Prakash Sahoo

Romance

2.4  

Prakash Sahoo

Romance

ପ୍ରେମ ଭିଜା ମାଟି- ମୋ କଲେଜ

ପ୍ରେମ ଭିଜା ମାଟି- ମୋ କଲେଜ

3 mins
7.6K


ମୋର ସେହି କଲେଜ ଯାହା କୋଳରେ ମୁଁ ବଢିଥିଲି । ଆସନ୍ତୁ ଟିକେ ବୁଲି ଆସିବା ସେହି ପୁରୁଣା ଦିନ ଗୁଡିକରେ ପ୍ରେମ ଭିଜା ମାଟିର ସେହି ମୋ ଗୋପବନ୍ଧୁ ଚୌଧୁରୀ କଲେଜ,ରାମଚନ୍ଦ୍ରପୁର, ଯାଜପୁର,ଓଡିଶାର ଅତୀତ ପୃଷ୍ଠାରୁ କିଛି ଦେଖି ନେବା।

କେବେ ସାଇକେଲ ଅବା ମଟର ସାଇକେଲରେ କଲେଜ ଛକ ଦେଇ ଗଲା ବେଳେ ଜି ସି କଲେଜ ଆଡେ ଚାହିଁଛନ୍ତି?କେବେ ବସରୁ ଓହ୍ଳାଇ ସେଇ ବିସ୍ତୀର୍ଣ୍ଣ ପ୍ରେମର ଭିଜା ମାଟିରେ ପାଦ ଥାପିଛନ୍ତି?କେବେ ଫଗୁଣର ଅମାନିଆ ବୟସରେ ସେଇ ମାଟିର କୃଷ୍ଣଚୂଡାକୁ ପଚାରିଛନ୍ତି ପ୍ରେମର ଠିକଣା?କେବେ ଲାଇବ୍ରେରୀର ଷ୍ଟଡି ରୁମରେ ବସି କାହା ସହିତ ପଢ଼ିଛନ୍ତି,ଲେଖିଛନ୍ତି ନୂଆ ନୂଆ ପ୍ରେମର ଦୁଇ ଧାଡି କବିତା କି ଗଳ୍ପ?କେବେ କଲେଜ ଫାଟକ ସାମ୍ନାରେ ଥିବା ଆମ୍ବ ଗଛ ପାଖରେ ଖାଇଛନ୍ତି କିମ୍ବା ଖୁଆଇଛନ୍ତି ଚାଟ କାହାକୁ?କେବେ ସାଇନ୍ସ ଦୀପାର୍ଟମେଣ୍ଟରେ ଥିବା ବେଲ ଗଛ ପାଖରେ ବସି ସେୟାର କରିଛନ୍ତି ହୃଦୟର ଭାଷାକୁ କାହା ସହିତ?ଛୁଇଁଛନ୍ତି କାହାରି ହୃଦୟ?କେବେ କୋଚିଂ କ୍ଲାସ ସରିବା ପରେ ନୋଟର ବାହାନାରେ ପ୍ରଥମ ଥର ପାଇଁ କଥା ହୋଇଛନ୍ତି କାହା ସହିତ?କେବେ କଲେଜ କ୍ୟାମ୍ପସ ଭିତରେ ଥିବା ଫୁଲ ବଗିଚାରେ ନିଜ ପ୍ରିୟ ମଣିଷ ସହିତ କଥା ହୋଇଛନ୍ତି?କେବେ କଲେଜ କ୍ୟାମ୍ପସରେ ଥିବା ନିରୋଳା ଜାଗାରେ ବସି ବାବୁଲ ସୁପ୍ରିୟୋ ଓ ଉଦିତ ନାରାୟଣଙ୍କ ଗୀତ ଗୁଣୁ ଗୁଣେଇଛନ୍ତି ଓଠରେ?କେବେ କଲେଜ ପାଖରେ ଥିବା ଶିବ ମନ୍ଦିର ଆଗରେ ପ୍ରାର୍ଥନା କରିଛନ୍ତି?କେବେ ବ୍ରାହ୍ମଣୀର ତୁଠରେ ମୃଦୁ ପବନର ମଜା ନେଇଛନ୍ତି?କେବେ ବନ୍ଧୁ କି ବାନ୍ଧବୀ ପାଇଁ ନିର୍ବାଚନ ପୂର୍ବ ଦିନ କାର୍ଡ ବଣ୍ଟନ କରିଛନ୍ତି ?କେବେ କଲେଜ ପାଖରେ ଥିବା ପ୍ରାଇମେରୀ ସ୍କୁଲର କୁନି କୁନି ପିଲାଙ୍କ ସହିତ ମିସିଛନ୍ତି? ଚକଲେଟ ବାଣ୍ଟି ଛୋଟ ମୁହଁରେ ହସର ଫୁଲକୁ ଜାଗ୍ରତ କରିଛନ୍ତି।

ଏ ସବୁର ଉତ୍ତର ଯଦି ହଁ,ତାହେଲେ ଗୋପବନ୍ଧୁ ଚୌଧୁରୀ କଲେଜକୁ ଆପଣ ଅଳ୍ପ ବହୁତ ନିଚ୍ଚୟ ବୁଝିଛନ୍ତି । ହୁଏତ ଏହି କଲେଜର ପ୍ରେମରେ ପଡିଛନ୍ତି,ଥରେ କେବେ ହୁଏତ ବୟସର ଖସଡ଼ା ନଇ ତୁଠରେ ଆପଣ ଗୋଡ଼ ପକାଇଛନ୍ତି।

ଆପଣମାନେ ଜାଣିଛନ୍ତି ବର୍ଷରେ ଛ’ଟି ଋତୁ କିନ୍ତୁ ଜି ସି କଲେଜ ରାମଚନ୍ଦ୍ର ପୁରର ଋତୁ ଗୋଟିଏ । ତାହା ହେଲା ପ୍ରେମର ଋତୁ । ପାଠ ପଢା, ଜୀବନ ଗଢ଼ା,ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି,ଚାକରି ନିଶା,ଘର-ପରିବାର,ସାଙ୍ଗ ସାଥି,ଭବିଷ୍ୟତ ଅନ୍ଵେଷଣ ଭିତରେ ବି ଭଲ ପାଇବାର ସୁମଧୁର ମଳୟ ଟିଏ ଘୁରି ବୁଲେ କ୍ୟାମ୍ପସ ସାରା । କିଏ ପ୍ରେମର ଡଙ୍ଗାରେ ପାରି ହୋଇଯାଏ ଯୌବନ ତ କିଏ ସେହି ଡଙ୍ଗାକୁ ଧରି ବଞ୍ଚିବାକୁ ରାହା ଖୋଜେ ସାରା ଜୀବନ । କିଏ ପାଠ,ପରୀକ୍ଷା ଓ ପ୍ରେମ ଭିତରେ ପ୍ରେମକୁ ସାମ୍ନାରେ ଅଜାଡ଼ି ଦିଏ ତ କିଏ ଏହି ପ୍ରେମକୁ ପାଇବାକୁ ଭୁଲିଯାଏ ଭବିଷ୍ୟତ । ଏହି ପାଠ,ପରୀକ୍ଷା ଓ ପ୍ରେମ ଭିତରେ ତ୍ରିକୋଣୀୟ ତତ୍ତ୍ଵ ବର୍ଷ ସାରା ଗଢି ଥାଏ ଜି ସି କଲେଜ।

ଆଦ୍ୟ ଆଷାଢ଼ରେ ଆରମ୍ଭ ହୋଇଥାଏ ଚିହ୍ନାଚିହ୍ନିର ପର୍ବ । ନୂଆ ନୂଆ ବର୍ଷା ଟୋପା ମାଟି ଛୁଉଁଥାଏ । ଓଦା ମାଟିର ବାସ୍ନାରେ ମାତୁଆଲା ହୋଇଉଠେ ଏହି କଲେଜ ପରିସର । ଓଦା ରାସ୍ତା,ଓଦା ଗଛ ପତ୍ର,ଓଦା ଆକାଶ,ଆଡ଼ମିଶନ ନେଇଥିବା ନୂଆ ନୂଆ ମୁହଁ ମାନେ ପ୍ରଥମ ଦେଖାରେ ଭଲ ପାଇ ବସନ୍ତି ଏହି ଜି ସି କଲେଜକୁ ।ଏତେ ସବୁଜିମା ଏତେ ମୁକ୍ତ ପବନ,ଏତେ ଆଲୁଅ ଓ ଆନ୍ତରିକତା କେବଳ ଖଞ୍ଜି ରହିଥାଏ ଏହି କଲେଜରେ । କ୍ଲାସରେ ନୂଆ ନୂଆ ନାଁରେ ପରିଚୟ ହୁଏ । ଆଖି ଖୋଜି ବୁଲେ ଆଉ ଦୁଇଟି ଆଖି । ମନ ଖୋଜି ବୁଲେ ଆଉ ଗୋଟିଏ ମନ । ଏକା ରଙ୍ଗର ପୋଷାକରେ ଝିଅଙ୍କ ମେଲଣ । ବାଇକ ଓ ସାଇକେଲରେ ପୁଅଙ୍କ ବାଟବଣା।

ଧୀରେ ଧୀରେ ଏହି କଲେଜ ସହିତ ଘନିଷ୍ଠ ହୁଏ ସମ୍ପର୍କ । ସକାଳ ଠାରୁ ଗଭୀର ରାତ୍ରିର ସ୍ଵପ୍ନ ଯାଏ ସବୁକିଛି ନିଜର ନିଜର ଲାଗେ । ନିଛାଟିଆ ଖରାବେଳେ କ୍ରମଶଃ ସ୍ଵପ୍ନର ଆଲୁଅରେ ଝଲମଲ ହୋଇଉଠେ । ପରିଚୟ ନିବିଡ଼ ହେଲେ ମନର ରଙ୍ଗ ସବୁଜ ହୋଇଉଠେ । ହୃଦୟର ମାଟି ଉର୍ବର ହୋଇଉଠେ ଆଉ ଅପେକ୍ଷା କରିଥାଏ ସମ୍ପର୍କର ମଞ୍ଜି ବୁଣିବାକୁ।

ସ୍ପେସିଆଲ କ୍ଲାସରେ ପରସ୍ପର ନିକଟତର ହେବାର ସୁଯୋଗ ଆସେ । ପାଠକୁ ନେଇ କଥାବାର୍ତ୍ତା, ନୋଟ ଦିଆନିଆ,ଏକାଠି ଚାଟ ଗୁପଚୁପ ଖିଆ,ଫୋନ ନମ୍ବର ଦିଆ ନିଆ ଭିତରେ ସଂକୋଚ କମି ଆସେ । ଏହି କଲେଜର ସବୁଠାରୁ ନିରୋଳା ଦେଶରେ ଚାଲେ ଦୀର୍ଘ ସମୟର ବାର୍ତ୍ତାଳାପ।

କଲେଜ ଫକ୍ସନ,ଇଲେକ୍‌ସନ,ଗଣେଶ ,ସରସ୍ୱତୀ ପୂଜା ପର୍ବ,ସ୍ୱାଧୀନତା ଦିବସରେ ଭାଷଣ ପ୍ରତିଯୋଗିତା ଏହି କଲେଜ ଡାଏରିର ଗୋଟିଏ ଗୋଟିଏ ପୁରୁଣା ସ୍ମୃତି । ଯେ ଏହି କଲେଜର ପ୍ରେମ ଭିଜା ମାଟିର ମହକକୁ ଯେ ପରକ୍ଷିଛି ସେ ଆଜି ବି ଏହି କଲେଜକୁ ମନେ ରଖିଛି।

ବ୍ରାହ୍ମଣୀ ନଦୀ ବନ୍ଧ ଉପରେ ଠିଆ ହେଲେ କିମ୍ବା ବରୀ ବ୍ଲକ ପାଖରୁ ଟିକେ ଦୂରକୁ ଗଲେ ପାଇବେ ଏହି ସୁନ୍ଦର କଲେଜ । ସୁନ୍ଦର ସବୁଜ ଵୃକ୍ଷ ଆଉ ଗାଁର ପରିବେଶରେ ମୁଣ୍ଡ ଟେକିଛି ଏହି କଲେଜ । ଏହି କଲେଜରୁ ପଢି ଅନେକ ବହୁ ଉଚ୍ଚ ପଦ ପଦବିରେ ଅବସ୍ଥାପିତ।

ଯଦି ଆପଣ ମାନଙ୍କୁ କେବେ ସୁଯୋଗ ମିଳେ ଆସନ୍ତୁ ଏହି ପବିତ୍ର ପ୍ରେମ ଭିଜା ମାଟିକୁ ।ଏ ମାଟିରେ ଠିଆ ହୋଇ ଧୀର ନିଃଶ୍ଵାସରେ କାନ ଡେରିଲେ ନିଚ୍ଚୟ ଶୁଭିବ ପ୍ରେମର ମୃଦୁ ସାହାନାଇ । ରଙ୍ଗ ବେରଙ୍ଗ ସ୍ୱପ୍ନ ଓ ବାସ୍ତବତାର ମଝା ମଝିରେ ଯନ୍ତ୍ରଣା ଓ ଭାବ ପ୍ରବଣତାର ମିଶାମିଶି ଭିତରେ ପ୍ରେମର ଉଷୁମ ଶିହରଣ ଛୁଇଁ ଯିବ ଆପଣଙ୍କ ସାରା ଦେହ।

ପ୍ରକାଶ ସାହୁ


Rate this content
Log in

Similar oriya story from Romance