ଫଳବାଲୀ ସଂସାରକୁ ନାତି ନାତୁଣୀ ଆସିବା ପରେ
ଫଳବାଲୀ ସଂସାରକୁ ନାତି ନାତୁଣୀ ଆସିବା ପରେ
ଖୁବ ବର୍ଷା ହେଉଥିଲା. ସ୍ୱାମୀଙ୍କ ପାଖରେ ବସି ଫଳ ବିକ୍ରୀ କରି ସ୍ୱାମୀଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼େଇଥିବା ସ୍ତ୍ରୀ ଭାବୁଥିଲେ ବହୁତ କଥା. ଏଇ ସ୍ୱାମୀ ନାମକ ପୁରୁଷଟି ସବୁବେଳେ ସ୍ତ୍ରୀ ଠାରୁ ମମତା, ସ୍ନେହ, ଆଦର, ଯତ୍ନ, ସେବା ଚାଁହୁଥିବାବେଳେ ଦିଏ କଣ!କିଛି ନାହିଁ.କେବଳ ଟୋପେ ସିନ୍ଦୁର. ସେଇ ସୋହାଗ ସିନ୍ଦୁର ବଦଳରେ ସ୍ତ୍ରୀ ଟି ସବୁ ସମର୍ପଣ କରେ. ଦୁହେଁ ଜୀବନରେ ଅନେକ ପାଇ ପୁଣି ହରା଼ନ୍ତି ଅନେକ.ପ୍ରଥମତଃ ଦୁଇ ପଟର ପିତା ମାତା ଗଲେଣି. ନିଜର ବୋଲି ସ୍ୱାମୀ ଙ୍କ ବଡ଼ ଭାଇ ଦୁଇ ଗଲେଣି ଆଉ ଏପଟୁ ପଚାଶ ଟପିଲାଣି ସମସ୍ତ ଭାଇ ଭଉଣୀଙ୍କୁ . ଏ ଦମ୍ପତ୍ତିଙ୍କ ନିଜର ନାତି ନାତୁଣୀ ତିନୋଟି. ଛୁଟିରେ ସେମାନଙ୍କ କଳରବରେ ଘର ପୁରି ଉଠୁଥିଲା ବେଳେ ଭୁଲିଯାଆନ୍ତି ଦୁହେଁ ଜୀବନର ଯେତେସବୁ ତିକ୍ତତା. ତିକ୍ତତା ଭିତରେ ଘରୁ ସୃଷ୍ଟି ହେଉଥିବା କିଛି ରଦ୍ଦି, ଯେମିତିକି ପୁରୁଣା ଚପଲ, ସମ୍ବାଦ ତଥା ଖବର କାଗଜ ବା ପୁରୁଣା ପେପେର, ଭଙ୍ଗା ଫଟା କାଚ କପ ପ୍ଲେଟ ସାଙ୍ଗକୁ ସ୍ୱାମୀଙ୍କ ଲେଖାଲେଖି କାଗଜ ସାଙ୍ଗକୁ ସ୍ତ୍ରୀ ଙ୍କ ଲେଖାଲେଖି ଗଳ୍ପ, କବିତା, ପ୍ରବନ୍ଧ ଓ ଶିଶୁ ଗଳ୍ପ ଆଦିର କାଗଜ ଥାକ .ଫଳ ବିକୁଥିବା ସମୟରେ ମଧ୍ୟ ସ୍ତ୍ରୀ ଲେଖନ୍ତି ନିଜ ଜୀବନର ଅଙ୍ଗେ ନିଭା ଘଟଣା ସବୁର ଅନୁଭୂତିରୁ ଦୁନିଆଁଦାରୀ ପର୍ଯ୍ୟନ୍ତ ସବୁ ଘଟଣା ପ୍ରବାହକୁ ନିଜ ଓଡ଼ିଆ ମାତୃଭାଷାରେ ଗଳ୍ପ, କବିତା ଓ ପ୍ରବନ୍ଧ ତଥା ଶିଶୁ ଗଳ୍ପ ଗୀତ ଆକାରରେ. ନିଜ ଦୁଇ ନାତି ଓ ଗୋଟିଏ ନାତୁଣୀଙ୍କ ଆଚ୍ଚରଣ ଓ ଉଚ୍ଚାରଣ ତଥା ତାଙ୍କ ଖେଳ କୌତୁକ ମଧ୍ୟ ପ୍ରେରଣା ଯୋଗାଇଥାଏ କିଛି ଲେଖିବାକୁ ଶିଶୁ ମନଛୁଆଁ ଲେଖା.
ସେଦିନ ଶ୍ରାବଣ ଆକାଶରୁ ଝର ଝର ବରଷି ଯାଉଥାଏ ମେଘ ଟୋପା ଟୋପା. ଘଡଘଡି ବାଘ ପରି ଗର୍ଜ୍ଜନ କରୁଥାଏ ତ ବିଜୁଳି ଝଟକୁଥାଏ. ସତେ ଯେମିତି ରୋଷଣୀ ପଟୁଆର. ଆଖିକୁ ନିଦ ନଥାଏ ନାତି ଓ ନାତୁଣୀ ଦୁହିଁଙ୍କୁ.ସେମାନଙ୍କ ମାଆ ବାପା ଖାଇପିଇ ଘୁଙ୍ଗୁଡ଼ି ମାରୁଥିଲା ବେଳେ ପୁଅର ପୁଅ ବାବା କାଗଜ ନାଆ କରି ତିନ୍ତି ବୁଡି ଚଉକା ଚଉକା ପାଣିରେ ନାଆ ଭଷାଇ ଚାଲିଥିଲା. ଆଉ ଝିଅର ଝିଅ ଏବେ ଏବେ ଯାଉଥିବା ସ୍କୁଲରୁ ନୂଆ ନୂଆ ରଦ୍ଦି ଜିନିଷରୁ ଗୃହପୋକରଣ ଜିନିଷ ଶିଖି ଠୁଙ୍ଗା ତିଆରି କରୁଥିଲା ବେଳେ ତା ଛୋଟ ଭାଇକୁ ଧରି ଶୋଇଯାଇଥିଲା ତା ମାଆ ଅର୍ଥାତ ଏ ଦମ୍ପତ୍ତି ଙ୍କ ଝିଅ.ଛୁଟିରେ ଘର ଫାଟିପଡୁଥିଲା ନାତି ନାତୁଣୀମାନଙ୍କ ଆଗମନ ସହ ସେମାନଙ୍କ କଳରବରେ.
ପାଖକୁ ଯାଇ ଚମକି ପଡିଲେ ସ୍ତ୍ରୀ. ସ୍ୱାମୀଙ୍କ ଲେଖା କାଗଜ ସବୁରେ ନାତୁଣୀ ଗଢୁଛି ଠୁଙ୍ଗା, କାଗଜ ଭୋଗେଇ ଓ କୁଲେଇ ତ ତାକୁ ସବୁ ପୁଣି ଫିଟେଇ ସଜାଡି ରଖୁଥିଲେ ସ୍ତ୍ରୀ. ଠିକ ସେତିକି ବେଳେ ବାଲକୋନି ଆରପଟେ ପୁଅର ପୁଅ ବାବା ଜେଜେମାଆଙ୍କ ଗୀତ, ଗଳ୍ପ, ପ୍ରବନ୍ଧ ଲେଖା ଖାତା ଚିରି କାଗଜ ଡ଼ଙ୍ଗା ଭସେଇ ଚାଲିଥିଲା ତ ଜେଜେ ନାତିକୁ ପୋଛି ପାଛି ଓ ତା ମୁଣ୍ଡ ଶୁଖେଇ ତା ବାପା ମାଆ ଜିମା କରି ପୁଅ ବାବାକୁ ଅର୍ଥାତ ନାତିକୁ ଦେଇଥିଲେ ତା ବାପା ଓ ମାଆ ଜିମା . ଛୁଟି ସରିଗଲା. ଯିଏ ଯାହା ବାଟରେ ଚାଲିଗଲେ. ସ୍ୱାମୀ ଖୋଜୁଥିଲେ ତାଙ୍କ ହଜିଥିବା ଆବଶ୍ୟକୀୟ କାଗଜ ଫାଇଲ ତ ନାତୁଣୀ ପାଖରୁ ଛଡେଇ ରଖିଥିବା ଚଉତା କାଗଜ ସବୁରୁ ମିଳିଯାଇଥିଲା ତାହା କିନ୍ତୁ ମୀନାବଜାରକୁ ଲେଖିଥିବା ଗଳ୍ପଟିକୁ ପ୍ରଜାତନ୍ତ୍ର ଅଫିସରୁ ସମ୍ପାଦକ ମହାଶୟ ମଗାଇ ନିରାଶ ହୋଇଥିଲେ କାରଣ ନାତି ସେଇଟିକୁ ନାଆ କରି ଭସେଇ ସାରିଥିଲା ଯାହା ମାଟି ସଙ୍ଗେ ମାଟି ହୋଇ ସାରିଥିଲା. ଏବେ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ଫରକ ଦର୍ଶାଇ ସ୍ତ୍ରୀ ଲେଖୁଥିବା ପ୍ରବନ୍ଧଟି ମଧ୍ୟ ସ୍ୱାମୀଙ୍କ ଦ୍ୱାରା ରଫ କାଗଜ ପାଲଟି ଯିବାରୁ ଛାଡ଼ପତ୍ର ଯାଏଁ କଥା ଯାଇଥିଲା ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ. ମଧ୍ୟସ୍ଥି ହୋଇ ବୟସ୍କ ରୂପେ କେତେଜଣଙ୍କ ଭିତରେ ସ୍ତ୍ରୀ କମଳା, ଫଳବାଲୀ ଙ୍କ ମଉସା ସମାଧାନ କରିଥିଲେ କହିକି ଯେ ଆଲୋ ମାଆ ଏଇଟା ପରା ଘର ଘରର କାହାଣୀ.
