ପାଦ
ପାଦ
ରାତି ପାହିଥିଲା କି ନା ଅଜଣା,
ସିନ୍ଦୁରାଫାଟି ଆକାଶ ଯାକ ବିଛାଡିପଡିଥିଲା କିନ୍ତୁ
ନିଆଁରଙ୍ଗି ଅଭିପ୍ସା.... ଝରକାରେ ଟଙ୍ଗା ଝିନିପାତଳ ପରଦା କହୁଥିଲା।
ସିଏ ହାଲକା ଆଉଁସି ଦେଇ
କହିଲା," ଏଇ ,ଦେଖିଲୁ.... ସେପଟ କୋଣକୁ ଅଳ୍ପ
ଦିଶୁଛି କେମିତି ଜହ୍ନର ସାଥି ହେଇ ହସୁଥିବା ଗୋଟେ କୁଆଁ ତାରା ! "
ସକାଳର କୁହୁଡିଆ ଶୀତଟାକୁ ଆଦରୁ ଆଦରୁ
ମୁଁ କହିଲିନି ଯେ ମତେ ଦିଶିଲାନି ବୋଲି ,
ନା ଜହ୍ନ,ନା କାକର ନା ତରା,
କହିଲିନି ବି ଯେ ସେଇଟା ଥିଲା ଗୋଟେ "ମଲାଜହ୍ନ"
ସିଏ ପୁଣି ତା ପ୍ରଶ୍ନ ଦୋହରାଇଲା ଆଉ
ଆଖିଏ ସ୍ବପ୍ନ ସହ ମତେ ଚାହିଁଲା
ଉଷ୍ଣପଣର ବାଆ ମୋ କାନମୂଳକୁ ଛୁଇଁଗଲେ
ସମ୍ଭାବନାଟେର ରାହା କୁଆଁ ତୋଳିବ ଭାବିନେଇ
ଶ୍ବେତ କ୍ରୈନ୍ଚ ଦିଟି ଉଡିଗଲେ ରାତିର ଶେଷ ଆକାଶରେ ।
ମୁଁ କିନ୍ତୁ ସେଇ ଛାତରେ ଥିଲି
ତାକୁ ପିଠି କରି ଶୋଇଥିଲା ବେଳେ ଭାବୁଥିଲି,
ଭାବୁଥିଲି
" ସମ୍ପର୍କ ଓ ବାଟ ସେଇଠି ସରିଯାଏ ଯୋଉଠି ମନ ଥକିଯାଏ,ପାଦ ନୁହେଁ।"
ମତେ ବାଟ ଭାଙ୍ଗି ଚାଲିଯାଉଥିଲା
ସକାଳର ଛାଇ
ମୁଁ ସେମିତି ଜାକିଜୁକି ହେଇ
ଠାଏପଡିଥିଲି।