Lopamudra Mishra

Abstract Others

3  

Lopamudra Mishra

Abstract Others

ପିଙ୍କିନାନୀର ବାହାଘର

ପିଙ୍କିନାନୀର ବାହାଘର

10 mins
516


ପିଙ୍କି ନାନୀକୁ ଏବେ ଦେଖିବାକୁ ଆସୁଛନ୍ତି l ନାନୀ ସଜବାଜ ହୋଇ ଯାଇ ଧୀରେ ମୁହଁ ତଳକୁ କରି ବସୁଛି l ଦୁଇ ଚାରିଟା ପ୍ରଶ୍ନର ଉତ୍ତର ଦେଇ ସାରିଲା ପରେ ଉଠି ଚାଲିଆସୁଛି l ସେମାନେ ତାପରେ ଖାଇପିଇ ଚାଲି ଯାଉଛନ୍ତି l ଗଲାବେଳକୁ କହି ଯାଉଛନ୍ତି ଫୋନ୍ କରି ଜଣେଇବୁ l କଣ ଜଣେଇବେ କି ? ରବି ବୋଉକୁ ପଚାରିଲାରୁ ବିମଳା ଉତ୍ତର ଦେଇଥିଲେ, "ତୋ ନାନୀକୁ ସେମାନେ ପସନ୍ଦ କଲେ କି ନାହିଁ "l

--ବୋଉ ! କାହିଁକି ସେମାନେ ଜଣେଇବେ? ନାନୀକୁ ପଚାରୁନ ସେ ପସନ୍ଦ କରିଛି କି ନାହିଁ l ନାନୀ ଯଦି ଅପସନ୍ଦ କରିଥିବ? 

--ତୁ ଛୋଟପିଲା ସେଥିରୁ କଣ ପାଇବୁ? ସେମାନେ ଆଗ କହିବେ l ତାପରେ ଆମେ ଦେଖିବୁ ପୁଅର ଚାକିରୀ ବାକିରି ସବୁ ଠିକ ଠାକ ଅଛି କି ନାହିଁ l ବୁଝିଲୁ? 

--ଓହ l ଏମିତି କି ? ପିଙ୍କିନାନୀ ଵି କ’ଣ ଯିବ ତାଙ୍କ ଘର ଦେଖିବା ପାଇଁ? 

--ଛି ! ଝିଅମାନେ ସବୁ କ’ଣ ଯାଆନ୍ତି ପୁଅ ଘରକୁ ? କି ବୁଦ୍ଧି ରେ ତୋର ! କାଲି ସକାଳେ ମାଟ୍ରିକ୍ ପରୀକ୍ଷା ଦେବୁ ପାଠ ନପଢି ଏସବୁ କଥାରେ କାହିଁକି ମୁଣ୍ଡ ପୁରାଉ କହିଲୁ? 

--କିନ୍ତୁ ବୋଉ ଯିଏ ଯାଇ ଶାଶୂଘରେ ରହିବ ସିଏ ଘରଟା ଆଗ ଭଲ କି ଦେଖିବା କଥା କି ନୁହଁ କହ ? ପିଙ୍କିନାନୀ ପରା ବାହା ହେଇ ଆଉ କାହା ଘରେ ରହିବ l ସେ ତାହେଲେ କାହିଁକି ତା ଘରଟା ଆଗରୁ ଦେଖିବନି? 

--ବାପା, କକା ତ ଦେଖିବେ l ଆଉ ତାର ଦେଖିବା କଣ ଦରକାର ? ତୁ ମତେ ଆଉ କିଛି ପଚାରେନା l ଯାଆ ଫ୍ରିଜ୍ ରେ ତୋ ପାଇଁ କୋକାକୋଲା ଅଛି, ପିଇବୁ କହୁଥିଲୁ ପା’ l ଯାଆ l ମୋର ବହୁତ କାମ l

ରବି ଆଉ ବୋଉ କୁ ବିରକ୍ତ ନକରି ଆସିଲା ପିଉସୀ ନାନୀ ପିଙ୍କି ପାଖକୁ l ପିଙ୍କି ମୋବାଇଲରେ ସବୁ ସେଲ୍ଫି ନେଉଥିଲା, ରବିକୁ ଦେଖି ମୋବାଇଲ୍ ଟା ଲୁଚେଇ ଦେଲା l

-- ନାନୀ ଦେଖେଇଲୁ କେମିତିକା ଫୋଟୋ ଉଠେଇଛୁ ? 

--ନାଇଁ ମୁଁ ଦେଖେଇବିନି l

--ମୁଁ ଜାଣିଛି ତୁ କାହା ପାଖକୁ ପଠେଇବୁ l

--ମୁଁ ତ କାହା ପାଖକୁ ଵି ପଠାଉନି l

--ଆଉ ମିଛ କହନି l ତୁ ତୋ ବର ପାଖକୁ ହ୍ୱାଟ୍ସଆପ୍ ରେ ପଠାଉଛୁ l

--କିଏ ବେ ମୋ ବର ? 

--ଯିଏ ଆଜି ଆସିଥିଲା ତତେ ଦେଖିବାକୁ l

--ମୁଁ ତ ଆଗ ସେ ପେଟୁକୁ ବାହା ହେଉଥିଲି ? 

--ଆଉ ତାହେଲେ କାହାକୁ ବାହା ହେବୁ? 

--କାହାକୁ ଵି କିନ୍ତୁ ତାକୁ ନୁହେଁ l ପେଟୁ ମାଙ୍କଡ଼ l

--ତାହେଲେ କାହିଁକି ଯାଉଥିଲୁ ସଜ ହେଇକି ବସିବା ପାଇଁ? 

--ବୋଉ ଆଉ ଭାଈ ରାଗିଥାନ୍ତେ ନଯାଇଥିଲେ l

--ଆଉ ଏବେ ଯଦି ସେ ତତେ ପସନ୍ଦ କରି ବାପାଙ୍କୁ ହଁ କହିଦେବ? 

--ମୁଁ ନାଁ କହିଦେବି l 

--ତୁ ନାଁ କହିଲେ କେହି ଶୁଣିବେନି l ବାପାଙ୍କୁ ଆଉ କକାଙ୍କୁ ଭଲ ଲାଗିଲେ ତୁ ତାକୁ ହିଁ ବାହା ହେବୁ l ବୋଉ କହୁଥିଲା l

--ସତରେ ଭାଉଜ ଏମିତି କହୁଥିଲେ ? 

--ହଁ l

ରବି କଥା ରେ ପିଙ୍କି ଟିକେ ଅନ୍ୟମନସ୍କ ହୋଇପଡିଲା l ହଠାତ ମୁହଁ ଟା ତାର ଶୁଖିଗଲା l ମୋବାଇଲ୍ ଟା ତକିଆ ତଳୁ ବାହାର କରି ଦେଖିଲା l ରବି ପୁଣି ନାନୀକୁ ପଚାରିଲା ସେ କୋଲ୍ଡ ଡ୍ରିଂକ୍ସ ପିଇବକି ନାହିଁ l ପିଙ୍କି ମୁଣ୍ଡ ହଲେଇ ନାହିଁ କଲା l ରବି ସେଠାରୁ ଚାଲିଗଲା l ପିଙ୍କି ଲୁଗାପଟା ନବଦଳେଇ ସେଇମିତି ବେଡ୍ ଉପରେ ପଡ଼ିରହିଲା l ଆଖିର ଲୁହରେ ତକିଆ ଓଦା l

ପୁଅ ଘରୁ ଖବର ଆସିଛି, ସେମାନେ ପିଙ୍କିକୁ ପସନ୍ଦ କରିଛନ୍ତି l ଘରେ ସମସ୍ତେ ଖୁସୀ ଅଛନ୍ତି l ପିଲାର ସରକାରୀ ଚାକିରୀ l ବାପା ମାଆଙ୍କର ଗୋଟିଏ ପୁଅ l ପିଙ୍କି ଖୁବ ଭଲରେ ରହିବ ସେଠି l

ରବି ଦେଖୁଛି ତା ପିଉସୀ କିଛିଦିନ ହେଲା ଘରୁ ବାହାରକୁ ବାହାରୁନି l ତା ସହ ଥଟ୍ଟା ମଜା କରୁନି l ସବୁବେଳେ ଗୁମସୁମ ରହୁଛି l ନିଜଠୁ ମାତ୍ର ସାତ ଆଠ ବର୍ଷ ବଡ ପିଉସୀଟି ତାକୁ ସବୁବେଳେ ବଡ ଭଉଣୀ ପରି ମନେହୁଏ l ରବି ଧୀରେ ନାନୀର ରୁମ୍ କୁ ପଶିଲା l ତା ପଛପାଖେ ଠିଆ ହେଲା l ପିଙ୍କି ମୋବାଇଲ୍ ଫୋନ୍ ରେ ବ୍ୟସ୍ତ ଅଛି l 

--ନାନୀ ଏ ରଜତ୍ ସେହି ପିଲା ନାଁ ଯାହା ସହ ତୁ ସେଦିନ ଆମ ସ୍କୁଲ ପାଖ ଆଇସକ୍ରିମ୍ ଵାଲା ପାଖରେ ଠିଆ ହେଇ ଆଇସକ୍ରିମ୍ ଖାଉଥିଲୁ? 

"ନାଁ ତ l", କହି ପିଙ୍କି ମୋବାଇଲ୍ ଟାକୁ ଓଲଟା କରି ତକିଆ ତଳେ ଗେଞ୍ଜି ଦେଲା l ପୁଣି ମୁହଁ ବୁଲେଇ ସଙ୍ଗେ ସଙ୍ଗେ କହିଲା,

--ତୁ କାହିଁକି ଲୁଚିକି ଆସିକି ମୋ ଚାଟିଙ୍ଗ୍ ଦେଖୁଛୁ? 

--ମୁଁ ତ ତୋ ଚାଟିଙ୍ଗ୍ ଦେଖିନି l ମୁଁ ଖାଲି ସେହି ପିଲାର ଫୋଟୋ ଦେଖିଲି l ଚିହ୍ନିଲା ପରି ଲାଗିଲା l ସତ କହୁନୁ l ଏ ସେହି ପିଲା ନାଁ? ମୁଁ କହିବିନି କାହାକୁ l

--ହଁ l ସେଇ l କ’ଣ ହେଲା ସେଇଠୁ? ସାଙ୍ଗ ହେଇପାରିବିନି କି? 

--ହଁ ଯେ କିନ୍ତୁ ତୋ ବାହାଘର ପକ୍କା ହେଇଗଲା ସେ ପେଟୁ ସହ l ରଜତକୁ କହିଦେ l

--କଣ କହୁଛୁ ତୁ? ଭାଈ ଯାଇଥିଲେ କି? କ’ଣ ପା’ ଟଙ୍କା ଦେବା ନେବାରେ ଗଡ଼ବଡ ଥିଲା? 

--ସବୁ ଠିକ ହେଇଯାଇଛି l ଟଙ୍କା ଯୋଗାଡ଼ ହେଇଗଲା l ତୁ ସେ ପେଟୁ କୁ ବାହା ହେବୁ ପୁଣି ତିନି ଲକ୍ଷ ଟଙ୍କା ଦେଇକରି l

--ନାଇଁ ମୁଁ ତାକୁ ବାହାହେଇ ପାରିବିନି l ମୁଁ ତାକୁ ଭଲ କି ଚିହ୍ନିନାହିଁ l 

--ଚିହ୍ନିବା ଆଉ କଣ ଦରକାର ? ତୁମ ଜାତକ ପା’ ମିଶିଯାଇଛି l ବାପା କହୁଥିଲେ ରାଜଯୋଟକ l ନାନୀ ଏ ରାଜଯୋଟଜ କ’ଣ? 

--ଛେନାଗୁଡ l ମୋର ତା ସହ କେବେ ପଟିବନି l ସେ ସେଦିନ କେମିତି ପ୍ରଶ୍ନ ପଚାରୁଥିଲା ଶୁଣିଛୁ? ଯେମିତି ଗୋଟେ ଜିନିଷ କିଣିବାକୁ ଆସିଛି !

-- କିନ୍ତୁ ନାନୀ ଏବେ କ’ଣ ହେବ?ତୁ ଘରେ କହ ତୁ ଏବେ ବାହା ହେବୁନି l

--ନାଇଁ ରେ କହିପାରିବିନି l ବୋଉ ଆଉ ଭାଈ ମନ କଷ୍ଟ କରିବେ l

--ତାହେଲେ ତୁ କହ ରଜତକୁ ବାହା ହେବୁ ? 

--ତତେ କିଏ କହିଲା ମୁଁ ରଜତକୁ...? 

--ମୁଁ ସବୁ ଜାଣିଛି l କହିବି କେମିତି? ତୁ ଯେଉଁ ମୋବାଇଲ୍ ରେ.. 

-- ହଉ ଥାଉ ଥାଉ.. ଏତେବଡ଼ ପାଟି କରନା l କାହାକୁ କହିବୁନି l ମୋ ସୁନା ଟା ପା l ଜାଣିଛୁ ତାଙ୍କ ଘରେ ଵି ରାଜି ଯେ ହେଲେ ମୁଁ ଆମ ଘରେ କହିପାରିବିନି l

--କାହିଁକି? 

--ସେ ଆମ ଜାତିର ନୁହେଁ l

--କ’ଣ ହେଲା ସେଇଠୁ? 

--ଭାଇମାନଙ୍କ ଇଜ୍ଜତ ଚାଲିଯିବ l

--କାହିଁକି? ବାପାଙ୍କ ସାଙ୍ଗ ମାନେ ତ ସମସ୍ତେ ଆମ ଜାତିର ନୁହଁନ୍ତି l ସେତେବେଳେ କେମିତି ଇଜ୍ଜତ ଯାଉନାହିଁ ତାଙ୍କର? 

--ହେ ତୁ କିଛି ଜାଣିନୁ l ସାଙ୍ଗ ହେଲେ ଇଜ୍ଜତ ଯାଏନି l ବାହାହେଲେ ଯାଏ l

--ରଜତ ଘରେ ତାହେଲେ କେମିତି ରାଜି ହେଉଛନ୍ତି? ତାଙ୍କ ଘରେ କ’ଣ କାହାରି ଇଜ୍ଜତ ଯିବନି? 

--ପୁଅଙ୍କ ଅପେକ୍ଷା ଝିଅଙ୍କ ଇଜ୍ଜତ ବେଶି ବଡ ଘର ଲୋକଙ୍କ ପାଇଁ l ଝିଅକୁ ଅଲଗା ଜାତିରେ ଦେଲେ ବାପା ଭାଈଙ୍କ ଇଜ୍ଜତ ପଳାଏ l

--ମାଆ, ଭଉଣୀଙ୍କର ଇଜ୍ଜତ ଯାଏନି ? ଖାଲି ବାପା ଭାଇଙ୍କର ଯାଏ ? ନାନୀ !ମୁଁ କିଛି ବୁଝିପାରେନି ଏ ଦୁନିଆଁ ବିଷୟରେ l କେତେ ପ୍ରକାର କଥା ଯେ ଏଠି ଚାଲିଛି l ମୁଁ ମୁଣ୍ଡରେ ସେସବୁ ପଶେନି l

--ହଁରେ ରବି l ବଡ ଅଜବ ଏ ଦୁନିଆଁ l ଯାହା ଚାଲିଛି ବର୍ଷ ବର୍ଷ ଧରି ତାକୁ ଆମେ ମାନିବାକୁ ବାଧ୍ୟ l

ପିଙ୍କି ଖୁବ ସାନ ହେଇଥିଲା, ବାପା ଚାଲିଗଲେ l ବୋଉ ତୁଳସୀ ଦେବୀ ଦୁଇପୁଅ ଅକ୍ଷୟ, ଅଜୟ ଓ ଆଠ ଦଶବର୍ଷର ଏକମାତ୍ର ଝିଅ ପିଙ୍କିଙ୍କୁ ବଡ କଷ୍ଟରେ ମଣିଷ କଲେ l ଅବଶ୍ୟ ବଡ ପୁଅ ଖୁବ କମଦିନ ଭିତରେ ବାପାଙ୍କ ସରକାରୀ ଚାକରୀଟି ପାଇ ପରିବାରର ଦାୟିତ୍ୱ ନିଜ ଉପରକୁ ନେଇଗଲା l ଅକ୍ଷୟବାବୁଙ୍କ ପାଇଁ କୁନି ପିଙ୍କି ଭଉଣୀ ତ ନୁହେଁ ନିଜର ଛୋଟ ଝିଅଟେ ଭଳି l ବୟସ ରେ ତାଙ୍କ ଠାରୁ ଢେର ସାନ l ତାର ବାହାଘରରେ ଯେମିତି କିଛି କମି ପଡ଼ିନଯାଏ ସେଥି ସକାଶେ ଅକ୍ଷୟ ଓ ଅଜୟ ଏବେଠୁ ଖୁବ ସତର୍କ ହୋଇପଡିଲେଣି l

ପିଙ୍କିର ଲଗ୍ନ ଧରାଗଲା l ଆଜିକୁ ଠିକ ବାଇଶ ଦିନ ପରେ ଡ଼ିସେମ୍ବର୍ ପନ୍ଦରରେ ପିଙ୍କି ସହ ସନ୍ତୋଷଙ୍କ ଶୁଭପରିଣୟ ଅନୁଷ୍ଠିତ ହେବ l ବନ୍ଧୁ ଘରକୁ ଗୁଆ ନିମନ୍ତ୍ରଣ ଦିଆଯିବା ଆରମ୍ଭ ହେଇଗଲାଣି l କାର୍ଡ ଛପାଯିବା ବାକି ଅଛି l ପିଙ୍କି ବ୍ୟତୀତ ଘରେ ବାକି ସମସ୍ତେ ବିବାହ ପାଇଁ ଖୁବ ଉତ୍ସାହିତ l ରବି ପିଉସୀ ନାନୀର ଦୁଃଖକୁ କିଛି ଟା ବୁଝିପାରୁଛି, ହେଲେ ବାହାଘରର ମଜା, ନାଚଗୀତ ଓ ଭୋଜି କଥା ଭାବିଲେ ପିଙ୍କିର ଦୁଃଖକୁ ସେ ପାଶୋରି ଦେଉଛି l

ବାହାଘର ପ୍ରକ୍ରିୟା ଯଥାରୀତି ଆଗେଇ ଚାଲିଛି l ପିଙ୍କିର ସମସ୍ତ ଅଳଙ୍କାର,ଆସବାବପତ୍ର, ଲୁଗାପଟା ଓ ଅନ୍ୟାନ୍ୟ ସାମଗ୍ରୀ କିଣା ହୋଇସାରିଲାଣି l ଯୌତୁକ ବାବଦକୁ ଟଙ୍କା ଵି ଯୋଗାଡ଼ ସରିଛି l ଅକ୍ଷୟ ବାବୁଙ୍କୁ ତର ନାହିଁ l ସବୁବେଳେ ଅନ୍ୟମନସ୍କ ରହୁଛନ୍ତି l ବରଯାତ୍ରୀ କେତେ ଆସିବେ, ଭୋଜି ପାଇଁ କେତେ ଖର୍ଚ୍ଚ ହେବ, ଟେଣ୍ଟ୍ ଵାଲାକୁ ଵଇନା କେତେ ଦେବେ ଏସବୁ ହିସାବ କରି କରି ଠିକରେ ଖିଆ ପିଆ ଵି କରିପାରୁନାହାଁନ୍ତି l ଝିଅଟିଏ ବାହା କଲେ ଏମିତି ହିଁ ଝିଅ ଘର ଲୋକଙ୍କୁ ବ୍ୟତିବ୍ୟସ୍ତ ହେବାକୁ ପଡେ l କିପରି ସବୁ ସୁବନ୍ଦୋବସ୍ଥ ହେବ ଆଉ ବରଘର ତରଫରୁ କୌଣସି ଆପତ୍ତି ଅଭିଯୋଗ ଆସିବନାହିଁ ସେଥିପ୍ରତି ସମସ୍ତେ ସଜାଗ ରହନ୍ତି l ଗୋଟିଏ ଦିନର ବାହାଘର ପାଇଁ ଝିଅର ଜନ୍ମ ଠାରୁ ହିଁ ଗୁଡ଼ାଏ ବର୍ଷ ଧରି ବାପଘର ଲୋକ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି l ଅତୀତରେ ଝିଅଙ୍କୁ ବୋଝ ମନେକରି ଅବହେଳା କରିବାର ସେହି ତ ଗୋଟିଏ କାରଣ l ଏବେ ଅବଶ୍ୟ ସମୟରେ ସାମାନ୍ୟ ପରିବର୍ତ୍ତନ ପରିଲକ୍ଷିତ l

ଭାଉଜମାନେ କଣ ପିନ୍ଧିବେ ସେହିକଥା ଆଲୋଚନା କରୁଥିଲା ବେଳେ ପିଙ୍କିର ବୋଉ ତୁଳସୀ ଦେବୀ ପିଙ୍କିକୁ ଯେତେବେଳେ ପାଖରେ ପାଉଥିଲେ ଲୁହ ଢଳ ଢଳ ଆଖିରେ ଆଉଁଶି ପକାଉଥିଲେ l ଝିଅକୁ ବାହାତ କରୁନାହାଁନ୍ତି ଯେମିତି ଛାତି ଭିତରୁ କଲିଜାଟା କାଢି ଆଉ କାହା ହାତକୁ ଟେକି ଦେଉଛନ୍ତି l

ପିଙ୍କି, ରବି ଓ ସାନଭାଇର କୁନି ଝିଅ ରୀତାକୁ ନେଇ ବଜାର ବାହାରିଲା l ରବି ଆଉ ରୀତା ଆଇସକ୍ରିମ୍ ଖାଉଥିଲେ ପିଙ୍କି କାହାକୁ ଫୋନ୍ ଲଗେଇଲା l "ପାଞ୍ଚ ମିନିଟରେ ଆସୁଛି", କହି ସେମାନଙ୍କୁ ସେଇଠି ଛାଡ଼ି ଆଗକୁ ଗଲା l କିଛି ଦୂରରେ ରଜତ୍ ବାଇକ୍ ଧରି ଠିଆ ହୋଇଥିଲା l ଆଜି ବୋଧେ ଦୁହିଁଙ୍କର ଶେଷଦେଖା l କେହି କାହାରି ମୁହଁକୁ ସିଧା ଦେଖିପାରୁନାହାଁନ୍ତି l ରଜତ୍ ଚାକିରୀ କରୁଥିବା ବ୍ୟାଙ୍କରୁ ସେ ଆଜି ଛୁଟି ନେଇକରି ଆସିଛି l ପିଙ୍କି ରଜତ୍ ର ହାତକୁ କାର୍ଡ ଟିଏ ବଢ଼େଇଦେଲା l ରଜତ ଖୁବ ସନ୍ତର୍ପଣରେ କାର୍ଡଟି ଗ୍ରହଣ କଲା l ଖୋଲି ପଢୁ ପଢୁ ଥରିଲା କଣ୍ଠରେ କହିଲା, "ପିଙ୍କି ! ମୁଁ ବିଶ୍ୱାସ କରିପାରୁନି l ତୁମ ନାଁ ସହ ଆଉ କାହାର ନାଁକୁ ମୁଁ ସତରେ ବରଦାସ୍ତ କରିପାରୁନି l ଏବେ ଵି ସମୟ ଅଛି ପିଙ୍କି l ଚାଲ ମୋ ସହିତ l"

--ବହୁତ ଡେରି ହେଇଗଲାଣି ରାଜୁ l ଆଉ କିଛି କରିହବନି l

--ତୁମେ ତ ଆରମ୍ଭ ରୁ ହିଁ ଚୁପ୍ ରହିଲ l

--ଚୁପ୍ ନହେଇ ପାଟି ଖୋଲିବାର ଆଉ ଚାରା ନଥିଲା ରାଜୁ l ମୋର ସାହସ ଵି ନଥିଲା l ଭାଈମାନଙ୍କ ସମ୍ମାନକୁ ତ ଜଗିବାକୁ ପଡିବ l

--ଆଉ ତୁମ ନିଜ ଖୁସି?? 

--ଛାଡ଼ ମୋ ଖୁସୀ କଥା l 

-- ମୋତେ ଦେଇଥିବା ପ୍ରତିଶୃତି?

--ମୁଁ ତୁମକୁ କିଛି ପ୍ରତିଶୃତି ଦେଇନଥିଲି ରାଜୁ l ବରଂ ତୁମେ କହିଥିଲ ନିଜେ ଚେଷ୍ଟା କରିବ l

--ହଁ କରିଥାନ୍ତି ତ କିନ୍ତୁ ତୁମେ ଘରେ ଅପେକ୍ଷା କରିବାକୁ ଵି କହିଲନାହିଁ l

--ଛାଡ଼ ସେସବୁ କଥା l ପିଲାମାନେ ଆସିଛନ୍ତି ମୋ ସହ l ଜଲଦି ଫେରିବାକୁ ପଡିବ l

 ରଜତ୍ ର ଆଖିରୁ ଗଡିଆସୁଥିବା ଲୁହକୁ ସେ ନିଜ ବିଶି ଆଙ୍ଗୁଠିରେ ଚାପି ଦେଇ କହିଲା, "ବହୁତ ଜଲଦି ଫେରିଗଲ ପିଙ୍କି l ଖାଲି ଗୋଟେ ଜାତିର ନୁହେଁ ବୋଲି ତ ? ଇୟା ଛଡା ଆଉ କିଛି ନୁହେଁ ନାଁ ? ପ୍ଲିଜ୍ କୁହ ପିଙ୍କି l ଆଉ କିଛି ନୁହେଁ ନାଁ? "

ପିଙ୍କି ଆଖିରୁ ଵି ଧାର ଧାର ଲୁହ ଗାଲ ଦେଇ ଗଡିଯାଉଛି l ଖାଲି, "ନାଁ ଆଉ କିଛି ନୁହେଁ "ବ୍ୟତୀତ ସେ ଆଗକୁ କିଛି କହିପାରିଲା ନାହିଁ l କାନ୍ଧ ବ୍ୟାଗ ଖୋଲି କାଗଜ ଖୋଳଟେ ବାହାର କଲା l ପୁରୁଣା ସ୍ମୃତି ସବୁ ଗୋଟେ ପରେ ଗୋଟେ ଫିଟି ପଡିଲେ l ପ୍ରଥମ ଦିନରୁ ଆରମ୍ଭ କରି ଆଜିଯାଏଁ ରଜତ୍ ତରଫରୁ ମିଳିଥିବା ସମସ୍ତ କାର୍ଡ ଓ ଗିଫ୍ଟ୍ସ୍ କୁ ରଜତର ବାଇକ୍ ସିଟ୍ ଉପରେ ରଖିଲା l 

--ଏସବୁ ଫେରେଇବା ଦରକାର ଥିଲା କି ପିଙ୍କି ? 

--ପାଖରେ ରଖିଲେ ଏମାନେ ମୋତେ ଦୋଷୀ କହି ପ୍ରତ୍ୟେକଦିନ ଶାସ୍ତି ଦେବେ l

--ଫିଙ୍ଗି ଦେଲନି, ଯେମିତି ମୋତେ କାଢି ଫିଙ୍ଗୁଛ ? 

--ପାରିଲିନି ରାଜୁ l 

ପୁଣି ପିଙ୍କିର ସ୍ୱର କରୁଣ l କୋହକୁ ଚାପିଧରି ଗଳା ପାଖେ ଖୁବ କଷ୍ଟରେ ଢ଼ୋକି ସେ ଏତକ କହିଲା, "ରାଜୁ ! ମୋତେ ଭୁଲ ବୁଝିବନି l ମୁଁ ଆସୁଛି l ମୋ ନମ୍ବର୍ ଟା ପ୍ଲିଜ୍ ଡିଲିଟ୍ କରିଦେବ l"

ପରସ୍ପରକୁ ନିବିଡ ଭାବେ ଭଲ ପାଉଥିବା ଦୁଇଟି ନିର୍ମଳ ହୃଦୟକୁ ଜାତିପ୍ରଥା ଏକ ହେବାକୁ ଦେଲାନାହିଁ l ଆଉ ପ୍ରେମରହିତ ଦୁଇଟି ଅଜଣା ଅପରିଚିତ ମଣିଷ ଏବେ ଏକାଠି ହୋଇ ସୁନ୍ଦର ସଂସାର ଗଢିବାକୁ ଯାଉଛନ୍ତି l

ବିଭିନ୍ନ ପୁସ୍ତକ ପଢିବାରେ ଆଗ୍ରହ ରଖୁଥିବା ରବି ଏହି ଦଶମ ଶ୍ରେଣୀରୁ ହିଁ ଜେଜେମାଆର ରାମାୟଣ ମହାଭାରତ ବହି ଆଣି ଅନେକ ଗୁଡ଼ାଏ ଅଧ୍ୟାୟ ପଢ଼ିସାରିଲାଣି l ଆଗକୁ ଦଶମ ପରୀକ୍ଷା l ବାହାଘର ଥିଲେ ଵି ତାକୁ ପାଠ ପଢିବାକୁ ହେବ l ସେ କିନ୍ତୁ ପାଠ ବହି ପାଖରେ ଥୋଇ ଗପବହି ପଢିବାରେ ବ୍ୟସ୍ତ l ବାପା ବେଳେ ବେଳେ ଆସି ଜଗନ୍ତି l ସେଥି ସକାଶେ ତାଙ୍କୁ ଡରି ଲୁଚେଇ ପଢେ l

ନାନୀର ବାହାଘରରେ ରବି ବେଦୀ ପାଖରେ ବସି ରହିଲା ସମ୍ପୂର୍ଣ୍ଣ ବିବାହ କାର୍ଯ୍ୟଟା ଦେଖିବା ପାଇଁ l ପୁରୋହିତର ମନ୍ତ୍ର ପାଠ ଓ ନିର୍ଦେଶ ମାନି ବେଦୀ କର୍ମ ଚାଲୁଥାଏ l ନାନୀ ବାରମ୍ବାର ଆସୁଥାଏ ଓ ପୁଣି ଭିତରକୁ ଯାଉଥାଏ l ଅକ୍ଷୟବାବୁ କନ୍ୟାଦାନ କରିବା ପାଇଁ ବେଦୀ ରେ ଥାଆନ୍ତି l ପାଖରେ ବସିଥିବା ବଡ ମାଉସୀ କମଳା ଙ୍କୁ ରବି ପ୍ରଶ୍ନ ପଚାରି ଚାଲିଥାଏ l ମାଉସୀ ଶିକ୍ଷୟିତ୍ରୀ ଓ ସେ କୌଣସି ଏକ କାରଣରୁ ବିବାହ କରିନାହାଁନ୍ତି l ଅନ୍ୟ ସମସ୍ତଙ୍କ ପରି ବଡ ମାଉସୀ ଥକି ନଯାଇ ରବିର ସମସ୍ତ ପ୍ରଶ୍ନର ଉତ୍ତର ସରଳ ଭାବେ ଦେଉଥାନ୍ତି l  

ପୁରୋହିତ ବଡ ପାଟିରେ ପୁଣି କିଛି ପାଠ କଲେ l 

ଯଥା ରାବଣସ୍ୟ ମନ୍ଦୋଦରୀ... 

ଯଥା ରାମସ୍ୟ ସୀତା...  

ଯଥା ନଳସ୍ୟ ଦମୟନ୍ତୀ... 

ତଥା ସନ୍ତୋଷସ୍ୟ ପଙ୍କଜିନୀ.. 

ରବିକୁ ସେହି ସଂସ୍କୃତ ଉକ୍ତି ଗୁଡାକ ପସନ୍ଦ ଆସିଲାନାହିଁ l ରାମ ଓ ରାବଣଙ୍କ ଦ୍ୱନ୍ଦ୍ୱମୟ ବୈବାହିକ ଜୀବନକୁ ସେ ରାମାୟଣ ବହିରେ କିଛି କିଛି ପଢ଼ି ଜାଣିଥିଲା l ତା ନାନୀର ବୈବାହିକ ଜୀବନ ମଧ୍ୟ ସେହିପରି ହେଉ ସେ ଚାହୁଁନଥିଲା l ରବି କିଛି ଭୁଲ ଚିନ୍ତା କରୁଥିଲା କି ? ସେମିତି ତ ଲାଗୁନଥିଲା l

କାହିଁକି ଯଥା ରାବଣସ୍ୟ ମନ୍ଦୋଦରୀ 

ଯଥା ରାମସ୍ୟ ସୀତା 

ତଥା ଅମୁକସ୍ୟ ସମୁକ..?? 

କାହିଁକି..??? 

ରାବଣ ଅବା ରାମ କେହି ନିଜ ନିଜ ପତ୍ନୀଙ୍କ ସହ ସୁଖୀ ଦାମ୍ପତ୍ୟ ଜୀବନ କଟେଇଥିଲେ କି ? ରାବଣର ମୃତ୍ୟୁ ପରେ ମନ୍ଦୋଦରୀ ଦିଅର ବିଭୀଷଣଙ୍କୁ ବିବାହ କରିଥିଲେ ଓ ମର୍ଯ୍ୟାଦା ପୁରୁଷ ରାମ ପତ୍ନୀ ସୀତାଙ୍କ ବିରୁଦ୍ଧରେ ଅନ୍ୟ କାହାର ଚୁଗୁଲିକୁ ସହ୍ୟ କରିନପାରି ତାଙ୍କୁ ଗର୍ଭବତୀ ଅବସ୍ଥାରେ ହିଁ ତ୍ୟାଗ କରିଥିଲେ l ସେମାନଙ୍କ ବୈବାହିକ ଜୀବନ ଆଦର୍ଶପୂର୍ଣ୍ଣ ନୁହେଁ ନିଶ୍ଚୟ l ତାହେଲେ କାହିଁକି ଆମର ଏଠି ବାହାଘର ବେଳେ ଏହି ଦମ୍ପତିଙ୍କ ଉଦାହରଣ ଦିଆଯାଇ ସେହିପରି ଏକ ବୈବାହିକ ଜୀବନର କାମନା କରାଯାଏ? 

ରବି ମନରେ ଉଙ୍କି ଆସିଥିବା ପ୍ରଶ୍ନକୁ ସେ ମାଉସୀଙ୍କ ଆଗରେ ଉପସ୍ଥାପନା କଲା l

--ରବି ! ତୁ ଭଲ ପ୍ରଶ୍ନ ଟେ ପଚାରିଛୁ l ଆରେ ହଁ ସେମାନଙ୍କ ଦାମ୍ପତ୍ୟ ଜୀବନ ଖୁବ ଜଟିଳ ଓ ଦୁଃଖଦାୟକ ଥିଲା l ତଥାପି ବିବାହରେ ସେମାନଙ୍କ ଉଦାହରଣ ଦିଆଯିବାର କାରଣ ହେଲା, ଆମ ସମାଜ ଚାହେଁ ନାରୀମାନେ ସେହି ସୀତା ମନ୍ଦୋଦରୀଙ୍କ ପରି ସହିଷ୍ଣୁ ହୁଅନ୍ତୁ l ସ୍ୱାମୀ ପର ସ୍ତ୍ରୀକୁ ଉଠାଇ ଆଣୁ ଅବା ପରର କଥାରେ ପଡି ସ୍ତ୍ରୀକୁ ଘରୁ କାଢି ଦେଉ, ତଥାପି ସ୍ତ୍ରୀଟି ପାଟି ନଫିଟାଉ l ସବୁ ନିର୍ଯାତନାକୁ ମୁଣ୍ଡପାତି ସହିଯାଉ l ଏଇଟି ପରା ପୁରୁଷ କୈନ୍ଦ୍ରୀକ ସମାଜର ମନ୍ତ୍ର l ଏ ମନ୍ତ୍ର ଫନ୍ତ୍ର ନପଢି ଵି ବାହାଘର ହେଇପାରେ l ଏସବୁ ଖାଲି ପ୍ରହସନ l 

ରବି ଦୁଃଖୀ ହେଲା l 

ବିବାହ କାର୍ଯ୍ୟ ସମ୍ପନ୍ନ ହେଲା l ଏବେ ଝିଅବିଦାର ସମୟ l ବୋଉ,ଖୁଡୀ, ଜେଜେମାଆଙ୍କର ଛାତିଫଟା କ୍ରନ୍ଦନ l ବାପା କକା ଵି କାନ୍ଦୁଛନ୍ତି l ପିଙ୍କିନାନୀ କିନ୍ତୁ ଏକଦମ ସ୍ଥାଣୁ l ଆଖିରୁ ଟୋପାଏ ଲୁହ ଖସୁନାହିଁ l ସେହିଦିନ ରଜତ୍ ଆଗରେ ଯାହା ସବୁଯାକ ଅଶ୍ରୁ ହୃଦୟ ନିଗାଡ଼ି ଢାଳିଦେଇ ଆସିଥିଲା l ସେହିଟି ଥିଲା ତାର ଅସଲ ବିଦାୟ l ଆଖିରେ ଆଉ ଲୁହ ବଞ୍ଚିକି ଥିଲେ ତ ଝରିବ ! ସମସ୍ତେ ଜ’ଣ ଜ’ଣ କରି ଆସି ତାକୁ କୁଣ୍ଢେଇଧରି କାନ୍ଦୁଛନ୍ତି l ତୁଳସୀଦେବୀଙ୍କ ଆଖିଦିଓଟି ସିନ୍ଦୁର ଠୁ ବେଶି ଲାଲ୍ l 

"ନାନୀ କ’ଣ ଖୁବ ଗୋଟେ ବିରାଟ ଝଡ଼ର ସାମ୍ନା କରିବାକୁ ଯାଉଛି ନାଁ ଏ ଘରକୁ ଆଉ ସେ କେବେ ଫେରି ପାରିବ ନାହିଁ ? ମାଉସୀ ! ସମସ୍ତେ ଏତେ କାହିଁକି କାନ୍ଦୁଛନ୍ତି? "

--ତାର ପରିଚୟ ବଦଳୁଛି l ଅଜଣା ଲୋକଙ୍କ ଅଧିକାରରେ ଏବେ ତାର ସମଗ୍ର ସତ୍ତା l ତୋ ଘର ଲୋକ ସେଇଟା ବେଶ୍ ଭଲରେ ବୁଝିଛନ୍ତି l ସେଥିପାଇଁ ସେମାନଙ୍କୁ ଭୀଷଣ କଷ୍ଟ ହେଉଛି l ପୁଅମାନଙ୍କ ପାଇଁ ସେ ଦୁଃଖ ନଥାଏ ରେ ରବି !

ଶୈଶବରୁ ଯୌବନ ସମସ୍ତ ସ୍ମୃତିକୁ ପଛରେ ଛାଡ଼ି ପିଙ୍କିର ବରଗାଡି ତା ଘର ଆଗରେ ଧୂଆଁ ଉଡେଇ ଚାଲିଗଲା l

ଅକ୍ଷୟବାବୁ ବାହାଘରର ଟିକିନିଖି ହିସାବ କରୁଥିଲେ l ପ୍ରାୟ ଷୋହଳ ଲକ୍ଷ ଟଙ୍କାର ଖର୍ଚ୍ଚ କରାଯାଇଛି l ଏକ ମଧ୍ୟବିତ୍ତ ପରିବାର ଉପରେ ଏତିକି ଟଙ୍କାର ବୋଝ ଵି ବହୁତ ଅଧିକ l ସବୁ ଧାର କରଜ ଶୁଝିବାକୁ ବେଶ୍ କିଛିଦିନ ଲାଗିଯିବ l

 --ମାଉସୀ ଏତେ ଟଙ୍କା ଖର୍ଚ୍ଚ କରି ଯାହାକୁ ବାହା କଲେ ସେ ଯଦି ଖୁସି ନହୁଏ, ତାହେଲେ ବାହାଘରଟା ଖାଲି ବୃଥାବ୍ୟୟ ନୁହେଁ କି? 

"ହଁରେ ରବି l ବୃଥା ବ୍ୟୟ l କିନ୍ତୁ କଣ କରିବା? ଏହି ଯେଉଁ ସୁନା ରୁପାର ଅଳଙ୍କାର,ଦାମୀ ଗାଡ଼ି ଓ ମୋଟା ଅଙ୍କର ଯୌତୁକ ରାଶି ଦିଆ ନିଆ କରାଯାଏ, ଏସବୁ ପରା କିଛି ଲୋକଙ୍କ ପାଇଁ ଲାଭଜନକ ବ୍ୟବସାୟ l"ରବିର ମାଉସୀ ଉତ୍ତର ଫେରେଇଲେ l

--ମାଉସୀ! ତାହେଲେ କଣ ବାହାଘର ସତରେ ଗୋଟେ ବିଜନେସ?  

--ହଁ ରବି l ବେଳେବେଳେ ଏହି ଆମର ପାରମ୍ପରିକ ବିବାହ ଲାଭଜନକ ବ୍ୟବସାୟର ରୂପ ନିଏ l ଅଳ୍ପ କିଛି ଦେବା ଓ ବେଶି କିଛି ପାଇବା ଭିତରେ ହିଁ ସବୁକିଛି ସୀମିତ ରହିଯାଏ l 

ରବି କିଛି ବୁଝୁଥିଲା l ଅଳ୍ପ କିଛି ତାର ଅବୁଝା ରହିଯାଉଥିଲା ଏବଂ ଏହି ବୁଝା ଅବୁଝାର ଅଡ଼ୁଆ ସୂତା ଭିତରେ ସେ ତା ପିଙ୍କିନାନୀକୁ ବେଶି ବେଶି ମନେ ପକାଉଥିଲା l   


Rate this content
Log in

Similar oriya story from Abstract