STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ପକ୍ଷୀପ୍ରେମୀ ଦମ୍ପତ୍ତି

ପକ୍ଷୀପ୍ରେମୀ ଦମ୍ପତ୍ତି

6 mins
9


ନିଜକୁ ଭଲପାଇ ନିଜର ପିତୃମାତୃ ଦତ୍ତ ନାମ ଛାଡି ଆଜିକାଲି କିଏ କେତେ ନିଜକୁ ଅନ୍ୟ କୌଣସି ନାମରେ ବିଭୂଷିତ କଲାବେଳେ ପିଙ୍କି କେବେଠୁ ପକ୍ଷୀମଣିଷଟିଏ ହୋଇଯାଇଥିଲେ ତାଙ୍କୁ ନିଜକୁ ଜଣା ନଥିଲା.ତାଙ୍କ ଅଧିକାଂଶ ଗଳ୍ପରେ ଓ କବିତାରେ ପକ୍ଷୀ ଓ ପକ୍ଷୀ ବିଷୟରେ କିଛି ତଥ୍ୟ ବା ପକ୍ଷୀଙ୍କ ସହିତ କିଛି ଭାବ ଓ ସମ୍ପର୍କର କଥା ଠଉରେଇ ବାହାର ଲୋକ ତାଙ୍କୁ ପକ୍ଷୀମଣିଷ ଡାକିବା ସ୍ୱାଭାବିକ କିନ୍ତୁ ଘର ମଣିଷମାନେ ମଧ୍ୟ ଏଣିକି ପକ୍ଷୀମଣିଷ ଡାକିବାର ହୁଏତ ଦୁଇଟି କାରଣ ଥିଲା. ପ୍ରଥମ କାରଣ ଦିନକୁ ଦୁଇଥର ଛାତ ଉପରକୁ ଯାଇ ନିଜ ଘରର ଉତ୍ତର ଓ ପୂର୍ବ ପଟେ ଥିବା ଦୁଇ ଝଙ୍କାଳିଆ ବରଗଛ ଡାଳ ତଥା ଶାଖା ପ୍ରଶାଖା ମଧ୍ୟରେ ଆତଯାତ କରୁଥିବା ସବୁ ପ୍ରକାର ପକ୍ଷୀଙ୍କୁ ଅନୁସନ୍ଧାନ କରିବା ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇ ସାରିଥିଲା. ଦ୍ୱିତୀୟରେ ସକାଳ ପୂଜା ପରେ ପକ୍ଷୀଙ୍କ ପାଇଁ ଖାଦ୍ୟ ରଖିବା ସହ ଠାକୁ ଠା ପାଣି ରଖିବା ଓ କୌଣସି ପକ୍ଷୀ ସେହି ଖାଦ୍ୟକୁ ଖୁଣ୍ଟି ଖାଉଥିବାର ଦୃଶ୍ୟ ସହିତ ଥଣ୍ଟ ବୁଡେଇ ପାଣି ପିଇବା ଦୃଶ୍ୟରେ ବିମୋହିତ ହେବା ଦେଖି ପରିବାରର ଲୋକମାନେ ତାଙ୍କୁ ଏମିତି ପକ୍ଷୀମଣିଷ ବୋଲି ଡାକିବା ସ୍ୱାଭାବିକ ବୋଲି ଧରିନେଇଥିଲେ ପିଙ୍କି. ଖାଲି ଧରିନେଇଥିଲେ ନୁହେଁ ବରଂ ଆତ୍ମତୃପ୍ତି ପାଉଥିଲେ.
    ଏବେ ସେହି ଦୁଇଟି ଅଭ୍ୟାସ ଜାରି ଥିଲେ ମଧ୍ୟ ସେ ସବୁ ପକ୍ଷୀଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ. ଏଇ ପକ୍ଷୀଦେଖିବା ଅଭ୍ୟାସ ଯୋଗୁଁ ଅର୍ଥାତ ପକ୍ଷୀମାନଙ୍କର ସ୍ୱର ଅନୁକରଣ କରି ଓ ତାଙ୍କ ଉଡିବା ପ୍ରଣାଳୀ ଅନ୍ୱେଷଣ ତଥା ନିରୀକ୍ଷଣ କରି ଗଛ ଡ଼ାଳରେ ଠାବ କରୁଥିଲେ ହଳଦୀବସନ୍ତ, କଜ୍ଜଳପାତି, କୁମ୍ଭାଟୁଆ,ପାରା, ଭଦଭଦଳିଆ, ବଣି,ଶୁଆ, କାଠହଣା ପକ୍ଷୀସହିତ ଅନେକ ନାମ ଜାଣି ନଥିବା ପକ୍ଷୀ, ଯେଉଁମାନଙ୍କୁ ସେ କେବଳ ବାର୍ଡଚଢେଇ ବୋଲି କୁହନ୍ତି ତାଙ୍କୁ ସମସ୍ତଙ୍କୁ ଏବେ ସେ ସନ୍ଦେହ କରିବାର କାରଣ ନିଶ୍ଚୟ ଥିଲା. କାରଣଟା ଏମିତି କି ନିର୍ଦ୍ଦିଷ୍ଟ ରାତିରେ କୌଣସି ପକ୍ଷୀର ବୋବାଳିରେ ନିଦ ଭାଙ୍ଗି ଯାଉଥିଲା ପିଙ୍କିଙ୍କର.
     କାଉ ସଙ୍ଗେ ଅନ୍ୟ ଚଢେଇ ମାନଙ୍କର ଖୁବ କମ ପଡେ ତ କାଉ ସନ୍ଦେହ ଘେରକୁ ଆସୁନଥିଲା କିନ୍ତୁ ରାତ୍ରୀଚର ପକ୍ଷୀ ପେଚାର ଶତ୍ରୁ ଥିଲା କାଉ ବୋଲି ପିଙ୍କି ପଢିଥିଲେ ଓ ଅନୁଭବ ମଧ୍ୟ କାରିଥିଲେ ତ କାଉ ବହୁ ସଂଖ୍ୟାରେ ଉଡ଼ିଲେ ସେ ନିରିଖେଇ ଦେଖନ୍ତି ପେଚା ପଛରେ ପଡିଛନ୍ତି କି!ପଡନ୍ତୁ ପଡନ୍ତୁ, ଘଉଡ଼ାଇ ଦିଅନ୍ତୁ ଏ ଅଞ୍ଚଳରୁ ସେମାନଙ୍କୁ. ହେଲେ ପେଚାର ବା କି ଦୋଷ. ପକ୍ଷୀଟିଏ ସିଏ, ଯିଏ ଦିନରେ ଦେଖିପାରେନି ବୋଲି ରାତିରେ ଶୀକାର ଖୋଜୁଥାଏ ସ୍ୱର ଶବ୍ଦ କରି ସତ କିନ୍ତୁ ତା ରାବ ପିଙ୍କିଙ୍କୁ ଯେ କାହିଁକି ଶୁଭେ ଓ ନିଦ ଭାଙ୍ଗିଯାଏ ତାଙ୍କର!ଏହା ଶୁଭ ନା ଅଶୁଭ, ପୁଣି କୋଉ ସଂକେତ ଜାଣିବାକୁ ନେଟ ଚଳାଇ ଖୋଜନ୍ତି ପିଙ୍କି ଆଉ ସନ୍ଦେହରେ ହଳଦିବସନ୍ତ ଯେଉଁ ପକ୍ଷୀ ପଛରେ ପଡେ ଅର୍ଥାତ ଘଉଡ଼ାଉ ଥାଏ ତାକୁ ନିରୀକ୍ଷଣ କରନ୍ତି ପିଙ୍କି ଆଉ ଭାବନ୍ତି ନା ମ ଏ ଚଢେଇ ନୁହେଁ, ନିଶ୍ଚୟ ପେଚା. ତ ପ୍ରତିକାର କରିବା ଦରକାର. ଲଗାତର ପେଚାର ବୋବାଳି ଶୁଣିବା ନିଶ୍ଚୟ ଅଶୁଭ ବୋଲି ସ୍ଥିର ନିଶ୍ଚିନ୍ତ ହୋଇପଡୁଥିବା ପିଙ୍କି ଭୟରେ ଜଡ଼ସଡ଼ ହୋଇପଡୁଥିଲେ. ନିଶ୍ଚିନ୍ତ କେହି ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁକୁ ସେ କଦାପି ସହି ପାରିବେ ନାହିଁ ଭାବି ବ୍ୟସ୍ତ, ବିବ୍ରତ ଓ ବିଚଳିତ ହୋଇ ସକାଳୁ ସକାଳୁ ଘରର ଆଗ ଗେଟ ଖୋଲି ଦେଖନ୍ତି ତ କୁକୁରଟି ପାଟିରେ କଣ ଗୋଟେ କାମୁଡି ଧରି କୁଁ କୁଁ ହେଇ ଥୁଆ ହୋଇଥିବା ଯାତ୍ରୀବାହୀ ବସ ତଳକୁ ପଶି ଯାଉଥାଏ.
    ପିଙ୍କି ସବୁଦିନ ପରି ବିସ୍କୁଟ ଧରି ଯେତେ ଡାକିଲେ ମଧ୍ୟ ଆସୁନଥାଏ ସେହି କୁକୁର ଯଦିଓ ଅନ୍ୟ କୁକୁରସବୁ ତାଙ୍କ ଛୁଆ ସହ ଆସିଯାଇଥିଲେ ବିସ୍କୁଟ ଖାଇବାକୁ ତ ପିଙ୍କି ଡାକୁଥାଆନ୍ତି ଚୁ ଚୁ. ତା ତଳୁ ବାହାରୁ ନଥାଏ ମାଆ କଳା କୁକୁର. କୁଆଡେ ଗଲେ ତା ଛୁଆ ସବୁ?ଆରେ ଏଇତ ସବୁ ଛୁଆ ତାର ଅନ୍ୟ ମାଟିଆ ମାଆକୁକୁର ଓ ତା ଛୁଆମାନଙ୍କ ସହ ମିଶି ଖାଦ୍ୟ ରୂପେ ବିସ୍କୁଟ ପାଇ ଶୀତ ଛଡେଇ ନୂଆବର୍ଷକୁ ସ୍ୱାଗତ କରୁଛନ୍ତି ଯେମିତି. ତେବେ ଏତିକିବେଳେ ଯାତ୍ରୀବାହୀ ବସ ଡ୍ରାଇଭର ଗାଡି ଷ୍ଟାର୍ଟ ମାରିଲା ତ ପିଙ୍କି ଚମକି ପଡିବା ବେଳକୁ ମାଆ କୁକୁର ବାହାରି ଆସିଥିଲା ତା ସ୍ଥାନରୁ ଗାଡି ତଳୁ କିନ୍ତୁ ତା ମୁଁହଁରେ ଥିଲା ତା ମଲା କଳା କୁକୁର ଛୁଆଟା, ଯାହାକୁ କାଲି ସାଇକେଲ ମାଡିଯିବା ପରେ ଢେର ରାତି ଯାଏଁ କୁଁ କୁଁ ହୋଇ କଷ୍ଟ ପାଉଥିଲା ଆଉ ତା ମାଆ ଅନ୍ୟ ଛୁଆ ଓ ଅନ୍ୟ ମାଆ କୁକୁରମାନଙ୍କୁ ଭୁକି ତା ପାଖ ମଡ଼େଇ ଦେଉନଥିଲା. ସେ ଦୃଶ୍ୟର ଦୁଃଖରେ ସଞ୍ଜ ଆସିଗଲା ପରେ ପିଙ୍କିଙ୍କୁ ରାତ୍ରୀଚର ପକ୍ଷୀ ବୋବାଳିର ଭୟ ଘାରି କୁକୁରଛୁଆର କୁଁ କୁଁ କାନ୍ଦଣା ଆଉ ଶୁଭୁନଥିଲା. ସେ ଦିନ ପରଠୁ ରାତ୍ରୀଚର ପକ୍ଷୀର ବୋବାଳି ଆଉ ଶୁଭୁନଥିଲେ ମଧ୍ୟ ମାଆ କୁକୁରଟି ସ୍ୱାଭାବିକ ଅବସ୍ଥାକୁ ଫେରି ପୁଣି ବିସ୍କୁଟ ଖାଇବା ପାଇଁ ଅନ୍ୟ ଛୁଆମାନଙ୍କୁ ଆପଣେଇ ଦୌଡ଼ି ଆସିବାକୁ ଢେର ସମୟ ଲାଗିଥିଲା. ନୂଆବର୍ଷ ଦିନ ପିଙ୍କି ଗଛ ଡ଼ାଳକୁ ଅନେଇ ହଳଦୀବସନ୍ତ ଦେଖି ଖୁସି ହୋଇ ବିସ୍କୁଟ ଆଣି କୁକୁରମାଆକୁ ଡାକୁଥିଲେ ଆ ଚୁ ଚୁ. ଏପଟେ ପକ୍ଷୀମାନେ କିଚିରି ମିଚିରି କରି ତାଙ୍କ ଗିନାରୁ ଚାଉଳ ଖୁଣ୍ଟି ଖାଉଥିଲେ. ପୁରୁଣା କଥା ଭୁଲି ନୂତନତାକୁ ଆପଣେଇବାକୁ ପକ୍ଷୀଠୁ ପଶୁଯାଏଁଏମିତିକି ମଣିଷ ମଧ୍ୟ ଅଣ୍ଟାସଳଖି ଠିଆ ହୋଇ ଦେଖୁଥିଲେ ନୂତନ ସୂର୍ଯ୍ୟଙ୍କୁ ଓ ତାଙ୍କ ତେଜକୁ.
   ଅନେକ ସମ୍ଭାବନା ଭିତରୁ ବାରିପଟେ ବାକି ଆଧାକ ଜାଗାରେ ଆଧାତୋଳା ଥିବା ଘରକୁ ପୁରା କରିବା ସମ୍ଭାବନାକୁ ସମ୍ଭବ କରିବାକୁ ଜନବଳ, ଧନବଳ, ମନୋବଳ ସାଙ୍ଗକୁ ଆମ୍ବ ଗଛଟା ହଣା ହେବା ଯେ ସୁନିଶ୍ଚିନ୍ତ ଏହା ଜାଣିବା ପରେ ସମ୍ଭାବନାର ସମ୍ଭବ ସ୍ବପ୍ନଟା ଠପ ହୋଇଯାଇଥିଲା ବୃନ୍ଦାବନବାବୁଙ୍କର . ପୁଅ କହୁଥିଲା ମୋ ପିଲା ହେଲେ ଆଉ ହଳଦିବସନ୍ତଟିଏ ଉଡିବାର ଦେଖିବାକୁ ପାଇବନି କି ଏଣ୍ଡୁଅ, ଝିଟିପିଟି, ଚମ୍ପେଇନେଉଳି, ଗୁଣ୍ଡୁଚିମୂଷା ସହିତ ପ୍ରଜାପତି, କଙ୍କି ଜାତୀୟ କୀଟ ପତଙ୍ଗ ଚିହ୍ନିବାକୁ ପାଇବନି, ଯାହାସବୁ ଚିତ୍ରରେ ବହିଭିତରେ ଦେଖିବ.ମାଆ ପିଙ୍କି ହସନ୍ତି କୁରୁଳେଇ. ମନ ଭାଙ୍ଗିଯାଏ ବୃନ୍ଦାବନବାବୁଙ୍କର ଯେ ଆଧାତୋଳା ଘରଟାକୁ ତାଙ୍କ ଜୀଵନକାଳରେ ବୋଧେ ଉଠେଇ ହେବ ନାହିଁ. ପୁଅ ତାର ପିଲାଳିଆମିରେ କଣ କହୁଛି ତ ମାଆର ମୁଚୁକୁନ୍ଦିଆ ହସ ବାହାରୁଛି.ସେଇ ଆମ୍ବଗଛ ଦେଇ ମୂଷା, ମାଙ୍କଡ଼ ଓ ଶେଷକୁ ସାପ ପଶିଲା ଘରେ ତ ପୁଅ କହୁଥିଲା ବାପା ଠିକ କହୁଥିଲେ. ଗଛ କାଟିବା ଉଚିତ ନୁହେଁ ସତ କିନ୍ତୁ ଗଛ ଲଗାଇବାର ସ୍ଥିତି ଓ ସ୍ଥାନ ନିରୂପଣ ଠିକ ରହିବା ଦରକାର. ଏମିତିରେ ଗୋଟେ ଆମ୍ବ କଷି ମଧ୍ୟ ମିଳେନା. ବଉଳ ହେବାଠୁ କଷି ହୋଇ ପାଚିଲା ପର୍ଯ୍ୟନ୍ତ ମାଙ୍କଡ଼ ଦାଉ ସାଧୁଥାଆନ୍ତି ଗଛ ଉପରେ. ବୃନ୍ଦାବନବାବୁ ଓ ପୁଅ ଆକାଶ ବୁଝିଗଲେଣି ଗଛଟିକୁ କାଟିବା ନିହାତି ଆବଶ୍ୟକ. ନକାଟିଲେ ଏକରେ ଘର ହୋଇପାରିବ ନାହିଁ ଦୁଇରେ ପଡୋଶୀ କଳିକୁ ଏଡାଇ ହେବନାହିଁ. ପଡୋଶୀଙ୍କ ଛାତ ଉପରେ ପତ୍ର ପଡିଲେ କିମ୍ବା ଆମ୍ବ ଡ଼ାଳ ବଢ଼ି ଲମ୍ବିଗଲେ ପ୍ରତିବାଦ. ମାଙ୍କଡ଼ ଓ ସାପ ପଶୁଛନ୍ତିର ଅଭିଯୋଗକୁ ମଧ୍ୟ ଏଡାଇ ଦିଆଯାଇନପାରେ. ଏସବୁ ସ୍ଥିତି ଓ ପରିସ୍ଥିତି କବଳିତ ବୃନ୍ଦାବନବାବୁଙ୍କ ବହୁଦିନର ସ୍ବପ୍ନ ବାଡିପଟ ଆଧାତୋଳା ଘରଟିକୁ ପୁରା କରିବା ସମ୍ଭାବନା ପାଖେଇ ଆସୁଥାଏ ତ ସେଦିନ ଗଛ କଟାଳି ପହଞ୍ଚିଗଲେ. ଚୂଡ଼ା କଦଳୀ ନଡ଼ିଆ ଗୋଳେଇ ଖାଇ ଗଛ ଉପରକୁ ଚଢିଗଲେ ଖପ ଖାପ .
    ଘରଣୀ ପିଙ୍କଙ୍କ ଛାତିର ହୃତସ୍ପନ୍ଦନ ବହୁଥାଏ. ଏ ଗଛଟା ତାଙ୍କ ବାପାଙ୍କ ସ୍ମୃତି.ପୁରୀରୁ ସାବିତ୍ରୀ ଅମାବାସ୍ୟାରେ ତାଙ୍କ ଝିଅ ପାଇଁ ଅଭଡ଼ା ସହିତ ଆମ୍ବ, ପଣସ ଇତ୍ୟାଦି ଫଳମୂଳ ଆଣି ଆସନ୍ତି ପ୍ରତିବର୍ଷ. ସେସବୁ ଫଳ ଭିତରୁ ସେବର୍ଷ ଆଣିଥିବା ଦେଶୀ ଆମ୍ବ ଏତେ ମିଠା ଥିଲା ଯେ ଝିଅ ପିଙ୍କଙ୍କ କଥାରେ ବାପା ଆମ୍ବ ଖାଇବା ପରେ ଟାକୁଆ ପୋତି ଦେଇଯାଇଥିଲେ ଯେ ତାହା ଆଜି ବଢ଼ି ଦ୍ରୁମ ହେଲାଣି.ପୁଣି ପ୍ରତିବର୍ଷ ସେହି ଗଛ ପାଖକୁ ଲାଗିଥିବା  ସେହି ଅଧାତୋଳା ଘର କାନ୍ଥିରେ ଭଦଭଦଳିଆ ଚଢେଇ ଦମ୍ପତ୍ତି ଛୁଆ ଫୁଟେଇ ଏଇ ଆମ୍ବ ଗଛ ଡ଼ାଳରେ ଛୁଆକୁ ଉଡ଼ା ଶିଖାନ୍ତି. ବାପା ତ ଆଉ ନାହାଁନ୍ତି କିନ୍ତୁ ବାପଘର ଗୋତ୍ର ଭାରଦ୍ୱାଜ ହୋଇଥିବାରୁ ଏଇ ଭଦଭଦଳିଆ ଚଢେଇଙ୍କୁ ପିଙ୍କି ବାପା ନିଜ ଗୋତ୍ର ଚିହ୍ନ ରୂପେ ଭାରି ମାନିଥାଆନ୍ତି ତ ପିଲାବେଳୁ ସେ ପକ୍ଷୀଙ୍କ ପ୍ରତି ଅହେତୁକ ଆକର୍ଷଣ ପିଙ୍କିଙ୍କର. ବାପାଙ୍କ ପଛେ ପଛେ ତାଙ୍କ ବୋଉ ଚାଲିଯିବାର ଏ ଭିତରେ ବର୍ଷେ ଊପରେ ହେଲାଣି ତ ସେହି ପକ୍ଷୀ ଦୁହିଁଙ୍କୁ ଦେଖିଲେ ପିଙ୍କିଙ୍କୁ ଲାଗେ ସତେ ଯେମିତି ତାଙ୍କ ପିତା ମାତା ପକ୍ଷୀ ଭଦଭଦଳିଆ ରୂପରେ ଉଡି ଆସିଛନ୍ତି. ପ୍ରତିଦିନ ଲୁଚେଇ ଲୁଚେଇ ସେ ଦେଖିଯାଆନ୍ତି ପକ୍ଷୀ ଦୁହିଁଙ୍କୁ. ଅନୁସନ୍ଧାନ କରି ଆମ୍ବଗଛରେ ଠାଵ କରୁଥାନ୍ତି ପକ୍ଷୀ ଦୁହିଁଙ୍କୁ ତ ଏବେ ଆମ୍ବଗଛ ହଣା ହୋଇଗଲା ପରେ ଏସବୁ ଏକାନ୍ତ ବ୍ୟକ୍ତିଗତ କଥା ମଧ୍ୟ ସବୁଦିନ ତାଙ୍କ ଭିତରେ ଲୁପ୍ତ ହୋଇଯିବ. ଏମିତି ଭାବୁ ଭାବୁ ଖଣ୍ଡ ଖଣ୍ଡ ଆମ୍ବଡ଼ାଳ ତଳେ ପଡୁଥାଏ ହଣା ହୋଇ ତ ହଠାତ ପାଟି କରିଉଠିଲେ ବୃନ୍ଦାବନବାବୁ. ରୁହ ରୁହ ତ ହଣାଳୀଙ୍କ ଦାଢୁଆ କାତି ସ୍ଥିର ହୋଇଗଲା. ଦଉଡିଗଲେ ମାଆ ପିଙ୍କି ଓ ପୁଅ ଆକାଶ. ଦେଖିଲେ ପକ୍ଷୀବସାଟିଏ ଖସିପଡ଼ିଛି ଆମ୍ବଡ଼ାଳ ଭିତରୁ ଓ ତା ଭିତରେ ଏକମାତ୍ର ଅଣ୍ଡାଟିଏ. ରଙ୍ଗଟି ଖୁବ ସୁନ୍ଦର.ଆକାଶ ପରି କିନ୍ତୁ ଟିକେ ଗାଢ଼ ଆକାଶିଆ. ଠିକ ଭଦଭଦଳିଆ ପକ୍ଷୀର ପର ରଙ୍ଗ ପରି. କେତେ ସମ୍ଭାବନାର ସେ ପକ୍ଷୀ ଘର! ଦିନରାତି ଏକାକାର କରି ପକ୍ଷୀବସା କରିବା ଭଳି କଷ୍ଟ କାମ ଭିତରେ ଅଣ୍ଡା ଫୁଟି ପକ୍ଷୀ ଶାବକର ସମ୍ଭାବନା ସ୍ବପ୍ନ ଉଜାଡି ଦେଇ ଗଛକାଟିବାରୁ ବିରତି ନେଇ ଫେରିଗଲେ କଟାଳି. ଯିବାପୂର୍ବରୁ ପକ୍ଷୀବସାଟିକୁ ଠିକ ଠାକରେ ଗଛ ଉପରେ ରଖିଦେଇ ଯାଅ ବୋଲି କହିଥିଲେ ବୃନ୍ଦାବନ ବାବୁ . ପକ୍ଷୀଙ୍କ ଛୁଆ ଫୁଟି ବାହାରିସାରୁ ଗଛହାଣିବା କହିଥିଲେ ବୃନ୍ଦାବନବାବୁ. ସନ୍ଧ୍ୟାରେ ଗଛ ଉପରେ ଉଡି ଉଡି ଦୁଇ ଭଦଭଦଳିଆ ପକ୍ଷୀ ସନ୍ଧାନ କରୁଥିଲେ ତାଙ୍କ ସମ୍ଭାବନାକୁ ତ ସ୍ତ୍ରୀ ପିଙ୍କି ଡାକି ଦେଖାଉଥିଲେ ସ୍ୱାମୀ ବୃନ୍ଦାବନ ଓ ପୁଅ ଆକାଶକୁ.କହୁଥିଲେ ଦେଖ ଦେଖ ପୁଅ ତୋ ପୁଅ ଝିଅ ହେଲେ ଭଦଭଦଳିଆ ପକ୍ଷୀ ଦେଖିବେ. ବୃନ୍ଦାବନବାବୁ ତାଙ୍କ ଘରତୋଳା ସମ୍ଭାବନାକୁ ଆମ୍ବଗଛ ପରି ଅନେକ ସମ୍ଭାବନାର ସ୍ଥଳୀକୁ ଆଉ କାଟିବେନି ବୋଲି ସ୍ଥିର କରିସାରିଥିଲେ ମନେ ମନେ ଏଭିତରେ .ଟୋପି ଟୋପି ଆଶୀର୍ବାଦ ବର୍ଷା ବାରି ଝରିପଡୁଥିଲା ଧରାରେ.


Rate this content
Log in

Similar oriya story from Abstract