ଦୁଇ ପୁଅ ରାମୁ ଓ ବିଶୁ, ଲଗାତାର ବର୍ଷା ଯୋଗୁଁ ସ୍କୁଲ ଯାଇପାରୁନାହାଁନ୍ତି. ସ୍ତ୍ରୀ ମଧ୍ୟ ଚିରା ଛତାଟିକୁ ତାଳି ପକେଇ ପକେଇ ବିରକ୍ତ ହୋଇଗଲାଣି ତ ରାମୁ ବାପା ରିକ୍ସା ନେଇ ବାହାରିଲା ବେଳକୁ ନେହୁରା ହୋଇ କମଳା କହିଥିଲା ଦୁଇ ପୁଅ ରାମୁ ଓ ବିଶୁ ପାଇଁ ଛତା ଦୁଇଟି ଆଣିବାକୁ. ପରିବା ପତ୍ର ଦରକାର ନାହିଁ. ନିଜ ହାତରେ ବାଡ଼ିରେ କରିଥିବା ବଗିଚାରେ ଭେଣ୍ଡି ଫଳିଛି ଖୁବ. ତୁମ ପାଇଁ ପାଗ ବନେଇ ଦେବି. ଆଉ ଦୁଇ ପୁଅଙ୍କ ପାଇଁ ଭଜା କରିଦେଲେ ହୋଇଯିବ. ଆଳୁ ଦିଟା ନପଡିଲେ କଣ ଲାଗିବ ବୋଲି ଓଲଟା ପ୍ରଶ୍ନ କରୁଥିଲା ରାମୁ ବାପା ସନିଆଁ ତ କମଳା କହୁଥିଲା ମୁଁ ପରା ଯେଉଁ ଆଳୁ ଗଜା ଲଗେଇଥିଲି ସେ ଛନଛନିଆ ହୋଇ ବଢ଼ି ଶୁଖିବାକୁ ବସିଲାଣି. ଗଛ ତଳେ ଢେର ଆଳୁ ଚଳିଯିବ ଆଜି ବୁଦାଟାକୁ ଉପାଡି ଆଣିଲେ. ତୁମେ କିନ୍ତୁ ଛତା ଦୁଇଟି ନିହାତି ଆଣିବ. ନହେଲେ ଦୁହେଁ ଆଉ ସ୍କୁଲ ଯିବେନି ବୋଲି କହୁଛନ୍ତି. ସନିଆଁ ଯାଉ ଯାଉ ଭାବୁଥିଲା ସବୁ ତ ଦେଲେ ସରକାର ଆଉ ବର୍ଷା ଦିନେ ଛତା ଦେବାକଥା କହିଲେ ଲାଜ ଲାଗିବା ସାର ହେବ.
ରିକ୍ସା ଗଡୁ ଗଡୁ ସନିଆଁ ଅନେଇଲା ରିକ୍ସା ହୁଡକୁ. ପାଣି ଗଳୁଛି. ବଦଳେଇବାକୁ ଅନେକ ଦିନୁ ଭାବି ମଧ୍ୟ ବଦଳେଇ ହେଉନି. ଆଜି ରିକ୍ସା କଥା ପଛ କିନ୍ତୁ ଛତା ଦୁଇଟି ସେ ନିଶ୍ଚୟ ନେବ କହି ଗରାଖଙ୍କୁ ଚାହିଁ ଚାହିଁ ହତାଶ ହେଲା ସନିଆଁ. ତୋ ରିକ୍ସାରେ ବସିଲେ ଏ ବର୍ଷାରେ ଓଦା ହେବା ସାର କହି ଅନ୍ୟ ରିକ୍ସାରେ ବସି ଫେରିଯାଉଥିବା ଗରାଖଙ୍କୁ ଚାହିଁ ଏଡ଼େ ବଡ଼ ବର୍ଷାରେ ଝାଳ ନିଗିଡି ପଡୁଥିଲା ସନିଆଁ ମୁଁହଁରୁ. ଗାମୁଛା ଟା ମଧ୍ୟ ସାତ ସିଆଁ. ଗାମୁଛାର କଳେବର ଭାବିଲେ କମଳା ପିନ୍ଧିଥିବା କସ୍ତାର ତାଳି ଦିଶିଯାଏ ତ ପେଜୁଆ ଆଖିରେ କମଳା ହାତର ସାତସିଆଁ ଗାମୁଛାରେ ମୁଁହଁ ପୋଛୁ ପୋଛୁ ସନିଆଁ ପ୍ରେମ ଜର ଜର ହୁଏ. ଭାବେ ଏ ବର୍ଷାରେ ଦିନେ ଘରେ ରହି କମଳା ସଙ୍ଗେ ପ୍ରେମାଳାପ କରନ୍ତା ହେଲେ ରିକ୍ସା ନଟାଣିଲେ ଓଳିଏ କଣ ଦୁଇଓଳି ଉପାସ. ସନିଆଁ ଏତେସବୁ ଭାବୁ ଭାବୁ ତା ନାଁ ନେଇ କେହି ଡାକୁଛି. ସନିଆଁ ଚିହ୍ନିଲା. ବାବୁଘର ସାଆନ୍ତାଣୀ ଓ ତାଙ୍କ ଝିଅ ତିନ୍ତି ବୁଡି ଘରକୁ ନେଇଯିବାକୁ ବ୍ଲକ ଅଫିସ କ୍ୱାଟର ଭିତରକୁ ନେଇଯିବାକୁ ଡାକୁଛନ୍ତି. ସେ ଦୁହେଁ ପରିଚିତ ଗରାଖ. ଯେତେବେଳେ ବାବୁ କି ସାନ ବାବୁ ଗାଡି ନେଇ ଯାଇଥିବେ ସନିଆଁ ରିକ୍ସା ହିଁ ଛକରୁ ଧରନ୍ତି ନହେଲେ ଘରେ ଥିବା ଫୁଲକୁ ପଠାନ୍ତି. ମାଆ ମନ ଚିହ୍ନନ୍ତି. ଦଶ ଜାଗାରେ ପନ୍ଦର ଦେଇ ପକଡି ଓ ଚା ପିଆଇ କହନ୍ତି ଠାକୁ ଠା ତୁମ ଛଡା କିଏ ରହିବ ସନିଆଁ!କୃତ୍ୟ କୃତ୍ୟ ହୋଇଯାଏ ସନିଆଁ. ଆଜି କିନ୍ତୁ ତାଙ୍କୁ ଅଧିକା କେଇଟା ଟଙ୍କା ଧାର ସୂତ୍ରରେ ମାଗିବାକୁ ଲାଜ ମାଡିଲା ସନିଆଁକୁ କାରଣ ଓଦା ହୋଇଯାଇଥିବା ମାଆ ଓ ଦେଇ ତା ରିକ୍ସାରେ ସୁରକ୍ଷିତ ନଥିଲେ ବରଂ ଯେତେ ପୋଛିଲେ ମଧ୍ୟ ହୁଡ଼ରୁ ଟୋପା ଟୋପା ପାଣି ପଡୁଥିଲା. ତଥାପି ଲାଜ ଲାଜ ହୋଇ ଶହେ ଧାର ମାଗିଥିଲା ସନିଆଁ ହେଲେ ମାଆ କହିଥିଲେ ଆଉ କେବେ ଦେବି. ଏବେ ଏଇ ଭଡା ପଚାଶ ଟଙ୍କା ନେଇଥାଅ. ତୁମ ଦେଇ ବାହାଘର ଜିନିଷ କିଣୁ କିଣୁ ପଇସା ସବୁ ନିଅଣ୍ଟ.
ବୁଝିଗଲା ସନିଆଁ କିନ୍ତୁ ବୁଝାଇପାରିଲାନି ଛତା ଦୋକାନିକୁ ଯେ ଛତା ଦୁଇଟି ଦେଇଥାନ୍ତୁ, ଦୁଇଦିନ ପରେ ନିଶ୍ଚୟ ଦେଇଦେବି. ମାଆ କହିଛନ୍ତି ମାନେ ଦୁଇଦିନ ପରେ ସେ ଦେଲେ ତୁମ ଟଙ୍କା ଶୁଝିଦେବି ଚାଚା. ମୋ ପୁଅ ଦୁହେଁ ଆଗ ସ୍କୁଲ ଯାଆନ୍ତୁ. ଚାଚା କିନ୍ତୁ ମନା କଲେ. ଆଜି ବହିନି ହୋଇନି ତୁ ଧାର ମାଗିଲେ କେମିତି ଦେବି କହିବାରୁ ଫେରୁଥିଲା ସନିଆଁ ଘରକୁ. ଭାବୁଥିଲା କସ୍ତା ଶାଢ଼ୀ ଖଣ୍ଡେ ନେଇଯିବିକି କମଳା ପାଇଁ. ନା ସେ ଭାବିବ ମାଆ ଦେଇଥିବା ଗାମୁଛାଟି ନିଜ ପାଇଁ କିଣି ତା ପାଇଁ ଶାଢ଼ୀ କିଣିଲା ବେଳେ ପୁଅ ଦୁହିଁଙ୍କ ଛତା କିଣା କଥା ଭୁଲିଯାଇଛି. ତ ଆଗରେ ପଡିଲା ଦେଶୀ ଭାଟି ମଦ ଦୋକାନ. ମଦ ସାଙ୍ଗକୁ ପତ୍ର କୋବି ପକଡି. ଭୁଲି ଗଲା ସବୁ. ଭାବିଲା ଆମ ପରି ଗରୀବର ବନ୍ଧୁ ଏଇ ଦେଶୀ ମଦ. ସବୁ ଦୁଃଖ ଭୁଲେଇ ଦିଏ ସିଏ ବନ୍ଧୁ ନୁହେଁତ ଆଉ କିଏ. ଫେରିଲା ବେଳେ ମୁଣ୍ଡ ବୁଲେଇ ଦେଲା. ବାନ୍ତି ହୋଇଗଲା ଘର ଦୁଆର ପାଖରେ. ଆଉ ଘରକୁ ଯିବା ପୂର୍ବରୁ ଟଳି ପଡିଲା ଦୁଆର ପାଖରେ. କମଳା ଛାନିଆଁ ହେଲା. ପାଣି ମୁନ୍ଦେ ପାଟିରେ ଦେଲା. ମୋର କିଛି ଦରକାର ନାହିଁ ତୁମେ ଦରକାର କହୁଥିଲା ବେଳେ ପିଲା ଦୁହେଁ କହୁଥିଲେ ମାଆ ଆଜି ପୁଣି ସେ ତାଳି ପକା କାଠ ବେଣ୍ଟ ଛତା ସଜାଡି ଦେଇଛି ଓ ତୁମ ପାଇଁ ପାଗ ବନେଇଛି, ଉଠ ବାପା. ନୂଆ ଛତା ଆମର ଦରକାର ନାହିଁ. ସ୍କୁଲରେ ସରକାର ଦେଵେ ବାପା ଉଠ. ହେଲେ ସନିଆଁ ଦେହ କାଠ ହୋଇ ନେଳି ପଡିଯାଇଥିଲା. ସନିଆଁ ଶବ ଉଠିଲା ବେଳକୁ ଦେଶୀ ମଦ ପିଇ ଅନେକ ଲୋକ ମାରିଛନ୍ତି ବୋଲି ଶୁଣି ଚାଚା ଛତା ଦୁଇଟି ଧରି ଦଉଡି ଆସିଥିଲେ ଓ କହିଲେ ଆଲୋ ଝିଅ କମଳା ମନ ଦୁଃଖ କରେନା ମାଆ. ତୋରି ଭଳି କେତେ ଘର ଭାଷି ଯାଇଛି ପରା ମାଆ. ମନ ଟାଣ କରି ପିଲାଙ୍କୁ ପଢ଼େଇ ବଢ଼େଇ ମନ ଦୃଢ଼ କର. କମଳା ଲୋଟୁଥିଲା ସନିଆଁ ଛାତିରେ କହି କହି ଏ ସମୟରେ ଅଦିନରେ ଆମକୁ ଛାଡି ତୁମେ ଗଲେ ଆମେ ବଞ୍ଚିବୁ କେମିତି. ରହିମ କାକା ହାତ ଧରି ଉଠାଇ କମଳାକୁ କହୁଥିଲେ ମତେ ବାକି ମାଗୁଥିଲା ଛତା ଦୁଇଟି ସନିଆଁ କିନ୍ତୁ ବହିନି କରିନଥିବାରୁ ଦେଇପାରିନି ତ ସେ ଋଣ ପରିଶୋଧ କରିବାକୁ କର୍ତ୍ତବ୍ୟ କରି ଶୁଝିବି ମୁଁ ଝିଅ, ତୁ ଉଠୁ. କାମ ବଢ଼ା. କମଳା ଲୋତକ ପୂର୍ଣ୍ଣ ନୟନରେ ଚାହିଁଥିଲା କେବଳ.