ପାଗେଳୀ
ପାଗେଳୀ
ସଭାକାର୍ଯ୍ୟ ଚାଲୁ ରହିଥିଲା. ଶହେ ଉପରେ ପ୍ରତିଭାଙ୍କୁ ସମ୍ମାନିତ କରିବାକୁ ଡାକିଥିବା ଲିଷ୍ଟର ମଝି ଭାଗରେ କୃତିଙ୍କ ନାମ ଥିଲାବେଳେ ଅପେକ୍ଷା ତ କରିବାକୁ ପଡିବ. ଏତେବାଟ ଆସିଛନ୍ତି ଯେତେବେଳେ, ସମ୍ମାନ ନେଇକି ତ ଯିବେ କିନ୍ତୁ ଅତିଥିଙ୍କ ବିଦାୟ ଭିତରେ ଲୋକ ଭାଙ୍ଗି ଯାଇଥିଲେ. ଦୂର ଦୁରାନ୍ତ ଯିବେ ନା. ପୁଣି ରାତି ହେଲାଣି ଅନେକ. ଏଥର କୃତିଙ୍କୁ ମଧ୍ୟ ଫେରିବା ଚିନ୍ତା. ଖଣ୍ଡଗିରି ଯାଇହେବନି ବୋହୁ ପାଖକୁ କି ପଟିଆ ଯାଇହେବନି ବଡ଼ଭାଇ ପାଖକୁ ବରଂ ସାନଭାଇ କଳ୍ପନା ପଛକୁ ଓକିଲବାଗରେ ରହେ, ତା ପାଖରେ ରହିଯିବେ ଭାବିଲା ବେଳକୁ ତାଙ୍କ ନାମ ଡକା ଯାଉଥିଲା ଷ୍ଟେଜ ଉପରକୁ. ଫୋଟୋ ଉଠାଇଦେବାକୁ ସ୍ୱାମୀ ନଥିଲେ. ବୋଧେ ଭୋକ ଓ ଫେରିବା ଚିନ୍ତାରେ ଖାଇବାକୁ ଚାଲିଗଲେ. ହଉ ଭାବି କୃତି ସମ୍ମାନିତ ଫଳକ ବ୍ୟାଗ ପକେଇ ଖାଇବାକୁ ଗଲେ ଯେ ତାଙ୍କର ପ୍ରଥମ ଗୁଣ୍ଡା ପରେ ଖାଦ୍ୟ ସବୁଦିନ ଅଟକିଯିବା ପରି ଅଟକି ଗଲା. ପାଣି ଦରକାର.ଢୋକେ ତଣ୍ଟିକୁ ନଛାଡିଲେ ନଚଳେ. କୁଆଡେ ଗଲେ ଏତିକି ବେଳକୁ ସ୍ୱାମୀ ନିଖିଲ କେଜାଣି!ପାଣି ଆଣିବାକୁ ଯାଇ ବୋତଲ ଖୋଲି ପାରୁନାହାଁନ୍ତି କୃତି. କେହି ଜଣେ ସାହାଯ୍ୟ କରିବାକୁ ନାହିଁ. ଏ ହାତରେ ଭ୍ୟାନିଟ, ସେ ହାତରେ ସମ୍ମାନ ସୂଚକ ବ୍ୟାଗ ପୁଣି ଖାଦ୍ୟଥାଳି ଭିତରେ ତଣ୍ଟିରେ ଅଟକି ରହିଛି ଖାଦ୍ୟ. ପାଣି ବିନା ହେବନି. ଆଗେଇ ଆସିଲେ ଜଣେ, ସାହାଯ୍ୟର ହାତ ବଢ଼େଇ ଖୋଲିଲେ ବୋତଲର ଠିପି. ହେଲେ ପାଣି ବୋତଲ ତଣ୍ଟିକୁ ନେବାକୁ ଯାଇ ଭଦ୍ର ସାହାଯ୍ୟକାରୀଙ୍କ ହାତରେ ନଜର ପଡିଲା. ଡାହାଣ ହାତର ପାଞ୍ଚୋଟି ଯାକ ଆଙ୍ଗୁଠି ମୁଣ୍ଡା. ସେତେବେଳକୁ ପାଣି ତଣ୍ଟିକୁ ଯାଇ ଜୀବନ ପଶିଥିଲା କୃତିଙ୍କର ହେଲେ ଖାଦ୍ୟ ଥାଳିରୁ ଆଉ ଖାଦ୍ୟ ତଣ୍ଟିକୁ ଯିବା ଦୂର ହାତକୁ ଯାଉନଥିଲା. ହାତ ଧୋଇ ବାହାରକୁ ଆସିବା ବେଳେ ଇଛା ଥିଲା ଷ୍ଟେଜ ଆଡ଼େ ଆଉ କଣ ଚାଲିଛି ଆସନ୍ତିକି ବୁଲି ହେଲେ ଫେରିବାକୁ ହେବ. ରାତି ଦଶ ପର ଟପିଲାଣି.ସହଜେ ମନ ମରିସାରିଥିଲା ଅକାରଣରେ.
ବାହାରେ ଅଟୋ ଧରି ନିଖିଲ ଅପେକ୍ଷାରେ. ନଖାଇଥିଲେ ହୋଇନଥାନ୍ତା? ଫେରିବା ବଡ଼କଥା. ଆମେ କଣ ସ୍ମାର୍ଟ ସିଟିର ଅଧିବାସୀ? ସେ ଏତେକଥା ଝାଡ଼ି ଦେଲା ଭିତରେ କୃତି କହିପାରୁନଥିଲେ ଖାଇନାହାଁନ୍ତି ସେ ଆଉ ନଖାଇବାର କାରଣ କିନ୍ତୁ ଅଟୋରେ ବସିଗଲା ପରେ ସେ ଜାଣିଲେ ଖଣ୍ଡଗିରି ନୁହେଁ, ପଟିଆ ନୁହେଁ କି ଓକିଲବାଗ ନୁହେଁ ବରଂ ଅଟୋ ସିଧା ତାଙ୍କ ଗାଁକୁ ଯିବ.ଓକିଲବାଗ ପାରି ହେଲାବେଳେ ସାନଭାଇର ଅଭିମାନ ଭରା ଫୋନ. ନଖାଇ ତତେ ଅପେକ୍ଷା କରିଛି ଅପା. ଏତେ ରାତିରେ ଅଟୋରେ ଗାଁକୁ କିଏ ଯାଏ? ନିଖିଲ କହୁଥିଲେ ଜଗନ୍ନାଥ ଯାହାର ସାହା ତାର ଆଉ ଅନ୍ୟ ରାହା ଆହା କଣ ଦରକାର. କୃତିଙ୍କୁ ଲାଗିଲା ହଁ ସତରେ ତ ସେ ହାତର ପାଞ୍ଚ ଆଙ୍ଗୁଠି ମୁଣ୍ଡା ଲୋକ ରୂପରେ ଜଗନ୍ନାଥ ଯଦି ପାଣି ବୋତଲ ଖୋଲି ଦେଇନଥାନ୍ତେ ଜୀବନ ଚାଲିଯାଇଥାଆନ୍ତା ତାଙ୍କର ନିଶ୍ଚୟ. ସାନଭାଇକୁ କୃତି କହୁଥିଲେ ରାତି ହେଲାଣି ସତ ହେଲେ ଆମ ପାଖେ ପାଖେ ପରା ଜଗନ୍ନାଥ. ସାନଭାଇ ଅଭିମାନରେ ସିନା ଫୋନ ରଖିଥିଲା କିନ୍ତୁ ଅଟୋ ଡ୍ରାଇଭର ପଛକୁ ବୁଲି କହୁଥିଲେ ଆପଣ କେମିତି ଜାଣିଲେ ମାଆ! ମୋ ନାମ ଜଗନ୍ନାଥ ବୋଲି? କୃତି କହୁଥିଲେକି ଆରେ ମୋ ଫୋନ ଆଇ. ଡି ନମ୍ବର ଓ ପାସୱାର୍ଡ ପରା ତାଙ୍କ ପାଖରେ. କଣ ବୁଝିଲା କେଜାଣି ଅଟୋବାଲା କହିଲା ଖାଲି ଆପଣଙ୍କର କାହିଁକି ସମସ୍ତଙ୍କ ଆଇ. ଡି ଓ ପାସୱାର୍ଡ ନମ୍ବର ତାଙ୍କ ପାଖେ ପରା. ଏତେବେଳକୁ କୃତିଙ୍କର ମନେପଡ଼ିଲା ସେ ଭଦ୍ରମହିଳା ତାଙ୍କୁ ମାଗୁଥିଲେ ଆଇ. ଡି ସହ ପାସୱାର୍ଡ ନମ୍ବର. ସକାଳୁ ସକାଳୁ ସେ ଭଦ୍ରା ପଠେଇସାରିଥିଲେ ତାଙ୍କ ସମ୍ମାନିତ ହେବା ସମୟର ଅନେକ ଫଟୋ ସହ ତାଙ୍କର ପ୍ରକାଶିତ ହେବାକୁ ଥିବା ବିସ୍ମୟ ଠାକୁର ଜଗନ୍ନାଥଙ୍କ ନାମକ ବହିର ପି. ଡି. ଏଫ. ଅନୁରୋଧ ଥିଲା ପଢି ମନ୍ତବ୍ୟ ଟିଏ ପଠେଇବେ ନିଶ୍ଚୟ ମ୍ୟାଡାମ.।