STORYMIRROR

Gobinda Chandra Sethi

Abstract Horror

4  

Gobinda Chandra Sethi

Abstract Horror

ପଦିଆ ଭୂତ

ପଦିଆ ଭୂତ

5 mins
215


     ବହୁଦିନ ତଳର କଥା l ଏକ ନଦୀ ଗଡା ଥିଲା,ନାଁ ତାର "ବାରିସଲ ଗଡା" l ସେତେବେଳେ ଗାଡି ମଟର ଏତେ ନ ଥିଲା l ଲୋକମାନେ ହାଟ ବଜାର ସାରି ସାଇକେଲ ଓ ଚାଲି ଚାଲି ବାରିସଲ ଗଡ଼ାର ଆର ପଟେ ଥିବା ଗାଁ ଗଣ୍ଡାକୁ ଯାଆନ୍ତି l ସନ୍ଧ୍ୟା ପରେ କେହି ଏକୁଟିଆ ଯିବାକୁ ସାହାସ କରନ୍ତି ନାହିଁ କି ଯାଆନ୍ତି ନାହିଁ l କାରଣ ଲୋକେ କହନ୍ତି ସେ ଗଡାରେ "ପଦିଆ ଭୂତ" ଅଛି l ପଦିଆ ନାଁ ନ ଧରିଲେ ଶଗଡ଼ ଗାଡି ଗଡା ଡେଇଁ ଆର ପାରିକୁ ଯାଇ ପାରେ ନାହିଁ l ତେଣୁ ରାତି ଅଧିକ ହେଲେ ଲୋକମାନେ କହନ୍ତି ପଦିଆ ବାବୁ ମୋତେ ଟିକେ ସାହାଯ୍ୟ କର l ଏହା କହିଲା ପରେ ତା ଶଗଡ଼ ସୁରୁ ଖୁରୁରେ ଗଡା ଉଠି ଚାଲି ଯାଏ l ନୋହିଲେ ବଳଦମାନେ ଶଗଡ଼କୁ ଆଗକୁ ଟାଣିବାକୁ ନାରାଜ, ଯେତେ ବାଡେ଼ଇଲେ ଆଗକୁ ହୁଙ୍କନ୍ତି ନାହିଁ l ତେଣୁ ସମସ୍ତଙ୍କ ମନରେ ଭାବନ୍ତି ରାତି ହେଲେ ଗଡ଼ାରେ ପଦିଆ ବାହାରୁଛି l

    ହେଲେ ଏ ପଦିଆ କିଏ ? ପଦିଆ ସେ ଅଞ୍ଚଳର ଏକ ବଡ଼ ଗୁଣିଆ ଥିଲା l କାହାକୁ ଭୂତ ପ୍ରେତ ଲାଗିଲେ ଓ କାହାର କିଛି ଅସୁବିଧା ହେଲେ ପଦିଆ ଗୁଣିଆ ଯାଇ ସବୁ ଠିକ କରୁଥିଲା l କିଛି ଲୋକ ଭାବିଲେ ପଦିଆ ଗୁଣି ଗାରେଡ଼ିରେ ତାଙ୍କର କଣ କ୍ଷତି କରି ପାରେ l ତେଣୁ ଗାଁର କେତେ ଜଣ ଲୋକ ସାଥୀ ହୋଇ ନଦୀ ବଢ଼ି ସମୟରେ ରାତିରେ ଲୁଚି ଲୁଚି ଯାଇ ପଦିଆକୁ ମାଡିବସି ଅଖାରେ ପୁରାଇ ନଦୀରେ ଫିଙ୍ଗି ଦେଇଥିଲେ l ସେହି ଦିନ ଠାରୁ ତା'ର ଆତ୍ମା ସେହି ନଦୀ ଗଡାରେ ଅଛି ବୋଲି ଲୋକେ କୁହନ୍ତି l

   ସେହି ଅଞ୍ଚଳରେ ଭଗିଆ ବୋଲି ଜଣେ ପିଲା ଥିଲା l ସେ ପିଲାମାନଙ୍କ ସହିତ ସବୁବେଳେ ଗାଁର ଗାଈ ନେଇ ଚରାଇ ବାକୁ ଏକ ପଡିଆକୁ ଯାଏ l ପଡିଆ ମଝିରେ ଏକ ବରଗଛ ଥାଏ l ଲୋକେ କହନ୍ତି ପଦିଆ ଦିନରେ ସେ ବରଗଛରେ ରହେ l ତେଣୁ ଡରରେ ଗଛ ପାଖକୁ କେହି ଯାଆନ୍ତି ନାହିଁ l କିନ୍ତୁ ଭଗିଆ ଦଣ୍ଡାବାଳୁଙ୍ଗା କାହା କଥା ଶୁଣେ ନାହିଁ l ସେ ନିର୍ଭୀକରେ ଗଛ ପାଖକୁ ଯାଏ l ଗଛ ପାଖରେ ଧ୍ୟାନ କରି କହେ ପଦିଆ ଭାଇ ମୋ ଦେହକୁ ଆସ l ସତକୁ ସତ କିଛି ସମୟ ପରେ ପଦିଆର ସବୁ ପ୍ରକାର ଗୁଣ ତା ଠାରେ ପରିଲକ୍ଷିତ ହୁଏ l ସେ ପଦିଆ ପରି ସବୁ ପ୍ରକାର କାର୍ଯ୍ୟ କଳାପ କରିବାକୁ ଲାଗେ l ଜଣେ ଗୁଣିଆ ଯାହା କରେ ସେ ସମୟରେ ସବୁ କିଛି କରିପାରେ l ସେଠାରେ ଥିବା ସାଙ୍ଗ ପିଲାମାନଙ୍କୁ ସେ ଗୁଣିର ଯାଦୁ ବି ଦେଖାଏ l 

ତୁଣ୍ଡ ବାଇଦ ସହସ୍ର କୋଷ l ଅର୍ଥାତ କିଛି ଦିନ ପରେ

କଥାଟି ଚାରି ଆଡେ ପ୍ରଘଟ ହୋଇଗଲା l ଯେଉଁମାନେ ପଦିଆକୁ ନଦୀରେ ବାନ୍ଧି ପକାଇ ମାରିଥିଲେ ପ୍ରମାଦ ଗଣିବାକୁ ଲାଗିଲେ l ଭାବିଲେ ସେମାନେ ସବୁ ଧରା ପଡି ଯିବେ l ତେଣୁ ଘର ପାଖରେ ଆଉ ଜଣେ ଛୋଟ ଗୁଣିଆ ଥାଏ ତା ନାମ ଜଗା ଗୁଣିଆ l ଯେଉଁମାନେ ପଦିଆକୁ ସେ ଦିନ ମାରିଥିଲେ ତା ପାଖକୁ ଧାଇଁବାକୁ ଲାଗିଲେ l କାଳେ ତାଙ୍କ ନାଁ ପ୍ରଘଟ ହୋଇ ଯିବ l ଏହାର ପ୍ରତିକାର ପାଇଁ ଲୋକମାନେ ତାକୁ କହିଲେ l ଜଗାର ମଧ୍ୟ ପଦିଆ ଉପରେ ରାଗ ଥିଲା l ତେଣୁ ଭଗିଆ ଦ୍ୱାରା ଜଗା ଗୁଣିଆ ପଦିଆର କୁଆଁରୀ ହାଡ଼ କେଉଁଠି ଅଛି ତାର ସନ୍ଧାନ କରିବାକୁ ଉପାୟ କଲା ଓ ଜଣେ ବଡ଼ ଗୁଣିଆ ହେବାକୁ ଚାହିଁଲା l ସେ ଅଞ୍ଚଳର ଲୋକେ କହନ୍ତି ଭଗିଆ ସବୁଦିନେ ରାତି ଅଧରୁ ଉଠି ସେ ପଡିଆରେ ଥିବା ବରଗଛ ପାଖକୁ ଯାଏ l ପଦିଆ ଗଛରେ ରଖିଥିବା କୁଆଁରୀ ହାଡ଼ ଜଣେ କୁଆଁରୀ କନ୍ୟା ରୂପରେ ଧଳା ଲୁଗା ପିନ୍ଧି ଆସି ତା ପାଖରେ ବସି କଥା ହୁଏ l ପାହାନ୍ତା ହେଲେ ସେ କନ୍ୟା ପୁଣି କୁଆଁରୀ ହାଡ଼ ହୋଇ ଗଛରେ କେଉଁଠି ଲୁଚି ଯାଏ l କାହାକୁ ଜଣା ପଡେ ନାହିଁ ସେ ଆସୁଛି କେଉଁଠୁଁ ଓ ରହୁଛି କେଉଁଠି l ଜଗା ଗୁଣିଆ ଭଗିଆକୁ ଡରାଇ,କିଛି ଟଙ୍କା ପଇସାର ଲୋଭ ଲାଳସା ଦେଖାଇ ହାତ କରିନେଲା କେମିତି କୁଆଁରୀ ହାଡ଼ ପାଇବ l ଦିନେ ରାତ୍ରରେ ଜଗା ଗୁଣିଆ ଭଗିଆକୁ ଡାକି ଏକ ସୂତା ବଣ୍ଡଲ ଦେଲା ଓ କହିଲା ଭଗିଆ ଦେଖ ଯେତେବେଳେ ସେ କୁଆଁରୀ କନ୍ୟା ତୋ ପାଖରେ ଆସି ବସିବ ତା ସହିତ ତୁ ହସି ହସି କଥା ହେବୁ l ସେ ଯାହା କହିବ ତା କଥା ମାନିବୁ ଓ ତା ପରେ ସୂତା ବଣ୍ଡଲ ଟା ଆସ୍ତେ ଆସ୍ତେ ଖୋଲି ତା ଚାରିପଟେ ଗାୟତ୍ରୀ ମନ୍ତ୍ର ବୋଲି ପାଞ୍ଚ ଘେରା ବୁଲିବୁ l ବୁଲି ସାରିବା ପରେ ତା ପାଖରେ ବସିଯିବୁ l ଯେତେବେଳେ ତୁ ବସିବୁ ଆମେ ଜାଣି ପାରିବୁ ତାପରେ ତୋ ପାଖୁ ଧାଇଁ ଆସିବୁ ତୁ କିନ୍ତୁ ସୂତା ବଣ୍ଡଲଟା ଆସ୍ତେ ଆସ୍ତେ ଖୋଲି ଚାଲିବୁ l

  ଦିନେ ରାତ୍ରରେ କଥା ମୁତାବକ ସବୁ ଠିକ କରାଗଲା l

ଭଗିଆ ରାତ୍ର ଅଧରେ ଘରୁ ବାହାରିଲା l ସେ ବରଗଛ ତଳେ ବସିବା କ୍ଷଣି କୁଆଁରୀ କନ୍ୟା ସାଇଁକିନା ଆସି ତା ପାଖରେ ବସି ପଡିଲା l କୁଆଁରୀ କନ୍ୟାର ଲଖ୍ୟ ଥାଏ ଅନ୍ୟ ପ୍ରକାର l ସେ ଭଗିଆକୁ ତା ପ୍ରେମ ଜାଲରେ ଫସାଇ ମାରି ତା ପାଖରେ ରଖିବାକୁ ଚିନ୍ତା କରୁଥାଏ l କିନ୍ତୁ ଏ କଥା ଭଗିଆ କେବେ ବି ଜାଣି ପାରେ ନାହିଁ l ଦୁହେଁ ହସ ଖୁସି ହେଉଥାନ୍ତି l କନ୍ୟାଟି କହିଲା ହେ ଶୁଣୁଛ ତୁମ ବିନା ମୋତେ ଏକୁଟିଆ ଏକୁଟିଆ ଲାଗୁଛି ଆଜି ଠାରୁ ତୁମେ ମୋ ପାଖରେ ରହିବ l ଭଗିଆ ଡରି ଯାଇ ହଁ ମାରିଲା l ତୁମେ ଦିନରେ ରହୁଛ କେଉଁଠି l ପଦିଆ ମୋତେ ଯେଉଁଠି ରଖିଥିଲା ମୁଁ ସେଇଠି ଅଛି l ଆଜି ଠାରୁ ତୁମକୁ ମୁଁ ମୋ ପାଖରେ ରଖିବି l ଭଗିଆ ବିଚେରା ଡରି ଗଲା l ଆଜି ତୁମକୁ ମୁଁ ଟିକେ ଭଲ କରି ଦେଖିବାକୁ ଚାହୁଁଛି, ଭଗିଆ କହିଲା l ହଉ ମୋ ଚାରି ପାଖ ବୁଲି ବୁଲି ଦେଖ ମୁଁ କଣ ମନା କରୁଛି, କୁଆଁରୀ କନ୍ୟା କହିଲା l ଏହା କହିବା ମାତ୍ରେ ଭଗିଆ ଧଳା ସୂତା ବଣ୍ଡଲଟା ଧରି ଗାୟତ୍ରୀ ମନ୍ତ୍ର ମନେ ମନେ ପଢି ପାଞ୍ଚ ଘେରା ବୁଲିଗଲା ଓ ଦୂରେଇ ହୋଇ ତା ପାଖରେ ବସିଲା l ଆରେ ଦୂରରେ ବସିଲ ଯେ,ଆସ ମୋ ପାଖକୁ ଲାଗି ବସ l ଏହା କହି କୁଆଁରୀ ଭଗିଆକୁ ସଙ୍ଗରେ ନେଇ ଗଛ ପାଖରେ ଥିବା ଏକ ଖାଲକୁ ଠେଲିବାକୁ ଚେଷ୍ଟା କରୁଥିଲା, ଭଗିଆ ଚିତ୍କାର କଲା l ଏହି ଚିତ୍କାର ଶୁଣିବା ପରେ ଜଗା ଗୁଣିଆ ଓ ତାର ସାଥୀମାନେ ଗଛ ପାଖକୁ ମାଡି ଆସିଲେ l ଲୋକ ଆସିବା ଦେଖି କୁଆଁରୀ କନ୍ୟା ହଲି ହଲି ଗଛ ଡାଳରେ କେଉଁଠି ଲୁଚିଗଲା l କିନ୍ତୁ ଭଗିଆ ସୂତା ବଣ୍ଡଲ ଆସ୍ତେ ଆସ୍ତେ ଛାଡି ଥିଲା l ସକାଳ ହୋଇ ଆସୁଥାଏ ଜଗା ଗୁଣିଆ ଭଗିଆକୁ ଶାନ୍ତ କରି ନ ଡରିବାକୁ କହିଲା l କିଛି ମନ୍ତ୍ର ବୋଲି କାଟ ପାଣି ପିଇବାକୁ ଦେଲା l ଯେତେବେଳ ପୁର ସକାଳ ହୋଇଗଲା ଜଗା ଗୁଣିଆ ସୂତାକୁ ଲଖ୍ୟ କରି ଗଛରେ ଚଢି ସିନ୍ଦୁର ଲାଗିଥିବା ଦୁଇଟି କୁଆଁରୀ ହାଡ଼ ଧରି ଖୁସିରେ ତଳକୁ ଓଲ୍ଲାହି ଆସିଲା l ତାପରେ ସେ ଜାଗା ଛାଡ଼ିବା ପୂର୍ବରୁ ଗୁଣୀ ଗାରେଡି ଦ୍ୱାରା ପଦିଆର ଆତ୍ମାକୁ ଏକ ବୋତଲ ଭିତରେ ପୁରାଇ ନିଜ ସାଥୀରେ ନେଇଗଲା l ସେହି ଦିନ ଠାରୁ ବରଗଛ ପାଖରେ ଆଉ କାହାର ଡର ଭୟ ରହିଲା ନାହିଁ l

    ପଦିଆ ଭୁତର ଡର ସେହି ଦିନ ଠାରୁ ଆଉ କେବେ

 ବାରିସଲ ଗଡ଼ାରେ ଦେଖିବାକୁ ମିଳିଲା ନାହିଁ l ତା'ପରେ ଲୋକମାନେ ଜଗା ଗୁଣିଆକୁ ପ୍ରଶଂସା କରି ଖୁସିରେ ଯିବା ଆସିବା କଲେ l କିନ୍ତୁ ଜଗା କୁଆଁରୀ ହାଡ଼ ପାଇ ଜଣେ ବଡ଼ ଗୁଣିଆ ହୋଇ ପ୍ରସିଦ୍ଧ ହୋଇଗଲା l ଭଗିଆ ମରୁ ମରୁ ବଞ୍ଚିଗଲା, ଆଉ ଯେଉଁମାନେ ପଦିଆ ଗୁଣିଆକୁ ମାରିଥିଲେ ଲୋକ ଲୋଚନକୁ ନ ଆସି ଖୁସିରେ ରହିଲେ l ଆଜି ସେ ନଦୀ ଗଡା ଅଛି ସତ ତା ତଳେ ଆଉ କେହି ଯା ଆସ କରୁ ନାହାଁନ୍ତି କି ପଦିଆ ଭୂତର ଭୟ ବି ନାହିଁ l କାରଣ ସେ ଗଡା ଉପରେ ସରକାର ଏକ ନୂଆ ବ୍ରିଜ ବନାଇ ଛନ୍ତି l ଲୋକମାନେ ବାରିସଲ ଗଡା ନ କହି ତାକୁ ବାରିସଲ ବ୍ରିଜ କହୁଛନ୍ତି l ନୂଆ ପିଢ଼ିମାନେ ପଦିଆ କଥା ଜାଣି ନାହାଁନ୍ତି l ଶୁଣିଲେ ହସିବେ ସତ , କିନ୍ତୁ କାହାଣୀଟିରେ ସତ୍ୟତା ଅନେକ ରହିଛି l 

       

   


Rate this content
Log in

Similar oriya story from Abstract