ନୋ ସରି ନୋ ଥ୍ୟାଙ୍କ ୟୁ
ନୋ ସରି ନୋ ଥ୍ୟାଙ୍କ ୟୁ
ନେହା ଆସ ନା ! ସାର୍ ଗଲେ ମାଡ଼ ଦେବେ।
ଆରେ ହଁ ହଁ ଯାଉଛି। ଆଜି ଟିକେ ଲେଟ୍ ହେଇ ଗଲା। ସରି ୟାର !
କଲ୍ୟାଣୀ ସାଇକେଲ ରୁ ତଳକୁ ଓହ୍ଲାଇ ଆସିଲା। ନେହା କହିଲା" ଆରେ କଣ ହେଲା ତତେ ? ତୁ ଓହ୍ଲାଇ ପଡ଼ିଲୁ କାହିଁକି ?"
ମୁହଁ ଟାକୁ ମୋଡି ଦେଇ ଅନ୍ୟ ଆଡ଼େ ମୁହଁ ବୁଲେଇ ଦେଲା କଲ୍ୟାଣୀ। ନେହା ଟିକେ ଭାବିଲା କିଛି ଭୁଲ କଥା କହି ଦେଲା ନା କଣ ! କିଛି ସମୟ ପରେ ମନ ପଡ଼ିଲା। ସାଇକେଲ ଷ୍ଟାଣ୍ଡ ମାରିଦେଇ ତା ପାଖକୁ ଚାଲି ଗଲା। ଗାଲ ଦି' ଟାକୁ ଗେଲ କରି ଦେଇ କହିଲା " ସରି ଆଉ କେବେ ବି କହିବିନି ? ମୁଁ ତ ଭୁଲି ଯାଉଛି। ଆଦତ୍ ହେଇ ଯାଇଛି ନା !
କଲ୍ୟାଣୀ ମୁହଁ ବୁଲେଇ ଦେଇ କହିଲା କେତେ ଥର କହିଲୁଣି ମତେ ?
ନେହା କହିଲା ଥରେ କହିଛି ! ଆରେ ନାଇଁ ନାଇଁ ଦୁଇ ଥର
କଲ୍ୟାଣୀ କାନ ଟିକୁ ମୋଡି ଦେଲା। କହିଲା ଦୋସ୍ତି ରେ ନୋ ସରି ନେହା କହିଲା ନୋ ଥ୍ୟାଙ୍କ ୟୁ ! ହସିଲେ ଦୁଇ ଜଣ। ନେହା କହିଲା ହଉ ଆଉ ଜମା କହିବିନି। ଏଥର କାନ ଛାଡ଼ ବହୁତ ଜୋର୍ ରେ କାଟୁଛି। କଲ୍ୟାଣୀ କାନ ଛାଡ଼ି ଦେଲା। ନେହା କହିଲା ଚାଲ ଚାଲ ଯିବା। ଦୁହେଁ ସାଇକେଲ ବାହାର କରି ଦେଇ ଚାଲି ଗଲେ।
ଦୁଇ ଶରୀର ସିନା ଗୋଟେ ଆତ୍ମା। ଚାରି ଆଖି ଗୋଟେ ସ୍ବପ୍ନ ଦେଖୁଥିଲା। ପରୀକ୍ଷା ରେ ମଧ୍ୟ ସମାନ ମାର୍କ ରହୁଥିଲା। ସାର୍ ଦୁଇ ଜଣଙ୍କୁ ଯାଆଁଳା ଭଉଣୀ ସବୁ ବେଳେ କହୁଥିଲେ। ଡ୍ରେସ୍ ଆଣିଲେ ବି ଏକା ଡ୍ରେସ୍ ହିଁ ଆଣୁଥିଲେ। ଦଶମ ସରିଲା। ଗୋଟେ ମାର୍କ ଏପଟ ସେପଟ। ନ ହେଲେ ସବୁ ଥର ପରି ସମାନ ମାର୍କ ରହି ଥାଆନ୍ତା। ଗୋଟେ କଲେଜ ରେ ଦୁହେଁ ପାଠ ପଢ଼ିବାକୁ ଗଲେ। ଟିଫିନ୍ ଧରି ଯାଆନ୍ତି। ନେହା କଲ୍ୟାଣୀ କୁ ଖୁଆଇ ଦିଏ। ସିଏ ବି ତାକୁ ଖୁଆଇ ଦିଏ। ସମସ୍ତେ ଦେଖି ହସୁ ଥାଆନ୍ତି ତ କେହି ଈର୍ଷା ରେ ଜଳୁ ଥାଆନ୍ତି। ଦୁଇ ଜଣ ଙ୍କୁ କିଛି ଫରକ ପଡୁ ନ ଥିଲା। ଜଣେ ଜଣଙ୍କ ପାଇଁ ଜୀବନ ଦେବାକୁ ବି ରାଜି ହେଇ ଯାଉଥିଲେ। ଜଣେ ଜଣଙ୍କ ଆଖିରେ ନିଜ ସ୍ଵପ୍ନ ଦେଖୁଥିଲା।
କିନ୍ତୁ ଇଏ ତ ଯୌବନ ବୟସ। ମନ ତ ନିଶ୍ଚୟ ଉଡ଼ି ବୁଲିବ । କେତେ ସଂଯମତା କରି ଚାହିଁଲେ ବି ମନ କୁ ବାନ୍ଧି ରଖି ହେବନି। କଲ୍ୟାଣୀ ଦେଖିବାକୁ ଟିକେ ସୁନ୍ଦର ଥିଲା। ଗୋରା ମୁହଁ , ଗାଲ ରେ ଦୁଇଟି ଭଉଁରୀ ଥାଏ। ହସି ଦେଲେ ଫୁଟି ବାହାରି ପଡ଼ିଯାଏ। ସେଥିପାଇଁ ସେ କ୍ଲାସ ରେ ବହୁତ ସୁନ୍ଦର ଦେଖା ଯାଉଥିଲା। କିନ୍ତୁ ପ୍ରକୃତ ରେ ସୁନ୍ଦରତା ମୁହଁ ରେ ନୁହଁ ହୃଦୟ ରେ ଥାଏ। କଲ୍ୟାଣୀ କୁ କ୍ଲାସ ରେ ଅମର ବୋଲି ଗୋଟେ ପିଲା ପ୍ରେମ କରୁଥିଲା। କଲ୍ୟାଣୀ ଏ ସବୁ କିଛି ଜାଣି ନ ଥିଲା। ନେହା କିନ୍ତୁ କ୍ଲାସ ରେ ବାରମ୍ବାର କଣେଇ କଣେଇ ଚାହିଁ ରହିବାର ଦେଖିଥିଲା। ଆଉ କାହାକୁ ଦିନେ କହୁ ଥିବାର ବି ଶୁଣି ଥିଲା। କଲ୍ୟାଣୀ କୁ ତ ଏହା କହିବା ଟା ଠିକ୍ ହେବନି ବୋଲି ଭାବିଲା। ତେଣୁ ନିଜେ ନିଜେ ଯେମିତି ହେଲେ ବି ତା ଠାରୁ ଅଲଗା ରଖିବ। କାହିଁକି ନା ସେ ପିଲା ଭଲ ପିଲା ନୁହଁ।
ନେହା ଦିନେ କଲ୍ୟାଣୀ କୁ ବସାଇ ଦେଇ ଯାଇଥିଲା ପାଣି ବଟଲ ଆଣିବାକୁ। ସେଇ ସମୟରେ ଗୋଟେ ପେପର୍ ତା ଉପରକୁ ପଡ଼ିଲା। ନେହା ଆସି ନ ଥିଲା। ଇଏ ପେପର୍ ଟାକୁ ଖୋଲିଲା ବେଳକୁ ସେଥିରେ ବଡ ବଡ ଅକ୍ଷର ରେ ଆଇ ଲଭ୍ ୟୁ ବୋଲି ଲେଖା ହୋଇଛି। ସେ ଚାରିଆଡ଼େ ଚାହିଁଲା। ଦେଖିଲା କିଛି ଦୂର ରେ ଅମର ଠିଆ ହୋଇ ହସୁ ଥାଏ। କଲ୍ୟାଣୀ ଆଗ ପଛ କିଛି ବିଚାର ନ କରି ସମ୍ମତି ଦେଇଦେଲା। ସିଏ ବି ଗୋଟେ ପେପର୍ ରେ ଲେଖିକି ଦେଲା। ନେହା ଦେଖି ଦେଲା ଦୁଇ ଜଣ ପରସ୍ପର କୁ ଚାହିଁ ରହିଥିବା ସମୟରେ। ସେ ଧାଇଁ ଆସି କଲ୍ୟାଣୀ କୁ ସେଠାରୁ ଟାଣି ଟାଣି ନେଇ ଆସିଲା।
କେତେ ଦିନ ଏମିତି ଗଲା। ଅମର ଆଉ କଲ୍ୟାଣୀ ଦୁହେଁ ଲୁଚି ଲୁଚି ମିଶୁ ଥିଲେ। ନେହା ନଜର ରେ ରଖୁଥିଲା କଲ୍ୟାଣୀ କୁ। କଲ୍ୟାଣୀ କେମିତି ହେଲେ ବି ଦେଖା କରି ଦେଉଥିଲା। ନେହା ପାଇଁ କିଛି ବି ଅଗୋଚର ନ ଥିଲା। କଲ୍ୟାଣୀ କୁ ବହୁତ ବୁଝାଇଲା ସେ କିନ୍ତୁ ବୁଝିବାକୁ ନାରାଜ ଥିଲା। ଏପଟେ କଲେଜ ରେ ବି ପରୀକ୍ଷା ସରି ଯାଇଥିଲା। ଘରେ କେହି କହି ଦେଇ ଥିବାରୁ କଲ୍ୟାଣୀ ର ବାହାଘର ଠିକ୍ କରି ଦେଇଥିଲେ ତା ବାପା। କଲ୍ୟାଣୀ ବାହା ହେବାକୁ ମନା କରୁଥିଲା। ଧୀରେ ଧୀରେ କଲ୍ୟାଣୀ ଆଉ ନେହା ର ସମ୍ପର୍କ ମଧ୍ୟ ରେ ବଡ ଫାଟ ବି ସୃଷ୍ଟି ହେବାକୁ ଯାଉଥିଲା।
କଲ୍ୟାଣୀ ନେହା ର କୌଣସି କଥାକୁ ଶୁଣିବାକୁ ରାଜି ନ ଥିଲା। ଭଲ କଥା କହିଲେ କଲ୍ୟାଣୀ କହୁଥାଏ ତୁ ଚାହୁଁ ନାହୁଁ ଯେ ମୁଁ ଅମର ସହ ଖୁସି ରେ ରହେ ବୋଲି। ତତେ ଈର୍ଷା ଲାଗୁଛି। ଆମ ଦୁହିଁଙ୍କ ଦେଖିଲେ । ବହୁତ ବୁଝାଇଲା ପରେ ବି କଲ୍ୟାଣୀ ଜିଦ୍ ଧରି ବସିଲା ଅମର କୁ ବାହା ହେବ ବୋଲି। ନେହା ଆଉ କିଛି କହିଲା ନାହିଁ। ଦୁହିଙ୍କ ଭିତରେ ବହୁତ ଜୋର୍ ଝଗଡା ହେଇ ଗଲା। ସବୁ ବନ୍ଦ ହେଇଗଲା। କଥା ବାର୍ତ୍ତା ଦେଖା ସାଥି ହୋଇ ଖାଇବା ଗାଧେଇ ଯିବା ସବୁ କିଛି । କଲ୍ୟାଣୀ ପାଗଳ ହୋଇ ସାରିଥିଲା। ଭଲ ମନ୍ଦ ସେ କିଛି ବୁଝି ପାରୁ ନ ଥିଲା। ଏତେ ଦିନ ର ଦୋସ୍ତି କୁ ସେ ଗୋଟେ ଚୁଟକି ରେ ଭାଙ୍ଗି ଚୂରମାର୍ କରିଦେଲା।
ଗାଁ ରେ ଚହଳ ପଡ଼ିଗଲା। ମିଶ୍ର ଘର ର ଝିଅ ଘର ଛାଡ଼ି ଚାଲି ଯାଇଛି। ଆଜି ତାକୁ ନିର୍ବନ୍ଧ କରିବାକୁ ଆସି ଥାଆନ୍ତେ। କିନ୍ତୁ ଘରୁ ଝିଅ ଫେରାର। ନେହା କାନ ରେ ଏ କଥା ପଡ଼ିଲା। ସେ କଣ କରିବ ଭାବି ପାରିଲାନି। ଧାଇଁ ଗଲା କଲ୍ୟାଣୀ ଘରକୁ। ତା ବାପା ଖାଲି କାନ୍ଦୁ ଥାଆନ୍ତି। ଗୋଟିଏ ହିଁ ଝିଅ ଥିଲା। ଦୁଇ ଭାଇ ବାହାରେ ରହୁ ଥିଲେ। ନିର୍ବନ୍ଧ ପରେ ଗାଁ କୁ ଆସି ବାହାଘର କରିବେ ବୋଲି ଭାବୁ ଥିଲେ। କିନ୍ତୁ ନା ସବୁ ଆଶା ଆଶାରେ ହିଁ ରହି ଗଲା। କିଛି ସମୟ ପରେ ପୁଅ ଘର ଲୋକ ଆସିବେ କଣ ଉତ୍ତର ଦେବ ସେମାନଙ୍କୁ ? ନେହା କହିଲା ଧୈର୍ଯ୍ୟ ଧର। ସବୁ ଠିକ୍ ହେବ। କିଛି ହେବନି।
ପୁଅ ଘର ଆସିଲେ। ସବୁ କାର୍ଯ୍ୟ ଠିକ୍ ଭାବରେ ହେଇ ଗଲା। କଲ୍ୟାଣୀ ଯାଗା ରେ ନେହା ରହିଗଲା । ନେହା ର ମା ହିଁ ଥିଲେ। ଆଉ କେହି ନୁହଁ। ତେଣୁ କଲ୍ୟାଣୀ ଘରେ ସମସ୍ତେ ତାକୁ ସ୍ନେହ କରୁଥିଲେ। ସେ ଆଉ ମନା କରି ପାରିଲାନି। ବାହାଘର ବି ଭଲରେ ହେଇ ଗଲା। ପୁଅ ଘର ଆହୁରି ଖୁସି ଥିଲେ। ଏପରି ଏକ ସଂସ୍କାରି ବୋହୂ ପାଇ। ନେହା ସେଠି ଆରାମ ସେ ଶାଶୁ ଶଶୁର ଙ୍କ ସେବା କରି ଦିନ କାଟୁ ଥିଲା। ବେଳେ ବେଳେ କଲ୍ୟାଣୀ କଥା ମନେ ପକାଇ ବହୁତ କାନ୍ଦେ। କେମିତି ବିଚାରି ରହୁଥିବ ସେଠି। ସେ ପିଲା ତାକୁ କେମିତି ରଖି ଥିବ ? ଯୋଉଠି ବି ଥାଉ ଭଲରେ ରହୁ ବୋଲି ଠାକୁର ଙ୍କୁ ପ୍ରାର୍ଥନା କରୁଥାଏ।
ଦିନେ ନେହା କାର ରେ ବସିଛି। ଜଣେ ଆସି କହିଲା ମାଡ଼ାମ କିଛି ପଇସା ଦିଅ। ମୋ ପୁଅ କୁ ବହୁତ ଜୋର୍ ଜ୍ଵର। ତାକୁ ମେଡିକାଲ ନେବି। ନେହା ପଇସା ବାହାର କରି ଦେଲା ବେଳକୁ ମୁହଁ କୁ ଦେଖି ରହି ଗଲା। ଆଖି ରୁ ଲୁହ ଝର ଝର ହୋଇ ଝରିଗଲା। କାର ଭିତରୁ ବାହାରି ପଡ଼ିଲା। ସ୍ତ୍ରୀ ଲୋକ ଟି କଲ୍ୟାଣୀ ହିଁ ଥିଲା। ଭିଡ଼ି ଧରି ତାକୁ ବହୁତ ଜୋର୍ ରେ କାନ୍ଦିଲା। ଇଏ କଣ ହେଲା କେମିତି ଏ ଅବସ୍ଥା ହେଲା ? ଆଉ ଏ ଛୁଆ କାହାର ?
କଲ୍ୟାଣୀ ସବୁ କଥା କହିଲା । ଅମର ସହ ଆସିବା ପରେ ଅମର ତାକୁ ନ ବାହା ହେଇ ଖାଲି ମିଛ ପ୍ରତିଶ୍ରୁତି ଦେଇ ତା ଶରୀର ସହ ଖେଳିବାକୁ ଲାଗିଲା। ଆଉ ମୁଁ ଯେବେ ପ୍ରେଗନେଣ୍ଟ ଅଛି ବୋଲି ଜାଣିଲା କୁଆଡେ ଚାଲିଗଲା। ମୁଁ ଏଇ ପିଲା କୁ ଧରି କୁଆଡେ ଯିବି ବୋଲି ଭାବିଲି। ଘର କୁ ଗଲେ ନିଶ୍ଚିତ ରୂପେ ବାବା ବାହାର କରି ଦେବେ ବୋଲି ମୁଁ ଆଉ ଗଲିନି। ଭିକ ମାଗି ମାଗି ପେଟ ପୋଷିବି ବୋଲି ଠିକ୍ କରି ନେଲି। ଏହା କହି ତା ପିଲା କୁ ଆଣି ଦେଖାଇଲା। ନେହା ପିଲା କୁ ଦେଖି ଆଉ ରହି ପାରିଲାନି। ଆଖି ରୁ ତାର ଲୁହ ଖାଲି ଝରି ଝରି ଚାଲିଥାଏ । ସେପଟେ ନେହା ର ସ୍ବାମୀ କାମ ସାରି ଆସି ଠିଆ ହୋଇ ସବୁ କଥା ଶୁଣୁ ଥିଲେ। କଲ୍ୟାଣୀ ତାଙ୍କୁ ଦେଖି ଦେଇ ମୁଣ୍ଡ ପୋତି ସରି ବୋଲି କହିଲା। ନେହା କହିଲା ପୁଣି କହିଲୁ ନା ! କଲ୍ୟାଣୀ ହସି ଦେଇ କହିଲା ହଉ ଆଉ କହିବିନି। ନେହା ସବୁ କଥା କହିଲା ସିଏ ଗଲା ପରେ କେମିତି ବାହା ହେଲା ବାପା ମା କେମିତି ଅଛନ୍ତି ? ସବୁ କିଛି।
କିଛି ସମୟ ପାଇଁ ଚୁପ୍ ହେଇଗଲେ ସମସ୍ତେ। ନେହା ନିରବତା ଭାଙ୍ଗି କହିଲା କଲ୍ୟାଣୀ ତୁ ଆଉ ଥରେ ବାହା ହୋଇ ଯା ! କଲ୍ୟାଣୀ କହିଲା ତୁ ପାଗଳ ନା କଣ ! ମୋ ପିଲା ର ଅବସ୍ଥା କଣ ହେବ ?
ନେହା ର ସ୍ବାମୀ କହିଲେ ତାକୁ ଆମେ ଦୁହେଁ ପାଳନ କରିବୁ। ତମେ ଆଉ ଥରେ ବାହା ହୋଇ ଯାଅ।
କଲ୍ୟାଣୀ ରାଜି ହେଉ ନ ଥିଲା। ନେହା କହିଲା ଆରେ ମୁଁ ମା ହେଇ ପାରିବିନି। ସେଥିପାଇଁ କହୁଛି ତୁ ତାକୁ ଆମକୁ ଦେଇ ଦେ ! ତୁ ପୁଣି ନୂଆ ଜୀବନ ଆରମ୍ଭ କର।
କଲ୍ୟାଣୀ ଭିଡ଼ି ଧରି ନେହା କୁ କାନ୍ଦିଲା। କଲ୍ୟାଣୀ କହିଲା ତୁ ମୋ ପାଇଁ କଣ କଣ ନ କରିଲୁ କହ। ତା ସହ ମିଶିବାକୁ ମନା କରିଲୁ। ମୁଁ କିନ୍ତୁ ମିଶି କେତେ ବଡ ଭୁଲ୍ କରିଲି ଘରର ଇଜ୍ଜତ କୁ ମାଟିରେ ମିଶେଇ ଦେଲି ତୋ ସହ ସମ୍ପର୍କ ଭାଙ୍ଗି ଦେଲି। କିନ୍ତୁ ତୁ ନା ମୋ ଉପରେ ରାଗିଛୁ ନା ଅଭିମାନ କରିଛୁ। ତୋର ଏ ଋଣ ମୁଁ କେବେ ବି ଶୁଝି ପାରିବିନି ରେ। ମତେ କ୍ଷମା କରି ଦେବୁ।
ନେହା କହିଲା ଆଉ ଥରେ ସେମିତି କହିଲୁ ନା ବାରମ୍ବାର ତତେ କହିଛି ଦୋସ୍ତି ରେ ନୋ ସରି ନୋ ଥ୍ୟାଙ୍କ ୟୁ। ସମସ୍ତେ ହସିଲେ। କଲ୍ୟାଣୀ କୁ ବାହା କରାଇ ଦେଲେ। ତା ପିଲାକୁ ନେଇ ନେହା ନିଜପାଖରେ ରଖିଲା ।
