STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ଶିଶୁର ହୃଦୟକୁ ଛୁଇଁବା

ଶିଶୁର ହୃଦୟକୁ ଛୁଇଁବା

5 mins
288

ଗାଆଁ ମୁଣ୍ଡରେ ଏକ ନୂଆଁଣିଆ ଚାଳଘର ।ଘରଟିରେ ଏକ ଛୋଟ ଜଳଖିଆ ଦୋକାନ ଚାଲେ । ଦୋକାନର ମାଲିକ ମଙ୍ଗୁଭାଇ । କେବଳ ଜଳଖିଆ ବିକିଲେ ଆଖିଦୃଶିଆ ଲାଭ 

ହୁଏ ନାହିଁ ।ଛୋଟ ଗାଆଁଟା।କେତେ ବା ବେପାର ହେବ !ତେଣୁ ମଙ୍ଗୁଭାଇ ଜଳଖିଆ ସାଙ୍ଗକୁ ପାନ,ବିଡି,ସିଗାରେଟ୍,ଗୁଟୁକା,ଖଇନି ଠାରୁ ଆରମ୍ଭ କରି କଲମ କାଗଜ ପର୍ଯ୍ୟନ୍ତ ରଖିଥାଆନ୍ତି ।ଗୋଟିଏ ନହେଲେ ଅନ୍ୟ ଦ୍ରବ୍ୟ ବିକି ଦିନକୁ ପାଞ୍ଚ ଛଅ ଶହରୁ ହଜାରେ ଭାରତୀୟ ମୁଦ୍ରା ଲାଭ ହୁଏ ।  

  ଦୋକାନ ସାମନା ଦେଇ ଲମ୍ବିଯାଇଛି ସଂକୀର୍ଣ୍ଣ

ଗ୍ରାମ୍ୟ ରାସ୍ତାଟିଏ ।ଆଗରୁ ରାସ୍ତାଟି ମାଟି ଗୋଡିର ରାସ୍ତା ଥିଲା । ସେହି ଗାଆଁର ପୁଅ ପିଙ୍ଗୁଭାଇ ସରପଞ୍ଚ ନିର୍ବାଚନରେ ଜିଣି ସରପଞ୍ଚ ହୋଇଥିବାରୁ ସେ ନାଲିମୁୁଣ୍ଡିଆ ରାସ୍ତା କଂକ୍ରୀଟ ରାସ୍ତାର ରୂପ ନେଇଛି ।

   ରାସ୍ତା ଆରପଟେ ଗାଆଁ ବିଦ୍ୟାଳୟ ।ଦିନବେଳା ପିଲାମାନଙ୍କ କୋଳାହଳରେ ବିଦ୍ୟାଳୟଟି ଜୀବନ୍ତ ହୋଇଉଠେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେଲେ ଶ୍ରୀଯୁକ୍ତ ତ୍ରିଲୋଚନ ମହାନ୍ତି ।ଜଣେ ଜ୍ଞାନୀ ଗୁଣୀ ଅମାୟିକ ଭଦ୍ରଲୋକ । ଦୀର୍ଘ ତିରିଶ ବର୍ଷ ଚାକିରୀ କାଳ ମଧ୍ୟରେ ଓଡିଶାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ କରିଛନ୍ତି । ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବରେ ସେ ବେଶ୍ ଜଣାଶୁଣା ।କୋମଳମତୀ ଚପଳଶିଶୁମାନଙ୍କୁ ସେ ଯତ୍ନ ସହକାରେ ଅତି ସନ୍ତର୍ପଣରେ ଅନୁଧ୍ୟାନ କରନ୍ତି ।

ବିଦ୍ୟାଳୟରେ ସେ ଏକ ଦଣ୍ଡମୁକ୍ତ ଆମୋଦ ଦାୟକ, ଆନନ୍ଦ ଦାୟକ ପରିବେଶ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି ।ଛାତ୍ର ଛାତ୍ରୀଗଣ ନିର୍ଭୟରେ ନାଚ ଗୀତ ଖେଳ ମାଧ୍ୟମରେ

ଶିକ୍ଷା ଗ୍ରହଣ କରନ୍ତି । ନା ଅଛି ଛାତ୍ର ଛାତ୍ରୀଙ୍କ ମନରେ ମାଡ ଭୟ ,ନା ଅଛି ଶିକ୍ଷକଙ୍କ ନାଲି ଆଖି । ସେଠାରେ ଶିକ୍ଷକ ହେଲେ ଜଣେ friend ,philosopher and guide(ବନ୍ଧୁ,ଦାର୍ଶନିକ ଓ ମାର୍ଗ ଦର୍ଶକ) ।

ପ୍ରତିଦିନ ସକାଳେ ପ୍ରାର୍ଥନା “ଆ ହେ ଦୟାମୟ ବିଶ୍ବ ବିହାରୀ..... ସତ କହିବାକୁ କିଆଁ ଡରିବି ,ସତ କହି ମଲେ ପଛେ ମରିବି ”ରୁ ଶିଶୁଟି ଉତ୍ତମ ଚରିତ୍ରଯୁକ୍ତ ସତ୍ୟବାଦୀ ଆଦର୍ଶ ନାଗରିକ କରି ଗଢିତୋଳିବାକୁ ଭଗବାନଙ୍କ ନିକଟରେ ବିନତି କରେ ।ଏହାପରେ ଶପଥ ପାଠ,ଅନୁଚିନ୍ତା,ସେଦିନର ଖବର,ଜ୍ଞାନ ବିଜ୍ଞାନ,

ଏକ ଶ୍ରେଣୀଦ୍ବାରା ପ୍ରସ୍ତୁତ କାର୍ଯ୍ୟକ୍ରମ ପରେ ଜାତୀୟ ସଂଗୀତ ଗାନ କରାଯାଏ । ଶିକ୍ଷକମାନେ ଅତି ସ୍ନେହରେ ପାଠ୍ୟଦାନ କରନ୍ତି ।ଶିଶୁମାନଙ୍କ ସର୍ବାଙ୍ଗୀନ ଉନ୍ନତିି ଦିଗରେ କାର୍ଯ୍ୟ କରନ୍ତି ।ବିଦ୍ୟାଳୟର ଛାତ୍ର ଛାତ୍ରୀଗଣ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ପାରଦର୍ଶିତା ପ୍ରତିପାଦନ କରିପାରିଛନ୍ତି।

  ସମୟ ଚାରିଟା । ଟିଙ୍ଗ୍ ଟିଙ୍ଗ୍ ହୋଇ ସ୍କୁଲ ଘଣ୍ଟି ବାଜିଉଠିଲା । ଘରବାହୁଡା ଛାତ୍ର ଛାତ୍ରୀମାନଙ୍କ ଆନନ୍ଦ କୋଳାହଳରେ ଗାଆଁ ଦାଣ୍ଡ ଉଛୂଳି ପଡିଲା ।ପିଲାମାନଙ୍କର ହସ ହସ ମୁହଁ ଦେଖିଲେ ମନ ଆନନ୍ଦରେ ନାତିଉଠେ ।

  ମଙ୍ଗୁଭାଇ ଦୋକାନରେ ଚାଆ ପିଆଳିଙ୍କ ଭିଡ ।ସରପଞ୍ଚ ପିଙ୍ଗୁଭାଇ ଚେଲା ଚାମୁଣ୍ଡାଙ୍କ ସାଙ୍ଗରେ ଚାଆ ପିଉଥାଆନ୍ତି ।

ଜମିଥାଏ ଗପର ଆସର । ସ୍ବଚ୍ଛ ଭାରତ ପାଇଖାନାଠାରୁ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ପର୍ଯ୍ୟନ୍ତ କେତେ କଣ ବିଷୟରେ ଆଲୋଚନା ହେଉଥାଏ । ସ୍କୁଲରୁ ତ୍ରିଲୋଚନ ସାର୍ ବାହାରୁଥାଆନ୍ତି। ସରପଞ୍ଚ ପିଙ୍ଗୁ ଭାଇଙ୍କ ନଜର ପଡିଗଲା ସାର୍ ଙ୍କ ଉପରେ ।

ତତ୍ କ୍ଷଣାତ୍ ବଡ ପାଟିରେ ଡାକି କହିଲେ,“ସାର୍!

ନମସ୍କାର! ଟିକିଏ ଆସନ୍ତୁ ।ଚାଆ ପିଇବା ।”

ପ୍ରଧାନ ସାର୍ ଆସିଲେ ।ମଙ୍ଗୁଭାଇ ଏକ ପ୍ଲାଷ୍ଟିକ୍ ଚୌକିଟେ ବଢାଇ ଦେଇ ବସିବାକୁ ଅନୁରୋଧ କଲେ । ମଙ୍ଗୁଭାଇ ଚା କପ୍ ସାର୍ ଙ୍କ ହାତକୁ ବଢାଇ ଦେଲେ । ପିଙ୍ଗୁଭାଇ ସାର୍ ଙ୍କ ଭଲମନ୍ଦ ପଚାରି ବୁଝିଲେ । ଏହି ସମୟରେ ମଙ୍ଗୁଭାଇ କହିଲେ ,“ସାର୍ !ମୋ ପୁଅଟି ମୋଟେ ପାଠ ପଢୁ ନାହିଁ ।

କାହାରିକୁ ତରୁ ନାହିଁ । ମୁଁ ଯେତେ ବେଳେ କହୁଛି ,ରହ ତୋ ସାର୍ ଙ୍କୁ କହିବି, ସେ ତୋତେ କଙ୍କାଳେ ଛେଚିବେ । ସେ ସଙ୍ଗେ ସଙ୍ଗେ ମୋତେ ଜବାବ ଦେଇ କହୁଛି ,“ବାପା! ତୁମେ ଜାଣିନ କି ? ତୁମ ଦୋକାନ ସାମନା ସ୍କୁଲ କାନ୍ଥରେ ବଡ ବଡ ଅକ୍ଷରରେ ଲେଖାଯାଇଛି 'ଦଣ୍ଡମୁକ୍ତ ଅଞ୍ଚଳ'

ଏହାର ଅର୍ଥ ଶିଶୁକୁ ମାଡ ମରାଯାଇପାରିବ ନାହିଁ ।

ଏହାପରେ TOLL FREE ନମ୍ବରଟି ଏକା ନିଶ୍ବାସକେ ଗାଇଗଲା । ” ପିଙ୍ଗୁ ଭାଇ ତାଳରେ ତାଳ ମିଶାଇ କହିଲେ,“ଭୟ ଥିଲେ ସିନା ଜୟ ଥାଏ । ମାଡ ହେଲେ ସିନା ଛାତ୍ର ଛାତ୍ରୀ ଡରିବେ ।ପିଲାମାନେ ଅନୁଶାସନ ମାନିବା ଶିଖିବେ ।

ସରକାର ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରି ମସ୍ତ ବଡ ଭୁଲ୍ କରିଛନ୍ତି । ଗାଆଁ ଗହଳର ଗରିବ ଶିଶୁମାନଙ୍କୁ ମୂର୍ଖ କରିବାର ବାଟ ପରିସ୍କାର କରିଛନ୍ତି । ଶିକ୍ଷକ ହାତରୁ ବେତ ଛଡାଇ ସବୁବେଳେ toll free number ଜରିୟାରେ ଏକ ଭୟ ସୃଷ୍ଟି କରିଛନ୍ତି ।

ତେଣୁ ଶିକ୍ଷକମାନେ ଡରି ଛାତ୍ର ଛାତ୍ରୀଙ୍କ ସବୁ ଭୁଲକୁ ଅଣଦେଖା କରିବାକୁ ଉଚିତ୍ ମଣୁଛନ୍ତି । ତେଣୁ ,ସାର୍ !

ଆପଣ ଏକ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକଙ୍କ ସଭା ଡାକି ଏ ବିଷୟ ଆଲୋଚନା କରି ଦଣ୍ଡ ବ୍ୟବସ୍ଥାକୁ ବିଦ୍ୟାଳୟରେ ପୁନର୍ବାର  ପ୍ରଚଳନ କରନ୍ତୁ ।” ଏହା ଶୁଣି ପ୍ରଧାନ ସାର୍ ମଙ୍ଗୁଭାଇ ଓ ପିଙ୍ଗୁ ଭାଇଙ୍କୁୃ କହିଲେ, “ଆପଣ ଦୁହେଁ ତ ଆମ ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ । ଆସନ୍ତା ଶନିବାର ବିଦ୍ୟାଳୟରେ ହେବାକୁ ଥିବା ଶିକ୍ଷକ ଅଭିଭାବକ ସଭାରେ ଯୋଗଦାନ କରନ୍ତୁ । ସଠାରେ ଆମ ବ୍ଲକ୍ ଶିକ୍ଷା ଅଧୀକାରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟ କ୍ରମ ରହିଛି । ସେଠାରେ ଏ ବିଷୟରେ ଆଲୋଚନା କରିବା ।” ମଙ୍ଗୁ ଓ ପିଙ୍ଗୁ ସାର୍ ଙ୍କ କଥାରେ ରାଜି ହୋଇ ସଭାରେ ଯୋଗ ଦେବାକୁ ସମ୍ମତି ଜଣାଇଲେ ।

   ଶନିବାର ଦିନ ସାଢେ ଏଗାରଟାରେ ପି.ଟି .ଏ.

ସଭା ଆରମ୍ଭ ହେଲା ।ପ୍ରଧାନ ସାର୍ ସମସ୍ତଙ୍କୁ ସ୍ବାଗତ ଜଣାଇ ସଭା କାର୍ଯ୍ୟ ଆଗେଇ ନେଲେ । ଉପସ୍ଥିତ ସଭିଏଁ ଶିଶୁମାନଙ୍କୁ ଅନୁଶାସିତ କରିବାକୁ ଦଣ୍ଡ ବିଧାନ ସପକ୍ଷରେ ଯୁକ୍ତି ଉପସ୍ଥାପନ କଲେ । ଏହି ସମୟରେ ଏକ ଗୁରୁତ୍ବପୂର୍ଣ୍ଣ ନଥି ଦରକାର ହେବାରୁ ଏକ ରୁମ୍ ର ତାଲା ଖୋଲିବାକୁ ପ୍ରଧାନ ସାର୍ ପିଅନକୁ କହିଲେ । କିନ୍ତୁ ପିଅନ କହିଲା ,ସାର୍ !ମୁଁ ଚାବିଟା ହଜାଇ ଦେଇଛି ।ତାକୁ ଖୋଲିବା କଷ୍ଟକର ।”

ସାର୍ କହଲେ ,ଚାବିନେନ୍ଥାର ଅନ୍ୟ ଚାବିରେ ଖୋଲିବାକୁ ଚେଷ୍ଟାକର ,ନହେଲେ ତାଲାଟିକୁ ଭାଙ୍ଗି ଦିଅ ।”

ସମସ୍ତେ ପାଖରେ ଥିବା ସମସ୍ତ ଚାବିରେ ଖୋଲିବାକୁ ଆପ୍ରାଣ ଚେଷ୍ଟା କଲେ ।କିନ୍ତୁ ତାଲା ଖୋଲିଲା ନାହିଁ ।ତାପରେ ହାତୁଡିରେ ତାଲାକୁ ପିଟି ପିଟି ନୟାନ୍ତ ହେଲେ କିନ୍ତୁ,ତାଲାକୁ ଖୋଲି କିମ୍ବା ଭାଙ୍ଗି ପାରିଲେ ନାହିଁ ।ଶେଷରେ ଏକ

ମିସ୍ତ୍ରୀଙ୍କୁ ଡକାଗଲା ତାଲାଟିକୁ ଖୋଲିବାକୁ । ମିସ୍ତ୍ରୀ

ଆସିଲା । ତାଲାଟିକୁ ଭଲଭାବେ ଦେଖିଲା ।

ଶେଷରେ ସେ ଖଣ୍ଡିଏ ତାରଆଣିଲା ।ତାକୁ ଟିକିଏ ବଙ୍କା କରିଦେଲା ।ତାଲାର ରନ୍ଧ୍ରର ଟିକିଏ ତେଲ ପକାଇ ଦେଲା ।

ତାପରେ ଚାବି ପୁରାଇବା ଜାଗାରେ ତାରର ବଙ୍କା ଅଂଶଟିକୁ ପୁରାଇ ଟିକିଏ ମୋଡି ଦେଲେ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ତାଲାଟି ନିମିଷକ ମଧ୍ୟରେ ଖୋଲିଗଲା । ପ୍ରଧାନ ସାର୍ ମିସ୍ତ୍ରୀକୁ ପଚାରିଲେ, “ସଭିଏଁ ହାତୁଡିରେ ଏତେ ପିଟିଲେ, ଅଥଚ ତାଲାଟି ଖୋଲିଲା ନାହିଁ ।କିନ୍ତୁ ତୁମେ କେଉଁ ଯାଦୂ କଲ ଯେ ଏତେ ସହଜରେ ତାଲାଟିକୁ ଖୋଲି ଦେଲ?” ମିସ୍ତ୍ରୀ କହଲା ,“very simple! ଆପଣମାନେ ତାଲାର ପିଠିକୁ ପ୍ରହାର କଲେ ।ତେଣୁ ସେ ଖୋଲିଲା ନାହିଁ।

ମୁଁ ତାଲାର ଦିଲ୍ କୁ ଛୂଇଁ ଦେଲି । ତେଣୁ ତା ଦିଲ୍ ତରଳି ଗଲା ।ଫଳରେ ତାଲା ଖୋଲି ଗଲା ।” ପ୍ରଧାନ ସାରଙ୍କ ମନକୁ ଉତ୍ତରଟା ବେଶ୍ ଭଲ ଲାଗିଲା ଏବଂ ଅଭିଭାବଙ୍କ ପାଇଁ ଏକ ଭଲ ଉତ୍ତର ତାଙ୍କୁ ମିଳିଗଲା ।

  ଶେଷରେ ପ୍ରଧାନ ସାର୍ ତାଙ୍କର ସଭାପତିଙ୍କ ଅଭିଭାଷଣ ଆରମ୍ଭ କଲେ । କହିଲେ,“ବନ୍ଧୁଗଣ! ମୁଁ ଆପଣମାନଙ୍କୁ ମୋର ପ୍ରୀତିଭରା ନମସ୍କାର !ମୁଁ ବିଦ୍ୟାଳୟ ଦଣ୍ଡମୁକ୍ତ ଅଞ୍ଚଳ ହେବା ସମ୍ପର୍କୀୟ ସମସ୍ତ ବିଷୟ ଆନ୍ତରିକତାର ସହ ଶୁଣିବାର ସୁଯୋଗ ପାଇ ଅତ୍ୟନ୍ତ ପ୍ରୀତ ହେଲି ।

ତେବେ ଶେଷରେ ମୁଁ ଏକ କାହାଣୀ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଉଚିତ ମଣୁଅଛି।ମୁଁ ଆଶାକରିବି ଆପଣମାନେ ଏ କାହାଣୀକୁ ଧୈର୍ଯ୍ୟ ସହକାରେ ଶୁଣିବା ହେବେ ।କାହାଣୀର ଶିର୍ଷକ ହେଲା “ତାଲାର ହୃଦୟ”। ଏହାପରେ ପ୍ରଧାନ ସାର୍ କାହାଣୀ ଆରମ୍ଭ କଲେ।

“ଆମ ବି ବିଦ୍ୟାଳୟର ଏକ ତାଲାର ଚାବି ହଜି ଯାଇଥିଲା ।

ହାତୁଡିରେ ଯିଏ ଯେତେ ପାରିଲେ ତାଲାକୁ ପିଟିଲେ ।କିନ୍ତୁ ଯେତେ ଯୋର ଜବରଦସ୍ତି ତାଲା ଖୋଲିବାକୁ ଚେଷ୍ଟା କଲେ ବି ତାଲା ଆଦୌ ଖୋଲିଲା ନାହିଁ । ଶେଷରେ ମିସ୍ତ୍ରୀକୁ ଡକାଗଲା । ମିସ୍ତ୍ରୀ ନିମିଷକେ ତାରଟିଏ ଦ୍ୱାରା ତାଲାଟିକୁ ଖୋଲି ଦେଲା । ଏହାର ରହସ୍ୟ ପଚାରିବାରୁ ମିସ୍ତ୍ରୀ

କହିଲା ଯେ “ୟେ ଦିଲ୍ କା ମାମଲା ହୈ” ସେ ତାଲାର ହୃଦୟକୁ ଛୂଇଁପାରିଲା ,ତେଣୁ ତାଲାଟି ସହଜରେ ଖୋଲିଗଲା ।ଆମେ ଜୋର ଜବରଦସ୍ତି କରି ତାଲା ପିଠିରେ ବାଡେଇଲୁ ।ତେଣୁ ଜୋର ଜବରଦସ୍ତି ଦ୍ବାରା କୌଣସି କାର୍ଯ୍ୟ ଠିକ୍ ଭାବେ ହୋଇପାରେ ନାହିଁ । ତାଲାର ଏକ ହୃଦୟ ଅଛି ଯାହାକୁ ମିସ୍ତ୍ରୀ ଛୂଇଁ ପାରିବାରୁ ତା କଥାରେ ତାଲାଟି ଖୋଲି ଗଲା । ପ୍ରତ୍ୟେକ ଶିଶୁ ଠିକ୍ ସେହି ତାଲା ପରି ।ତାର ବି ଗୋଚିଏ ହୃଦୟ ଅଛି । ଠିକ୍ ତାଲାପରି ।

ତାରଖଣ୍ଡକ ଯେପରି ତାଲାର ହୃଦୟକୁ ଛୂଇଁ ପାରି ତାଲାକୁ ଚାବି କାଠି ପରି ଖୋଲିବାରେ ସମର୍ଥ ହେଲା,ଠିକ୍ ସେହିପରି କୋମଳମତୀ ଶିଶୁର  ମନ ବୁଝି ମିଠା କଥା କହି ଭଲ ଭାବରେ ବୁଝାଇକହିଲେ ତାହା ତାହାର ହୃଦୟକୁ

ଛୂଇଁ ପାରିବ ାତାଲାଟି ପରି ସେ କଥା ମାନିବ ।

ସବୁ କିଛି ଆମ କଥା ଅନୁଯାୟୀ କରିବ ।ଆମକୁ ଆଦର୍ଶ ଭାବି ସବୁ କିଛି ନିର୍ଦ୍ଦେଶ ଅନୁସାରେ କରିବ ।

ଆମକୁ ତା ହୃଦୟର ଭାଷା ପଢି ତା ମନ ବୁଝି ତାକୁ ଯାହା କହିବା ତାକୁ ସେ ଅକ୍ଷରେ ଅକ୍ଷରେ ପାଳନ କରିବ ।

ତାକୁ ନବୁଝି ଯଦି ତା ପିଠିରେ ପ୍ରହାର କରିବା କିମ୍ବା ଅନ୍ୟ ପ୍ରକାର ଶାରିରିକ ଅବା ମାନସିକ ନିର୍ଯ୍ୟାତନା ଦେବା ତେବେ ତାର ମନ ଭାଙ୍ଗିଯିବ ।କୌଣସି କଥା ସେ ଗ୍ରହଣ କରିବ ନାହିଁ । ମାନସିକ ସ୍ତରରେ ସେ ଦୁର୍ବଳରୁ ଦୁର୍ବଳତର ହେବାକୁ ଲାଗିବ ।ସବୁ କଥାରେ ଯଦି ତାକୁ ଭୟ ଦେଖାଇବା ତେବେ ସେ ସବୁବେଳେ ଭୟ କରିବ। ନୂତନ କିଛି କରିବାର ସ୍ପୃହା ମରିଯିବ । ସେ ସୃଜନଶୀଳତାଠାରୁ ଦୂରେଇଯିବ ।

ତେଣୁ ଆପଣମାନେ ମୋ କଥା ଭଲ ଭାବେ ହୃଦୟଙ୍ଗମ କରିପାରିଥିବେ ବୋଲି ଆଶାକରୁଅଛି ।ଆପଣମାନେ ନିଜ ପ୍ରଶ୍ନନ ଉତ୍ତର ପାଇସାରିଥିବେ ବୋଲି ଆଶା କରୁଅଛି ।

ପ୍ରଧାନ ସାରଙ୍କ ଏଭଳି ଯୁକ୍ତି ଶୁଣି ଉପସ୍ଥିତ ଶିକ୍ଷା ଅଧିକାରୀ ଭୂୟସୀ ପ୍ରଶଂସା କଲେ ।ସମସ୍ତଙ୍କ କରତାଳିରେ ସଭାସ୍ଥଳ ପ୍ରକମ୍ପିତ ହେଲା । ସମସ୍ତେ ବୁଝିପାରିଲେ ଯେ ଶିଶୁକୁମୁକ୍ତ ଭୟମୁକ୍ତ ରହିବାରେ ଦଣ୍ଡମୁକ୍ତ ବିଦ୍ୟାଳୟ ସହାୟକ ହେବ । ସମସ୍ତେ ପ୍ରଧାନ ସାରଙ୍କ ଅନୁଭୂତି ପୂର୍ଣ୍ଣ କଥାରେ ସହମତି ହେବା ସାଙ୍ଗକୁ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଗଲେ ।


Rate this content
Log in

Similar oriya story from Abstract