Soumya Shubhadarshinee

Romance Tragedy

2  

Soumya Shubhadarshinee

Romance Tragedy

ପାଉଁଶ ତଳର ନିଆଁ

ପାଉଁଶ ତଳର ନିଆଁ

5 mins
478



  ଅତୀତର କିଛି ନିଆଁ ଜଳୁଥାଏ ଅହରହ ମନର ଗହନ ବନରେ ମଣିଷର , ବର୍ତ୍ତମାନରେ । ଖାଲି ଯାହା ଦେଖାଯାଏ ନାହିଁ କେବେ ସେ ନିଆଁର ସ୍ୱରୂପ । ହେଲେ ସାରା ଜୀବନ ଯନ୍ତ୍ରଣା ଦିଏ ଅସହ୍ୟ ! ଆଉ ସେ ବିଧ୍ଵଂସୀ ଅଗ୍ନିକଣା ଏତେ ବଳଶାଳୀ ଯେ ଦଗ୍ଧ କରି ପାରେ ଭବିଷ୍ୟତର ସ୍ୱପ୍ନ ସମ୍ଭାର !


★★★★


   ସେ ଖୁଵ ଚିନ୍ତାରେ ଅଛି ସକାଳୁ। ଆଜି ଯାହା କରିଛି ସେ କଥା ଖାଲି ମନକୁ ଚଳଚଞ୍ଚଳ କରିଦେଉଛି। ସେ ଅସ୍ତବ୍ୟସ୍ତ ହେଉଛି। ତା' ଘରେ ସମସ୍ତଙ୍କ ସକାଳ ହୁଏ ଚାହା କପ ଆଉ ଖବର କାଗଜ ସହିତ। ସକାଳର ଶୀହରଣ , ଚା' ର ଚୁମ୍ବନ ଓ ଖବରର ମନ୍ଥନ। ହେଲେ ସକାଳୁ ସେ ଏମିତି ଗୋଟିଏ ଖବର ଦେଖିଛି ଯେ ଆଉ ସେ କାଗଜ କାହାକୁ ଦେଖାଇବାକୁ ଇଚ୍ଛା ହଉନାହିଁ ଯମା । ଖାସ୍ କରି ଜେଜେଙ୍କୁ ସେ ଖବର ସେ ଦେଖେଇ ପାରିବିନି ବିଲକୁଲ। ପ୍ରଭୁ ତୁମେ ଏତେ ନିଷ୍ଠୁର ସତେ ! ଅସହାୟ ମଣିଷକୁ ଆହୁରି ଦୁଃଖ ଦେଇ କି ଲାଭ ମିଳେ ତୁମକୁ?


*****


   ଜେଜେ ତାକୁ କୁହନ୍ତି ଟିଙ୍ଗୁଆ ।ସବୁବେଳେ କହିବେ ହେ ଟିଙ୍ଗୁଆ ଅରେ ମୋ ଚଷମା କୁଆଡେ ଗଲାକି ? କଣ ବାହୁବଳୀ ଶୁଭୁଛି ନା' ନାହିଁରେ ? ଟିଙ୍ଗୁଆରେ ଶୁଣ କୁଆଡେ ଗଲୁ ? ଆଉ ରଗିଯାଏ ତିତିର ତା' ସୁନ୍ଦରିଆ ନାଁକୁ ପୁରା ହନୁମନ୍ତିଆ କରିପକାନ୍ତି ଜେଜେ । ତିତିର କେଡେ କୁନୁମୁନିଆ ଗେଲ୍ହା ନାଁ ଟେ ଆଉ ଜେଜେ ତାକୁ କହୁଛନ୍ତି ଟିଙ୍ଗୁଆ ଧେତ୍ ପକ୍କା ବଦମାସ ଏ ଜେଜେ ବୁଢ଼ା ।

ତିତିରକୁ ଭାରି ହଇରାଣ କରନ୍ତି ଜେଜେ ଏ ମୋବାଇଲ, ହ୍ଵାଟ୍ସଆପ, ଇଣ୍ଟରନେଟ, ଫେସବୁକ ଆଦି କଥା ପଚାରି । ପଚାରିବେ ଏ ମୋବାଇଲରେ କ'ଣ ସବୁ କରିହେବ ? ଏ ମୋବାଇଲରେ ଆମେ ସୁପ୍ରଭାତ ସନ୍ଦେଶ କେମିତି ଲେଖିବା ? ଏ ଫେସବୁକ ଟା କଣ ? ଆଜିକାଲି କେମିତି ଫୋଟୋ ସବୁ ଛାଡ଼ୁଛନ୍ତି ସେଥିରେ ? ସେଥିରେ ଭିଡ଼ିଓ କେମିତି ଦେଖିବା ? ଏମିତି ଅନେକ ପ୍ରଶ୍ନ। ଜେଜେ ଏମିତି ପିଛାରେ ପଡନ୍ତି ଯେ, ସେ ଟିଙ୍ଗ ଟିଙ୍ଗ ହୁଏ ଆଉ ତା' ନାଁ ଟିଙ୍ଗୁଆ ହେଇଯାଏ।

  

   ତିତିର ପଚାରେ ଆଛା ଜେଜେ ଏ ମୋବାଇଲ , ଫେସବୁକର ମାୟାରେ କ'ଣ ପଡ଼ୁଛ ଯେ ? ତୁମେ କ'ଣ ଆମ ସାଙ୍ଗ ନା' କ'ଣ ତୁମ ଜି: ଏଫ ( ଗାର୍ଲଫ୍ରେଣ୍ଡ) ସହ କଥା ହବ ? ଏ ପାକଳ ବୟସରେ ପୁଣି ଏତେ ସଉକ ହାଁ । ତୁମ ଦେଇ ହବନି ବର୍ତ୍ତମାନର ଏ ଟେକ୍ନୋଲୋଜି କଥା ହେଲା ମୋ ମୁଣ୍ଡ ଆଉ ଗୁଣ୍ଡ କରନି ଦୟା କର। ହେଲେ ଜେଜେ ପୁରା ହିରୋ ମାର୍କା ହସଟେ ହସି ଚୁପି ଚୁପି କୁହନ୍ତି ଅଛି ଜଣେ ମୋର ଆପଣାର ହେଇଟି କାହାକୁ କହିବୁନିଟି ତୋତେ ମୋ ରାଣ ।

  

  ତିତିର ଦିଏ ଗୋଟେ ମସ୍ତ ପଞ୍ଚ ଆଉ କୁହେ ହଁ ତୁମେ ତ' ସାହରୁଖ ଖାନ ସମସ୍ତେ ତୁମ ପିଛା କରୁଛନ୍ତି । ମିଛୁଆ ଜେଜେ ମୁଁ କଣ ବୁଦ୍ଦୁ କିଛି ଜାଣିନି ହାଁ ।

  

 ଜେଜେ ଟିକିଏ ଆନମନା ହେଇ କୁହନ୍ତି ତାଙ୍କ ସ୍ୱପ୍ନିଳ ଅତୀତ , ରୂପସୀ ରୁପା ଦାଶ କଥା ତାଙ୍କର କଲେଜ କୁଇନ କଥା। ସେ ଥିଲେ କଲେଜ ପ୍ରେସିଡେଣ୍ଟ ଆଉ ରୁପା ଥିଲା ଯୁକ୍ତ ୨ ପଢୁଥିବା ସବୁଠାରୁ ସୁନ୍ଦର ଝିଅ । ବଢ଼ିଆ ଇଲେକ୍ସନ ପ୍ରଚାର କରିପାରୁଥିବା କୁଶଳୀ କର୍ମୀ। ତାଙ୍କ ପାଇଁ ପ୍ରଚାର କରୁଥିଲା ଆଉ ସେ ଜିତିଥିଲେ। ହେଲେ ରୁପା ପାଖରେ ହାରିଯାଇ ତାକୁ ମନ ଦେଇଦେଲେ। 


   ରୁପାର ବାପା ପୁଲିସ ପୁରା ବାଘୁଆ ନିଶ ଲମ୍ବା ଥାଟ । କଳା ମଚମଚ ଦେହ ଆଉ ପିନ୍ ପିନ୍ ଖାକି ପୋଷାକ ଭିତରେ ପୁରା ସାହେବ। ସେ କେତେ ଭଲ ପାଉଥିଲେ ରୁପାକୁ କହି ପାରିବେ ନାହିଁ ଆଜି। ରୁପା ଥିଲା ସ୍ୱପ୍ନ, ସୁଖ, ଶାନ୍ତି, ସମୃଦ୍ଧି ସବୁକିଛି। ତାଙ୍କର ଜୀବନଠୁ ବେଶୀ ଭଲ ପାଇଥିଲେ ସେ।


  ତିତିର ଖେତେଇ ହେଇ କୁହେ ଇସ୍ କି ମିଛୁଆ ଭାରି ଗୋଟେ ହିରୋ ଯେମିତି ଯା' ମ କୁହନା ଆଉ। ପୁଣି ପଚାରେ ଯଦି ରୁପା ଥିଲା ପୁଣି ତା' ନିଜ ଜେଜେମା ସହ ସେ ସଂସାର କଲେ କେମିତି ? ନା' ଖାଲି ଧୋକା ଦେଲେ ଜେଜେମା ' କୁ । ଜେଜେ କୁହନ୍ତି ଅରେ ପାଗଳା ରୁପା ତାଙ୍କ ଜୀବନରେ ରାଧା ପରି ଆଉ ଜେଜେମା ସାମାଜିକ ସମ୍ପ୍ରଦାୟର ପ୍ରକାଶ। ସେ ନିଷ୍ଠାର ସହ ଗଢିଛନ୍ତି ଘର ଜେଜେମା ସହ ହେଲେ ରୁପାର ରୂପ ସେମିତି ଅଛି ଆବେଗର ଗୋଟେ ଦସ୍ତାବିଜ ହେଇ।


  ଜେଜେ କୁହନ୍ତି କେମିତି ତା' ପୁଲିସ ବାପା ଡରରେ ସେ ବାହା ହେଇ ପାରିଲେନି ରୁପାକୁ । ତା' ବାପା ଜେଲରେ ପୁରେଇ ଦେଵ କହିଲା, ଗୁଳି ମାରିଦେଵ ଡ଼ରେଇଲା । ଆଉ କ'ଣ କରିଥାନ୍ତେ ସେ ସେତେବେଳେ କ'ଣ ଥିଲା ମୋବାଇଲ ନା' ହ୍ଵାଟ୍ସଆପ ଯେ କଥା ହେଇଥାନ୍ତେ । ରୁପାଟା ରୁପସୀଟେ ରୁଷି ଗଲା ଆଉ ଆସିଲା ନାହିଁ ଯେତେ ଚିଠି ଲେଖିଲେବି। ତା' ପୁଲିସ ବାପାଙ୍କ ବଦଳି ହେଇଗଲା ଯେ ଯେତେ ଖୋଜିଲେ ମିଳଲା ନାହିଁ ଆଉ। ଭାରି ଗୋଟେ ଅବଶୋଷ ରହିଗଲା । ଆଜିବି ସେ ରୁପାର ରୋମାଞ୍ଚର ଶୀହରଣ ଅନୁଭବ କରନ୍ତି ଏକାନ୍ତରେ । ହୃଦୟଟା ବନ୍ଧା ପଡିଯାଇଛି ସେଇଠି , ମୁକୁଳେଇ ପାରିନାହାନ୍ତି ସେ !

  

    ସେଥିପାଇଁ ତ ସେ ଧରିଛନ୍ତି ତିତିରକୁ କାଳେ କଉଠି ସେ ଫେସବୁକରେ ଖୋଜିଲେ ମିଳିବ ରୁପା ଆଉ ସେ ଟିକେ ଦେଖିବେ । ଜେଜେ ଏତେ ପିଛା କଲେ ଯେ , ତିତିର ତାଙ୍କ ପାଲରେ ପଡ଼ିଗଲା। ହେଲେ କେମିତି ଖୋଜିବ ଗୋଟେ ୫୦ ବର୍ଷର ରୁପାକୁ। ନାଁ ଅଛି ଠିକଣା, ନାଁ ଅଛି ଖବର ନାଁ ସହରର ନାଁ। ଜେଜେ କହିଲେ ସେ ଜାଣନ୍ତି ତାଙ୍କ ରୂପାକୁ ସେ ଚାକିରୀ କରି ଥିବ ଖୋଜୁ ସେ ସ୍କୁଲ ନାଁ ଦେଇ । ତିତିର ପୁରା ମନ ଲଗେଇ ଖୋଜିଲା ଆଉ ପାଇଗଲା କୁମାରୀ ରୁପା ଦାଶଙ୍କୁ ।ସେ ଅଛନ୍ତି ଗୋଟେ ସ୍କୁଲରେ ପ୍ରଧାନ ଶିକ୍ଷକ ପଦରେ। ଆଉ ସେ ବାହା ହେଇନାହାଁନ୍ତି । 


  ହେ ଭଗବାନ ଜେଜେ ତା' ହେଲେ ସତ କହୁଥିଲେ ପବିତ୍ର ପ୍ରେମ ଥିଲା ତାଙ୍କର । ସେ ସାରା ଜୀବନ ରହିଗଲେ ଜେଜେଙ୍କର ହେଇ । ତିତିର ନିର୍ବାକ ହେଇଗଲା ଭାବିକି ସେ ପ୍ରତିଶ୍ରୁତିର କଥା । ସତରେ ସେ ଦେଖିନି ଏମିତି ପ୍ରେମ ଭାଵ ଆଜିର ଦୁନିଆରେ । ଆଜି ସମ୍ପର୍କରେ ବହୁତ ଫାଟ ନୂଆ ସମ୍ପର୍କ ଆଉ ପୁରୁଣା ଅତୀତ ଚାଲନ୍ତି ସାଥୀ ହେଇ । ସବୁ ପିଲାଙ୍କର ଗୋଟେ ପୁରୁଣା ବନ୍ଧୁ ଅଛି ଆଉ ନୂଆ ପ୍ରେମୀବି। ଆଉ ଏମିତି ସତ୍ୟସିଦ୍ଧ ସମ୍ପର୍କ ନାହିଁ କଉଠି। 


ଅତୀତର ସମ୍ପର୍କରେ ଯେଉଁ ଆବେଗ ଆଜିର ସମୟରେ ସେଇତକ ବିରଳ ।

 ସେ ଯେବେ ଜେଜେଙ୍କ ପାଖରେ ରୁପା ଦାଶଙ୍କ କଥା କହିଲା ଜେଜେ କାନ୍ଦିଲେ ଛୋଟ ପିଲାଙ୍କ ପରି କହିଲେ କେଡେ ବଡ଼ ପାପ କରିଦେଲିରେ ମୁଁ ମୋ ଲାଗି ରୂପା ରହିଲା ପ୍ରତୀକ୍ଷାରେ ସାରା ଜୀବନ ଆଉ ମୁଁ ତାକୁ ଖୋଜିକି ପାଇଲିନି। 

ହାଏକି ବେଦନାସିକ୍ତ ଜେଜେଙ୍କ ମନ ଆଉ ଶରୀର। 

 

  ତିତିର କହିଲା ହଉ ଯାହା ହେବାର ଥିଲା ହେଇସାରିଛି ଆଉ ଅନୁତାପ କରି କ'ଣ ମିଳିବ ବରଂ ଜେଜେ ଏବେ ଯିବା କଥା ରୁପା ମାଡାମଙ୍କ ସହ କଥା ହେବା କଥା ବାକି ଜୀଵନ ସାଥୀରେ କାଟିବ କଥା ବନ୍ଧୁ ଭାବେ, ସହଚର ଭାବେ , ସୁଖ ଦୁଃଖରେ ପରସ୍ପରକୁ ବୁଝେଇବା କଥା। ହେଲେ ଜେଜେ ସାହାସ କରି ପାରୁନାହାନ୍ତି କ'ଣ କହିବେ ସେ ? କହିବେ ସେ ଭୀରୁ, ସେ ଅପାରଗ , ସେ ଅସମର୍ଥ ତାଙ୍କ ଅନାବିଳ ପ୍ରେମ ପାଖରେ। ସେ ହରିଯାଇଥିବା ପଳାତକ। ନାହିଁ ନାହିଁ ସେ ପାରିବେ ନାହିଁ। ତିତିର ବି କାଉ ଛାଡିବ ଯେ ସେ ଇ - ମେଲ୍ କରି ଦେଲା ରୁପା ମାଡାମଙ୍କ ନିକଟକୁ ଆଉ ନେଲା ସମୟ ଭେଟିବାକୁ ତାଙ୍କୁ । ଜେଜେଙ୍କୁ ପଟେଇଲା ଚାଲ ଯିବା ଆଉ ଭେଟି ଆସିବା ତାଙ୍କ ହୋଣ୍ଡା ସିଟି କାର୍ ରେ ବୁଲି ଆସିବା। ଜେଜେ ହଁ ନାହିଁର ଦୋଛକିରେ ଠିଆ ହେଲେ କିଛି ଦିନ ଆଉ ପରେ କହିଲେ ଚାଲ ଟିଙ୍ଗୁଆ ତୋ ଜେଜେଙ୍କ ଅବଶୋଷକୁ ପୁରା କରିବା। 


ବର୍ତ୍ତମାନ ବେଳେବେଳେ ଏମିତି ନୂଆ ସୁଯୋଗ ଟିଏ ଦେଇପାରେ ସୁଖୀ ମଣିଷ ମାନଙ୍କୁ !


    ଆଜି ଯିବାର ଥିଲା ଜେଜେ ଆଉ ସେ । ସ୍କୁଲଟା ଅଛି ପିପିଲି ପାଖରେ "ସରସ୍ବତୀ ସୁଧା ବିଦ୍ୟାଳୟ"। କଟକରୁ ବହାରିଥାନ୍ତେ ସେମାନେ ଦିନ ୧୧ ଟାରେ । ହେଲେ ସବୁ ଓଲଟ ପାଲଟ କରିଦେଲା ସେ ଖବର ଆଜି ସକାଳର ଖବରକାଗଜରେ। 


"ସରସ୍ୱତୀ ସୁଧା ବିଦ୍ୟାଳୟ "ର ପ୍ରଧାନ ଶିକ୍ଷୟିତ୍ରୀ କୁମାରୀ ରୁପା ଦାଶ ଆଉ ନାହାନ୍ତି। କାଲି ରାତି ୧୦ ଟା ରେ ହୃଦ୍ଘାତରେ ସେ ମରଶରୀର ତ୍ୟାଗ କରିଛନ୍ତି । ତାଙ୍କର ଏ ଚୀରବିଦାୟରେ ଶୋକାକୂଳ "ସରସ୍ୱତୀ ସୁଧା ବିଦ୍ୟାଳୟ" ର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ। 

 

କ'ଣ କୁହାଯାଇ ପରେ ଆଉ ? କିଛି କାହାଣୀ ଏମିତି ରୁହନ୍ତି ପାଉଁଶ ତଳର ନିଆଁ ହେଇ । ହୃଦୟରେ ବନ୍ଧା ପଡ଼ିଥାନ୍ତି ସାରା ଜୀବନ ଆଉ ଜାଳୁ ଥାନ୍ତି ନୀରବରେ ! ଭବିଷ୍ୟତ ମଧ୍ୟ ଭାରାକ୍ରାନ୍ତ ହେଇଯାଏ ।

 

      


Rate this content
Log in

Similar oriya story from Romance