ପକ୍ଷୀ ଉଡିଯାଏ
ପକ୍ଷୀ ଉଡିଯାଏ
ବସରେ ବସିଛି ମାନିନୀ । ଝରକା ଦେଇ ହାଲୁକା ହାଲୁକା ପବନ ମୁଁହରେ ବାଜୁଛି । ଛାଇ ନିଦ ଟିକିଏ ହେଇଯାଇଛି ତା'କୁ । କାନରେ ଶୁଭୁଛି ବରଯାତ୍ରୀ ରୋଷଣି । ସମସ୍ତେ ବର କୁ ଦେଖିବାକୁ ଯାଇଛନ୍ତି । ମାନିନୀ ଏକୁଟିଆ ବସିଛି । ଏହି ସମୟରେ ମାନିନୀର ଜଣେ ମାଉସୀ ତା ପାଖକୁ ଆସି କହିଲେ -"କେଡେ ସୁନ୍ଦର ବର ପିଲାଟିଏ । ପୁରା ରାମଚନ୍ଦ୍ର ପରି । ତୋର ବଡ ଭାଗ୍ଯ ଲୋ ସତେ । "
ଏତିକି କଥା ଶୁଣିକି ମାନିନୀ ବହୁତ ଖୁସି ହେଇଗଲା । ବଡଘର,ଭଲ ପରିବାର ତ ସବୁ ଝିଅଙ୍କ ଆଶା ଥାଏ । ସେ ସବୁ ଆଜି ତା'କୁ ମିଳିଯାଇଛି ।
ବଡଧୁମଧାମରେ ବାହାଘର ସରିଲା । ମାନିନୀର ପରିବାର ବି ଭାରି ଖୁସି ଥାଆନ୍ତି ଏଡେ ସୁନ୍ଦର ଜ୍ବାଇଁ ପାଇକି ।
ମାନିନୀର ସୁଖ କିନ୍ତୁ ବେଶୀ ଦିନ ରହିଲାନି । ପ୍ରଥମେ ତ ସେମାନେ ମାନିନୀର ଚାକରି ଛଡେଇଦେଲେ,ଏହା କହିକି ଯେ -ଆମ ଘର ବୋହୁ ଚାକିରି କଲେ ପରିବାର ସମ୍ନାନ ହାନୀ ହେବ,ତା ଛଡା ଘରେ ତ କିଛି ଅସୁବିଧା ନାହିଁ । ତେଣୁ ଚାକିରୀ କରିବ କାହିଁକି?
ହଉ ହେଲା ପରିବାର ର ଖୁସି ଲାଗି ସେ ଚାକିରୀ ଛାଡିଲା । ତା ପରେ ବି ସେମାନଙ୍କ ମନ ଶାନ୍ତି ହେଲା ନାହିଁ । କେବେ ରୁପ ରଙ୍ଗକୁ ନେଇ (ଯେହେତୁ ମାନିନୀର ରଙ୍ଗ ଟିକିଏ ମଳିନ ଥିଲା),ତ ପୁଣି କେବେ ତା'ପରିବାର ଲୋକଙ୍କୁ ଆକ୍ଷେପ କରି ନାନା ଅକଥନୀୟ ଶାରିରୀକ ଓ ମାନସିକ ଅତ୍ଯାଚାର ଆରମ୍ଭ କଲେ ସେମାନେ ।
ସବୁକିଛିକୁ ମୁଣ୍ଡପାତି ସହି ଚାଲିଥିଲା ସେ । ସେହି ଘରେ ଯଦି କେହିଜଣେ ଆପଣାର ଥିଲା ତେବେ ସେଇଟି ହେଉଛି ସେ ଘରେ ଥିବା ମିଟୁ ଟି । ମୀନିନୀ ତାକୁ ଯେବେ ବି ଦେଖେ ନିଜକୁ ଦେଖିଲା ପରି ମନେକରେ । ସମୟ ପାଇଲେ ତା ସାଙ୍ଗେ ବସି ଗପେ । ମିଟୁ ଟି ବି ସବୁ ବୁଝିଲା ପରି ମନ ଦେଇ ଶୁଣେ ସବୁକଥା ।
ଦିନକର କଥା ମାନିନୀ ସବୁକାମସାରି ଟିକିଏ ଶୋଇପଡିଛି । ଛାଇନିଦ ଟିକିଏ ହେଇଯାଇଛି । ଏହି ସମୟରେ ତା'କାନରେ ଶାଶୁଙ୍କ କଥା ଶୁଭିଲା । ସେ କହୁଥିଲେ ଯେ-"ଏଇଟାକୁ ଆଉ କେତେ ଦିନ ରଖିବା,ମତେ ତ ଲାଗୁନି ୟା ବୋପା ଆଉ କିଛି ଦେବ ବୋଲି । କିଛି ଗୋଟେ ରାସ୍ତା ବାହାର କରିବାକୁ ପଡିବ । "
ଏତିକି ଶୁଣିକି ମାନିନୀ ଭୟ ଓ ଘୃଣାରେ ଥରିବାକୁ ଲାଗିଲା । କଣ କରିବ ଭାବି ପାରିଲାନି । ସେ. ଦିନ ରାତିରେ ସମସ୍ତେ ଖାଇ ପିଇ ଯେ ଯାହା ରୁମକୁ ଶୋଇବାକୁ ଗଲେ । ମାନିନୀର ସ୍ବୀମୀ ନାଇଟ ସିପ୍ଟ ଥିବାରୁ କମ୍ପାନୀକୁ ଚାଲିଗଲେ ।
ପରଦିନ ସକାଳୁ ସକାଳୁ ମାନିନୀର ଶାଶୁ ମାନିନୀକୁ ଘରେ ନ ପାଇ ରାଗରେ ଗର ଗର ହେଲାବେଳେ । ମାନିନୀର ନଣନ୍ଦ ବାଡିପଟୁ ଦୌଡି ଦୌଡି ଆସି କହିଲା-"ମା'ମିଟୁ ଟା ପିଞ୍ଜରାରେ ନାହିଁ । "ସେତେବେଳକୁ ସାଇପଡିଶାରେ କଥା ପ୍ରଚାର ହେଇସାରିଥିଲା ।
କେହି କେହି କହୁଥିଲେ ଅତି କଟକଣାରେ ରଖିଲେ ବେଳେ ବେଳେ ପକ୍ଷୀ ପିଞ୍ଜରା ଛାଡି ଏମିତି ଉଡିଯାଏ ।
