ପ୍ରେମର ପ୍ରଥମ ପୁଲକ
ପ୍ରେମର ପ୍ରଥମ ପୁଲକ
ସମୟ ସକାଳ ନଅଟା । ଆକାଶରେ ମେଘଖଣ୍ଡମାନ ଭାସି ବୁଲୁ ଥାଆନ୍ତି । ରାନୀ ତର ହୋଇ ବାହାରିଲା ଅଫିସକୁ । ବାଟରେ ଦେଖାହେଲେ ନିଜ ସହକର୍ମୀ ମନୋଜବାବୁ । ମନୋଜବାବୁ କହିଲେ ,“ବସନ୍ତୁ! ଅଟୋ ଆସିବାରେ ଡେରି ହୋଇପାରେ।"ମନୋଜବାବୁଙ୍କ କଥାରେ ହଁ ଭରି ରାନୀ ତାଙ୍କ ମୋଟର ସାଇକେଲର ପଛରେ ବସିପଡିଲା ।ଦୁହେଁ କଥାବାର୍ତ୍ତା ହୋଇ ଆଗକୁ ଚାଲିଲେ ।
ରାସ୍ତାର ଦୁଇ ପାର୍ଶ୍ବରେ ଗଗନଶ୍ଚୂମ୍ଭୀ ସବୁଜବୃକ୍ଷ ଖିଲିଖିଲି ହସୁଥାନ୍ତି। ପାହାଡର ଚୂଡାଛୂଇଁ ମେଘଖଣ୍ଡମାନ ଧାଉଁଥାଆନ୍ତି । ହଠାତ୍ ମାଡିଆଡିଲା କଳାହାଣ୍ଡିଆ ମେଘ।
ବର୍ଷାର ପ୍ରକୋପ ବଢନ୍ତେ ମନୋଜବାବୁ ବାଇକ୍ ରୋକିଦେଲେ।ନିଜର ଛତାଟି ବ୍ୟାଗରୁ ବାହାର କରି ଖୋଲିଦେଲେ । ରାନୀକୁ କହିଲେ ଆସନ୍ତୁ ଛତା ତଳକୁ । ରାନୀର ମୁହଁରେ ସଂକୋଚଭାବ ଦେଖି ମନୋଜ କହିଲେ, "ଆରେ! ସଂକୋଚ କଣ?ଆସ।
ରାନୀ ବି ଆଉ କିଛି ନକହି ମନୋଜବାବୁଙ୍କ ସହ ଗୋଟିଏ ଛତାତଳେ ଠିଆ ହେଲା ।ବର୍ଷାର ପ୍ରକୋପ ବି ବଢିବାରେ ଲାଗିଲା ।ହଠାତ୍ ଆଖି ଝଲସାଇ ଦେଇ ବିଜୁଳି ସହିତ ଖୁବ୍ ଜୋରରେ ଘଡଘଡି ଶବ୍ଦ ରାନୀକୁ ଚମକାଇ ଦେଲା ।ରାନୀ ଚମକିଯାଇ ଭୟରେ ଖୁବ୍ ଜୋରରେ ମନୋଜବାବୁଙ୍କୁ କୁଣ୍ଢାଇ ଧରିଲା । ମନୋଜ ବାବୁ ବି ରାନୀକୁ ନିଜ ବାହୁ ଦ୍ବୟରେ ଆବଦ୍ଧ କରିନେଲେ ।ପରସ୍ପରର ବାହୁର ବନ୍ଧନରେ ଦୁହେଁ ହଜିଗଲେ କିଛି ସମୟ ପାଇଁ।କାହାରି ମୁହଁରେ ଭାଷା ନାହିଁ ।କିନ୍ତୁ ଦୁହିଁଙ୍କ ହୃଦୟରେ ଖେଳିଗଲା କେଉଁ ଅଜଣା ପୁଲକ । ରାନୀର ମୁହଁରେ
ଟୋପାଏ ବର୍ଷା ଜଳ ହୀରା ପରି ଝଟକୁଥାଏ। ମନୋଜବାବୁ ତହିଁରେ ନିଜର ପ୍ରତିବିମ୍ବ ଦେଖି କହିଲେ,“ରାନୀ! ତୁମ ଚିବୁକରେ ମୁଁ ଦେଖାଯାଉଛି।”
ରାନୀ ତତ୍ କ୍ଷଣାତ୍ କହିଲା ,ମୁଁ ବି ତୁମକୁ ମୋ ମନ ପ୍ରାଣ ହୃଦୟ ସବୁଠି ବିରାଜମାନ କରିବା ଉପଲବ୍ଧ କରୁଛି ।”ଏହାକହି ମନୋଜବାବୁଙ୍କୁ ନିଜ ଛାତିରେ ଜଡାଇ ଦୁଇ ହାତରେ ଆଲିଙ୍ଗନ କରି ତାଙ୍କ ଓଠରେ ଦେଇଦେଲା ଚୁମ୍ବନଟିଏ ।
ମନୋଜବାବୁ ବି ରାନୀର ଗୋଲାପୀ ଓଠକୁ ଚୁମ୍ବନ ଦେବାରେ ଲାଗିଲେ । ବର୍ଷା ବିଧୌତ ନିର୍ଜନ ଜଙ୍ଗଲି ରାସ୍ତା !ପୁରାପୁରି ଶୂନ୍ ଶାନ୍ ।କୌଣସି ଲୋକର ଲେଶମାତ୍ର ନାହିଁ । ସେହି ନିର୍ଜନ ପରିବେଶରେ ରାନୀ ନିଜକୁ ହଜାଇ ଦେଲା ମନୋଜବାବୁଙ୍କ ପ୍ରେମର ଲହରୀରେ । ତା ଦେହରେ ପ୍ରବାହିତ ହେଲା ପ୍ରୀତିର ଫଲଗୁ ଧାରା ।ଖେଳିଗଲା ପ୍ରେମର ପ୍ରଥମ ତରଙ୍ଗ ।କେଉଁ ଏକ ଅଜଣା ପୁଲକ।
ପ୍ରଥମ ଥରପାଇଁ ସେ ଅନୁଭବ କଲା। ଏହା ଥିଲା ତା'ପାଇଁ ପ୍ରେମର ପ୍ରଥମ ପୁଲକ । ଏହାପରେ ବର୍ଷା ଛାଡିଗଲା ,ମନୋଜବାବୁ ବାଇକ୍ ଷ୍ଟାର୍ଟ କଲେ।
ଦୁହେଁ ଅଫିସ ଅଭିମୁଖେ ଯାତ୍ରା କଲେ କିନ୍ତୁ ରାନୀ ମନରେ ବହିଚାଲିଲା ପ୍ରେମର ଅବାରିତ ବର୍ଷାଧାରା ।
ଯାହା ପ୍ରେମର ବନ୍ୟା ସୃଷ୍ଟିକରି ମନୋଜବାବୁଙ୍କୁ କାଗଜ ଡଙ୍ଗାଟେ ପରି ଭସାଇ ନେଲା ।ସେ ବାରବାର ଅନୁଭବ କଲା ପ୍ରେମର ସେ ପ୍ରଥମ ପୁଲକକୁ ।ଯାହା ଥିଲା ତାପାଇଁ ଅଭୁଲା, ଅପାଶୋରା।

