ପଲ୍ଲୀ ପଳାସ
ପଲ୍ଲୀ ପଳାସ
ପଳାସ ପୁଷ୍ପ ସଂକାଶମ ତାରକା ଗ୍ରହ ମସ୍ତକଂ
ରୋୖଦ୍ରମରୌଦ୍ର-ତ୍ମକମ ଘୋରମଂ
ତମ କେତୁମଂ ପରନାମାମ୍ୟ-ହମଂ ।।
ନବଗ୍ରହ ପାଖରେ ମୁଣ୍ଡିଆ ମାରି ପଲ୍ଲୀ ଶିବ ମନ୍ଦିର ବେଢା ବୁଲି ସାରିଲା ବେଳକୁ ସଞ୍ଜ ନଇଁ ଆସିଥିଲା । ତେଣୁ ପଲ୍ଲୀ ଭାବିଲା କାଲି ଦିନ ବେଳେ ପଳାସ ଘରକୁ ଯିବ । ମନ୍ଦିରରୁ ବାହାରି ମନ୍ଦିର ପୋଖରୀର ମନୋରମ ଦୃଶ୍ୟ ଉପଭୋଗରେ ଲାଗିଗଲା । ଏତେ ବଡ ପୋଖରୀରେ କାଚ କେନ୍ଦୁ ଭଳି ସଫା ପାଣି ,ସେଥିରେ ୫, ୬ ଟି ଧୋବ ଫର ଫର ହଂସ ପହଁରୁ ଥିଲେ । କଇଁଫୁଲରେ ପୋଖରୀ ଅତୁଳନୀୟା ସୁନ୍ଦର ଦିଶୁଥିଲା । ସୁଲୁ ସୁଲୁ ପବନରେ ପଲ୍ଲୀର ସେ ଜାଗା ଛାଡି ଯିବାକୁ ମନ ହେଲାନି। ବସି ପଡିଲା କିଛି ସମୟ । ଚାରି ପାଖେ ବିସ୍ତିର୍ଣ ଧାନ ବିଲ ଗୁଡିକ ପାଚିଲା ଧାନରେ ହଳଦିଆ ଶାଢ଼ୀ ପବନରେ ଉଡିଲା ପରି ଲହଡି ମାରୁଥାଏ । ପୋଖରୀ ସେମୁଣ୍ଡରେ ଆଉ ଏକ ଗାଁ ଦୂରରୁ ଦିଶୁଥାଏ । ବଡ ବଡ ଆକାଶ ଛୁଆଁ ତାଳ ଓ ନଡ଼ିଆ ଗଛ ଗୁଡିକ ପବନରେ ଦୋଳି ଖେଳୁଥାନ୍ତି । ସତେ ଯେପରି କେହି ଦକ୍ଷ ଚିତ୍ରକର ସାନ୍ଦ୍ୟ କାଳୀନ ସୁନ୍ଦର ଚିତ୍ର ଟିଏ ଆଙ୍କି ଦେଇଛି । ପଲ୍ଲୀର ଲେଖିକା ପ୍ରାଣଟି ଖୁସିରେ ଝୁମି ଉଠିଲା । ମନ ହେଲା ବଡ ପାଟି କରି ମନ ଖୋଲି ଗୀତ ଗାଈବ ଓ ନାଚିଯିବ ପୋଖରୀ ପାଣିରେ ଗୋଡ ବୁଡାଇ । ଏ ଜାଗା ଛାଡି ଯିବାକୁ ତାର ଇଚ୍ଛା ହେଉନଥିଲା । ଆମେରିକାରେ ଏ ସବୁ ସ୍ୱପ୍ନରେ ବି ଦେଖିବାକୁ ମିଳେନି । ବିବାହର ୧୨ ବର୍ଷ ପରେ ପଲ୍ଲୀ ଗାଁକୁ ଆସିଛି । ନ ହେଲେ ଆସିଲେ ଭୁବନେଶ୍ୱରରୁ ଶାଶୁ ଘରେ ଓ ବାପା ଘରେରହି ଚାଲିଯାଏ । ଏତିକିବେଳେ ମା ଡାକିଲେ ଚାଲ ଘରକୁ ଯିବ । ପଲ୍ଲୀ ଅଳସ ମନରେ ମା ପଛେ ପଛେ ଚାଲିଲା । ମାଙ୍କୁ ଗାଁ ସାରା ଲୋକଙ୍କ କଥା ପଚାରି ବୁଝୁଥିଲା ।ପଲ୍ଲୀ କାଲି ପଳାସ ଘରକୁ ଯିବ ବୋଲି କହିଲାରୁ ମା ମନା କଲେ । କାହିଁକି ବୋଲି ପଚାରିଲାରୁ ମା ଚୁପ ହୋଇଗଲେ ଓ କଥା ବଦଳେଇ ଦେଲେ ।
ପଳାସ ପଲ୍ଲୀର ବେଷ୍ଟ ଫ୍ରେଣ୍ଡ । ପଲ୍ଲୀ ଘର ଗାଁ ଆରମ୍ଭ ଶିବ ମନ୍ଦିର ପାଖେ । ପଳାସ ଘର ଗାଁ ଶେଷ ମୁଣ୍ଡ ସ୍କୁଲ ପାଖେ । ଦୁହେଁ ଏକାଠି ସେଇ ଗାଁ ସ୍କୁଲରେ ପଢୁଥିଲେ ଓ ପରେ ପଳାସ ଭୁବନେଶ୍ୱରରେ ହଷ୍ଟେଲରେରହି ଓ ପଲ୍ଲୀ ତା ବାପା ଙ୍କ ପାଖେରହି ପଢୁଥିଲା । ଦୁହେଁ ଗୋଟିଏ କଲେଜରେ ପଢୁଥିଲେ । ପଲ୍ଲୀର ମା ଯେବେ ଭୁବନେଶ୍ୱର ଯାନ୍ତି ପଳାସ ତାଙ୍କ ଘରକୁ ଆସେ । ପଲ୍ଲୀ ମା ସବୁବେଳେ ପଲ୍ଲୀର ଅଭିଯୋଗ ପଳାସ ଆଗେ କରନ୍ତି କି ପାଠ ନ ପଢିଲେ କଣ କରିବ , କିଏ ତାକୁ ବାହା ହେବ ? ପଳାସ ହସି କହିବ " ମାଉସୀ ତମେ ପଲ୍ଲୀକୁ ପଳାସ ଫୁଲ ଭାବୁଛ ଦେଖିବ ଦିନେ ସିଏରଜନୀ ଗନ୍ଧା ପରି ଫୁଟି ମହକି ଯିବ । ତା କଥା ସତ ହେଇଛି ,ପଲ୍ଲୀ ଏବେ ଜଣେ ଜଣା ଶୁଣା ଲେଖିକା । କେତେ ପୁରସ୍କାର ଓ ସମ୍ବର୍ଧନା ପାଇଛି । ପଳାସ ହିଁ ତାକୁ ଉତ୍ସାହିତ କରିଥିଲା ଓ ତା ଭିତର ପ୍ରତିଭା ସହିତ ତାର ପରିଚୟ କରେଇଥିଲା ।
ପଲ୍ଲୀ ମାକୁ ବହୁ ବାଧ୍ୟ କରି ପଚାରିବାରୁ ମା ଦୁଃଖରେ କହିଲେ ସେ ପଳାସ ହିଞ୍ଜଡ଼ା ପାଗଳ ହେଇଯାଇଛି । ସମସ୍ତଙ୍କୁ ମାରି ଗୋଡ଼ଉଛି । ହିଞ୍ଜଡ଼ା .... ଏ ଶବ୍ଦ ଟି ଯେମିତି ପଲ୍ଲୀ କାନକୁ କଣ୍ଟା ପରି ଫୋଡିରକ୍ତାକ୍ତ କରିଦେଲା । ସିଏ କାଠ ପାଲଟି ଗଲା । ତା ମୁଣ୍ଡ କିଛି କାମ କରୁନଥିଲା । ହଁ କଲେଜ ବେଳେ ଧୀରେ ଧୀରେ ପଳାସର ବ୍ୟବହାରରେ ଏହି ଧରଣର ପରିବର୍ତନ ସିଏ ଲକ୍ଷ କରିଥିଲା ଓ ପଳାସ ମଧ୍ୟ ନିଜର ଏହି ପରିବର୍ତ୍ତନକୁ ଗ୍ରହଣ କରିନେଇଥିଲା ଓ ନ ଅଟକି ଜୀବନରେ ଆଗେଇ ଥିଲା । କିନ୍ତୁ ହିଞ୍ଜଡ଼ା ପରି ଅପଶବ୍ଦ ଲାଗିବା କଣ ନିହାତି ଆବଶ୍ୟକ । ସେ କଣ ମଣିଷ ନୁହେ ? ଏମିତି ଅନେକ ମଣିଷ ଦୁନିଆର
େ ଅଛନ୍ତି , ଏକ ପଳାସ ଜଣେ ନୁହେଁ । ତାକୁ ଏ ଦଣ୍ଡ କାହିଁକି ?ପଲ୍ଲୀ ଭିତରେ ଏମିତି ପଳାସ ଓ ହିଞ୍ଜଡ଼ାକୁ ନେଇ ଝଡ ଆରମ୍ଭ ହେଇଯାଇଥିଲା । ସେପଟେ ବାହାରେ ମଧ୍ୟ ଝଡ ବର୍ଷା ଆରମ୍ଭ ହେଇଥିଲା ପଲ୍ଲୀର ସମର୍ଥନରେ ।
ସକାଳେ ପଲ୍ଲୀର ନିଦ ଭାଙ୍ଗିଲା ବେଳକୁ ଖରା ଆସିଯାଇଥିଲା ଓ ସମସ୍ତେ ନିଜ ନିଜ କାମରେ ଲାଗିଥିଲେ ।ରାତିର ଝଡ ତ କମି ଯାଇଥିଲା ହେଲେ ତା ଭିତରର ଝଡ ଏବେ ବି ଚାଲିଥିଲା ।ପଲ୍ଲୀ ଉଠି ନିଜ କାମ ସାରି କାହାକୁ କିଛି ନକହି ବାହାରିଲା ନିଜ ଭିତରେ ଚାଲିଥିବା ଝଡର କାରଣ ଖୋଜିବାକୁ । ଗାଁ ଶେଷ ମୁଣ୍ଡରେ ପହଂଚି ଦେଖିଲା ପଳାସ ଘର ଯେମିତି ଦୁଃଖୀ ଓ ନିରାଶରେ ପଡ଼ିରହିଛି । ପଲ୍ଲୀ ଭିତରକୁ ଦୌଡିଲା ,ପଳାସ ମା ଧଳା ଶାଢ଼ୀ ପିନ୍ଧି ମନ ମାରି ବସିଛନ୍ତି । ମାଉସୀ ନମସ୍କାର କହି ବସି ପଡିଲା ପାଖରେ , କଣ ସବୁ ଘଟିଗଲା ଏମିତି ? ଆଉ ମଉସା ? ପଲ୍ଲୀ କଣ୍ଠରୁଦ୍ଧ ହେଇ ଆସିଲା ,ଲାଗିଲା ଯେମିତି ତଂଟି ଫାଟିଯିବ ତାର ଏବେ । ମାଉସୀ ପଲ୍ଲୀକୁ ଧରି କାନ୍ଦି ଉଠିଲେ । ଥର ଥର କୋହ ଭରା କଣ୍ଠରେ କହିଲେ " ପଳାସର ପରିବର୍ତନ ବିଷୟରେ ଗାଁ ଲୋକେ ଜାଣି ବହୁତ ଛିଛାକର କଲେ । ପଳାସକୁ ଗାଁରୁ ଚାଲି ଯିବାକୁ କହିଲେ ,ନହେଲେ ଗାଁ ବଦନାମ ହେବ । ଦାଣ୍ଡରେ ଚଳେଇ ଦେଲେନି । ମଉସା ଙ୍କୁ ମଧ୍ୟ ହିଞ୍ଜଡ଼ାର ବାପା ବୋଲି କହି ଅନେକ ଟାହି ଟାପରା କଲେ । ଅପମାନ ସହି ନପାରି ମଉସା ଆତ୍ମହତ୍ୟା କରିଦେଲେ । ଏଥି ପାଇଁ ପଳାସ ନିଜକୁ ଦୋଷୀ ବୋଲି ଭାବି ଘରୁ ବାହାରିବା ବନ୍ଦ କରିଦେଲା ଓ ଧୀରେ ଧୀରେ ଡିପ୍ରେସନର ଶିକାର ହୋଇ ତା ମୁଣ୍ଡ ଖରାପ ହୋଇଗଲା । ସେ ପାଗଳ ନୁହେ ମା ,ତାକୁ ଗାଁ ଛୁଆ ଚିଡ଼େଇଲେ ସେ ମାରି ଗୋଡ଼ାଏ । ସେଥିପାଇଁ ଗାଁ ଲୋକେ ତାକୁ ପାଗଳ କହୁଛନ୍ତି । ପଳାସ କାଇଁ ବୋଲି ପଲ୍ଲୀ ପଚାରିଲା । ମାଉସୀ ବାଡ଼ି ପଟ ପଳାସ ଫୁଲ ଗଛ ଆଡେ ଆଙ୍ଗୁଟି ଦେଖେଇଲେ ।
ପଲ୍ଲୀ ଗଲା ପଳାସ ପାଖକୁ , ପଳାସ ଗଛ ତଳେ ପଳାସ ବସି ପଳାସ ଫୁଲକୁ ହାତରେଧରି ଦେଖୁଥାଏ ବୋଧେ ତା ଭିତରେ ନିଜକୁ ପାଉଥାଏ । ନିଜ ଅବସ୍ଥାରେ ଅନ୍ୟକୁ ଦେଖିଲେ ତା ମନରେ ତା ପାଇଁ ଦରଦ ଜାଗେ । ସେ ନିର୍ଜୀବ ବସ୍ତୁ ଟେ ହେଲେ ବି ସେ ତାକୁ ତାର ଦରଦୀ ବନ୍ଧୁ ଭାବେ । ତାର ଚୁଟି ଓ ଦାଢ଼ି ବଢିଛି ବୋଧେ ବର୍ଷେ ହେବ କଟା ଯାଇନି , ନଖ ବଢି ମାଟି ପଶି କଳା ଦିଶୁଚି ଗୋଡ଼ ଫାଟି ଆଁ କରିଛି । ଅତି ଦୟନିଅ ଅବସ୍ଥାରେ ସେ ବସିଛି । ପଲ୍ଲୀ ତାପାଖେ ବସି ପଡିଲା । ପଲ୍ଲୀକୁ ଦେଖି ପଳାସ ଖୁସି ହେଇଗଲା । କହିଲା ଏତେ ଦିନେ ତୋର ମୋ କଥା ମନେ ପଡିଲା । ମୁ ତତେ ଦେଖିଲି ଖୁସି ହେଲି । ତୁ ଚାଲିଯା ଏଠୁ ,ନହେଲେ ତତେ ବି ପାଗଳ କହିବେ । ପଲ୍ଲୀ ଦୁଇ ଆଖିରୁ ଗରମ ଗରମ ଲୁହ ତା ଗାଲ ଉପରେ ବୋହିଗଲା । ପଲ୍ଲୀ କହିଲା ଯେଉଁ ପଳାସର ଯାଦୁ ମନ୍ତ୍ର ତାପରି ବାସ ହୀନ ପଳାସକୁ ରଜନୀଗନ୍ଧା ପରି ସୁବାସିତ ପୁଷ୍ପରେ ପରିଣତ କରିଦେଲା , ସେ ପଳାସ ନିଜେ ଆଜି ବୃନ୍ତ ଚ୍ୟୁତ ହୋଇ ମାଟିରେ ଲୋଟୁଛି । ପଳାସର ଭାଗ୍ୟ ମାଟିରେ ଲୋଟିବା ପଲ୍ଲୀ । ପଳାସ କଥା ଶୁଣି ପଲ୍ଲୀ କହିଲା ଶିବରାତ୍ରିରେ ପଳାସ ପୁଷ୍ପ ଶିବ ଙ୍କୁ ଲାଗିଥାଏ । ସବୁ ପଳାସ ଶିବରାତ୍ରିରେ ଫୁଟନ୍ତିନି ବୋଲି ତୁ କଣ ଜାଣିନୁ ପଲ୍ଲୀ ।? ଆଉ କେହି କିଛି କହିଲେନି । ଏମିତି କେତେ ସମୟ ବିତିଗଲା ଦୁହେଁ ଜାଣନ୍ତିନି ।ବୃନ୍ତ ଚ୍ୟୁତ ଫୁଲ ମନ୍ଦିରକୁ ନଯାଇ ପାରେ କିନ୍ତୁ କୌଣସି ଘରର ଫୁଲଦାନୀକୁ ତ ଯାଇ ପାରିବ ?ରଜନୀଗନ୍ଧା ପରି ବାସ ଚହଟାଇ ନପାରେ କିନ୍ତୁ ନିଜ ସୁନ୍ଦରତାରେ ତ ସମସ୍ତ ଙ୍କୁ ଖୁସି କରି ପାରିବ । ପଲ୍ଲୀ ଓ ପଳାସ ଦୁହେଁ ନୂତନ ସକାଳ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ପଲ୍ଲୀ ଉଠିଲା ଓ ମାଟିରେ ପଡିଥିବା ଏ ପଳାସ ପୁଷ୍ପ ଟି ଲୋକଙ୍କ କଟୁ ବାକ୍ୟର ବର୍ଷା ପାଣି ମାଡ଼ରେ ପଚି ମାଟିରେ ମିଶିବା ପୂର୍ବରୁ ସେ ତାକୁ ସାଉଁଟି ନେଲା ନିଜ ସହିତ ।