The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Minakshi Samal

Romance

3  

Minakshi Samal

Romance

ପ୍ରେମର ପରିଭାଷା

ପ୍ରେମର ପରିଭାଷା

3 mins
496


୨୦୨୦ ଜାନୁଆରୀ ୩୦ତାରିଖରେ 'ସୁଷମା ଗାର୍ଡେନ' କଲ୍ୟାଣ ମଣ୍ଡପଟି ବୋହୂଭଳି ସଜାହୋଇଥାଏ। ସରସ୍ୱତୀ ପୂଜା ଭଳି ଏକ ପବିତ୍ର ତିଥିରେ ଅରୁଣ ବାବୁ ନିଜର ଏକମାତ୍ର ଅଲିଅଳି କନ୍ୟା ଆର୍ଯ୍ୟାର ନିର୍ବନ୍ଧ କାର୍ଯ୍ୟକ୍ରମ ରଖିଥିଲେ। ଅଞ୍ଜନ ପରି ସୌମ୍ୟ,ସୁଶୀଳ ଓ ନାଁ କରା ଡାକ୍ତରଙ୍କୁ ଜ୍ବାଇଁ ରୂପରେ ପାଇଥିବାରୁ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଣତି ଢାଳୁଥିଲେ ସେ।


ଆଜିକାଲି ନିର୍ବନ୍ଧ ସମାରୋହ ମଧ୍ୟ ବାହାଘର ପରି ଧୂମଧାମରେ ପାଳୁଛନ୍ତି ଥିଲାବାଲା ଲୋକମାନେ। ମୁକ୍ତହସ୍ତରେ ଖର୍ଚ୍ଚ କରି ନିର୍ବନ୍ଧର ପ୍ରତ୍ୟେକ ମୁହୁର୍ତ୍ତ ଗୁଡିକୁ ସ୍ମରଣୀୟ କରି ରଖିବାପାଇଁ ଅରୁଣ ବାବୁ ତାଙ୍କର ସମସ୍ତ ପ୍ରଚେଷ୍ଟା ଜାରି ରଖିଥାନ୍ତି।

ସୁଚାରୁ ରୂପେ ନିର୍ବନ୍ଧ ଓ ମୁଦିପିନ୍ଧା କାମ ଶେଷ ହେଲା। ଦୁଇପକ୍ଷଙ୍କ ସହମତିରେ ମାର୍ଚ୍ଚ ୨୫ ତାରିଖକୁ ବିବାହର ଦିନ ଧାର୍ଯ୍ୟ ହେଲା। ବିବାହ ସମାରୋହ ପାଇଁ ସୁଷମା ଗାର୍ଡେନ ର ମାଲିକଙ୍କୁ ବଇନା ମଧ୍ୟ ଅରୁଣ ବାବୁ ବହୁ ପୂର୍ବରୁ ଦେଇ ସାରିଥାନ୍ତି।


ସେଦିନ ନିର୍ବନ୍ଧର ଫଟୋ ଗୁଡିକ ଫଟୋଗ୍ରାଫର ପାଖରୁ ଆସିଯାଇଥାଏ। ପୁରା ପରିବାର ବସି ଫଟୋଗୁଡିକ ନିରିଖେଇ ଦେଖୁଥାନ୍ତି , ଆର୍ଯ୍ୟା ଓ ଅଞ୍ଜନ ଙ୍କ ଜୋଡିକୁ ଭୁରିଭୁରି ପ୍ରଶଂସା କରୁଥାନ୍ତି ସମସ୍ତେ। ବିଭିନ୍ନ ଭଙ୍ଗୀରେ ଆର୍ଯ୍ୟା ଓ ଅଞ୍ଜନଙ୍କ ଫଟୋ ଉଠାଇଥିଲା ଫଟୋଗ୍ରାଫର। ଫଟୋ ଗୁଡିକୁ ଦେଖି ଲାଜେଇ ଯାଉଥିଲା ଆର୍ଯ୍ୟା। ହୃଦୟରେ ଝଂକୃତ ହେଉଥିଲା ପ୍ରେମର ରାଗିଣୀ।


ନିର୍ବନ୍ଧ ଦିନ ଅଞ୍ଜନଙ୍କ ବ୍ୟକ୍ତିତ୍ବ ପ୍ରତି ଖୁବ ଆକର୍ଷିତ ହୋଇଯାଇଥିଲା ଆର୍ଯ୍ୟା। ସମ୍ଭ୍ରାନ୍ତ ପରିବାରର ହୋଇଥିବାରୁ ଅନ୍ୟମାନଙ୍କ ପରି ଉଛୃଙ୍ଖଳତା ଦେଖାଇବାର କୌଣସି ଅଭିପ୍ରାୟ ନଥିଲା ଆର୍ଯ୍ୟାର। ନିଜ ଉପରେ ସମଭାବରେ ନିୟନ୍ତ୍ରଣ ରଖିବାର କ୍ଷମତା ଥିଲା ଅଞ୍ଜନଙ୍କର। ନିର୍ବନ୍ଧ ଦିନ ଅନେକ ମୌକା ମିଳିଥିଲା ଦୁଇଜଣଙ୍କୁ। ଦୁହିଁଙ୍କୁ ସମ୍ପୂର୍ଣ୍ଣଭାବେ ଏକଲା ଛାଡିଦେଉଥିଲେ ଦୁଇ ପରିବାରର ଲୋକେ। ହୁଏତ ସେମାନେ ଚାହୁଁଥିଲେ ବିବାହ ବନ୍ଧନରେ ବାନ୍ଧିହେବା ପୂର୍ବରୁ ଉଭୟେ ଉଭୟଙ୍କୁ ଭଲଭାବରେ ଜାଣନ୍ତୁ। ହୃଦୟରେ ତଡିତ ପ୍ରବାହ ହେଲାଭଳି ଲାଗୁଥିଲା ଆର୍ଯ୍ୟାକୁ। ଜୀଵନରେ ପ୍ରଥମ ଥର ପାଇଁ ଜଣେ ଅଜଣା ପୁରୁଷଙ୍କ ସହିତ ଏକାକୀ ଆମନା ସାମନା ହେଉଥିଲା ତା'ର। କିନ୍ତୁ କେତେ ଭଦ୍ରତା ଓ ସମ୍ଭ୍ରମତା ରକ୍ଷାକରି ଅଞ୍ଜନ ଯେଭଳି ଭାବେ ତା' ସହିତ କଥାବାର୍ତ୍ତା କରିଥିଲେ ସେଥିରେ ସେ ସ୍ତମ୍ଭିଭୂତ ହୋଇଥିଲା। ମନେପଡିଯାଉଥିଲା ବାନ୍ଧବୀ ମାନଙ୍କର କହିଥିବା କଥା। ବିଶ୍ବାସ ହେଉନଥିଲା ଯେ ସବୁ ପୁରୁଷ ଏକାଭଳି ନୁହଁନ୍ତି। କାହିଁ ଅଞ୍ଜନ ତ ଶିଷ୍ଟାଚାରର ଲକ୍ଷ୍ମଣରେଖା ପାରି କରିନଥିଲେ ଅନ୍ୟମାନଙ୍କ କହିବା ପରି। ଏକ ଅଜଣା ସଂତୃପ୍ତି ତା ମନ ଓ ଆତ୍ମାକୁ ଆନ୍ଦୋଳିତ କରୁଥିଲା।


ବିବାହ ପରେ ଆର୍ଯ୍ୟାକୁ ନିଜର କର୍ମସ୍ଥଳ କଣିହାରେ ଥିବା ସରକାରୀ କ୍ବାର୍ଟରକୁ ନେଇଥାନ୍ତେ ଅଞ୍ଜନ। ବିବାହର ଦିନ ପାଖେଇ ଆସୁଥିଲା। ମଝିରେ ମଝିରେ ଅରୁଣ ବାବୁ ଅଞ୍ଜନଙ୍କ ସହିତ କଥାବାର୍ତ୍ତା କରୁଥିଲେ ଫୋନରେ। ତାଙ୍କ ଖବର ଅନ୍ତର ବୁଝୁଥିଲେ।


ଚୀନରେ କରୋନା ଭୂତାଣୁର ସଂକ୍ରମଣ ଓ ତାର ଭୟାବହତା ବିଷୟରେ ସମସ୍ତେ ଧୀରେଧୀରେ ଅବଗତ ହେଉଥିଲେ। ମୃତ୍ୟୁର ତାଣ୍ଡବଲୀଳା ଦେଖି ସମସ୍ତେ ଭୀତତ୍ରସ୍ତ ହୋଇପଡୁଥିଲେ। ଅଚାନକ ଭାରତ ଏବଂ ଓଡ଼ିଶାରେ କରୋନା ଭୂତାଣୁର ସଂକ୍ରମଣର ଖବର ପ୍ରଚାର ହୋଇଗଲା। ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଘୋଷଣା ହେଲା। ସମସ୍ତ ସାମାଜିକ,ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇ ଦିଆଗଲା।

ଦୁଇ ପରିବାରର ଲୋକେ ଭାଙ୍ଗି ପଡିଲେ। ଏତେବଡ ଆୟୋଜନ ଫସରଫାଟି ଗଲା,ଖର୍ଚ୍ଚ ତ ପାଣିରେ ପଡିଲା। ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଦୁଇଜଣଙ୍କ ମନରେ ଅନେକ ପ୍ରଶ୍ନବାଚୀର ଝଡ ବୋହୁଥିଲା।


ନିଜ ନିଜ ପରିବାରର ଲୋକଙ୍କର ଏଭଳି ଦଶା ଆର୍ଯ୍ୟା ଓ ଅଞ୍ଜନଙ୍କୁ ଖୁବ ଦୁଃଖ ଦେଇଥିଲା। ଦିନେ ରାତିରେ ଆର୍ଯ୍ୟାକୁ ଚମକାଇ ଦେଲା ଫୋନକଲଟିଏ। ନିଦରୁ ଉଠି ଦେଖେ ତ ଅଞ୍ଜନଙ୍କ ଫୋନ। ଯଦିଓ ଅଞ୍ଜନ ତାକୁ କେବେ ଫୋନ କରି ନଥିଲେ ତଥାପି ତାଙ୍କ ନମ୍ବରକୁ ସେ ସେଭ୍ କରି ନିଜ ଫୋନରେ ରଖିଥିଲା। ଭିଡିଓ କଲ କରିଥିଲେ ସେ।


କଲ ରିସିଭ କଲା ସେ। ମନରେ ଭୟର ବାଦଲ। ସ୍ମିତହାସ୍ୟରେ ଅଞ୍ଜନ ସେପଟରୁ କହୁଥିଲେ......କେମିତି ଅଛ ଆର୍ଯ୍ୟା? ଲକଡାଉନ ଯୋଗୁଁ ଆମର ବିବାହର ଅନିଶ୍ଚିତତା ପାଇଁ ତୁମ ମନରେ କିଛି ସଂଶୟ ଆସୁଥିବ ନିଶ୍ଚୟ। ଦୁଇ ପରିବାରର ସଦସ୍ୟଙ୍କର ମନୋଦଶା ତ ତୁମେ ଜାଣୁଥିବ। ଆମେ ଦୁଇଜଣ ଚାହିଁଲେ ସେମାନଙ୍କୁ ବୁଝାଇ ସେମାନଙ୍କର ମନୋବଳ ବଢାଇବା। ଦୁହେଁ ଦୁହିଁଙ୍କୁ ମୁଦି ପିନ୍ଧାଇ ନିଜର କରିସାରିଛେ। କେବଳ ବିବାହ ବେଦୀରେ ବସି ଅଗ୍ନିଙ୍କୁ ସାକ୍ଷୀରଖି ଜୀବନସାଥୀ ହେବା ବାକି ରହିଛି । ସେତିକି ଦିନ କ'ଣ ଆମେ ଧୈର୍ଯ୍ୟଧରି ରହିପାରିବାନି?

ପରଷ୍ପର ପରଷ୍ପରର ପରିବାର ବର୍ଗଙ୍କୁ ନିଜର କରି ତାଙ୍କୁ ଧୈର୍ଯ୍ୟହରା ହେବାରୁ ରୋକି ପାରିବାନି? ଅଞ୍ଜନଙ୍କ ପ୍ରଶ୍ନ ସହିତ ତାଙ୍କ କଥାରେ ପୂର୍ଣ୍ଣଛେଦ ପଡିଥିଲା।


ଏପଟୁ ଆର୍ଯ୍ୟାର ଭାବବିହ୍ବଳ ସ୍ବର ଶୁଣାଯାଉଥିଲା।.........ବିଶ୍ୱାସ ରଖ ମୋ ଉପରେ। ତୁମର ପ୍ରତ୍ୟେକ ଇଛାକୁ ସମ୍ମାନ ଦେଇ ତୁମର ଜୀବନସାଥୀ ସବୁକିଛି ଅନାୟାସରେ କରିଯିବ। କଥା ଦେଉଛି ତୁମକୁ। କଥା ନିଶ୍ଚୟ ରଖିବି। ଲକଡାଉନ ମତେ ଅବଶ କରିପାରିବନି ବା ଏହାର ଅବଧି ଯଦି ବଢିଯାଏ ସେଥିରେ ମଧ୍ୟ ମୋ ମନୋବଳରେ ତିଳେମାତ୍ର ଆଞ୍ଚ ଆସିବନି। ଏଇଟା ହିଁ ହେବ ଆମ ଦୁହିଁଙ୍କର ପ୍ରକୃତ ପରୀକ୍ଷା। ଆଶାକରୁଛି ଦୁହେଁ ସଫଳ ହେବା।


ଦୁଇ ପଟରୁ ଦୁଇଜଣଙ୍କ ମୁହଁରେ ଫୁଟିଥିଲା ଚେନାଏ ହସ।



Rate this content
Log in

More oriya story from Minakshi Samal

Similar oriya story from Romance