Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Satyabati Swain

Abstract Thriller

3  

Satyabati Swain

Abstract Thriller

ଫୋଲଡ୍ ଛତା

ଫୋଲଡ୍ ଛତା

4 mins
496


ଘରଟାକୁ ପକେଇ ଉଠେଇ ଦେଲେଣି ନିର୍ମାଲ୍ୟ।କଣ ଗୋଟେ ଖୋଜୁଛନ୍ତି ;କିନ୍ତୁ ମିଳୁନି।କଣ ଖୋଜୁଛନ୍ତି କେବଳ ସେ ଜାଣନ୍ତି।ପଚାରିଲେ କହୁଛନ୍ତି ତୁମେ ଅଯୋଗ୍ୟ କୌଣସି ଜିନିଷ ଠିକ୍ ଭାବେ ରଖି ପାରୁନ।ଯାହା ଯେଉଁଠି ପାଇଲ ଗୁଞ୍ଜିଲ। ବା କିଏ କୁଆଡେ ପଡିଲା।ଖୋଜିଲା ବେଳେ ଠିକ୍ ଜିନିଷ ଠିକ୍ ବେଳେ ମିଳନ୍ତା କି!


     କି ଗୋଟିଏ ଜିନିଷ ଖୋଜିବାକୁ ଯାଇ ଅନେକ ଜିନିଷ ରାଗି ଫୋପାଡ଼ି ଭାଙ୍ଗି ସାରିଲେଣି ନିର୍ମାଲ୍ୟ।ଘରଣୀ କଳ୍ପ ଅବାକ୍।ନିର୍ମାଲ୍ୟ ଏଇ ଦଶ ବର୍ଷ ସଂସାର ବାନ୍ଧିବା ଭିତରେ ଏପରି ରାଗିବା କି ଗୋଟେ ଜିନିଷ ପାଇଁ ଏତେ ଜିନିଷ ଭାଙ୍ଗିବା ପ୍ରଥମ ଥର ଦେଖୁଛନ୍ତି।କଣ ସେ ଜିନିଷ ଟି।ନିହାତି ମୂଲ୍ୟବାନ ଚିଜ ହୋଇଥିବ ନିଶ୍ଚୟ।କିନ୍ତୁ ନାଁ ଟା କହୁ ନାହାନ୍ତି।କେମିତି ଜାଣିବ ଜିନିଷ ଟି ଅଛି କି ଫିଙ୍ଗା ଯାଇଛି।ହଇଓ ଜିନିଷ ନାଁ ଟା ତ କୁହ।


   ମୁଁ ମନା କରିଥିଲି ମୋ ଜିନିଷ ପତ୍ରରେ ଲାଗିବ ନାହିଁ।କେଉଁଠି କଣ ଥାଏ ତୁମେ କଣ ଜାଣିଛ ?ଦେଇଛ ଘାଣ୍ଟି।କଣ ହୀରା ଲୀଳା ଲୁଚେଇ ରଖିଥିଲି ଯେ ଖୋଳ ତାଡ଼ କରି ନେଇ ଯାଇଛ। ତୁମେ କାହିଁକି ଲାଗିଲା ମୋ ଥାକରେ କୁହତ।


   ଓ ଏଇ କଥା।ଏଣେ ତେଣେ ଜିନିଷ ଗୁଡା ପଡିଥିଲା ହେଲା ଏବେ ସଜାଡି ଦେଲି।ଲୋକେ ସିନା ଏମିତି କାମରେ ଖୁସି ହୁଅନ୍ତି! ହେଲେ ୟାଙ୍କୁ ଦେଖ୍ ଓଲଟି ଗାଳି ଗୁଲଜ।ପୁଣି କଣ ନା ମୋ ଥାକ।ହଇଓ ତୋର ମୋର ଗୋଟେ ହେଉଛ।ସବୁ ତ ଆମର!ଏ ତୋର ମୋର ଆଇଲା କେଉଁଠୁ? ଯାହା କୁହ ତୁମେ ବଦଳି ଗଲଣି।ନା ଆଉ କାହାକୁ ରସିଲଣି କି ?


           ଦେଖ ମୋ ମୁଡ଼ ଭଲ ନାହିଁ,ରଗାଅନି କହୁଛି କଳ୍ପ।ତୁମକୁ ବାରମ୍ବାର କହିଥିଲି ସବୁଥିରେ ଲାଗିବ ହେଲେ ଉପର ଥାକରେ ଲାଗିବ ନାହିଁ।ବହୁତ ଜରୁରୀ ଜିନିଷ ଥିଲା ସେଠି।କହିଲେ ନିର୍ମାଲ୍ୟ।

    ଜରୁରୀ ଜିନିଷ!କାଇଁ ବା....।ମୁଁ ତ ସଫା କଲା ବେଳେ କିଛି ଜରୁରୀ ମହଙ୍ଗା ଜିନିଷ ପାଇଲି ନାହିଁ।ଗୁଡାଏ ଡାଇରୀ ଓ ଗୋଟେ ରଙ୍ଗ ଉଡା କଳଙ୍କି ଲଗା ଥ୍ରୀ ଫୋଲଡ଼ ଛତା।ଗୋଟିଏ ଟଙ୍କା ବି ନଥିଲା ସେଠି ଆଶ୍ଚର୍ଯ୍ୟ ପ୍ରକଟ କରି କହିଲେ ଶ୍ରୀମତୀ ଘରଣୀ କଳ୍ପ।


    ହଁ... ହଁ ସେ ଛତା... କେଉଁଠି ରଖିଛ!ବ୍ୟଗ୍ର ହୋଇ ପଚାରିଲେ ନିର୍ମାଲ୍ୟ । ସତେ କି ସେ ଛତାରେ ହୀରା ଲୀଳା ଲାଗିଥିଲା। ସେମିତି ବିକଳ ହୋଇ ଅଣାଇଥିଲେ କଳ୍ପ ମୁହଁକୁ।

      ତୁମେ ପରା ନିଜେ ଆର ରବିବାର ଦିନ ଅଳିଆ ଗାଡି ପଠାଇ କହିଥିଲ ଘରେ ଯେତେ ଅଳିଆ ଅଛି ଦେଇ ଦେବାକୁ!ରଙ୍ଗ ଛଡା ପୁଣି କଳଙ୍କି ଲାଗିଲାଣି ଆଉ କଣ ବ୍ୟବହାର କରି ହୋଇ ଥାନ୍ତା।ଫିଙ୍ଗି ଦେଲି ସବୁ ଅଳିଆ ସହ ତାକୁ।ଆଜକୁ ଆଠ ଦିନ ହେବ।ତୁମେ ତାହେଲେ ସେଇ ଅମୂଲ୍ୟ ଛତାଟିକୁ ଖୋଜୁଛ?

କଣ କହିବ ଭଲା।ଆଜି ଏବେ ବର୍ଷା ହେଉଛି।ଛତା ଦରକାର।ତା ବୋଲି କେଉଁ ଅସିଆ କାଳର ମସିଆ ଜିନିଷ ଦରାଣ୍ଡୁଛ ବୋଲି ମୁଁ କେମିତି ଜାଣିବି!


      ଦେଇ ଦେଇଛ ସେଇଟିକୁ ! ଓହୋ କଳ୍ପ ତୁମେ କଣ କଲ!ସେଇଟି ମୋର ନୁହେଁ,ଅନ୍ୟର।ତାକୁ ଦେଖିଲେ ଫେରେଇ ଥାଆନ୍ତି ସେ ଛତା ଟିକୁ। ଦେବା କଥା ଯଦି ନୂଆଟିଏ କିଣି ଦେବନି।ସେଇଟା ତ ଆଉ କେଉଁ କାମରେ ଆସିବନି..

 

     ନିର୍ମାଲ୍ୟ ବାବୁଙ୍କ ଛାତିଟା କଣ ହୋଇଗଲା।ଓଃ ମୋ ଛାତି କହି ବସି ପଡିଲେ ତଳେ।କଳ୍ପ ଚକିତ।ହାଉଳି ଖାଇଲା କଣ ହେଲା ତୁମର।ଫୋନ୍ କଲା ଡାକ୍ତର ବାବୁଙ୍କୁ।ଚିତ ହୋଇ ଶୋଇଥିଲେ ନିର୍ମାଲ୍ୟ।ଅତ୍ୟଧିକ ଟେନ୍ ସନ୍ ରୁ ଏପରି ହୋଇଛି କହିଲେ।ଔଷଧ ଦେଇ ଗଲେ।ଶୋଇଛନ୍ତି ନିର୍ମାଲ୍ୟ। କଳ୍ପ ନିଜକୁ କୋଷୁଛି।କାହିଁକି ସେ ଛତାଟି ଦେଇ ଦେଲା ଭାବି।କି ସ୍ମୃତି ଯୋଡ଼ା ସେଥିରେ ନିର୍ମାଲ୍ୟଙ୍କୁ ଅସୁସ୍ଥ କରିଦେଲା । ସେ ଯାହା ହେଉ ଭଲ ହେଇ ଯାଆନ୍ତୁ ନିର୍ମାଲ୍ୟ।


       ତା ପରଦିନ ନିର୍ମାଲ୍ୟ ବାବୁ ଅଫିସ୍ ଗଲେଣି ଦେହ ମନ କିଛି ଭଲ ଲାଗୁନି। ଚାରିଟା ବେଳେ ବାଲ୍କୋନିରେ ବସି ଥିଲେ ଚୁପ୍ ଚାପ୍। ଆଖି ବୁଜି ଆଉଜି ଥିଲେ ଚେୟାରକୁ।ଦେଖା ଗଲା ଗୋଟେ ଦୃଶ୍ୟ।ଜୋରରେ ବର୍ଷା କାଚୁଥିଲା।ସେ ଆସୁଥାନ୍ତି ଚାଲି ଚାଲି ବସ୍ ଷ୍ଟାଣ୍ଡ।ମୁଣ୍ଡ ଉପରେ ହାତ ଥୋଇ କ୍ଷିପ୍ର ବେଗରେ ପାହୁଣ୍ଡ ପକାଉଥାନ୍ତି।କେମିତି ପହଞ୍ଚି ଯିବେ ଓ ଧରିବେ ବାଲେଶ୍ୱର ବସ୍।ହଠାତ୍ ପଛରୁ ଆସି ଜଣେ ଝିଅ ତାଙ୍କ ମୁଣ୍ଡ ଉପରୁ ହାତ କାଢି ହାତରେ ଧରେଇ ଦେଲା ଗୋଟେ ଥ୍ରୀ ଫୋଲଡ଼ ଛତା ଓ ଚଢ଼ିଗଲା ଯାଜପୁରର ଏକ ବସ୍ ରେ।ବସ୍ ଟି ତାଙ୍କୁ ପାସ୍ କରୁଥିଲା ଓ ଝିଅଟି ମୁହଁ ଗଳେଇ ଝରକା ବାଟେ ହାତ ହଲାଉ ଥିଲା ହସି ହସି।ତା ହସ ଓ ହାତ ହଲା ନ ଦିଶିବା ପର୍ଯ୍ୟନ୍ତ ସେମିତି ସେ ଚାହିଁ ଥିଲା ସେ ।ଗାଡିଟିଏ ଆସି ପେଏଁ କରିବାରୁ ସେ ପ୍ରକୃତିସ୍ଥ ହେଲା।


     ଏଇ ନିମିଷକ ଭିତରେ କଣ ଘଟିଗଲା!ସେ ଝିଅଟି କିଏ?ତାଙ୍କୁ କାହିଁକି ଛତା ଦେଲା?ଝିଅଟି ହସ ହସ ମୁହଁ ଖୁବ୍ ଦିଶିଲା ତାକୁ।ମନେ ମନେ ହସିଲା ବହେ।ଯା ବି ହେଉ ଝିଅଟି ନିଶ୍ଚିନ୍ତ ଗୋଟେ ଭଲ ଝିଅ।ନଚେତ ଅଚିହ୍ନା ପୁଅଟାକୁ ତା ଛତା ଟି ଓଦା ହେବା ଦେଖି ଦିଅନ୍ତା କି!ସେ ଦିନଟି ତାଙ୍କ ଜୀବନ ପାଇଁ ନିହାତି ମନେ ରଖିବା ପରି ଦିନଟିଏ ହେଲା।କାରଣ ସେକ୍ରେଟେରିଏଟରେ ସେ ସେଦିନ ଚାକିରୀରେ ଜଏନ୍ କରି ଘରକୁ ଫେରୁଥିଲା ଜିନିଷ ପତ୍ର ନେବାକୁ।ପୁଣି ସେ ଝିଅଟି ଓ ତା ଛତା।ଗୋଟେ ନିଆରା ମଧୁର ଆନନ୍ଦ ଜଗଡ଼ି ଧରିଥିଲା ତାକୁ।


    ତାପରେ କି ଖରା କି ବର୍ଷା କି ଶୀତ ସବୁବେଳେ ବ୍ୟାଗ୍ ଭିତରେ ସେ ଛତାଟିକୁ ନେଇ ଯାଆନ୍ତି ଅଫିସ୍,ଘର,ବଜାର,ବନ୍ଧୁ ବାନ୍ଧବ,ଟୁର୍ ସବୁ ଜାଗାକୁ।ଆଶା ଥାଏ କାଳେ ଦେଖା ହୋଇଯିବ ସେ ଝିଅଟି ,ଫେରେଇ ଦେବେ ତା ଛତା ଓ ଧନ୍ୟବାଦ ଟିଏ ଦେବ।ଭାବି ଲାଜ ଲାଗେ ତାଙ୍କୁ କି ଯଦି ଝିଅ ଘରେ ରାଜି ହେବେ ତେବେ ସେଇ ଝିଅଟିକୁ ଜୀବନ ସାଥି ବି କରିବ।କେଜାଣି ଝିଅଟି କଥା ଭାବିଲେ ତାଙ୍କୁ କେମିତି କେମିତି ଲାଗେ।ଝିଅଟିକୁ ଦେଖିବାକୁ ପ୍ରବଳ ଲୋଭ ହୁଏ।ବେଳେବେଳେ ସ୍ୱପ୍ନରେ ଆସେ ବି ସେ ସେମିତି ହସି ହସି ହାତ ହଲେଇ।ଝିଅଟି ମନେ ପଡ଼ିଲେ ଛତାଟିକୁ ଛାତିରେ ଜାକି ତାକୁ ଅନୁଭବ କରିବାକୁ ଚେଷ୍ଟା କରନ୍ତି।ଛତାଟି ସତେ ଅବା ସେ ଝିଅ ହୋଇଯାଏ।ନିର୍ମାଲ୍ୟ ଯୁବକ ପ୍ରାଣ ଛତାଟିକୁ ଆଘ୍ରାଣ କରନ୍ତି,ଛାତିରେ,ଗାଲରେ ଲଗାନ୍ତି,ତା ସହ କଥାହୁଅନ୍ତି।ଲାଗେ ଛତା ନୁହେଁ ତାଙ୍କ ଆଗରେ ସେଇ ହସକୁରି ଝିଅଟି ଠିଆ ହୋଇଛି।କେବେ କେବେ ଅତି କଲବଲ କଲେ ଛତାଟିକୁ ଛାତି ଉପରେ ରଖି ଶୋଇ ଯାଏ ସେ।ବୋଉ ସକାଳୁ ଦେଖି ହସି ହସି କୁହେ" ତୋ ବୟସର ପିଲା ବାହା ସା ହୋଇ ପୁଅ ଝିଅର ବାପା ହେଲେଣି।ତୁ ଛତା ଧରି ପିଲାଙ୍କ ପରି ଶୋଉଛୁ ! ଯେତେ ପ୍ରସ୍ତାବ ଆସିଲେ ବି କଣ ଗୋଟେ ଆଳ ଦେଖାଇ ଭାଙ୍ଗି ଦେଉଛୁ।ବୁଢ଼ୀ ହେଲେଣି ପୁଅ ; ବୋହୁଟିଏ ମୋର ଦରକାର ହେଲାଣି ଧନ"।


   ସେ ଚୁପ୍ ରୁହେ।କାରଣ ଛତା ବାଲି ଝିଅ ତାଠୁ ତା ହୃଦୟ ଛଡାଇ ନେଇଛି।ସେ ଯାଜପୁର ବି ଗଲେ କେତେ ଖୋଜିଲେ କିନ୍ତୁ ପାଇଲେ ନାହିଁ।କାରଣ ନାଁ ଗାଁ ଠିକଣା କିଛି ଜଣା ନ ଥିଲା।ଏପରି ଖୋଜି ଖୋଜି ପାଞ୍ଚ ବର୍ଷ ହୋଇଗଲା।ଵୋଉକୁ ପାରାଲିସିସ୍ ଆଟାକ୍ କଲା ବାଧ୍ୟ ହୋଇ ବିବାହ କଲେ ସେ କଳ୍ପକୁ।


      ସେଇଦିନୁ ଛତାଟିକୁ ସେ କୋଟି ନିଧି ଅମୂଲ୍ୟ ସମ୍ପତ୍ତି ପରି ରଖିଥିଲେ।ଆଜି ଯାଏ ସବୁରି ଅଲକ୍ଷେ ଥିଲା ଛତାର ରହସ୍ୟ।ଛତାଟିକୁ ବର୍ଷା ଋତୁ ଆସିଲେ ବାହାର କରନ୍ତି।ନିଜ ମୁଣ୍ଡ ଉପରେ ବର୍ଷା ପାଣିରୁ ରକ୍ଷା ତ କରେନା,କିନ୍ତୁ ଅଦ୍ଭୁତ ଆନନ୍ଦ ଅନୁଭବ ଦେଉଥିଲା।ଭାବୁ ଥିଲେ କାଳେ ଦେଖା ହୋଇଯିବ ସେ ଝିଅଟି।କିଛି ନହେଲେ ଧନ୍ୟବାଦଟିଏ ଦେବେ ତ।


     ଦୀର୍ଘଶ୍ଵାସଟିଏ ବାହାରି ଆସିଲା ସଇଁତିରିଶି ବର୍ଷୀୟ ତରୁଣ ନିର୍ମାଲ୍ୟ ମହାନ୍ତିଙ୍କର ଛାତି ଥରାଇ ।ତାଙ୍କ ପାଖେ ଆଜି ଆଉ ନାହିଁ ସେହି ଫୋଲଡ଼ ଛତା ତାଙ୍କ ପ୍ରେମର ନାୟିକା।ଲାଗୁଛି ଦୁନିଆଁର ଆଜି ସେ ସବୁଠାରୁ ବଡ଼ ଦୁଖୀ ଗରିବ ମଣିଷ ଟିଏ।ହୃଦୟ ଅଛି ନାହିଁ କିନ୍ତୁ ଧଡ଼କନ୍ ଯେମିତି ଚାଲୁଛି ମେସିନ୍ ପରି।ପୁଣି ଅସରାଏ ବର୍ଷିଗଲା ବର୍ଷା ନିର୍ମାଲ୍ୟ ଉପରେ।ସେ ଦୌଡୁଥିଲେ ଅଳିଆ ଗଦା ପାଖକୁ ହୁଏତ ମିଳି ଯାଇ ପାରେ ଫୋଲଡ୍ ଛତାଟି !

  

    



Rate this content
Log in

More oriya story from Satyabati Swain

Similar oriya story from Abstract