Priyadarsini Das.PriYa❤️

Romance

4.3  

Priyadarsini Das.PriYa❤️

Romance

ପରୀ

ପରୀ

4 mins
12.2K


●ପରୀ●

☆☆☆☆☆


   ଆଜିକାଲି ରାଜୁ ଆଉ ରିଆ କୁ ବେଶୀ ଭଲ ପାଉନି । ରାଜୁ ଯିଏ କି ୪ ବର୍ଷ ତଳେ ରିଆ କୁ ବାହା ହୋଇଥିଲା । ରିଆ ଦେଖିବାକୁ ଖୁବ୍ ସୁନ୍ଦର ଥାଏ ।ଯେତେବେଳେ ରାଜୁ ର ବାପା ତା ପାଇଁ ରିଆ ର ବାହାଘର ପ୍ରସ୍ତାବ ଟେ ଆଣିଲେ , କେବଳ ଫଟୋ ଦେଖି ହିଁ ରାଜୁ ବାହାଘର ପାଇଁ ରାଜି ହୋଇ ଯାଇଥିଲା ।ତଥାପି ଝିଅ ଘର ଅନୁରୋଧ ରେ ରାଜୁ ଯାଇ ଥିଲା ଝିଅକୁ ଦେଖିବା ପାଇଁ ।

 

   ଝିଅ କୁ ଦେଖିବାକୁ ଯାଇ ରାଜୁ ର ଆଖି କେବଳ ସେହି ଫଟୋ ରେ ଥିବା ସୁନ୍ଦରୀ ମୁହଁ ଟିକୁ ଖୋଜି ବୁଲୁଥାଏ । ଚା କପ୍ ଧରି ରିଆ ଯେତେବେଳେ ପହଞ୍ଚିଲା ସେତେବେଳେ ରାଜୁ ତା ର ନିଜ ଆଖିକୁ ବିଶ୍ବାସ କରି ପାରୁ ନ ଥାଏ ।ଏତେ ସୁନ୍ଦର ଚେହେରା ଦେଖି ପ୍ରଥମ ଦେଖା ରେ ହିଁ ସେ ତା ର ଦିବାନା ହୋଇଯାଇଥିଲା ।


  ଘରେ ପହଞ୍ଚି ରାଜୁ ତା ବାପାଙ୍କୁ ଜୋର୍ ରେ କୁଣ୍ଢେଇ ପକାଇ ଗେଲ୍ହ ଗେଲ୍ହ କରିବାକୁ ଲାଗିଲା ।

-- ବାପା , ତୁମେ ଯେ ମୋ ପାଇଁ ଏମିତି ପରୀ ଟିଏ ବାଛି ଦେବ ବୋଲି ମୁଁ ତ କେବେ ଭାବି ନ ଥିଲି । ହେଲେ ବାପା , ମୁଁ କହୁନି ଯେ ଖାଲି ସୁନ୍ଦର ଚେହେରା ଟିଏ ସୁନ୍ଦର ଜୀବନ ସାଥୀ ହୋଇ ପାରିବ ।କିନ୍ତୁ ତୁମେ ବାଛିଛ ମାନେ ତା ଗୁଣ ତ ନିହାତି ଭଲ ହୋଇଥିବ । 


ବାପା ତାର କହୁଥାନ୍ତି ହଁ ରେ ତା ଗୁଣ ବହୁତ ଭଲ ।ତାପରେ ତୁମେ ଦୁହେଁ ଖୁସି ରେ ରହିଲେ ତ ଆମେ ବୁଢା , ବୁଢୀ ଖୁସି । 

ତୁ ତାହେଲେ ରାଜି ତ....?

ବାହାଘର ପାଇଁ ହଁ ତାହେଲେ କରିବି ତ .....?


ରାଜୁ କହୁଥାଏ ...ହଁ ବାପା ତୁମେ ଯେତେବେଳେ ତୁମ ପାଇଁ ପରୀ ଭଳି ବୋହୁଟିଏ ବାଛିଛ ମୁଁ ବା ଅରାଜି କାହିଁକି ହେବି ...?


ବାସ୍ କିଛି ମାସ ପରେ ବାହାଘର ହୋଇଗଲା । ନିଜର ଗୁଣ ,ବ୍ୟବହାର ରେ ରିଆ ଘରର ସମସ୍ତଙ୍କ ମନ ଜିଣି ନେଇ ଥାଏ ।ସେମିତି ତ ସବୁ ଶାଶୁ ଘର ପରି ତା ଶାଶୁ ବି କେତେବେଳେ ରାଗନ୍ତି , ଗାଳି କରନ୍ତି ।କିନ୍ତୁ ରିଆ ତା ବାପା , ମା ଠୁ ପାଇଥିବା ସଂସ୍କାର ଅନୁସାରେ  ସବୁ ଶୁଣି ପଛ ପଟରୁ ଯାଇ ତା ଶାଶୁ ଙ୍କୁ କୁଣ୍ଢେଇ ପକାଏ ।ଆଉ ଶାଶୁ ଙ୍କର ରାଗ କୁଆଡେ ଉଭାନ୍ ହୋଇଯାଏ ।

ଏମିତି ସବୁ ଗୁଣ ପାଇଁ ସମସ୍ତେ ତାକୁ ବହୁତ ଭଲ ପାଆନ୍ତି ।


 କିଛି ଦିନ ପରେ ରାଜୁ ର ଟ୍ରାନ୍ସଫର୍ ହୋଇଗଲା ।ରିଆ ତ ରାଜୁ ସହ ଯିବା ପାଇଁ ମନା କରୁଥାଏ ।କିନ୍ତୁ ପୁଅ ଟା ବାହା ହୋଇ ଏକା ରହିବ , ରାନ୍ଧି ବାଢି ଖାଇବ , ଏସବୁ କଥା ଭାବି ରାଜୁ ର ବାପା , ମା ଜବରଦସ୍ତି କରି ରିଆ କୁ ରାଜୁ ସହ ପଠେଇ ଦେଲେ । 


   ଦୁଇ ପକ୍ଷୀ ଚାଲିଲେ ନୂଆ ବସାଟେ ବାନ୍ଧିବାକୁ । ବୟସ ର ଲହରୀ ସହ ପ୍ରେମ ର ଜୁଆରରେ ଦୁହେଁ ଭାରି ମଜଗୁଲ୍ ଥାନ୍ତି ।


  କିନ୍ତୁ ବାହାଘର ର ଚାରି ବର୍ଷ ପରେ ସବୁ କିଛି ବଦଳିଗଲା ପରି ଲାଗୁଥାଏ ।ଏଇ ଆଠ ମାସ ହେଲାଣି ସେମାନଙ୍କର ଝିଅ ଟିଏ ହୋଇଛି ।ରିଆ ଘର କାମ ସହ ଝିଅ ର ଦେଖା ଚାହାଁ ରେ ଏତେ ବ୍ୟସ୍ତ ଯେ ସେ ଆଉ ରାଜୁ କଥା ଆଗ ପରି ଠିକ୍ ରେ ବୁଝି ପାରୁନଥାଏ । ରୋମାଣ୍ଟିକ୍ ପ୍ରେମିକା ଟେ ପରି ସେ ଆଉ ରାଜୁ କୁ ବିମୋହିତ କରି ପାରୁ ନ ଥାଏ ।

କେମିତି ବା କରିବ ...?

ପିଲା କୁ ସମ୍ଭାଳିବା କଣ କମ୍ କଥା କି ...।


ରାଜୁ ର କିନ୍ତୁ ସବୁବେଳେ କମ୍ପ୍ଲେନ୍ ....


-- ତୁମେ ଆଉ ଆଗ ପରି ଆଉ ମୋତେ ଭଲ ପାଉନ.... ।

-- ତୁମେ ଆଉ ମୋ ମନ ପସନ୍ଦ ର ରୋଷେଇ କରୁନ... ।

-- ତୁମେ ଆଉ ଆଗ ପରି ମୋ ପାଇଁ ସଜେଇ ହୋଇ ରହୁନ... ।

-- ଆଗର ସେ ସୁନ୍ଦର ଚେହେରା ଆଉ ନାହିଁ ....। 

-- ଆଗ ପରି ଆଉ ସୁନ୍ଦର ଦେଖା ଯାଉନ......।

-- କେତେ ମୋଟୀ ଦେଖାଯାଉଛ...।

--କୁଆଡେ ଗଲା ତୁମର ସେ ଚେହେରା ....?

--କୁଆଡେ ଗଲା ସେ ସ୍ଲିମ୍ ଫିଗର୍....?

--କୁଆଡେ ଗଲା ସେ ନିଶା ଭରା ଆଖି , ଯାହାକୁ ଦେଖି ମୁଁ ଦିବାନା ହୋଇଥିଲି ....।


 ଏସବୁ ଶୁଣି ବି ରିଆ ନିରୁତ୍ତର ଥାଏ ।କେମିତି ସେ ବୁଝେଇବ ରାଜୁ କୁ ମା ହେବା ଟା ଏତେ ସହଜ କଥା ନୁହେଁ ।କେମିତି ବୁଝେଇବ ସେ ଯେ ଘରର କାମ ସାରି ଝିଅ କଥା ବୁଝୁ ବୁଝୁ କେତେବେଳେ ସେ ସେଇ ଝିଅ ପାଖରେ ହିଁ ଘୁମେଇ ପଡୁଛି ନିଜେ ବି ଜାଣି ପାରୁନି ।କେତେ ରାତି ଅନିଦ୍ରା ରେ କଟୁଛି କେମିତି ବୁଝେଇବ ସେ ।


 ଆଉ ରହିଲା ସୁନ୍ଦରତା କଥା ଜଣେ ମା ହେବା ସମୟରେ ନିଜର ଶରୀର ର ସୁନ୍ଦରତା କୁ ଦେଖେ ନାହିଁ ।କାହିଁକି ନା ସନ୍ତାନ ପ୍ରାପ୍ତି ର ସୁଖ ଟା ତା ପାଇଁ ଏକ ଗହଣା ସମ ହୋଇଯାଏ ।ସେ ସମୟରେ କେହି ଦେଖେନା କେତେ ମୋଟୀ ହେଲା କି କେତେ ବଡି ର ସେପ୍ ଏଣ୍ଡ ସାଇଜ୍ ଚେଞ୍ଜ ହେଲା ।କେବଳ ପିଲା ର ଯତ୍ନ ନେବା ତା ପାଇଁ ମୁଖ୍ୟ ପାଲଟି ଯାଏ । କେମିତି ବୁଝେଇବ ସେ ଯେ ରାଜୁ ର ଜନ୍ମ ରେ ତା ଶାଶୁ ମା ଙ୍କୁ ବି ଏମିତି ସମ ପରିସ୍ଥିତି ର ସମ୍ମୁଖୀନ କରିବାକୁ ପଡିଥିବ ।


କିନ୍ତୁ କିଛି ନ କହି ସେ ଚୁପ୍ ରହିଯାଏ ।


  କିଛି ଦିନ ପରେ ରିଆ ର ଦେହ ବହୁତ ଖରାପ ହେଲା ।ଥଣ୍ଡା ତା ସହ ଜ୍ବର ।ରାଜୁ ଦେଖେ ତ ରିଆ ଦେହ ତାତି ଖଇ ଫୁଟୁଛି ।ବାଧ୍ୟ ହୋଇ ଛୁଟି ନେଇ ଘରେ ରହିଲା ।ଖାଇବା ହୋଟେଲ ରୁ ମଗେଇ ଦେଉଥାଏ , କିନ୍ତୁ ଝିଅ ଏବଂ ରିଆ ଦୁଇ ଜଣଙ୍କର ଯତ୍ନ ତାକୁ ନେବାକୁ ପଡୁଥାଏ ।


 ତିନି ଦିନ ପରେ ରିଆ ଠିକ୍ ହେଲା । ସକାଳୁ ଉଠି ରାଜୁ ପାଇଁ ଚା କରିବାକୁ ଯାଉଥାଏ ରିଆ ।


  ରାଜୁ ରିଆ ର ହାତକୁ ଧରି ପକାଇଲା ।ବହୁତ କାନ୍ଦିଲା ।କହୁଥାଏ ରିଆ ଲୋ ତୁମେ ସତରେ ମୋ ପରୀ ଟା ଲୋ ।ମୁଁ କେତେ ଭୁଲ ବୁଝିଥିଲି ତୁମକୁ ।ଏଇ କେଇ ଦିନ ଟିକିଏ ଝିଅ ଆଉ ତୁମ ଯତ୍ନ ନେଇ ମୁଁ ହାଲିଆ ହୋଇ ଗଲିଣି ।ଆଉ ସବୁଦିନ କେମିତି ଏତେ କାମ କରି ପାରୁଛ ।


  କିଛି ନ ବୁଝି କେତେ କଣ କହି ଦେଇଛି ।ରାଗିବନି ତୁମେ ରିଆ ।ତୁମେ କାଲି ବି ମୋ ପରୀ ଥିଲ ଆଜି ବି ମୋ ପରୀ । ତୁମର ପ୍ରତିଟି କାମ ରୁ ମୁଁ ବି ଆଜି ଜୀବନର ନୂଆ ଦାୟିତ୍ବ ନେବା ପାଇଁ ଅନୁପ୍ରେରିତ ।


  ବହୁତ ଖୁସି ମୁଁ ରିଆ , ଯେ ତୁମ ପରି ପରୀଟେ ମୋ ଜୀବନରେ ପାଦ ଥାପିଛି...............ତୁମ ପରି ପରୀଟେ ପାଇଁ ମୋର ସ୍ନେହ , ପ୍ରେମର ଡେଣାଟେ ଦରକାର , ଯାହା କି ମୁଁ ଭୁଲି ଯାଇଥିଲି ।ଯାହା ହେଉ ଠିକ୍ ସମୟରେ ସେତକ ବୁଝି ପାରିଲି । 


ଦୁହେଁ ବସି ହସୁଥାନ୍ତି ଆଉ ରିଆ ମନରେ ପରୀଟେ ପରି ଉଡୁ ବୁଲୁଥିଲା ।

ସମୟ ଥାଉ ଥାଉ ସବୁ ସମ୍ପର୍କ ଠିକ୍ ହୋଇଗଲା । ସଂସାରରେ ହସ ଖୁସି ଖେଳି ଗଲା , ମନରେ ମୃଦୁ ହସ ଖେଳିଗଲା ।



Rate this content
Log in

Similar oriya story from Romance