STORYMIRROR

Jyotsnarani Panda

Inspirational

4  

Jyotsnarani Panda

Inspirational

ଆସ ମିଳିମିଶି ବୁଲିଯିବା

ଆସ ମିଳିମିଶି ବୁଲିଯିବା

7 mins
366

ବିଦ୍ୟାଳୟର ସଭାରେ ସେଦିନ ଦର୍ଶନୀୟ ସ୍ଥାନ ବୁଲିଯିବା ବିଷୟରେ ଖୁବ୍ ଆଲୋଚନା ଚାଲିଥାଏ । ପିଲାମାନେ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହମତି କ୍ରମେ ସ୍ଥାନ ମଧ୍ୟ ସ୍ଥିର କରାଗଲା । କୋଣାର୍କ ବୁଲିଯିବା ଆଉ ରାମଚଣ୍ଡୀରେ ଭୋଜି ହେଵ । ସପ୍ତମ ଶ୍ରେଣୀ ଇତିହାସରେ ଏଇ କୋଣାର୍କ ବିଷୟଟି ପାଠ୍ୟକ୍ରମରେ ଥିବାରୁ ପିଲାମାନଙ୍କ ବୁଝିବା ପାଇଁ ସୁବିଧା ହେବ ଏବଂ ଭୋଜିର ଆନନ୍ଦ ମଧ୍ୟ ମିଳିବ । ପ୍ରତି ପିଲାଙ୍କ ପାଇଁ ତିନିଶହ ଟଙ୍କା ଚାନ୍ଦା କରାଗଲା ଓ ଡିସେମ୍ବର ମାସ ବାଇଶି ତାରିଖକୁ ଦିନ ଧାର୍ଯ୍ୟ କରାହେଲା । 


   ଲିଜା, ମିତୁ, ଶୀତୁ, ରାଜା, ଆଭା ଏମିତି ସମସ୍ତ ପିଲା ଖୁବ୍ ଖୁସି ହେଉଥିଲେ । କିନ୍ତୁ ସପ୍ତମ ଶ୍ରେଣୀର ମୋ ସହପାଠୀ ରମେଶ ଆଉ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ପୂଜା କେମିତି ଗୋଟିଏ ଅସ୍ୱାଭାବିକ ଅନ୍ୟମନସ୍କତାରେ ରହିଲା ପରି ଦୃଶ୍ୟ ହେଉଥାନ୍ତି ।

  ତିନିଶହ ଟଙ୍କା ଚାନ୍ଦା ଘରେ ଦେବାକୁ ରାଜି ହେବେ କି ନାହିଁ ରମେଶ ଏହି କଥାକୁ ଘାରି ହେଇ ଭାବୁଥାଏ । ତା' ବାପାଙ୍କର କେବେଠାରୁ ଗାଡ଼ି ଦୁର୍ଘଟଣାରେ ଗୋଡ଼ ଭାଙ୍ଗି ଯାଇଥିଲା ।ସେ ସମ୍ପୂର୍ଣ୍ଣ ଅକର୍ମଣ୍ୟ । ତା ମାଆ ବାବୁ ଵାଵୁଆଣୀଙ୍କ ଘରେ କାମକରି ଯାହା ରୋଜଗାର କରନ୍ତି ସେଥିରେ ଦୁଇ ପିଲାଙ୍କ ପଢ଼ା ଖର୍ଚ୍ଚ ସ୍ଵାମୀଙ୍କ ଔଷଧ ଓ ପରିବାର ଦାୟିତ୍ଵ କୌଣସି ପ୍ରକାରେ ଚଳାଇଦିଅନ୍ତି ।। ଆଉ ଏ ବୁଲାବୁଲି କରିବା ଅଯଥା ଖୁସିକୁ ସାଉଁଟିବା ନିହାତି ତାଙ୍କ ସାମର୍ଥ୍ୟର ବହାରେ । ଏ ଅକସ୍ମାତ୍ ଆନନ୍ଦ ଦୁଃସ୍ୱପ୍ନ ଛଡ଼ା ଆଉ କ'ଣ ଵା ହୋଇପାରେ ..! 


  ସେମିତି ବି ପୂଜାଙ୍କ ବାପା ଜଣେ ପେଶାଦାର ମଦ୍ୟପ ।ନିଜେ ରିକ୍ସା ଚଳାନ୍ତି । ଯାହା ରୋଜଗାର କରନ୍ତି ଘରକୁ ଦେଲେ ଦିଅନ୍ତି ନହେଲେ ନାଇଁ । ସୂର୍ଯ୍ୟ ପଛେ ଉଦୟ ଅସ୍ତ ବନ୍ଦ କରିଦେଵେ କିନ୍ତୁ ପୂଜା ବାପାଙ୍କର ପ୍ରତିଦିନ ପେଟେ ଲେଖାଏଁ ମଦ ପିଇ ନିଶାର୍ଦ୍ଧରେ ଘରକୁ ଫେରିବା ଥୟ । ଖୁବ୍ ମାଡ଼ ଦିଅନ୍ତି ପୂଜା ମାଆଙ୍କୁ ଯଦି କିଛି ପ୍ରତିରୋଧ କଲେ କିମ୍ବା କିଛି ଆବଶ୍ୟକୀୟ ଜିନିଷ ଆଣିବାକୁ ବରାଦ କରନ୍ତି । ବେଳେବଳେ ପୂଜା ଆଉ ତା' ଭାଇକୁ ମଧ୍ୟ ନିଶାଗ୍ରସ୍ତ ଅବସ୍ଥାରେ ଖୁବ୍ ମାଡ଼ ଦିଅନ୍ତି । ପାଖ ପଡ଼ଶା ଯଦି କାନ୍ଦିବା ଶବ୍ଦ ଶୁଣନ୍ତି ତେବେ ରୋକିଦିଅନ୍ତି ନ ହେଲେ ତାଙ୍କ ଅବସ୍ଥା ଅସମ୍ଭାଳ ହୋଇପଡ଼େ । ଦଇଵ କେଜାଣି କାହିଁକି ଏତେ ଦୁଃଖ ସେମାନଙ୍କ ଭାଗ୍ୟରେ ଲେଖିଛି ..! 

    ପୂଜା ସେଥିପାଇଁ ବିଦ୍ୟାଳୟରେ ପ୍ରାୟ ସମୟ ମନଦୁଃଖ ଓ ଏକୁଟିଆ ହୋଇ ରହି କ'ଣ ଗୁଡ଼ାଏ ଏଣୁତେଣୁ ଭାବିଲା ପରି ମନେହୁଏ । ବେଳେବେଳେ ଓପାସରେ ମଧ୍ୟ ବିଦ୍ୟାଳୟକୁ ଆସେ । ଭୋକ ଲାଗେ କି କ'ଣ କେଜାଣି ଲୁଚିଲୁଚି କାନ୍ଦୁଥାଏ । ସମୟେ ସମୟେ ଫ୍ରକର ତଳପଟକୁ ଟେକିନେଇ ସେ ମସିଆ କପଡ଼ାରେ ଆଖି ଦୁଇଟିକୁ ପୋଛି ପକାଏ ।ଯଦି କେହି ଟିଫିନ୍ ଖୋଲି କିଛି ଭଲ ଜିନିଷ ଖାଉଥାଏ ଭାରି ଡହଳ ବିକଳ ହୋଇ ଆଖି ଦୁଇଟାକୁ ଖାଦ୍ୟରେ ଯେମିତି ପୂରେଇ ଦେଇଥାଏ । ସତେ ଯେମିତି ଆଖି ପଟିଆ ଖାଇଯିଵ । କି କରୁଣ ଦୃଶ୍ୟ ..! ହେ ପ୍ରଭୁ କାହିଁକି ଏମିତି ପାତର ଅନ୍ତର କରିଥାନ୍ତି କେଜାଣି ।କିଏ ଖିରି ପୁରି ଖାଇବାକୁ ଅମଙ୍ଗ ତ ପୁଣି କିଏ ଵାସି ତୋରାଣି ଟୋପେ ପିଇବାକୁ ବି ପାଏନି । ପୂଜା ଖାଦ୍ୟକୁ ଦେଖି ଦେଖି ରହେ ସିନା କିନ୍ତୁ ଖାଇପାରେନି । ଖାଦ୍ୟକୁ କ'ଣ ଦେଖିଦେଲେ ପେଟପୂରେ ଖାଇଲେ ସିନା ପେଟ ପୂରେ ଓ ଭୋକ ମରେ । ଯଦି ଧନୀ ଘର ଛୁଆ ସେ ଲମ୍ବା ଲମ୍ବା ମ୍ୟାଗି କି ଚାଓମିନ ଅବା କିଛି ବଡଲୋକିଆ ଖାଦ୍ୟଖାଇ ଖାଇ ମନ ଭରିଗଲେ ତଳେ ଫୋପାଡି ଦିଅନ୍ତି ତେବେ ସେମାନେ ଟିଫିନ୍ ନେଇ ଧୋଇବାକୁ ନଳକୂପ ପାଖକୁ ଗଲାବେଳେ ପୂଜା ବିଲେଇ ଭଳି ଚାହିଁ ରହିଥାଏ ସାଙ୍ଗେ ସାଙ୍ଗେ ଝାମ୍ପ ଦେଇ ତଳୁ ଗୋଟେଇ ତାକୁ ଖାଇଦିଏ ।ସତେ ଯେମିତି ଆଜି ତାକୁ ପଞ୍ଚ ତାରକା ହୋଟେଲର ଖାଦ୍ୟ ମିଳିଯାଇଛି । ଧନ୍ୟ ସେ ପ୍ରଭୁଙ୍କୁ କାହା ପାଇଁ କ'ଣ କୋଉଠି କିପରି ଦୁଃଖ ସୁଖ ସାଇତି ରଖିଥାଆନ୍ତି ତାଙ୍କୁ ହିଁ କେବଳ ଜଣା । ଆଉ ଏ ବଣଭୋଜି, ଦର୍ଶନୀୟ ସ୍ଥାନ ବୁଲିଯିବା କଥା, ଚିକ୍ ମିକ୍ ପୋଷାକ ପିନ୍ଧିବା, ପାଉଡର, ଲିପ୍ ଷ୍ଟିକ୍ ଲଗେଇ, ଅତର ପକେଇ ଫେସନ ଦେଖେଇ ପଦାକୁ ଫିଟିଯିବା ସେମାନଙ୍କ ପାଇଁ ଅଷ୍ଟମ ଆଶ୍ଚର୍ଯ୍ୟ ନୁହେଁ ତ ଆଉ କ'ଣ ବା କହିପାରିବା କୁହ ତ ..! 


   ଏ କଥା ଦେଖି ମୋ ମନ କିନ୍ତୁ ଭାରି ଦୁଃଖ ଲାଗୁଥାଏ । ସମସ୍ତେ ସିନା ସାଙ୍ଗ ହୋଇ ଵୁଲିଗଲେ ମଜା ଲାଗିବ ଆଉ ଏକା ଏକା କି ମଜା ମ ..! ଏକଥା ବିଦ୍ୟାଳୟରେ ସମସ୍ତେ ଜାଣନ୍ତି ଯେ ମାଧବ ଜଣେ ସାହାଯ୍ୟକାରୀ ଆଉ ପରୋପକାରୀ ପିଲା । କାହାର ଦୁଃଖ ଦେଖିଲେ ତା’ ମନ ଯେମିତି ବରଫ ଭଳି ତରଳିଯାଏ । ଅନ୍ୟର ଲୁହ ଦେଖି ସମ୍ଭାଳିପାରେନି ସେ । ଯେନତେନ ପ୍ରକାରରେ ନିଜର ଯାହା ସାମର୍ଥ୍ୟ ସେଥିରେ ସାହାଯ୍ୟ କରିବାକୁ ଆଗଭର ହୋଇପଡ଼େ । ଅବଶ୍ୟ କେତେ ଦୟାଳୁ ମୁଁ ନିଜେ ବି ଜାଣିନି ।ତଥାପି ପାରୁପର୍ଯ୍ୟନ୍ତ ପ୍ରୟାସ କରେ କାହାର ସେ ଶୁଖିଲା ମରୀଚିକା ପରି ମୁହଁରେ ଟିକେ କଅଁଳ ହସର ମରୁଝର ଝରେଇବାକୁ । ମଣିଷ ହୋଇ ଯଦି ମାନବିକତା, ଦୟା, ସାହାଯ୍ୟ ଗୁଣ ପାଖରେ ରହିବନି ତେବେ କି ମଣିଷରେ ଗଣା ଆମେ । ପଶୁଠାରୁ ବି ହୀନ ହେଇଯିବା । 


   ରମେଶ ଆଉ ପୂଜା କଥା ମୋ ମୁଣ୍ଡରେ ଚକ୍କର୍ କାଟୁଥାଏ । କି ଉପାୟ କଲେ ସେ ଦୁଇ ଜଣ ଆମ ସାଥିରେ ବୁଲିବାକୁ ଯାଇପାରିବେ ସେଇ କଥା ଭାବୁଥାଏ । ଘରକୁ ଗଲି । ମୋ ସରାଘଡିକୁ ନେଇ ଛାତ ଉପରକୁ ଗଲି । ଯେତେବେଳେ ଆମ ଘରକୁ କୁଣିଆ ଆସନ୍ତି ଯାହା ଟଙ୍କା ଖୁସିରେ ଦିଅନ୍ତି ମୁଁ ତାକୁ ଖର୍ଚ୍ଚ ନ କରି ଏଇ ଘଡିରେ ଗଳେଇଦିଏ । ଆଜି ଏ ପଇସା ଗୋଟେ ମହତ କାମରେ ଲାଗିଯାଉ । ଏହାଭାବି ମୁଁ ଧିରେଧିରେ ତାକୁ ଭାଙ୍ଗିଲି କାଳେ ମୋ ଜେଜେମାଆ ଶୁଣିଦେବ । ବୟସରେ ସିନା ନବେ ଟପିଲାଣି କିନ୍ତୁ ତା’ କାନ ପିମ୍ପୁଡ଼ିର ପାଦ ଶବ୍ଦକୁ ବି ଵାରିପାରେ । ତା’ ଶ୍ରବଣ ଶକ୍ତି ଭାରି ପ୍ରଖର । ନ ହେବ କେମିତି ସବୁ ସପ୍ତାହରେ ସେ ତା’ କାନରେ ଥରେ ଯେମିତି ହେଲେ ସୋରିଷ ତେଲ ପକେଇବ ଆଉ ବାପାଙ୍କୁ ବସେଇ ଉଠେଇ ଦେବନି କାନ ସଫା କରିବା ପାଇଁ ।

   ସରାଘଡି ଭାଙ୍ଗିଲି । ପଇସା ଗଣିଲା ବେଳକୁ ଦୁଇଶହ ଟଙ୍କା ହେଲା । ବାକି ପଇସା କେମିତି ଯୋଗାଡିଵି । ବାପାଙ୍କୁ ପଚାରିଲି, " ବାପା ତୁମେ ମୋତେ ବୁଲିବାକୁ ଗଲାବେଳ କେତେ ଟଙ୍କା ହାତଖର୍ଚ୍ଚ ଦେବ " । 

ବାପା କହିଲେ ଶହେ ଟଙ୍କା ଦେବେ କିନ୍ତୁ ମୁଁ ସମସ୍ତେ ମିଶି ଖାଇବା କଥା କହିବାରୁ ବାପା ଦୁଇଶହ ଟଙ୍କା ଦେବାକୁ ରାଜି ହେଲେ । ତଥାପି ବି ମୋ ଆବଶ୍ୟକତା ମେଣ୍ଟୁନି । 


  ପରଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରି ପ୍ରଧାନ ଶିକ୍ଷକଙ୍କୁ ରମେଶ ଆଉ ପୂଜାର ଦୁର୍ଦ୍ଦିନ ଅବସ୍ଥା ବିଷୟରେ ନମ୍ରତାର ସହ ଜଣାଇଲି ଏବଂ କିଛି ସାହାଯ୍ୟ କରିବାକୁ ନିବେଦନ କଲି । ପ୍ରଧାନ ଶିକ୍ଷକ ମଧ୍ୟ କିଛି ପଇସା ଛାଡ୍ କରିବାକୁ ରାଜି ହେଲେ । ଏତେ ଖୁସି ହେଲି ମନେମନେ । ସତରେ ଅନ୍ୟକୁ ଟିକେ ଖୁସି କରିବାରେ କେତେ ଆନନ୍ଦ ଅନୁଭବ ହୁଏ ତାହା କେବଳ ଅନୁଭବୀ ହିଁ ଜାଣିପାରେ । ଦୁଃଖର ନିଷ୍ଠୁର ନିଦାଘରେ ସୁଖର ସାଉଁଟା ଶ୍ରାବଣ ଦି ବୁନ୍ଦା ଝରେଇବାରେ କେତେ ତୃପ୍ତି ସତେ ....! । ଯଦି ନିଜର ସାମର୍ଥ୍ୟ ଅଛି ଅନ୍ୟକୁ ଟିକେ ସାହାଯ୍ୟ କରିବାକୁ ତେବେ କୁଣ୍ଠାବୋଧ କରିବା କାହିଁକି ...! 


କଥାରେ ଅଛି _____ 


" ମଣିଷର ସେବା ହିଁ ମାଧବ ସେବା " । 


ଏକଥା ମୁଁ ନୁହେଁ ଆମ ଗାଆଁରେ ଥିବା ଭାଗବତ ଟୁଙ୍ଗିରେ ନରିଆ ଜେଜେ କୁହନ୍ତି ସନ୍ଧ୍ୟାରେ ଭାଗବତ ପଢିଲା ବେଳେ । ମୁଁ ବି ବେଳେବେଳେ ଭାଗବତ ଟୁଙ୍ଗି ଯାଏ ମୋ ଜେଜେଙ୍କ ସାଙ୍ଗେ । ସେଇଠି ସବୁ ନୀତି ବାଣୀ ଶୁଣେ । ଖୁବ୍ ଭଲ ଲାଗେ ସେ ପୁରାଣ ଶୁଣିବାକୁ ମ ..! 


  ଡିସେମ୍ବର ବାଇଶି ତାରିଖ ରବିବାର । ସମସ୍ତେ ଠିକ୍ ଆଠଟା ବେଳକୁ ବିଦ୍ୟାଳୟରେ ପହଞ୍ଚଗଲୁ । ବସ୍ ମଧ୍ୟ ଆସିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ସମସ୍ତ ଜିନିଷ ଯୋଗାଡ଼ ହୋଇଥିଲା । ହାଣ୍ଡି, ଡେକ୍ ଚି, କର୍ ଚୁଲି, ବାଲଟି, କଦଳୀ ପତ୍ର । ସବୁ ଜିନିଷ ଲଦିଲୁ । ଗାଡି ଚାଲିଲା । ଖୁବ୍ ମଜା ଲାଗୁଥିଲା ବସ୍ ଭିତରେ ଗୀତ ବୋଲି, ନାଚି, ସ୍ଲୋଗାନ ଦେଇ । ସେଦିନ ଆଉ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ସେ ଭୀମ ଭଳି ଗୁରୁଗର୍ଜନ ସ୍ଵର କିମ୍ବା ନାଲି ନାଲି ବଡ଼ ବଡ଼ ଆଖିରେ ଚାହିଁବା ନ ଥିଲା । ଏତେ ଭଲପାଇବା ଆମପ୍ରତି ତାଙ୍କର ଦେଖି ବହୁତ ଆଶ୍ଚର୍ଯ୍ୟ ଲାଗୁଥିଲା । ବିଦ୍ୟାଳୟରେ ଆମକୁ ରାଗିବା କ'ଣ ତେବେ ମିଛ .. ..! ବୋଧେ ସେ ଆମକୁ ସଂସ୍କାର ଆଉ ଉଚିତ୍ ଶିକ୍ଷା ଦେବା ପାଇଁ ଏମିତି ଆକଟ କରନ୍ତି । ପ୍ରକୃତ ଶିକ୍ଷକଟିଏ ହିଁ ତା ଛାତ୍ରକୁ ନିଜ ପାଖେ ଥିବା ସମସ୍ତ ଜ୍ଞାନ ପ୍ରଦାନ କରି ଏକ ମହାନ୍ ଆଉ ମେଧାବୀ ଛାତ୍ରଟିଏ ଗଢି ତୋଳିବାକୁ ଅହରହ ଉଦ୍ୟମ କରୁଥାଏ । ସେଦିନ ଆମ ସନ୍ଦେହ ମଧ୍ୟ ଦୂର ହେଇଗଲା । ସତରେ ଶିକ୍ଷକ ଶିକ୍ଷୟିତ୍ରୀ ହିଁ ଆମ ପିତାମାତା ଭଳି ହିତାକାଂକ୍ଷୀ । ସର୍ବଦା ନମସ୍ୟ ଓ ପୂଜ୍ୟ । 


  କୋଣାର୍କରେ ପହଞ୍ଚି ରାମଚଣ୍ଡୀ ଗଲୁ । ରୋଷେଇୟା ସବୁ ରୋଷେଇ ସାମଗ୍ରୀ କାଢି ରୋଷେଇ ଆରମ୍ଭ କଲେ ଆଉ ଆମେ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଗଲୁ । ଶିକ୍ଷକ ଶିକ୍ଷୟିତ୍ରୀ ଆମମାନଙ୍କୁ ଲାଙ୍ଗୁଳା ନରସିଂହ ଦେବ ଏହି କୋଣାର୍କ ମନ୍ଦିର ନିର୍ମାଣ କରିଛନ୍ତି ଏଥିରେ ବାରଶହ ବଢ଼େଇ ଲାଗିଥିଲେ । ମନ୍ତ୍ରୀ ଶିବେଇ ସାମନ୍ତରାଙ୍କ ତତ୍ତ୍ଵାବଧାନରେ ସବୁ କାର୍ଯ୍ୟ ସମ୍ପନ୍ନ କରାଯାଉଥିଲା । ଵିଶୁ ମହାରଣା ଶିଳ୍ପୀଙ୍କ ମଧ୍ୟରେ ମୁଖ୍ୟ ଥିଲେ । ବାରଶହ ବଢ଼େଇ ମନ୍ଦିର ମୁଣ୍ଡି ନ ମାରିପାରିଵାରୁ ଵିଶୁ ମହାରଣା ପୁଅ ଧରମା ହିଁ ଦଧିନଉତି ଵସାଇଥିଲେ ଏବଂ ଵାରଶହ ବଢ଼େଇଙ୍କ ଜୀବନ ରକ୍ଷା ପାଇଁ ସମୁଦ୍ର ମଧ୍ୟକୁ ଡେଇଁ ପଡି ମୃତ୍ୟୁ ବରଣ କରିଥିଲେ । 

 

 କେତେ ମହାନ୍ ସତରେ ସେ ଧର୍ମପଦ ....!! 


ଶିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆମେ ଟିପା ଖାତାରେ ସବୁ ଲେଖୁଥାଉ । ଏତେ ଐତିହ୍ୟମୟୀ ସତରେ ଆମ ଉତ୍କଳ ପ୍ରଦେଶ । ତା' ପରେ ଶୋଷ ଲାଗିବାରୁ ସମସ୍ତେ ଆଇସ୍ କ୍ରିମ୍, ଗୁପ୍ ଚୁପ୍, କାକୁଡି, ଦହିବରା, ଝାଲ୍ ବୁଟ ସାଙ୍ଗ ହୋଇ ମିଳିମିଶି ଖାଇଲୁ । ସେଦିନ ତ ଶିକ୍ଷକ ମାନେ ଠିକ୍ ଆମ ବାପା ମାଆଙ୍କ ପରି ଲାଗୁଥିଲେ ।କୋଉ କାମରେ ଆମକୁ ବାଧା ଦେଉ ନଥିଲେ । ସୂର୍ଯ୍ୟ ମନ୍ଦିରର ଭଗ୍ନ ଅବସ୍ଥା ବିଷୟରେ ପଚାରିବାରୁ ରାକେଶ ସାର୍ ବୁଝାଇଲେ କଳାପାହାଡ଼ ଜଣେ ବାହାର ଶତ୍ରୁ ଏଇ ମନ୍ଦିରକୁ ଭାଙ୍ଗିଛନ୍ତି । ଖୁବ୍ ରାଗ ଲାଗିଲା କଳାପାହାଡ଼ ଉପରେ । 


ପରେପରେ ପାଖାପାଖି ସାଢ଼େ ଦୁଇଟା ବେଳକୁ ରାମଚଣ୍ଡୀ ଆସିଲୁ । ସେଇଠି ଖାଇବାର ବ୍ୟବସ୍ଥା ହୋଇଥିଲା । ରାମଚଣ୍ଡୀକୁ ଦେଖି ମିତାଲି ଦିଦି କଳାପାହାଡ଼ ବିଷୟରେ ଗୋଟିଏ ଛୋଟ କବିତାଟିଏ ଶୁଣାଇଲେ ଯାହା ପୁରାଣରେ ବର୍ଣ୍ଣିତ ।


 " ଭଲା ରାମଚଣ୍ଡୀ ଭଲାରେ 

କଳାପାହାଡ଼କୁ ଵସେଇଦେଇ

ଭଲା ପାଣି ଆଣି ଗଲାରେ " ।। 


ଭାରି ଭଲ ଲାଗିଲା ଏ କବିତା ଆଉ ତାର ମର୍ମ ଶୁଣି ମିତାଲି ଦିଦିଙ୍କ ଠାରୁ ।ତା' ପରେ ଖାଇବା ପାଇଁ ବସିଲୁ । ଭାତ, ଡ଼ାଲି, ମାଛ ବେସର, ଆମ୍ଵୁଲ ରାଇ, ଖିରି ଆଉ ନିରାମିଶାଷୀଙ୍କ ପାଇଁ ପନୀର୍ ହୋଇଥିଲା । ପେଟେପେଟ ଖାଇଲୁ । ମୁଁ ବେଳେବେଳେ ରମେଶ ଆଉ ପୂଜା ଆଡ଼କୁ ଲକ୍ଷ୍ୟ କରୁଥାଏ । ସତରେ ସେଦିନ କେତେ ଖୁସି ସେ ଦୁହେଁ । ସତେ ଯେମିତି ପିଞ୍ଜରାଵଦ୍ଧ ବିହଙ୍ଗ ଵିହଙ୍ଗୀ ଦୁଇଟା କାହା ନଜର ଆଢ଼ୁଆଳରେ ଶିକୁଳି ଖୋଲି ଡେଣା ଫଡ୍ ଫଡ୍ କରି ନୀଳ ଆକାଶର ଅନନ୍ତ ନୀଳିମା ମଧ୍ୟରେ ଆକାଶର ଛାତି ଚିରି ତା' ନିଷିଦ୍ଧ ଇଲାକାରେ ମନ ଇଚ୍ଛା ପରିଭ୍ରମଣ କରୁଛନ୍ତି । କିଛି ଓଗାଳ ଆକଟ ନାହିଁ ତାଙ୍କ ପାଇଁ । କି ଖୁସି ଭୋଜି ଖାଇବାରେ । ସତେ ଯେମିତି ଦୀର୍ଘ ଦିନ ଧରି ଭୋକ ଉପାସରେ ରହିଥିଲେ କଂସର ଅନ୍ଧାର ବନ୍ଦୀ ଶାଳାରେ । ବାଲୁ ବାଲୁ କରି ବଡ଼ ବଡ଼ ଗୁଣ୍ଡା କରି ଖାଇଯାଉଥାନ୍ତି ସତେ ଅବା ନଅଙ୍କ ଦୁର୍ଭିକ୍ଷରୁ ଉଠି ଆସିଛନ୍ତି । ଇନ୍ଦ୍ର ସଭାରେ କାନେକା, ଖିରି ଖେଚେଡ଼ି ସୁଵ୍ୟଞ୍ଜନ ଖାଇଲା ପରି ଅନୁଭବ କରୁଛନ୍ତି ସେ ଦୁହେଁ । ମୁଁ କିନ୍ତୁ ବେଶ୍ ଖୁସି ହେଉଥାଏ ସେ ଦୁହିଁଙ୍କୁ ଦେଖି । 

  ଏ ମଣିଷ ଯଦି ଟିକିଏ ଖୁସି କାହାକୁ ଦେଇପାରେ ତେବେ ଏ ଜୀବନ ସାର୍ଥକ ହେଇଯାଏ ସତରେ । ସେଦିନ ବେଶ୍ ଅନୁଭବ କରିପାରୁଥାଏ ସେ ସ୍ୱର୍ଗୀୟ ଶାନ୍ତିର ଶୀତଳତାଭରା ଉନ୍ମାଦନା ମୋ ଭିତରେ ଯେମିତି ଲହଡି ଭାଙ୍ଗୁଥାଏ । 


 ସେଦିନର ସ୍ମୃତି ଆଉ ଅନୁଭୂତି ଚିର ସ୍ମରଣୀୟ ହୋଇ ରହିଵ ଆମ ମାନସ ପଟରେ । ବ୍ୟସ୍ତବହୁଳ ଜୀବନ ଭିତରେ ବୁଲାବୁଲି କରିବା ନିହାତି ଆବଶ୍ୟକ ଟିକେ ଭାରାକ୍ରାନ୍ତ ମନକୁ ହାଲ୍ କା କରିବା ପାଇଁ । ଆଉ ମଧ୍ୟ ସୁଶିକ୍ଷଣ ପାଇଁ ଦର୍ଶନୀୟ ସ୍ଥାନ ବୁଲିଯିବା ସେଠି ନିଜ ଆଖିରେ ସବୁ ଦେଖିବା ଜାଣିବା ଶ୍ରେଣୀଗୃହ ପଢ଼ା ଅପେକ୍ଷା ଅଧିକ ଫଳପ୍ରଦ ହୋଇଥାଏ ।ଯାହା ଉଭୟ ଚିତ୍ତ ବିନୋଦନ ଆଉ ଶିକ୍ଷା ପାଇଁ ମନୋମୁଗ୍ଧକର ସେଭଳି କାର୍ଯ୍ୟକ୍ରମ ତ ସର୍ବଦା ସ୍ୱାଗତଯୋଗ୍ୟ ।


  ସତରେ ନୁହେଁ କି ...!!! 



Rate this content
Log in

Similar oriya story from Inspirational