ରକ୍ଷକ କୋରନା
ରକ୍ଷକ କୋରନା
ବାବୁଲା ଓ ମିତା ଆସି ଟ୍ରେନରୁ ଓହ୍ଲାଇ ଧାଡିରେ ଠିଆ ହେଲେ ଉଭୟଙ୍କ ପାଳି ପଡିଲା ବେଳକୁ ବହୁତ ସମୟ ନେଲା | ୩ ମାସର ଅନ୍ତଃସତ୍ଵା ମିତା ଆଉ ସମ୍ଭାଳି ପାରିଲାନି ଯାଇ ତଳେ ବସି ପଡିଲା ଓ ବିସ୍କୁଟ ଗୋଟେ ଖାଇବ ବୋଲି ଖୋଲିଲା | ହେ ହେ ସେଠି କଣ ବସି ପଡ଼ିଲୁ ? ୟାହାପ ଏଗୁଡ଼ାଙ୍କୁ କିଛି ଜଣା ପଡୁନି ବୋଧହୁଏ ....... ଶୁଣି ମିତା ମୁହଁ ଟେକି ଦେଖିଲା ଗୋଟେ ପୋଲିସ ଵାଲା ତାକୁ ସେଠୁ ଉଠିବାକୁ କହୁଛି | ମିତା କହିଲା ବାବୁ ମୁଁ ଦିଖଣ୍ଡ ବିସ୍କୁଟ ଖାଇ ଢୋକେ ପାଣି ପିଇଦିଏ ଉଠିଯିବି | ଭାରି ହାଲିଆ ଲାଗିଲାନି | ସେ ପୋଲିସ କହିଲା ନା ନା ହେଇ ପାରିବନି | ତୁ ଯା ତୋ ଜାଗାରେ ଠିଆ ହେଇ ଯାହା କରୁଚୁ କର | ଆମକୁ ମାରିବୁ ନା କଣ ? ଏକଥା ଶୁଣି ବାବୁଲା ତାକୁ ଉଠି ଆସି ଠିଆ ହେବାକୁ କହିଲା | ସେ କଷ୍ଟେ ମଷ୍ଟେ ଉଠି ଠିଆ ହେଲା | କହିଲା ଏ ବାଡିପଶା ନିଆଁଲଗା କୋରୋନା ରୋଗଟା ଏତିକି ବେଳକୁ ହବାର ଥିଲା ? ମୋ ଛୁଆଟା ଓପରେ ଦାଉସାଧୁଛି | ଉଭୟଙ୍କ ପାଳି ପଡିଲା | ସେ ଲୋକଟି ସବୁ ପଚାରି ଲେଖା ପଢା କରି କହିଲା ଦୁଇଜଣ ଯାକ ଅଲଗା ଅଲଗା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବେ | ବାବୁଲା କାହିଁକି ପଚାରିଲା ବେଳକୁ, ବାବୁଟି ଚିହିଙ୍କି ଉଠି କହିଲା ଆମେ କଣ ତମକୁ ହନିମୁନରେ ପଠାଉଛୁ ଯେ କେମିତି ଏକାଠି ରହିବ ସେ ବ୍ୟବସ୍ଥା କରିବୁ ...... ହାଁ ? ଶଅଅଳା...... | ମିତା ଆଖିମାରିଲା | କହିଲା ୭ ଦିନ କଥା ତ ଆଉ | ଦୁହେଁ ବସ ଆଡେ ଗଲେ |
ମିତା ଓ ବାବୁଲା ଉଭୟେ ଅନାଥ | ସେମାନେ ମହାରାଷ୍ଟ୍ରରେ ଏକ ଆଇସିକ୍ରିମ କମ୍ପାନୀରେ କାମ କରନ୍ତି | ମିତା ବହୁତ ଚାଲାଖ ଝିଅଟି | ଦୁହେଁ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ତେଲ ଲୁଣ ସଂସାର ଚଳିଯାଏ | ଆଉ ମିତା ପେଟରୁ କାଟି ସଂଚୟ କରି ଗାଁରେ ବଖରାଏ କୋଠା ବି କରିପାରିଛି | ସେଥିପାଇଁ ବାବୁଲା ମିତାକୁ ବହୁତ ଭଲ ପାଏ ଓ ସମ୍ମାନ କରେ | ଦୁହେଁ ଭାବି ଥିଲେ ଆଉ କିଛି ଦିନ କାମ କରି କିଛି ସଂଚୟ କରି ଘରକୁ ଚାଲି ଆସି ବେପାର କରିବ ବାବୁଲା | ତା ଛୁଆ ଗାଁ ସ୍କୁଲରେ ପଢିବ | କିନ୍ତୁ କୋରୋନା ଆସି ତାଙ୍କ ସ୍ୱପ୍ନରେ ପାଣି ପୂରେଇଦେଲା |
ଦୁହେଁ ତାଙ୍କ କ୍ୱାରେଣ୍ଟାଇନ୍ ସେଣ୍ଟର ହେଇଥିବା ସ୍କୁଲରେ ପହଞ୍ଚିଲେ | ମିତା ବସରୁ ଓହ୍ଲେଇ ଦେଖିଲା ସେ କେବଳ ଏକା ଅଛି ଆଉ କେହି ନାହାନ୍ତି | ସେଠିକା କର୍ମଚାରୀଙ୍କୁ ପଚାରିଲା ସେ କହିଲେ କାଲି ସନ୍ଧ୍ୟାରେ ଆଉ ସ୍ତ୍ରୀ ଲୋକ ଆସିବେ | ମିତା ସେ ରାତିରେ ଏକା ରହିଲା | ଏକ ସ୍ତ୍ରୀ ଲୋକ ଅଛି ବୋଲି ସରପଞ୍ଚ ଗୋଟେ ଲୋକକୁ ବାହାରେ ରାତିରେ ଜଗିବାକୁ କହିଲେ | ସେଦିନ ରାତି ପାହି ସକାଳ ହେଲା ଓ ବେଳ ବୁଡ଼ିଲା ମିତା ଦେଖିଲା କେହି ଆସୁ ନାହାନ୍ତି | ସେ ପୁଣି ଯାଇ ସେ ଜଗିଥିବା ଲୋକକୁ ପଚାରିଲା ସେ କହିଲା ତାଙ୍କର ଟ୍ରେନ ଡେରି ହେଲା ତେଣୁ ସେମାନେ କାଲି ଆସିବେ | ମିତା ଭାବିଲା ପୁଣି ଆଜି ରାତିରେ ଏକା ରହିବାକୁ ହେବ | ରାତିରେ ସେ ଲୋକଟି କବାଟ ବାହାରୁ ତାଲା ପକେଇ ଶୋଇବାକୁ ଗଲା | ପୂର୍ବ ରାତିରେ ଥକା ଯୋଗୁ ଶୋଇପଡିଥିଲା ହେଲେ ଆଜି ମିତାକୁ ନିଦ ଆସୁନଥିଲା | ରାତି ୨.୩୦ କି ୨.୪୫ ବେଳକୁ ଖଡଖଡ଼ ଶବ୍ଦ ଶୁଣି ମିତା ଡରି ଗଲା | ସେ ବହୁତ ଚାଲାକ ଓ ସାହସୀ ସ୍ତ୍ରୀ ଲୋକ | ସେ ଲୁଚିକି ଝରକା ଫାଙ୍କରେ ଦେଖିଲା ଜଗିଥିବା ଲୋକଟି ଗେଟ ତାଲା ଖୋଲି କାହାକୁ ଭିତରକୁ ଆସିବାକୁ ଦେଲା | ସେ ଲୋକଟିକୁ ମିତା ଅନ୍ଧାରରେ ଚିହ୍ନି ପାରୁନଥାଏ | ସେ ଲୋକଟି ମିତା ରହୁଥିବା ରୁମକୁ ଆସିଲା ଓ କବାଟ ବନ୍ଦ କଲା | ମିତା ଗାଲେଇକି ତା ଖଟ ଉପରେ ପଡିଥାଏ | ସେ ଲୋକଟି ଆସି ମିତା ପାଖରେ ତା ଖଟ ଉପରେ ଶୋଇବାକୁ ଲାଗିଲା | ମିତା ଚାଉଁ କରି ଉଠି ତାକୁ ଗୋଇଠାଟେ ପକେଇଲା | ସେ ଲୋକ ମୁହଁରୁ ମଦର ଭଣ ଭଣ ଦୁର୍ଗନ୍ଧରେ ନାକ ଫାଟି ଯାଉଥାଏ | ମିତା ଲାଇଟ ଜଳେଇ ଦେଖଲା, ଭାବିଲା ଆରେ ଇଏତ ସେଇ ଲୋକ ଯାହାକୁ ସିଏ ଥରେ ତା ଇନ୍ଦିରା ଆବାସ ଟଙ୍କା ହଡପ ଯୋଗୁ ଝଗଡା କରି ପୋଲିସ ଧମକ ଦେଇ ତା ପଇସା ତାଠୁ ଆଣିଥିଲା | ସେ ଲୋକଟି କାହିଁକି ତାକୁ ତାଲା ଖୋଲି ବଳାତ୍କାର କରିବାକୁ ସାହାଯ୍ୟ କଲା ବୋଲି ଭାବିଲା ବେଳକୁ ସେ ମଦୁଆ ପୁଣି ତା ଉପରେ ଜବରଦସ୍ତି କଲା | ସେ ତାକୁ ଠେଲି ଫୋପାଡ଼ି ଦେଲା | ସେ ପୁଣି ଉଠି ମିତାକୁ ମାଡି ବସିଲା | ମିତା ଏଥର ତା ହାତକୁ କାମୁଡି ଦେଲା | ସେ ମିତାକୁ ଗୋଟେ ଜାବୁଡ଼ା ବସେଇଲା, ମିତା ପଡୁ ପଡୁ ନିଜକୁ ସମ୍ଭାଳି ନେଲା | ପେଟରେ ହାତ ଦେଇଥାଏ ଛୁଆକୁ ରକ୍ଷା କଲାପରି | ସେ ଲୋକଟି ମିତାର କେଶକୁ ଧରି ଭିଡି ଆଣି ଖଟ ଉପରକୁ ଫିଙ୍ଗି ଦେଇ ତା ଉପରକୁ ଝାମ୍ପ ଦେଲା | ମିତା ଜମା ଡରି ନଯାଇ ବଡ ପାଟି କରି ବଞ୍ଚାଓ ବଞ୍ଚାଓ ବୋଲି ଚିତ୍କାର କଲା | ହେଲେ ସେ ଲୋକଟି ମଦ ନିଶାରେ ଝୁଲି ଝୁଲି କହିଲା ଶାଳି ଯେତେ ଚିତ୍କାର କରିବା କଥା କର | ଏଠିକି କେଇ ଆସିବେନି ତୋତେ ବଂଚେଇବାକୁ | ରାକ୍ଷସ ପରି ହସିଲା ମିତା ଉପରେ ଓ କହିଲା ଭଲରେ ଭଲରେ ମତେ ନିଜକୁ ଉପଭୋଗ କରିବାକୁ ଦେ | ମୁଁ କେବଳ ତୋ ଶରୀର ସହିତ ଖେଳ କରିବି ଆଉ ଚାଲିଯିବି, ତୋତେ ଜମା କଷ୍ଟ ହେବନି ଲୋ | ଆଉ ଯଦି ନ ମାନିବୁ ତୋ ଅବସ୍ଥା ରାସ୍ତା କଡ କୁତ୍ତି ଭଳିଆ କରିଦେବି ...... ହା ହା ହା ହା ..........ମିତା ସାହସୀ ଆଉ ବୁଦ୍ଧିମାନ ସ୍ତ୍ରୀ ଲୋକଟିଏ |ସେ କେମିତି ସେ ରାକ୍ଷସଠୁ ବଂଚିବ ଭାବୁଥିଲା | ଏ ଧସ୍ତାଧସ୍ତିରେ ମିତା ଆଉ ଉଠିପାରୁନଥାଏ ପଡିବା ଜାଗାରୁ | କିନ୍ତୁ ନିଜ ପେଟକୁ ହାତର ସୁରକ୍ଷା ବଳୟରେ ରଖିଥାଏ | ସେ ଲୋକଟି ମିତା ଛାତିକୁ ସ୍ପର୍ଶ କରିବାକୁ ହାତ ନେଉଥାଏ ........|ହଠାତ ମିତା କହିଲା ଏଇକ... ରଇଜଳା,ହେଡାଖିଆ ରହ ମତେ ଛୁଉଁନା | ମତେ କୋରୋନା ହେଇଚି | ମୋ ତଂଟି ଦରଜ, ଜର ହେଇଚି ମତେ, ଏତିକି କହି ବହେ ଖଣ୍ଡେ ଖାସି ପକେଇଲା ମିଛରେ | ଲୋକଟିର ନିଶା ଖସି ଆସିଥିଲା ମିତା କଥା ଶୁଣି | ସେ ଏକା ମୁହାଁକେ ବାହାରି ପଳେଇଲା ମିତାକୁ ଆଶ୍ରାବ୍ୟ ଭାଷାରେ ଶୋଧି ଶୋଧି |
ଯାଉ ଯାଉ ଜଗିଥିବା ଲୋକକୁ କହିଲା ଶଳା,( ମା.......ଆ ) ମତେ ମାରିବାର ଯୋଜନା କରିଥିଲୁ ଏଠିକି ଡାକିକି | ମିତା ଏ କଥା ଶୁଣିପାରିଲା ଓ ସଂଗେ ସଂଗେ ସେ ଲୋକକୁ ପଚାରିଲା, ହେଇବେ ବେଇମାନ ତାକୁ ତୁ ଡାକିକି ଆଣିଥିଲୁ ମୋ ଇଜ୍ଜତ ନେବୁ ବୋଲି ?ସେ ଲୋକଟି ତା ଗୋଡ ତଳେ ପଡି କାନ୍ଦି କାନ୍ଦି କାନ୍ଦି କହିଲା ନାଇଁ ମା ମୋତେ କ୍ଷମା କରିଦେ | ମୋର ବି ଗୋଟେ ବଢ଼ିଲା ଝିଅ ଅଛି |ମୁଁ ଏ ବର୍ଷ ଯାହା ପରିବା ଚାଷ କରିଥିଲି ସବୁ କ୍ଷତି ହେଲା | ଏ ଲକ ଡାଉନ ଯୋଗୁଁ କିଛି ବିକ୍ରି ହେଇ ପାରିଲାନି | ବେପାରୀ ଆସିଲେଣି ଓ ସବୁ ପଚିଗଲା | ମୋର କିଲୋ କିଲୋ ପରିବା ନଷ୍ଟ ହେଲା | ଏ ସନ ପରିବା ଭଲ ହେଇଥିଲା,ଭାବିଥିଲି ପରିବା ବିକା ପଇସାରେ ଝିଅ ବାହାଘର ପାଇଁ କିଛି ଜିନିଷ କରିଦେବି | ହେଲେ ଦଇବ ତ ଦାଉ ସାଧିଲା ମୁଁ କଣ କରିବି ଲୋ ମା | ସେତେବେଳେ କହିଲେ ସରକାର ଚାଷୀ ଙ୍କୁ ଚାଷର କ୍ଷତି ପୁରଣ ଦେବ ବୋଲି | ମୋତେ ବି ପଇସା ମିଳିବାର ଥିଲା | ହେଲେ ଏ ଲୋକ ମତେ କହିଥିଲା ଗୋଟେ ଝିଅ ତା ପାଇଁ ଠିକ କରିଦେଲେ ସେ ମୋ ଚାଷ ନଷ୍ଟ କ୍ଷତିପୂରଣ ଟଙ୍କାଟା କରେଇଦେବ, ନହେଲେ ଦେବନି | ମୁଁ ଝିଅ କୋଉଠୁ ପାଇବି କହିଲାରୁ ସେ କହିଲା ଯୋଉ ଝିଅକୁ ତୁ ଜଗିଥିଲୁ କାଲି ରାତିରେ ତାକୁ ? ସେତ ଦାଦନ ତା ସାଙ୍ଗେ ଯାହା ହେଲେ ସେ କିଛି କରିପାରିବନି | ମତେ ଗୋଟେ ନିଶା ଓଷଦ ଦେଇଥିଲା ତୋ ରାତି ଖାଇବାରେ ମିଶେଇବାକୁ | ତୁ ତାକୁ ଖାଇ ନିଶାରେ ଶୋଇ ପଡ଼ିଥାନ୍ତୁ ସେ ଆସି ତା କାମ ସାରି ଚାଲିଯାଇଥାନ୍ତା | ତୁ ନିଜେ ବି ଜାଣି ପାରିନଥାନ୍ତୁ ତୋ ସହିତ କଣ ହେଲା ବୋଲି, ଅନ୍ୟ କେହି ତା ଟେର ବି ପାଇନଥାନ୍ତେ |ମୁଁ ତାଠୁ ଓଷଦଟା ଆଣିଲି ହେଲେ ତୋତେ ଦେବାକୁ ମୋ ବିବେକ ବାଧା ଦେଲା | ମୋ ଆଖି ଆଗରେ ମୋ ଝିଅର ମୁହଁ ଦିଶିଗଲା ମୁଁ ଫୋପାଡ଼ି ଦେଲି ଓଷଦଟାକୁ | କିନ୍ତୁ ସେ ଲୋକ ଆସିବାରୁ ତାକୁ ତୋ ପାଖକୁ ଛାଡି ଦେଲି, କିଛି ସମୟ ପାଇଁ ସ୍ୱାର୍ଥପର ଆଉ ଅନ୍ଧ ହେଇଯାଇଥିଲି ଲୋ ମାଆ ମତେ କ୍ଷମା କରିଦେ | ଯାହା ଶାସ୍ତି ଦବୁ ଦେ ......କହି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା |
ମିତା କଣ କରିବ ବୁଝିପାରୁନଥିଲା | କଣ କହିବ ଜାଣି ପାରୁ ନଥିଲା | ସେ ଏ କଥା ଶୁଣି କାଠ ଜଡ ପାଲଟି ଯାଇଥିଲା | ହେଲେ ଏତିକି ଅନୁଭବ କରିପାରିଥିଲା ଯେ, ସେ ଯେଉଁ କୋରୋନାକୁ ଗାଳିଦେଉଥିଲା,ତା ଛୁଆ ଉପରେ ଦାଉ ସାଧିଲା ବୋଲି ଦୋଷ ଦେଉଥିଲା ......ସେଇ କୋରୋନା ଆଜି ତା ଛୁଆକୁ ସେ ବଳାତ୍କାରୀ କବଳରୁ ବଂଚେଇଲା .................. ସେ ଧନ୍ୟବାଦ ଦେଉଥିଲା କୋରୋନାକୁ, ଯିଏ ତା ପାଇଁ ଆଜି ରକ୍ଷକ ସାଜି ତା ନଜରରେ ହିରୋ ପାଲଟି ଯାଇଥିଲା |