Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Parameswar Ojha

Romance Tragedy


3  

Parameswar Ojha

Romance Tragedy


ପ୍ରାପ୍ତି

ପ୍ରାପ୍ତି

8 mins 566 8 mins 566


ମୁଁ ତିନୋଟି ଜିନିଷକୁ ଅତି ପସନ୍ଦ କରେ । ମଦ , ନାରୀ ଦେହ ଆଉ ଟଙ୍କା । ଟଙ୍କା ମୋ ପାଖରେ ଅଛି । ତମେ ନିଶାର୍ଦ୍ଧ ଯାଏଁ ମୋତେ ମାତାଲ୍ କରି ଭରପୁର ସମ୍ଭୋଗ ସୁଖ ଦେଇଛ । ମୁଁ ଚାହିଁବା ମୁତାବକ ମୋତେ ସନ୍ତୁଷ୍ଟ କରି ମୋର ଯତ୍ନ ନେଉଛ । 


ସତରେ ଲଳନା ତୁମେ କଣ ଖାଲି ଦେହଜୀବୀ ଟେ ? ନା କେବେ ନୁହେଁ । ତୁମକୁ ଚାହିଁଲେ ତ ତୁମେ କାଇଁ ମୋତେ ପ୍ରେମିକା ପ୍ରେମିକା ଲାଗ ? ଏତେ ସୁନ୍ଦରୀ ଙ୍କ ଭିଡ଼ ଭିତରେ ମୋ ପାଦ କାଇଁ ତମ ଆଡ଼କୁ ଚାଲିଯାଏ ? ଆଖି ତମକୁ ଖୋଜୁଥାଏ । ଆଉ ତମେ ବିଡା ବିଡା ଟଙ୍କା କୁ ବେଖାତିର କରି ମୋ ଯିବା ବାଟକୁ ଚାହିଁ ରହିଥାଅ ପ୍ରତିଥର । 


 ମୁଁ ତମ ଦେହର ପ୍ରତ୍ୟେକ କୋଣ ଅନୁକୋଣ ସହ ବେଶ୍ ପରିଚିତ । ତଥାପି କାହିଁକି ଅଫିସ ରେ କାମ କଲାବେଳେ ତୁମେ ପାଖରେ ନଥାଇ ବି ମୋତେ ଅନ୍ୟମନସ୍କ କରାଅ ମୋ ଦେହରେ ତୁମ ଛୁଆଁର ଶିହରଣ ଖେଳାଅ । ଏହାକୁ କ'ଣ ଖାଲି ଆକର୍ଷଣ କୁହାଯିବ ? 


ନାଇଁ ନାଇଁ ଦେହ ସହିତ ମନ ବି ଯୋଡ଼ି ହୋଇ ଯାଇଛି , ସେଇଥିପାଇଁ ତ ଏତେ ଦୂର୍ବଳତା । ଦୁନିଆଁ ମୋତେ ଠକିଛି ରକ୍ତର ଆପଣାର ମାନେ ମୋତେ ଭୁଲ୍ ବୁଝିଛନ୍ତି । ସବୁଠାରେ ଘୃଣାର ପାତ୍ର ହୋଇ ତମ ଠାରେ ମୁଁ ଆଦର ପାଇଛି । ଯେତେବେଳେ କ୍ଷତାକ୍ତ ହୋଇ ଯାଯାବର ସାଜିଛି ସେତେବେଳେ ତୁମ ସ୍ପର୍ଶ ପାଇ ଆପଣାର ଅନୁଭବ ପାଇଛି ।


ମଦ ପିଇ ଟିକେ ଅସଜଡା ଥିଲି ମାମା ଭାବିଲା ସ୍ତ୍ରୀ ଟିଏ ପାଇଲେ ସଜାଡି ହୋଇ ଯିବି । ଯୋଡ଼ି ଦେଲା ମୋତେ ସଂଗୀତା ସହ । କୋଉଥିରେ ଅଭାବ ରଖିନଥିଲି ତାକୁ । ଧନରେ ମାନ ସମ୍ମାନରେ ଗହଣା , ଶାଢ଼ୀ ଚୁଡ଼ି ସଜବାଜ ଆଉ ଖାଇବାରେ । ଦିନେ ସେବି କିଛି ନଜଣାଇ ମୋତେ ଛାଡ଼ି ପଳେଇଲା । ବିଶ୍ବାସ କରି ପାରିଲିନି ଏତେ ସହଜରେ , ସଂଗୀତା ଭଳି ସ୍ତ୍ରୀ ଟେ ପୁଣି ମୋତେ ଛାଡ଼ି ପଳେଇବ ! ଏତେ ନିରୀହତା ପ୍ରେମ ଭଲପାଇବା ନିବୀଡତା ଭିତରେ ବି ? କାଇଁ ଦିନେ ହେଲେ ତ ସୁରାକ ପାଇନଥିଲି ସେ ଆମ ସଂସାରକୁ ନେଇ ସେ ଅସନ୍ତୋଷ କି ଅସୁଖି ଥିବାର । ତଥାପି ଚାଲିଗଲା ପଛକରି । ତା ଅନୁପସ୍ଥିତିର ଜ୍ଵାଳା ମୋ ପାଇଁ କେତେ ଅସହ୍ୟ ହେବ ସେ କଥା ଟିକେ ବି ନଭାବି । 


 ଅଚାନକ ଦିନେ ଦେଖା ହୋଇଗଲା ସାମ୍ନା ସାମ୍ନି । ସଂଗୀତାକୁ ଦେଖୁ ଦେଖୁ ମୋ ଆଖି ଭିଜିଗଲା । ଇଛା ହେଉଥିଲା ତା ଗାଲରେ ବ୍ରହ୍ମ ଚାପୁଡାଟେ ଦେବାକୁ ହେଲେ ପାରିଲିନି ହାତ ଅଟକି ଗଲା ।

 ଅନୁଶୋଚନା କି ପଶ୍ଚାତାପ କିଛି ବି ନଥିଲା ତା ଆଖିରେ


 - " ମୋ ସହ ଏମିତି କାହିଁକି କଲ ସଂଗୀତା ? "


ମୋ ପ୍ରଶ୍ନ ଉତ୍ତର ଦେଇଥିଲା ସଂଗୀତା ଦମ୍ଭରେ ଦୃଢ ଆବାଜରେ ଆଉ ନିଃସଂକୋଚରେ - " ଖାଲି ଗହଣା ଗାଣ୍ଠି ଶାଢ଼ୀ ଚୁଡ଼ି ସଜ ବାଜରେ ସନ୍ତୁଷ୍ଟ କଲେ ସ୍ତ୍ରୀ ଟିଏ ଶାନ୍ତି ହୋଇ ଯାଏନି । ଆହୁରି ବହୁତ୍ କିଛି ତାର ଲୋଡା ପଡେ ଯୋଉଟା ସେ ମୁହଁ ଖୋଲି କହିପାରେନି । ମଦ ନିଶାରେ ଘରକୁ ଫେରି କେତେ ସମୟ ବା ଦିଅ ମୋତେ ବିଛଣାରେ ? କେବେ ଭାବିଛ ଭିତରେ ଭିତରେ ମୁଁ କେତେ ଛାଟି ପିଟି ହେଉଥିବି ? ଏ ଦେହ କଣ ଚାହୁଁଛି ? ତମ ଠାରୁ ଯା‌ହା ପାଇନି ଅମନ୍ ଙ୍କ ଠାରୁ ଢେର୍ ପାଉଛି ମୁଁ ଖୁସିରେ ଅଛି । ତମକୁ ଗୋଟେ ଅଯଥା ବିରକ୍ତି କର ଅତୀତ ଭାବି ଭୁଲି ଯାଇଛି ତୁମେ ବି ମୋତେ ଭୁଲି ଯାଅ । "


ସତରେ କଣ ଜଣକୁ ଜଣେ ଭୁଲି ପାରେ ? ଏତେ ନିବିଡତା ପରେ ମଧ୍ୟ ।


ପଚାରିବାକୁ ପଡିଲାନି ଅମନ୍ କିଏ ବୋଲି । ଅମନ୍ ଥିଲା ମୋର ଅତି ଅନ୍ତରଙ୍ଗ ବନ୍ଧୁ ସ୍କୁଲ ବେଳର । ମୋ ପରିବାର ର ଗୋଟେ ଅଂଶ ପରି ତାକୁ ମୁଁ ଭାବୁଥିଲି ହେଲେ ସେ ବି ଦୂର୍ବଳତାର ଫାଇବା ଅତି ଚାଲାଖିରେ ଉଠେଇ ଦେଲା ‌। ଅମନ୍ ଆଜି ପର୍ଯ୍ୟନ୍ତ ମୋତେ ତା ମୁହଁ ଦେଖେଇନି । ଆଉ ବାକି ସଂଗୀତା , ସଂଗୀତା ମୋତେ ଭୁଲିଗଲା କି ଭୁଲିବାର ଅଭିନୟ କଲା ମୁଁ ଜାଣି ପାରିଲିନି ହେଲେ ମୋ ସହ ସବୁ ସମ୍ପର୍କ ତୁଟେଇ ଦେଲା ।



 ଲଳନା  

  ତମ ସହ ମୁଁ କେତେ ରାତି କେତେ ଦିନ ବିଛଣାରେ ବିତେଇଛି କାଇଁ ଦିନେ ହେଲେ ତ ମୁଁ ଅନୁଭବ କରିନି ମୋ କାମ ଦଂଶନରେ ତୁମେ ଅତୃପ୍ତ ବୋଲି । ବରଂ ମୋ ଦଂଶନ ଜ୍ବାଳାରୁ ନିଜକୁ ମୁକ୍ତ କରିବାକୁ ପ୍ରୟାସ କରିବା ମୁଁ କେତେଥର ଦେଖିଛି । ହେଲେ ସଂଗୀତା କେମିତିକା ପ୍ରାଣୀ ଯେ ? 


ସଂଗୀତା ଚାଲିଗଲା ପରେ ମାମା ମୋତେ ଭୁଲ୍ ବୁଝିଲା । କହିଲା -" ତୋ ଯୋଗୁଁ ବୋହୂ ମୋର ଚାଲିଗଲା । ଘରଟା ଲକ୍ଷ୍ମୀ ଛଡ଼ା ହୋଇଗଲା । ଯେତେ କହିଲେ ଟିକେ ବି ଶୁଣିଲୁନୁ ଖାଲି ପିଇଲୁ ସବୁବେଳେ । ଏବେ ନିଜେ ତ ହଇରାଣ ହେଉଛୁ ଆମକୁ ବି ଅଶାନ୍ତିରେ ରଖିଛୁ । ପରିବାରର ନାଁ ପାଣି ବୁଡେଇଲୁ ଛି..... । ବୋଉ ମୋତେ ବୁଝି ପାରିଲାନି । ବୋଉ ମୋତେ ଛି କରିଦେଲା ମୁଁ ଗାଁ କୁ ଛି କରିଦେଲି । କେବେ କେମିତି ଗାଁ କୁ ଯାଏ ତାର କିଛି ଠିକ୍ ଠିକଣା ନଥାଏ । ମାସକୁ ମାସ ପଇସା ପଠେଇ ପୁଅର କର୍ତ୍ତବ୍ୟ ସାରିଦିଏ ବାସ୍ ।  ବୋଉର ବାପାଲୋ ଧନଲୋ ମୋ ଉପରେ ଆଉ କିଛି ବି ପ୍ରଭାବ ପକାଏନି । ସେ ଭଲଭାବେ ଜାଣିଛି ସେ ଯେତେଯାହା ବୁଝାଇଲେ ବି ମୁଁ ଆଉ ଘର ମୁହାଁ ହେବିନି । କିନ୍ତୁ ଗୋଟେ ସତକଥା ହେଉଛି ଦୁନିଆରେ ମୁଁ ସମସ୍ତଙ୍କ ବିନା ବଞ୍ଚିବା ଶିଖିଯାଇଛି କିନ୍ତୁ ତୁମବିନା କେବେ ନୁହେଁ ।

ଚେଷ୍ଟା କରିବି ପାରୁନି । ପ୍ରଥମେ ଲାଗୁଥିଲା କେବଳ ସୁଖ ପାଇଁ ସନ୍ତୋଷ ପାଇଁ ତମେ ଲୋଡା କିନ୍ତୁ ଏବେ ଲାଗୁଛି ମୋ ଦୁଃଖ ଦରଦ ପାଇଁ ବି ତମେ ଲୋଡା । ମୋ ସତ ପାଇଁ ଯଦି ତମେ ମୋ ମିଛ ପାଇଁ ବି ତମେ ଲୋଡା । 


***********


 ତୁମେ ବ୍ରା ର ହୁକ ଟାଇଟ୍ କରୁ କରୁ ପଚାରିଲ ଆଇନା ରେ ମୋତେ ଚାହିଁ - " କ'ଣ ସାର୍ ଆଜି ପାଇଁ ଏତିକି ନା ଆଉ ଆସିବ ? " 


 ମୁଁ ତୁମକୁ ପଛ ପଟୁ କୁଣ୍ଢେଇ ବିଛଣା ଉପରକୁ ଭିଡ଼ି ଆଣି ତୁମ ଭରପୁର ଛାତିରେ ମୁହଁ ଗୁଞ୍ଜି କହିଲି । ଲଳନା ତମ ଠାରେ କି ଯାଦୁ ଅଛି କେଜାଣି ? ଅଫିସ୍ କାମରେ ସିନା ଯିବାକୁ ପଡ଼େ ନହେଲେ ମନ କଣ କୁହେ ଜାଣ ? " ତମେ ଓଠରେ ସ୍ମିତ ହସ ଆଖିରେ ମିଛ ରାଗ ଫୁଟେଇ କହିଲ - " ହଁ ହଁ ମୁଁ ଜାଣେ । ଥାଉ ଦରକାର ନାହିଁ ତମର ସେ ପୁରୁଣା ସଂଳାପ ।" 


- " ଏତେ ରାଗୁଛୁ କାଇଁ ଯେ ମୁଁ କ'ଣ ମିଛ କହୁଛି ? ମନ କୁହେ ଆହୁରି ଆଗରୁ ତମ ସହ କାଇଁ ଭେଟ ହେଲାନି ? ନହେଲେ ପ୍ରଥମରୁ ..."


ତମେ ମୋ ବାଳ ସାଉଁଳେଇ କହିଲ - " କ'ଣ ହୋଇଥାନ୍ତା ଦେଖା ହୋଇଥିଲେ ? "


ମୁଁ ତମ ଓଠରେ ଗୋଟେ ଗଭିର ଚୁମା ଦେଲି ତାପରେ କହିଲି - " କ'ଣ ହୋଇଥାନ୍ତା ? ତମକୁ ଯେମିତି ହେଲେ ପ୍ରେମ ଜାଲରେ ଫସେଇଥାନ୍ତି ।


- ତାପରେ ?


- ତା ପରେ ଆଉ କ'ଣ ମନ ଭରି ପ୍ରେମ କରିଥାନ୍ତି । ତମର ସବୁ ଇଛା ପୂରଣ କରିଥାନ୍ତି । ତମ ସିନ୍ଥିରେ ସିନ୍ଦୂର ଭରି ମୋ ପ୍ରିୟତମା ପତ୍ନୀ କୁ ପାଇଥାନ୍ତି । ଆଉ ତମେ ସିନ୍ଦୂରରେ ଆହୁରି ଅଧିକ ଝଟକୁ ଥାନ୍ତ ଅଧିକ ସୁନ୍ଦରୀ ଦିଶୁଥାନ୍ତ ।


 ତମ ଆଖିରେ ଲୁହ ଭରିଗଲା ଏଇ ଶେଷ କଥା ପଦକ ଶୁଣି ମୁଁ ପଚାରିଲି

 - " କାନ୍ଦୁଛ ଯେ ?


ତମେ ଉଠି ବସିଲ ପଡ଼ିଥିବା ଶାଢୀ ରେ ଲୁହ ପୋଛୁ ପୋଛୁ କହିଲ - ନାଇଁ କିଛି ନାଇଁ ।


ତମ ହାତକୁ ଧରି ମୁଁ କହିଲି - " ତମେ କଣ ଭାବୁଛ ମୁଁ ଜାଣି ପାରିଲିନି ତମ ଆଖିରେ ଲୁହ କ'ଣ ପାଇଁ ? ଲଳନା ଏଇ ଛଅ ମାସ ଭିତରେ ତମେ ମୋତେ ଯେତିକି ଚିହ୍ନିଛ ମୁଁ ବି ଠିକ୍ ସେତିକି ତମକୁ ପଢି ସାରିଛି । "

  

ତମେ ଶାଢ଼ୀ ଟା ଦେହ ରେ ଗୁଡେ଼ଇ ଦେଇ କହିଲ - " ସବୁ ସିନ୍ଥିର ସୌଭାଗ୍ୟରେ ସିନ୍ଦୂର ନଥାଏ ଅୟସ । ସେ କେବଳ ଭାଗ୍ୟବତୀ ମାନଙ୍କୁ ହିଁ ମିଳିଥାଏ । ........ ଛାଡ ସେ କଥା...

ଭାତ ହୋଇଯାଇଛି ସାଙ୍ଗରେ କ'ଣ ଖାଇବ କୁହ ବନେଇ ଦେବି "


ମୁଁ ଅଳସ ଭାଙ୍ଗୁ ଭାଙ୍ଗୁ ପଚାରିଲି - " କ'ଣ ଅଛି ? "


 ତମେ ମନେ ପକାଇ କହିଲ - " ସୋୟାବିନ୍ , ଫୁଲ୍ କୋବି , ଟମାଟୋ ଆଉ ଅଣ୍ଡା ବି ଅଛି । ଗାଜର୍ ବିଟ୍ ବି କେଇଟା ପଡ଼ିଥିଲା ହଁ ପନିର୍ ବି ଅଛି ଫ୍ରିଜରେ କାଲିର । "


- " ତେବେ ଠିକ୍ ଅଛି ଫୁଲକୋବି କଷା କରିଦିଅ ଆଉ ଆମଲେଟ୍ ।" 


- " ଠିକ୍ ଅଛି , ଟିକେ ମୋବାଇଲ ଦେଖୁଥାଅ ଏଇ ସାଙ୍ଗେ ସାଙ୍ଗେ କରି ଦେଉଛି ।


ଅୟସ କେତେବେଳେ ୟୁଟ୍ୟୁବ ଦେଖୁ ଦେଖୁ ଶୋଇ ପଡ଼ିଥିଲା ତା'ର ଧାରଣା ନାଇଁ । ଖାଇବା ବାଢ଼ି ସାରି ଲଳନା ଡାକିଲା ଅୟସ ଙ୍କୁ । ସାଙ୍ଗ ହୋଇ ଖାଇଲେ ଦୁହେଁ । 


  ଲଳନା କହିଲା - " ଜାଣିଛ ମୋ ଜୀବନରେ ଯେତେ ମଣିଷ ଆସିଛନ୍ତି ତୁମ ପରି ଏତେ ଆଦର ଭଲପାଇବା ଆପଣାପଣ କାହାଠୁ ପାଇନି ।


- " କାଇଁ ଅନ୍ୟ ଗ୍ରାହକ ମାନେ କ'ଣ ଦିଅନ୍ତିନି କି ? "


- " ହୁଁ , ଦିଅନ୍ତି ହେଲେ ନିଜ କାମ ହାସଲ ପର୍ଯ୍ୟନ୍ତ । କାମ ହାସଲ ପୂର୍ବରୁ ରାଣୀ ତାପରେ ଦାସୀ ଠୁ ବି ହୀନ ଦୁଷ୍ଟି । କିନ୍ତୁ ତୁମେ ସେଭଳି ନୁହେଁ , ଦେହ ପରେ ବି ତୁମେ ମନ କଥା ଢେର୍ ବୁଝିପାର । ଏତେବେଳେ କୁଆଡେ ଯିବ ? ରହିଯାଅ , ଖାଇ ଦିଅ , ଗାଧୋଇ ପଡ , ନୂଆ ଡ୍ରେସ୍ ତମ ପାଇଁ ଆଣିଛି ପିନ୍ଧି ଦିଅ .... ଏସବୁ ମୁଁ କାହାଠୁ ସୁଣିନି । 


ତୁମର ମୋ ପାଇଁ ଚିନ୍ତାଥାଏ ଏକଲା ନିଛାଟିଆ ରାସ୍ତା ରେ ଚାଲିଗଲେ ତମର ତଥାପି ଭୟ ଥାଏ କାଳେ ଅସାମାଜିକ ମାନେ ଆକ୍ରମଣ କରିଦେବେ । ମୁଁ ଗୋଟେ ଦେହଜୀବୀ ବୋଲି ପ୍ରାୟ ସମୟ ଭୁଲି ଯାଅ ତୁମେ । ଅନ୍ୟମାନଙ୍କ ଛୁଆଁରେ କାର୍ଯ୍ୟକଳାପରେ କେବଳ କାମ ଉତେଜନା ମୁଁ ଅନୁଭବ କରୁଥିବା ବେଳେ ତମ ଛୁଆଁ ରେ ପ୍ରାୟ ସମୟ ମୁଁ ସ୍ନେହ ଆଉ ପ୍ରେମ ପାଇଥାଏ । ସେଥିପାଇଁ ତମେ ସମସ୍ତଙ୍କ ଠୁ ମୋତେ ନିଆରା ଭିନ୍ନ ଲାଗ । 


 ଅୟସ ହସି କି କହିଲେ - " ଓଃ ସେଇଥିପାଇଁ ମୋତେ ଛାଡ଼ିକି ଯାଉନ ତୁମେ ? " 

 

 - " ହଁ ସେଥିପାଇଁ , ମୁଁ ଅନ୍ୟ ସମସ୍ତଙ୍କ ଡାକରାକୁ ପ୍ରତ୍ୟାଖ୍ୟାନ କରେ । ସତ କହିବି ମୋତେ ବୋଧେ ପ୍ରେମ ହୋଇ ଗଲାଣି ତମ ସହ । କିନ୍ତୁ ପ୍ରେମ ଶବ୍ଦ କହିବାକୁ ବି ଭାରି ଭାରି ଲାଗୁଛି ମୋ ପକ୍ଷେ । କାଳେ ସେ ଶବ୍ଦ ମୋ ପରି ମଣିଷ ପାଇଁ ଉପଯୁକ୍ତ କି ନୁହେଁ । କିନ୍ତୁ ଏବେ ତମ ବିଷୟରେ ମୋର ଅଧିକରୁ ଅଧିକ ଜାଣିବା ପାଇଁ ଇଛା ହେଉଛି । କୁଆଡେ ଯାଉଛ କ'ଣ ..କରୁଛ ..ଆଉ କୋଉ ଝିଅ ସହ ସଂପର୍କ ରଖୁଛ କି ନା... ଆଉ କାହା ପ୍ରେମରେ ପଡିଛ କି ନା ... ସତରେ ଏସବୁ ଭାବିଲେ ମୋତେ ଭୟ ଲାଗେ । ସତ କଥା ମୁଁ ଚାହେଁନା ତମ ମୋ ମଝିରେ ଆଉ କୋଉ ଝିଅ ଆସୁ ବୋଲି । ଏବେ ଏବେ କାହିଁକି ତମ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଇଛା ହେଉଛି । ତମେ ଅତି ଆପଣାର ଆପଣାର ଲାଗୁଛ ମୋତେ ଦିନକୁ ଦିନ । " 


 ଅୟସ ଲଳନା କୁ ଚାହିଁଲେ ଏମିତି ଏକ ଚାହାଣୀରେ ଯୋଉ ଚାହାଣୀ ସେ କେବେ ଦେଖି ନଥିଲା ତାଙ୍କ ଆଖିରେ । ଲଳନା ଟିକେ ଭୟ କରିଗଲା । ଆବଶ୍ୟକତା ଠୁ ଯଥେଷ୍ଟ ଅଧିକା ବୋଧେ କହିଦେଲା ଅୟସଙ୍କୁ ସେ । ଅୟସ ଉଠିଗଲେ । ଲଳନା ଧୋଇ ଆଣିଲା ଅଇଁଠା ବାସନ ସବୁ ଆସିଲା ବେଳକୁ ଅୟସ ରୟାଲଷ୍ଟାଗ୍ ରୁ ଦୁଇ ପେଗ ନେଇ ସାରିଥିଲେ । ହଠାତ୍ ଶାର୍ଟ୍ ପ୍ୟାଣ୍ଟ୍ ଯୋତା ପିନ୍ଧି କୁଆଡେ ଚାଲିଗଲେ । 

 

 ଲଳନା ପଚାରିଲା କୁଆଡେ ଯାଉଛ ? ଅୟସ କିଛି ଉତ୍ତର ଦେଇ ନଥିଲା ।

 

ତାପରେ ଗୋଟେ ବିରାଟ ପରିବର୍ତ୍ତନ ଦେଖିଲା , ଅୟସ ଠାରେ ସେ । ସବୁଦିନ ହୋଟେଲ ରୁମ୍ କୁ ଫେରି ଶୋଉଥିବା ଅୟସ ଆଉ ଆସିଲେନି । ଫୋନ୍ ସବୁବେଳେ ବି ବ୍ୟସ୍ତ ଥିଲା । ମେସେଞ୍ଜର କିଛି ରିପ୍ଲାଏ ନଥିଲା । ଲଳନା କୁ ଖୁବ୍ ଆଶ୍ଚର୍ଯ୍ୟ ଲାଗୁଥିଲା ଅୟସଙ୍କର ହଠାତ୍ ଏପରି ପରିବର୍ତ୍ତନ । ସେ ଚିନ୍ତା ରେ ପଡ଼ିଲା , ପାଖରେ ପଇସା ବି ସରି ସରି ଆସୁଥିଲା ତାର । ଛମାସ ପୂର୍ବରୁ ପଛରେ ପଡିଥିବା ମହାନ୍ତି ବାବୁ ସବୁଦିନେ ଫୋନ୍ ମେସେଜ କରି ଟଙ୍କାର ଲୋଭ ଦେଖେଇ ଲଳନାକୁ ଡାକୁଛନ୍ତି । ହେଲେ ସେ କିଛି ଉତ୍ତର ଦେଉନି ତାର ବିଶ୍ବାସ ଅଛି ଅୟସ ଫେରିବେ ।


 ଦିନେ ହୋଟେଲ୍ ମ୍ୟାନେଜର ଆସି ସତର୍କ କରେଇ ଦେଲେ । ଆର ମାସର ଭଡ଼ା ବାକି ଅଛି , ଦୁଇ ମାସର ଭଡ଼ା ଜଳଦି କ୍ଲିଅର୍ କର ନହେଲେ ରୁମ୍ ଛାଡ । ଲଳନା ଦିନେ ଗଭିର ଭାବେ ଚିନ୍ତା କଲା , ଆଉ ନୁହେଁ ବହୁତ ହୋଇଗଲା । ଯଦି ଆଜି ସେ ଆସିବେ , ଆସିବେ ନହେଲେ ନାଇଁ ତା ନିଜ ବାଟ ସିଏ ଦେଖିବ । ସତକୁ ସତ ସେୟା ହିଁ ହେଲା , ସବୁଦିନ ପରି ଅୟସ ଫେରିଲେନି ଫୋନ୍ ବ୍ୟସ୍ତ ମେସେଜ ର କିଛି ପ୍ରତି ଉତ୍ତର ନାହିଁ । ଅୟସ ପାଇଁ ଜମାଟ ବାନ୍ଧି ଥିବା ଧୈର୍ଯ୍ୟର ବରଫ ଧିରେ ଧିରେ ପାଣି ହୋଇଗଲା ଲଳନାର । ତାପରେ ମନରୁ ପୋଛି ଦେଲା ଅୟସଙ୍କୁ ସେ । ସବୁ ପୁରୁଷ ଗୋଟେ ପରିକା ଦେହ ଛଡ଼ା କିଛି ବୁଝନ୍ତିନି ସେମାନେ ।

 

 ଫୋନ୍ ଲଗାଇଲା ଲଳନା ମହାନ୍ତି ବାବୁଙ୍କୁ । ମହାନ୍ତି ବାବୁ ଖୁସି ହୋଇଗଲେ । ଦୁଇ ଘଣ୍ଟା ପରେ କାର୍ ନେଇ ପହଞ୍ଚିବେ କହିଲେ । ଲଳନା କିଛି ଦିନ ଜମା ଖୋଲି ନଥିବା ତା ରୂପର ସାମାନ୍ କୁ ଖୋଲିଲା । ଫାଉଣ୍ଡେସନ , କମ୍ପାସ ପାଉଡର ମୁହଁରେ ଲଗାଇଲା ଆଇ ଲାଇନର୍ , ଆଇ ଲାଇଟର୍ , କାଜଲ୍ ମସକରା ଏସବୁରେ ଆଖି ସଜେଇଲା ‌ । ପିନ୍ଧିଥିବା ଉତ୍ତେଜକ ଡ୍ରେସ୍ କୁ ମ୍ୟାଚ୍ କଲାଭଳି ଲିପଷ୍ଟିକ ଓଠରେ ଲଗାଇଲା ଗୋଟେ ଲମ୍ବା ଟିକିଲିଟେ ପିନ୍ଧି ବାସ୍ନା ତେଲ ବାଳରେ ହାଲକା ଲଗାଇ ଖୋଲା ବାଳ ପଛପଟେ ଲମ୍ବେଇକି ମଝିରେ ଗୋଟେ ସୁନ୍ଦର ପ୍ରଜାପତିର ଚିତ୍ର ଥିବା କ୍ଲିପ୍ ଲଗାଇଲା । ହାଇ ହିଲ୍ ପିନ୍ଧି ବାହାରିଲା ବେଳକୁ ମହାନ୍ତିବାବୁ ଙ୍କ ଫୋନ୍ ଆସିଲା ।


ଲଳନା ରିସିଭ କରି କହିଲା - ଯାଉଛି !ଝରକାରେ ଦେଖିଲା କାର୍ ହୋଟେଲ ସାମ୍ନାରେ ଛିଡ଼ା ହୋଇଛି । ସେ ବାହାରିଲା ତା ଗୋଲାପି ରଙ୍ଗର ଭ୍ୟାନିଟି ବ୍ୟାଗ୍ କୁ କାନ୍ଧରେ ଝୁଲେଇ ଦେଇ । ତା ପୂର୍ବରୁ ଭଲକି ଦେଖିଦେଲା ନିରୋଧ ଗୁଡା ଅଛିକି ନାହିଁ । ହଁ ପଡିଛି ଦିଇ ତିନିଟା ।


 ହୋଟେଲ ତଳକୁ ଓହ୍ଲେଇଲା ବେଳକୁ କାର୍ ର ପଛ ଡୋର୍ ଖୋଲା ସରିଥିଲା । ମହାନ୍ତି ବାବୁ କାମାନ୍ଧ ଚାହାଣୀରେ ଲଳନାକୁ କାର୍ ଭିତରକୁ ସ୍ବାଗତ କରୁଥିଲେ । ଲଳନା ଭିତରେ ବସି ଡୋର୍ ବନ୍ଦ କରୁଛି ତ ହଠାତ୍ କୋଉଠି ଥିଲେ କେଜାଣି ଝଡ ପରି ଅୟସ ତା ହାତକୁ ଭିଡ଼ିଧରି କହିଲେ - ଆସ ।


ମହାନ୍ତି ବାବୁ ରାଗି ଯାଇ କହିଲେ - " କିଏ ତୁ "


ଅୟସ କିଛି ସମୟ ଲଳନା ମୁହଁକୁ ଚାହିଁ କହିଲେ -" ଏ ମୋ ସ୍ତ୍ରୀ "


ଲଳନା ବିନା କିଛି ଉତ୍ତରରେ ଗାଡିରୁ ଓହ୍ଲେଇ ପଡ଼ିଲା ।


ଆଉ ତାର ଦୁଇ ଆଖି ଲୁହରେ ଉବୁଟୁବୁ ହେଉଥିଲା ।


ପଚାରିଲା ଅୟସଙ୍କୁ 


- " କୁଆଡେ ? "


- " କୋର୍ଟ କୁ " 


- " କ'ଣ ପାଇଁ ? "


- " ଗଲେ ବଳେ ଜାଣିବନି ? "

----------------୦୦୦---------------

✍️..ପରମେଶ୍ବର ଓଝା

ମହାକାଳପଡ଼ା ,  କେନ୍ଦ୍ରାପଡ଼ା

ମେଲ୍-- ojhaparameswar@gmail.com

ମୋ -- ୬୩୫୫୧୩୩୩୦୧



Rate this content
Log in

More oriya story from Parameswar Ojha

Similar oriya story from Romance