ପ୍ରେରଣା
ପ୍ରେରଣା


ଝରକା ସେପଟେ କଣ ଦେଖୁଥିଲେ ସୁକାନ୍ତି, କିନ୍ତୁ ଆଖିରୁ ଲୁହ ଧାର ଧାର, ତାଙ୍କୁ ହଲେଇ ଦେଇ ସୁଭଦ୍ରା କହିଲେ କାନ୍ଦୁଛ କାହିଁକି ଭଉଣୀ? ସୁକାନ୍ତିଙ୍କ କୋହ ଭରା କଣ୍ଠରୁ କେବଳ ଦୁଇଟି ଶବ୍ଦ ଝିଅ, ଝିଅ ଟିକେ ଆସନ୍ତା ନାହିଁ ମତେ ଦେଖିବାକୁ? ସୁଭଦ୍ରା ଜାଣନ୍ତି ଏକମାତ୍ର ଝିଅ ସୁକାନ୍ତିଙ୍କର, ହେଲେ ଶାଶୁ ଶ୍ୱଶୁର, ସ୍ୱାମୀଙ୍କ କଥାରେ ଉଠବସ ହେଉଥିବା ଝିଅର କର୍ତ୍ତୃତ୍ୱ କୋଉ ଅଛି ମାଆ କୁ ଦେଖିଯିବାକୁ ! ତଥାପି ସୁକାନ୍ତି ଅବୁଝା ହୁଅନ୍ତି ଧାର ଧାର ଲୁହରେ ଭିଯାନ୍ତି ନିଜ ପଣତ, ଆଉ ଶୁଭ ମନାସନ୍ତି ଝିଅ ଭଲରେ ଥାଉ।
ସୁଭଦ୍ରାଙ୍କୁ ଯେବେ ସୁକାନ୍ତି ପଚାରିବୁଝିଥିଲେ ତୁମେ ସ୍ୱାମୀ ସ୍ତ୍ରୀ ଏହି ବୃଦ୍ଧାଶ୍ରମକୁ କାହିଁ ଆସିଲ, ଉତ୍ତର ଶୁଣି ସୁକାନ୍ତି ଚମକି ପଡ଼ିଥିଲେ। ନିଜେ ସ୍ଵ ଇଛାରେ ଘରଛାଡି ଏଠିକୁ ଆସିବା କଥାଟାକୁ ଠିକ ସେ ଗ୍ରହଣ କରିପାରୁନଥିଲେ ସୁକାନ୍ତି, କିନ୍ତୁ ସୁଭଦ୍ରା ବୁଝେଇଦେଇଥିଲେ ଆମ ପୁଅ ବୋହୁ ବି ବୃଦ୍ଧାବସ୍ଥାର ପ୍ରଥମ ପାହାଚରେ, ଆଉ ଆମ ଦାଇତ୍ୱ ନେବା ସେମାନଙ୍କୁ ଵି କଷ୍ଟସାଧ୍ୟ, ତା ଛଡା ଆଜିକାଲି ଆମ ଦୁଇ ବୁଢା ବୁଢ଼ୀଙ୍କର ସ୍ମରଣ ଶକ୍ତି ହ୍ରାସ ଫଳରେ ନାତି ନାତୁଣୀ ପୁଅ ବୋହୁ ହଇରାଣ ହରକତ, ତ ନିଜେ ନିଷ୍ପତ୍ତି ନେଇ ଏଠିକୁ ଆସିଛୁ ଆମେ।
ଏତିକିରେ ସୁକାନ୍ତି ଯେତିକି ଆଶ୍ଚର୍ଯ୍ୟ ହୋଇନଥିଲେ ସୁଭଦ୍ରାଙ୍କୁ ନେବାକୁ ଆସିଥିବା ପୁଅ ବୋହୁଙ୍କୁ ସିଧା ନାତି ବାହାଘରକୁ ଯିବାକୁ ମନା କରିଦେବା ଆହୁରି ଆଶ୍ଚର୍ଯ୍ୟ କରିଥିଲା ତାଙ୍କୁ।
ସେଦିନ ଯେବେ ସୁକାନ୍ତିଙ୍କ ଝିଅ ପହଂଚି କହୁଥିଲା ସେ ଵି ମାଆ ସୁକାନ୍ତି ସହ ଏଇଠି ରାହିବାକୁ ଚାହେଁ, ତ ସୁକାନ୍ତି ଥରେ ସୁଭଦ୍ରାଙ୍କୁ ଅନେଇ ଝିଅକୁ ବୁଝେଇ ଫେରିଯିବାକୁ କହୁଥିଲେ, ଝିଅର ଲୁହ ଛଳ ଛଳ ଆଖିରେ ଆଖି ମିଶାଇ ସୁକାନ୍ତି ତାକୁ ବୁଝେଇବାକୁ ଚେଷ୍ଟା କରୁଥିଲେ କି ବେସ୍ତ ନହେବା ପାଇଁ, ଘର ଟା ସେ ତା ନାମରେ ଲେଖିଦେଲେ ତାଙ୍କ ଦାଇତ୍ୱ ସରିବ, ତେଣୁ ତାକୁ ବୁଝେଇ କାଗଜ ପତ୍ର ଠିକ କରି ବାକୁ କହୁଥିଲେ ସୁକାନ୍ତି, ଯାହା ଫଳରେ ସ୍ୱାମୀ, ଶାଶୁ, ଶ୍ବଶୁର ତତେ ଆଉ ଅଣହେଳା କରିପାରିବେ ନାହିଁ ମାଆ, ମୋ ଧନ ତୁ ଘରକୁ ଫେରିଯା, ଅଶ୍ରୁଳ ନୟନରେ ଝିଅ ତାଙ୍କର ଯିବା ପରେ ସୁକାନ୍ତିଙ୍କ ମୁଖ ମଣ୍ଡଳରେ ଯେଉଁ ଚମକ ଓ ଆଭା ଉକୁଟି ଉଠୁଥିଲା, ତାକୁ ଦେଖି ସୁଭଦ୍ରା ମୁରୁକି ମୁରୁକି ହସୁଥିଲେ।