ପ୍ରେମ ସାଗର
ପ୍ରେମ ସାଗର


ସଗର କୂଳରେ ବୁଲିବାକୁ, ସାଗରରେ ବୁଡ ପକେଇବାକୁ ସମସ୍ତଙ୍କୁ ବହୁତ୍ ଭଲଲାଗେ।ଅଧିକାଂଶ ଲୋକ ମଧ୍ଯ ସାଗର କୂଳରେ ବୁଲିବାକୁ ଓ ତାହାର ସୌନ୍ଦର୍ଯ୍ଯ ଉପଭୋଗ କରିବାକୁ ପ୍ରବଳଭାବେ ଇଛୁକ ଥାଆନ୍ତି। କିନ୍ତୁ କିଛି ଜଣ ଅଭାଗା ମଧ୍ଯ ଏମିତି ଥାଆନ୍ତି ନା ସେମାନେ ପହଁରା ଜାଣନ୍ତି ,ନା ସେମାନଙ୍କୁ କେଉଁଠୁ ନାଆ ମିଳେ ସମୁଦ୍ରରେ ବୁଲିବାପାଇଁ। ତେଣୁ ସେମାନେ କେବଳ ସମୁଦ୍ରକୁ ଦୂରରୁ ଦେଖି, ତା' ବିଷୟରେ ଶୁଣି ଆନନ୍ଦିତ ହୁଅନ୍ତି ଓ ମନରେ ତୋଳନ୍ତି ଅସୁମାରୀ ସ୍ୱପ୍ନର ରଙ୍ଗିନ୍ ତାଜମହଲ।
ଜଣେ ଯୁବକର ଅବସ୍ଥା ଠିକ୍ ଏହିପରି ଥିଲା। କିନ୍ତୁ ହଠାତ୍ ଦିନେ ସବୁକିଛି ବଦଳିଗଲା। ସମୁଦ୍ର କୂଳେକୂଳେ ବୁଲୁବୁଲୁ ସେ ହଠାତ୍ କୂଳରେ ଏକ ନାଆ ଥୁଆ ହୋଇଥିବାର ଦେଖିବାକୁ ପାଇଲା। ନାଆଟି ଅତି ସୁନ୍ଦର ଥିଲା। ଆଉ ସେ ଯୁବକ ଜଣକ ଅନୁଭବ କଲା, ଯେପରି ନାଆଟି ତାକୁ ହାତଠାରି ଡାକୁଛି ଅସୀମ ସାଗର ବକ୍ଷରେ ତା'ସହ ବୁଲିଯିବା ପାଇଁ। ତେଣୁ ଯୁବକ ଜଣକ ଦୌଡିଗଲା ନାଆ ପାଖକୁ। କିନ୍ତୁ ପାଖକୁ ଯାଇ ଯୁବକ ଜଣକ ଦେଖିଲା ନାଆଟି ଧିର ସ୍ୱରରେ କାନ୍ଦୁଛି।ତାର ଶରୀରର ଅନେକ ଜାଗାରେ କ୍ଷତ। କ୍ଷତର କାରଣ ପଚାରିବାରୁ ନାଆଟି କାନ୍ଦି କାନ୍ଦି କହିଲା ମୋ ନାଉରୀ ମୋର ଏମିତି ଅବସ୍ଥା କରି ଏପରି ଅବସ୍ଥାରେ ମତେ ଏହିଠାରେ ଛାଡିଦେଲା। ପ୍ରତି ମୁହୂର୍ତ୍ତରେ ସୁଖରେ ଦୁଖରେ ,ଭଲରେ ମନ୍ଦରେ, ବିପଦରେ ଆପଦରେ, ସବୁ ପ୍ରତିକୂଳ ପରିବେଶରେ ମୁଁ ତାର ସାଥି ହୋଇ ସବୁ କଷ୍ଟକୁ ସହିଲି। ତା ପାଇଁ ମୁଁ ନିଜକୁ ତାର ରକ୍ଷା କବଚ ସଜେଇ ଦେଲି। ଧୀରେ ଧୀରେ ମୋ ଶରୀରର ଅବସ୍ଥା ଏପରି ହୋଇଗଲା। ତେଣୁ ସେ ମତେ ଛାଡି ଅନ୍ଯ ଏକ ନୂଆ ଓ ସୁନ୍ଦର ନାଆକୁ ସାଙ୍ଗରେ ଧରି ସମୁଦ୍ର ଭ୍ରମଣ କରିବାକୁ ଚାଲିଗଲା। ଆଉ ମୁଁ ହୋଇଗଲି ଏକ ଅଲୋଡା ଅଖୋଜା ଦଦରା ନାଆ। ଯୁବକ ଜଣକ ନାଆର ଦୁଃଖ କାହାଣୀ ଶୁଣି କାନ୍ଦି ପକାଇଲା ଓ ବହୁ ପରିଶ୍ରମ କରି ବଡ କଷ୍ଟରେ ନାଆର ସବୁ କ୍ଷତକୁ ଭରିଦେଲା। ଯେଉଁସବୁ କ୍ଷତ ତାକୁ ତା' ପୁରୁଣା ନାଉରୀ ଦେଇଥିଲା। ଯୁବକ ଜଣକ ନାଆକୁ ସୁନ୍ଦର ଭାବରେ ସଜେଇ ଦେଲା। ନାଆଟି ଆଗ ଅପେକ୍ଷା ଆହୁରି ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଗଲା। ନାଆକୁ ସଜେଇ ସାରି ଯେତେବେଳେ ଯୁବକ ଜଣକ ସେଠାରୁ ଯିବାକୁ ଆରମ୍ଭ କଲା ନାଆ କହିଲା ଟିକିଏ ରୁହ। ତୁମେ ଏତେ ପରିଶ୍ରମ କରି ମତେ ଆଗ ଅପେକ୍ଷା ଆହୁରି ସୁନ୍ଦର କରି ଗଢି ତୋଳିଲ। ପୁଣି ମତେ ଏକା ଛାଡିଦେଇ କୁଆଡେ ଚାଲିଯାଉଛ? ମୋ ନାଉରୀ ତ ମତେ ଏକା କରି ଚାଲିଗଲା। ତୁମେ ମତେ ଋପବତୀ କରି ସଜେଇ ପୁଣି ଏକା ଛାଡିଦେଇ କାହିଁକି ଚାଲି ଯାଉଛ? ତୁମର ବି ଯଦି ମତେ ଛାଡି ଚାଲିଯିବାର ଥିଲା ତାହେଲେ ଏତେ ପରିଶ୍ରମ କରି ମତେ ଏତେ ସୁନ୍ଦର କରି ଗଢି ତୋଳୁଥିଲ କାହିଁକି? ନାଆ ଯେତେ ସୁନ୍ଦର ହେଲେ ବି ଯଦି ପାଖରେ ତାର ନାଉରୀ ନଥାଏ ତେବେ ସେ ନାଆ ଜୀବନର କୌଣସି ମୂଲ୍ଯ ନଥାଏ। ଯୁବକ ଜଣକ ପଚାରିଲା ତେବେ ତୁମେ ମୋଠାରୁ କଣ ଆଉ ଆଶା କରୁଛ? ମୁଁ ତୁମକୁ ଆଉ କିପରି ସାହାଯ୍ଯ କରିପାରିବି? ଏହା ଶୁଣି ନାଆ କହିଲା ତୁମେ ମୋ ନାଉରୀ ହେଇଯାଅ। ଚାଲ ଆମେ ଦୁହେଁ ବୁଲିଯିବା ଓ ଦେଖିବା ଆଉ ଉପଭୋଗ କରିବା ଏ ବିଶାଳ ସମୁଦ୍ରର ସୁନ୍ଦର ଦୃଶ୍ଯପଟ୍ଟକୁ। କିଛି ସମୟ ଚିନ୍ତା କରିବା ପରେ ଯୁବକ ଜଣକ ନାଆର କଥାରେ ରାଜି ହୋଇଗଲା। କାରଣ ଯୁବକ ନିଜର ହୃଦୟର ଗଭୀରତମ ପ୍ରଦେଶରେ ନାଆକୁ ସ୍ଥାନ ଦେଇ ସାରିଥିଲା। ଉଭୟ ସାଙ୍ଗ ହୋଇ ବାହାରିଗଲେ ବଶାଳ ସମୁଦ୍ର ବକ୍ଷରେ।
ଉଭୟ କିଛିବାଟ ଆନନ୍ଦରେ ପରିଭ୍ରମଣ କରିବା ସହିତ ବିଶାଳ ସମୁଦ୍ରର ସୁନ୍ଦର ଦୃଷ୍ଯପଟ୍ଟକୁ ଉପଭୋଗ କରିବାରେ ଲାଗିପଡିଲେ। କିନ୍ତୁ ଦିନେ ସମୁଦ୍ର ମଝିରେ ହଠାତ୍ ନାଆ ତାର ପୁରୁଣା ନାଉରୀକୁ ଭେଟିଲା। ପୁରୁଣା ନାଉରୀ ଆସି ନାଆ ଉପରେ ବସିଲା। ଯୁବକ ସବୁ ଦେଖୁଥାଏ କିନ୍ତୁ କିଛି କହୁ ନଥାଏ। କାରଣ ଯୁବକର ନାଆ ଉପରେ ଥିଲା ଅସୀମ ବିଶ୍ୱାସ। ଆଉ ସେ ମନ ପ୍ରାଣ ଦେଇ ନାଆକୁ ବହୁତ ଭଲ ପାଉଥିଲା। କିଛି ସମୟ ପରେ ନାଉରୀ ତା ବାଟରେ ଚାଲିଗଲା। ଆଉ ଯୁବକ ଜଣଙ୍କ ନାଆ କପ ଧରି ନିଜ ବାଟରେ ଆଗକୁ ଚାଲିଲା।
ଯୁବକ ଜଣକ ପହଁରା ଜଣିନଥିଲା। କିନ୍ତୁ ନାଆର ଭରଷାରେ ସେ ସମୁଦ୍ରର ଗଭୀରରୁ ଗଭୀରତମ ସ୍ଥାନକୁ ଯିବାପାଇଁ ମଧ୍ଯ ଭୟ କରୁନଥିଲା। ସମୁଦ୍ର ମଧ୍ଯରେ ଯାଉ ଯାଉ ହଠାତ୍ ଏକ ଅଦିନ ଝଡ ଆସି ନାଆ ଓ ଯୁବକକୁ ଅଲଗା କରିଦେଇ ଚାଲିଗଲା। ଯୁବକ ସେଠାରେ ବୁଡିବାକୁ ଲାଗିଲା। ମାତ୍ର ଭଗବାନଙ୍କ କୃପାରୁ ଯୁବକ ପୁଣି ନିଜର ନାଆକୁ ଫେରି ପାଇଲା। ନାଆରେ ହୋଇଥିବା କ୍ଷତର ମରାମତି କରି ନାଆକୁ ସାଙ୍ଗରେ ଧରି ଆଗକୁ ଚାଲିଲା।
କିଛିବାଟ ଗଲାପରେ ଗଭୀର ସମୁଦ୍ରରେ ଉଭୟଙ୍କ ଉପରେ ହିଂସ୍ର ସାର୍କ ଆକ୍ରମଣ କଲା। ନାଆକୁ ରକ୍ଷା କରିବା ପାଇଁ ଯୁବକ ସାର୍କ ସହ ଲଢି ତାକୁ ମଧ୍ଯ ପରାସ୍ତ କଲା। ଏହାପରେ ନାଆ ଓ ଯୁବକ ମଧ୍ଯରେ ଥିବା ସମ୍ପର୍କ ଆହୁରି ନିବିଡ ହୋଇଗଲା। ନାଆକୁ ସାଥିରେ ଧରି ଯୁବକ ପୁଣି ଆଗକୁ ଚାଲିଲା।
କିଛି ବାଟ ଗଲାପରେ ଯୁବକ ଓ ନାଆ ଉଭୟ ଥକିଗଲେ, ତେଣୁ ବିଶ୍ରାମ ନେବା ପାଇଁ ଉଭୟ ଗୋଟିଏ ସ୍ଥାନରେ କିଛି ସମୟ ଅଟକି ଗଲେ। ବିଶ୍ରାମ ନେଉଥିବା ସମୟରେ ଯୁବକ ଜଣକ କିଛି ଦୂରରେ ଅନ୍ଯ ଏକ ନାଉରୀ ବିହିନ ନାଆକୁ ଦେଖିଲା। ସେ ନାଆଟି ଯୁବକକୁ ହାତଠାରି ତା ନିକଟକୁ ଯିବାପାଇଁ ଡାକୁଥିଲା। ନୂଆ ନାଆର ଋପ ମାଧୁର୍ଯ୍ଯ ଦେଖି ନିଜ ହୃଦୟ ଉପରୁ ନିୟନ୍ତ୍ରଣ ହରାଇ ନୂଆ ନାଆ ପାଖକୁ ଯିବାକୁ ଲାଗିଲା। କିଛିବାଟ ଗଲାପରେ ଯୁବକର ତା ପୁରୁଣା ନାଆ କଥା ମନେ ପଡିଗଲା। ତେଣୁ ସେ ଅଧା ବାଟରୁ ନିଜ ନାଆ ପାଖକୁ ଫେରି ଆସିଲା। ଯୁବକ ନୂଆ ନାଆ ପାଖକୁ ନଯିବାରୁ ନୂଆ ନାଆଟି ରାଗରେ ବିଚଳିତ ହୋଇପଡିଲା। ତାପରେ ନୂଆ ନାଆ ଯୁବକକୁ ଧମକ ଦେଇ କହିଲା, ଯଦି ତୁମେ ମୋ ପାଖକୁ ନଆସିବ ତାହେଲେ ମୁଁ ତୁମ ନାଆକୁ ସମୁଦ୍ରରେ ବୁଡାଇ ଦେବି। ଏହା ଶୁଣି ଯୁବକ ଡରିଗଲା ଓ ନିଜ ନାଆର ସୁରକ୍ଷା ପାଇଁ ସିଏ ନୂଆ ନାଆର କଥାରେ ରାଜି ହେଇଗଲା।
ମାତ୍ର ଯୁବକ ନୂଆ ନାଆ ପାଖକୁ ଯିବା ପୂର୍ବରୁ ତା ନାଆ ସବୁ କଥା ଜାଣିପରି ଯୁବକ ଉପରେ ପ୍ରବଳ ରାଗିଲା। ଯୁବକ ଯେତେ ବୁଝେଇବାକୁ ଚେଷ୍ଟା କଲା କିନ୍ତୁ ନାଆ ତାର କୌଣସି କଥା ନଶୁଣି ତାକୁ ମଝି ସମୁଦ୍ରରେ ଏକା ଛାଡିଦେଇ ଆଗକୁ ଚାଲିଗଲା। ଯୁବକକୁ ବୁଡି ଯାଉଥିବାର ଦେଖି ନୂଆ ନାଆ ବି ତାଠାରୁ ଦୂରକୁ ଚାଲିଗଲା। କିଛିବାଟ ଗଲାପରେ ଯୁବକର ନାଆର ମନେପଡିଗଲା ଯେ ଯୁବକକୁ ପହଁରା ଜଣାନାହିଁ। ତେଣୁ ସେ ପୁଣି ପଛକୁ ଫେରି ଯୁବକକୁ ଖୋଜିବାକୁ ଲାଗିଲା। ହେଲେ ଏତେବଡ ସମୁଦ୍ରରେ ସେ ଯୁବକକୁ କେମିତି ଖୋଜି ପାରିବ? ବହନ ଖୋଜିବା ପରେ ସେ ଯୁବକକୁ ପାଇଲା କିନ୍ତୁ ସେତେବେଳକୁ ଯୁବକ ବହୁତ୍ ପାଣି ପିଇ ବେହୋସ ହେବାକୁ ଯାଉଥାଏ। ନାଆ ତାକୁ ଉଦ୍ଧାର କରି ନିଜ ସାଥିରେ କୂଳକୁ ଆଣି ତାର ସେବା କଲା।ଯୁବକ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଲା। ମାତ୍ର ଦିନେ ଯୁବକ ଶୋଇଥିବା ବେଳେ ନାଆ ଆଉଜଣେ ନାଉରୀ ସହ ସମୁଦ୍ରକୁ ବୁଲିବାକୁ ଚାଲିଗଲା। ଯୁବକର ନିଦ ଭାଙ୍ଗିବା ବେଳକୁ ନାଆ ନୂଆ ନାଉରୀ ସହ ଅନେକ ଦୂରକୁ ଯାଇସାରିଥାଏ। ଯୁବକ ବହୁ ବିକଳ ହୋଇ ନାଆକୁ ତାପାଖକୁ ଫେରି ଆସିବା ପାଇଁ ନେହୁରା ହୋଇ କହିଲା। ମତ୍ର ନାଆ ଯୁବକକୁ କହିଲା ତୁମସହ ମୋର ଏତିକି ଦିନହିଁ ରହିବାର ଥିଲା। ଆଜି ଠାରୁ ତୁମ ସହ ମୋର କୌଣସି ସମ୍ପର୍କ ନାହିଁ। ମତେ ତୁମେ ଭୁଲିଯାଇ ନୂଆକରି ଜୀବନ ବଞ୍ଚିବାକୁ ଚେଷ୍ଟାକର। ମୁଁ ଭାବୁଛି ତୁମକୁ ଅତି ଶୀଘ୍ର ମୋ ଠାରୁ ବି ଆହୁରି ଭଲ ନାଆ ନିଶ୍ଚିତ ମିଳିଯିବ। ଏତିକି କହି ନାଆ ନୂଆ ନାଉରୀ ସହ ସମୁଦ୍ର ବକ୍ଷରେ ହଜିଗଲା। ଆଉ ଯୁବକ କୂଳରେ ଠିଆ ହୋଇ ବହୁତ କାନ୍ଦିଲା। ଆଉ ଏକା ଏକା ନାଆର ସ୍ମୃତିକୁ ସାଥିରେ ଧରି ସେଇ ସମୁଦ୍ର କୂଳରେ ବୁଲି ସମୟ ବିତେଇବାକୁ ଲାଗିଲା।