BRATATI PRIYADARSHINI

Inspirational

3  

BRATATI PRIYADARSHINI

Inspirational

ସୁମା ଓ ସମୟ

ସୁମା ଓ ସମୟ

13 mins
39


ମନା କରୁଥିଲି ବିଦେଶ ଯାଆନା, କେତେ ପାଠ ପଢ଼ିବୁ। କିଛି ମାନିଲୁନି। ଆଜି ତୋ କଥା ଭାବି ଭାବି ଖବର ଦେଖି ଦେଖି ଟିଭି ଆଗରେ ଦିନ ରାତି କଟି ଯାଉଛି...ରେ ବାପା, କହି ମାଆ ପଣତ କାନିରେ ଲୁହ ପୋଛିଲା | ସୁମା ସେପଟୁ ଫୋନରେ କହିଲା ଓହୋ ବୋଉ ତୁ କାଇଁ କାନ୍ଦୁଛୁ କହିଲୁ | କାନ୍ଦେନା ତୁ ବାପାଙ୍କୁ ଫୋନ ଦେ | ବାପା ଫୋନ ଧରି ପଚାରିଲେ ତୁ ଭଲ ଅଛୁଟି ? ଖାଉଚୁ କଣ ? ସେଠି ପାଖରେ କେହି ରୋଗୀ ଅଛନ୍ତି କି ? ତୁ କେବେ ବାହାରିବୁ ଇତ୍ୟାଦି ......... ସୁମା କହିଲା ନାହିଁ ବାପା ଏଠି ସବୁ ଭଲ | ହଷ୍ଟେଲରେ ଖାଇବାକୁ ଦେଉଛନ୍ତି | ଆଜି ସବୁ କାମ ପ୍ରାୟ ସରିଗଲା,ମୁଁ ଆର ସପ୍ତାହ ସୋମବାର ଦିନ ବାହାରିବି | ହଉ ବାପା ମୁଁ ରହୁଛି | ବାପା ହଉ କହିଲେ | ସୁମା ଫୋନ କାଟିଲା ବେଳକୁ ପଛରୁ ମାଆର ସ୍ୱର ଶୁଭୁଥାଏ | ମାଆ କହୁଥାଏ ହେ ମାଆ ଜାଗୁଳେଇ ମୋ ଛୁଆକୁ ତୋ ପଣତ ଘୋଡେଇ ରଖିଥା | ଭଲରେ ଭଲରେ ଆସି ପହଂଚି ଯାଉ ଲୋ ମାଆ ମୁଁ ତୋତେ ଶାଢ଼ୀ ଚଢେଇବି | ସୁମା ଭାବୁଥାଏ ମାଆ ମାନେ ସବୁବେଳେ ଏମିତି | ନିଜେ କେତେ କେତେ କଷ୍ଟ ସହୁଥିବେ ହେଲେ ଛୁଆ କଷ୍ଟ ଭାବିଦେଲା ବେଳକୁ ଲୁହ ଝରିଆସିବ ଆଖିରୁ | ସୁମା କହିଲା ହେ ମାଆ ଜାଗୁଳାଇ ମତେ କ୍ଷମା କରିବୁ ମୁଁ ବାପାଙ୍କୁ ମିଛ କହିଲି | ସତ କହିଥିଲେ ସେ ଖାଲିଟାରେ ବ୍ୟସ୍ତ ହେଇଥାନ୍ତେ ଆଉ ବୋଉ ଦିନ ରାତି ବସି କାନ୍ଦିଥାନ୍ତା | ସୁମା ଓ ତା ସାଙ୍ଗ ହଷ୍ଟେଲ ଛାଡିଦେଇଥିଲେ ୧୫ କି ୨୦ ଦିନ ହେବ | କାହିଁକି ନା ଲକ୍ ଡାଉନ୍ ଘୋଷଣା ହେବା ପରେ ତାଙ୍କୁ ହଷ୍ଟେଲରୁ ଆଉ ଛାଡି ନଥାନ୍ତେ ଘରକୁ ଯିବାକୁ | ସେମାନେ ଗୋଟେ ରୁମ ଭଡା ନେଇଥିଲେ ଓ ଲକ୍ ଡାଉନ୍ ପରେ ୧୫ ଦିନ ହେଲାଣି ସେମାନେ କେବଳ ଭାତ ଓ ମୁଗ ଡାଲି ରାନ୍ଧି ଖାଉଥିଲେ | ଘରୁ ବାହାରୁନଥିଲେ, କାରଣ ବାହାରେ ପରିସ୍ଥିତି ବହୁତ ଭୟଙ୍କର ହୋଇଯାଇଥିଲା |


    ଆଜି ସୋମବାର | ସୁମା ବୋଉ ଅନ୍ଧାରୁଁ ଉଠି ଯାଇ ଜାଗୁଳେଇ ଗାଧେଇ ଦେଇ ଶିବ ମନ୍ଦିରରେ ମୁଣ୍ଡିଆ ମାରି ଆସିଲେଣି | ଘରେ ପହଂଚି ସୁମା ବାପାଙ୍କୁ ପଚାରିଲା ସୁମା ଫୋନ କରିଥିଲା ବାହାରିଲାଣି ? ହଁ, ବାହାରିଲାଣି | ତାକୁ କେତେ ଦିନ ଲାଗିବ ଏଠି ପହଂଚିବାକୁ ? କେଜାଣି ଦୁଇ ଦିନ ବୋଧେ ଲାଗିବକି କଣ !!!!!! ଏ କୋରୋନା ପାଇଁ ଯଦି ସବୁ ବନ୍ଦ ବାନ୍ଦ କରି ଦେଇଥିବେ ତାହାଲେ କଣ କେତେ ବେଶୀ ସମୟ ଲାଗିବ ଯଦି ଲାଗିବ | . ସୁମା ବୋଉ କହିଲେ"ହେ ୩୩ କୋଟି ଦେବତା ମୋ ପୁଅକୁ ଭଲରେ ଭଲରେ ଆଣି ଘରେ ପହଞ୍ଚେଇ ଦିଅ" |

    ଓହୋ ..... ମଲା ଏଇଟା କଣ ହଉଚି, ଶବ୍ଦ ଶୁଣି ସୁର ବାବୁ ଖାତା ଉପରୁ ମୁହଁ ଉଠେଇ,ଆଖିରୁ ଚଷମା ଟିକେ ତଳକୁ ଖସେଇ ଅନେଇଲେ ଶବ୍ଦ ଆସୁଥିବା ଆଡକୁ | ଦେଖିଲେ ସୁମା ବୋଉ ବିଲେଇ ଉପରେ ଚିଡି ଚିଡି ହଉଚି |ଆଇଁସ ବାସ୍ନାରେ ବିଲେଇଟା ତା ଗୋଡ ପାଖରେ ଖାଲି ଘଷି ହେଉଛି | ସୁର ବାବୁ କହିଲେ,ତମେ ବିଲେଇଟା ଉପରେ ଖାଲିଟାରେ କିଆଁ ଚିଡି ଚିଡି ହେଉଛ ? ସୁମା କୋଉଠି ରହି ଯାଇଥିବ ସେଥିପାଇଁ ଡେରି ହେଉଥିବ | ତମେ ଅଧର୍ଯ୍ୟ ହେଲେ କେମିତି ହେବ ? ଏତେ ଦିନେ କେ ପିଲାଟା ଆସିଛି ସାଙ୍ଗସାଥି ମିଳିଯାଇଥିବେ କଥା ହେଉଥିବ, ଆସିଯିବନି ?| ତମ ପୁଅ ଆସିବ ବୋଲି ଖୁସିରେ କାଲିଠୁ ତୁମ ପାଦ ତଳେ ଲାଗୁନି | ଏତେ ଦିନ ଅପେକ୍ଷା କଲଣି ଆଉ ଆଜି ଟିକେ ସମୟ ରହିପାରୁନ ? ସୁମା ବୋଉ ପାଚିଯାଇଥିବା ଚୁଟିରେ ହାତ ମାରି, ପିନ୍ଧିଥିବା ସୁତା ଲୁଗାର କାନିକୁ ଡାହାଣ ପଟେ ବୁଲାଇ ଆଣି ବାଁ ଅଂଟାରେ ଖୋସିଲେ ଓ କହିଲେ କାଇଁ ତମେ କଣ ଅପେକ୍ଷା କରିନଥିଲ କି ? ତମକୁ ଅଧର୍ଯ୍ୟ ଲାଗୁନି ? ସୁର ବାବୁ ହସିଲେ ଓ ତାଙ୍କ ସଂଗେ ସୁମା ବୋଉ ବି ହସିଲେ |


   ପୁଅ ସୁମନ୍ତ (ସୁମା ) ଆମେରିକାରେ ରହୁଥିଲା | ଏଇ ତ ବର୍ଷେ ହେବ ଯାଇଥିଲା | ତାକୁ ତା ଅଫିସ ତରଫରୁ ଅଧିକ ଟ୍ରେନିଂ ଓ ପଢିବା ପାଇଁ ପଠାଯାଇଥିଲା ବର୍ଷେ ପାଇଁ | ତାର ବର୍ଷେ ପୁରିବାକୁ ଆଉ 1 ସପ୍ତାହ ବାକିଥିଲା | ହେଲେ କୋରୋନା ଯୋଗୁଁ ସେ ଅଫିସକୁ ଅନୁରୋଧ କରି ଫେରି ଆସିଥିଲା | ଅଫିସ ମନା କରୁଥିଲା ତଥାପି ସୁମା ବହୁ କାକୁତି ମିନତୀ କରି ଅନୁରୋଧ କରି ରାଜି କରେଇଥିଲା ତା HRକୁ |.................. ସୁମା ଆସିବ ବୋଲି ବାପା ମାଆ ଦୁହେଁ ଯାକ ଦୁଇ ଦିନ ହେଲାଣି ଯୋଗାଡ ଯନ୍ତ୍ରରେ ଲାଗିଛନ୍ତି | କୋଉଠୁ କୋଉ ମାଛ ଆସିବ, କୋଉ ପରିବା ଆସିବ, କଣ ରନ୍ଧା ବଡା ହେବ, ଜଳଖିଆରେ କଣ ଖାଇବ ପୁଅ ସେଇ ଚିନ୍ତାରେ ବୁଢା ବୁଢ଼ୀ ଦୁହେଁ ଲାଗିପଡିଛନ୍ତି | ଦୁଇ ଦିନ ଆଗରୁ ଭାଙ୍ଗିଯାଇଥିବା ଚୁଲିକୁ ସୁମା ବୋଉ ପ୍ରଭା ସଂଗେ ମିଶି ଲିପିପୋଛି ନୂଆ କରିଦେଇଛନ୍ତି,ପୁଅ ପାଇଁ ଚୁଲିରେ ରାନ୍ଧିବେ ବୋଲି |ଏତେ ଦିନ ପରେ ଆସୁଛି ତେଣୁ ଆଜି ବୋଉ ପୁଅ ପସନ୍ଦର ସବୁ ଖାଇବା ରାନ୍ଧିଛନ୍ତି ନିଜେ ହାତରେ | ଆଜି ପାଖ ଘର ଝିଅ ପ୍ରଭା ଖାଲି ହେଲପର ହେଇଚି | ସକାଳେ ପହଂଚି ପଖାଳ ସଂଗେ ଚୁନା ମାଛ ଭଜା ହୋଇଛି ଓ ଝିମି ଚୁଙ୍ଗୁଡ଼ି ମାଛ ଭଜାରେ କଞ୍ଚା ରସୁଣ ଓ କଞ୍ଚାଲଙ୍କା ପଡି ଛେଚା ହୋଇଛି | ଖାଲି ଖାଇଲା ବେଳକୁ କଞ୍ଚା ସୋରିଷ ତେଲ ଓ ଲୁଣ ପଡି ଚକଟା ହେବ |ଖରାବେଳ ଖାଇବାରେ ନାଲି ଉଷୁନା ଚାଉଳ ଭାତ, କଉ ମାଛ ବେସର ଝୋଳ,ଜହ୍ନି ପୋଡା, ଶାଗ ପୋଡା, ଚୁଙ୍ଗୁଡ଼ି ମାଛ ଭେଣ୍ଡି ତରକାରୀ, ଅରୁଆ ଚାଉଳରେ ବୁଡେଇ କଖାରୁ ଫୁଲ ବରା | ଆଉ ଶେଷରେ ତାଟିଆଏ ଛୁଙ୍କ କାଞ୍ଜି | ବୋଉ ହାତ ଛୁଙ୍କ କାଞ୍ଜି ସୁମାର ଭାରି ପ୍ରିୟ | ସବୁ ଚୁଲିରେ ରାନ୍ଧି ଛନ୍ତି କାଳେ ଚୁଲିର କାଠ ନିଆଁ ଖାଦ୍ୟକୁ ସୁଆଦିଆ କରେ ଓ ବାସ୍ନାରେ ପେଟ ପୁରି ଯାଏ | ସବୁ କାମ ସାରି ଦୁହେଁ ପୁଅ ଅପେକ୍ଷାରେ |


   ହେଇଟି ଶୁଣୁଛ ପିଲାଟା କଣ ୯ ତା ବେଳେ ପହଂଚିବା କଥା ଆସି ୨ଟା ବାଜିଲାଣି ଆସୁନି, ତମେ ଟିକେ ଯାଇ ଦେଖି ଆସୁନ | କୋଉଠି ହଇରାଣ ହଉନିତ ଆଉ ? ବୋଲି ସୁମା ବୋଉ କହିଲେ | ସୁମା ବାପା ବି ବ୍ୟସ୍ତ ହୋଇ ଗାମୁଛା କାନ୍ଧରେ ପକାଇ ଯିବାକୁ ବାହାରିଲେ | ଦୁଆର ମୁହଁକୁ ଅନେଇଲା ବେଳକୁ ସୁମା ଦାଣ୍ଡରୁ ଗୁହାଳ ଦେଇ ଦୁଆର ମୁହଁ ଆଡେ ଆସୁଛି | ବାପା କହିଲେ ହେଇବା ଆସିଲାଣି | ସୁମା ବୋଉ ପୁଅ ପାଖକୁ ଦୌଡ଼ି ଗଲେ |ସୁମା କହିଲା ରହ ବୋଉ ମତେ ଛୁଉଁନା, ବାପା କହିଲେ ରୁହ ସିଏ ଗାଧେଇ ପଡୁ ତା ପରେ କଥା ହେବା କହି ବାପା ସୁମାକୁ ତା ରୁମକୁ ଯିବାକୁ କହିଲେ| ସୁମା ମନା କଲା କହିଲେ ମୁଁ ସେଇ ଶେଷ ବାରି ବାଟ ଘରେ ରହିବି ଓ ଚାଲି ଗଲା ବାରିଆଡେ ଗାଧେଇବାକୁ | ସୁମା ବୋଉ ଲୁଗା କାନିରେ ଲୁହ ପୋଛି କହିଲେ କଣ ହେଇଚି କି ତାର ? ତା ମୁହଁଟା ଏମିତି ଶୁଖି କଳା କାଠ ପଡି ଯାଇଛି | ଆଖି ଦିଟା ଲୁହ ଜକେଇଲା ପରି ଦିଶୁଚି | ତାକୁ ଗାଁ ଲୋକେ କଣ କହିଲେ ନା କଣ ? ନା ମୋ ପୁଅକୁ କିଏ ଦୃଷ୍ଟି କରିଦେଲା ? ସୁମା ବାପା ହସି ଦେଇ କହିଲେ ତମ ପୁଅକୁ ଖାଲି ସମସ୍ତେ ଗୁଣି କରିଦେଉଛନ୍ତି ଆଉ ? ଥକି ଯାଇଥିବ ମ, ରୁହ ଖାଇ ପିଇ ସାରୁ ପଚାରି ବୁଝିବା କଣ ହେଇଚି |


   ଖିଆ ପିଆ ସରିଲା | ସୁମା ନିଜ ବାସନ ନିଜେ ଧୋଇଲା ଓ ଯାଇ ବାରି ବାଟ ଘରେ ସପଟିଏ ପାରି ମୁଣ୍ଡରେ ହାତ ଦେଇ କଣ ଚିନ୍ତାରେ ଲାଗିଗଲା | ବାପା ମାଆଙ୍କ ସଂଗେ କିଛି ଭଲରେ କଥା ହେଲାନି | ସୁମା .... ଏ ସୁମା ..... ସୁମା..... ଡାକି ଡାକି ବାପା ବୋଉ ଦୁଇଜଣ ଯାକ ତା ଆଡେ ଆସିଲେ | ସୁମା ଉଠି ବସିଲା କହିଲା ଦୁଆର ମୁହଁରେ ବସ ଉପରକୁ ଆଶନି | ସୁମା ବସିଲା ଉପରେ, ବାପା ବୋଉ ଦୁହେଁ ତଳେ ପାହାଚରେ ବସିଲେ | ବାପା କହିଲେ ପୁଅରେ ତୋର କଣ ହେଇଚି ? ତୋ ମୁହଁ ଆସିଲା ବେଳଠୁ ଦେଖୁଚି ଶୁଖି ଯାଇଛି | କଣ କିଛି ଅସୁବିଧା ହେଇଚି ? ନାଇଁ ବାପା ଅଫିସ ଚିନ୍ତା ଆଉ କିଛି ନାହିଁ | ଏତିକି ବେଳେ ଗୋଟେ ଲୋକ ଆସି ଡାକିଲା ମଉସା ଆସ ଯିବା | ସୁମା ବାପା ଉଠିଲେ ଓ ସେ ଲୋକ ସଂଗେ ବିଲକୁ ଗଲେ | ବୋଉ କହିଲା ପୁଅରେ ତୁ ମତେ ଭୂତେଇ ପାରିବୁନି | କଣ ହେଇଚି ତୋର କହ | ଗାଁ ଲୋକ ତତେ କଣ କହିଲେ କି ? ମାଆ ସବୁବେଳେ ଛୁଆର ହୃଦୟର କଥା ଆଖିରୁ ପଢି ନିଏ ତାକୁ କିଛି ଲୁଚେଇବା ସମ୍ଭବ ନୁହେଁ | ସୁମା ବା ସେ ନିୟମରୁ ବାହାରିଯିବ କେମିତି ? ସୁମା ବୋଉର ଟିକେ ପାଖକୁ ଆସିଗଲା, ତାର ତ ମନ ହେଉଥିଲା ବୋଉକୁ କୁଣ୍ଢେଇ ପକେଇ ବହେ କାନ୍ଦିବ ଓ ତା ମନର ସବୁ କଥା ସେମିତି ବୋଉକୁ କୁଣ୍ଢେଇକି କହିଦେବ | କିନ୍ତୁ ବିଧାତା କେଡେ ନିଷ୍ଠୁର ତା ଖୁସି ଦୁଃଖରେ ବଦଳି ଗଲା | ଆଉ ଆଜି ବୋଉ ତା ଆଗରେ ଅଛୁଆଁ ଜାତି ଲୋକ ପରି ତଳ ପାହାଚରେ ବସିଛି | ବୋଉ ଆଉଥରେ ସୁମା ବୋଲି ଡାକିଦେଲାରୁ ସୁମା ବୋଉକୁ ଅନେଇଲା କହିଲା ବୋଉ ଆମେ କେତେ କଷ୍ଟ କରି ଆସି ଏ ଜାଗାରେ ପହଞ୍ଚିଛେ କହିଲୁ| ତା ବୋଉ କହିଲେ ହଁ ପରା, ଏ ନିଆଁ ନଗା କଣ ଗୋଟେ ରୋଗ ବାହାରିଲା ଯେ ଜୀବନ କଲବଲ କରିଦେଉଛି ସମସ୍ତଙ୍କର | କୋଉ ଦେଶରେ ଯାଇଥେଲୁ, ଆଉ ଏତେ ବାଟ କେମିତି କଷ୍ଟରେ ଆସିଥିବୁ ମୋର ଖାଲି ସେତିକି ମାଗୁଣି ଥେଲା ମଙ୍ଗଳା ମାଆ କତିରେ | ତୁ ଆସିଗଲୁ ମାଆକୁ ଗାଧେଇଦେବି ବୋଲି ମାନସିକ କରିଛି ପରା .....ତୋର ଏ ଏକା ରହିବା ସରିଯାଉ ଯିବା ମାଆ ପୁଅ ମିଶିକିରି ମନ୍ଦିର |ବୋଉ କଥା ଶୁଣି ସୁମା ଚମକି ପଡିଲା, ବୋଉ ମୁହଁକୁ ଅନେଇଲା ଓ ଭାବିଲା ଏ ସରଳ, ନିରୀହ ବୋଉକୁ ସେ କଥା କହି ତା ମନକୁ ଆଉ ଦୁଃଖ ଦେଇପାରିବନି | ତେଣୁ କିଛି କହିଲାନି |


ଏତିକି ବେଳେ ଦାଣ୍ଡ ଦୁଆର ମୁହଁରେ କାହା ପାଟି ଶୁଭିଲା ସୁମନ୍ତ ...ଏ ସୁମନ୍ତ...... ସୁମା .... ମାଉସୀ ସୁମା କାଇଁ ..... | ପାଟି ଶୁଣି ବୋଉ ଦାଣ୍ଡ କବାଟ ପାଖକୁ ଗଲେ ଦେଖିବାକୁ | ଦେଖିଲେ ସୁମାର ବେଷ୍ଟ ଫ୍ରେଣ୍ଡ ଶଙ୍କର ଆସିଛି | ସୁମା ବୋଉ କହିଲେ ଆରେ ବାପା ଶଙ୍କର କି ! ହଉ ଆ ଭିତୁରୁକୁ ଆ | ସୁମା ସେଇ ବାଟ ଘରେ ବସିଛି | କଣ ତାର ହେଇଚି ଯେ ମୁଁ ଯେତେ ପଚାରିଲି କିଛି କହୁନେଇ | ତୁ ତ ତା ସାଙ୍ଗ ତୁ ଟିକେ ପଚାରି ବୁଝୁ ତତେ ସିଏ କହିବା ନିଶ୍ଚିନ୍ତ | ହଉ ମାଉସୀ କହି ଭିତରକୁ ଆସିବାକୁ ବାହାରିଲା ବେଳକୁ ସୁମା ବଡ ପାଟିରେ କହିଲା ବୋଉ ତାକୁ କହ ସେ ବାରି ପଟ ତେନ୍ତୁଳି ଗଛ ମୂଳକୁ କୂଅ ପଟେ ବୁଲିକି ଆସିବ | ମୁଁ ସେଠିକି ଯାଉଛି | ଶଙ୍କର ହଉ କହି ଡାହାଣ ପଟେ କୂଅ ଦେଇ ଗୋହରୀ ବାଟରେ ଯାଇ ବାରିରେ ପହଁଚିଲା ଓ ସୁମା ବି ସେଠି ଠିଆ ହୋଇ ଥିଲା | ଦୁହେଁ ବାରିତଳ ତେନ୍ତୁଳି ଗଛ ମୂଳକୁ ଗଲେ | ସୁମା ସାଙ୍ଗରେ ଗୋଟେ ତାଳପତ୍ର ଚଟେଇ ନେଇଥିଲା | ତାକୁ ପକେଇ ଶଙ୍କରଠୁ କିଛି ଦୂରରେ ବସିଲା | ଶଙ୍କର କହିଲା ତୁ ବା ସଙ୍ଗରୋଧରେ ଥିଲୁ | ସିଏ ତା ଆଜି ସରିଗଲା ତୁ ପୁଣି ଅଲଗା ବସୁଛୁ କାହିଁକି ? ସୁମା କହିଲା ସେଠୁ ସିନା ଛାଡି ଦେଲେ ହେଲେ ଯଦି ରୋଗ ଭିତରେ ଥିବା ତେବେ ୧୫ କି ୨୦ ଦିନ ପରେ ବି ବାହାରିବା ନା ତେଣୁ ଘରେ ଆଉ ୧୫ ଦିନ ଅଲଗା ରହିବା କଥା | ହେଲେ ଗଉରା ତ ବୁଲୁଚି ସମସ୍ତଙ୍କ ସଂଗେ ମିଶୁଛି, ତାହାଲେ ତୁ କାହିଁକି ଅଲଗା ରହିବୁ ?


    ସୁମାର ଆଜି ସକାଳ କଥା ମାନେ ପଡିଲା | ସେ କହିଲା ଜାଣିଚୁ ଆଜି ସ୍କୁଲରୁ ଗଉରା ଆଉ ମୁଁ ମିଶିକି ବାହାରିଲୁ |ସେଠି ଗାଁର ସେ ଯୋଉ ଗନେଇ ଦାଦି, ନିର ବଡବାପା, ଝୁଲା ଭାଇ, ମଦନ ଆହୁରି ବହୁତ ଲୋକ ଭୁଇଆଁ ଦୋକାନରେ ବସିଥିଲେ | ଆମେ ଦୁଇଜଣ ତାଙ୍କୁ ନମସ୍କାର ହେଲୁ | ମଦନ କହିଲା ସୁମା ତୁ ଆଉ ବିଦେଶ ଯିବୁ ନା ଯିବୁନି ? ସୁମା କହିଲା ମୋର ସରିଯାଇଛି ଆଉ ଯିବିନି | ସେଠୁ ମଦନ କହିଲା ହଁ ତମେ ସବୁ ବିଦେଶରେ ରହି ଟଙ୍କା କମେଇ ରୋଗ କିଣିବ ଆଉ ଆମେ ଗାଁ ଵାଲା ହଇରାଣ ହେବୁ | ଖାଲି ତ ଟଙ୍କା ପଛରେ ଗୋଡ଼େଇଲେ | ଏବେ ରୋଗ ମାଡି ଆଇଲା ବେଳକୁ ଘରକୁ ଦୌଡ଼ି ଆସୁଛ | ସୁମାକୁ ଭାରି ଦୁଃଖ ଲାଗିଲା ଏମିତି କଥା ଶୁଣି | ପୁଣି ଗନେଇ ଦାଦି କହିଲେ ଗଉରା ଗରିବ ପିଲାଟା ଘର ଛାଡି ପେଟକୁ ଦାନ ଯୋଗାଡ କରିବାକୁ ବାହାରକୁ ଯିବାକୁ ପଡୁଛି ତାକୁ | ହେଲେ ସୁମା ତ ଖାଲି ଟଙ୍କା ପଛରେ ଗୋଡ଼େଇଲା ଆଉ | ସେଠୁ ନିର ବଡାପା କହିଲେ ଏମିତି ଲୋକଙ୍କୁ ସରକାର ଆସିବାକୁ ଦେବାକଥା ନୁହେଁ | ଶଙ୍କର କହିଲା ସେ ଏମିତି କାଇଁ କହିଲେ ? ଆଉ ଗୌରା କାଇଁ ଗରିବ ପିଲା ହେବ ମ ? ତା ବାପା ବା ଦୋକାନ କରିଛି |


  ସୁମା କହିଲା " ଶଙ୍କର ଆଜିଠୁ 10 କି 15 ବର୍ଷ ତଳ କଥା ଭାବିଲୁ | ଆମେ କେତେ କଷ୍ଟରେ ଚଳୁଥିଲୁ କହିଲୁ | ବାପା ବୋଉ, ଜେଜେ, ଜେଜେ ମାଆ ଆଉ ପିଉସୀ ଅପା ଆମେ 6 ଜଣ ଲୋକକୁ ବାପା ଏକା କାମ କରିବା ଲୋକ | ବିଲାବାଡ଼ି ଯାହା ଚାଷ ହେଉଥିଲା ସେତିକି ସମ୍ବଳ | ବାପା ବର୍ଷ ସାରା ମାଟି ସଂଗେ ମାଉଁସ ହେଇ ଲାଗିଥିବେ ଋତୁ ଅନୁଯାଇ ଚାଷ କାମରେ | ଧାନ, ପରିବା, ମୁଗ ବିରି ଚାଷ କରିବାରେ | କାହିଁକି ନା ସେଇଥିରୁ ଯାହା ବିକି ଭାଙ୍ଗି ଘର ଚାଲିବ ଓ ଅପା ବାହାଘର ପାଇଁ ସଂଚୟ ହେବ | ମୋ ପାଠ ପଢା ପାଇଁ ସେଥିରୁ ଖର୍ଚ୍ଚ ହେବ | ଆଉ ବୋଉ ବି ବାପାଙ୍କ ସଂଗେ ଅଣ୍ଟା ଭିଡି ଘର ସମ୍ଭାଳିଥିଲେ | ଯେମିତି ଚିରା ପଣତକୁ ଫାଳେ ସିଲେଇ କଲେ ଆଉ ଫାଳେ ଚିରିଯାଏ ସେମିତି ସେ ତାଙ୍କ ସାତ ସିଆଁ ସଂସାରକୁ କେତେ କଷ୍ଟରେ ଚଳାଉଥିଲେ ମୁଁ ଦେଖିଚି | ଭାତ କ୍ଷୀର ଗୋଳେଇ ଆଳୁ ଚକଟା ଲଗେଇ ମୁଁ ସବୁଦିନ ଖାଇ ସ୍କୁଲ ଯାଏ | କାଇଁକିନା ନଭଜା ଛ ତିଅଣ ପାଇଁ ସମ୍ବଳ ନଥିଲା | ଏତେ ପରେ ବି ଅପା ବାହାଘରକୁ ପଇସା ନିଅଣ୍ଟ ହେବାରୁ ବାପା ଗୋଟେ ଜମି ବିକି ଦେଲେ | ସେ ଜମିକୁ ଏ ଗଉରା ଘର କିଣିଥିଲେ | ତୁ କହ ଶଙ୍କର ଗରିବ କିଏ ଗଉରା ନା ମୁଁ ? ଶଙ୍କର ହୁଁ ଟାଏ ମାରିଲା ଯେମିତି ଧ୍ୟାନ ମଗ୍ନ ଶିବ ପରି | ଭାବୁଥିଲା କିଛି ଗହୀର କଥା |


    ସୁମା ପୁଣି ଆରମ୍ଭ କଲା, କହିଲା ଅଷ୍ଟମ ଶ୍ରେଣୀରେ ଆମେ ସ୍କୁଲରୁ ଖାଇବା ଛୁଟିରେ ଘରକୁ ଆସୁଥିଲୁ ଭାତ ଖାଇବାକୁ | କିନ୍ତୁ ଗଉରା ତାଙ୍କ ଦୋକାନରୁ କେକ,ବିସ୍କୁଟ ଟିଫିନରେ ନେଇକି ସ୍କୁଲ ଯାଉଥିଲା | ଆଉ ମାଟ୍ରିକ ପରୀକ୍ଷା ବର୍ଷ କଥା ଭାବିଲୁ, ବାପା ଟିଉସନ ପଇସା ଦେବା ପାଇଁ ଅସମର୍ଥ ଥିଲେ | ତେଣୁ ମୁଁ ଦୁଇଟା ଗାଁ ଡେଇଁ ପଣ୍ଡା ମାଷ୍ଟର ପାଖକୁ ଯାଉଥିଲି ମାଗଣାରେ କେବଳ ଗଣିତ ବିଜ୍ଞାନ ଓ ଇଂଲିଶ ପଢିବାକୁ | ବାପା ତାଙ୍କୁ ଅନୁରୋଧ କରିଥିଲେ ଓ ସେ ରାଜିହେଇଯାଇଥିଲେ କାରଣ ସେ ବାପାଙ୍କ ସାଙ୍ଗ ଥିଲେ | ସ୍କୁଲରୁ ଆସି ଖାଇ ବାହାରି ଯାଉଥିଲି ପଣ୍ଡା ସାରଙ୍କ ଘରକୁ | ପଢ଼ିସାରି ଆସିଲା ବେଳକୁ ରାତି ୮.୩୦ କି ୯ଟା ହେଉଥିଲା | ଆଉ ରାତିରେ ଏକା ଆସିବାକୁ ଡର ଲାଗୁଥିଲା | ବାପା ଦୁଇଦିନ ଯାଇ ସାଇକେଲରେ ନେଇ ଆସିଲେ | କିନ୍ତୁ ବାପା ସବୁ ଦିନ କାମ ଛାଡି ମତେ ଆଣିବା ସମ୍ଭବ ନଥିଲା | ଘରେ ସେଇ ଗୋଟିଏ ସାଇକେଲ,ତାକୁ ମୁଁ ନେଇଗଲେ ବାପା ଆଉ କୁଆଡେ ଯାଇପାରିବେନି ତେଣୁ ମୁଁ ଚାଲି ଚାଲି ଯାଉଥିଲି |ରାତିରେ ସାରଙ୍କ ଘରେ ରହୁଥିଲି,ହେଲେ ମାଗଣାରେ ଟିଉସନ ପୁଣି ଖାଇବା ମତେ ଭଲ ଲାଗୁ ନଥିଲା | ମୁଁ ବୋଉକୁ ଏ କଥା କହିଲି "ବୋଉ,ମତେ ସାରଙ୍କ ଘରେ ଖାଇବାକୁ ଭଲ ଲାଗୁନି, ସ୍ୱାଭିମାନୀ ବୋଉ ମୋର 'ମୋ' ଅବସ୍ଥା ବୁଝି ଯାଇଥିଲା "| ତା ପରଠୁ ବୋଉ ମୋ ବ୍ୟାଗରେ ଗୋଟେ ଟିଫିନରେ ଛତୁଆ ଆଉ ଚିନି ରଖି ଦେଉଥିଲା | ମୁଁ ରାତିରେ ଛତୁଆ ଖାଇ ସାରଙ୍କ ଟ୍ୟୁସନ ଘରେ ଶୋଉଥିଲି | ସକାଳୁ ଉଠି ଘରକୁ ଆସି ଗାଧେଇ ଖାଇ ସ୍କୁଲ ଯାଉଥିଲି | ଛତୁଆ ଖାଇ ମୁଁ ଦଶମ ପାଠ ପଢିଛି | ମୋ ବୋଉ ଲୁଚି ଲୁଚି ଲୁହ ପୋଛିବା ମୁଁ ନିଜେ ଦେଖିଚି ଶଙ୍କର କାହିଁକି ନା ତା ପୁଅ ରାତିରେ ଛତୁଆ ଖାଇ ଶୋଉଚି ବୋଲି |ହେଲେ ଗଉରାକୁ ପଢେଇବାକୁ ସାର ତାଙ୍କ ଘରକୁ ଆସୁଥିଲେ ସିଏ ଫେଲ ହେଲା କାହିଁକି ?


   ଶଙ୍କର କହିଲା ତୋ ପରି ପୁଅ କିଏ ଏ ଗାଁ ଭିତରେ ଅଛି ? ତୁ ଲୋନ କରି ଇଞ୍ଜିନିଅରିଂ ପଢ଼ିଲୁ ଆଉ ତୋ ନିଜ ଜ୍ଞାନ ବଳରେ ଏତେ ବଡ କମ୍ପାନୀରେ ଚାକିରୀ ପାଇଲୁ | ମଉସା ଙ୍କର କୋଉଠି ଶକ୍ତି ଥିଲା, ତତେ ଏତେ ଟଙ୍କା ଖର୍ଚ୍ଚ କରି ପଢ଼େଇ ଥାନ୍ତେ ନେଇ ବଡ ସହରରେ ରଖି | ଆଉ ତୁ ଯଦି ଭଲ ପଢି ନଥାନ୍ତୁ ତତେ କଣ ସିଏ ଲୋନ କରି ପଢେଇବାକୁ ସାହସ କରିଥାନ୍ତେ ? ତାଙ୍କର ତୋ ଉପରେ ୧୦୦ରୁ ୧୦୦ ବିଶ୍ୱାସ ଥିଲା ତୁ ପଢ଼ିବୁ ଆଉ ତାଙ୍କ ସ୍ୱପ୍ନ ପୂରଣ କରି ପାରିବୁ | ନହେଲେ ତୁ ଯଦି ଗଉରା ପରି ପାଠ ପଢିଥାନ୍ତୁ ତତେ କଣ ସିଏ ସହର ପଢିବାକୁ ପଠେଇ ଥାନ୍ତେ ? ନା ତୋତେ ପାଠ ପଢେଇବାକୁ ଏତେ କଷ୍ଟ ସହିଥାନ୍ତେ ? ସୁମା ତୁ ତ ନଥିଲୁ ହେଲେ, ମୁଁ ନିଜେ ଦେଖିଚି ତୋର ଶେଷ ପରୀକ୍ଷା ବେଳେ ତୋର କଣ ଅଧିକା ପଇସା ଦରକାର ହେଲାରୁ,ତୋତେ ପଇସା ପଠେଇବାକୁ ମଉସା ଯେତେ ଚେଷ୍ଟା କଲେ କୋଉଠି କିଛି ଯୋଗାଡ ହେଇ ପାରିଲାନି | ସେଇ ଗଉରା ଘରକୁ ବି ହାତ ପତେଇବାକୁ ଯାଇଥିଲେ ମଉସା | ହେଲେ ଗଉରା ବାପା ପଇସା ନାହିଁ କହି ମନା କଲେ | ମଉସା ଶେଷରେ ହତାଶ ହେଇ ମାଉସୀଙ୍କୁ କହିଲେ କୋଉଠି କିଛି ହେଇପାରିଲାନି ଆଉ କଣ କରିବା ? ମଉସାଙ୍କୁ ଯୋଉଦିନ ମାଉସୀ ତାଙ୍କ ସେ ସୁନା ହାରଟାକୁ ବନ୍ଧା ରଖିବାକୁ ଦେଲେ ମୁଁ ସେଠି ଥିଲି ଓ ଦେଖିଚି ତାଙ୍କ ଆଖି ଲୁହ ଛଳ ଛଳ ଥିଲା | ତାଙ୍କୁ ଏମିତି ଦେଖି ମଉସା କହିଲେ ଥାଉ ଏଟା ରଖିଥା ମୁଁ ବଳଦ ଗୋଟେ ବିକ୍ରି କରିବାକୁ ଲୋକ ଖୋଜେ | ମାଉସୀ ହସି ଦେଲେ ଆଉ କହିଲେ ବଳଦ ବିକି ଦେଲେ ଏ ସନ ଚାଷ ବାସ କେମିତି ହେବ ? ଆଉ ଏ ହାର ମୋର କଣ ହେବ ? ଏଟା ମୋ ବୋଉର ହାର, ମୁଁ ତା କଥା ଟିକେ ଭାବିଦେଲି ବୋଲି ଲୁହ ଜକେଇ ଆସିଲା | ତା ଛଡା ମୋ ପୁଅ ଚାକିରୀ କଲେ ମୋ ହାର ମୁକୁଳେଇ ଆଣିବନି ନଟିଆ ସାହୁ କତିରୁ | ମଉସା ହାର ବନ୍ଧା ପକେଇ ପଇସା ଆଣି ତୋତେ ପଠେଇଲେ | ଆଉ ତୁ ଯଦି ତାଙ୍କ ସ୍ୱପ୍ନ ପୁରଣ କରିବାକୁ ବିଦେଶରେ ଚାକିରୀ କଲୁ ସେଥିରେ ଗାଁ ଲୋକଙ୍କର ଅସୁବିଧା କୋଉଠି ରହିଲା ?


    ସୁମା ତୁ ସେଗୁଡା ଭାବେନା କିଛି | ସେଇ ଲୋକମାନେ ପରକୁ ଉପଦେଶ ଦିଅନ୍ତି ଯିଏ ନିଜେ ବେକାର ହେଇ ବସିଥାନ୍ତି | କାମ କିଛି ନଥାଏ ତ ! ଅନ୍ୟର ଉନ୍ନତି ଦେଖିଲେ ତା ଗୋଡ ଟଣା ନୀତିରେ ମନ୍ତବ୍ୟ ଦିଅନ୍ତି | ଆଉ ତୁ ଯଦି ଘର ଛାଡି ଯାଇ ବାହାରେ ଚାକିରୀ କରି ନଥାନ୍ତୁ ତେବେ କଣ ମାଉସୀଙ୍କର କିଡନି ଅପରେସନ ପାଇଁ ଏତେ ଗୁଡ଼େ ଟଙ୍କା ଯୋଗାଡ଼ କରିପାରିଥାନ୍ତୁ ? ସେତେବେଳେ କଣ ଏମାନେ ତତେ ପଇସା ଦେଇଥାନ୍ତେ ? ନା ତମ ଘର ଚାଷବାସରୁ ସେତିକି ଟଙ୍କା ପାଇଥାନ୍ତ ଡାକ୍ତରଖାନା ଖର୍ଚ୍ଚ ପାଇଁ ? ଖାଲି କହିବା ସହଜ ..ହୁଂହ | ସେ ଯୋଉ ନୀର ଦାଦି ଭାଷଣ ମାରୁଥିଲେ ସିଏ କଣ କରୁଛନ୍ତି ? ଗାଁରେ ଗୋଡରେ ଧୂଳି ବାଲି ଲାଗିଯିବ ବୋଲି ଯାଇ ଭୁବନେଶ୍ୱରରେ ଘର କରି ରହିଛନ୍ତି | ସେଠି ଚାକିରୀ କରୁଥିଲେ ରିଟାୟାର୍ଡ଼ କରି ବି ସେଆଡେ଼ ରହିଲେ ଗାଁକୁ ଆସିଲେନି | କହିଲେ କଣ ନା " ମତେ ତ ଆମ ଗାଁରେ କଦଳୀ ପତ୍ର ପାରି ମାଟି ଉପରେ ଚଟେଇ ପକେଇ ବସି ଭାତ ଡାଲମା ଆଉ ଶୁଖୁଆ ପଖାଳ ଖାଇବାକୁ ଭଲ ଲାଗେ | କିନ୍ତୁ ସାନ ବୋଉର ବା ଦେହ ଭଲ ରହୁନି | ସେଠି ପାଖରେ ଡାକ୍ତରଖାନା ରାତି ବିକାଳୀ କଣ ହେଲେ ନେଇଯିବୁ, ସେଥିପାଇଁ ସେଆଡେ଼ ରହୁଚୁ "| ଆମେ କଣ ମୂର୍ଖ ଯେ ଜାଣି ପାରୁନୁ କିଛି ? ସାନ ବୋଉ ପାଇପି ମୋଡି ପାଣି ବୋହି ପାରିବନି, ମାଟି ଗୋବର କନାରେ ଚୁଲି ଲିପା,ଚୌକା ଦେବା କରିବନି ବୋଲି ଆସିଲାନି | ଆଉ ଏବେ କୋରୋନା ହେଇଚି ବୋଲି ପଳେଇ ଆସିଛନ୍ତି | ତତେ ଗାଁରେ ପୁରେଇବା କଥା ନୁହେଁ ବୋଲି କହିଲେ ଆଉ ନିଜ କଥା ତା କହିଲେନି ?


   ସୁମା କହିଲା ଯିଏ ଶଙ୍ଖ ମଲମଲ ପ୍ଲେଟରେ ସବୁ ବେଳେ ଖାଏ ତାକୁ ଦିନିକିଆ କଦଳୀ ପତ୍ର ଖିଆ ଭଲ ଲାଗେ | ଯିଏ ସବୁବେଳେ ସିମେଣ୍ଟ,ମାର୍ବଲ ଚାଟାଣରେ ଚାଲେ ତାକୁ ଘାସ ଆଉ ମାଟିରେ ଦିନିକିଆ ଚାଲିବାକୁ ଭଲ ଲାଗେ | ହେଲେ ଯାହା ପାଖରେ ଟଙ୍କା ପଇସା ନଥାଏ ସିଏ ବାଧ୍ୟ ହୁଏ କଦଳୀ ପତ୍ରରେ ଖାଇବାକୁ |ସେ କେବେ ଏମିତି କଥା କହିବନି | କେହି ତା ମା,ବାପାଙ୍କୁ ଛାଡି ବାହାରେ ରହିବାକୁ ଖୁସି ହୁଏ କି ? ନା ବାପା ମାଆଙ୍କୁ ଟିକେ ଭଲରେ ରଖିବାକୁ ହେଲେ ଆମକୁ ଏମିତି ବାହାରକୁ ରୋଜଗାର ସନ୍ଧାନରେ ଯିବାକୁ ପଡିବ | ଟଙ୍କା ପକେଟରେନଥିଲେ କେହି ତୁମକୁ ପଚାରିବେନି |


    ଶଙ୍କର କହିଲା ହଉ ଛାଡେ ସେକଥା | କହିଦେଉଥାଏ ପରକୁ ବୁଦ୍ଧି ନ ଦିଶଇ ଘରକୁ | ନିଜ କଥା ସେମାନେ ଦେଖୁ ନାହାନ୍ତି ତତେ ଖାଲି କହୁଛନ୍ତି | ଆଛା ତୁ ତ ବୁଝିଲା ଶୁଝିଲା ପିଲା | ଏବେ ଗାଁରେ ଅଛୁ ଚାଲୁନୁ ମିଶିକି କୋରୋନା ସଚେତନତା ଗାଁରେ ଆଉ ପାଖ ଗାଁରେ କହିବା ବୁଝେଇବା | ଆଉ ଲୋକଙ୍କ ମନରୁ ଭୁଲ ଧାରଣା ଦୂର କରିବା | ସୁମା ମୁହଁ ଉଜ୍ଜ୍ୱଳ ଦିଶିଲା | ତା ଦୁଃଖୀ ମନରେ ଗୋଟେ ଖୁସିର ଜୁଆର ଖେଇଦେଲା ଶଙ୍କର କଥା | ସେ ଏବେ ଏକା ନୁହେଁ | ସୁମା କହିଲା ହଁ ଠିକ୍ କହିଲୁ | ଆମେ ଆମ ଗାଁ ପାଇଁ କରିବନି ତ ଆଉ କିଏ କରିବ ? ସରକାର କଣ ଆମ ଗାଁକୁ ନିଜେ ଆସିବା ବୁଝେଇ ବାକୁ ? ନା ଆସିବନି | ଆମେ ସରକାର କଥାକୁ ଲୋକଙ୍କ ପାଖେ ସରଳ ଓ ସହଜ ବାଟରେ ପହଞ୍ଚେଇବା | ଶଙ୍କର କହିଲା କଣ କରିବାକୁ ହେବ କହ ମତେ,ମୁଁ ଯୋଗାଡ କରିଥିବି ତୋର ଏକୁଟିଆ ରହିବା ସମୟ ସରିଲେ ତୁ ଆସି ଯୋଗ ଦେବୁ ଆଉ | ସୁମା ହଁ କହିଲା |


  ଚାଲେ ଘରକୁ ଯିବା ସଞ୍ଜ ହେଲାଣି | ବେଳ କୁଆଡେ ଚାଲିଗଲା ଜଣା ପଡ଼ିଲାଣି | ଦୁହେଁ ଉଠି ସେଠୁ ଘର ଅଭିମୁଖେ ଚାଲିଲେ ଏକ ନୂଆ ଆଶା ଓ ସ୍ୱପ୍ନ ନେଇ | ସେପଟେ ବୋଉ ସଞ୍ଜ ଧୂପ ବୁଲେଇବାକୁ ଘଣ୍ଟି ବଜେଇଲା |



Rate this content
Log in

Similar oriya story from Inspirational