Madhu mita

Abstract Inspirational

3  

Madhu mita

Abstract Inspirational

ପୋଡ଼ାରୁଟି

ପୋଡ଼ାରୁଟି

5 mins
169



    ମୋ ହାତରେ ପୋଡ଼ି ଯାଇଥିବା ରୁଟିଟି ଥିଲା ତା ସହିତ ଅନେକ କିଛି ଭାବନା ମଧ୍ୟ ସାଇତି ଧରିଥିଲି ।କିଛି ଭାବନା ପୋଡ଼ି ଯାଇ ନିଜ ଅସ୍ତିତ୍ବ ହରାଇ ଥିଲା ଓ କିଛି ଭାବନା ତଥାପି ଉଙ୍କି ମାରୁଥିଲା ନିଜ ଅସ୍ତିତ୍ବ ଟିକକ ବଞ୍ଚାଇ ଦେଇ ।ଏଇ ପୋଡ଼ା ରୁଟି ସତରେ ବହୁତ କିଛି କହି ଦେଇଥାଏ ନା ! ଅନେକ କାହାଣୀ ଅନେକ କଥା..ଅନେକ ବ୍ୟଥା ଆଉ ଅନେକ ଆନ୍ତରିକତା । ବହୁତ କିଛି କହିଦିଏ ନୀରବରେ।

    ଏଇ ଯେମିତି ପ୍ରଥମ କରି ରୁଟି ଶିଖିଥିଲେ ଯଦି ତାହା ପୋଡ଼ି ଯାଏ..ବାତ୍ସଲ୍ୟତା ତା' ଉପରେ ମଲମ ଟିକେ ନିଶ୍ଚୟ ଲଗେଇ ଦିଏ ।ମନ ଶୁଖେଇ ପୋଡ଼ା ରୁଟିକୁ ବିକଳ ହେଇ ଦେଖୁଥିବା ଆଦରର ଝିଅକୁ ତା ବାପା କହନ୍ତି "ଆରେ ବାଃ।ଆଜି ମୋ ମା ରୁଟି ତିଆରି କରିଛି !ଦେଲୁ..ଆଉ ଗୋଟିଏ ରୁଟି ମୋତେ ଦେଲୁ" ଆଉ ସେ ପୋଡ଼ା ରୁଟିଟି ବାପାଝିଅଙ୍କ ଅତୁଟ ମମତାର ଡୋରିଟିଏ ହୋଇ ହସିଦିଏ ଆଉ ସେହି ପୋଡ଼ା ରୁଟିକୁ ଦେଖି ମା'ର ମିଛିମିଛିକା ନାଲି ଆଖି ସହ କୃତିମ କ୍ରୋଧ ଟିକକ ଝିଅକୁ ଭବିଷ୍ୟ ପାଇଁ ସୁଯୋଗ୍ୟା ହେବାକୁ ପ୍ରେରଣା ମଧ୍ୟ ଯୋଗାଇ ଦିଏ ।

ସାଙ୍ଗସାଥି ମେଳରେ ରୋଷେଇ କରି ଶିଖିଥିବା ନୂତନ କିଶୋର ଅପେକ୍ଷା କରେ ସେହି ନିର୍ଭୁଲ ରୁଟି ତିଆରି କରିବା କଳାକୁ।ଯାହା ତାକୁ ହରେଇ ଦିଏ ନିଜ ମା, ଭଉଣୀ ଆଉ ସ୍ତ୍ରୀ ପାଖରେ ଆଉ ସେତେବେଳେ ତା ହାତରେ ହେଉଥିବା ପୋଡ଼ା ରୁଟି କହିଦିଏ ; ଜୀବନରେ କିଛି ନିଶ୍ଚୟ ଅଛି, ଯାହାପାଇଁ ସେ ସବୁବେଳେ ନିର୍ଭରଶୀଳ ହୋଇ ରହିବ ଏକ ନାରୀ ନିକଟରେ ।ଆଉ ସେଇ ମନୋଭାବ ହିଁ ଏକ ଉନ୍ନତ ଗୃହସ୍ତ୍ ହେବା ପାଇଁ ତାକୁ ଦିନକୁ ଦିନ ତିଆରି କରି ଚାଲିଥାଏ।

    ପୁଣି ଯଦି ସଦ୍ୟ ବିବାହିତା ଅବଗୁଣ୍ଠନବତୀ ପତ୍ନୀ ରୁଟି ତିଆରି କରିବା ବେଳେ ତାକୁ ପୋଡ଼ି ଦିଏ !! ନୂଆ ଗୃହସ୍ଥଟି ଦାମ୍ପତ୍ୟ ପ୍ରେମରେ ଜଡେଇ ଯାଇ କହି ଦିଏ "ଆରେ ମୋତେ ଏମିତି ପୋଡିଯାଇଥିବା ରୁଟି ଭଲ ଲାଗେ ବୋଲି ତୁମେ କିପରି ଜାଣିଲ ? "ଆଉ ସେତେବେଳେ ସେହି ପୋଡ଼ା ରୁଟି ହିଁ ପରସ୍ପରର ଦୋଷ ଦୁର୍ବଳତାକୁ ଆପଣେଇ ନେବାରେ ସାହାଯ୍ୟ କରେ ।ହଁ...ଅବଶ୍ୟ ସମୟ ଅତିବାହିତ ହେବା ସହିତ ସେହି ପୋଡ଼ା ରୁଟି ପୁରାତନ ଦାମ୍ପତ୍ୟରେ ପୋଡ଼ାବାସ୍ନା ଭରି ଦେବାରେ ମଧ୍ୟ ବେଳେବେଳେ ସହାୟକ ହୁଏ !!

    ଶାଶୁ ନଣନ୍ଦ ଆଉ ଯାବତୀୟ ଉପାଧିଧାରୀ ଅବଗୁଣ ବଛା ବ୍ୟକ୍ତିଙ୍କ ପାରିବାରପଣିଆ ଏହି ପୋଡ଼ା ରୁଟି ମାଧ୍ୟମରେ ନୁଆବୋହୁ ସାମ୍ନାକୁ ଆସି ଯାଇପାରେ ।ବୋହୁଟି ମଧ୍ୟ ସତର୍କ ଥାଏ ପୋଡ଼ା ରୁଟିର ସାର୍ଟିଫିକେଟରୁ ଯଥା ସମ୍ଭବ ଦୂରେଇ ରହିବା ପାଇଁ ।ଧୀରେ ଧୀରେ ଏଇ ପୋଡ଼ା ରୁଟି ଅସତର୍କତା ଅଥବା ଖମାଖୟାଲି ଗୁଣକୁ ଦର୍ଶାଇବା ସହିତ ବେଳେ ବେଳେ କ୍ରୋଧ ପରିପ୍ରକାଶର ମାଧ୍ୟମ ମଧ୍ୟ ହୋଇଯାଇଥାଏ। ହେଇଯାଏ..ପାରିବାରିକ କଳହର ସୂତ୍ରପାତ ମଧ୍ୟ ହୋଇଥାଏ ।

ମୋ ବାହାଘର ଅଳ୍ପ ଦିନ ବାକି ଥିଲା ।ପଢା ସମୟରେ ବାହାଘର ହେବା ଗୋଟିଏ ଖେଳ କଥା ନୁହେଁ ।ତଥାପି ଝିଅରୁ ବୋହୂ ହେବାର ସମସ୍ତ ଯୋଗ୍ୟତାକୁ ମୁଁ ସମ୍ପୂର୍ଣ୍ଣ ହାସଲ କରି ଚାଲିଥିଲି ।ମା ମଧ୍ୟ ମୋତେ ସବୁ କାମ ଟିକିନିଖି ଶିଖେଇ ଦେଇଥିଲେ ।ସବୁଠୁ ବଡ଼ କଷ୍ଟ ଥିଲା ରୁଟି ତିଆରି କରିବା।ମା ଅଟା ଚକଟି ଦେଇଦେଲା ପରେ ମୋତେ ଶିଖେଇ ଥିଲେ କେମିତି ଗୋଟିଏ ସାଇଜ଼ର ଛୋଟ ଛୋଟ ଗୁଳା କରିବାକୁ ହୁଏ।ଦୁଇ ପାପୁଲି ଭିତରେ ରଖି ଦଳା ଅଟାକୁ ଗୋଲ ଗୋଲ କରି କିଛି ସମୟ ବୁଲେଇଲା ପରେ ସେସବୁ ବହୁତ୍ ସୁନ୍ଦର୍ ବଲ ପରି ହୋଇଯାଇ ଥାଆନ୍ତି।ଭାରି ଖୁସି ଲାଗେ ସେତେବେଳେ।

ତା ପର କଷ୍ଟ କାମଟା ହେଲା ସେସବୁକୁ ଗୋଲ୍ ଗୋଲ୍ କରି ବେଲିବା।ରୁଟି ବେଲିବା ହେଉଛି ସବୁଠୁ କଷ୍ଟକର କାର୍ଯ୍ୟ।ପ୍ରଥମେ ମୁଁ ଯେତେବେଳେ ଚେଷ୍ଟା କଲି ମଝିରୁ ଦୁଇଫାଳ ହୋଇଗଲା ସେ ଅଟାଗୁଳା।ଆଉ ମୋତେ ଭାରି କାନ୍ଦ ମାଡ଼ିଲା।କିନ୍ତୁ ମା ଶିଖେଇ ଦେଇଥିଲେ ଆସ୍ତେ କରି କେମିତି ବେଲିବାକୁ ହୁଏ।ଗୋଟିଏ ପଟେ ଟିକେ ବଡ଼ ହେଲା ପରେ ପୁଣି ଚୁନା ଅଳ୍ପ ଛିଞ୍ଚି ଦେଇ ତାକୁ ଆର ପଟରୁ ବଢ଼େଇବାକୁ ହୁଏ।ଆଉ ଏମିତି କରୁ କରୁ ଯେତେବେଳେ ସେଇଟା ଗୋଟିଏ ଥାଳି ପରି ଦେଖା ଯାଏ ତାହା ହୋଇଗଲା ବୋଲି ଜଣା ପଡ଼ିଯାଏ।

ରୁଟି ବେଲା ଶିଖିବା ପରେ ମୁଁ ତାକୁ ସେକିବାକୁ ଶିଖିବା ଆରମ୍ଭ କଲି।ମା କହିଥିଲେ ଚୁଲା ଉପରେ ତାୱା ବସେଇ ତାକୁ ମିଡିୟମ୍ ଗରମ୍ କରିବାକୁ ହୁଏ।ବେଶୀ ଗରମ୍ ହୋଇଗଲେ ରୁଟି ପୋଡିଯିବ ଆଉ ଟିକେ ଅଳ୍ପ ଗରମ୍ ହେଲେ ଶିଝିବନି।ତେଣୁ ଆସ୍ତେ ଆସ୍ତେ ତାକୁ ଗରମ୍ କରିବାକୁ ହୁଏ। ପ୍ରଥମ ଚେଷ୍ଟାରେ ଯେତେବେଳେ ସଫଳ ହୋଇଗଲି ଆଉ ଚୂଲା ଉପରେ ରୁଟି ରଖି ସେକିବା ଆରମ୍ଭ କଲି..ସେ ସମୟର ଅନୁଭୂତି କଣ ସତରେ କେବେ ଶବ୍ଦରେ ବର୍ଣ୍ଣନା କରି ପାରିବି ?ଗୋଲ୍ ବଲ ପରି ଫୁଲି ଉଠିଲା ମୋ ରୁଟି।ଆଉ ତା ସହ ମୋ କିଶୋରୀ ମନର ଆଗ୍ରହ ମଧ୍ୟ ଫୁଲି ଉଠିଲା।ଲାଗିଲା ଯେମିତି ମୁଁ ଏକ ଗଡ ଜିତି ଆସି ଯାଇଛି।ଭାରି ଖୁସି ହୋଇଗଲି।ମା'ଙ୍କୁ ଏକ ରକମ ଉଠେଇ ଦେଲି ଦୁଇ ହାତରେ ଭିଡ଼ି ଧରି।ମା ମଧ୍ୟ ମୋ ଖୁସି ଦେଖି ହସୁଥାନ୍ତି।ତା ପରେ ଧିରେ ଧିରେ ଚେଷ୍ଟା କଲି ସବୁ ରୁଟି ସେହିପରି ସାଇଜ଼ କରି କରିବି ଆଉ ଫୁଲେଇ ଦେଇ ସୁନ୍ଦର୍ କରି ରଖିବି।

ସତରେ ..ସେ ଚ୍ୟାଲେଞ୍ଜ ମୁଁ ନିଜକୁ ନିଜେ ଦେଇଥାଏ କି କଣ। କେବେ ମଧ୍ୟ ଟିକେ ପୋଡିବାକୁ ଦିଏନି ମୋ ରୁଟିକୁ।ଆଉ ରୁଟି ତିଆରି କରିବା ସମୟରେ ମନ ଖୁସିରେ ଅନେକ ଗୀତ ଗାଏ..ଦୁଇ ହାତରେ ବେଲି ବେଲି ସେକି ଗରମ୍ ଗରମ୍ ରୁଟି ତିଆରି କରିବା ବାସ୍ନା ସହ ମୋ ଗୀତ ମିଶିଯାଇ ଏକ ଛନ୍ଦମୟ ପରିବେଶ ତିଆରି କରନ୍ତି।ମୁଁ ସତରେ ବହୁତ୍ ଏନଜୟ କରେ ରୁଟି ତିଆରି କରିବାକୁ। କିନ୍ତୁ..।

      ବିନା କାରଣରେ ସେଦିନ ମୋ ଦ୍ଵାରା ରୁଟିଟି ପୋଡ଼ି ଯାଇଥିଲା।ଅନ୍ୟମନସ୍କ ତ ନ ଥିଲି..??ହେଇପାରେ ତାହା ସାଧାରଣ ମନୁଷ୍ୟକୃତ ଅନିଚ୍ଛାକୃତ ଏକ ଭୁଲ୍ ଥିଲା।ଏମିତି କିଛି ଭୁଲ୍ ବୋଧେ ହେବାର ଥିଲା; ଯାହା ପାଇଁ ମନ ମଧ୍ୟ ପୋଡ଼ିଯିବାର ଭୟ ଉପୁଜିଥିଲା,ହେଲେ କୁଶଳତା ପୂର୍ବକ ସେହି ପୋଡ଼ା ରୁଟିରେ ସେ ବିଷୟର ଗୁରୁତ୍ବକୁ ସୀମିତ କରିପାରିଥିଲି ! ଏମିତି ପ୍ରୟାସ ମନ୍ଦ ନ ଥିଲା ବୋଧେ।

     ପୋଡାରୁଟି ଟିକୁ ଫୋପାଡି ଦେବି ଭାବିଲା ବେଳେ ଗେଟ୍ ପାଖରେ ଭିକାରୀଟିଏ ମାଗି ଉଠିଲେ "ମା କିଛି ଖାଇବାକୁ ମିଳୁ"।ଝରକା ପାଖରୁ ଦେଖିଲି..ବୟସ ଅନୁସାରେ ବାର୍ଦ୍ଧକ୍ୟ ଅଧିକ ହୋଇଯାଇଥିଲା ଦାରିଦ୍ର୍ୟ ଯୋଗୁଁ ତାଙ୍କର।ଗୋଟିଏ ଚିରି ଯାଇଥିବା କୁର୍ତ୍ତା ପିନ୍ଧିଥିଲେ ସେ ଭିକାରୀ ଜଣକ।ଆଖିରୁ ପେଟର ଜ୍ଵାଳା ସ୍ପଷ୍ଟ ଦେଖା ଯାଉଥିଲା।ବୋଧେ ବହୁତ୍ ସମୟ ସେ ଖାଲି ପେଟ ନେଇ ବୁଲୁଥିଲେ ଏ ଦ୍ୱାରରୁ ସେ ଦ୍ଵାର।ଏମିତି କାହିଁକି ହେଲା କେଜାଣି..??ସେହି ଭିକାରୀଙ୍କୁ ଦେଖି ମୋ ଛାତିଟା ଧଡ଼ ଧଡ଼ ହେଲା।ମଣିଷ ପାଖରେ ଧନ ଥିଲା ବେଳେ କେତେ ସଜାଇ ଦିଏ ନିଜ ଚେହରା।ହେଲେ ନିର୍ଦ୍ଧନ କେବଳ ଲାଗିପଡନ୍ତି ପେଟ ପୁରେଇବାକୁ।ସେମାନଙ୍କ ପାଇଁ ବାହ୍ୟ ଚାକଚକ୍ୟ କିଛି ମହତ୍ତ୍ଵ ରଖେନା। ସତ କହିବାକୁ ଗଲେ ଏସବୁ କ୍ଷଣସ୍ଥାୟୀ।ଆଜି ଏତେ ଚିକଣିଆ ଥିବା ଚେହେରା କାଲି ମାଟିରେ ମିଶିଯିବ।କଣ ନେଇ ଆସିଥିଲେ ଆମେ? କଣ ନେଇ ଯିବା ଏ ଦୁନିଆରୁ? କିଏ ଆମ ନିଜର ଅଛି ଏଇଠି?କଣ ବା ଆମ ନିଜର ଅଛି ଯାହା କେବେ ମଧ୍ୟ ଆମଠାରୁ ଦୁରେଇ ଯିବନି? ଦିନେ ନା ଦିନ ସେହିଦିନ ଅବଶ୍ୟ ଆସିବ ଯେତେବେଳେ ଏ ସବୁକିଛି ତୁଚ୍ଛ ହୋଇଯିବ ଯେ ପ୍ରାଣବାୟୁ ଟିକକ ପାଖରେ।ନା ରହିବ ଦେହର ଜ୍ଵାଳା ନା ରହିବ ମନର ଜ୍ଜଳନ।ନା ଥିବ ପେଟର ଜ୍ଵାଳା ନା ଥିବ ପ୍ରତିପତ୍ତିର ଜ୍ଜଳନ।ସବୁ କିଛି ପାଣି ଫୋଟକା ହୋଇ ମିଳେଇ ଯିବ ସଂସାରରେ।କିନ୍ତୁ…!! ଏ ସତ୍ୟଠାରୁ ବହୁତ ଦୂରେଇ ଯାଇ ଆମେ କେଉଁ ଏକ ଖିଆଲରେ କେଜାଣି ବଞ୍ଚି ରହିଛେ।କେତେ ବାଧୁଛି ପଦେ ପଦେ କଥା ଆମକୁ।କେତେ କଷ୍ଟ ପାଉଚ୍ଛେ ଯଦି କେହି ଟିକେ ମନ ଧରି କିଛି କରି ଦେଲେନି ତ।କିନ୍ତୁ..କେତେଦିନ ..?କିଏ ଜାଣେ କେତେ ସମୟ ବାକି ରହି ଯାଇଛି ଆମ ପାଖରେ ସତେ।

             କେଜାଣି କଣ ଭାବି ଭାବି ଯନ୍ତ୍ରବତ୍ ଆସି ରୁଟିଟି ବଢାଇ ଦେଲି ।ଚରମ ସନ୍ତୋଷରେ ଶୁଖିଲା ରୁଟିଟା ଖାଇ ସାରି ଭିକାରୀ ଜଣକ କହି ଉଠିଲେ "ମା ଆଉ ପଟେ ରୁଟି ମିଳିବ..?ପୋଡ଼ା ହେଉ ପଛେ.. !!"

      ସମ୍ବିତ ପାଇଲି..ଚକିତ ହୋଇ ତର୍ଜମାଶୂନ୍ୟ ହେଲି..ଆଜି ପୋଡ଼ା ରୁଟିଟି ମୋ ପାରିଲାପଣିଆ ଆଉ ଦାନୀପଣିଆ ଦେଖେଇଲା.. ନା ପେଟଜ୍ଵାଳାର ତାଡନା ଶିକ୍ଷାକୁ ଶିଖେଇଦେଲା ..?ମନ ପୋଡ଼ି ଯିବା ଆଗରୁ ରୁଟି ପୋଡ଼ି ତାକୁ ଫୋପାଡି ଦେଉଥିଲି..ଆଜି ତାହା ଏହି ଜୀର୍ଣସୀର୍ଣ୍ଣ ବ୍ୟକ୍ତି ଜଣଙ୍କ ତୃପ୍ତିର କାରଣ ହୋଇ ପାରିଲା..??ମଣିଷ ଜୀବନର ଚରମ ସତ୍ୟ ଏପରି ଏକ ଅପାଂକ୍ତେୟ ପୋଡାରୁଟି ଦେଇ ଆଖି ଆଗକୁ ଆସିଲା ?ଦାନୀ ପଣିଆର ଗର୍ବ କହି ଦେଇଥିଲା ଯେ ଦେଇଛି ସେହି ଵର୍ଯ୍ୟବସ୍ତୁକୁ..ଯାହା ମୋର କୌଣସି କାମରେ ଆସି ନ ଥାନ୍ତା।କିନ୍ତୁ ସେହି ବସ୍ତୁ ଏପରି ବଢ଼େଇ ଦେଇ ମୁଁ ତାଙ୍କ ତୃପ୍ତି ଆଉ ଆଶୀର୍ବାଦ ପାଇବାରେ ସକ୍ଷମ ହେଲି??ଏହି ପୋଡ଼ା ରୁଟି ଜାଗାରେ କଣ ମୁଁ ଭଲ ରୁଟି କିଛି ଆଣି ଦେଇ ପାରି ନ ଥାଆନ୍ତି? ଆଉ ଯଦି ନା..ତେବେ ଆଜିର ଏ ଦାନ ପାଇଁ ମନରେ ଗର୍ବ ଆସୁଛି କେମିତି ?

      ସେ ଯାହା ବି ହେଉ ..ସତରେ କିନ୍ତୁ ମୁଁ ଭାବିଲି.. କାଲି ଗୋଟିଏ ବଦଳରେ ଆଉ ଦୁଇ ତିନୋଟି ରୁଟି ପୋଡ଼ି ଯାଇଥିଲେ ବୋଧେ ଭଲ ହୁଅନ୍ତା.. !? ସେ ବାହାନାରେ ମାନବିକତା ଟିକେ ପୋଡ଼ି ଯିବାରୁ ହୁଏତ ବଞ୍ଚି ଯାଇଥାନ୍ତା।??



Rate this content
Log in

Similar oriya story from Abstract