Sibani Parida

Fantasy

4.0  

Sibani Parida

Fantasy

ନ୍ୟୁଡ୍ ପ୍ୟାଣ୍ଟିଂ

ନ୍ୟୁଡ୍ ପ୍ୟାଣ୍ଟିଂ

6 mins
341



ବର୍ଷା ହେଉଥାଏ..... ସୁଲୋଚନା ଚାହା ଆଉ ପକୁଡିର ବନ୍ଦବସ୍ତରେ ଲାଗିଥାନ୍ତି । ସେ ଜାଣନ୍ତି ଏମିତି ପାଗରେ ମୋର ପକୁଡି ଭାରି ପ୍ରିୟ । ଏବେ ଆମର ବାର୍ଦ୍ଧକ୍ୟର ସମୟ, ପୁଅ, ଝିଅ, ବୋହୂ, ଯେ ଯାହାର ସଂସାରରେ ବ୍ୟସ୍ତ । ଜୀବନର ଏଇ ବୈଶାଖ ବେଳାରେ ଆମେ ଦୁଇ ପରସ୍ପରକୁ ସାହା ହେଉଛୁ । ବାହାରେ ଜୋର୍ ବର୍ଷା ହେଲାଣି, ଉତ୍ତପ୍ତ ମାଟିରେ ପାଣି ପଡି ଏକ ପ୍ରକାରର ମହକ ସୃଷ୍ଟି କରୁଛି । ଓଦା ମାଟିର ଏଇ ବାସ୍ନା ସହ ମୋ ଜୀବନର ବସନ୍ତ ବେଳାର ଏକ ସ୍ମୃତି ଗଭିର ଭାବେ ଜଡିତ । Psychologyରେ ଗୋଟେ ଥିଓରି ଅଛି ଯାହାର ନାମ ହେଲା "The Proust effect" ଅର୍ଥାତ୍ "Smells that trigger memories" । ଆମ ସମସ୍ତଙ୍କ ଜୀବନରେ ଏମିତି କିଛି ବାସ୍ନା ବା ଗନ୍ଧ ଥାଏ, ଯାହା ବନ୍ଦ ସ୍ମୃତିର ଦ୍ବାରରେ କରାଘାତ କରେ । ଠିକ୍ ସେମିତି ଏଇ ଓଦା ମାଟିର ବାସ୍ନାରେ ମୋ ସ୍ମୃତି ଟାଣିହେଇଯାଏ ସେଇ ସମୟକୁ । ସେତେବେଳେ ମୋ ବୟସ ଛବିଶ, ସୁଲୋଚନାଙ୍କୁ ବିବାହ କରିବାର ପାଖାପାଖି ଛଅ ମାସ ପୂର୍ବର ଘଟଣା । ମୁଁ ଗୋଟେ ଭଡା ଘରେ ଏକୁଟିଆ ରହୁଥାଏ, ନୂଆ ନୂଆ ଚାକିରି ଜୀବନ, କାମର ଭାର ବି ଯଥେଷ୍ଟ ଥିଲା । ରବିବାର ରାତି ୧୧ ହେଇଥିବ ବୋଧେ, ସେଦିନ ବି ଠିକ୍ ଏମିତି ବର୍ଷା, ପବନ ଆଉ ଏଇ ମାଟିର ବାସ୍ନା । ହାତରେ ହୁଇସ୍କିର ଗୋଟେ ପେଗ୍ ଧରି ଖାଲି କାନ୍ଭାସ୍ ଉପରେ ନଜର ଥାଏ । ଚିତ୍ରକଳାରେ ମୁଁ ପିଲା ବେଳୁ ଆଗ୍ରହୀ । କର୍ମ ଜଞ୍ଜାଳ ବେଶି ହେଲେ ମନ ହାଲ୍କା କରିବା ପାଇଁ ମୋ କଳା ହିଁ ସାହାଯ୍ୟ କରେ । ତେବେ ସେଦିନ ଇଚ୍ଛା ଥିଲେ ବି କଳ୍ପନା ଜାଲରେ ବିଶେଷ କିଛି ଧରା ଦେଉନଥିଲା । ଗ୍ଲାସଟିକୁ ହାତରେ ଧରି ବାହାରେ ବାରଣ୍ଡାରେ କିଛି ସମୟ ଠିଆ ହେଲି, ସତ କହିଲେ ପ୍ରକୃତିରୁ ପ୍ରେରଣା ନେବାକୁ ଚେଷ୍ଟା କରୁଥିଲି । ପାଓ୍ବାର୍ କଟ୍ ଯୋଗୁଁ ଷ୍ଟ୍ରିଟ୍ ଲାଇଟ୍ ବି ବନ୍ଦ, ରାସ୍ତା ମଧ୍ୟ ଦେଖାଯାଉନଥିଲା । ହଠାତ୍ ଗୋଟେ ଚାରିଚକିଆ ଗାଡି ଦ୍ରୁତ ଗତିରେ ଆସି ବ୍ରେକ ମାରିଲା । ଅଚାନକ ବ୍ରେକ୍ ଯୋଗୁଁ ଗାଡିଟି ଘୋଷାଡି ହୋଇ ବାଜିଲା ଘର ଆଗରେ ଥିବା ବତିଖୁଣ୍ଟରେ । ଏମିତିରେ ଠିକ୍ ମୋ ବଙ୍ଗଳା ଆଗରେ ଚାରିଚକିଆ ଗାଡିଟିର ଲାଇଟ ଅନ୍ ଅଫ୍ ହେବାକୁ ଲାଗିଲା, ଏହା ଦେଖି ଧାରଣା ହେଲା ଯେ ବାହକଟି ନିଶ୍ଚୟ ସାହାଯ୍ୟ ଲୋଡୁଛି । ଦୌଡିଯାଇ ପହଞ୍ଚିଲି ଗାଡିପାଖେ । ଏତେ ଜୋର୍ ବର୍ଷାରେ ବାହାରେ ଠିଆ ହୋଇ ହାଲ୍ ପଚାରିବା ସମ୍ଭବ ହେଉନଥିଲା, ସେଥିପାଇଁ ଗାଡି ଭିତରେ ପଶିଗଲି । ଭିତରେ ଏକ ଅଲଗା ପ୍ରକାରର ମିଠା ମହକ ଖେଳିହୋଇ ରହିଥିଲା । ଡ୍ରାଇଭିଂ ସିିଟ୍ରେ ବସିଥିଲେ ଜଣେ ଅତି ମାତ୍ରାରେ ଭୟଭୀତ ନାରୀ । ଭାବି ମଧ୍ୟ ନଥିଲି ଏ କଥା । ସେ ପ୍ରଥମେ ଭୀଷଣ ଭୟ ପାଇଗଲେ, କିନ୍ତୁ ମୋତେ ଯେ ଡରିବାର କୌଣସି କାରଣ ନାହିଁ ଏ କଥା ଖୁବ୍ ଶିଘ୍ର ବୁଝିଯାଇଥିଲେ । ଦମ୍ଭ ଫେରିପାଇ ସେ କହିଲେ "ଗାଡି ଆଉ ଷ୍ଟାର୍ଟ ହଉନି, ପାଖରେ କୋଉଠି ମେକାନିକ୍ ମିଳିବ କି" । ମୁଁ ମନା କରିଲି, ଏତେ ବର୍ଷା ପବନରେ ସମ୍ଭବ ବି ତ ନୁହଁ ମେକାନିକ୍ ଖୋଜି ଯିବା । ହତାଶା ଭାବ ଖେଳିଗଲା ମହିଳା ଜଣଙ୍କ ମୁଖରେ । ମୁଁ କହିଲି "ବର୍ଷା ଛାଡିବା ଯାଏଁ ଆପଣ ମୋ ଘରକୁ ଚାଲନ୍ତୁ, ଏଠି ଗାଡି ଭିତରେ ବସିବା ଠିକ ହବନି" । କିଛି ସମୟ ମହିଳା ଜଣକ ସେମିତି ବସିରହିଲେ, ବୋଧହୁଏ ଭାବୁଥିଲେ ଯେ ମୋ ସହ ଯିବା କେତେ ଦୂର ନିରାପଦ । ତାପରେ ଅଚାନକ ରାଜି ହେଇଗଲେ ।

ବଙ୍ଗଳା ଭିତରକୁ ଆସୁ ଆସୁ ମହିଳା ଜଣକ ପୁରା ଭିଜି ଯାଇଥିଲେ । ଗାଡି ଭିତରେ ତାଙ୍କୁ ଠିକରେ ଦେଖିପାରିନଥିଲି, କ୍ୟାଣ୍ଡେଲ୍ ଆଲୁଅରେ ସ୍ପଷ୍ଟ ଦିଶୁଥିଲା ତାଙ୍କ ଚେହେରା । ଅପୂର୍ବ ଗଢଣ ଆଉ ରଚନା । ହୁଇସ୍କି ମୁଁ ପିଇଥିଲି, କିନ୍ତୁ ତାଙ୍କ ଆଖି ମୋ ଠୁଁ ବି ଅଧିକା ନିଶାସକ୍ତ ଦିଶୁଥିଲା । ଦେହର ରଙ୍ଗ ହାଲ୍କା ଶ୍ୟାମଳ । ମଥାରେ ସିନ୍ଦୂର, ଯାହା ପାଣି ଯୋଗୁଁ ନେସି ହୋଇଯାଇଛି । ଲମ୍ବା ଓଦା ବାଳରୁ ପାଣି ନିଗାଡିବାକୁ ଚେଷ୍ଟା କରୁଥିଲେ । ତଉଲିଆ ସାଙ୍ଗକୁ ନିଜର ଲୁଗା ଆଣି ଦେଲି ବଦଳାଇବା ପାଇଁ, ଯାହାକୁ ସେ ବିନା ଆପତ୍ତିରେ ଗ୍ରହଣ କରିଲେ । ସେ ଲୁଗା ବଦଳାଇ ଆସିବା ଭିତରେ ମୁଁ ନିଜ ପାଇଁ ଆଉ ଗୋଟେ ପେଗ୍ ବନେଇ ତାଙ୍କୁ ଅପେକ୍ଷା କରି ବସିଲି । ସେ କିଛି ସମୟ ପରେ ଆସିଲେ, ଚା କି କଫି ପିଇବେ ପଚାରିବା ପୂର୍ବରୁ ସେ ତର ତର ହୋଇ ହୁଇସ୍କି ପେଗ୍ ବନେଇ ପିଇଲେ । କୋଠରୀଟା ପୁରା ନିସ୍ତବ୍ଧ, କେବଳ ବର୍ଷାର କମ୍ପନ ସହ ମଝିମଝିରେ ଘଡଘଡିର ତାଳ ବାଜୁଥାଏ । ନାରୀ, ପୁଣି ହୁଇସ୍କି ପିଉଛନ୍ତି??

ଏ କଥା ଏତେ ସହଜରେ ମୁଁ ଗ୍ରହଣ କରିପାରୁନଥାଏ । 

ଖାଲି କ୍ୟାନ୍ଭାସକୁ ଦେଖି ପଚାରିଲେ "ଆପଣ ପେଣ୍ଟିଂ କରନ୍ତି??"।

"ହଁ ବେଳେ ବେଳେ"।

"ଆପଣଙ୍କ ପେଣ୍ଟିଂ ଗୁଡିକ ଦେଖିପାରେ କି?"

"ନିଶ୍ଚୟ, it will be my pleasure, please ଆସନ୍ତୁ"

ମୋ ପେଣ୍ଟିଂଗୁଡିକୁ ଗୋଟିକ ପରେ ଗଟେ ଦେଖି ଚାଲିଲେ ଆଊ ଗମ୍ଭିର ହୋଇ କହିଲେ "ବହୁତ୍ ଚମତ୍କାର ଆପଣଙ୍କ କଲରିଂ ସେନ୍ସ, ଚିତ୍ରର ଭାବ ହିଁ ବଦଳେଇଦଉଛି" । କଥା କଥାରେ ମୁଁ ପଚାରିଲି "ଆପଣ ଏତେ ବର୍ଷାରେ ଏକୁଟିଆ କୁଆଡେ ଯାଉଥିଲେ?"

ହଠାତ୍ ମହିଳା ଜଣକ ଗମ୍ଭୀର ହୋଇ ଉତ୍ତର ଦେଲେ "ମୋ ସ୍ୱାମୀ ମୋତେ ବହୁତ ଭଲପାଆନ୍ତି, ସେଥିପାଇଁ........"

କିଛି ସମୟର ନିରବତା ପରେ ପୁଣି କହିଲେ । 

"କାହାକୁ କହିହୁଏନି କି ସହିହୁଏନି, ସେଥିପାଇଁ ଘରୁ ବାହାରି ଆସେ ବେଳେ ବେଳେ, ଆଜି ତ ସେ ଅନ୍ୟ ଜଣେ ଝିଅକୁ ଆଣି ମୋ ଭୂମିକାରେ ରଖିଛନ୍ତି, ଯନ୍ତ୍ରଣା ଅଧିକ ହେଲା ବୋଲି ଏତେ ବର୍ଷା ସତ୍ତ୍ୱେ ବି ବାହାରି ଆସିଲି, ଏ ବର୍ଷା ଝଡ ଅପେକ୍ଷା ମୋ ଜୀବନ ଝଡର କଷଣ ଅଧିକ"।

ପୁଣି ନିରବତା, ମୁଁ କଣ କହି ସାନ୍ତ୍ୱନା ଦେବି ତାହା ଜାଣିପାରୁନଥିଲି । ମୁଁ ତାଙ୍କ ଆଖି ଭିତରର ଶୂନ୍ୟତାକୁ ପଢିବାକୁ ଚେଷ୍ଟା କରୁଥିଲି । ସେ ଦୁଃଖି କିନ୍ତୁ ଦୂର୍ବଳା ନୁହଁ । 

ମହିଳା ଜଣକ ହସିଲେ । "ଆରେ ଆପଣ ତ ମୋ କଥା ଶୁଣି ଗମ୍ଭୀର ହୋଇଗଲେ..." । ମୁଁ କହିଲି "ନା ମୁଁ ଭାବୁଛି ଆପଣ ଏତେ ଦୃଢ ଅଥଚ ଦୁଃଖି କାହିଁକି? ମାନେ ନିଜ ସମସ୍ୟାର ସମାଧାନ କାହିଁକି କରୁନାହାନ୍ତି।" କିଛି ଭାବି ସେ କହିଲେ 

"ବହୁତ୍ ବାର ଭାବିଛି ତାଙ୍କୁ ଛାଡପତ୍ର ଦେବାକଥା । କିନ୍ତୁ ଏତେ ସହଜ ନୂହଁ, କାରଣ ମୁଁ ଜଣେ ନାରୀ, ବାହାହେବା ପରେ ସ୍ୱାମୀ ଯେ ସବୁକିଛି ଏକଥା ପିଲାବେଳୁ ଆମକୁ ଶିଖା ହୁଏ । ସ୍ୱାମୀ ବିନା ସମାଜରେ ନାରୀର ଯାହା ଅବସ୍ଥା ହୁଏ ତାହା ନକହିବା ଭଲ । ଏ କଷ୍ଟ ବରଂ ସହନୀୟ ମୋ ପକ୍ଷେ..... ଛାଡନ୍ତୁ ସେକଥା, ମୁଁ ତ ଧନ୍ୟ ଯେ ପରିସ୍ଥିତିକୁ ଏଡାଇ କିଛି କ୍ଷଣ ପାଇଁ ବାହାରି ଆସିପାରୁଛି, ନହେଲେ ହୁଏତ ମୁଁ ଆତ୍ମହତ୍ୟା କରିବସନ୍ତି।"

ଏତିକି କହି ସେ ଜୋର୍ ଜୋରରେ ହସିଲେ, ସତେକି ମସ୍ତ ବଡ ହସଗପଟେ କହିଲେ । ସେ ହସ ପଛର ହତାଶ ଠିକ୍ ବୁଝିପାରିଲି କିନ୍ତୁ କିଛି କହିଲିନି । ହଠାତ୍ ସେ କହିଲେ "ମୋର ଗୋଟେ ପେଣ୍ଟିଂ ବନେଇଦେବେ?" । ରାତି ୨:୩୮ ସମୟ ଶୋଇବେନି କି ମହିଳା ଜଣକ!! ତଥାପି କହିଲି "ନିଶ୍ଚୟ, ହେଲେ ଆଗ କିଛି ଖାଇଦିଅନ୍ତୁ" । ମୃଦୁ ହସି ସେ କହିଲେ "ଭୋକରେ ରହି ରହି ଅଭ୍ୟାସ୍ ହେଇଗଲାଣି, ଆପଣ ସେଟ୍ଅପ୍ କରନ୍ତୁ ମୁଁ ରେଡ୍ଡି ହେଇ ଆସୁଛି" । ତାଙ୍କ ପାଇଁ କିଛି ତ କରିପାରିବିନି ଅନ୍ତତଃ ପେଣ୍ଟିଂ ଗୋଟେ ନେଇ ଯଦି ସେ ଖୁସି ହେବେ, ତାହା ମୁଁ ନିଶ୍ଚୟ କରିବି । ଷ୍ଟାଣ୍ଡ, ପେପର୍, ରଙ୍ଗ ସବୁ ସେଟ୍ କରିଦେଲି.... ପ୍ରାଏ ପନ୍ଦର ମିନିଟ୍ ପରେ ସେ ଆସିଲେ । ସମ୍ପୂର୍ଣ୍ଣ ଅନାବୃତ ହୋଇ ଠିଆ ହେଲେ ମୋ ଆଗରେ, ହଠାତ୍ ମୋ ଛାତିର କମ୍ପନ ବଢିଗଲା । ହାତ, ଗୋଡ ଜଡ ପାଲଟିଗଲା । ଦେହର ତାପ ଯେମିତି ଅଚାନକ ବଢିଗଲା । ସତେକି ମୋ ଭିତରେ ଗୋଟେ ରାକ୍ଷସ ଜନ୍ମ ହେଲା, ନା ନା ଜନ୍ମ ନୁହଁ ଆଗରୁ ଥିଲା ବୋଧହୁଏ ମୋ ଭିତରେ । ଅପୂର୍ବ ରୂପ ଦେଖି ଖାସ୍ ମନଟା ମୋର ଟଳମଳ ହେଉଥାଏ । ଭାବିଲି ଉଠିଯାଇ ତାଙ୍କ ଦେହର ପ୍ରତ୍ୟେକ ଭାଗକୁ ଛୁଇଁବି କି? କାହିଁକି ଏମିତି ଅନାବୃତ ହୋଇ ଆସିଲେ ମୋ ଆଗକୁ? ସେ କ'ଣ ଭୁଲିଯାଇଛନ୍ତି କି ସେ ଗୋଟେ ନାରୀ ଆଉ ମୁଁ ଜଣେ ପୁରୁଷ! ପୁରୁଷ? ଓହୋ ମୁଁ ତ ପୁରୁଷ, ରାକ୍ଷସ ନୁହଁ । ନାଁ ନିଜର ଏ ଅନ୍ଧାରି ଭାବନାକୁ ଏମିତି ଜିତିବାକୁ ଦେଇପାରିବିନି । ସେ ନାରୀ, ପୁରୁଷର ସହଚରି, ଭୋକ ମେଣ୍ଟାଇବାର ବସ୍ତୁ ନୁହଁ । ସେ ମୋ ଜଡତା ଲକ୍ଷ୍ୟ କରି କହିଲେ "ଆରମ୍ଭ କରନ୍ତୁ, ମୁଁ କାନ୍ଥକୁ ଡେରି ଠିଆ ହେଲି, ଏଇ ପୋଜ୍ରେ ହିଁ ବନେଇବେ" । ମୁଁ ହଠାତ୍ ମାୟାରୁ ବାହାରି ପେପରରେ ତାଙ୍କୁ ଉତାରିବାକୁ ଆରମ୍ଭ କରିଲି । ଆଖିରେ ତାଙ୍କର ଶୂନ୍ୟତା, ଛାତି ଉପରକୁ ତଥା ବକ୍ଷ ଦେଶରେ ହାଲ୍କା ନୀଳ ଆଉ କଳା ଦାଗର ଚିହ୍ନ । ବକ୍ଷର ଫୁଲ ଉପରେ ଦାନ୍ତର କାମୁଡା ଦାଗ । ଏସବୁ ବି କ'ଣ ଆଙ୍କିବାକୁ ହେବ? ବୋଧହୁଏ ହଁ! ପେଟର ନାଭି ଭାଗରେ ଛୋଟ ଛୋଟ ଅନେକ ପୋଡା ଦାଗ । ଜାନୁରେ ବି ସେହି ଭଳି କାମୁଡା ଦାଗ । ସତରେ ନାରୀର ପୋଷାକ ତଳେ ଅନେକ ରହସ୍ୟ ଥାଏ । ପ୍ରଥମେ ମୋ ଭିତରର ରାକ୍ଷସ ଏ ସବୁ ଦେଖିପାରିନଥିଲା, ବାସନାର ଗ୍ରାସରେ ସତେକି ଅନ୍ଧ ହେଇଯାଇଥିଲି .... ଛିଃ । ଚିତ୍ର ଆଙ୍କିବା ଭିତରେ ହିଁ ରାଗ ଆଉ ଗ୍ଲାନିରେ ହୁଇସ୍କିର ପୁରା ବୋତଲ ହିଁ ପିଇଦେଲି । ପେଣ୍ଟିଂଟି ସାରି ତାଙ୍କୁ ଦେଖିବାକୁ କହିଲି, ସେ ଭିତରକୁ ଯାଇ ମୁଁ ଦେଇଥିବା ପୋଷାକ ପିନ୍ଧି ଆସି ଚିତ୍ରଟି ଦେଖିଲେ । ମୁଁ ସୋଫାରେ ବସିଥାଏ । ଏତେ ମାତ୍ରାର ନିଶା ହେଇଯାଇଥିଲା ଯେ, କେତେବେଳେ ଶୋଇପଡିଲି ଜାଣିପାରିଲିନି । ସକାଳୁ ଆଖି ଖୋଲିଲା ବେଳକୁ ୯ଟା ବାଜିଥିଲା । ଝରକାର ପରଦା ଫାଙ୍କରୁ ଚେନାଏ ଆଲୁଅ ଛିଟିକି ପଡିଥାଏ ଘର ଭିତରକୁ । ଝରକା ବାହାରେ ଦେଖିଲି ବାହାରେ ସୂର୍ଯ୍ୟ ଦିଶୁନି, ରାତି ଝଡର ପ୍ରଭାବରେ ନଇଁ ପଡିଥିବା ଗଛ । ମହିଳା ଜଣକ ପଳେଇଥିଲେ, କେମିତି ଗଲେ କେଜାଣି । ବାହାରେ ତାଙ୍କ ଗାଡି ବି ନ ଥିଲା । ଆଶ୍ଚର୍ଯ୍ୟ, ନିଜର ନ୍ୟୁଡ୍ ପେଣ୍ଟିଂଟା ବି ସାଥିରେ ନେଇନଥିଲେ । ଛୋଟ ଅକ୍ଷରରେ ଚିତ୍ରଟି ତଳେ ଲେଖାଥିଲା "ସାଗରିକା" । 

ସାଗରିକା, ଏକ ନାରୀର ଭଙ୍ଗା ପ୍ରତିବିମ୍ବ।

"ନିଅ ପକୁଡିଟା ନିଅ, କେତେଥର ଡାକିଲିଣି ଯେ, କଅଣ ଶୁଭୁନି??" ସୁଲୋଚନା ଆସି କହିଚାଲିଛନ୍ତି । ଆଜି ବି ସେ ନ୍ୟୁଡ୍ ପେଣ୍ଟିଂଟା ମୋ ପାଖରେ ଅଛି । ସେ ହେଉଛି ମୋ ଭିତର ରାକ୍ଷସର ସାକ୍ଷୀ ଆଉ ସେ ରାକ୍ଷସକୁ ଦମନ କରିଥିବାର ପ୍ରମାଣ...... ସାଗରିକା.... 



Rate this content
Log in

Similar oriya story from Fantasy