ସ୍ମୃତି
ସ୍ମୃତି
ପିଲାବେଳେ ଇଂରାଜୀ ନୂଆ ବର୍ଷରେ ବାବା ଯେଉଁଠିକୁ ବି ଯାଆନ୍ତି ମୁଁ ସବୁଥର ତାଙ୍କ ସହ ଯାଏ। ସେତେବେଳେ ଗାଡି ବି ନଥିଲା, ବାବା ତାଙ୍କର ସେଇ ହିରୋ ସାଇକେଲେ ନେଇ ସବୁଆଡେ ଯାଆନ୍ତି, ଏମିତି କି ୩୦ କି ୪୦ କିମି ରାସ୍ତା ସେଇ ସାଇକେଲ ନେଇ ଯାଆନ୍ତି। ଏମିତି ଥରେ, ମୁଁ ବୋଧେ ତୃତୀୟରେ ପଢୁଥିଲି ବାବା କହିଲେ ଏଥର ନୂଆ ବର୍ଷରେ 'ଢୋ ଢୋଇଆ' ( ମୋ ଗାଁ ଠାରୁ ପ୍ରାୟ ୨୫ କିମି ଦୂରରେ ପଡେ, ପାଖରେ ଝରଣା ଅଛି) ପାହାଡ ଯିବା। ଭାଇ ଆଉ ନାନୀ ନିଜ ନିଜ ସ୍କୁଲ କିମ୍ବା ଟିଉସନ ଛୁଆଙ୍କ ସହ ନୂଆ ବର୍ଷରେ ଭୋଜି କରିବାକୁ ଯାଆନ୍ତି, କିନ୍ତୁ ମୁଁ କେବେ ଯାଏନି ଆମ ସ୍କୁଲ କି ଟିଉସନ ପିଲାଙ୍କ ସହ। ଘରେ ଯେତେ କହିଲେ ବି ମୋର ଗୋଟେ ଜିଦ କି ମୁଁ ବାବାଙ୍କ ସହ ଯିବି, ଜାଣିନି କାହିଁକି ମୋତେ ମୋ ବାବାଙ୍କ ସହ ଯିବାକୁ ଭଲ ଲାଗେ।
ହଉ ଛାଡନ୍ତୁ, ବାବା ଆସି କହିବା ପରେ ମୁଁ ସେ ପାହାଡ ର ନା ଶୁଣିକି ହସି ହସି ଗଡି ଗଲି। ପାହାଡ ର ନା ଥିଲା 'ଢୋ ଢୋଇଆ'। ସେତେବେଳେ ମୁଁ ବହୁତ ପ୍ରଶ୍ନ ପଚାରେ, ନା ଟା ଶୁଣୁ ଶୁଣୁ ବାବାଙ୍କୁ ପଚାରିଲି ସେ ପାହାଡର ନା ଏମିତି କାହିଁକି ହେଇଛି। ସବୁଥର ବାବା ମୋତେ ଉତ୍ତର କୁହନ୍ତି କିନ୍ତୁ ଏଥର କହିଲେ ସେଠିକୁ ଗଲେ ଜାଣିବୁ।
ମନେ ମନେ ଭାବୁଥାଏ, ସେଠି ଏମିତି କଣ ଅଛି ଯେ ସେଠିକୁ ଗଲେ ଜାଣିବି। ଏମିତି କିଛି ଦିନ ଗଲା ପରେ ନୂଆ ବର୍ଷ ଆସିଲା। ମୁଁ ସକାଳୁ ଉଠି ନୂଆ ଡ୍ରେସ ପିନ୍ଧି ବାହାରି ପଡିଲି ଯିବା ପାଇଁ। ସକାଳ ପ୍ରାୟ ୭ ଟା ବେଳେ ବାହାରିଲୁ ବାବାଙ୍କର ସେଇ ହିରୋ ସାଇକେଲରେ।
ସେହି ସ୍ଥାନରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ଥାଏ ମୁଁ ବାବାଙ୍କୁ ପଚାରିଲି ବାବା ଆଉ କେତେ ବାଟ ଯେ। ବାବା କହିଲେ ରହ, ଏତେ ବ୍ୟସ୍ତ କାହିଁକି ହଉଛୁ ଆଉ ଅଳ୍ପ ବାଟ ଅଛି। ତା ପରେ କିଛି ବାଟ ଯାଇଛୁ ଆରମ୍ଭ ହେଲା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସେଇ ପାହାଡ। ଦୁଇ ପାଖରେ ଶାଳ ଗଛ ଭରା ବଣ ଜଙ୍ଗଲ ଆଉ ମଝିରେ ପାହାଡର ବକ୍ଷ ଚିରି ମାଡିଯାଇଛି ନାଲି ସଡକ। ଯେମିତି ସବୁଜ ରଙ୍ଗର କାଗଜରେ କିଏ ଟାଣିଦେଇଛି ଧାରେ ସିନ୍ଦୁର ଗାର। ରାସ୍ତାର ଦୁଇ ପାର୍ଶ୍ଵରେ ଶାଳ ଗଛ ଉହାଡରେ ସତେ ଯେମିତି ସୂର୍ଯ୍ୟ ଦେବତା ଲୁଚକାଳି ଖେଳୁଥାନ୍ତି। ଅଧା ଛାଇ ଆଉ ଅଧା ଆଲୁଅର ସେଇ ରାସ୍ତାରେ ଯିବା ବେଳେ କିଛି ଶବ୍ଦ ଶୁଣିଲି। ପୁଣି ଥରେ ବାବାଙ୍କୁ ପଚାରିଲି ଏଇଟା କି ଶବ୍ଦ ବୋଲି। ବାବା କହିଲେ ଆଉ ଟିକେ ପରେ ସବୁ ଜାଣିପାରିବୁ। କିଛି ସମୟ ପରେ ଆମେ ପହଁଚିଲୁ ଆମ ଗନ୍ତବ୍ୟ ସ୍ଥଳରେ, ଯେଉଁଠି ଭୋଜିର ଆୟୋଜନ ହୋଇଥିଲା। ଆମ ପୂର୍ବରୁ ସେଠାରେ ବାବାଙ୍କ ଅନ୍ୟ ସାଙ୍ଗ ମାନେ( ବାବାଙ୍କ ସ୍କୁଲର ସବୁ ସାର ବାବାଙ୍କ ସାଙ୍ଗ ଥିଲେ କାରଣ ସବୁ ସେଇ ସ୍କୁଲରେ ପଢୁଥିଲେ ଯେଉଁଠି ସେମାନେ ଏବେ ଶିକ୍ଷକ ଅଛନ୍ତି) ବି ପହଁଚି ସାରିଥିଲେ। ମୁଁ ତ ସେଠାରେ ପହଁଚିଥିଲି କିନ୍ତୁ ମୋତେ ସେଇ ଶବ୍ଦ ଖାଲି ଶୁଭୁଥାଏ। ବାବା ତାଙ୍କ ସାଙ୍ଗ ମାନଙ୍କ ସହ ବସି କଥା ହେଲେ। ଅନ୍ୟ ସାରଙ୍କ ପିଲା ମାନେ ବି ଆସିଥାନ୍ତି,..। ସ୍କୁଲର ପିଅନ ରମା ନନା ଆମକୁ ନେଇ ସେ ଶବ୍ଦ ଶୁଭୁଥିବା ଦିଗ ଆଡକୁ ନେଇଗଲେ। ଏବେ ଜାଣିଲି ପାହାଡର ନାମ କାହିଁକି ଢୋ ଢୋଇଆ ବୋଲି। ସେଠି ଗୋଟେ ଥିଲା, ଆଉ ସେ ଝରଣାର ଜଳ ବିନ୍ଦୁ ପାହାଡର ପଥର ଉପରେ ମାଡ ହୋଇ ଏମିତି ଶବ୍ଦ କରୁଥିଲା ଯେମିତି ସେଇଠି ଘଡଘଡି ମାରୁଛି। ପାହାଡ ବହୁତ ଉଚ୍ଚ ଥିଲା, ଆଉ ପାହାଡ଼ରୁ ସେଇ ଝରଣା ଏତେ ଉଚ୍ଚରୁ ପଡୁଥିଲା ଯେ ୫୦୦ ମିଟର ରାଡ଼ିଅସ ଭିତରେ ଛିଡା ହେଲେ ବି ଓଦା ହେଇ ଯିବ ଜଣେ। ସେ ସ୍ଥାନର ବର୍ଣ୍ଣନା ଯେତେ କଲେ ବି କମ ପଡିବ, ପାହାଡର ପାଦ ଦେଶରେ ଥିଲା କିଛି ଗାଁ। ଆଧୁନିକ ସଭ୍ୟତା ଠାରୁ ବହୁତ ଦୂରରେ ସେମାନେ, ଗାଁକୁ ବିଜୁଳି ନାହିଁ। ଶାଳ ପତ୍ର କୁଡ଼ିଆ, ନାଲି ମାଟି କାନ୍ଥ ଆଉ କାନ୍ଥରେ ଝୋଟି ଚିତା। ସେହି ଝରଣା ହି ସେମାନଙ୍କ ସାହା ଭରସା, ସେହି ପାଣିକୁ ସେମାନେ ନିତ୍ୟ ବ୍ୟବହାର କରନ୍ତି ଆଉ ସେହି ପାଣିକୁ ବ୍ୟବହାର କରି ଫସଲ କରନ୍ତି। ଏତେ ନିରୀହ ସେମାନେ ଜଣେ ନଦେଖିଲେ ବିଶ୍ୱାସ କରିପାରିବେନି। ସେମାନଙ୍କୁ ଦେଖି ମୋତେ ସେହି ଝରଣା ବିଷୟରେ ଅଧିକ ଜାଣିବାକୁ ଇଛା ହେଲା ତ ସେମାନଙ୍କୁ ପଚାରିଲି ଏହି ଝରଣା କେମିତି କଣ ବୋଲି। ଆମକୁ ଦେଖି ଖଜୁରୀ ପତ୍ରରେ ତିଆରି ସପ ପକାଇଲେ। ତା ପରେ ସେ ବୃଦ୍ଧ ବ୍ୟକ୍ତି ଜଣକ କହିଲେ, ସେ ଝରଣାଟି କୃତ୍ରିମ ଝରଣା। ପାହାଡ ସେପାଖରେ ପାହାଡ ସବୁ କାଟି ଦେଇଥିବାରୁ ସେପଟେ ଥିବା ଜଳ ଭଣ୍ଡାର ରୁ ପାଣି ପଡୁଛି। ଆଗରୁ ଏମିତି କିଛି ନଥିଲା। ଆଉ ଜଙ୍ଗଲରେ ହାତୀଙ୍କ ଉପଦ୍ରବ ବି ବହୁତ, ଅନେକ ସମୟରେ ଆସି ଫସଲ ନଷ୍ଟ କରନ୍ତି ଆଉ ଘର ବି। ସେମାନଙ୍କ କଥା ଶୁଣି ଦୁଃଖ ଲାଗୁଥାଏ, ସରକାର ଏହି ମାନଙ୍କ ପାଇଁ କେତେ ସବୁ ଯୋଜନା କରୁଛନ୍ତି କିନ୍ତୁ ଆଜି ବି ସେସବୁ ଅପହଞ୍ଚ।
ତଥାପି ସେମାନେ ବହୁତ ଖୁସିରେ ଅଛନ୍ତି, ପ୍ରକୃତିର କୋଳରେ ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ। ସେ ପାହାଡ ଆଉ ଝରଣା ବି କୁହୁକ ପେଡି ଖୋଲିଦେଇଛନ୍ତି ସେମାନଙ୍କ ପାଇଁ। ଝୁଣା, କେନ୍ଦୁ ତୋଳି ନିଜ ଜୀବନ ଜୀବିକା କରୁଛନ୍ତି।
ଫେରିଆସିଲି ସେଦିନ, କିନ୍ତୁ ମନରେ ଥାଏ କେବେ ଯିବି ପୁଣି ସେହି ଝରଣାର ଢୋ ଢୋ ଶବ୍ଦ ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଦେଖିବି।
୧୫ ବର୍ଷ ପରେ ଯାଇଥିଲି,....ବହୁତ କିଛି ବଦଳିଛି। ନା ଅଛି ସେହି ସବୁଜ ସୁନ୍ଦର ପାହାଡ ନା ସେହି ଝରଣା। ଅର୍ଧ ଭଗ୍ନ ପାହାଡ ଅଛି କିନ୍ତୁ ଶାଳ ଗଛ ନାହିଁ। କୁହୁକ ପାହାଡ ଆଉ ନଥିଲା କି ସେଇ ପ୍ରକୃତିର ଯାଦୁ ବି ନଥିଲା। କ୍ରସର ଗୁଣ୍ଡ ରେ ଗଛର ପତ୍ର ସବୁ ସବୁଜ ବଦଳେରେ ଧୂସର ହେଇଯାଇଛି। ମାଟି ଘର ପରିବର୍ତେ ଅଛି ପକ୍କା ଘର। ଯେଉଁ ଖୁସି ରେ ଯାଇଥିଲି ସେତିକି ଦୁଃଖରେ ଫେରିଆସିଲି। ପରିବର୍ତ୍ତନ ଆଉ ଆଧୁନିକତା ନାମରେ ଆମେ ନିଜେ ନିଜ ଗୋଡ଼ରେ କୁରାଢୀ ମାରୁଛେ। ଏମିତି ଯଦି ଚାଲିବ ତାହେଲେ ଏହି ପ୍ରକୃତିର ସୁନ୍ଦର ସୃଷ୍ଟି ସବୁ କେବଳ ଚିତ୍ର ହୋଇ ରହିଯିବ।
