କାଲୁଆ ଗପ
କାଲୁଆ ଗପ
ଲିପିକା ବେଳେ ବେଳେ ମୋ ଉପରେ ବିରକ୍ତ ହୁଏ । କହେ ତୁମେ ଖାଲି ଗରିବ, ନିଷ୍ପେସିତ, ଖଟିଖିଆ ଓ ମଳି ମୁଣ୍ଡିଆଙ୍କୁ ନେଇ କାଇଁ କବିତା ଲେଖ ?
'ତୁମେ ବୋଧହୁଏ ମୋ କବିତା ବୁଝି ପାରୁନ ..!' ମୁଁ କହେ ।
'ନା..ବୁଝି ପାରେ...!" ସେ ଧଡ଼ କିନା ଉତ୍ତର ଦିଏ ।
"ତାହାଲେ ତୁମେ କବିତାର ମର୍ମ ବୁଝି ପାରିନଥିବ' ମୁଁ ପୁଣି ଜ୍ଞାନ ବାଣ୍ଟିବାକୁ ଚେଷ୍ଟା କରେ ।
'ତୁମେ ପ୍ରେମ ଉପରେ ଲେଖୁନ...ଧର୍ମ ଓ ନିର୍ବାଚନ ଉପରେ କାଇଁ ଲେଖୁନ ?' ଲିପିକା ଏଥର ଦାର୍ଶନିକଙ୍କ ସମ୍ପର୍କୀୟ ପରି ପଚାରି ବସେ ।
"ନା....ସେ ପ୍ରେମ ଫ୍ରେମକୁ ନେଇ ମୁଁ ଲେଖି ପାରେନା ..ମୋ ଦ୍ୱାରା ସେସବୁ ହେବନି ।' ମୁଁ କଥାର ପୂର୍ଣ୍ଣଛେଦ ଦେବାକୁ ଚେଷ୍ଟା କରେ ।
'ତୁମେ ବଡ଼ ଚାଲାକ ଲୋକ ..! ବଡ଼ ଅବସରବାଦୀ ' ସେ ମୋ ଉପରେ ଆରୋପ ଲଗାଏ ।
"ହଁ ପ୍ରେମର ଅବସରକୁ ବି ଛାଡି ପାରୁନି...' ଲିପିକା କାନ ପାଖରେ ଥୋମଣି ଲଗେଇ ଫିସ ଫିସ କରି ମୁଁ କହେ । ମୋ କଥାର ଜାଲ ଭିତରେ ଲିପିକା ଛନ୍ଦି ହେଇଯାଏ । ସବୁତକ ପ୍ରତିକ୍ରିୟା ଭଉଁରୀ ଖେଳେ ତା ଗାଲରେ ।
ମୁଁ ପୁଣି କହେ 'ଏ ଟିକି ଟିକି କଥାରେ ମୁହଁ ବେଳୁନ ଭଳି ଫୁଲେଇ ଦେଉଛ ଯେ ? କେତେ ସମୟ ନଷ୍ଟ ହେଉଛି ସେ ବେଳୁନ ସବୁକୁ ଫୁସେରେଇ ବାକୁ । କିଛି କହୁନ କାହିଁକି ?'
ସେଦିନ ମୁଁ ଧୀରେ କିନା ଲିପିକାର ହାତ ପାପୁଲିକୁ ମୋ ହାତ ଭିତରେ ଜାଗା ଦେଲି । ତା ହାତ ଉଷୁମ ଥିଲା । ମୁଁ କହିଲି 'ଲିପିକା ତୁମ ହାତର ଉଷ୍ମତା କହୁଛି ତୁମେ ବନ୍ଧ କେବେ ଭାଙ୍ଗିବନି । ଅତୁଟ ରଖିବ ସବୁଦିନ ପାଇଁ ।'
ଲିପିକା ମୋ ଆଡ଼କୁ ଅନେଇଲା 'ଭଲକି ଦେଖ..ସେ ହାତରେ କୋଉଠି ବି ଟିକେ କାଲୁଆ ପଣ ଥିବ ..' ଅନେକ ଅର୍ଥ ପୂର୍ଣ୍ଣ ବାକ୍ୟକୁ ଅତି ସହଜରେ କହିଦେଲା ।