ପ୍ରେମର ଅଙ୍କୁରୋଦ୍ଗମ
ପ୍ରେମର ଅଙ୍କୁରୋଦ୍ଗମ
ପ୍ରେମର ଫଲଗୁ ଆଜିକାଲି ସବୁ ପୁଅଝିଅ ଦେହରେ ପ୍ରବାହିତ। ପ୍ରେମ ଆଜିକାଲି ଫ୍ୟାସନରେ ପରିଣତ। ଦୁଇଦିନ କଥାବାର୍ତ୍ତାରେ ପ୍ରେମର ଫଲଗୁ ଚୁମିଯାଏ ପ୍ରେମୀଯୁଗଳଙ୍କୁ।
ମହାନଦୀର ଶୀତଳ ସମୀର ପରି ଲାଗେ ପ୍ରେମ। ଟିକେ ବାଧାବିଘ୍ନ ହେଲେ ମହାନଦୀ ବନ୍ୟାରେ ଘରଦ୍ଵାର ଭାସିଗଲା ପରି ଧୋଇ ହୋଇଯାଏ ପ୍ରେମ। କିନ୍ତୁ କାହାଣୀର ନାୟକ ଲାବଣ୍ୟେନ୍ଦୁ ଓ ପ୍ରିୟାର ପ୍ରେମ ମହାନଦୀର ବନ୍ୟା ଧୋଇନେଲା ନା ଶୀତଳ ସମୀର ଜୀବନସାରା ବୋହିଲା ଆସନ୍ତୁ ଜାଣିବା।
ପ୍ରେମ........
କିଏ କହେ ମରିଚୀକା।
କିଏ କହେ ଧୋକାବାଜ।
କିଏ କହେ କାମରୂପୀ ତୋଫାନର ପୁର୍ବାଭାଷ।
କାହିକି ???
ତାହେଲେ.......
ହିରରାଂଝା, ସୋନିମହିୱାଲର ପ୍ରେମ।
ସେସବୁ ତ ଇତିହାସ ପୃଷ୍ଠାର ପ୍ରେରଣା।
ଏକବିଂଶ ଶତାବ୍ଦୀରେ ପ୍ରେମର ପରିଭାଷା ବଦଳିଲା କେମିତି ?ଅଳୀକ ଅହମିକାର ବଶବର୍ତ୍ତୀ ଏକବିଂଶ ଶତାବ୍ଦୀର ଯୁବପିଢି ନିଜକୁ ଜ୍ଞାନର ଭଣ୍ଡାର ଭାବେ।
ଭାରତର ନଦନଦୀ ଭିତରେ ସର୍ବାଧିକ ପୁଣ୍ୟତୋୟା ସପ୍ତନଦୀ ( ଗଙ୍ଗା, ଯମୁନା, ଗୋଦାବରୀ,ସରସ୍ଵତୀ,ନର୍ମଦା, ସିନ୍ଧୁ, କାବେରୀ )ଭିତରେ ଅଗ୍ରଗଣ୍ୟ ଗଙ୍ଗା। ଏହି ପୁଣ୍ୟତୋୟା, ପରମପାବନ ନଦୀକୁ ସର୍ବାଧିକ କଳୁଷିତ କରୁଛି ଏକବିଂଶ ଶତାବ୍ଦୀର ମନୁଷ୍ଯ।
ଗଙ୍ଗାପରି ନାରୀକୁ ବି କଳୁଷିତ କରେ ପୁରୁଷ। ବିଶେଷକରି ଅବର୍ଜନାଯୁକ୍ତ କଳୁଷିତ ମନରେ ଗଙ୍ଗାରୂପି ନାରୀର ଚରିତ୍ର ହନନ କରି ଅପବିତ୍ର କରେ ତାକୁ।
ଆଜିକାଲି ଘରଚଟିଆ ବିଲୁପ୍ତପ୍ରାୟ। ପାଲ୍ଲା, ଦାସକାଠିଆ ପ୍ରଶିକ୍ଷଣ ଗୃହରେ ତାସ୍ ଓ ମଦର ଆସର। ଗାଆଁ ପୋଖରୀ ପୋତାହୋଇ ସଦୃଶ୍ୟ ପାର୍କ୍। ପାର୍କ୍ ରେ ଚାଟଗୁପଚୁପ୍ ଖାଇ ଖଟାପାଣିରେ ପାଟି ଖଟାହୋଇଯିବା ବାହାନାରେ ପାର୍କର ସିମେଣ୍ଟ ବେଞ୍ଚ ପଛର ଘାସଗାଲିଚାରେ ପ୍ରେମୀଯୁଗଳଙ୍କ ଅଶ୍ଳିଳ ଚୁମ୍ବନ। ଗାଆଁରାସ୍ତା ବଦଳି କଂକ୍ରିଟ ଜଙ୍ଗଲ।
ଛାତଉପରେ ସାରାପରିବାର ଗପସପ ସହ ଶୋଇଯିବା ପ୍ରଥା ବିରଳ କାରଣ ଯେ ଝା ମୋବାଇଲରେ ବ୍ୟସ୍ତ।
କିନ୍ତୁ ହାତଗଣତି କେତୋଟି ଗାଆଁ ରହିଯାଇଛି ଯେମିତି ବଲାଙ୍ଗିରର ଉପାନ୍ତ ଗ୍ରାମ କନାଗୁଡି। ତିରିଶିପରିବାରକୁ ନେଇ ଗାଆଁଟି।
ଏକବିଂଶ ଶତାବ୍ଦୀରେ ବି ଗାଆଁ ରାସ୍ତା ମାଟି। ଗାଆଁପାଖରେ ସୁନ୍ଦର ପୁଷ୍କରିଣୀ। ଗାଆଁ ମୁଣ୍ଡରେ ଶିବମନ୍ଦିରଟିଏ। ମଣ୍ଡପରେ ବସି ଗପସପ କରନ୍ତି ଗାଆଁରବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ।
ଗାଆଁର ଅପରପାର୍ଶ୍ୱରେ ବିରାଟ ବରଗଛ।
ଅତ୍ୟାବଶ୍ୟକ ଜିନିଷପତ୍ର ପାଇଁ ଗାଆଁଲୋକ ଯାଆନ୍ତି ପାଖରେ ଥିବା ବଲାଙ୍ଗୀର ସହରକୁ । ସେଇ ଗାଆଁର ଝିଅ ପ୍ରିୟା। ସରଳ, ସୁନ୍ଦରୀ ଓ ରକ୍ଷଣଶୀଳ ମଧ୍ୟବିତ୍ତ ପରିବାରର ଝିଅ। ସଂସାଧିତ୍ର ଦ୍ଵାରା ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରିତ ( ଅନଲାଇନ) ଯୋଗସୁତ୍ରରୁ ପ୍ରିୟା ସହ ଯୋଡ଼ି ହେଲା ଲାବଣ୍ୟେନ୍ଦୁ । କୋଡିଏ ବର୍ଷିୟ ରୋମା ପ୍ରବୀଣା ଥିଲେ ପୁରାଣରେ।
ଲାବଣ୍ୟେନ୍ଦୁଙ୍କ ଚିନ୍ତାଧାରା ବି ଉନ୍ନତ। ସେ କୁହନ୍ତି ଏ ପ୍ରିୟା ! ପ୍ରେମ ! କ'ଣ ଜାଣିଛ ? ପ୍ରେମ ପାଣି ପରି ବୋହିଯିବା ଆବଶ୍ୟକ । ପ୍ରେମରେ କୌଣସି ବନ୍ଧନ, କୌଣସି ସୀମା ନଥାଏ ନା ଭାବନାରେ, ନା ରୂପରେ ନା ଶରୀରରେ।
ଏମିତି କଥାବାର୍ତ୍ତା ଚାଲିଲା ଦୁହିଁଙ୍କ ଭିତରେ। କେହି କାହାକୁ ଦେଖି ନଥିଲେ ବା ଦେଖିବାର ଆଗ୍ରହ ନଥିଲା। ପ୍ରେମରେ ଅନଭିଜ୍ଞ ପ୍ରିୟାକୁ ଲାବଣ୍ୟେନ୍ଦୁଙ୍କ କଥାବାର୍ତ୍ତା ବାନ୍ଧି ରଖୁଥିଲା। ଗୋଟେ ଅଦ୍ଭୁତ ଆକର୍ଷଣରେ ଆକର୍ଷିତ ହେବାକୁ ଲାଗିଲେ ପ୍ରିୟା। ଧିରେ ଧିରେ ପ୍ରେମର ଅଙ୍କୁରୋଦ୍ଗମ ହେବାକୁ ଲାଗିଲା। ପୁଅମାନେ ସାଧାରଣତଃ ପରିପ୍ରକାଶ କରିପକାନ୍ତି। ସେହି କ୍ରମରେ ଲାବଣ୍ୟେନ୍ଦୁ ପ୍ରେମର ବିଗୁଲ ବଜେଇଲେ କିନ୍ତୁ ନିରୁତ୍ତର ଥିଲେ ପ୍ରିୟା ।
କିଛିଦିନ ପରେ ପ୍ରିୟା ନିଜ ପ୍ରେମର ସ୍ଵୀକୃତି ଦେଲେ। ରାତିସାରା ଚାଲିଲା ପ୍ରେମାଳାପ । ଦୁନିଆ ସୁନ୍ଦର ଲାଗୁଥିଲା। ଧିରେ ଧିରେ ସଂସାର ତତ୍ତ୍ଵରୁ ଦୁରେଇ ଯାଇ ଲିଙ୍ଗତତ୍ତ୍ଵ ( ସେକ୍ସ ) ଉପରେ ପ୍ରାଧାନ୍ୟ ଦେବାରେ ଲାଗିଲେ ଲାବଣ୍ୟେନ୍ଦୁ ।
ପ୍ରିୟାକୁ ଭଲ ଲାଗୁନଥିଲେ ବି ହୁଁ ହୁଁ କରି କଥାର ମୋଡ଼ ବଦଳେଇବାକୁ ଚେଷ୍ଟା କରୁଥିଲେ ପ୍ରିୟା। ଏତେ ଭଲପାଇବା ଏତେ ମାର୍ଜିତ କଥାବାର୍ତ୍ତା ଭିତରେ ଲାବଣ୍ୟେନ୍ଦୁଙ୍କ ଏସବୁ କି କଥାବାର୍ତ୍ତା ?
ଧିରେ ଧିରେ ଲାବଣ୍ୟେନ୍ଦୁଙ୍କ ଆଚାର, ବ୍ୟବହାରରେ ପରିବର୍ତ୍ତନ ଘଟିଲା। ଭାଙ୍ଗି ପଡୁଥିଲା ସରଳବିଶ୍ୱାସୀ ଝିଅଟି। ପ୍ରଥମ ପ୍ରେମ, ଅଗାଧ ବିଶ୍ବାସ।
ପ୍ରେମ ପିୟୁଷ ନା ବିଷ। ପ୍ରେମ ସଂସାରୀ ନାରୀର ତୁଳସୀ ଚଉରା ନା ବାରାଙ୍ଗନାର ଘରର ମାଟି।ପ୍ରେମ ଲକ୍ଷ୍ମୀ ରୂପି ମ୍ରୁଣ୍ମୟୀ ପ୍ରତିମା ନା ଲକ୍ଷ୍ମୀ ଙ୍କର ଆବିର୍ଭାବ। ପ୍ରେମ ଶାଶ୍ୱତ ସୁନ୍ଦର ଅଜର ଅମର ନା ଛଳନା,ପ୍ରତାରଣା, ଶାରିରୀକ ମିଳନ ର ଏକ କଳଙ୍କିତ ଅଧ୍ୟାୟ ?
ମନମାରି ରହୁଥିଲେ ପ୍ରିୟା । ଖାଇବା ପିଇବା କୁ ବି ମନ ବଳୁନଥିଲା। ନିଜକୁ ବିଶ୍ଵାସ କରିପାରିନଥିଲେ ଲାବଣ୍ୟେନ୍ଦୁଙ୍କ ପରିବର୍ତ୍ତିତ ରୂପ ଦେଖି। ସେଦିନ ତ ପ୍ରିୟା ଆକାଶରୁ ଖସି ପଡିଲେ ଯେଉଦିନ ଲାବଣ୍ୟେନ୍ଦୁ ପ୍ରିୟାଙ୍କ ସ୍ତନଯୁଗଳ ଦେଖିବାର ଅନୁରୋଧ କରିଦେଲେ।
ନଥ କରି ବିଛଣାରେ ବସି ଭାବିବାକୁ ଲାଗିଲେ ପ୍ରିୟା। ଠିକଅଛି, ଶରୀର ତ ନଶ୍ଵର , ତା ଛଡା ସେ ତ ମୋ ପ୍ରେମିକ। ସ୍ତନଯୁଗଳ ଦେଇ ପ୍ରତ୍ୟକ୍ଷ ସଂସାଧିତ୍ର ଦ୍ଵାରା ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରିତ ( ଅନଲାଇନ) ଯୋଗସୁତ୍ରରୁ ଦୁରେଇ ଗଲେ ପ୍ରିୟା।
କିଛିମାସ ପରେ .....
ଦୁରେଇ ଗଲେ ବି ଲାବଣ୍ୟେନ୍ଦୁଙ୍କ ପ୍ରେମକୁ ଝୁରୁଥିଲେ ପ୍ରିୟା। ପୁଅଟି ଭ୍ରମର ପରି ଘୁରିବୁଲେ ନୂତନ ପୁଷ୍ପ ସନ୍ଧାନରେ କିନ୍ତୁ ଝିଅଟି ଥରେ ପ୍ରେମ ଜାଲରେ ଧରାଦେଲେ ସହଜରେ ମୁକୁଳି ପାରେନାହିଁ। ଭାଙ୍ଗି ପଡ଼ିଲେ ପ୍ରିୟା।
ହଠାତ ଦିନେ ସଂସାଧିତ୍ର ଦ୍ଵାରା ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରିତ ( ଅନଲାଇନ) ରେ ପ୍ରବେଶ କରୁ କରୁ ଦେଖାହେଲେ ବିଭୁ। ସାଧାରଣ ବାର୍ତ୍ତାଳାପ। ପ୍ରିୟା ଜାଣିଲେ ଏହି ବ୍ୟକ୍ତି ଗଭୀର ଦୁଃଖରେ। ପ୍ରିୟା କହିଲେ, ସାର୍ ! ଦୁଃଖ ବାଣ୍ଟିଲେ ଦୁଃଖ ଲାଘବ ହୁଏ ତେଣୁ ଭଲ ସାଙ୍ଗ ହିସାବରେ ମୋତେ ଆପଣଙ୍କ କଥା କୁହନ୍ତୁ।
ପ୍ରିୟାର କଥାରେ ପ୍ରଭାବିତ ହେଲେ ବିଭୁ। ଧିରେ ଧିରେ ଜୀବନର ଦୁଃଖ ବଖାଣି ଚାଲିଲେ ବିଭୁ। ସମ୍ପୂର୍ଣ୍ଣ ବୁଝୁଥିଲେ ପ୍ରିୟା। ପ୍ରିୟା ସହ ଉତ୍ତର ପ୍ରତ୍ୟୁତ୍ତରରେ ଅମାପ ଶାନ୍ତି ପାଉଥିଲେ ବିଭୁ। ତାଙ୍କ ଜୀବନରେ କଳାବାଦଲ ଆସି ଅପସରି ଯାଇଥିଲା। କଳାପାହାଡ଼ ତାଙ୍କ ସଂସାର ମନ୍ଦିରକୁ ଭାଙ୍ଗି ଦେଇଥିଲା। ସେଇ ଭଗ୍ନସ୍ତୁପ ଉପରେ ଠିଆ ହୋଇ ଭିତରୁ କୁହୁଳିଉଠୁଥିବା ନିଆଁରେ ପ୍ରତ୍ୟହ ଜଳୁଥିଲେ ବିଭୁ। ସେଇଠି ଶାନ୍ତିର ଚନ୍ଦନ ପ୍ରଲେପ ଦେବାରେ ସମର୍ଥ ହୋଇଥିଲେ ପ୍ରିୟା।
ଧିରେ ଧିରେ ବନ୍ଧୁତ୍ୱରୁ ପ୍ରେମକୁ ଆଗେଇଥିଲେ ବିଭୁ। ଜାଣି ପାରୁଥିଲେ ପ୍ରିୟା। ପ୍ରିୟାର ଆକର୍ଷଣ ବୁଝପାରୁନଥିଲେ ବିଭୁ। ସନ୍ଦେହର ବୁଢିଆଣୀଜାଲ ହଟେଇବାକୁ ପଚାରୁଥିଲେ ପ୍ରିୟାକୁ। କିନ୍ତୁ ଚାଲାକ ପ୍ରିୟା ସେଇ ପ୍ରେମ କଥାକୁ ଆଡେଇ ଯାଉଥିଲେ।
ବିଭୁ କହୁଥିଲେ, ଜାଣିଛ ପ୍ରିୟା !
ପ୍ରେମ ନୁହେଁ ପାଣିଫୋଟକା, ପ୍ରେମ ନୁହେଁ କ୍ଷଣିକ ଉତ୍ତେଜନାର କାମ। ପ୍ରେମରେ ଥାଏ ଅମୃତର ସ୍ପର୍ଶ। ପବନକୁ ତମେ ଛୁଇଁପାର ? ନା ,ଛୁଇଁପାରନା। କିନ୍ତୁ ସେହିଁ ତ ଆମ ଶରୀରର ରକ୍ଷକ। ଠିକ୍ ସେମିତି ପ୍ରେମ। ହେ କାମୁକ, ଲମ୍ପଟ! ଅନୁଭବ କର ତାର ପଦଧ୍ୱନୀ, ଅନୁଭବ କର ତାର ଶୀତଳତା। ବନ୍ଦକର ଏସବୁ ବ୍ୟଭିଚାର, ଅତ୍ୟାଚାର।
ନଚେତ୍......
ଛବିରାଣୀ, ବବିତା, ସୁମନ, ବାସନ୍ତୀ ମାନଙ୍କ ତତଲା ଲୁହରେ ଜଳିଯିବ ଏଇ ସଚରାଚର ବିଶ୍ବବ୍ରହ୍ମାଣ୍ଡ । ପ୍ରଭାବିତ ଥିଲେ ପ୍ରିୟା। ପ୍ରିୟା ସତରେ କ'ଣ ତାଙ୍କୁ ଭଲପାଏ ? ଜାଣିବାର ପ୍ରବଲ୍ୟରେ ବେଳେବେଳେ ଛୁଆଙ୍କ ପରି ଆଚରଣ କରୁଥିଲେ ବିଭୁ। କଥାଛଳରେ ଉପଦେଶ ଦେଇ ବୁଝେଇ ଦେଉଥିଲେ ପ୍ରିୟା। ବିଭୁ ବି ଚାହୁଁଥିଲେ ପ୍ରିୟାଙ୍କୁ ଲାବଣ୍ୟେନ୍ଦୁଙ୍କ ମିଛ ପ୍ରେମରୁ ବାହାର କରି ପ୍ରେମର ପ୍ରକୃତ ରୂପ ଓ ପ୍ରକୃତ ମଜା ଚଖେଇବାକୁ।
ଧିରେ ଧିରେ ଲାଜକୁଳୀ ଲତା ପରି ବିଭୁଙ୍କ ପ୍ରେମରେ ଗୁଡେ଼ଇ ହେଇଗଲେ ପ୍ରିୟା। ସମୟ ଗଡିଲା, ପ୍ରେମର, ପ୍ରକୃତ ପ୍ରେମର ଅଙ୍କୁରୋଦ୍ଗମ ହେବାରେ ଲାଗିଲା। ଏହା ସତ୍ୟ ପ୍ରଥମପ୍ରେମ ଭୁଲି ହୁଏନା। କିନ୍ତୁ ପ୍ରଥମପ୍ରେମ ନୁହେଁ କାମର ଚର୍ଚ୍ଚା। ତେଣୁ ପ୍ରିୟା ଲାବଣ୍ୟେନ୍ଦୁଙ୍କ ପ୍ରେମକୁ ପ୍ରଥମ ପ୍ରେମ କୁହାଯିବନି କହି ବୁଝାଇ ଦେଉଥିଲେ ବିଭୁ। ହସୁଥିଲା ପ୍ରେମ, ହସୁଥିଲେ ପ୍ରେମୀଯୁଗଳ। କହୁଥିଲେ ଏହା ହିଁ ସଫଳ ପ୍ରେମର ଅଙ୍କୁରୋଦ୍ଗମ ।
*ସମାପ୍ତ*

