Dr Narendra Sethy

Romance Tragedy

4.3  

Dr Narendra Sethy

Romance Tragedy

ପ୍ରେମର ରଙ୍ଗ ନୀଳ

ପ୍ରେମର ରଙ୍ଗ ନୀଳ

6 mins
298


ଅଫିସରୁ ଆସି ଘରେ ପା ନଦେଉଣୁ ଆରମ୍ଭ ହେଇ ଗଲା । ରେଣୁକାଙ୍କ ଏମିତି ଦେବୀ ରୂପ ଦେଖି ଆଶ୍ଚର୍ଯ୍ୟ ହେଲେ ଶନାତନ । ପିଲା ମାନଙ୍କ ମଧ୍ୟରୁ କେହି ଗୋଟେ ଫାଜିଲାମୀ କରିଛି ବୋଧେ । ଆଜି କାଲିର ପିଲା ମାନଙ୍କୁ କିଛି କହି ହବନି । କଲେଜରୁ ଫେରିବା ପରେ କେହି ଘରେ ମୁହୂର୍ତ୍ତଟାଏ ରହୁ ନାହାନ୍ତି । ଯେତେବେଳେ ଦେଖିବ ଫୋନ, ଚାଟ ଆଉ ମେସେଜିଙ୍ଗରେ ବ୍ୟସ୍ତ । କି ଆନନ୍ଦ କେଜାଣି ସେ ମୋବାଇଲରେ । ଘଂଟା ଘଂଟା ଧରି ନିଜକୁ ଇଏ ପିଲା ଗୁଡାକ ସେ ଫୋନ ଭିତରେ ପୁରେଇ ରଖୁଛନ୍ତି । ଏସବୁ ଭାବି ଭାବି ନିଜକୁ ଲଥ କିନା ସୋଫା ଉପରେ ସଳଖୁ ସଳଖୁ ସବୁଦିନ ପରି ଚା କପେ ପାଇଁ ଅରୁଣୀମାଙ୍କୁ ଅପେକ୍ଷା କଲେ ଶନାତନ । ଫୋପାଡିଲା ପରି ଚାହା କପଟାକୁ ରଖି ଦେଇ ପାଖ ଚେୟାରରେ ବସି ପଡିଲେ ରେଣୁକା। ନିଜର ସବୁ ରାଗକୁ ଏକା ସଂଗେ ଅଜାଡ଼ି ଦବାକୁ ଯାଇ କହିଲେ

"ହଇଏ… ଇଏ ବୁଢା ବୟସରେ କି ପ୍ରେମ ଲୀଳା ଚାଲିଛି? ପିଲା ମାନେ ବଡ଼ ହେଲେଣି.... ମୋ କଥା ଛାଡ……..।"

ହଠାତ ଏମିତିକା ପ୍ରଶ୍ନର ସାମ୍ନା କରିବା ପାଇଁ ସେ ପ୍ରସ୍ତୁତ ନଥିଲେ। ପ୍ରେମ…? ଏ କଣ କହୁଛନ୍ତି ରେଣୁକା ? ଶନାତନ ନିଜ କାନକୁ ବିଶ୍ୱାସ କରିପାରୁ ନଥିଲେ। ସେ ବୋଧେ ଥଟା କରୁଛନ୍ତି । ହେଲେ ତାଙ୍କ ହାବଭାବ ଦେଖି ଲାଗୁଥିଲା କଥାରେ କିଛିଟା ସତ୍ୟତା ଅଛି । ହେଲେ ରେଣୁକାକୁ ନେଇ ସଂସାର କରିବା ପରେ ଆଉ କେହି ତ ତାଙ୍କ ଜୀବନରେ ନାହାନ୍ତି । ସେ ଏମିତି କିଛି ଅନୁଭବ କରୁନାହାନ୍ତି । ସବୁ ସ୍ତ୍ରୀ ମାନେ ଭାବନ୍ତି ତାଙ୍କ ସ୍ୱାମୀ ହେଲେ ପେଟେଣ୍ଟ ହେଇଥିବା ଏକ ଅଡୁଆ ବୈଜ୍ଞାନିକ ଫର୍ମୁଲା । ଯାହାର ସୂତ୍ର କେବଳ ସ୍ତ୍ରୀ ପାଖରେ । ଶନାତନ ଢୋକେ ଚାହା ପି ନିରବତାକୁ ଭଙ୍ଗ କରି କଥାଟା କଣ ଖୋଲି କରି କହିବାକୁ ଅରୁଣୀମା ଙ୍କୁ ଇଶାରା କଲେ । ତେବେ କଥା କଥାକେ ଏମିତି ଅଡ଼ି ବସିବା ରେଣୁକାଙ୍କ ଅଭ୍ୟାସ । ତିଳକୁ ତାଳ କରି ଉପସ୍ଥାପନ କରିବାରେ ଓସ୍ତାଦ । ରେଣୁକାଙ୍କୁ ଚାହିଁଲେ ଲାଗୁଥିଲା ଯେମିତି ସେ କୋଉ ଗୁମର ସନ୍ଧାନ କରିଛନ୍ତି । କୋଉ ବହୁ ପୁରୁଣା ସତ୍ୟର ଆବିଷ୍କାର କରିଛନ୍ତି। ଗୀତର ପ୍ରଥମ ଧାଡି ଗାଇବା ପୂର୍ବୁରୁ ନର୍ଭସ ଗାୟକ ପରି ଶନାତନ ଗଳା ସଫା କଲେ । ସକାଳୁ ତଣ୍ଟିକୁ ଚିପି ରଖିଥିବା ଟାଇକୁ ହୁଗୁଳା କରି ନିଜକୁ ସହଜ କରିବା ଆଳରେ ରେଣୁକାଙ୍କ ଆଡକୁ ଚାହିଁଲେ । ରେଣୁକା କିଛି କହିଲେନି । ଉଠିଯାଇ ଟେବୁଲ ଡ୍ରୟାର ଭିତରୁ ଏକ ନୀଳ ଲଫାଫା ବାହାର କରି ବଢ଼େଇ ଦେଲେ । ବାଘ ହାବୁଡ଼ରେ ପଡ଼ି ଏକ କାକୁସ୍ତ ଭୟଭୀତ ମଣିଷ ପରି ଶନାତନ ଡରିଗଲେ । ତାଙ୍କ ଦେହରୁ ଗୋଟେ ଝାଳ ବୋହିଗଲା । ନେଳିଆ ରଙ୍ଗଟାକୁ ଖୁବ୍ ଘୃଣା କରନ୍ତି ସେ । ପୃଥିବୀର ସବୁ ନେଳିଆ ଜିନିଷକୁ ଏକାଠି କରି ନିଆଁ ଲଗେଇ ଦବାକୁ ଇଛା ହୁଏ । ମେଘ ମୁକ୍ତ ନେଳିଆ ଆକାଶକୁ ସେ ଚାଁହି ପାରନ୍ତିନି । ସବୁ ବେଳେ କଳା ଚଷମା ପିନ୍ଧି ଆକାଶର ନୀଳ ରଙ୍ଗକୁ ଧୋକା ଦିଅନ୍ତି । ୟା ଭିତରେ ନିଜର ରାଗର ପ୍ରଦର୍ଶନ ସ୍ୱରୂପ ରେଣୁକା କେତେବେଳୁ ଉଠି କୋଉ କାମରେ ନିଜକୁ ବ୍ୟସ୍ତ ରଖିଛନ୍ତି । ଯଦିବା ଲଫାଫାକୁ ପଢିବା ତାଙ୍କର ଇଛା ନଥିଲା ରେଣୁକାଙ୍କ ସନ୍ଦେହ ଦୂର କରିବା ପାଇଁ ଟେବୁଲ ଉପରୁ ଲଫାଫାଟାକୁ ଉଠେଇଲେ । ରେଣୁକା କିନ୍ତୁ ଛାଡିବାର ଲୋକ ନୁହନ୍ତି । ସେ ବହୁତ ଆଗରୁ ଖୋଲି ପଢି ସାରିଛନ୍ତି । ଯାହା ପାଇଁ ତାଙ୍କର ଏ ଉଗ୍ର ରୂପ। ପୂର୍ବରୁ ଖୋଲା ଥିବା ଲଫାଫା ଭିତରୁ ଚିଠିକୁ ବାହାର କଲେ ଶନାତନ । ଅକ୍ଷର ଗୁଡାକ ଖୁବ ଜଣାଶୁଣା ପରିଚିତ ଲାଗୁଥିଲା । ଶନାତନ ପଢିବାକୁ ଆରମ୍ଭ କଲେ

“ସନାଭାଇ!

କେମିତି ଅଛ? ଅରୁ ଲେଖୁଛି । ଅରୁଣୀମା । ଶୁଣିଛି ତମେ କୁଆଡେ ବଡ଼ ବାବୁ ହେଇଛ । ହଁ ହେଇଥିବ । ସେଦିନ ତମକୁ ଟିଭିରେ ଦେଖି ମୋ ପୁଅ ଡାକ ପକେଇଲା ଦେଖିବାକୁ । ତମେ ଆଉ ଆଗ ଭଳି ଦିଶୁନ । ତମ ଚଷମା ଟା ତ ବିଲକୁଲ ତମକୁ ମାନୁ ନଥିଲା । ହେଲେ ତମ ଆଖି ପତା ଉପରେ ଥିବା କଳା ଦାଗ ଏଯାଏଁ ସେମିତି ଅଛି । ତମେ କଳା କୋଟ ପିନ୍ଧି ନିଜ ସଚୋଟତା ପାଇଁ ପୁରସ୍କାର ନବା ବେଳେ ଠିକ ଆଗ ଭଳି ଭଲ ଲାଗୁଥିଲ। ବାରମ୍ବାର ମୁଣ୍ଡ ବାଳକୁ ସଜାଡ଼ିବା ଅଭ୍ୟାସ ତମର ଏବେ ବି ଅଛି । ଏତେଦିନ ପରେ ତମକୁ ଟିଭିରେ ଦେଖି ମୁଁ ମନେ ମନେ ଖୁସିରେ ନାଚି ଉଠିଥିଲି । ତମେ ଭାବୁଥିବ ମୋ ପିଲା ମାନେ ତମ ବିଷୟରେ କେମିତି ଜାଣିଲେ । ସେସବୁ ଛାଡ଼ । ଏଇ କିଛିଦିନ ତଳେ ମୋ ସ୍ୱାମୀ ଚାଲିଗଲେ । ଅତ୍ୟଧିକ ମଦ୍ୟପାନ ତାଙ୍କ ଜୀବନ ନେଲା । ଘରେ ବଢ଼ିଲା ଝିଅ । କଲେଜ ସାରି ଚାକିରୀ ଖୋଜୁଥିବା ଭେଣ୍ଡିଆ ପୁଅ । ତମ ଅଫିସରେ ପୁଅର ଇଣ୍ଟର୍ଭୟୁ ଅଛି । କହିଲା ଅଙ୍କଲ ଚାହିଁଲେ ସବୁ କରି ପାରିବେ । ତାକୁ ପଠେଇବି । ତମକୁ ଦେଖା କରିବ । ତେଣୁ ଭାବିଲି ଚିଠି ଲେଖିବି । ଘରର ଆର୍ଥିକ ଅବସ୍ଥା ଭଲ ନାଈଁ । ଇତି । ଅରୁ।”

ନିଜ ଅଜାଣତରେ ଗୋଟାଏ ଝାଳ ବାହାରି ଯାଇଥିଲା । ଶନାତନ ଦୀର୍ଘଶ୍ଵାସ ନେଲେ । ପଚିଶ ବର୍ଷ ପରେ ନୀଳ ଲଫାଫା ରେ ଅରୁଣୀମା ଚିଠି । ଦିନଥିଲା ନୀଳ ଲଫାଫା ତାଙ୍କର ଖୁବ୍ ପ୍ରିୟ ଥିଲା । ସେ ଅରୁ ର ଚିଠି ପଢି ହତବାକ ହଉଥିଲେ । ହଠାତ ମୁହାଁଣ ମୁହଁରେ ପଡିଯାଇ ଥିବା ନାଵ ବାହି ଧୀବର ଭଳି ହଡ଼ ବଡେଇଲେ । ଅରୁଣୀମା ରଥ । ଏକ ତନୁ ପାତେଳି ଶୁଆ ନାକି ଗୋରି ଝିଅଟିଏ । କଥା କଥାକେ ରାଗି ରୁଷି ଯାଏ । କଇଁ କଇଁ ହେଇ କାନ୍ଦେ । ବାଲି ସାହି ର ଏକମାତ୍ର ପଢୁଆ ପୁଅ ଶନାତନ । ଖଣ୍ଡେ ଦୂରରେ ଥିବା ନୀଳକଣ୍ଠ ପୁର ଗାଁ ହାଇ ସ୍କୁଲରେ ପଢ଼ୁଥିବା ବେଳେ ତାଙ୍କ ତଳ କ୍ଲାସରେ ପଢେ ଅରୁ । ଜଟିଳ ପାହାଡିଆ ଅଙ୍କ ଖଣ୍ଡେ ଖଣ୍ଡେ ପଚାରିବାକୁ ସେ ଆସୁଥିଲା ଶନାତନଙ୍କ ପାଖକୁ । ଅଙ୍କର ସମାଧାନ ଯେ ଭଲପାଇବା ରେ ପରିଣତ ହେବ ସେକଥା ସେ ଭାବି ନଥିଲେ । ଯୋଉଦିନ ଅଙ୍କ ବହି ଭିତରେ ନିଳ ଲଫାଫା କୁ ଆବିଷ୍କାର କଲେ ସେଦିନ ତାଙ୍କୁ ଲାଗିଲା ଯେମିତି ପୃଥିବୀର ସବୁ ନିଳ ଜିନିଷ ରେ ତାଙ୍କର ଏକ ଚାଟିଆ ଅଧିକାର। ଦିନେ ଖେଳ ଛୁଟିରେ ଅଙ୍କ ବହି ଭିତରେ ନିଳ ଲଫାଫା ପୁରେଇ ଦେଇଥିଲା ଅରୁ। କହିଲା " ସନାଭାଇ ତମ ପାଇଁ ଗୋଟେ ଜିନିଷ ଆଣିଛି । ରାଗିବନି ତ?" ଅରୁଣୀମାର ଗାଲରେ ବାରମ୍ବାର ତିଆରି ହେଇ ଲିଭି ଯାଉଥିବା ଛୋଟ ଖାଲ ଦୁଇଟିକୁ ଦେଖି ଶନାତନ କେତେ କଣ ଭାବି ଯାଆନ୍ତି ।

"ଆରେ ମୁଁ ପରା କଣ ପଚାରୁଛି"

ଅରୁଣୀମା ର କୋମଳ ଆଘାତରେ ଚମକି ପଡିଲେ ଶନାତନ । କହିଲେ

"ଆଛା..! କଣ ଆଣିଛୁ ଦେଖା"

 ନା ଏଠି ନୁହେଁ...ଘରେ ଗଲେ ଖୋଲି ଦେଖିବ"

ଏତିକି କହିଦେଇ ଅରୁ ପଳେଇଲା । ଶନାତନ ଘରକୁ ଫେରି ବହି ଖୋଲି ଆବିଷ୍କାର କଲେ ନୀଳ ଲଫାଫା । ସେଇଦିନୁ ସବୁ ସଂଜ ବେଳେ ଅରୁ ସହ ଦେଖା ହୁଏ । ଦୁହେଁ ନଈ ଅତଡା ଉପରେ ବସି କଳା ଭଅଁର ପାଣିର ଗଭୀରତା କୁ ମାପନ୍ତି । ଜହ୍ନ ଆଲୁଅରେ ଆକାଶର ଛାଇ ଦେଖନ୍ତି । 

ସ୍କୁଲ ସାରି ଶନାତନ ସହର ଆସିଲେ । ପରିବାରର ଗରିବୀ ଓ ଭାଇ ମାନଙ୍କ ଅଯୋଗ୍ୟ ପଣିଆ ତା ପାଠ ରେ ଡୋରି ବାନ୍ଧିଲା । ଗାଁ ଛାଡିବା ଦିନ ଶେଷଥର ସେ ଅରୁ କୁ ସେଇ ବରଗଛ ମୂଳେ ଦେଖା କରି ଆସିଥିଲେ । ଝାଂଜି ଖରାରେ ଝାଉଁଳି ପଡିଥିବା ଅମରି ଲତା ପରି ଅରୁର ଚେହେରାଟା ଏଯାଏ ଭୁଲି ନାହାନ୍ତି ଶନାତନ । କଲେଜ ଛୁଟିରେ ଗାଆଁକୁ ଆସି ଶନାତନ ଅରୁଣୀମାକୁ ଖୋଜିଲେ । ନଈକୂଳ , ବରଗଛଠୁ ଆରମ୍ଭ କରି ଦୂର ଜଙ୍ଗଲ, ଜହ୍ନ ଆକାଶ ଯେମିତି ତାଙ୍କୁ ଦେଖି ଠୋ ଠୋ ହସୁଥିଲେ । ଅରୁଣୀମା ର ବାପା ତାକୁ ଏକ ମଦ୍ୟପ ସ୍କୁଲ ମାଷ୍ଟର ବେକରେ ତାକୁ ଛନ୍ଦି ଦେଇ ଥିଲେ । ଶନାତନ ଶୁଣିଲେ ଅରୁ କୁଆଡେ ବାହା ହବନି ବୋଲି ଜିଦି କରିଥିଲା । ତା କଥା କେହି ଶୁଣିଲେନି । ସେଇଦିନୁ ନୀଳ ଲଫାଫା, ନୀଳ ଆକାଶ ଓ ସମୁଦ୍ରର ନେଳିଆ ପାଣିକୁ ଦେଖିଲେ ତାଙ୍କର ଛନକା ପଶିଯାଏ । ଶନାତନ କୋକୁଆ ଭୟରେ ଡରି ଯାଆନ୍ତି । ପଚିଶି ବର୍ଷ ପରେ ଅରୁ ତାଙ୍କୁ ପୁଣି ହରଡ଼ ଘଣା ରେ ପକେଇ ଦେଲା। ପୁରୁଣା ଘାର ଯନ୍ତ୍ରଣା ଯେମିତି ପୁଣି କିଏ ଓଖାରି ଦେଲା । ପ୍ରଶାସନିକ ସେବାର ଉଚ୍ଚ ପଦଵୀରେ ରହି କାହା ଆଗରେ ମୁଣ୍ଡ ନୁଆଁଇ ନାହାନ୍ତି । ନିଜର ସଚୋଟତା ପାଇଁ ପୁରସ୍କୃତ ଶନାତନ ଏକ ଅପରାଧୀ ପାଲଟି ଗଲେ। ଅରୁ ପୁଣି ତାଙ୍କୁ ବୋକା ବନେଇ ଦେଇଛି । ସେଇ ନିଳ ଲଫାଫା ଦେଇ ।

ହଠାତ ଦୂମ ଦୁମ ହେଇ ମାଡି ଆସିଲେ ରେଣୁକା । ପ୍ରକୃତିସ୍ତ ହେଲେ ଶନାତନ।

"ପ୍ୟାଣ୍ଟ ସାର୍ଟ ବଦଳେଇବ ନା ଏଇଠି ବସି ପୁରୁଣା ପ୍ରେମକୁ ମନେ ପକଉଥିବ?" ରେଣୁକା ଚିଲେଇଲେ।

"ଧୀରେ..ପିଲାମାନେ ଶୁଣିବେ....। ଶନାତନ ରେଣୁକା ଙ୍କୁ ଇଶାରା କଲେ ।

ଠୋ ଠୋ ହେଇ ହସି ଉଠିଲେ ରେଣୁକା । ହଠାତ ଉଗ୍ର ଦେବୀ ରୂପରୁ ରେଣୁକାଙ୍କ ପରିବର୍ତନ ଦେଖି ଏକ ଉଷୁ ଉସିଆ ଦୀର୍ଘ ନିଶ୍ଵାସ ନେଲେ ଶନାତନ ।

"କିଏ ସେ ଅରୁଣୀମା?" ରେଣୁକା ତଦନ୍ତ ଆରମ୍ଭ କଲେ ।

“ଆରେ ନା ସେ ମୋ ପିଲା ଦିନ ସାଙ୍ଗ” ଏପଟ ସେପଟ କରି ଉତ୍ତର ଦେଲେ ଶନାତନ ।

"ବିଚାରି ଭାରି ନେହୁରା କରିଛି । ତା ପୁଅ କଥା ଟିକେ ବୁଝିବ" ଅରୁ ପାଇଁ ରେଣୁକାଙ୍କ ଓକିଲାତି ଦେଖି ସେ କଣ କରିବେ ବୁଝି ପାରିଲେନି । ସେ ତାଙ୍କ ଅଫିସର ଅକାଉଣ୍ଟାଣ୍ଟ ପାଇଁ ହେଉଥିବା ସାକ୍ଷାତକାର କମିଟିର ଚେୟାରମ୍ୟାନ । ଜୀବନ ସାରା ସଚୋଟତା ପାଇଁ ଅନେକ କଷ୍ଟ ସହିଛନ୍ତି । ପେଡି ପୁଟୁଳା ବାନ୍ଧି ବାରମ୍ବାର ବଦଳି ହେଇଛନ୍ତି । ଧମକ ପାଇଛନ୍ତି । କିନ୍ତୁ ନିଜ କର୍ତବ୍ୟରେ ହେଳା କରି ନାହାନ୍ତି । ସାକ୍ଷାତକାର ପାଇଁ ପନ୍ଦର ଦିନ ସମୟ ଅଛି । ଶନାତନ ଅନିଶ୍ଚିତତା ଭିତରେ ଘାଣ୍ଟି ହେଉଥାନ୍ତି । ଅରୁର ଝାଉଁଳା ମୁହଁ ତାଙ୍କ ଆଗରେ ଭାସି ଯାଉଥିଲା। ତାଙ୍କର କୋଉଥିରେ ମନ ଲାଗୁନଥାଏ । ସବୁଦିନ ପରି ଅଫିସରୁ ଫେରି ସୋଫା ଉପରେ ନିଜକୁ ଅଜାଡି ଦେଲେ ଶନାତନ । ଚମକି ପଡିଲେ । ଟେବୁଲ ଉପରେ ପୁଣି ଗୋଟେ ନିଳ ଲଫାଫା । ଏଥର ନିଳ ଲଫାଫକୁ ରେଣୁକା ଖୋଲି ନାହାନ୍ତି କି ପଢ଼ି ନାହାନ୍ତି । ଧଡ଼ ପଡ଼ କରି ଚିଠିକୁ ଖୋଲିଲେ ।

 “ସନା ଭାଇ!

ଗୋଟେ କାମ ପାଇଁ ଗଲା ସପ୍ତାହ ରେ ଅନୁରୋଧ କରିଥିଲି । ସେ କାମ କରିଥିଲେ ତମେ ତମ ସଚୋଟ ପଣିଆ ଆଗରେ ହାରି ଯାଇଥାନ୍ତ । ମୋର ତମଠୁ କିଛି ଦରକାର ନାଈଁ। କାଲି ସଡକ ଦୁର୍ଘଟଣା ରେ ମୋ ପୁଅ........ମୁଁ ବେସାହାରା ହେଇ ଗଲି ।"

ହଠାତ ଗଛ କାଟିବା ପରି ଓଲଟି ପଡିଲେ ଶନାତନ । ଭିତରୁ ରେଣୁକା, ଓ ପିଲା ମାନେ ଦୌଡ଼ି ଆସିଲେ । ବୁନ୍ଦାଏ ପାଣି ଛିଞ୍ଚି ହୋସ ଆସିଲା ପରେ ଶନାତନ ନିରବ ଥିଲେ । ରେଣୁକା ଖଣ୍ଡେ ଦୂରରେ ପଡିଥିବା ନିଳ ଲଫାଫାକୁ ଉଠେଇ ପଢିଲେ । ଝିଅ କୁ କହିଲେ "ଯା ବାପାଙ୍କ ପାଇଁ କପେ ଚା ଆଣେ"


Rate this content
Log in

Similar oriya story from Romance