ପାଇଖାନା
ପାଇଖାନା


ପାଇଖାନା। ଶବ୍ଦଟା କାହାକୁ କାହାକୁ ଘୃଣ୍ଯ ଲାଗିପାରେ। କିନ୍ତୁ ମୋ ପାଇଁ ସେଇଟା ଗୋଟେ ଅତ୍ୟନ୍ତ ସୁଖଦ ଶବ୍ଦ। ଗୋଟେ କଥାରେ କହିବି, ସ୍ବର୍ଗସୁଖର ଅନ୍ୟ ନାମ। ମୁଁ ତ ଏମିତି ଭାବେ ଯେ ପ୍ରାୟ ଅଧିକାଂଶ ଉଦ୍ଭାବନର ଉତ୍ପତ୍ତି ସ୍ଥଳ ଏଇ ଗୁସଲଖାନା ହେଇଥିବ ନିଶ୍ଚୟ। ସେଇଠି ନିରୋଳାରେ ବସି ନାନା ଅଦ୍ଭୁତ, ଉଦ୍ଭଟ କଥା ଭାବି ହୁଏ। ସେଇ ତ ସବୁ ଉଦ୍ଭାବନର ଜନକ। ଛୁଆଦିନରୁ ମୋର ଗୋଟେ ହଗୁରା ଦୋଷ ଯାହା ଆଜି ପର୍ଯ୍ୟନ୍ତ ଅଛି। ଏଟାକୁ ମୁଁ କେବେ ମୋର ଦୁର୍ବଳତା ବା ରୋଗ ବୋଲି ଭାବେନା। କଥାଟା ଏମିତି, ଦୁଇ ଲାଗିଲେ ମୁଁ ନିଜକୁ ଆୟତ୍ତ କରିପାରେନା। ଯଦି ଯମ ନେବା ପାଇଁ ଆସିବ, ତେବେ ବି ମୁଁ ପାଞ୍ଚ ମିନିଟ ଏଇଥିପାଇଁ ଛୁଟି ମାଗିନେବି। ଏମିତି ବି ହୁଏ ଯେ ଘରୁ ବାହାରିବା ସମୟରେ ଯଦି ପାଣି ବାଲ୍ଟି ଦେଖିଦେଲି ତେବେ ତ କଥା ସରିଲା। ଗୋଟେ ପାଦ ଆଗକୁ ପଡିବା ପରେ ଥରେ ପଛକୁ ଫେରି ପାଣି ବାଲ୍ଟିକୁ ଚାହେଁ। ତା'ପରେ ତ ଦୁଇର ଅସମ୍ଭାଳ ତଲବ। ଅବଶ୍ୟ ମୁଁ ଏଥିପାଇଁ କେବେ ବସ୍ ବା ଟ୍ରେନ ଫେଲ୍ ହୋଇନି ବା କୌଣସି ଅତ୍ୟନ୍ତ ଜରୁରୀ କାମରୁ ବିରତ ହୋଇନି। ଏଇ ଅଭ୍ୟାସକୁ ନେଇ ମୋର କଲେଜ ପଢିଲା ସମୟର କିଛି ଅନ୍ତରଙ୍ଗ ସାଙ୍ଗ ମୋତେ ହଇରାଣ କରିବାର ଅପଚେଷ୍ଟା କରି ଅସଫଳ ହୋଇଛନ୍ତି। କ୍ଲାସକୁ ଯିବା ସମୟରେ ଜାଣିଶୁଣି ମୋ ରୁମ୍ ଆଗରେ ପାଣି ବାଲ୍ଟି ଓ ମଗ୍ ରଖିଦିଅନ୍ତି। ଥରେ ଦି'ଥର ଡେରିରେ କ୍ଲାସକୁ ଯିବା ପରେ ମୁଁ ସତର୍କ ହେଇଗଲି। ମେସରୁ କଲେଜ ଯିବାକୁ ପାଞ୍ଚରୁ ସାତ ମିନିଟ ଲାଗିବା ସ୍ଥଳରେ ମୁଁ ପ୍ରାୟ ପନ୍ଦର କୋଡିଏ ମିନିଟ ଆଗରୁ ବାହାରେ। ପ୍ରକାରାନ୍ତରେ ମୋର ଏଇ ବଦଖୋଇ ମୋତେ ସମୟାନୁବର୍ତ୍ତୀ ହେବା ଶିଖେଇଛି।
ପଡିଆରେ ଝାଡା ଫେରିବା ଠାରୁ ଆରମ୍ଭ କରି ଅତ୍ୟାଧୁନିକ କମୋଡ଼ ପାଇଖାନା, ସବୁପ୍ରକାର ଅଭିଜ୍ଞତାରେ ମୁଁ ପରିପକ୍ବ ବୋଲି ଗର୍ବ ଅନୁଭବ କରେ। ଆଗରୁ ଖୋଲା ପଡିଆରେ ଝାଡା ଫେରିବା ଖୁବ୍ ସୁଖଦାୟୀ ଥିଲା, କିନ୍ତୁ ବୟସାଧିକ୍ୟ ଓ ଅଣ୍ଟା ସମସ୍ୟା ଯୋଗୁଁ ଏବେ ପଶ୍ଚିମୀ ଢାଞ୍ଚାର କମୋଡ଼ ପାଇଖାନା ଭାରି ପସନ୍ଦ ଲାଗେ। ସେଇଠି ଆରାମରେ ବସି ଦିନଟାଯାକରେ କ'ଣ କ'ଣ କରିବାକୁ ହେବ, କିପରି କରିବାକୁ ହେବ ଆଉ କେତେବେଳେ କରିବାକୁ ହେବ ସେଇ ଯୋଜନାର ଗୋଟେ ବ୍ଲୁ ପ୍ରିଣ୍ଟ ମନେ ମନେ ପ୍ରସ୍ତୁତ କରିନିଏ। ଆଉ ଅନ୍ୟ ସମୟରେ ତ ପରିବାରର ଜଞ୍ଜାଳ, ପିଲାଛୁଆଙ୍କ କେଁ କଟର, ଏକାନ୍ତ ସମୟ କେବଳ ସେଇ ପାଇଖାନାରେ ହିଁ ମିଳେ। କୋଉ ବିଷୟ ଉପରେ ଲେଖିବି, ଗପ ଲେଖିବି କି ଗୀତ ଲେଖିବି ସବୁ ଭାବିନେଇ ତା'ର ରୂପରେଖ ପ୍ରସ୍ତୁତ କରିନିଏ। ମୁଁ ଏ ଧାରଣାରେ ଦୃଢ ନିଶ୍ଚିତ ଯେ ସମସ୍ତ ଲେଖକ, କବି, ପ୍ରାବନ୍ଧିକ, ଆଲୋଚକ, ଏମିତିକି ଭାଷ୍ୟକାରମାନେ ମଧ୍ୟ ଏଇ ସ୍ଥାନଟିକୁ ଧ୍ୟାନର ମନ୍ଦିର ଭାବରେ ବ୍ୟବହାର କରୁଥିବେ। ଯଦି କେହି କରୁ ନଥାନ୍ତି, ତେବେ ସେମାନେ ଆରମ୍ଭ କରିବା ଉଚିତ। ଆଉ ଯଦି କୌଣସି କାରଣରୁ କୋଷ୍ଠକାଠିନ୍ୟର ଶୀକାର ହୋଇଥାନ୍ତି, ତେବେ ତ ଆହୁରି ଉତ୍ତମ। ସମସ୍ତ ଜଞ୍ଜାଳରୁ ଦୂରରେ କେବଳ ନିଜର ମନ ମୁନ ଚଇତନ ଏକାଗ୍ର କରି ଚିନ୍ତନ କରିବା ପାଇଁ ଅପର୍ଯ୍ୟାପ୍ତ ସମୟ ମିଳେ। ଠିକ୍ ଯେମିତି ବାବାଜିଆ ମଣିଷମାନେ ପାହାଡ଼ ପର୍ବତ ଗୁମ୍ଫାରେ ଏକୁଟିଆ ତପସ୍ୟା କରନ୍ତି। ହଁ, ଏଇଟା ତପସ୍ୟା ନୁହେଁ ତ ଆଉ କ'ଣ? ଆଜିକାଲି ତ ବଣ ଜଙ୍ଗଲ ନାହିଁ। ତା ଛଡା ହିମାଳୟ ଶିଖରରେ ତପ ଧ୍ୟାନ କରିବା ପାଇଁ ବସିଲେ ଏ ଚେଲା ଚାମୁଣ୍ଡା କ'ଣ ଛାଡିବେ? ସେଠି ବି ପହଞ୍ଚି ଯାଇ ଗହଳି କରିବେ। ସେଇଥିପାଇଁ ଐକାନ୍ତିକ ଭାବର ସମ୍ପୂର୍ଣ୍ଣ ପରିସ୍ଫୁଟନ ପାଇଁ ଶୌଚାଳୟ ସର୍ବୋତ୍ତମ ସ୍ଥାନ ବୋଲି ମୋର ବିଚାର ଓ ଦୃଢ ମତ।
ସବୁଠୁ ବଡ କଥା, ଧ୍ୟାନ ଭ୍ରଷ୍ଟ ହେଲେ ଯେମିତି ଭଗବାନଙ୍କର ଦର୍ଶନ ମିଳେନି, ପୁଣି ଯୋଗଭ୍ରଷ୍ଟ ହେବାର ଅନେକ ପାର୍ଶ୍ଵ ପ୍ରତିକ୍ରିୟା ଥିବାର ନଜିର ରହିଛି, ଠିକ୍ ସେଇମିତି ଯଦି ମନ ଲଗେଇ ପେଟଟା ପରିଷ୍କାର କରା ନଯାଏ, ତେବେ ଦିନସାରା କିଛି ବି ଭଲଲାଗେ ନାହିଁ। ଛପନ ଭୋଗ ଆଗରେ ବାଢି ଦିଆଗଲେ ବି ଚାହିଁବାକୁ ଇଚ୍ଛା ହୁଏନି। ତା ଛଡା ଯଦି ଗ୍ୟାସ ସମସ୍ୟା ଥାଏ, ତେବେ ଶବଦରେ ତ୍ରିଭୂବନ ପ୍ରକମ୍ପିତ ହୁଏ। ଆଉ ସେ ପାୟବୀୟ ପବନର ପ୍ରଭାବ ଏମିତି ଯେ ମିତ୍ର ତ ଛାଡ, ଶତ୍ରୁମାନେ ବି ପାଖ ପଶନ୍ତିନି। ଏ ସମ୍ପର୍କରେ ପଦେ କବିତା ମନେପଡେ ଯାହା ମୁଁ ଏଠି ଉଦ୍ଧାର କରିବା ସମୀଚିନ ମନେକରୁଛି।
ପାର୍ଥ ଧନୁ ନାମ ରାଇଲା ବେଳେ
ଭୀମତାତ ଜାତ ହେଲେ ସେକାଳେ
ନାହିଁ ବାରୁଦ ନାହିଁ ବେଲାସଜ
ବଡ ଉତ୍କଟ ସେ ତୋପ ଆବାଜ।।
ଘୁମୁକି ଉଠିଲା ଦୁମୁକି ମହୀ
ଆଗକରି ଦେଲା ସ୍ବର୍ଗକୁ ଦହି।।
(ପାର୍ଥ ଧନୁ : ଗାଣ୍ଡୀବ, ଭୀମତାତ: ପବନ, ବେଲାସଜ: ତୋପରେ ବ୍ୟବହୃତ ନଳୀ, ସ୍ବର୍ଗକୁ: ନାକକୁ)
ସର୍ବୋପରି ପାଇଖାନା ଯଦି ସଫା ନହୁଏ ତେବେ ସମସ୍ତ ପ୍ରକାର ରୋଗ ବ୍ୟାଧିକୁ ସାଦର ନିମନ୍ତ୍ରଣ କରିବା ସାର ହୁଏ।