STORYMIRROR

Lopamudra Mishra

Romance Inspirational

3  

Lopamudra Mishra

Romance Inspirational

ପରିବର୍ତ୍ତନର ସ୍ୱର

ପରିବର୍ତ୍ତନର ସ୍ୱର

2 mins
762

    


   ସେ ସମ୍ପର୍କରେ ମୋର ଝିଆରୀ l ବୟସ ବେଶି ନୁହେଁ, କିନ୍ତୁ ଖୁବ୍ ସାହସୀ l ସେ ଜାଣେ ସେ ନେଇଥିବା ନିଷ୍ପତ୍ତି ତାକୁ ଓ ତା ସାଥୀକୁ ବିପଦରେ ପକେଇପାରେ, ତଥାପି ସେ ଜାତିଗତ ଭେଦଭାବ ବିରୁଦ୍ଧରେ ସ୍ୱରଉତ୍ତୋଳନ କରି ଆମ ଅଞ୍ଚଳରେ ଏକ ଉଦାହରଣ ସୃଷ୍ଟି କରିଛି l 


   ସେ ଯେତେବେଳେ ଭଲ ପାଠପଢି ଖୁବ୍ ଭଲ ରେଜଲ୍ଟ୍ କରିଥିଲା ଗାଁରେ କେହି ଜଣେ ମଧ୍ୟ ସେ ବିଷୟରେ ଚର୍ଚ୍ଚା କିମ୍ବା ଆଲୋଚନା କରିନଥିଲେ l ସେ ଯେତେବେଳେ ଭଲ ଚାକିରୀଟିଏ ପାଇ ଆତ୍ମନିର୍ଭରଶୀଳା ହେଇଥିଲା, କେହି ତାର ପ୍ରଶଂସା କରିବାକୁ ଆଗେଇ ଆସିନଥିଲେ l କିନ୍ତୁ ଯେତେବେଳେ ସେ ନିଜ ପସନ୍ଦରେ ସାଥୀଟିଏ ବାଛିବାକୁ ଗଲା ସାରା ଗାଁ ଛିଃ ଛିଃ ଓ ଅପନିନ୍ଦାରେ ତାକୁ ଓ ତାର ପରିବାର କୁ ପୋତିପକେଇଲେ l "ବ୍ରାହ୍ମଣ ଶାସନର ଝିଅଟା ଅନ୍ୟଜାତିରେ ବିବାହ କରିବ ? ତା ଘରଲୋକ ଯଦି ତା ସହ ସମ୍ପର୍କ ରଖିବେ, ତାଙ୍କ ଘରକୁ ଆମେ କେହି ଯିବୁନାହୁଁ ", ସାହି କୁଟୁମ୍ବଙ୍କର ମନ୍ତବ୍ୟ ଏପରି ଥିଲା l 


  ତା ବାପା ମାଆ ମଧ୍ୟ ଡରିଗଲେ l " ଝିଅ, ତୁ ସେ ପିଲାକୁ ଭୁଲିଯାଆ l ବନ୍ଧୁବାନ୍ଧବ, ସାହି ପଡିଶାରେ ଆମ ନାକ କଟିଯିବ l ତୋ ସହ ତାର ଫୋଟୋ କୁ ଗାଁ ପିଲାମାନେ ସୋସିଆଲ୍ ମିଡିଆରେ ଦେଖିକରି ତ ଆମକୁ ଅନେକ କଥା ଶୁଣେଇସାରିଲେଣି l ତୁ ଯଦି ତାକୁ ବାହାହେବୁ ଆମେ ବୋଧେ ଆଉ ବଞ୍ଚିବୁନାହୁଁ l ତୁ ଯଦି ତୋ ମାଆ ବାପାଙ୍କୁ ସତରେ ଭଲପାଉଥାଉ, ତାହେଲେ ତାକୁ ଭୁଲିଯିବୁ l "


     ଝିଅଟା ସେଦିନ କାନ୍ଦିଥିଲା l କାନ୍ଦୁ କାନ୍ଦୁ ସେ ଭାବୁଥିଲା," ବାପାମାଆ ଭାବି କେମିତି ପାରିଲେ ଯେ ମୁଁ ସେମାନଙ୍କୁ ଭଲପାଏନାହିଁ ? ପରିବାରକୁ ଭଲପାଇବାର ଅର୍ଥ ତ ନୁହେଁ ନିଜ ବ୍ୟକ୍ତିଗତ ସ୍ୱାଧୀନତାକୁ ବଳିପକେଇଦେବା ! ନିଜପାଇଁ ସାଥୀଟିଏ ବାଛିନେବା ତ କୌଣସି ଅପରାଧ ନୁହେଁ !"


     ଧାରା, ହଁ ତା ନାଁ ଧାରା l ସେ ପରିବର୍ତ୍ତନର ଧାରା l


  ସେଦିନ ଘରୁ ବାହାରିଗଲା ବେଳେ ବାପା ଖୁବ ଉଚ୍ଚ ସ୍ୱରରେ ଧାରାକୁ କହିଥିଲେ, "ଝିଅ ତୋତେ ଏମିତି ଗୋଟେ ସାଥୀ ସହ ଜୀବନ ବିତେଇବାକୁ ପଡିବ ଯାହାପାଇଁ ତୋତେ ତୋ ବାପା ମାଆଙ୍କୁ ଚିରଦିନ ପାଇଁ ଭୁଲିଯିବାକୁ ପଡିବ l ତୋ ପାଇଁ ମୋତେ ଯେତିକି ଅପମାନିତ ହେବାକୁ ପଡିଥିଲା ଆଜି ସେତିକି ଦୁଃଖ ବି ଲାଗୁଛି l ସେ ପିଲା ସତରେ ଆମ ପରିବାର ପାଇଁ ଯୋଗ୍ୟ ନୁହେଁ l ଯାଆ, ଚାଲିଯାଆ ଏଠୁ l ଆଉ କେବେ ମୁହଁ ଦେଖେଇବୁନି l"


 ଧାରା ପୂର୍ବପରି ନମ୍ରତାର ସହ କହିଥିଲା, "ବାପା, ମୁଁ ତୁମମାନଙ୍କୁ ଓ ଶ୍ରବଣଙ୍କୁ ଉଭୟଙ୍କୁ ସମ ଭାବରେ ଭଲପାଏ l ଯେହେତୁ ତୁମେମାନେ ମୋର ରକ୍ତସଂପର୍କୀୟ ହୁଏତ ଶ୍ରବଣ ଠାରୁ ତୁମମାନଙ୍କ ପାଇଁ ମୋ ହୃଦୟରେ ସ୍ଥାନ ଆଉ ଟିକେ ବେଶି ବିସ୍ତୃତ l କିନ୍ତୁ ମୁଁ କାହିଁକି ତୁମକୁ ଛାଡ଼ି ତା ପାଖକୁ ଚାଲିଯାଉଛି ଜାଣ? କାରଣ ତୁମେମାନେ ମୋ ଭଲପାଇବା ସହ ମୋତେ ତୁମସାଙ୍ଗରେ ରଖିବାକୁ ଚାହୁଁନଥିଲା ବେଳେ ଶ୍ରବଣ ମୋତେ ପ୍ରସ୍ତାବ ଦେଇଥିଲେ ଏକମାତ୍ର ଝିଅହିସାବରେ ମୋର ମୋ ବାପାମାଆଙ୍କୁ ନିଜ ପାଖରେ ସାରା ଜୀବନ ରଖି ସେମାନଙ୍କ ସମସ୍ତ ଦାୟିତ୍ୱ ନେବାପାଇଁ l ସତରେ ବାପା ଶ୍ରବଣର ଏହି ଉଚ୍ଚ ଚିନ୍ତାଧାରା ତୁମ ଉଚ୍ଚଜାତିଠାରୁ ଯଥେଷ୍ଟ ସମ୍ମାନର ଯୋଗ୍ୟ l ମୁଁ ସେହି ଉଚ୍ଚ ଆଦର୍ଶ ସହ ଜୀଇଁବାକୁ ଚାହେଁ l ଦରକାର ନାହିଁ ତୁମେ ଦେଇଥିବା ଜାତିର ମୋହର l ଗେଟ୍ ପାର କଲାବେଳକୁ ସେହି ବୃଥା ପରିଚୟଟା ମୁଁ ଏଇଠି ଛାଡ଼ିଦେଇ ଯାଇଥିବି ବାପା l"


   ଧାରା ଚାଲିଯାଇଥିଲା ଶ୍ରବଣ ପାଖକୁ l ସେମାନେ ଆରମ୍ଭ କରିବାକୁ ଯାଉଥିଲେ ନୂଆଏକ ପୃଥିବୀ l ଜାତିହୀନ, ଧର୍ମହୀନ, ଶ୍ରେଣୀହୀନ ଓ ସମତାରେ ପରିପୁଷ୍ଟ ସୁନ୍ଦର ଏକ ପୃଥିବୀ l ତାଙ୍କ ଦୁନିଆଁର ସୌନ୍ଦର୍ଯ୍ୟ ଓ ସୌହାର୍ଦ୍ଦ୍ୟ ରେ ଆକୃଷ୍ଟ ହୋଇ ଧୀରେ ଧୀରେ ଆହୁରି ଅନେକ ଧାରା ଓ ଶ୍ରବଣମାନେ ଯୋଗଦେଉଥିଲେ l 


   ନୂଆଦୁନିଆଁରୁ ନୂଆ ଏକ ଗୀତିର ସୁମଧୁର ଝଙ୍କାର ଦୂରକୁ ଖୁବ ସୁନ୍ଦର ଶୁଭାଯାଉଥିଲା l ସେହି ଅନେକ ଗୁଡିଏ ମିଳିତ ସ୍ୱର କ୍ରମେ ଦୃଢ଼ୀଭୂତ ହୋଇ ପରିବର୍ତ୍ତନର ସ୍ୱର ରୂପେ ପ୍ରକାଶ ପାଇଲା l


           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance