ଓଡଶ
ଓଡଶ
ଇଳ୍ ଇଳ୍ଳ୍ଇଳ୍ ..ଇଳ୍ ... ପଟାକ୍ ପକାକ୍ ......ଠାଏ ।ଏ ହେ ହେ ର ର ର ଯାଉଛୁ କୁଆଡେ ....ହ୍ଯାପ୍ ର .......ଖସିଗଲା ରେ ।ଏ ହେଇରେ
ମାଷ୍ଟ୍ରେ ଙ୍କ ଥାଳି ପଛ ଚେପା ।ମାରି ଦେଲା ରେ ! ର !
ଢାଏ, ଢାଏ, ଢାଏ ....ଢାଏ ।
ଗଲାଆଆଆଆ ଏପଟ ବି କଣା ହେଇଗଲା ।ଆକାଶ ଦୁଉଚି ।
****
ଏ ହେଇ ହେ ଏଏଏଏଏ.... ସେଠେଇ କିଏସେ??? ଦେବନ କି ??? ଦେବନ କିରେଇ .....???
ମୁଁ ପଛକୁ ଚାହିଁଲି ନିର୍ନିମେଷ ନୟନରେ, ସେମିତି କୋଚିଆ ଧରା ଅଭିଜାନରେ ଥାଳି ଟାକୁ ଟୁବିଗାଡିଆ ହୁଡାରେ ପିଟି ପିଟି ଚେପା କଣା କରିଥିବା ଭୟକୁ ଆଖିରେ ଧରି .......ଧରାପଡିଯିବାର ଭୟ ।ପେଟ ଗୋଟା କୋଣ ଚିଣ୍ କି ଦୁର୍ ଦୁରେଇ ଥରିଗଲା ।
_ମୁଁ ଖାଇସାରି ଥାଳି ଧୋଇଆକୁ ଆଇଥିଲି ...... ।
_ ଆଉ ଏ ଥାଳି କଣ ମନୁକୁ ଭାଙ୍ଗିଗଲା??? ଦିଏ ଚାଲେ ତୋ ବାପା ଆସିଛନ୍ତି ,ସେଠେଇ ବଡ ମାଷ୍ଟ୍ରେ ଙ୍କ ସାଙ୍ଗେରେ ବସି କଣ କଥା କହୁଛନ୍ତି ।ଚଞ୍ଚଳ ଚଞ୍ଚଳ ପାଦ ପକା ।ଖେଦି ଚାଲ୍ ।
_ ମତେ ନବାକୁ ଆଇଚନ୍ତି????
_ ଏଁ, ମୁଁ କେମିତି ଜାଇଁଲି !ମତେ ତ ଖାଲି ଡାକିଆଣିଆକୁ ପଠେଇଲେ ।ମୁଁ କୋଠିଆ ଲୋକ ମୁଁ କାଇଁ ଭିତିରି କଥା ପଚାରିବି କିରେ ???? ଦେ ତୁ ଧପଡ ଗୋଡ ଉଠା ।
************
ଉଚ୍ଚ ପିଣ୍ଢା ଉପରକୁ ଡାହାଣ ଗୋଡକୁ ବାମ ଜାନୁରେ ଥାପି ସୁଖାସନ ମୁଦ୍ରା ରେ ଗୋବିନ୍ଦ ସାରେ, ଯାହାଙ୍କ ଘରେ ମୁଁ ରହେ ।ବରଷେ ପୁରିବଣି କି କଣ ।ଆଗସାଲ ଘମାପୁନେଇଁ ବେଳୁକୁ ତ ଆଇଥାଇ ।ବୋଉ କିଲ.... ମୋ ବୋଉ ର ସେଓଳି ଯୋଉ କାନ୍ଦ , ଏଇନା ମନେ ପଡିଲେ ବି ମୁଁ ଲୁଚେଇକି କାନ୍ଦି ପକାଏ ।ବୋଉ ଟା ମନ ଟାଣାଏ ଯେ ହେଲେ ଲୁତୁରି ମନଟା ତାର, ଠିକ୍ ମୋ ଚାନ୍ଦ ବାଛୁରୀ ପରି .....ସାଉଁଳେଇ ହଉଥବ, କାଏଁଳେଇ ହଉଥବ ଢେର୍ ବେଳ ଯାଏ .....ମଝିରେ ମଝିରେ ପୁଣି ତା ଅଧା ଉଠା ଶିଙ୍ଘ କୁ ଘୁସିଦବ ।କାଟେନି ଯେ ,ପେଲି ହେଇଯାଏ ଯାହା ।
ବାପା ଆମର ହେଡ୍ ସାରେ ଗାଁ ଇସ୍କୁଲୁ ରେ ।ପାଞ୍ଚ ସାତ ଖଣ୍ଡି ଗାଁ ରେ ଗୋଟିଏ ଇସ୍କୁଲୁ ।ସମସ୍ତେ ମାନ ଦିଅନ୍ତି, ନ୍ଯାୟ ନିଶାପ କୁ ଖୋଜନ୍ତି ।ବାନାମ୍ବର ମାଷ୍ଟର ଙ୍କର ଗୋଟେ ଥାଟ ଥାଏ ଏ ଅଞ୍ଚଳରେ ।
ଗୋବିନ୍ଦ ସାରେ ପିଣ୍ଢା ଏ ମୁଣ୍ଡ କୁ ,ବାପା ସେ ମୁଣ୍ଡ କୁ ଚକା ପକେଇ ବସିଥାନ୍ତି ।ବୀରନରସିଂହପୁରର ଗୋବିନ୍ଦ ସାରେ ପୁରୀ ଜିଲ୍ଲା ଇସ୍କୁଲୁ ରେ ଗଣିତ, ସଂସ୍କୃତ ପାଠ ପଢାନ୍ତି ବୋଲି ତାଙ୍କର ଦୁନିଆ ଖାତିରି ଗାଁ ଠି ।ମେଧାବୀ ପିଲେ ସବୁ ସକାଳ ସଞ୍ଜେ ତାଙ୍କ ଘରବାଡିଠି ମେଳ ।ମତେ ବି ବାପା ତାଙ୍କ ଘରଠି ରହି ପଢିବାକୁ ଛାଡିଥାନ୍ତି । ତାଙ୍କର ଶାସନୀ ବ୍ରାହ୍ମଣ, ଆମେ ଖଣ୍ଡାୟତ ଚଷା ।ସେ ମତେ ଖଣ୍ଡେ ଥାଳି ଆଉ ଦାଣ୍ଡ ପଟକୁ ବଖରାଏ ଘର ଦେଇଥାନ୍ତି ଯୋଉଠି ଆଉ ତିନୋଟି ମୋରି ପରି ଥାନ୍ତି ।ତାଙ୍କ ମା ' ଆମକୁ ରାନ୍ଧିବାଢି କି ଦିଅନ୍ତି ।କିନ୍ତୁ ବିଣ୍ଡା ଘସା,ଗାମୁଛା ଧୁଆ, ଥାଳି ପିଛୁଳା କାମ ଆମର ।
ମୁଁ ବାରିଆଡୁ ଧପାଲି ଆସି ଝାଡ ପଛରୁ ଲୁଚିକି ଅନେଇଥିଲି, ବାପା ଡାକଦେଲେ ।
_ ଆ ଇଆଡେ ।
ହାତ କୁ ଭଦ୍ର ମୁଦ୍ରା ରେ ଯୋଡି ଠିଆ ହେଲି ।
_ ଆଜ୍ଞା ,ଆମେ ବାହାରିବୁ ।
_ ଯା ,ମା ଙ୍କୁ କହିଆ । ଗୋବିନ୍ଦ ସାର୍ କହିଲେ ।
ଏକାଡିଆଁକେ ଅଳୁଗୁଣି ରୁ ସାଟଟା ଭିଡିନେଇ ବଟମ ଭିଡିଦେଲି ।
_ ମା ଘରକୁ ଯାଉଛି ।ବାପା ଆଇଚନ୍ତି ।
_ ହଉ ଚଞ୍ଚଳ ଆସିବୁହେରି ।ନେ ଏ ହୁଡୁମ ମୁଠାକ ବାଟେରେ ଖାଇ ଖାଇ ଯିବୁ ।ତାଳପତର ଭୋଗେଇ ରେ ମୁଠେ ଗୁଡ ହୁଡୁମ ଆଉ ପାଗକରା ଲିଆ ।
ତାଙ୍କ ଆଖିକୁ ଓ ମୋ ଆଖି ପଡିଗଲା ।ବୋଉ ମୁହଁ ପରି ଦୁଶିଲେ ।
****************
ପାଞ୍ଚ ମାଇଲିଏ ବାଟ ହବ କି କଣ ଆମ ଗାଁ ଏଠଉ ..... ବଡ ଦେଉଳତ ଏଠଉ ପାଞ୍ଚ କୋଶ ।ବାପା ସବୁଦିନେ ଚାଲିକିରି ପୁରୀକି ଯାନ୍ତି ଆଉ ଫେରନ୍ତି ।ତାଙ୍କ ସାଙ୍ଗରେ ଚନେଇ କକା ତାଙ୍କ ବାକ୍ସ ମୁଣ୍ଡେଇ ପଛେ ପଛେ ଛାଇ ଭଳିଆ ଚାଲନ୍ତି ଆଉ ରେଡୁଅ ଭଳିଆ ଖବରଟବର ,ଫେରାଦ ଫିକର କରନ୍ତି ।
ଭୋଦୁଅ ଆକାଶେ....ଘଡି କି ଘୋଡା ଛୁଟେ ।ହେଇ ମେଘ ଅଛି ହେଇ ନାଇଁ ।ଅସରାଦିଅସରା ନାଛିଚି କଣ କରିଛି ରାତିଆ ମାଟି କଟି ମେଲିଯାଇଛି ....ଦି ତିନି ଠା ଘାଇ ।ନିଜ ଗାଁ ପାଣିକୁ ଡର ନଥାଇ ।ମୁଣ୍ଡ ଉପରେ ବସ୍ତାନି ବାକ୍ସ ଥୋଇ ଟିପେରେ ଥିରିକି ବଡ ଦି ଜଣଙ୍କ ମଝିରେକିନା ଭଉଁରିକଟା ପାଣିକି ପାଦ ଥାପିଦବାକଥା ।ତେଣିକି ଘିରି ଘିରି ଘିରି ଘାଏଁ ଘାଏଁ ।ମଜା ଆସେ ଯା କହ ।ବନ୍ଧେ ବନ୍ଧେ ବିଲେ ବିଲେ ଯାଇ ଗାଁ ହୁଡାଠି ଉଠିଲୁ ।ଉଚ୍ଚ ଜାଗା, ଡର ନଥାଇ ।ବାପା ପଚାଉଥାନ୍ତି ଗଣିତ ଭଲ କରିଛୁ ?? କହିବୁଟି ତେର ନୁଆଁ କେତେ, ଅଠର ପଞ୍ଚା କେତେ ??? ।ମୁଁ ଦେଖୁଥାଏ ଦଣ୍ଡିକିରି ପାଦ ପାଖରେ କାଟେ ଚକ୍କିରି,ନୀଳ କଇଁ, ଦୂରୁରୁ ଦିଶୁଥିବା ଗାଁ ଠାକୁରାଣୀ ନାଲା ବାନା, ଶଗଡରେ ଆଗେରେ କିଏ ,ସାଇକଲ ମୁଣ୍ଡେଇ ଥିବା ଭମାନାନୀ ବର ,ଆମ ଭରା ଭରା ଜଳଦ ବଉଦ ଦୂର ଗଗନେ ।କେଜାଣି କାହିଁକି ଏ ବଉଦ ମାନେ ଭାରି ମନମତିଆଣି ।ମତେ ଏମିତି ଲାଗେ ଯେମିତି ମତେ ବି ସେମାନେ ହାତଠାରି ଡାକନ୍ତି ଆ'ଆ' ଆମ ପିଠିରେ ବ .... ଦୂଉର ଜେମାଘର ନୀଳପୋଖରୀରେ ସୁବର୍ଣ୍ଣ ପଦୁଅଁ ହସୁଛି, ଦେଖି ଆସିବ ଆ '।
ଧାରାଶାରବଣ, ଭୋଦୁଅ ରେ ଗାଁ ଦାଣ୍ଡ ସବୁ ଚିକିଟା ବନମାଟିରେ ପାଦଖସାଖସେ ଖେଳିବା ର ଆନନ୍ଦ ଯିଏ ଖେଳିଛି ସିଏ ଜାଣିଛି ।ମୁଁ ମନେ ମନେ ଗାଉଛି
" ଦେ ମହାପୁରୁ ଦେ କଚାଡି, ଆଇଲେ ଖାଇବୁ ଖିରି ଖେଚଡି " ।
ଆମ ପିଣ୍ଢା ଗାଁ ରେ ସବୁଠୁ ଉଚ୍ଚ ପିଣ୍ଢା ।ଦାଣ୍ଡ ପଟ ଘରେ ହଳେ ବଳଦ ଆଉ ବଡ ପଲଙ୍କଟେ । ଦାଣ୍ଡ ପିଣ୍ଢା ରେ ଚକରା ଜେଜ ବସି ଗୋଦଡା ବୁଣୁଥାନ୍ତି ,ପଥର ପାହାଚ ସବୁ ଡଗ ଡଗ କି ଚଢି ଗଲା ବେଳୁକୁ ଡାକଟେ ମାଇଲେ, ହଇରେ ପାଠୁଆ ପୁଅ....ଜୁହାର ହବାକୁ ବିସରି ଗଲୁ କି ??ବାପାଙ୍କ ତେରଛା ଚାହାଣୀ ରେ ନଜର ପଡିଗଲାରୁ ସେଇଠି ପଙ୍କ ଲତପତ ହୋଇ ମୁଣ୍ଡିଆ ମାରିଦେଇ" ବୋଉଉଉଉଉଉ " ଡାକି ଦେଇ ଭିତର ଅଗଣାରେ ।
*************
ଡାହାଣ ହାତକୁ ଚକ୍ରି ପରି ଘୂରେଇ ଘୂରେଇ ଏକାନହସକେ ବାତଚକ୍ରି ପରି ଘିଁ ଘିଁ ଘିଁଇଇଇ ବୁଲି ବୁଲି ଦାଣ୍ଡ ଯାକ ଉଡିବୁଲୁଥିଲି ମୁଁ ଏବେ, ଆମ ଗାଁ ଦାଣ୍ଡ ପରା ।
_ବୋଉ ,....ଏଁ ବୋଉ ଏଠି କଣ କରୁଛି??? ବୋ....ଉ ।
_ ତୁ ଯା ,ଘରୁକୁ ......ମୁଁ ଆସୁଛି ।ଯା ।
ମୁଁ ନାଠେଇଛି ,ଗୋଡ ଭାଙ୍ଗି ଲସରପସର ହଉଛି ।କଣ ହେଇଛି ଏଠି କାଇଁ ଏତେ ଗହଳି ଜାଣିବାକୁ ମନ । ବୋଉ ପୁଣି ନାଲି ଆଖି ଦେଖେଇଲା ,ବିଗିଡିଲା ।ଚିଡିକି କହିଲା
_ଗଲୁ ??? ଯା କହୁଛି ତତେ ।ଯାଆ ।
ଦଉଡିଛି ।ସନାଘର ଭଗିରଥ କହୁଥିଲା ସେଠି କୁଆଡେ ସୋଇଁଘର ସୁଲିଦେଇ କୁ କାଳେ କିଏ ନାଗିଥିଲା ,ବାଉରୀବୁଢୀ କାଳେ ଫୁଣି ନାଗୁଛି ।ସୁଲି ଦେଇର କାଳେ ଆଇଁଷିଆ ଦେହ, ତାର ସେ କଳା ଅଛି ।ତାଠି ସବୁ ନାଗନ୍ତି ଅଦେଖା, ଅଦୃଶ୍ୟ.... ଯାହାଙ୍କୁ ଆମେ ଡରଉ ।କେତେ ଦିନିଯାଏ ଡର ବୁଲିଲା ଏଘର ସେଘର ।ପିଲେ ଆଉ ଦାଣ୍ଡୁକୁ ଛଡା ହେଲେନି ।ବୋଉ ମତେ ବି ତାଗିଦା କଲା ମୁଁ ଯେମିତି ସେ ସାହିକି ନ ଯାଏ ,ଗୋବର ପାଣି ସିଂଛିଲା ଆଉ ଆମ କାଳୀଗାଈ ଲାଞ୍ଜେରେ ବହେ ଝାଡିଲା ..... ସେପଟ ଖଞ୍ଜା ବାରିକଘର ..... ଯାହାର ସବୁ କଣ ଟୁଣୁକି ,ଝଡାଫୁଙ୍କା ସବୁ ଜାଣନ୍ତି ।ତାଙ୍କରି ସୁବୁଭାଈ ଯାଏ କଲିକତା ,ସେଠି ଗୋଟାକଣ ମାଟିତଳ ରେଳରେ କାମ କରେ । କଲିକତଆ ମହକଅତର ଆଣି ମନ୍ତୁରାପାଣି କରି ସୁଲିଦେଇ କୁ ଦିଏ ।ତାରି ବାରି ଆଡେ ବାଆଁରି ଚାଆଁରି ହୁଏ ,ଭଗିଆ କହେ ସବୁ ଗାଁ କୁ ଆଇଲେ ।ତାଙ୍କରି ଖୁଡିଠଉ କଣ ଗୋଟା ଚାରିକୋଣିଆ ତାବିଜ ବି ଆଣି ବାନ୍ଧିଲା ଆଉ ବାପା ଙ୍କୁ କହିଲା ୟାକୁ ନେଇ ମାଷ୍ଟ୍ରେ ଙ୍କ ଘରେ ଛାଡି ଆସ ।
ମତେ କାନ୍ଦି ଲାଗିଲା, ଏଇ ତ ଦି ତିନି ଦିନୁ ଆଇଚି, ଆଠ ଦିନିକୁ ଛୁଟି ପାଇଁ କଇଚି ।ମୁଁ କାଇଁ ଏବେ ଯିବି ଯେ ।ଭଲକଥା ଇଏ କିଏ ଭୁଆଶୁଣୀ ପେତେନୀ ହବ ବୋଲି ମୋର କିଆଁ ଘରରହଣୀ ବାତିଲ୍ ଯେ ।ରୁଷିକି ପେଟେଇଲି ।ଆମ ପଲଙ୍କ ତଳ କନ୍ଥା ତଳୁ କିଏ ଗୋଟେ ଚୁଟ୍ କି କାମୁଡି ଦେଲା ।'ବୋଉଲୋ ' ରଡିଟାରେ ବୋଉ ଆସି ସବୁ ଝାଡିପକେଇ ଖରାକୁ ଭିଡିନେଲା ।କହିଲା ହେଇ ଦେଖେ " ଓଡଶ," ରକତପିଆ ଟିପିଲି ପୋକୁଟେ ।ଭିତେରେ ଥାଏ ଦୁଶେନି ।ଚମରେ ଲାଖିଫୁଲିଯାଏ, ଟାଣିପକାଏ ।
**************
ବୋଉ କଥା ରୁ ବାପା ତ ବାପା ,ବ୍ରହ୍ମା ବି ଏକରସେକର ନ କରନ୍ତି ।ଅଗତ୍ଯା ମତେ ସମୟ ଆଗରୁ ବିଦା କରାହେଲା ଚାରିଦିନେରେ .....ଚୁଡା, ଚତୁଆ ,ବୋଉ ର ଲୁହ ଭରା ମୁହଁ ସହ ।
ହେଲେ ମୁଁ ଭାବୁଥିଲି ଏଡେ ସୁନ୍ଦର ଆଖି ଥିବା, ଆଣ୍ଠୁ ଯାଏ ଲହରା କଳା ମଚମଚ ଢେଉଢେଉକା ମୁଣ୍ଡେରେ ମୁଣ୍ଡେ ଗହଳାଏ ବାଳ ଥିବା, ମତେ ଦେଖିଲେ "ଦୀପୁରେ "କହି ଗେଲ କରି ହାତ ମୁଠା ରେ ମୁଠେ ଲଜେନ୍ସ ଥାପୁଥିବା ସୁଲିଦେଇ ଟା ପେତେନୀ କାଇଁ ହେଲା ଯେ ।ସିଏ ଖାଲି ମତେ 'ଦୀପୁନୁ କିରେ ' ନାଁ ରେ ଡାକେ, ମତେ ଭଲ ଲାଗେ ନୂଆ ନାଁ ଯୋଗୁଁ ।ସିଏ ପୋଖରୀରୁ ଗରାଏ ପାଣି ନେଇ ଉଠିଆଇଲେ ଗପର ଜଳପରୀ ପରି ଦୁଶେ ।
ବାଟେରେ ଯଗୁନିଦା କହୁଥେଲେ, ତା ଆଖି କାଳେ ଧୂସରିଆ କସରା ହେଇଗଲେଇ କେମିତିଆ ଗୋଟେ ।ସତରେ କଣ ସିଏ ଆଉ ମତେ ଗେଲ କରିବନି!!!
ଓଡଶ ଦେହର ରଙ୍ଗ ମନେପକଉଥିଲି ।
