ପ୍ରେମର ମହାନିର୍ଵାଣ
ପ୍ରେମର ମହାନିର୍ଵାଣ
ସିନ୍ଦୂରା ଫାଟିଲା । କଅଁଳିଆ ସକାଳର ସେହି ବାଳ ତପନ ପ୍ରାଚୀ ଗଗନରେ ଦୋଳି ଖେଳୁଥାନ୍ତି । ଶେଫାଳି ବି ସେଦିନ ସକାଳ ଅପେକ୍ଷା ଖୁବ୍ ଶୀଘ୍ର ବିଛଣାରୁ ଉଠିପଡିଛି । ତା' ପରେ ସକାଳର ନିଦ ଭାଙ୍ଗିଛି । ସୁମନଙ୍କ କୋଳରୁ ଶେଫାଳି ଖସି ଆସିବାକୁ ତାକୁ ନାକେଦମ୍ ପ୍ରାୟ ହୋଇଛି । ସାରା ରାତି ଶେଫାଳିକୁ ସେ ନିଜ ବାହୁ ଉପରେ ଶୁଆଇ ଜାବୁଡ଼ି ଧରି ଥାଆନ୍ତି । କେମିତି କେଜାଣି ତାଙ୍କ ହାତକୁ କିଛି କଷ୍ଟ ହୁଏନି କି କଡ଼ ଲେଉଟାଇ ବାକୁ ବି ବ୍ୟସ୍ତ ହୁଅନ୍ତିନି ସେ । ଅବଶ୍ୟ ଏ ଭଲ ପାଇବାର ନିବିଡତା କି ନୂଆ ନୂଆ ବାହାହେବା ସମୟର ଏ ପ୍ରୀତଭରା ଆକର୍ଷଣ ସ୍ବାଭାବିକ । ସେ ଯାହା ବି ହେଉ ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ଏ ପ୍ରେମ ତ ରହିବା ନିତାନ୍ତ ଆବଶ୍ୟକ ।
ଶେଫାଳି ସେଦିନ ଘରକାମ ଖୁବ୍ ଶୀଘ୍ର ଶୀଘ୍ର ସାରୁଥାଏ । ସକାଳ ଜଳଖିଆ ବି ଜଲ୍ ଦି ଵନେଇଦେଲା । ଭାବିଥିଲା ଦୋସା , ସମ୍ବର କରିବ କିନ୍ତୁ ଡେରି ହେବ ବୋଲି ଆଳୁ ପରଟା , ଦହିଛୁଙ୍କ ତିଆରି କରିଦେଲା ।ଲଞ୍ଚ ପାଇଁ ବି ସେମିତି ବେଶୀ କିଛି ଆଇଟମ୍ ନ କରି ଭାତ , ଡ଼ାଲି, ସୋୟାଵିନ୍ ତରକାରୀ କରିଦେଲା ।ସୁମନ୍ ଙ୍କ ଟିଫିନ୍ ରେ ଲଞ୍ଚ ଖାଦ୍ୟ ଭର୍ତ୍ତି କରି ସଜାଡିଦେଲା । ସୁମନ୍ ଟିଫିନ୍ ଖାଇ କୋର୍ଟ ପ୍ୟାଣ୍ଟ୍ ସାର୍ଟ ପିନ୍ଧି ଅଫିସ୍ ବାହାରିଲେ । ପ୍ରତିଦିନ ପରି ଶେଫାଳିକୁ ଟିକେ ଚୁମା ଦେବାପାଇଁ ବାହାନା କରି ଡାକିଲେ ଆରେ ମୋ କଳା ମୁଖାଟା କୁଆଡେ ଗଲା । ପାଉନି । ଭିତରୁ ଶେଫାଳି ଉତ୍ତର ଦେଲା ସେଇଠି ଅଛି ମ । ସେଇ ହ୍ୟାଙ୍ଗର୍ ରେ ଟାଙ୍ଗିଛି ଦେଖ ।ସବୁ କଥାରେ ମୋତେ ଡକା ପଡୁଛି । ସତେକି ମୋ ବିନା ଯେମିତି ଅଚଳ ହେଇଯିବେ ।ଆଗରୁ କେମିତି ଏକୁଟିଆ ନିଜ ଦାୟିତ୍ୱ ତୁଲାଇଥିଲ ମ .... !
ଶେଫାଳିର ବିଳମ୍ବ ଦେଖି ସୁମନ୍ ପୁଣି ଚିଲେଇଲେ ଆରେ ଆସ ଟିକେ ।ତା ପରେ ଶେଫାଳି ଗୁଣୁଗୁଣୁ ହେଇ ଗାୟତ୍ରୀ ମନ୍ତ୍ର ବୋଲିଲା ପରି ସୁମନ୍ ଆଡ଼କୁ ଧସେଇ ଆସିଲା । ଠିକ୍ ସବୁଦିନ ପରି ସୁମନ୍ ଶେଫାଳିକୁ ଛାତିରେ ଜାକି ଧରି ତା ଅଧରକୁ ସ୍ପର୍ଶ କଲେ । ଶେଫାଳିର ସେଇ କୃତ୍ରିମ ବିରକ୍ତ ଯାଅ.. ମ .. ଥାଉ .. ସେତିକି । ତୁମର ଅଫିସ୍ ଡେରି ହେବ । ପିଲାଙ୍କ ପରି କଣ ହେଉଛ ଯେ... ଛାଡ .. ମ... ତେଣେ ବହୁତ କାମ ପଡ଼ିଛି । ଲଗେଜ୍ ପ୍ୟାକ୍ କରିବାକୁ ପଡ଼ିବ । ସନ୍ଧ୍ୟାରେ ଗାଁ କୁ ଯିବା ନା .. ।
ସୁମନ୍ ଅଫିସ୍ ଯିବା ପରେ ପରେ ଶେଫାଳି ନିଜର ଓ ସ୍ବାମୀଙ୍କର ଜିନିଷ ପତ୍ର ସାର୍ଟ ପ୍ୟାଣ୍ଟ୍ , ଵ୍ୟାନିଅନ୍ , ଟ୍ରାଉଜର୍ , ସର୍ଟପ୍ୟାଣ୍ଟ , ଟାଓଏଲ୍ , ନିଜର ନାଇଟୀ , କୁର୍ତ୍ତି , କଟନ୍ ଶାଢ଼ୀ , ଦଶହରା ବୁଲାବୁଲି ପାଇଁ ଭଲ ଦାମିକା ଶାଢ଼ୀ ଏମିତି ଛୋଟମୋଟ ସବୁ ଜିନିଷ ମନେପକାଇ ସାଇତି ରଖୁଥାଏ । ଏଠି ସିନା କେହି ନାହାନ୍ତି ବୋଲି ଯାହା ପିନ୍ଧିଲେ ବି ଚଳିଯାଉଛି । ନୂଆ ବାହାଘର ହେଇଛି । ଗାଁ କଥା । ସାଇ ପଡ଼ିଶା ଲୋକେ ବୋହୂ ଦେଖିବା ବାହାନାରେ ଘରକୁ ଆସିପାରନ୍ତି । ଆମ ଘରେ ବି ଶଶୁର , ଶାଶୁ ଆଉ ଦେଢଶୁର ଅଛନ୍ତି । ଶାଢ଼ୀ ନ ପିନ୍ଧି ଡ୍ରେସ୍ ପିନ୍ଧିଲେ କ'ଣ ଭାବିବେ । ମୁହଁ ଉପରେ ସିନା କିଛି କହିବେନି ହେଲେ ଭିତରେ ଭିତରେ ମୋ ପ୍ରତି ଖରାପ୍ ମନୋଭାବ ପୋଷଣ କରିବେ । ନାରୀଟିଏ ଯେତେ ଉଚ୍ଚ ଶିକ୍ଷିତ ହୋଇ ବଡ଼ ପଦବୀରେ ପ୍ରତିଷ୍ଠା ଲାଭ କଲେ କ'ଣ ହେଲା ଯଦି ତା'ର ସଂସ୍କାର ଓ ସଂସ୍କୃତିକୁ ଭୂଲିଗଲା ତେବେ ସେ ନାରୀ ପଦଵାଚ୍ୟ ନୁହେଁ । ମୋ ବାପା ମାଆ ମୋତେ ବାହାଘର ବେଳେ ସବୁ ଶିଖେଇ ଛାଡିଛନ୍ତି । ତେଣୁ ମୁଁ ତାଙ୍କ ମାନ ମର୍ଯ୍ୟାଦାକୁ କେବେ ବି ତଳେ ପକେଇବାକୁ ଚାହିଁବିନି । ସେଥିପାଇଁ ସବୁବେଳେ ବହୁତ ଜଗିରଖି ଚଳୁଥାଏ ।
ଶୁଣିଛି ମୋ ଜେଜେ ମା' ଠାରୁ,
"ଲଜ୍ଜା ହିଁ ନାରୀର ଭୂଷଣ " ନମ୍ରତା , ଶାଳୀନତା , ସମ୍ଭ୍ରମତା ନାରୀକୁ ମହାନ୍ କରି ମାନଵୀରୁ ଦେବୀର ଆଖ୍ୟା ଦେଇଥାଏ ।
ସବୁ ଆବଶ୍ୟକ ଜିନିଷ ସାଇତି ସୁମନ୍ ର ଅପେକ୍ଷାରେ ଅଛି ଶେଫାଳି । ମନେମନେ ଭାବୁଥାଏ ଏ ବର୍ଷ ପାର୍ବଣ ପୂଜା ଖୁବ୍ ଧୁମଧାମରେ ପାଳିତ ହେଵ । ଗାଁରେ ପନ୍ଦର ଦିନ ରହି ବହୁତ ମଜା କରିବୁ ।କଟକ ଦଶହରା ମେଢ଼ ଟେଲିଭିଜନରେ ଦେଖିଥିଲା ସିନା ବାଲେଶ୍ଵର ତା'ର ଵାପଘରେ ଥିବାବେଳେ କିନ୍ତୁ ତା' ଶାଶୁଘର ଏବେ ତ କଟକ ।ମନଭରି ପାର୍ଵଣକୁ ଉପଭୋଗ କରିଵ । କଟକ ପୂଜା ତ ସବୁବେଳେ ନିଆରା ସେ ପିଲାଦିନରୁ ଶୁଣିଆସିଛି ।
ସନ୍ଧ୍ୟାରେ ରେଳଗାଡ଼ିରେ ଦୁହେଁ ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ଦୁହିଁଙ୍କର ଗପପେଡି ଆପେ ଆପେ ଖୋଲିଯାଇଛି । ସେହି ପେଡିରେ ତାଲା ହିଁ ନାହିଁ । ଖୁବ୍ ଏଣୁତେଣୁ ଗପୁଥାନ୍ତି ଦୁହେଁ । କେବେ ଶେଫାଳି ସୁମନ୍ ର ଛାତି ଉପରେ ଅଜାଡି ହେଇ ପଡୁଥାଏ ତ କେବେ ପୁଣି ସୁମନ୍ ଶେଫାଳିର ଛାତି ଉପରେ ।
ଦୁଇଜଣ ଯାକ ଭୁବନେଶ୍ୱର ବାଣୀବିହାରରେ ପଢିଲା ଵେଳ ଠାରୁ ପରସ୍ପରକୁ ଭଲ ପାଉଥିଲେ । ଆଜିକାଲିର ଦେଖାଣିଆ ଭଲପାଇବା ଭଳି ପ୍ରେମୀ ଯୁଗଳ ନ ଥିଲେ ସେମାନେ । ଖୁବ୍ ଗଭୀର ଥିଲା ଦୁହିଁଙ୍କର ଆନ୍ତରିକତା ଭରା ପ୍ରେମ । ଛଳନାର ଛୋଟିଆ ଚିହ୍ନଟେ ବି ତାଙ୍କ ପ୍ରଣୟର ପାରିଧିକୁ ଛୁଇଁ ପାରିନଥିଲା ।
ଅବଶ୍ୟ ଘରଲୋକମାନେ ପ୍ରଥମରୁ ତାଙ୍କ ପ୍ରସ୍ତାବରେ ଅମଙ୍ଗ ଥିଲେ । ଦୁହେଁ ଘରଲୋକଙ୍କୁ ବହୁତ କଷ୍ଟରେ ମନେଇଥିଲେ । ଶେଷରେ ଏ ପବିତ୍ର ବନ୍ଧନ ପାଇଁ ପାରିବାରିକ ସାମାଜିକ ସ୍ଵୀକୃତି ମିଳିଥିଲା ଦୁହିଁଙ୍କୁ ।
ଶାସ୍ତ୍ରୀୟ ମତାନୁସାରେ,
ପ୍ରେମ ଯେତେବେଳେ ପୁଣ୍ୟ , ପବିତ୍ର , ଶାଶ୍ଵତ , ନିଃସର୍ତ୍ତ, ନିଃସନ୍ଦେହ ସେଠି ସ୍ଵୟଂ ଭଗବାନ ବି ବାଧା ଦେଇପାରନ୍ତିନି । ହାରି ଯାଆନ୍ତି ପ୍ରେମୀ ଯୁଗଳଙ୍କ ପାଖେ । ଯେମିତି ଦିନେ ରୁକ୍ମିଣୀଙ୍କ ଭଲପାଇବାର ନିଷ୍ଠା ଦେଖି ସ୍ଵୟଂ ଶ୍ରୀକୃଷ୍ଣ ବି ତାଙ୍କୁ ଅପହରଣ କରି ନେଇଆସିଥିଲେ ।
ସମସ୍ତଙ୍କ ସମର୍ଥନ ପାଇ ସେଦିନ ସତେକି ସେ ଦୁହେଁ
ଆଦାମ୍ _ ଇଵ୍
ଦେଵ୍ ଦାସ୍ - ପାରୋ
ପୃଥ୍ୱୀରାଜ - ସଂଯୁକ୍ତା
ଲୈଲା - ମଜନୁ
ସ୍ଵର୍ଗକୁ ହାତମୁଠାରେ ମୁଠେଇ ଧରିଥିଲେ ଯେମିତି ।
ଟ୍ରେନ୍ ଗନ୍ତବ୍ୟ ସ୍ଥଳକୁ ନିର୍ଵିଘ୍ନରେ ଯାତ୍ରା କରୁଥାଏ । ବାଟ ସରୁଥାଏ କିନ୍ତୁ ଟୁଆଁ ଟୁଇଁଙ୍କର ଗପ ସରୁ ନ ଥାଏ । ସୁମନ୍ କହୁଥାଏ ଶେଫାଳି ତୁମ ବିନା ଗୋଟିଏ ମୂହୁର୍ତ୍ତ ବି ବଞ୍ଚିପାରିଵିନି ମୁଁ । ତୁମେ ଅନୁଭବ କରିପାରିଵନି କେତେ ଭଲପାଏ ମୁଁ ତୁମକୁ । ମୋ ଜୀବନରେ ତୁମେ ବହୁତ ମୂଲ୍ୟବାନ । ଶେଫାଳି ବି କମ୍ ଭଲ ପାଉନି ତୁମକୁ ଧନ । ତୁମେ ଖୋଲିକି କହିପାରୁଛ ମୁଁ କହୁନି ସିନା ମୋ ହୃଦୟର ପ୍ରତିଟି ସ୍ପନ୍ଦନ ତୁମ ନାଁ କୁ ଗୁଣୁଗୁଣଉଛି । ତୁମେ ମୋ ପ୍ରେମ ମୋ ପୂଜା ମୋ ଦେବତା ମୋ ଆରାଧନା । ତୁମ ବିନା ଏ ଶେଫାଳିର ଅସ୍ତିତ୍ବ ଵା କାହିଁ ..! ଖାସ୍ ତୁମ ପାଇଁ ଏ ଶୁଷ୍କ ଶେଫାଳି ସଦାସର୍ବଦା ସତେଜ୍ ଓ ଚଳଚଞ୍ଚଳ । ଦୁଇ ଶରୀର ସିନା ଆମର କିନ୍ତୁ ଏକ ମନ ଏକ ପ୍ରାଣ ଏକ ଆତ୍ମା ଗୋଟିଏ ବିନ୍ଦୁରେ ସଂଲଗ୍ନ ।
ହଁ ଶେଫାଳି ଦାମ୍ପତ୍ୟ ଜୀବନ ଧନଦୌଲତ , ଆତ୍ମଵଡିମା ଓ ଅହଂକାର ସଂଜ୍ଞାରେ ସୀମିତ ନୁହେଁ ।ପ୍ରେମ , ବିଶ୍ଵାସ , କର୍ତ୍ତବ୍ୟବୋଧ , ଦାୟିତ୍ୱବୋଧ , ପାରସ୍ପରିକ ବୁଝାମଣା ଉଭୟ ଉଭୟଙ୍କୁ ଯଥେଷ୍ଟ ସମ୍ମାନ ଦେବା , ଖରାପ୍ ପରିସ୍ଥିତିରେ ପରସ୍ପରକୁ ସାହାଯ୍ୟ , ସହଯୋଗ ଓ ଉଚିତ୍ ପରାମର୍ଶ ଦେବାରେ ହିଁ ଏଇ ଦାମ୍ପତ୍ୟ ଜୀବନ ମଧୁମୟ ହୋଇଥାଏ । ଯେତେ ସୁଖ ଦୁଃଖ କିମ୍ବା ଘାତ ପ୍ରତିଘାତ ଆସୁ ପଛେ କେବେ ବିଚଳିତ ହେଵାନି କି ପରସ୍ପରଠାରୁ ଦୂରେଇଯିବାନି ।
ୟା ଭିତରେ ବୋଧେ ଶେଫାଳିର ଆଖିପତା ମୁଦି ହୋଇଯାଇଛି । ସେ ଆଉ ସୁମନ୍ କଥାରେ ହଁ କି ନା ମାରୁନି । ଗାଁ କୁ ଯିବ ପାର୍ଵଣ ପୂଜାରେ ଖୁବ୍ ମଜ୍ଜା କରିଵ ଏମିତି ହେଇ ହେଇ ପାଖାପାଖି ଆଠ ଦିନ ହେଵ ତା ' ଆଖିକୁ ନିଦ ନାହିଁ । ଶୋଇପଡୁ ଟିକେ ଶାନ୍ତିରେ ମୋ ଗେହ୍ଲୀଟା । ତା' ମଥାକୁ ଧିରେଧିରେ ଥାପୁଡେଇ ଦେଉଥାଏ ସୁମନ୍ ଓ ଚୁମା ଟିକେ ମଧ୍ୟ ନ ଦେଇ ରହିପାରୁନଥାଏ ଶେଫାଳିର ସେ ନିରୀହ ନୟନକୁ ।
ସତରେ ଵିଵାହ ତ ସ୍ଵର୍ଗରେ ସ୍ଥିର ହୋଇଥାଏ । ମର୍ତ୍ତ୍ୟରେ ପରିବାର ଓ ସମାଜ କେବଳ ବିଧିପୂର୍ବକ ତାକୁ ସମ୍ପାଦନା କରିଥାନ୍ତି । କେତେକ କ୍ଷେତ୍ରରେ ସ୍ଵାମୀ ସ୍ତ୍ରୀ ଉତ୍ତମ ବୁଝାମଣାରେ ସାରାଜୀବନ ଆନନ୍ଦରେ କାଟିଦିଅନ୍ତି ତ କେତେକ କ୍ଷେତ୍ରରେ ଵାସର ରାତିର ବିଛଣା ପଡ଼ିବା ଆଗରୁ ମନୋମାଳିନ୍ୟ ଓ ସନ୍ଦେହରେ ଵିଵାହ ବିଚ୍ଛେଦ ହୋଇଥାଏ । ଏସବୁ ବହୁତ କଷ୍ଟକର ଓ ଯନ୍ତ୍ରଣାଦାୟକ ଉଭୟ ପତିପତ୍ନୀ ଓ ପରିବାରର ସଦସ୍ୟଙ୍କ ପାଇଁ ।
କିଛି ସମୟ ପରେ ଗାଡ଼ି ଷ୍ଟେସନରେ ପହଞ୍ଚିଲା । ଉଭୟ ଓଲା ଗାଡ଼ି ବୁକ୍ କରି ଘରକୁ ଗଲେ । ଘରେ ସୁମନ୍ ର ବାପା,ମାଆ , ବଡ଼ଭାଇ , ଭାଉଜ ତାଙ୍କ ପୁଅ ରିତେଶ ଓ ସୁମନ୍ ର ଭଉଣୀ ଲିକୁନ୍ ସମସ୍ତେ ବହୁତ ଖୁସି ହେଲେ ସୁମନ୍ ଓ ଶେଫାଳିକୁ ଦେଖି । ଦୁହେଁ ଗାଧୋଇ ପାଧୋଇ ନିତ୍ୟକର୍ମ ସାରି ଡାଇନିଙ୍ଗ ଟେବୁଲ୍ ପାଖରେ ସମସ୍ତଙ୍କ ସହିତ ଜଳଖିଆ ଖାଇବା ପାଇଁ ବସିଲେ । ସୁମନ୍ ର ପ୍ରିୟ ଗରମ୍ ଗରମ୍ ସୁଜି କାକରା ଓ ଵାଡିଆ ଡାଲମା ତାଙ୍କ ମାଆ ନିଜ ହାତରେ ତିଆରି କରିଥାନ୍ତି ପୁଅ ପାଇଁ । ସୁମନ୍ ଓ ଶେଫାଳି ମଧ୍ୟ ଗରମ ସିଙ୍ଗଡ଼ା ଓ ରସଗୋଲା କିଣି ନେଇଥିଲେ । ସମସ୍ତେ ପେଟ ଭରି ଖୁସିରେ ଖାଇଲେ ସକାଳ ଜଳଖିଆ ।
ଦ୍ବିପ୍ରହର ମଧ୍ୟାହ୍ନ ଭୋଜନ ପାଇଁ ଵି ବହୁତ ସୁନ୍ଦର ଖାଦ୍ୟ ପ୍ରସ୍ତୁତ କରୁଥାନ୍ତି ସୁମନ୍ ର ମାଆ ଓ ଭାଉଜ ମିଶି ।ସୁମନ୍ ପାଇଁ ତାଙ୍କ ବଡ଼ ଭାଇ ଛୋଟ ମହୁରାଡି , କେରାଣ୍ଡି ଓ ସିଙ୍ଘି ମାଛ କିଣିକରି ଆଣିଥାଆନ୍ତି । ତାଙ୍କର ବଡ଼ ମାଛ ଅପେକ୍ଷା ଛୋଟ ମାଛ ଵେଶୀପ୍ରିୟ । ଛୋଟ ମାଛରେ ବେଶୀ ଭିଟାମିନ । ତେଣୁ ଡାକ୍ତରମାନେ ଆଜିକାଲି ଛୋଟ ମାଛ ଖାଇବାକୁ ପରାମର୍ଶ ଦେଉଛନ୍ତି । ସୁମନ୍ ର ମାଆ ସେହି ମାଛକୁ ଆମ୍ଵୁଲ ଓ ସୋରିଷ ଦେଇ ଠୁକ୍ ଠୁକା କରିବେ । ସେଥିପାଇଁ ସେ ସୋରିଷ ମସଲା ଶିଳରେ ବାଟୁଛନ୍ତି । ମୋ ଶାଶୁ କୁହନ୍ତି ଗ୍ରାଇଣ୍ଡର ଅପେକ୍ଷା ଶିଳର ବାଟଣ କୁଆଡେ଼ ଅଧିକ ସ୍ଵାଦିଷ୍ଟ । ଆଜିକାଲିର ଝିଅ ବୋହୂ ନିଜ ଅଳସୁଆ ପଣ ପାଇଁ ଯେମିତି ମନ ସେମିତି ରୋଷେଇ କରିଦେଉଛନ୍ତି ।ସେ ସ୍ଵାଦିଷ୍ଟ ହେଲେ କେତେ ନ ହେଲେ କେତେ । ଅବଶ୍ୟ ସେ ଆମ ଦୁଇ ବୋହୂଙ୍କ ଉଦ୍ଦେଶ୍ୟରେ କୁହନ୍ତିନି କିନ୍ତୁ ଆମେ ତାଙ୍କ କଥାକୁ ନିଜ ଆଡ଼କୁ ଟିକେ ଭିଡିଆଣୁ । ସୁମନ୍ ର ମାଆ ଵାଡିପଟ ସଜନା ଗଛରୁ ସୁନ୍ଦର କଅଁଳିଆ ସଜନା ଶାଗ ମଧ୍ୟ ତୋଳି ଆଣିଛନ୍ତି ।ତାକୁ ମୁଗ ନଡ଼ିଆ ପକେଇ ରାନ୍ଧିଵେ । ୟାଙ୍କର କୁଆଡେ ସଜନା ଶାଗ ବହୁତ ପସନ୍ଦ ।
ଶେଫାଳି ସବୁ ଦେଖି ଖୁବ୍ ଖୁସି ହେଉଥାଏ । ମନେମନେ ନିଜକୁ ଭାଗ୍ୟବତୀ ବୋଲି ଭାବୁଥାଏ । କେତେ ଜନ୍ମର ପୁଣ୍ୟ ଫଳରେ ଏଭଳି ଶାଶୁଘରଟିଏ ମିଳିଛି ମୋତେ ।
ସତରେ ଝିଅର ଭାଗ୍ୟ --
ପତର ତଳେ ନ ହେଲେ ପଥର ତଳେ !
ତା ' ବଡ଼ ଯାଆଙ୍କୁ କାମରେ ସାହାଯ୍ୟ କରିବାପାଇଁ ଶେଫାଳି କହୁଥାଏ , ଅପା ମୋତେ ଦିଅନ୍ତୁ ମୁଁ ରାନ୍ଧି ଦେବି । କିନ୍ତୁ ସେ କ'ଣ ଅବିବେକୀ ନା କୁସଂସ୍କାରୀ ହେଇଛନ୍ତି ଯେ ବଡ ଯାଆର ମାଲିକାନା ଆଉ ପ୍ରଭୁତ୍ଵ ଜାହିର୍ କରିବେ ସାନ ଯାଆ ଉପରେ ।ଓଲଟି ସେ ମୋତେ କହିଲେ ଏତେ ଵାଟରୁ ଆସିଛୁ ବହୁତ ହାଲିଆ ଲାଗୁଥିବ ଯାଆ ଟିକେ ବିଶ୍ରାମ ନେଇ ଯିବୁ ।ଖାଇଲା ଵେଳକୁ ତୋତେ ଡାକିଦେଵି ମୁଁ ।ମନମନେ ଭାବିଲି ଏ ବଡ ଯାଆ ନୁହେଁ ମୋ ନିଜର ବଡ଼ ଭଉଣୀ ।
ମୋତେ ବି ବହୁତ ଅବଶ ଲାଗୁଥାଏ । ମୋ ଵେଡ୍ ରୁମ୍ କୁ ଯାଇ ଦେଖିଲି ସୁମନ୍ ସବୁ ଝଡାଝଡି କରି ପରିଷ୍କାର ଵେଡ୍ ସିଟ୍ , ତକିଆ ସାଇଜ୍ କରି ପକେଇ ଦେଇଛନ୍ତି । ପାଣି ବୋତଲ ଓ ଅମୃତଞ୍ଜନ ଖଟ ମୁଣ୍ଡ ପାଖେ ରଖିଦେଇଛନ୍ତି । ସେ ଭଲଭାଵେ ଜାଣିଛନ୍ତି ମୁଁ ଥକିଗଲେ ଥଣ୍ଡା ପାଣି ଟିକେ ପିଇ ଅମୃତଞ୍ଜନ ମୁଣ୍ଡରେ ବୋଳି ଶୋଇପଡିଲେ ମୋତେ ସାଙ୍ଗେ ସାଙ୍ଗେ ନିଦ ଆସିଯାଏ ଓ ମୋ ହାଲିଆ ମେଣ୍ଟିଯାଏ ।
ଟିକିଏ ଛାଇନିଦ ଲାଗିଛି କି ନାହିଁ ପୁଣି ପ୍ରେମିକ ପ୍ରବର ପଳେଇ ଆସିଲେ ବାହାନା କରି କରି । ମୋ ଛାତି ଉପରେ ମଥା ରଖି ମୋ ହାତ ଉପରେ ହାତ ଛନ୍ଦି ଛୋଟିଆ ଅବୋଧ ଶିଶୁଟିଏ ପରି ପଡିରହିଲେ । ନା ସେ କିଛି କହୁଥାନ୍ତି ନା ମୁଁ କିଛି । କିଛି ସମୟ ପରେ ମୋ ହାତ ଟିକେ ଓଦା ଓଦା ଲାଗଲା ପରି ମନେହେଲା । ସୁମନ୍ ଙ୍କ ଆଖିରୁ ଲୁହ ଝରିଲା ପରି ମୁଁ ଅନୁଭବ କଲି । ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲି କ'ଣ ହେଲା ତୁମର ..? କାହିଁକି କାନ୍ଦୁଛ ... ?
ନା ... କିଛି .. ନାହିଁ .. ସେମିତି !
ତୁମେ କାନ୍ଦିଲେ ମୋତେ ବହୁତ କଷ୍ଟ ଲାଗୁଛି । କ'ଣ ହେଇଛି ପ୍ଲିଜ କୁହ ।ସୁମନ୍ ସେଥିରୁ କହିଲେ ତୁମେ ମୋତେ କେବେ ଛାଡ଼ି ପଳେଇଯିବନି ତ ..! ଆରେ ବାବା କୁଆଡେ଼ ଯିବି ମୁଁ ... ମୁଁ ଏତେ ଶୀଘ୍ର ମରିଯାଉନି ମ ଲମ୍ବା ଆୟୁଷ ମୋ'ର ଜମା ବ୍ୟସ୍ତ ହୁଅନି ।ସୁମନ୍ ଙ୍କ ଦେହକୁ ଆହୁରି ଲାଗିଯାଇ ତାଙ୍କ ମଥାକୁ ଟିକେ ଗେଲ କରିଦେଲି । ଖାଇବା ସମୟ ହେଇଗଲା । ଶାଶୁ ନିଜେ ଆସିଲେ ଆମ ଦୁହିଁଙ୍କୁ ଡାକିବା ପାଇଁ । ନିଜ ହାତରେ କାଠ ଚୁଲିରେ ସବୁ ରାନ୍ଧି ଛନ୍ତି । ସତରେ ଏତେ ସ୍ବାଦ ଚୁଲିରେ ରନ୍ଧା ଖାଦ୍ୟ ।ନ ଖାଇଲେ ବିଶ୍ଵାସ କରିହେଵନି ।
ଆଜିକାଲିର କର୍ମଜୀବୀ ମାଆ ମାନେ ତ ଗ୍ୟାସ୍ ରେ ରାନ୍ଧିକି ଗଣ୍ଡେ ଦେବେ ବୋଲି ଘରେ କୁରୁକ୍ଷେତ୍ର ଯୁଦ୍ଧ କରିଦେଉଛନ୍ତି ଆଉ ଚୁଲିରେ ରାନ୍ଧି ପରଷିବେ କୁଆଡୁ । ସମସ୍ତେ ମନଖୁସିରେ ପେଟ ଭରି ଖାଇଲେ ।
ସନ୍ଧ୍ୟାରେ ସମସ୍ତେ ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ଦେଵୀ ମେଢ଼ ଦେଖିବାକୁ ବାହାରିଲୁ । ଆମ ଘରର ବୋଲେରୋ ଗାଡ଼ିରେ ସମସ୍ତେ ବସିଲୁ ।ସୁମନ୍ କିନ୍ତୁ ଚାହୁଁ ନ ଥିଲେ ଘର ଗାଡ଼ିରେ ଏକାଠି ସମସ୍ତେ ସାଙ୍ଗ ହୋଇଯିବାକୁ । ୟା ମାନେ ନୁହେଁ ଯେ ସେ ଘର ଲୋକଙ୍କୁ ଆଦର କରୁନାହାଁନ୍ତି । ପ୍ରେମିକ ବାବୁଙ୍କ ସମସ୍ତଙ୍କ ସହିତ ଗଲେ କାଳେ ରୋମାନ୍ସ ଜମିଵନି । ମୋ ସାଙ୍ଗରେ ଟିକେ ଫ୍ରି ରେ କଥା ହେଇପାରିବେନି । ସାଙ୍ଗେ ସାଙ୍ଗେ ବାହାନା ଆରମ୍ଭ କରିଦେଲେ କି ଏତେ ଲୋକ କେମିତି ଅଳ୍ପ ସିଟ୍ ରେ ବସିବ । ମୋ'ର ଓ ଶେଫାଳି ର ବାଇକ୍ ରେ ପଳେଇଵୁ । ତୁମେ ସମସ୍ତେ ଘର ଗାଡ଼ିରେ ଯାଅ । ଆମେ ଘର ତାଲା ଦେଇ ଯାଉଛୁ ।
ଠିକ୍ ସେଇୟା ହେଲା । ସେମାନେ ଗଲାପରେ ଆମେ ବାଇକ୍ ରେ ଗଲୁ । ଘର ପାଖାପାଖି ପ୍ରାୟ ଆମ ସାହିରେ ଛଅ ସାତୋଟି ସୁନ୍ଦର ସୁନ୍ଦର ମେଢ଼ ଦେଖିଲୁ । ପାର୍ବଣର ରଙ୍ଗୀନ୍ ମାହୋଲ୍ ଭିତରେ ଆମ ପ୍ରେମ ବି ଖୁବ୍ ରଙ୍ଗୀନ୍ ରଙ୍ଗୀନ୍ ମହକୁଥିଲା । ସୁମନ୍ ମୋ ହାତକୁ ତାଙ୍କ କାନ୍ଧ ଉପରେ ରଖିବାକୁ କହିଲେ ଆଉ ଟିକେ ତାଙ୍କ ଆଡ଼କୁ ଲାଗି ହୋଇ ବସିବାକୁ ବାରମ୍ବାର ତାଗିଦ୍ କରୁଥାଆନ୍ତି । ସତେ ଯେମିତି ଫିଲ୍ମ୍ ସୁଟିଂ ଚାଲିଛି ଆଉ ନିର୍ଦ୍ଦେଶକଙ୍କ କଥା ନ ମାନିଲେ ଚାକିରୀରୁ ଛଟେଇ । ମୁଁ କିନ୍ତୁ ବଡ଼ ପାଟିରେ ନ ହେଲେବି ଗୁଣୁଗୁଣୁ ହୋଇ ରାଗୁଥାଏ ତାଙ୍କୁ । ପୁଣି ସୁମନ୍ ଙ୍କ ମୋ ପ୍ରତି ଏତେ ଅହେତୁକ ଭଲପାଇବା ଦେଖି ଲାଗୁଥିଲା ସତେ ଯେମିତି ଆମେ ବିଶ୍ଵର ସର୍ବଶ୍ରେଷ୍ଠ ପ୍ରେମୀ ଦମ୍ପତି ।
ଠିକ୍ ଏଇ ସମୟରେ କାଳ ଛଞ୍ଚାଣ ଯେମିତି ଆମ ମୁଣ୍ତ ଉପରେ ଫଡ୍ ଫଡ୍ ହୋଇ ଉଡିଗଲା । ହଠାତ୍ ଏକ ବଡ଼ ଟ୍ରକ୍ ଆମ ଗାଡ଼ି ଉପରକୁ ମାଡ଼ି ଆସିଲା ଜୋର୍ ରେ ପଛପଟୁ ଧକ୍କା ଦେଇ । ସୁମନ୍ ଗାଡିଠୁ ଛିଟିକି କୋଡ଼ିଏ ହାତ ଦୂରରେ ଆଉ ମୁଁ ତାଙ୍କ ଗୋଡ଼ ପାଖକୁ । ସୁମନ୍ ଙ୍କ ଦେହସାରା ରକ୍ତ ଜୁଡୁବୁଡୁ । ଖୁବ୍ ଶାନ୍ତ ପଡିଯାଇଥିଲେ ସେ କିଟ୍ ମିଟ୍ କଳା କଳା ଭୟଙ୍କର ଅନ୍ଧାର ଭିତରେ । ନା ହଲୁଥିଲା ତାଙ୍କ ବିରାଟ ଅବୟଵର କିଛି ସାମାନ୍ୟ ଅଂଶ ନା ବକ୍ ଵକ୍ ହେଉଥିବା ଚବିଶି ଘଣ୍ଟିଆ ସେଇ କଥାକୁହା ଯନ୍ତ୍ର ତାଙ୍କ ପାଟିଟି । ନୀରଵି ଯାଇଥିଲା ତାଙ୍କ ସର୍ବାଙ୍ଗ କଳେବର । ମୋର ଟିକେ ଚେତା ଥିଲା । କିନ୍ତୁ ସୁମନ୍ ଙ୍କର ଏ ଅବସ୍ଥା ଦେଖି ମୋ ଦେହ ଵରଡା ପତ୍ର ପରି ଗୋଟାସୁଦ୍ଧା ଥରୁଥାଏ । ବିପଦ ବେଳେ ଧୈର୍ଯ୍ୟ ହରା ନହୋଇ ସୁଚିନ୍ତିତ ବ୍ୟବସ୍ଥା କରି ପରିସ୍ଥିତିରୁ ମୁକୁଳିବା ହେଉଛି ପ୍ରକୃତ ଵୁଦ୍ଧିମାନ୍ ର କାମ ବୋଲି ମୋ ବାପା ସବୁବେଳେ କୁହନ୍ତି । ସେଇ ସମୟରେ ବାପାଙ୍କ ସେଇ କଥା ପଦିକ ମୋତେ ବହୁତ ସାହସ ଦେଲା । ସାଙ୍ଗେ ସାଙ୍ଗେ ଦେଢଶୁରଙ୍କ ନମ୍ବରକୁ ଫୋନ୍ କଲି । ସେ ସମସ୍ତେ ଆସିଲେ ।
ସେ ମର୍ମନ୍ତୁଦ ଦୃଶ୍ୟ ସେ କରୁଣ ଭାଷ୍ୟ ଶବ୍ଦରେ ବର୍ଣ୍ଣିବା ବାହୁଲ୍ୟ ମାତ୍ର ।କି ବୁକୁଫଟା ଚିତ୍କାର ସେଦିନ ସେ ଘମାଘୋଟ କଳା ଅନ୍ଧାର ଭିତରେ ସୁମନ୍ ଙ୍କ ମାଆଙ୍କର । ହେ ଭଗବାନ୍ ଏମିତି ଦୁଃଖ ସାତ ଶତ୍ରୁକୁ ବି ନ ଦିଅନ୍ତୁ । ସମସ୍ତେ ସୁମନ୍ ଙ୍କୁ ଟେକି ଗାଡ଼ିରେ ଶୁଆଇ ସିଟି ହାସପାତାଲକୁ ନେଲୁ । ଡାକ୍ତର ମାନେ ଦେଖୁଥାନ୍ତି କିଏ ଷ୍ଟେଥୋରେ ତ କିଏ ଆଖି ମେଲେଇ କିଏ ଛାତିକୁ ଲଘୁ ଆଘାତ ଦେଇ ପୁଣି କିଏ ତାଙ୍କ ନିର୍ଵାକ୍ ଶରୀରକୁ ଚିମୁଟିଦେଇ ଚାଲିଯାଉଥାନ୍ତି । କେତେ ଡାକ୍ତରଙ୍କ ଗୋଡତଳେ ପଡ଼ିଛି ସେଦିନ କେତେ ନେହୁରା ହେଇ କହିଛି ସେମାନଙ୍କୁ ମୋ ଜୀବନକୁ ନେଇ ତାଙ୍କ ଶରୀରରେ ଖଞ୍ଜିଦିଅ । ସେ ଚେଇଁ ଉଠନ୍ତୁ । ତାଙ୍କ କଥାକୁହା ଯନ୍ତ୍ର ଵାଜିଉଠୁ ।
କିନ୍ତୁ ହାୟ ...! ଏ କ'ଣ...
ସବୁ ଡାକ୍ତରଙ୍କର ସେଇ ଗୋଟିଏ ଧାଡ଼ି - " ହି ଇଜ୍ ନୋ ମୋର୍ " ।
ଲଥ୍ କିନା ବସିପଡ଼ିଲି ବହଳେ ବାଲିଧୂଳିର ସେ ଡାକ୍ତରଖାନା ବାରଣ୍ଡାରେ । ଛଟ୍ ଛଟ୍ ହେଇଯାଉଥାଏ ମୁଁ ଏକ ଅକୁହା ଯନ୍ତ୍ରଣାରେ । ମୋ ଧନ ଫେରିଆସ ।ଵଞ୍ଚିପାରିଵିନି ତୁମ ବିନା ଏତେ ବଡ଼ ଦୁନିଆରେ । ବହୁତ ହଲେଇ ଡ଼ାକିଲି ହେଲେ ସେ କ'ଣ ଶୁଣିଲେ ! ସତେ ଯେମିତି ବହୁତ ବକ୍ ଵକ୍ ହେଇ ହାଲିଆ ହେଇ ଶୋଇପଡିଛନ୍ତି ।
ତାଙ୍କ ବାପା ମାଆ ଭାଇ ଭଉଣୀ ସମସ୍ତେ ଯେମିତି କାକୁସ୍ଥ ସ୍ଥାଣୁ ପ୍ରାୟ । ଓଃ... କି ମର୍ମସ୍ପର୍ଶୀ ସେ କାରୁଣ୍ୟତା ... ସତରେ... !
ସେଦିନଠୁ ମୋ'ର ଜୀବନ ଯାନଟା ଯେମିତି ସେଇଠି ଅଧା ବାଟରେ ଅଟକି ଯାଇଛି । ନା ଆଗକୁ ନା ପଛକୁ । ଚତୁର୍ଦ୍ଦିଗ ଘୋର ଅନ୍ଧକାର ।ଏକ ବିରାଟ ଶୂନ୍ୟତାରେ ମୋ'ର ଏ ପ୍ରାଣ ଏ ଦେହ । ବୈଧବ୍ୟର ରିକ୍ତତାରେ ଆଉଟି ହେଉଛି ପ୍ରତି ମୁହୂର୍ତ୍ତରେ ।
ସୁମନ୍ ଙ୍କ ସ୍ମୃତି ହିଁ ଏକମାତ୍ର ସାହାରା ମୋର ଏଇ ନିଃସଙ୍ଗ ଜୀବନରେ ।ସେଵେଠୁ ଏ ପାର୍ବଣ ମୋ ପାଇଁ ଏକ ଅଭିଶାପ । ଏକ ଭୟାନକ ଆତଙ୍କ । ଏହା ନୁହେଁ ମୋ ପାଇଁ ଆନନ୍ଦର ଅନ୍ଵେଷଣ । ଏହା କେବଳ ଏକ ପୁରୁଣା ଗଭୀର କ୍ଷତରୁ ଏକ ଅସ୍ତବ୍ୟସ୍ତ ଅନ୍ତଃହୀନ ଅଗ୍ନି ଉଦଗୀରଣ । ଯେଉଁଥିରେ ଅର୍ଦ୍ଧ ଦଗ୍ଧ ମୋ ପ୍ରାଣ କଷ୍ଟ ବି ଭୀଷଣ । ଅଚେତ ମୋ ଭାବପ୍ରବଣ ।
ଅକାଳରେ ଅସମୟରେ ହୋଇଯାଇଛି_ " ମୋ ପ୍ରେମର ମହାନିର୍ଵାଣ " ।

