Sucharita Sena

Romance Tragedy Inspirational

4.0  

Sucharita Sena

Romance Tragedy Inspirational

ପ୍ରେମର ବାସ୍ନା

ପ୍ରେମର ବାସ୍ନା

4 mins
512


ବଂଶୀ ଜେଜ, ଏଇ ବୟସ ସତୁରୀ ବର୍ଷ ଉପରେ ହେବ | ଏକଦମ ଚୁପ ଚାପ ଲୋକ | ବଂଶୀ ଜେଜକୁ ସମସ୍ତେ ଭୂତ ବୋଲି କୁହନ୍ତି | ନାଇଁ ନାଇଁ ଭୁଲ ଭାବିଲେ ସେ ମରିବା ପରର ଭୂତ ନୁହନ୍ତି, ଅବିବାହିତ ବୋଲି କେହି କେହି ଟାପରା କରି ଏପରି ଡାକନ୍ତି | ବଂଶୀ ଜେଜର ଆଗକୁ ପଛକୁ କେହି ନାହାନ୍ତି | ବାପା ମାଆଙ୍କର ଏକୋଇରବଳା ବିଶିକେଶନ ଥିଲା | ମୁଁ ବଂଶୀ ଜେଜକୁ ଛୋଟ ବେଳୁ ଦେଖି ଆସୁଛି, ସେ ସେତବେଳେ ବି ବୁଢା ଥିଲା ଓ ଏବେ ବି ବୁଢା ଅଛି | ଯେପରି ସମୟ ତା ପାଖରେ ଥମି ଯାଇଛି | ମୁଁ ତା କୋଳରେ ଖେଳିକି ବଢିଛି ବୋଲି ବୋଉ କହେ | ବଂଶୀ ଜେଜ ମୋର କେଉଁ ରକ୍ତ ସମ୍ପର୍କୀୟ ନୁହେଁ, କେବଳ ତା ଚାଳକୁ ଆମ ଚାଳ ଲାଗିଛି | ଯେଉଁଦିନ ବୋଉ ଭଲ ତରକାରୀ କରେ ସେ ବଂଶୀଜେଜ ପାଇଁ ମୋ ହାତରେ ପଠାଏ | ମୋର ଜେଜ ସହ ଯେପରି ନିଜର ଭାବ | ମୁଁ ଯେତେ ବଡ ହେଉଛି, ବଂଶୀଜେଜ ଘରେ ମୋର ବେଶୀ ସମୟ କଟୁଛି, ଏଥିରେ ବି କାରଣ ଅଛି...... ମୁଁ ଯେଉଁ ଦିନ ନିତୁକୁ ଦେଖିଲି ତା ପ୍ରେମରେ ପାଗଳ ହୋଇଗଲି | ନିତୁ ପାଖକୁ ପ୍ରେମପତ୍ର ଲେଖିବାକୁ ମତେ ନିରୋଳା ଜାଗାର ଆବଶ୍ୟକ ଥିଲା, ନିଜ ଘରେ ସାନ ଭଉଣୀର ମୋ ଜିନିଷରେ ବେଶୀ ରାଜୁତି | ତେଣୁ ବୋଉକୁ କହି ବଂଶୀଜେଜର ନିରଳା ଘରକୁ ନିଜର କରିନେଲି | ଏବେ ଆମ ଘରେ ଖାଲି ଖାଇବା, ବାକି ସବୁ ବଂଶୀ ଜେଜ ଘରେ | 

ନିତୁ ମୋ ପ୍ରଥମ ପ୍ରେମିକା ଥିଲା, କିନ୍ତୁ ଦୀର୍ଘ ଦୁଇ ବର୍ଷର ଭଲ ପାଇବା ପରେ, ନିତୁ ସେଦିନ କେଉଁ ବିଲେଇର ମୁହଁ ଦେଖିଥିଲା କେଜାଣି ମୋ ପାଖକୁ ଲେଖୁଥିବା ଚିଠିଟି ତା ଭାଇ ହାତରେ ପଡିଲା | ଭାଇର ଡରରେ ନିତୁ ମତେ ଆଉ ଆଡ ଆଖିରେ ଚାହିଁଲା ନାହିଁ | ମୁଁ ବହୁତ କାନ୍ଦିଥିଲି ସେଦିନ ରାତିରେ, ବଂଶୀ ଜେଜ ମୋ ବେଙ୍ଗ ଭଳି ଫୁଲିଲା ଆଖିକୁ ଦେଖି ପଚାରି ଥିଲା...... "କିରେ କଣ ହୋଇଛି, କାନ୍ଦୁଛୁ ନା କଣ ? | ମୁଁ କିଛି ବି କହିଲିନି ଜେଜକୁ | 

ନିତୁ ସିନା ଭୁଲିଗଲା, କିନ୍ତୁ ତା ପାଇଁ ପାଇଥିବା ବଂଶୀ ଜେଜର ଘରଟା ମୋ ସାଥିରେ ରହିଲା | ସ୍କୁଲ ପରେ କଲେଜ | କଲେଜରେ ଏଥର ଦେଖା ହେଲା ରୁବି ସହିତ | ପୁଣି ଆରମ୍ଭ ହେଲା ପ୍ରେମପତ୍ରର ଆଦାନ ପ୍ରଦାନ | ମୁଁ ଭାବୁଥିଲି ରୁବି ହିଁ ସେଇଝିଅ ଯିଏ ମୋର ପ୍ରେମିକା ହେବାର ଥିଲା | ଛାଡ ଆଗରୁ ଯିଏ ଆସିଥିଲା, କି ଏହାପରେ କେହି ଆସିବେନି | କିନ୍ତୁ ରୁବି ସିନା ମୋର ପ୍ରେମିକା ଥିଲା, ମୁଁ ଖାଲିଯେ ତାର ପ୍ରେମିକ ଥିଲି ଏକଥା ବୁଝିବାକୁ ପୁଣି ଦୁଇ ବର୍ଷ ଚାଲିଗଲା | ମୋ ଭଳି ଆହୁରି ତିନିଜଣ ଥିଲେ ରୁବିକି ନେଇ ସ୍ୱପ୍ନ ଦେଖିବାରେ | ସମସ୍ତଙ୍କୁ ସ୍ୱପ୍ନ ଦେଖାଇ ରୁବି ପଞ୍ଚମ ପ୍ରେମିକ ସହ ଘରୁ ଲୁଚି ଚାଲିଗଲା | ମୁଁ ସେଦିନ ରାତିରେ ରୁବି ପାଇଁ ଲୁଚି ଲୁଚି ନୁହେଁ ଜୋରେ କାନ୍ଦିଥିଲି ବଂଶୀ ଜେଜ କାନ୍ଧରେ ମୁଣ୍ଡ ରଖି, ଅବଶ୍ୟ ନିଶାଶକ୍ତ ହୋଇ | 

ସକାଳୁ ସକାଳୁ ବଂଶୀ ଜେଜ ଚାହା କରି ଆଣି ମୋ ପାଖରେ ଥୋଇଦେଲା | ମୋର ଉଠିବାର ଟିକେ ବି ଇଚ୍ଛା ନଥିଲା | କାଲି ଯେଉଁ ଡ୍ରାମା କରିଥିଲି ବଂଶୀ ଜେଜ ପାଖରେ, କିଛିଟା ମନେ ପଡୁଥିଲା | ବଂଶୀ ଜେଜ ଜୋରରେ ଚିଲେଇ ଦେଲା...... " ଉଠିବୁ ନା କନ୍ଥା ମିଶା ନେଇ ବାହାରେ ଫୋପାଡ଼ି ଦେବି | ଗୋଟେ ନାଟ ଚାଲିଛି, ଆଜି ଇଏ ତ କାଲି ସିଏ | ସେଟା ମନ... ନା ବାକ୍ସ, ଯେତେ ଆସୁଛନ୍ତି ମୋଡି ମାଡି ଭରି ଦେଉଛୁ | ମୁଁ ଯାହା ଶୋଇଥିଲି ଧଡ଼ କରି ଉଠି ବସିଗଲି | ବଂଶୀ ଜେଜକୁ କେବେ ଏପରି ରାଗିବାରେ ଦେଖି ନଥିଲି |ମନେ ମନେ ଭାବୁଥାଏ, ବୁଢାକୁ କଣ କାଲି କହିଛି ନିଜର ତ ମନେ ନାହିଁ, କେଉଁ କଥାରେ ବୁଢା ରାଗିଛି ଜାଣିବି କିପରି | ଚୁପଚାପ ବସି ବଂଶୀ ଜେଜର ଛୁଞ୍ଚିଫୁଟା କଥା ଶୁଣୁଥାଏ |

ବଂଶୀ ଜେଜ କହି କହି ଉଠିକି ଚାଲିଗଲା ଆରପଟ ଘରକୁ | ମୁଁ ଟିକେ ଉଠିକି ଆସି ଚାହିଁଲି ବୁଢା ତାହେଲେ ଚାଲିଗଲା |........ ନାଇଁ ଲୋ ବୋଉ ବଂଶୀ ଜେଜ ହାତରେ କଣ ଗୋଟେ ଧରି ଆସୁଛି | ମୁଁ ଖପ କରି ଡେଇଁପଡ଼ି ବସିଗଲି ପୂର୍ବଭଳି | ବଂଶୀ ଜେଜ ହାତରେ ଧରିଥିବା ଛୋଟ ବାକ୍ସକୁ ମୋ ପାଖରେ ଥୋଇଦେଇ କହିବା ଆରମ୍ଭ କଲା................ " ମୋ ବୋଉ ଦେହ ଭଲ ରହୁନଥିଲା ସବୁବେଳେ, ସେଥିପାଇଁ ମୁଁ ମାମୁଁ ଘରେ ବେଶୀ ଦିନ ରୁହେ ମାଇଁଙ୍କ ପାଖରେ | ମାମୁଁଘର ଗାଆଁଟି ବହୁତ ଛୋଟ ଥିଲା, ସବୁ ପିଲା ସାଙ୍ଗ ହୋଇ ଖେଳୁ | ଲଳିତା କନ୍ୟା ହୁଏ ଓ ମୁଁ ସବୁବେଳେ ତା ବର | ଯେଉଁଦିନ ଆଉ କିଏ ବର ହୁଏ ମୁଁ ନ ଖେଳି ଚାଲିଆସେ | ଖାଲି ମୁଁ ନୁହେଁ ଲଳିତା ବି ଠିକି ସେପରି କରେ | ଆମ ଦୁଇଜଣଙ୍କର ପ୍ରେମ ଯେ ଖାଲି ଖେଳରେ ସୀମିତ ଥିଲା ତା ନୁହେଁ, ପ୍ରକୃତରେ ଆମେ ପରସ୍ପରକୁ ଭଲ ପାଇ ସାରିଥିଲୁ | ସମୟ ଗଡ଼ିବା ସହିତ ଆମେ ବି ବଢିଥିଲୁ, ଓ ତା ସହ ବଢି ଥିଲା ଆମ ପ୍ରେମ | କିନ୍ତୁ ବର୍ତମାନର ସମୟ ପରି ଆମ ସମୟ ନଥିଲା | ସେଦିନ ଲଳିତା କାନ୍ଦି କାନ୍ଦି ମୋତେ କହିଥିଲା ତାଙ୍କ ଘରଲୋକ ବର ଖୋଜିଳେଣି | ମୁଁ କଥା ଦେଇଥିଲି ଘରେ କହି ଜଲ୍ଦି ପ୍ରସ୍ତାବ ଆଣିବାକୁ | ସେ ମୋ ଉପରେ ଭରସା କରି ରହିଥିଲା | ଯେତବେଳେ ମାମୁଁ ଏ କଥା ଜାଣିଲେ ତାଙ୍କ ଘରକୁ ପ୍ରସ୍ତାବ ନେଇଗଲେ | କିନ୍ତୁ ଲଳିତାର ବାପା ରାଜି ନଥିଲେ | ସେ ଚାହୁଁଥିଲେ ଚାକିରୀଆ ଜୋଇଁ କରିବାକୁ | ମୁଁ ଭାବିଥିଲି ଲଳିତା ପାଇଁ ତା ବାପା ଠିକି ଭାବିଛନ୍ତି, ନିଜକୁ ଧିକାର କରି ମନ ଦୁଃଖରେ ଘରକୁ ଚାଲି ଆସିଲି | ଲଳିତା ମତେ ଚାହିଁ ରହିଥିଲା, ସେ ଭାବୁଥିଲା ମୁଁ କିଛି ବି କରିବି କିନ୍ତୁ ଆଉ କାହାର କନିଆଁ ହେବାକୁ ଦେବିନି | ବାହାଘର ଦିନ ସେ ବିଷ ଖାଇଦେଲା |ସବୁଦିନ ପାଇଁ ଛାଡିକି ଚାଲିଗଲା ସେ | ଦେଖେ ଏ ବାକ୍ସରେ ଭରି ରହିଛି ତା ଚିଠି, ଓ ତା ସହ ଲଳିତା ପ୍ରେମର ବାସ୍ନା | ମୁଁ କିନ୍ତୁ ତାକୁ ଆଜିଯାଏ ଭୁଲି ପାରିନି | ସେ ମୋ ପ୍ରେମିକା ଥିଲା, ଅଛି ଓ ମୁଁ ଥିବା ପର୍ଯନ୍ତ ରହିବ | 

ମୁଁ ଚିଠି ଗୁଡିକୁ ଦେଖୁଥାଏ, ତାସହ ଦେଖୁଥାଏ ବଂଶୀ ଜେଜର ଆଖିର ଲୁହ | ପ୍ରେମ କଣ ମୁଁ ଏବେ ହୃଦୟଙ୍ଗମ କରିପାରୁଥିଲି |



Rate this content
Log in

Similar oriya story from Romance