ପିଲାଦିନ
ପିଲାଦିନ
ଲିଟୁ ଖେଳିବାକୁ କାଇଁ ଆସିଲୁନି। ସମସ୍ତେ ଆସିଥିଲେ ହେଲେ ତୁ ନଥିଲୁ ବୋଲି ମୋତେ ଖେଳିବାକୁ ଇଛା ହେଲାନି। କଣ ପାଇଁ ଯାଇନୁ କହ ତ। ଏକ ନିଶ୍ୱାସରେ କହି କହି ରୁବି ଲିଟୁର ଘର ଭିତରକୁ ପଶିଗଲା। ମାଉସୀ ଲିଟୁ କାଇଁ, ଆଜି ଖେଳିବାକୁ ଆସିନି। ଲିଟୁର ମାଁ (ସୀତା) କହିଲେ ଆରେ ମା ଲିଟୁ ଆଜି ତା ବାପା (ହରି) ସହିତ ହୋଟେଲକୁ ଯାଇଛି। ଆଜି ହୋଟେଲ କାମ କରିବାକୁ କେହି ଆସିନଥିଲେ ତ ମାଲିକ ତାକୁ ଡକେଇ ପଠେଇଥିଲା। ମୁହଁ ସୁଖେଇ ରୁବି ଫେରିଗଲା ତା ଘରକୁ ଆଉ ମନେ ମନେ ଗୁଣୁ ଗୁଣୁ ହୋଇ କହୁଥିଲା ସରକାର ତ କହିଛନ୍ତି ସବୁ ପିଲା ପାଠ ପଢିବେ କେହି କାମ କରିବାକୁ ଯିବେନି ବୋଲି ପୁଣି ସେ ହୋଟେଲ ମାଲିକ ତାକୁ କାଇଁ ଡାକୁଛି।
ଲିଟୁ ଆଉ ରୁବି ସହର ତଳି ବସ୍ତିରେ ରହନ୍ତି। ଲିଟୁର ବୟସ ପାଖାପାଖି ଦଶ ବର୍ଷ ହବ ଆଉ ରୁବି ସେଇ ସାତ କି ଆଠ। ଲିଟୁର ବାପା ପାଖ ହୋଟେଲରେ କାମ କରନ୍ତି ଆଉ ରୁବିର ବାପା (ରାମ) ରିକ୍ସା ଚଲାନ୍ତି। ଯେତିକି ଯାହା ଆଣନ୍ତି ଦୁଇ ପରିବାର ଖୁସିରେ ଚଳନ୍ତି। ସେ ଦୁଇଜଣ ପାଖ ସ୍କୁଲରେ ପଢ଼ନ୍ତି ଆଉ ମେଧାବୀ ବି।ରୁବିର ପଢ଼ାରେ ଯାହା ଅସୁବିଧା ହୁଏ ଲିଟୁ ତାକୁ ବୁଝେଇଦିଏ। ସାଙ୍ଗ ହୋଇ ସ୍କୁଲ ଯାଆନ୍ତି। ସମୟ କାହାକୁ ଅପେକ୍ଷା କରେନି ଆଉ ସେଇ ସମୟ ସ୍ରୋତରେ ମଧ୍ୟ ଗାଡିଚାଲିଛି ଲିଟୁ ଆଉ ରୁବିର ଜୀବନ।କୁହନ୍ତି ଖୁସିର ଦୁଆର କେବେ କାହା ପାଇଁ ଲମ୍ବା ସମୟପାଇଁ ରହେନି। ସେଦିନ ବି ସେମିତି କିଛି ଘଟିଥିଲା ସେ ଦୁଇଜଣଙ୍କ ଜୀବନରେ ଯେବେ ରାତି ଅଧରେ କିଛି ଲୋକ ଆସି ତାଙ୍କୁ ଧମକ ଦେଲେ କି ସେ ଜାଗା ଛାଡ଼ି ଚାଲିଯିବାକୁ ଆଉ ଯଦି ସେମାନେ ସେଠୁ ନଯିବେ ତେବେ ସକାଳ ହବା ପୂର୍ବରୁ ସେମାନଙ୍କୁ ଶେଷ କରିଦେବେ। ବହୁ ବର୍ଷ ଧରି ଯଉ ଘରେ ରହୁଥିଲେ ସେଇଟା ବି ଆଉ ଦଇବ ସହିଲାନି। ଏବେ ଯିବେ କୁଆଡେ କଣ କରିବେ କିଛି ବୁଝିପାରୁନଥିଲେ ରାମ ଆଉ ହରି। ଯଉ ମାଟିରେ ତାଙ୍କର ପିଲାଦିନ କଟିଥିଲା ସେଇଟା ଏବେ ମାଟିରେ ମିଶିଯିବ। ଆତଙ୍କିତ ହୋଇ ସବୁ ବସ୍ତି ଲୋକ କିଏ କୁଆଡେ ଚାଲି ଯାଉଥିଲେ ନିଜ ପରିବାରର ବୋଝକୁ ବୋହି। ସେଦିନ ଅଲଗା ହେଇଗଲେ ଲିଟୁ ଆଉ ରୁବି। ଆକାଶରେ କଳା ବାଦଲ ଯେମିତି ଖଟେଇ ହଉଥିଲା ମେଘମାନଙ୍କୁ ନେଇ। ରୁବି କାନ୍ଦି କାନ୍ଦି ଲିଟୁକୁ କହୁଥାଏ ଆଉ କେବେ ଦେଖା ହବ ଆମର, ଏଠୁ ଗଲା ପରେ ମୋତେ ଭୁଲିଯିବୁନି ତ। ଆଖିରେ ଲୁହ ଆଉ ଛାତିରେ କୋହ ସମ୍ଭାଳି ଲିଟୁ କହିଥିଲା ଯେବେ ଦେଖା ହବ ସେଦିନ ତୁ ମୋର ହେଇଥିବୁ କେବଳ ମୋର, ଅପେକ୍ଷା କରିବୁ??ଉତ୍ତରରେ ହଁ ଭରିଥିଲା ରୁବି ଆଉ ଚାଲିଯାଇଥିଲା ତା ମାମୁ ଘରକୁ ବାପା ମା'ଙ୍କ ସହ।
ଏଇ କେତେ ବର୍ଷର ବ୍ୟବଧାନରେ ବହୁତ କିଛି ବଦଳିଯାଇଛି। ଏକ ସଡକ ଦୁର୍ଘଟଣାରେ ରୁବିର ବାପା ମାଆଙ୍କର ଦେହାନ୍ତ ହୋଇଛି ଆଉ ସେ ପୁରା ଏକୁଟିଆ ହେଇଯାଇଛି। ଏପଟେ ମାମୁଙ୍କର ବି ଆର୍ଥିକ ଅବସ୍ଥା ଭଲ ନୁହେଁ କିନ୍ତୁ ସେ କେବେ ରୁବିର ପଢ଼ାରେ ଅବହେଳା କରିନାହାନ୍ତି।ନିଜ ଝିଅ ପରି ପାଳିଛନ୍ତି ତାକୁ ଆଉ କିଏ ଆସିଲେ କାଳେ ରୁବିକୁ ଅଣଦେଖା କରିବ ଏପର୍ଯ୍ୟନ୍ତ ବିବାହ ବି କରିନାହାନ୍ତି।ବହୁ ପରିଶ୍ରମ କରି ରୁବି ମଧ୍ୟ ମାମୁଙ୍କ ସ୍ବପ୍ନକୁ ପୂରଣ କରିଛି ଏକ ସରକାରୀ ଚାକିରୀ ପାଇ।
ସେପଟେ ଲିଟୁ ମଧ୍ୟ କୃଷି ବିଭାଗରେ ଚାକିରୀ ପାଇଛି। ଆଉ ସେଇ କ୍ଷେତରେ ପ୍ରେମ ନିବେଦନ କରେ ଲିଟୁ ରୁବିକୁ। ସବୁଜ ଧନ କ୍ଷେତଟା ଯେମିତି ଇନ୍ଦ୍ରଧନୁର ସାତ ରଙ୍ଗରେ ଭରିଯାଇଥିଲା ତା ପାଇଁ କିନ୍ତୁ ମାମୁଙ୍କ ସହମତି ବିନା ସେ କେମିତି ହଁ ଭରିଦବ। ମାମୁ ବି ସ୍ମିତହାସ୍ୟ ଦେଇ ସମ୍ମତି ଜଣେଇଥିଲେ ଲିଟୁର ପ୍ରସ୍ତାବରେ। ବାସ ଛୋଟ ବେଳର ସେଇ ପ୍ରତିଶ୍ରୁତି ବାସ୍ତବରେ ପରିଣତ ହୋଇଥିଲା ରୁବି ପାଇଁ।ସାରା ଜୀବନ ହାତରେ ହାତ ଛନ୍ଦି ଚାଲିବାକୁ ଆଗେଇଯାଇଥିଲେ ଦୁଇ ପ୍ରେମ ପକ୍ଷୀ।

