STORYMIRROR

Sibani Parida

Tragedy

4  

Sibani Parida

Tragedy

ଅକୁହା କଥା

ଅକୁହା କଥା

5 mins
300

ସବୁ ଗାଁ ରେ ଗାଁ ଠାକୁରାଣୀ ଥାନ୍ତି, ନହେଲେ କାହାଣୀ ଆଗକୁ ବଢିବ କେମିତି, ସବୁ ଗାଁ ପୋଖରୀ ପାଖେ ଆମ୍ବତୋଟା ଥାଏ, ନହେଲେ କାହାଣୀ ଆଗକୁ ବଢିବ କେମିତି । ସବୁ ଗାଁ ଦେଇ ନଈ ଟିଏ ବହିଥାଏ, ନହେଲେ କାହାଣୀ ଆଗକୁ ବଢିବ କେମିତି। ସବୁ ଗାଁ ରେ ସବୁ କିଛି ଥାଏ, ତଥାପି ମୋ ଗାଁ ମୋ ପାଇଁ ନିଆରା। ନିଆରା ଆମ ଟାଇଲି ଘର। ଘର ଭିତର ର ମଝିବାହାର ଆଉ ତା ପାଖେ ଥିବା ଅମାର। ଅମାର ପାଖରେ ଭଅଁର ର ଗୁଣୁ ଗୁଣୁ ସ୍ୱର। ବାଡ଼ି ପଟେ ଢ଼ିଙ୍କି ର କୁଟ କୁଟ ଶବ୍ଦ। ଏଇ ଶବ୍ଦ ସହ ଯୋଡ଼ିଅଛି ମୋର ଅଭୁଲା ସ୍ମୃତି। ସ୍ମୃତି ଗୋଟେ ଏମିତି ସମ୍ପର୍କର ଯାହାକୁ ଆଜି ଭି ଖୋଜେ ଏ ମନ। ସ୍ମୃତି ଯାହା ରହିଚି ବାଡିପଟେ ଥିବା ଭଂଗା ଘରେ।


ସେତେବେଳେ ମୋତେ ୧୮ ବର୍ଷ, ପ୍ଲୁସ ୨ ପରୀକ୍ଷା ଦେଇକି ମୁଁ ଗାଁ କୁ ଯାଇଥାଏ। ଫଳ ବାହାରିବାକୁ ଅନେକ ସମୟ, ବୋଉ ଭି କହିଲା ଘରକୁ ପଳେଇ ଆ ପୁଣି ଡିଗ୍ରୀ ପାଇଁ ଯିବି ଯେ କେବେ ଆସିହବା କିଏ ଜାଣେ। ଗାଁ ରେ ବଡ ପରିବାର, ବାପା, ବୋଉ, ବଡ ବାପା, ବଡ ମା ଆଉ ତା ଛଡା ଆମେ ଭାଇ ଭଉଣୀ ୫ ଜଣ। ଜମିଦାର ପରିବାର ଆମର ତେଣୁ ଅଭାବ ନାହିଁ। ତେବେ କାହାଣୀ ଟି ଅଭାବ ର ନୁହଁ, କାହାଣୀ ଟି ଢ଼ିଙ୍କି କୁଟୁଥିବା ସେଇ ବିଧବା ତରୁଣୀ ର। ଢ଼ିଙ୍କି ପାଖ ଦେଇ ଗଲା ବେଳେ ନିଇତି ଦେଖେ ତାକୁ ଧଳା ଶାଢ଼ୀ ରେ। ବିଧବା ମୁଁହ ଚାହିଁଲେ ସବୁ କାମ ବିଗିଡି ଯାଏ, ସେଥିପାଇଁ ବୋଉ ତାକୁ କାମ ଦବା ବଦଳରେ ସର୍ତ ରଖିଥିଲା ଯେ ସେ ସବୁବେଳେ ଓଢଣା ଟାଣି କାମକୁ ଆସିବ। ତେଣୁ ମୁଁ ତାର ଚେହେରା ଦେଖନ୍ତି ବା କେମିତି। ହେଲେ ବୈଶାଖୀ ପବନ ରେ ଯେତେବେଳେ ତା ଓଢଣା ଖସିଥିଲା, ମୁଁ ହିଁ ଚମକିପଡ଼ିଲି। ଏତେ ଛୋଟ ବୟସରେ ବିଧବା... ୧୫ ବର୍ଷ ହବ ବୋଧେ। ଆଖି ଯୋଡିକ ଠିକ ସାରୁ ପତରରେ ପାଣି ପରି ଢଳ ଢଳ, କିନ୍ତୁ ଖୁବ ଉଦାସୀନ। ସେଥିରେ ସ୍ବପ୍ନ ନାହିଁ କି ରଙ୍ଗ ଭି ନାହିଁ। ଛୋଟ ନାକ ତଳକୁ ଛୋଟ ଓଠ, ମୋତେ ଦେଖି ତର ତର ହୋଇ ଓଢଣା ଟା ଟାଣିଦେଲା।


ସତରେ ପ୍ରଥମ ଥର ପାଇଁ ଜାଣିଲି ଯେ ଆଖିରେ ଆଖି ମିଶିଲେ ଭି ଏତେ କିଛି ହେଇପାରେ। ସେଇ କ୍ଷଣକ ଚାହାଣି ରେ ଯେମିତି ତା ଦୁଃଖ ମୋ ମନକୁ ସଞ୍ଚରିଗଲା। ମୋ ସାନ ଭଉଣୀ ସନ୍ଧ୍ୟା ଠୁ ଜାଣିଲି ଯେ ସେ ଆମ ଗାଁ କୁ ବୋହୁ ହେଇ ଆସିଥିଲା ଦୁଇ ମାସେ ତଳେ। ହେଲେ ତା ଦୁର୍ଭାଗ୍ୟ ବାହାଘର ୮ ଦିନ ରେ ସ୍ୱାମୀ ମରିଗଲା। ତାପରଠୁ ତା ଶାଶୁ ଘରୁ ତଡା ଖାଇକି ବାପ ଘରକୁ ଯିବାକୁ ବାହାରିଲା ଯେ ସେଠି ଭି ତାକୁ କେହି ରଖିଲେନି। ଶେଷରେ ଏଇ ଗାଁ କୁ ଫେରି ବୋଉ ପାଖରେ କାମ କରିଲା। ବାଡ଼ି ପଟରେ ଯୋଉ ଭଙ୍ଗା ଘର ଅଛି ସେଇଠି ସେ ରହି କାମ କରେ, ଘର ଭିତରକୁ କେବେ ପସେନାହିଁ। ମୁଁ ଧୀରେ ଧୀରେ ତା ସହ କଥା ହେଲି। ଖୁବ ଶୀଘ୍ର ସେ ମୋ ସହ ମିଶିଗଲା। ମିଶିବା ପରେ ହିଁ ମୁଁ ଜାଣିଲି ଯେ କେତେ ସରଳ ନିଷ୍ପାପ ମନ ତାର ପିଲାଳିଆମୀ ରେ ଭରପୁର ଥିଲେ ଭି ଦୁର୍ଭାଗ୍ୟ ର ଚାପ ରେ ଡରର ବସା ବାନ୍ଧି ହୋଇଯାଇଛି। ସବୁ ବେଳେ ତା ପାଖକୁ ଗଲେ ତା ପାଇଁ ଲୁଚେଇକି କିଛି ନା କିଛି ନେଇଯାଏ। କେବେ ଖାଇବା ଜିନିଷ ତ କେବେ ନାଇବା ଜିନିଷ। ସେ ବହୁତ ଖୁସି ହେଇଯାଏ। ତା ସ୍ୱର ରୁ ମୁଁ ତା ଖୁସି ଜାଣିପାରେ, ହେଲେ ତା ଓଢଣା କେବେ ଖସେନୀ। କେବେ ଦେଖିନାହିଁ ତା ହସ କେମିତି। ମୁଁ ଦେଇଥିବା ନାଇବା ଜିନିଷ କେବେ ପିନ୍ଧେ କି ନାହିଁ ତାହା ମଧ୍ୟ ମୁଁ ଜାଣେନି। ମୁଁ ଆଉ କଣ ଅନ୍ୟ ମାନଙ୍କ ପରି ସର୍ତ ରଖିଥାନ୍ତି! ନା ମୁଁ ପାରିବିନି କାରଣ ମନ ର କେଉଁ ଏକା କୋଣରେ ତା ପାଇଁ ଯୋଉ ଭାବନା ଜନ୍ମ ହେଉଥିଲା ସେଥିପାଇଁ ଭି କୌଣସି ସର୍ତ ନଥିଲା। ଏମିତି ରେ ଦିନ କଟି ଚାଲିଲା, ମୋ ସ୍ନାତକତର ଫଳ ବାହାରିବା ଦିନ ଭି ପାଖେଇଆସିଲା। ଜାଣିଥିଲି ଯେ ଅଳ୍ପ ଦିନ ପରେ ମୁଁ ପଳେଇଯିବି ସହରକୁ। ଆଉ ଆସିବାର ସୁଯୋଗ ଭି ନମିଳିପାରେ। ବାପା କହୁଥିଲେ ସେଇଠି ରହି କାମ କରିବା ସହ ପାଠ ଭି ପଢ଼ିବି। ତେଣୁ ଛୁଟି ନାହିଁ ଆସିବାପାଇଁ ବରଂ ବାପା ବୋଉ ଯାଇ ମତେ ସେଠି ଦେଖା କରିବେ। ଯିବା ଆଗରୁ ମୋ ମନ କଥା ବୋଉକୁ ଖୋଲି କହିଦେବାକୁ ଚାଁହୁଥିଲି କିନ୍ତୁ ଜାଣିଥିଲି ସେ ଜମା ଭି ଗୋଟେ ବିଧବା କୁ ଗ୍ରହଣ କରିବ ନାହିଁ। ପରିସ୍ଥିତି ଦେଖି ଭାବିଲି ଆଉ କିଛି ବର୍ଷ ପରେ ଜଣେଇବି ଆଉ ଯଦି କେହି ନମାନିବେ ତାକୁ ନେଇ ସହରକୁ ପଳେଇବି, ସେଠି ଏତେ ଲୋକ କଥା ଶୁଣିବାକୁ ପଡ଼ିବନି। ହେଲେ ଯିବା ଆଗରୁ ଜାଣିବାକୁ ଚାଁହୁଥିଲି ତା ମନ ରେ ମୋ ପାଇଁ କୋଉ ଭାବନା ଅଛି, କେମିତି ଜାଣିବି ଜାଣିପାରୁନଥିଲି।


ଏମିତି ରେ ପରୀକ୍ଷା ଫଳ ବାହାରିଗଲା ଆଉ ସହରକୁ ଯିବା ସମୟ ଭି ଆସିଗଲା। ଯିବା ପୂର୍ବ ରାତିରେ ସମସ୍ତେ ଶୋଇଗଲା ପରେ ମୁଁ ବାଡ଼ିପଟରେ ଥିବା ତାର ସେଇ ଭଙ୍ଗା ଘରକୁ ଗଲି। ଝରକା ଟି ଦରଆଉଜା ହୋଇଥାଏ, ଫାଙ୍କ ବାଟେ କଣେଇ ଦେଖିଲି କୋଠରୀ କୋଣରେ ଲଣ୍ଠନ ଜଳୁଛି ଆଉ ଗୋଟେ ଭଙ୍ଗା ଆଇନା ରେ ଶ୍ୟାମଳୀ ନିଜକୁ ଦେଖୁଚି। ତାକୁ ଦେଇଥିବା ସବୁ ନାଇଁବା ଜିନିଷ କୁ ନାଇକି ନିଜକୁ ଦେଖୁଚି ଆଉ ମୁଚୁକି ମୁଚୁକି ହସୁଚି। କାନଫୁଲ, ଟିକିଲି, ନାକର ଫୁଲ, ଓଠରେ ରଙ୍ଗ, ଆଖିରେ କଜଳ, ଖୁବ ସୁନ୍ଦର ତା ରୂପ, ଠିକ ଦେବୀ ପ୍ରତିମା ଭଳି। ପ୍ରଥମ ଥର ତାକୁ ଦେଖିଲା ବେଳେ ତା ଆଖିରେ ଯୋଉ ଶୂନ୍ୟତା ଥିଲା ଆଜି ତାହା ଦିଶୁନଥିଲା, ସେଥିରେ ଥିଲା ଖୁସି ର ଝଲକ, ଆଶା ର ଢେଉ ଆଉ ସ୍ବପ୍ନ ର ବିଭିନ୍ନ ରଙ୍ଗ। ମୋତେ ମୋ ଉତ୍ତର ମିଳିଗଲା, ତା ମନରେ ମୋ ପାଇଁ କୋଉ ଭାବନା ଅଛି ତାହା ତା ଆଖିରେ ପ୍ରତିଫଳିତ ହଉଥିଲା। ଉତ୍ତର ପାଇ ମୁଁ ଫେରି ଆସିଲି। ଦିନେ ଶ୍ୟାମଳୀ କୁ ସବୁ ଖୁସି ଦେବୀ ଭାବିକି ତାପରଦିନ ସହର କୁ ପଳେଇଲି। ହୃଦୟ କଥା କହିଦେଇ ଯିବାର ଥିଲା ବୋଧେ, ଯାହା କହିପାରିଲିନି ଶ୍ୟାମଳୀ କୁ ତାହା ଅକୁହା ହେଇ ରହିଗଲା। ପାଖ ପାଖି ବର୍ଷେ ପରେ ଗାଁ କୁ ଫେରି ଦେଖିଲି ସେଇ ପୁରୁଣା ଢ଼ିଙ୍କି ବସିଛି କିନ୍ତୁ ଶ୍ୟାମଳୀ ବଦଳରେ ଆଉ ଜଣେ ତାକୁ କୁଟୁଛି। ଶୁଣିବାକୁ ପାଇଲି ଦୁଇ ମାସ ତଳେ ସେ ଆତ୍ମ ହତ୍ୟା କରି ନେଲା। କିଏ କହୁଥିଲା ବିଚରା ବିଧବା ଦୁଃଖରେ କେତେ ଦିନ ବଞ୍ଚିଥାନ୍ତା, ଆତ୍ମ ହତ୍ୟା କରିନି ତ ବର୍ତ୍ତୀ ଯାଇଛି ଏ ନିଃସଙ୍ଗ ଜୀବନ ରୁ। ହେଲେ ଅସଲ ଘଟଣା ଜାଣିବା ପରେ ମୋ ପାଦ ତଳୁ ମାଟି ଖସିଗଲା।


ସନ୍ଧ୍ୟା କୁ ପଚାରିଲି ଏତେ ସବୁ ହେଇଗଲା ଅନ୍ତତଃ ଥରେ ଚିଠି ରେ ଜଣେଇଥାନ୍ତୁ. ମୋ କଥା ଶୁଣି ସନ୍ଧ୍ୟା ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା। ଶ୍ୟାମଳୀ ସାଙ୍ଗେ ସନ୍ଧ୍ୟା ର ଘନିଷ୍ଟତା ଥିଲା, ଶ୍ୟାମଳୀ ସବୁ କଥା ତାକୁ ଖୋଲି କହିଥିଲା। ମୁଁ ଯିବାର କେଇଟା ମାସ ପରେ ମୋ ବଡ ଭାଇ ସାଗର ର ନଜର ତା ଉପରେ ପଡିବା ପରେ ତା ଜୀବନରେ ଅନ୍ଧକାର ଖେଳେଇଗଲା। ପଶୁ ପରି ପ୍ରତିଦିନ ଶ୍ୟାମଳୀ କୁ ଭକ୍ଷୀ ତାର ମାନ ପୋଡି ଖାଉଥିଲା। ହେଲେ ବନ୍ଧ ଭାଙ୍ଗିଲା ସେଦିନ ଯୋଉଦିନ ସାଗର ନିଜର ଆଉ ୪ ଜଣ ସାଙ୍ଗକୁ ନେଇ ରାତି ଅଧ ରେ ଶ୍ୟାମଳୀ ଦୁଆରେ ଠିଆ ହେଲା। ସେ ସହିପାରିଲାନି ଆଉ। ସକାଳୁ ସନ୍ଧ୍ୟା କୁ କହି କୋହ ଭରା ହୃଦୟ ରେ ବହୁତ କାନ୍ଦିଲା। ତାପରଦିନ ଶ୍ୟାମଳୀ ର ଦେହ ନିର୍ଜୀବ ଅବସ୍ଥା ରେ ମିଳିଲା। ସତରେ ସେ ତରିଗଲା,ଏମିତି ନିଇତି କେତେ ଜଳିଥାନ୍ତା। ବାଡ଼ିପଟ ଭଙ୍ଗା ଘର ସବୁଦିନ ପାଇ ବନ୍ଦ ହେଲା। ଲୋକ କହୁଥିଲେ କୁଆଡେ ତାର ଆତ୍ମା ଏବେ ଭି ସେଇ ଘରେ ରହିଛି, ସେଥିପାଇଁ ସେଠି କେହି ଯାଉନାହାନ୍ତି। ୟା ଭିତରେ ୨୫ବର୍ଷ ବିତିଗଲାଣି ସେ କଥାକୁ ଆଜି ଭି ସେ ଘର ସେମିତି ବନ୍ଦ ଅଛି। ମୁଁ ଗାଁ କୁ ଗଲେ ଆଗେ ସେଇ ଭଙ୍ଗା ଘର କୁ ଯାଇ ଝରକା ଫାଙ୍କ ରେ ଦେଖେ ଭିତର ଟା ପୁରା ଅନ୍ଧାର ଆଉ ବୁଢିଆଣୀ ଜାଲ ହେଲେ ତା ଭିତରେ ଭି ଦିଶିଯାଏ ସେଇ ଦୁଇ ଲୁହ ଭରା ଆଖି ଯାହା ମୋ ଆଖିକୁ ଧୀରେ ଧୀରେ ସଞ୍ଚରି ଯାଏ। କେତେ କଥା କହିବାର ଥିଲା ଶ୍ୟାମଳୀ କୁ ସବୁ ଅକୁହା ହେଇ ରହିଗଲା । 

  


Rate this content
Log in

Similar oriya story from Tragedy