Bibhu Samanta

Abstract

4  

Bibhu Samanta

Abstract

ପକ୍ଷୀ ଫେରେ ନୀଡେ

ପକ୍ଷୀ ଫେରେ ନୀଡେ

5 mins
245



ବୈଶାଖର ତତଲା ଖରାରେ ଜୀବନ ହାଇଁପାଇଁ ହୁଏ, ମୁନ୍ଦେ ତୋରାଣି, ସର୍ବତ କି ପଣା ର ଲାଳସାରେ। ଖବର କାଗଜ ଟେ ଧରି ବସି ପଡ଼ିଲି ଦାଣ୍ଡ ବାରଣ୍ଡାରେ। କୃଷ୍ଣ ଚୂଡ଼ା ହସୁଥିଲା ଦାନ୍ତ ନିକୁଟି, ଚାଖଣ୍ଡେ ଲମ୍ବା ଜିଭ କାଢି କୁକୁରଟା ବସିଥିଲା ଗେଟ ପାଖେ। ଗାଁ ର କଂକ୍ରିଟ ରାସ୍ତାରେ, କାଁ ଭାଁ ଗୋଟେ ଅଧେ ଗାଡି ର ଶବ୍ଦ। ଖବର କାଗଜରୁ ଜାଣିଲି ଆଜି, ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ର ଆଦ୍ୟ ଦିନ। ଦିଅଁ ଙ୍କୁ ବି ଗରମ ହୁଏ। ବାଃ...ରେ ବୈଶାଖ, ତୁ ଏମିତି ବି କରିପାରୁ। ଆମ ପରି ସେ ବି, ପୋଖରୀ କୁ ଯାଆନ୍ତି, ଦିନ ଦି ଘଡି ଯାଏ, ଚିତି ପହଁରା କରୁଥାନ୍ତି? ଏମିତି ଭାବୁଛି ହଠାତ ଫୋନ ଟା ବାଜି ଉଠିଲା, ଧରିତ୍ରୀ ଦେଇ ର ନମ୍ବର । ଆରେ, ଏତେ ଦିନ ପରେ ଏ ଜନ୍ତୁ କେମିତି ? ଏ ଗାଁର ଫୁଲେଇ ନାକ କାନ୍ଦୁରି ଝିଅ ଥିଲା ଦିନେ, ଯେବେ ଠୁ ବିରାଜ ଭାଇ ଙ୍କ ସାଙ୍ଗେ ଗାଁ ଛାଡି ସହରକୁ ଗଲା, ଏ ଗାଁ ତାକୁ ଭୁଲିବାରେ ଲାଗିଛି।କେବେ କେମିତି ବିରାଜ ଭାଇ ଠୁ ମୋ ନମ୍ବର ନେଇ ଫୋନ କରେ, ଆଜି କରିଛି, ଅନେକ ଦିନ ପରେ, 


ହ୍ୟାଲୋ, ବିନୁ ! ଜାଣି ପାରୁଛୁ ମୁଁ କିଏ? କିଏ କହିଲୁ? 


ତୋତେ କିଏ ଭୁଲିପାରେ, ତୋ ଚଷମା ପିନ୍ଧା ଜେଜେମା ନିର ବୁଢ଼ୀ କୁ ଆଉ କୋଉ ନାଁ ମିଳିଲାନି ଯେ, ଖବର କାଗଜ ନାଁ ରଖିଦେଲା, ଧରିତ୍ରୀ। ଯଦି ତୋର ଭାଇ ଥାନ୍ତା, କଣ ଦେଇଥାନ୍ତା? ସମ୍ବାଦ, ପ୍ରଜାତନ୍ତ୍ର??


ଓଃ , ନମ୍ବର ଟା ରଖିଛୁ ତେବେ? ମୋ ନାଁ ଟା ଭାରି ଭଲ ଲାଗେ ତୋତେ ନୁହେଁ? କଣ କରୁଛୁ ଏବେ?


ମଲା... ନମ୍ବର ଟା ଫୋନରେ ଅଛି ତ ଅଛି, ଆଉ କଣ ତାକୁ, କୋଉ ମନେ ରଖିବାକୁ ପଡୁଛି ଯେ? କଣ କରିବି, ସକାଳୁ ଗାଧେଇ ଛତୁଆ ଖାଇ ବସିଛି ପିଣ୍ଡାରେ। ଖରା ଏତେ କୁଆଡେ ଯିବି? ତୋର ଏମିତି ଅକାଳେ ସକାଳେ କେମିତି ମନେ ପଡ଼ିଲା ?


ହଁ, ଖରାରେ ସବୁ ତ ଜଳୁଛି। ଉପର ଦହନ ଟା ସିନା ଦିଶେ, ହେଲେ, ଏ ଖରା ଏମିତି ଯେ, ଭିତର ଦହନ ଲୁଚିଯାଏ ଚକଚକ ଆଲୁଅରେ... ନୁହେଁ??


ମୁଁ ଖବର କାଗଜ ଭାଙ୍ଗି ଥୋଇଦେଲି ଦୂରକୁ, ଆଉ କହିଲି, କୋଉ ଦହନ କଥା କହୁଛୁ? ତୁ କୋଉ ବୁଝିବୁ ଦହନ ର କଷ୍ଟ ? ବିରାଜ ଭାଇ, ତୋତେ କୋଉ ଭାବିବାକୁ ଦେଉଥିବ ଯେ? ନା ସ୍କୁଲ କାମରୁ ତୋତେ କୋଉ ଫୁରସତ ମିଳୁଥିବ? ତାକୁ ପଚାର, ଯେ ତତଲା ଝାମୁ ନିଆଁରେ ଚାଲିଛି, ଖାଲି ପାଦରେ, ମାନସିକ କରି। ଯାହା ଆଖିର ଲୁହ ଗ୍ରନ୍ଥିରୁ ସାଗର ଚୋରେଇ ନେଇଛି ଲୁହ । ଯେ ... ନୀତି ରାତିରେ ସ୍ମୃତି ଆଳତୀ ରେ ଅଗ୍ନିସ୍ନାନ କରେ। ସେ ତାତିରୁ ମୁକ୍ତି ପାଇଁ ମଣିଷ ଯଜ୍ଞ କରେ, ବର୍ଷାକୁ ଡାକେ। ତୁ ଆସୁନୁ ଏଥର ଯଜ୍ଞକୁ ଗାଁ କୁ ?

ମୁଁ ଜାଣେ ତୁ କରିଛୁ, ଏସବୁ ମୋ ଲାଗି। କୋଉ ଯାଇ ପାରୁଛି। ସ୍କୁଲ ପା ଛୁଟି ନାଇଁ ଦେଖୁଛୁ। 


ହା.. ହା ହା... ସ୍କୁଲ ନୁହେଁ, କହ ତୋର ଛୁଟି ନାଇଁ। ଗାଁ ରୁ ଗଲା ପରେ, ଆଉ ମନ ପଡେନି ଗାଁ କଥା, ତୁ କେମିତି ଆସନ୍ତୁ ! ବିରାଜ ଭାଇ କୁ ଛାଡି।


ଯାହା ବୁଝୁଚୁ ବୁଝ, ତୁ ଦେଖିପାରିଲେ, ଦେଖିପାରନ୍ତୁ ମୋ ଜଳନ କୁ। ତୋ ଧରିତ୍ରୀ ଦେଇ ଏବେ, ଜଳୁଛି ଅନ୍ତରଦାହ ର ଦାବାନଳରେ। 


ହେ... କଣ ଏମିତି ଗୋଲ ଗୋଲ କଥା କହୁଛୁ। ଏଇଟା କଟକ ରିଙ୍ଗ ରୋଡ ନା ବାଲେଶ୍ଵର ଫକୀର ମୋହନ ଗୋଲେଇ? ସିଧା ସିଧା କହୁନୁ ?

 

କେମିତି ବୁଝେଇବି ତୋତେ? ଯୋଉ ମୁନ୍ଦାଏ ଖୁସି ପାଇଁ ଗାଁ ଛାଡି ଆସିଲି, ବିରାଜ ସାଙ୍ଗେ। ସେ ମରୀଚିକା ହୋଇ ରହିଗଲା। ଆମେ ସାଙ୍ଗ ହୋଇ ଚାଲି ଆସିଲୁ ସହର, ପଢି, ଚାକିରୀ କରିବୁ ଆଉ ସୁଖ ସଂସାର କରିବୁ ବୋଲି। ହେଲେ, ଚାକିରୀ, ପାଇ ସେ ଚାଲିଗଲେ ଅନ୍ୟ ଜାଗାକୁ। ମୋର ଏଇଠି ମିଳିଲା। ଏବେ ଶୁଣିଲି, ସେ କୁଆଡେ, ସେଠି ଆଉ ଜଣକୁ ବାହା ହୋଇ ଯାଇଛନ୍ତି। ସେଥି ପାଇଁ ତୋତେ କହିଲି, ଉପରକୁ ଚକଚକ ଦିଶୁଥିବା ଜିନିଷ, ଭିତରେ ଅନେକ ବେଦନା। ଭଙ୍ଗା ସ୍ୱପ୍ନର।


କଣ କହୁଛୁ ତୁ ଧରି ଦେଇ!! ବିରାଜ ଆଉ ଧରିତ୍ରୀ କଥା, ଏ ଗାଁର ନୂଆ ପ୍ରେମ କରୁଥିବା,ପ୍ରେମୀ ମାନେ ରାଣ ପକାନ୍ତି। ସେ ପୁଣି ଏମିତି କଲେ?


ସେ ସକେଇ ସକେଇ କହିଲା, 

ଖୁସିର ବି ଗୋଟେ ଆୟୁଷ ଥାଏ। ସମୟ କିନ୍ତୁ ତାକୁ ଛଡେଇ ନିଏ ଅସମୟରେ, ଯେତେବେଳେ ତୁ ପ୍ରସ୍ତୁତ ନଥିବୁ, ସେତିକିବେଳେ। ହେଲେ, ମୋର ଦୁଃଖ ନାହିଁ ସେ ପାଇଁ। ବିଭୁତି ପଟନାୟକ କୁହନ୍ତି, ପ୍ରେମରେ ଯେ ଆଗେ ଧୋକା ଦିଏ, ସେ ଖୁସିରେ ରହେ। ମୁଁ ଆଉ କଣ ଚାହାଁନ୍ତି ଯେ, ତାଙ୍କ ଖୁସି ଛଡା। କିନ୍ତୁ... ସେ ସବୁର ଶେଷରେ ତୋତେ ପାଏ, ଅଛିଣ୍ଡା ଭାଗଶେଷ ହୋଇ, ତୁ ଛିଡା ହେଇଥାଉ ପ୍ରଶ୍ନପତ୍ର ଧରି। ତମ ଘର ଆମ ଘର ପାଖାପାଖି ନହେଲେ ବି ତୁ ଆସୁ ମୋ ପାଖକୁ, ମୋ ସାଙ୍ଗେ ଲାଗୁ, ମୋ ବରାଦ ରେ ବଜାର ରୁ ଜିନିଷ ଆଣି ଦେଉ। ତମ ବାଡ଼ିରେ ଯାହା ଗୋଟେ ହେଲେ ଆମ ଘରେ ପହଞ୍ଚି ଯାଏ। କେବେ କେବେ ବାଟରେ ଦେଖା ହେଲେ ଚାଲି ଚାଲି ଆସୁ ମୋତେ ଛାଡ଼ି ମୋ ଘର ଯାଏ, ତମ ଘର ରାସ୍ତା କୁ ପଛରେ ଛାଡି, ଭୋଜିରେ ମୋତେ ଖିରି ଭଲ ଲାଗେ ବୋଲି, ତୁ ତୋ ଖିରି ତକ ମୋତେ ଖଲି ପତ୍ରରେ ଦେଇ ଦେଉ, କହୁ, ମୋତେ ଖିରି ଭଲ ଲାଗେନି, ତୁ ନେଇ ଯା। ବିରାଜ ଆଉ ମୁଁ ମିଶିବାର, ସବୁ ଶ୍ରେୟ ତ ତୋର,ତୁ ହିଁ ମୋତେ ପ୍ରଥମେ କହିଥିଲୁ ବିରାଜ ଙ୍କ କଥା, ମୁଁ ଜାଣିଲି ତାଙ୍କୁ ତୋ ଠୁ। ତୁ ଅନେକ ଥର ଆସିଛୁ ତାଙ୍କ ସାଙ୍ଗେ, ଦେଖା ହେଲାବେଳେ। ଆମେ ସେ ସ୍କୁଲ ବାରଣ୍ଡାରେ କଥା ହେଲା ବେଳେ ତୁ ଠିଆ ହେଇ ଥାଉ, ପାଣିକଳ ପାଖେ। ମୁ ତୋତେ ଦେଖେ , ହେଲେ କିଛି କହିପାରେନି ତାଙ୍କ ସାମ୍ନାରେ। ସେ ନଥିଲା ବେଳେ, ତୋତେ ହିଁ କହିପାରେ ମୋ ମନ କଥା। ଘର ଛାଡ଼ି ଆସିବା ଦିନ ମୁଁ ଦେଖିଥିଲି ତୋ ଆଖିରେ ଲୁହ। କହିଥିଲୁ, ବିରାଜ ଭାଇ , ଧରିତ୍ରୀ ଦେଇ କୁ ଜମା ଦୁଃଖ ଦେବନି। ବିଚାରି ର ମା ନାହିଁ। ହେଲେ ତା ମନରେ ଯେତେ ମମତା ଏ ଗାଁରେ

କାହା ମନରେ ନାହିଁ। ମନେ ଅଛି ତୋର?? ମୋତେ କହିଥିଲୁ, ସହରକୁ ଆସିଲେ ମୋ ପାଖକୁ ଆସିବୁ। ଆସିନୁ କେବେ। ତୋ ଠୁ ସିନା ବୟସରେ ବଡ଼ ମୁଁ। ହେଲେ ତୋ ଭଲ ପାଇବା ଆଗରେ ମୁଁ ଖୁବ ଛୋଟ। ତୋ କଥା ବିରାଜ ରଖି ପାରିଲେନି। ମୁଁ ଏବେ ଏକା... ଆଜି ପୁଣି ଥରେ ମୋତେ ତୋ ସାହାରା ଦରକାର।


ଛାଡ଼ ସେ କଥା, କୋଉ ଆଇମା ବେଳର କଥା କହୁଛୁ , ଦେଇ। ମୋର ମନେ ନାଇଁ ଏତେ ସବୁ କଥା। ତୁ ଗଲା ଦିନ, ଖୁବ କାନ୍ଦିଛି ମୁଁ। ତମ ଘର ଲୋକ ମୋତେ ଅନେକ କଥା କହିଛନ୍ତି। ଧମକ ବି ଦେଇଛନ୍ତି। ହେଲେ ମୁଁ କେବେ ବି ମୁଁହ ଖୋଲିନି କୋଉଠି। ସେ ବୟସରେ ସେଟା ପ୍ରେମ କି ଆଉ କଣ ମୁଁ ଜାଣିନି। ହେଲେ, ମୋତେ ଖୁବ ଭଲ ଲାଗୁ ତୁ। ତୋ ପାଇଁ ସବୁ କରିବାକୁ ଭଲ ଲାଗେ ମୋତେ। ମନେ ଅଛି, ଦିନେ କହିଥିଲୁ, ସପନି ବାଡିର ପିଜୁଳି ଖାଇବୁ ବୋଲି। ମୁଁ ଯାଇଥିଲି ଚୋରି କରିବାକୁ। ବୁଢ଼ୀ ତା ପୁଅକୁ କହି ମୋତେ ଖୁବ ପିଟିଲା। ହେଲେ, ଦୁଇଟା ମୁଁ ଲୁଚେଇ ଫିଙ୍ଗି ଦେଇଥିଲି ପାଚେରୀ ଆରପଟକୁ। ତାକୁ ପଠେଇଥିଲି ତୋ ପାଇଁ ବିରାଜ ଭାଇ ହାତରେ। ପୁରୁଣା କଥା ସବୁ... ମୁଁ ଭୁଲିଗଲିଣି। ତୁ ବି ଭୁଲିଯା । 


ହଁ, କଥା ଯେବେ ପୁରୁଣା ହୁଏ, ଲୋକେ ଏମିତି ଭୁଲିଯାନ୍ତି, କଥା ଦେଇ। ହେଲେ, ମୁଁ ଜାଣେ ତୁ ସେମିତି ନୁହେଁ। ସେମିତି ହେଇଥିଲେ କଣ ତୁ ମୋତେ ଏତେ ଦିନ ପରେ ମନେ ରଖିଥାନ୍ତୁ? ମୋର ଛୋଟ କଥାଟିଏ ରଖିବୁ? 


କଣ କହ?

ଆଜି ବେଳ ବୁଡକୁ ତୁ ଆସିବୁ, ତମ ସେ ସାତ ମାଣିଆ ବିଲ ମୁଣ୍ଡକୁ। ସାଙ୍ଗରେ ଆଣିଥିବୁ, ଫୁଲ, ସିନ୍ଦୁର , ଧୂପ ଆଉ ପାଣି ନୋଟାଏ। ମୁଁ ଶୁଣିଛି ଆଜି ଦିନରେ ଯାହା କଲେ ସବୁ ଶୁଭ। ଶୁଭ କାମ ଟେ କରିବୁ।


ମୁଁ ବାହାରିଲି ବିଲ ଆଡେ, ତା କହିବା ମୁତାବକ, ଜିନିଷ ଧରି। ଯାଇ ଦେଖେ ତ, ବିଲ ହୁଡ଼ା ଉପରେ ସେ ବସିଛି। ଆଖୁ ଦଣ୍ଡା ଟେ ଧରି। ଚାହିଁଛି, ପାହାଡ଼ ର ମଥା ଛୁଇଁ ବୁଡୁଥିବା ସୂର୍ଯ୍ୟ କୁ। ସୁନେଲି କିରଣରେ ସେ ଦିଶୁଛି, ପଥ ଭୁଲା ହେମହରିଣୀ ପରି। ଖୁବ ସୁନ୍ଦର, ଆଗ ଠୁ ଆହୁରି ସୁନ୍ଦର। ଢଳି ଆସୁଥିବା ବୟସରେ ସେ ଦିଶୁଛି ଆହୁରି ଆକର୍ଷକ। ତା କଳା ପଡିଯାଇଥିବା ଆଖି ତଳରେ, ଅନେକ ରେଖା ଟାଣି ହୋଇଗଲେ, ମୋତେ ଦେଖି ଖୁସିରେ। ତା ମଥାର ଗୋଲ ଟିକିଳିରେ ସୂର୍ଯ୍ୟ ବୁଡି ଯାଉଥିଲେ। ସାରା ରାତି କାନ୍ଦି, ଏବେ ହସୁଛି ବୋଧେ। ତା ଫୁଲିଲା ନ୍କ ପୁଡା ଦେଇ ନିଶ୍ୱାସ ର ଗତି, କମ୍ପିତ ଛାତି। ମୁଁ ଦେଖୁଥିଲି ତାକୁ ଏମିତି।


ସେ କହିଲା, କଣ ଏମିତି ଅନେଇଚୁ?  ଚିହ୍ନି ପାରୁନୁ ମୋତେ? ଦେଖିଲୁ ମୁଁ ତୋ ସେଇ ଧରି ଦେଇ ତ? ମୁଁ ପୁଣି ଫେରି ଆସିଛି ଗାଁକୁ ବଦଳି ହୋଇ। ଏଇଠି ରହିବି। ଏ ଗାଁରେ ଏବେ ତୋତେ ଛାଡିଦେଲେ ଆଉ ମୋର କିଏ ନିଜର କହିଲୁ? ଏତେ ବର୍ଷ ପରେ ଆସିଲି ଫୁଲ,ଦୀପ ଦେଇ ବନ୍ଦେଇ ନେବୁନି?  


ମୁଁ ଦେଖୁଥିଲି ବୈଶାଖର ତାତିକୁ ଭ୍ରୁକ୍ଷେପ ନ କରି ହସୁଛି ଧରିତ୍ରୀ। ତା ହସ ଦେଖି ମନେ ପଡି ଯାଉଥିଲା, କାନ୍ଥରେ ଥିବା ମହାଲକ୍ଷ୍ମୀ ଙ୍କ ପ୍ରସନ୍ନ ମୁହଁ। ସେଇ ମମତା, ସେଇ ସ୍ନେହ । ସବୁ ସେମିତି। ଅକ୍ଷୟ ତୃତୀୟା ରେ ସୁଦାମା ପାଇଥିଲେ କୃଷ୍ଣଙ୍କ ଠାରୁ ନବନିଧି। ମୁଁ ପାଇଛି, ଶୁଦ୍ଧ ସୁବର୍ଣ୍ଣ ମୂର୍ତ୍ତି ଟିଏ। ତାତି ରୁ ମୁକ୍ତି ପାଇଁ ଯଜ୍ଞ କରୁଥିବା ମଣିଷର ଡାକ ବୋଧେ ଶୁଣିପାରିଲେ ଈଶ୍ୱର। କେଜାଣି କୁଆଡୁ ମାଡି ଆସିଲା ବର୍ଷା ସହ ପବନ ଆଉ ଆମେ ଠିଆ ହୋଇଥିଲୁ ସେମିତି ସେଇଠି ସ୍ଥାଣୁବତ, ଦୁହେଁ ଦୁହିଁଙ୍କୁ ଆଉଜି ହୋଇ।



Rate this content
Log in

Similar oriya story from Abstract