STORYMIRROR

Jyotsnarani Panda

Children Stories Inspirational

4  

Jyotsnarani Panda

Children Stories Inspirational

ଆଞ୍ଜୁଳେ ଅହମିକା

ଆଞ୍ଜୁଳେ ଅହମିକା

4 mins
304

ଅଳସ ଅପରାହ୍ନର ଏକ ନିଃସହାୟ ମୂହୂର୍ତ୍ତରେ ମାଳତୀ ଦେବୀ ବାଲ୍ କୋନି ଉପରେ ବସି ଅତୀତର କେତେ ଗୁଡିଏ ଅଭୁଲା ଛାତିଥରା ଦୃଶ୍ୟର ପୃଷ୍ଠାକୁ ଓଲଟେଇ ପକଉଛନ୍ତି ନିଜ ଵିଳପିତ ହୃଦୟର କାନ୍ ଭାସ୍ ଉପରେ । 


   ସେଦିନ ୨୦୨୧ ମସିହା ନଭେମ୍ବର ୧୦ ତାରିଖ । ଅଫିସ୍ ରୁ ଅବେଳାରେ ଫେରିଲେ ମାଳତୀ ଦେବୀଙ୍କର ସ୍ଵାମୀ ମହେଶ୍ ପଟ୍ଟନାୟକ । ସେଦିନ ତାଙ୍କ ଦେହ ଅସୁସ୍ଥ ଲାଗିବାରୁ ସେ ଶୀଘ୍ର ଫେରିଥିଲେ । ଅଳ୍ପ ଅଳ୍ପ ଜ୍ଵର ଦେହରେ ଥିଲା । ନିଃଶ୍ଵାସ ପ୍ରଶ୍ବାସ ନେବାରେ ଅସ୍ବାଭାବିକ ଅନୁଭଵ କରୁଥିଲେ ।


  ସେହି ସମୟ ଯେମିତି ସମଗ୍ର ମାନବ ଜାତି ପାଇଁ ଏକ ବିପ୍ଳବର ସମୟ ଥିଲା । କରୋନା ଭୂତାଣୁର ମହା ଆତଙ୍କ ବିଶ୍ଵରେ ଏକ ଗୁରୁ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଥିଲା । ହଜାର ହଜାର ଲୋକ ମରିଯାଉଥିଲେ । ସାମାନ୍ୟ ଟିକିଏ ଥଣ୍ଡା ଛିଙ୍କ ହେଲେ କୋକୁଆ ଭୟ ମାଡ଼ି ବସୁଥିଲା । 


  ମହେଶ୍ ଙ୍କର ଏ ଅବସ୍ଥା ଦେଖି ପତ୍ନୀ ମାଳତୀ ଦେବୀ ଓ ତାଙ୍କର ଏକମାତ୍ର ପୁଅ ବିଟୁ ବହୁତ ବ୍ୟସ୍ତ ହୋଇପଡୁଥିଲେ । ମାଳତୀ ଦେବୀ ଯଥାସମ୍ଭବ ଘରୋଇ ଚିକିତ୍ସା କରୁଥିଲେ ଶୀଘ୍ର ଆରୋଗ୍ୟ ପାଇଁ । ତିନି ଦିନ ପରେ ସ୍ଵାଵ୍ ପରୀକ୍ଷା ହେଇ ରିପୋର୍ଟ ଆସିଲା । ଦୁର୍ଭାଗ୍ୟକୁ ମହେଶ୍ ବାବୁଙ୍କର କରୋନା ପଜିଟିଭ୍ ଥିଲା। ଏକଥା ଶୁଣି ମାଳତୀ ଦେବୀ ଓ ବିଟୁ ଖୁବ୍ ବ୍ୟାକୁଳ ହୋଇପଡ଼ିଲେ । ଧିରେ ଧିରେ କଲୋନୀରେ ସମସ୍ତେ ଜାଣିଗଲେ । ସେହି ସମୟରେ କରୋନା ଯାହାକୁ ହେଉଥିଲା ସେ ଯେମିତି କିଛି ପାପ କରିଦେଇଛି । କେହି ଵି ଆଡ ଆଖିରେ ଚାହୁଁ ନଥାନ୍ତି ଏମିତି କି ନିଜ ଆତ୍ମୀୟମାନେ ମଧ୍ୟ ନୁହେଁ । ।


  ସଉଦା ପତ୍ର , ପନିପରିବା , କ୍ଷୀର , ମେଡିସିନ କେମିତି ବଜାରରୁ କିଣା ହେବ କିଏ ଵା ଆଣି ଘରେ ଦେଵ ଏକଥା ଭାବି ମାଳତୀ ଦେବୀ ବହୁତ ଚିନ୍ତିତ ହେଉଥାନ୍ତି । ଵିଟୁ ମା'ଙ୍କ ଦୁଃଖ ଦେଖି ତାଙ୍କ ଆଖିରୁ ଲୁହ ପୋଛି ଦେଇ କହୁଥାଏ ମା ତୁମେ ଜମା ଵି ବ୍ୟସ୍ତ ହୁଅନି । ହରି ଅଙ୍କଲ୍ ଙ୍କ ପୁଅ ମୋ ସାଙ୍ଗ ରାହୁଲ୍ କୁ କହିଲେ ସେ ସବୁ କିଣିକରି ଆଣି ଘରେ ଦେଵ । ବହୁତ ଭଲ ପିଲା ସେ । ମନା କରିବିନି ଜମା । ସେ ବହୁତ ଦୟାଳୁ । ସେ ତ ସବୁବେଳେ ସ୍କୁଲରେ ସବୁ ସାଙ୍ଗ ମାନଙ୍କୁ ସାହାଯ୍ୟ କରେ । ଆଉ ଆମର ଏ ଦୁଃଖ ପରିସ୍ଥିତିରେ କାହିଁକି ସାହାଯ୍ୟ ନ କରିବ । 


  କଣ୍ଟେନ୍ ମେଣ୍ଟ ଜୋନ୍ ହେଲା ପରେ କେହି ବାହାରକୁ ଯିବା ସମ୍ଭବ ନୁହେଁ । ବାହାରର ଲୋକ ଵି ଭିତରକୁ ଆସିବା ଅସମ୍ଭବ ‌। ରାହୁଲ୍ କିନ୍ତୁ ସତକୁ ସତ ମାଳତୀ ଦେବୀ ଙ୍କ ଵରାଦ ମୁତାବକ ସବୁ ଜିନିଷ ଆଣି ଘର ପଛପଟେ ଲୁଚି ଲୁଚି ଯୋଗାଇ ଦେଉଥାଏ । ସଂକ୍ରମିତ ଭୟ କୁ ଖାତିର୍ ନକରି ଏତେ ଵଡ ତ୍ୟାଗ ଏତେ ଛୋଟ ପିଲା କରିବା କମ୍ ଵଡ କଥା ନୁହେଁ । ତା ମାଆ ରେବତୀ ଏବଂ ଵାପା ହରି ବାଵୁ ଵି ତାକୁ କିଛି ବାରଣ କରୁ ନଥାନ୍ତି କି ଆକଟ ବି ନୁହେଁ । ସତେ ଯେମିତି ଏମାନେ ଦୈବୀ ଗୁଣ ସମ୍ପନ୍ନ ମଣିଷ ଗୁଡିଏ । କ୍ଷମା ,ଦୟା , ପରୋପକାର ସବୁ ଯେମିତି ଭଗବାନ ଏମାନଙ୍କ ପାଖରେ ଯଥେଷ୍ଟ ପରିମାଣରେ ସାଇତିଛନ୍ତି । 


   ମନେମନେ ଖୁବ୍ ଲଜ୍ଜିତ ହେଉଥିଲେ ଓ ଧିକ୍କାରୁଥିଲେ ମାଳତୀ ଦେବୀ ନିଜ ଵୃଥା ଆତ୍ମଵଡିମାକୁ ନେଇ । ରାହୁଲ୍ ସାଙ୍ଗେ ନ ମିଶିବାକୁ ଓ ତାଙ୍କ ଘରକୁ ନ ଯିବାକୁ ମାଳତୀ ଦେବୀ ବାରମ୍ବାର ମନା କରନ୍ତି ଵିଟୁକୁ । ପିଅନ ଶ୍ରେଣୀର ଲୋକ ଓ ତାଙ୍କ ଅଭାବୀ ଦରିଦ୍ର ପଣିଆକୁ ବୋଧେ ନା ପସନ୍ଦ କରନ୍ତି ମାଳତୀ ଦେବୀ । 

ସବୁବେଳେ ଵିଟୁକୁ ଗାଳି ଦିଅନ୍ତି ତୁ ସେ ରମେଶ୍ ଅଙ୍କଲ୍ ଙ୍କ ପୁଅ ମନୀଷ୍ ସାଙ୍ଗେ ସାଙ୍ଗ ହେଉନୁ । ସବୁବେଳେ ଖାଲି ରାହୁଲ୍ ରାହୁଲ୍ କ'ଣ ହେଉଛୁ । ତାକୁ ଘରକୁ ଡାକି ଆଣୁଛୁ ତାଙ୍କ ଘରକୁ ଵି ଯାଉଛୁ । ଏ କି ଅମାନିଆ ଢଙ୍ଗ ତୋର । କେତଥର ଵି ମାଳତୀ ଦେବୀ ମାଡ ଦେଇଛନ୍ତି ବିଟୁକୁ ରାହୁଲ୍ ପାଇଁ ।ଏଭଳି ମଳିମୁଣ୍ଡିଆ ଓ ହୀନ ଲୋକଙ୍କ ସାଙ୍ଗେ ସମ୍ପର୍କ ରଖିବା ନିହାତି ଅସୁବିଧା । ସମସ୍କନ୍ଧ ଲୋକଙ୍କ ସାଙ୍ଗେ ସିନା ସମ୍ପର୍କ ବନ୍ଧାଯାଏ । ଏହିପରି ବହୁତ କଦର୍ଯ୍ୟ ବ୍ୟବହାର କରି ଝିଙ୍ଗାସ ବଚନ କହି ବହୁତ ଥର ଘରୁ ତଡି ବାହାର କରିଦିଅନ୍ତି ରାହୁଲ୍ କୁ ମାଳତୀ ଦେବୀ । 


  ଗୋଟି ଗୋଟି ହେଇ ପ୍ରତିଟି କଥା ସବୁ ଯେମିତି ମାଳତୀ ଦେଵୀଙ୍କ ମଣିଷ ପଣିଆ ଓ ବିବେକକୁ ଦଂଶନ କରୁଥିଲା ସେଇ କାରୁଣ୍ୟ ମୂହୂର୍ତ୍ତରେ । ଆଜି ଯଦି ରାହୁଲ୍ ନ ଥାନ୍ତା କେମିତି ଏ ଘୋର ସଙ୍କଟର ସେମାନେ ମୁକାବିଲା କରିଥାନ୍ତେ । ସତରେ କେତେ ଵଡ ହୃଦୟର ସେଇ ଅଭାବୀ ମଳିମୁଣ୍ଡିଆ ଲୋକ ଗୁଡାକ । ଏତେ ଆଘାତ ପାଇ ବି ରାହୁଲ୍ ର ଏ ଉଦାର ପଣରେ ସାହାଯ୍ୟ କରିବା କେତେ ଆଶ୍ଚର୍ଯ୍ୟର କଥା । ସେମାନଙ୍କ ମହାନତା ଆଗେ ବାରମ୍ବାର ମଥା ନଇଁ ପଡୁଥାଏ ମାଳତୀ ଦେବୀ ଙ୍କର ।


  ଅନୁତାପ ଅନଳରେ ଆକ୍ତାମାକ୍ତା ହେଉଥାଏ ଯେମିତି ମାଳତୀ ଦେବୀ ଙ୍କର ଆଞ୍ଜୁଳେ ଅନ୍ଧ ଅହମିକା ଓ ମିଛ ଆତ୍ମ ଗର୍ବ । 


  କିଏ ବା ଜାଣେ କେତେବେଳେ କାହା ଜୀବନ ଆକାଶରେ ଅଦିନ ଝଡ଼ ଆସି ସବୁକିଛି ଧୂଳିସାତ୍ କରି ଦେଇ ଚାଲିଯିବ । ସେହି ବିପଦ ସମୟରେ ଯିଏ ପାଖରେ ଥାଇ ସାହାଯ୍ୟ ସହାନୁଭୂତିର ହାତ ବଢ଼େଇ ଥାଏ ସେ ତ ପ୍ରକୃତ ବନ୍ଧୁରେ ଗଣା ହେଇଥାଏ । ତା ଅବଦାନ ଜୀବନ ସାରା ଭୂଲିହୁଏନି । ଯେଉଁ ମାନେ ଧନ , ମାନ ମର୍ଯ୍ୟାଦା , ପଦବୀ ପ୍ରତିଷ୍ଠାରେ ଥାନ୍ତି ନିଜର ଚିହ୍ନା ମୁହଁ ଗୁଡିକ ସେମାନେ କିନ୍ତୁ ଲୁଚି ଯାଆନ୍ତି ଵହୁକିଛି ବାହାନା ଵାଢି । ସତେ ଯେମିତି ଅଜ୍ଞାତବାସର ଆତ୍ମଗୋପନ ରେ ରହିଛନ୍ତି ଯାହାକୁ ଅତି ନିଜର ଭାଵିଥିବ । ଖୁବ୍ ମନେ ପଡୁଥାଏ ମାଳତୀ ଦେବୀଙ୍କ ପିଲା ବେଳର ଆଈ ମା'ଙ୍କ କୋଳରେ ଶୋଇ ଶୁଣିଥିବା କଥା ପଦିକ । 


" ଏ ସାରା ସଂସାରେ ମହୀମଣ୍ଡଳରେ 

 କେହି ନୁହେଁ ସାନ ବଡ 

ସର୍ଵେ ନିଜ ନିଜ ସ୍ଥାନରେ ମହାନ୍ 

  ବିପଦ ଵେଳାର ବାଡ ।


Rate this content
Log in