padmaja pati

Romance

3  

padmaja pati

Romance

ପାରିବେନି କେହି ଅଲଗା କରି

ପାରିବେନି କେହି ଅଲଗା କରି

4 mins
620


ଦୁହେଁ ଥିଲେ ଖୁବ ପାଖାପାଖି l କ୍ଷୀର ଓ ନୀର l ନିବିଡ଼ ତାଙ୍କର ସମ୍ପର୍କ l ସେମାନେ ପରସ୍ପରକୁ ଅପଲକ ନୟନରେ ଚାହିଁ ରହିଥିଲେ lନୀରର ସ୍ୱଚ୍ଛତା କ୍ଷୀରକୁ ଅଭିଭୂତ କରି ପକାଉଥିଲା lକ୍ଷୀରର ତୁଷାର ଧବଳ ଆଭା ଦେଖି ନୀର ମଧ୍ୟ ବିମୋହିତ l ଦୁହେଁ ଯେପରି ମନ୍ତ୍ରମୁଗ୍ଧ ହୋଇ ନିଜର ସତ୍ତା ହରାଇ ବସିଛନ୍ତି lଜଣେ ନିଜକୁ ନିଃସଙ୍କୋଚରେ , ନିଃସର୍ତ୍ତ ଭାବେ ଅନ୍ୟ ପାଖରେ ସମର୍ପି ଦେଇଛନ୍ତି l ଏହାହିଁ ସେମାନଙ୍କ ଶାଶ୍ୱତ ପ୍ରେମ ଯାହା ଅନନ୍ତ ଓ ସଂଜ୍ଞାହୀନ l

କ୍ଷୀର କହୁଥିଲା , "ନୀର, ତୋ ବିନା ମୋର ସ୍ଥିତି ନାହିଁ l ଯାହାହେଉ ଆମଦୁହିଁଙ୍କୁ ଏକାଠି କରିବାରେ ଯେଇଁ ମଣିଷ ମାନଙ୍କ ଭୂମିକା ରହିଛି, ସେମାନଙ୍କୁ ଆମେ ପାଶୋରି ଦେବା କିପରି?

ନୀର କହିଲା, " ଶୁଣ, ଆମେ ଦୁହେଁ ତ ଏକାଠି ହେଲେ l କିନ୍ତୁ ଆମକୁ ଏକାଠି କରିଥିବା ମଣିଷମାନଙ୍କୁ ଦେଖ lସେମାନଙ୍କ ସମ୍ପର୍କକୁ ଦେଖ l ସ୍ନେହ, ପ୍ରେମ ସବୁ ଏଠାରେ ନକଲି ହୋଇଗଲାଣି lକେଦାର ଗୌରୀଙ୍କ କାହାଣୀ କେବଳ ପୋଥିରେ ରହିଗଲାଣି I ତାହାର ବାସ୍ତବ ଚିତ୍ର ଆଉ ଦେଖିବାକୁ ମିଳୁନାହିଁ କହିଲେ ଚଳେ lଟିକିଏ ସ୍ୱାର୍ଥରେ ଆଞ୍ଚ ଆସିଲେ ସବୁ ସ୍ନେହ, ପ୍ରେମର ରଙ୍ଗ ବଦଳି ଫିକା ହୋଇ ଯାଉଛି l ସମୟ ଥିଲା ଯେଉଁଠି ଜଣେ ଅନ୍ୟଜଣକପାଇଁ ଜୀବନ ଦେବାକୁ ପଛାଉ ନ ଥିଲା l କିନ୍ତୁ ଏବେ? ଜଣେ ଅନ୍ୟ ଜଣକର ଖୁସି ଦେଖି ସୁଖୀ ହେବା ପରିବର୍ତ୍ତେ ଅସହିଷ୍ଣୁ ହୋଇ ପଡୁଛି I ଭଲ ପାଇବାର ମିଛିମିଛିକା ଅଭିନୟ କରି ଜଣେ ଅନ୍ୟ ଜଣକୁ ତଳିତଳାନ୍ତ କରି ଦେଉଛି I ଏପରିକି କେତେବେଳେ ଏକପାଖିଆ ପ୍ରେମର କରୁଣ ପରିଣତି ଏସିଡ୍ ମାଡ଼ଠାରୁ ଆରମ୍ଭ କରି ସର୍ବସ୍ବ ଲୁଣ୍ଠନ ଓ ହତ୍ୟାରେ ଶେଷ ହେଉଛି I

କ୍ଷୀର କହିଲା, " ହଁ, ତୁମ କଥା ଏକାବେଳକେ ସତ l

ଏ ମଣିଷମାନଙ୍କ ମଧ୍ୟରେ ଆଉ ଆଗ ଭଳି ସ୍ନେହ, ଶ୍ରଦ୍ଧା ଦେଖିବାକୁ ମିଳୁନାହିଁ I ସେମାନେ ହୋଇ ପଡିଛନ୍ତି ସ୍ୱାର୍ଥ ସର୍ବସ୍ବ I କେତେବେଳେ ସାମାନ୍ୟ କେତେଟା ଟଙ୍କାପାଇଁ ପ୍ରେମିକ ପ୍ରେମିକାର ଭିଡ଼ିଓକୁ ଭାଇରାଲ କରିବାରେ ବ୍ୟସ୍ତ I କେଉଁଠି ପ୍ରତାରଣାର ଶିକାର ହୋଇ ପ୍ରେମିକାକୁ ପୋଲିସ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିବାକୁ ପଡୁ଼ଛି I ଜୋର୍ ଜବରଦସ୍ତ ପ୍ରେମୀ ଯୁଗଳଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ପଡୁଛି I ବର୍ଣ୍ଣବୈଷମ୍ୟର ଶିକାର ହୋଇ କେତେବେଳେ ସେମାନଙ୍କୁ ଜନଆକ୍ରୋଶର ସାମ୍ନା କରିବାକୁ ପଡୁଛି ତ କେତେବେଳେ ଜୀବନ ଯୁଦ୍ଧରେ ହାରିଯାଇ ମୃତ୍ୟୁକୁ ଆପଣେଇ ନେବାର ଦୃଷ୍ଟାନ୍ତ ମଧ୍ୟ ଦେଖିବାକୁ ମିଳୁଛି Iକାହା ପ୍ରତି କାହାର ସମବେଦନା ନାହିଁ କି ସଦ୍ଭାବନା ବି ନାହିଁ I କି ପ୍ରକାର ପରିସ୍ଥିତି ସବୁ ଦେଖିବାକୁ ନ ମିଳୁଛି?

ନୀର କହିଲା, "କେବଳ ସେତିକି ନୁହେଁ, ମୁଁ ମଧ୍ୟ ମୋର ସ୍ୱଚ୍ଛତା ଓ ପବିତ୍ରତା ହରାଇବାକୁ ବସିଲିଣି I କଳକାରଖାନାରୁ ନିର୍ଗତ ଦୂଷିତ ପଦାର୍ଥକୁ ମାଲିକମାନେ କିଛି ଆଗପଛ ନ ବିଚାରି ନିକଟବର୍ତ୍ତୀ ଜଳାଶୟକୁ ଛାଡି ଦେଉଛନ୍ତି I ଏଗୁଡିକର ନିକଟବର୍ତ୍ତୀ ଜନବସତି ମଧ୍ୟ ଜଳାଧାରକୁ ଦୂଷିତ କରିବାରେ ଲାଗି ପଡିଛନ୍ତି I ସେମାନେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ଚୋଟ ମାରୁଛନ୍ତି ବୋଲି ଜାଣି ପାରୁନାହାନ୍ତି I ଜଳାଶୟ କଥା ତ ଛାଡ଼, କୂଅ ଓ ନଳକୂଅର ଅବସ୍ଥା ବି କହିଲେ ନ ସରେ I ଏହାର ନିକଟବର୍ତ୍ତୀ ଅଂଚଳରେ ପଚା ଜଳ ଜମି ଜଳର ଉତ୍ସକୁ ପ୍ରଦୂଷିତ କରି ସାରିଲାଣି I ଖାଲି ମୁଁ ସେମାନଙ୍କର ଜୀବନ ବୋଲି କହି ଫମ୍ପା ଆବାଜ ଦେଉଛନ୍ତି ସିନା ମୋ ପାଇଁ ମଣିଷ ମାନଙ୍କର ସାମାନ୍ୟ ଦରଦ ନାହିଁ, ଯଦିଓ ମୋତେ ଭଲଭାବେ ଜଣା ସେମାନେ ମୋ ବ୍ୟତିରକେ ବଞ୍ଚି ପାରିବେ ନାହିଁ I

କ୍ଷୀର କହିଲା, " ମୋ କଥା ଆଉ କ'ଣ କହିବି? ବେଳେ ବେଳେ ଲାଭଖୋର ବ୍ୟବସାୟୀମାନେ ମୋ ଦେହରେ ବିଭିନ୍ନ ପ୍ରକାର ପାଉଡର ମିଶାଇ ଦେଉଛନ୍ତି ଯାହା ମୋ ପବିତ୍ରତା ପ୍ରତି ବିପଦ ସୃଷ୍ଟି କରୁଛି I ଏପରିକି ଛୋଟ ଶିଶୁମାନଙ୍କ ଶାରୀରିକ ବିକାଶ ପାଇଁ ମୁଁ ନିହାତି ଆବଶ୍ୟକ ଜାଣି ସୁଦ୍ଧା ସେମାନେ ମୋର କ୍ଷତି କରି ଚାଲିଛନ୍ତି I ମୋ ଦେହରେ ଦୂଷିତ ପଦାର୍ଥର ମାତ୍ରା ବୃଦ୍ଧି ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଛି I ଆଉ ବୟସ୍କମାନଙ୍କ କଥା ତ ଛାଡ଼ I ମୁଁ ସେମାନଙ୍କ ଖାଦ୍ୟର ମୁଖ୍ୟ ଅଂଶ ଜାଣି ମଧ୍ୟ ସେମାନେ ଅଜଣା ପରି ବ୍ୟବହାର କରୁଛନ୍ତି I ରେଳ ଷ୍ଟେସନମାନଙ୍କରେ କ୍ଷୀର ନାଁ ରେ ଯାହା ବିକ୍ରି ହେଉଛି କ'ଣ କହିବି? ଖାଲି ମୋ ଭଳି ଦିଶୁଛି ସିନା ସେଥିରେ ବିଭିନ୍ନ ରାସାୟନିକ ପଦାର୍ଥ ମିଶି ରହିଛି, ମୋର ଚି଼ହ୍ନ ବର୍ଣ୍ଣ ସେଥିରେ ନାହିଁ I ଏଥିପାଇଁ ମୁଁ ବା କ'ଣ କରି ପାରିବି?

ନୀର କହିଲା, "ହଁ, ସମସ୍ୟା ତ ଅନେକ I କିନ୍ତୁ ତାକୁ ପ୍ରତିହତ କରିବା କ୍ଷମତା ଆମର ନାହିଁ I ଯଦି ସୃଷ୍ଟିର ଶ୍ରେଷ୍ଠ ଜୀବ ମଣିଷ ବିବେକଶୀଳ ଓ ବିଚାରବନ୍ତ ହୋଇ ଏପରି କରିପାରେ, ଆମର ବା ଚାରା କ'ଣ ?

କ୍ଷୀର କହିଲା, " ପରିସ୍ଥିତି ଯାହା ବି ହେଉ, କେଉଁ ଅନାଦି କାଳରୁ ଆମେ ଏକାଠି ଥିଲେ ଓ ଏକାଠି ରହିବା I ଆମ ସମ୍ପର୍କର ଆରମ୍ଭ ଅଛି କିନ୍ତୁ ଶେଷ ନାହିଁ I

ନୀର କହିଲା, " ଉତ୍ତମ ସମ୍ପର୍କର ଆମେ ସବୁବେଳେ ବଳିଷ୍ଠ ଉଦାହରଣ ହୋଇ ଆସିଛେ I ଆମେ ଜଣେ ଅନ୍ୟ ଜଣକର ପରିପୂରକ I

କ୍ଷୀର କହିଲା, "ହଁ, ତୁମ କଥାର ସତ୍ୟତା ମଣିଷ ସବୁବେଳେ ଅନୁଭବ କରୁଥିଲା ଓ କରିବ Iହୁଏତ ତୁମେ ମୋ ବିନା ତିଷ୍ଠି ପାରିବ କିନ୍ତୁ ମୁଁ ତୁମ ବିନା ତିଷ୍ଠିବା ଅସମ୍ଭବ I

ନୀର କହିଲା, " ମୁଁ ତୁମ ବିନା ତିଷ୍ଠିପାରେ କିନ୍ତୁ ତୁମ ସାନ୍ନିଧ୍ୟ ଲାଭ କରିବାର ସୁଖ ମୋତେ କେହି ବି ଦେଇ ପାରିବେନାହିଁ I

ଏତିକି ବେଳେ କ୍ଷୀର ଅନୁଭବ କରୁଥଲା ଉତ୍ତାପର ସ୍ପର୍ଶ I ତା ' ଦେହରେ ତାତି  ଭର୍ତ୍ତି I ଦେହ ତା'ର ଜଳି ପୋଡି ଯାଉଛି ଓ ନୀର ତା ' ପାଖରୁ ଦୁରେଇ ଦୁରେଇ ଯାଉଛି Iନୀରକୁ ପାଖରେ ପାଇବା ପାଇଁ ଦେହ ତା'ର ଥରି ଉଠୁଥିଲା Iସେ ଫୁଲି ଉଠି ବିକଳରେ ଧାଉଁଥିଲା ନୀରକୁ ପାଖରେ ଧରି ରଖିବାକୁ I ନୀର ମଧ୍ୟ ଅସ୍ତବ୍ୟସ୍ତ ହୋଇ କ୍ଷୀରର ସାନ୍ନିଧ୍ୟ ପାଇବାପାଇଁ ବ୍ୟଗ୍ର ହୋଇ ଉଠୁଥିଲା I


Rate this content
Log in

Similar oriya story from Romance