଲିଗଲା ଆଉ ଭାବୁଥାଏ ସତରେ ଶୁଭାଶିଷ କୁ ପାଇ ସେ ଆଜି ବହୁତ ସୁଖରେ ଅଛି । ସେ ସମୟରେ ଯଦି ସେ ନିଜ ନିଷ୍ପତ୍ତିରେ ଅଟଳ ରହି ନ ଥାନ୍ତା ତେବେ ତା ଜୀବନରେ ଏତେ ସୁଖ କଣ ପାଇ ପାରିଥାନ୍ତା ? ଜୀବନର ଗତି କୁଆଡେ ଯାଇଥାନ୍ତା ତାର ?


ଆଜି ତାର ସୁଖର ସଂସାରରେ ସମସ୍ତଙ୍କୁ ନେଇ ସେ ଯେମିତି ସୁଖୀ ହୋଇ ପାରିଛି,ତା ସୁଖ ଦେଖି ତା ବାପା ମଧ୍ଯ ନିଶ୍ଚିନ୍ତ ହୋଇ ପାରିଛନ୍ତି ।ଅମିତା କୁ ତା ସଂସାରରେ ଖୁସି ଥିବାର ଦେଖି ତା ବାପା ଏବେ କୁହନ୍ତି ," ସେଦିନ ମୋ କଥାର ମାନି ଅନ୍ଯ କାହାକୁ ବାହା ହୋଇଥିଲେ ଏତେ ସୁଖୀ ହୋଇ ପାରିଥାନ୍ତୁ କି ନା କେଜାଣି ।" ଶୁଭାଶିଷ କେବଳ ଯେ ଅମିତା ର ଭଲ ସ୍ବାମୀ ନ ଥିଲା, ବରଂ ନିଜ ବାପା, ମାଁ ଙ୍କ ପରି ତା ବାପା ମାଆଙ୍କୁ ମଧ୍ଯ ସମ୍ମାନ ଓ ଶ୍ରଦ୍ଧା ଦେଖାଉଥିଲା । ଅମିତା ର ସାନ ଭଉଣୀ ବାହା ହୋଇ ତା ଘର ସଂସାର ସମ୍ଭାଳିଥିଲେ । ସାନ ଭାଇ ବାହା ହୋଇ ବାହାରେ ବାହାରେ ଚାକିରୀ ନେଇ ବ୍ଯସ୍ତ । ଶୁଭାଶିଷ ତେଣୁ ପ୍ରାୟ ଅଧିକାଂଶ ସମୟ ବାପା, ମାଁ ଙ୍କ କଥା ବୁଝୁଥାଏ । ଏବେ ଶୁଭାଶିଷ ବଦଳି ହୋଇ ଆସିଛି ସେଇ ନିଜ ଜାଗାକୁ । ଅମିତା ର ବାପା, ମାଁ ବି ରୁହନ୍ତି ସେଇ ଏକା ସହରରେ । ତେଣୁ ଶୁଭାଶିଷ ଅମିତା ବାପା, ମାଁର କଥା ବୁଝିବାକୁ ସୁବିଧା ହୁଏ ।


ଅତୀତଓ ବର୍ତ୍ତମାନ ର ଭଉଁରୀରେ ଘୁରୁଥିବା ଅମିତାର ତନ୍ଦ୍ରା ଗ୍ରସ୍ତ ମନ ବାସ୍ତବ ଜଗତକୁ ଫେରି ଆସିଲା । ରାତି ଘନେଇ ଆସିଥିଲା । ଜହ୍ନ ଟା ସତରେ ଯେମିତି ଆକାଶରୁ ଅମିତା କୁ ଚାହିଁ ହସୁଥାଏ। ଅମିତା ର ଘର, ଅଗଣାରେ ଖୁସିର ଜୋଛନା ଯେମିତି ବିଂଚି ହୋଇ ପଡିଥାଏ । ବର୍ଷାର ଝର ପରି ଅମିତା ର ସଂସାର ଶୁଭାଶିଷ ଓ ଅମିତା ର ପ୍ରେମର ପ୍ରୀତି ଝରରେ ଯେମିତି ଭିଜି ଭିଜି ଯାଉଥାଏ । ପ୍ରେମ ତରୁ ରେ ବସା ବାନ୍ଧିଥିବା ଦୁଇ ପକ୍ଷୀ ନିଜ ସ୍ବପ୍ନ ରାଇଜରେ ସତେ ଯେମିତି ହଜି ଯାଉଥାନ୍ତି ।



Rate this content
Log in

Similar oriya story from Romance