ସହରର ଏକ ପାଗଳ
ସହରର ଏକ ପାଗଳ
ବାପା ଝିଅକୁ ନେଇ ସହର ଆସିଲା । କଲେଜରେ ନା ଲେଖେଇବ । ଝିଅ ପାଠ ପଢିବ । ବରମୁଣ୍ଡା ବସ ଷ୍ଟାଣ୍ଡରେ ଓହ୍ଲେଇ ବାପ ଝିଅ ଟାଉନ ବସରେ ବସିଲେ । ସେଠୁ କଲେଜ ଅଧ ଘଣ୍ଟାର ବାଟ । ବସ ଭିତରେ ନାହିଁ ନଥିବା ଭିଡ଼ । ଝିଅକୁ ପାଖ ସିଟରେ ବସେଇ ପାଖରେ ବସିଲା ବାପ । ସିଟ ନପାଇ ପାଖରେ ଠିଆ ହେଇଥିବା କେତେଜଣ ଭେଣ୍ଡା ଟୋକା ଝିଅକୁ ଅନେଇଲେ । ଆଖି ମାଇଲେ । କିଛି ନଜାଣିଲା ପରି ଝିଅ ମୁଣ୍ଡ ତଳକୁ କଲା । ବାପ ନିରୁପାୟ ହେଇ ଅନେଇଲା । କଣ କରିବ କିଛି ବାଟ ଦେଖା ଗଲାନି । ଠିଆ ହେଇଥିବା ଭେଣ୍ଡିଆ ଟୋକା ଯାହାର ବାଁ ପଟ କାନରେ ସୁନା ଫୁଲ ଥିଲା କିଛି ଗୋଟେ ବାହାନା ରେ ନଇଁ ପଡି ଝିଅର ଛାତିରେ ହାତ ବଜେଇ ଦେଲା । ବାପ ଆଉ ସହି ପାରିଲାନି । ଫଡ଼ି କଛା ମାରି ଚଉରସ କରି ବିଧାଏ ଦେଲା ସେ ଭେଣ୍ଡିଆକୁ ।
ବସ ଅଟକି ଗଲା । କଣ୍ଡକ୍ଟର ବାପଝୁଅ ଓ ସେ ଭେଣ୍ଡିଆ ଚାରିଟାଙ୍କୁ ଅଧ ବାଟରେ ଓହ୍ଲେଇ ଦେଇ ଆଗକୁ ବଢିଗଲା । ଚାରିଜଣ ଯାକ ଟୋକା ବାପ ଉପରେ ଆକ୍ରମଣ କରିବାକୁ ଉଦ୍ୟତ ହେଲେ । ଝିଅ ବ୍ୟସ୍ତ ବିବ୍ରତ ହେଇ ଡାକ ପକେଇଲା । କେହି ଆସିଲେନି । ସେ କହିଲା ଆସ ବାବୁମାନେ ମୋତେ ମାର ପଛେ ମୋ ବାପଙ୍କୁ ଛାଡିଦିଅ । ବାପ ବଞ୍ଚିଗଲା । ପରଦିନ ସକାଳେ ଏକ ଅଜଣା ଯୁବତୀର ଶବକୁ ପୋଲିସ ରାସ୍ତା କଡ଼ରୁ ଉଧାର କଲା । ଏଇ କିଛି ଦିନ ହେବ ବରମୁଣ୍ଡା ବସଷ୍ଟାଣ୍ଡରେ ଏକ ପାଗଳ ସବୁ ଟାଉନ ବସକୁ ନିରେଖି ଅନଉଥିଲା। ହସି ହସି ସମସ୍ତଙ୍କୁ ପଚାରୁଥିଲା "କିଏ ମୋ ଝିଅକୁ ଦେଖିଚ କି ?" ସମସ୍ତେ କହୁଥିଲେ "ଏ ପାଗଳ …ଯା... ସିଆଡେ ...ଯା..!'