ନିସ୍ତବ୍ଧତା
ନିସ୍ତବ୍ଧତା
ରାତ୍ରି ର ଘୋର ଅନ୍ଧକାର ମଧ୍ୟ ଦେଇ ଏକ ଶୁନଶାନ୍ ରାସ୍ତା ରେ ଆଗକୁ ଗତି କରି ଚାଲିଛି ବିନୋଦ।ଅନ୍ୟମନସ୍କ ଅବସ୍ଥା ରେ ଧିର ବେଗ ରେ ଚାଲିଛି ରାସ୍ତା ସରିବାକୁ ନାହିଁ। ବାସ୍ତବ ଦୁନିଆ ରୁ ଅନଭିଜ୍ଞ ସେ। ହଠାତ୍ ଏକ ପଥର କୁ ଧକ୍କା ଖାଇ ତାର ଚେତନା ଫେରିଲା।ଚାରିଆଡ଼େ ଆଖି ବୁଲାଇ ଦେଖିଲା ରାତ୍ରି ର ନିସ୍ତବ୍ଧତା ଦିନ ର ଚଞ୍ଚଳ କୋଳାହଳ ପୂର୍ଣ୍ଣ ଜୀବନଯାପନ ଶୈଳୀ ଉପରେ ନିଜର ଆଧିପତ୍ୟ ବିସ୍ତାର କରିସାରିଛି।ଠିକ୍ ଯେମିତି ତା ନିଜ ଜୀବନ ର ଖୁସି ର ଲହରୀ ରେ ଦୁଃଖ ର ନିସ୍ତବ୍ଧତା ଆଧିପତ୍ୟ ବିସ୍ତାର କରିଛି। ସେ ବିଚାର କଲା ରାତ୍ରି ପରେ ଦିନ ଆସିବ।ଏହି ନିସ୍ତବ୍ଧ ରାତ୍ରି ର ଅନ୍ତ ଘଟିବ ହେଲେ ତା ମନ ର ନିସ୍ତବ୍ଧତା କୁ କିଏ ହରିବ।ଗୋଟିଏ ଗଛ ମୂଳେ ଏକାକୀ ବସି କାନ୍ଦିବାକୁ ଆରମ୍ଭ କଲା ବିନୋଦ। ତା ସ୍ତ୍ରୀ ର ବିଚ୍ଛେଦ ର ଦୁଃଖ କୁ ଆଉ ମନ ଭିତରେ ଚାପି ରଖି ପାରିଲାନି ସେ।
ବାର ଦିନ ତଳେ ବିନୋଦ ର ସ୍ତ୍ରୀ ସବୁଦିନ ପାଇଁ ସଂସାର ଛାଡି ଚାଲିଗଲା ଏବଂ ବିନୋଦ କୁ ଦେଇଗଲା କୁନି ର ଦାୟିତ୍ଵ।ଦୁଇ ବର୍ଷ ତଳେ ବିନୋଦ ନୟନା ର ହାତ ଧରି ବାହା ହେଇଥିଲା।ସବୁ ଦିନ ପାଇଁ ନିଜ ଜୀବନସାଥି ଭାବ ରେ ନୟନା କୁ ଗ୍ରହଣ କରିଥିଲା ସେ। ଦଶ ମାସ ତଳେ ନୟନା,ବିନୋଦ ଏବଂ ତାର ପ୍ରେମ ର ସନ୍ତକ ଭାବ ରେ ଜନ୍ମ ଦେଲା କୁନି କୁ।କିନ୍ତୁ କୁନି ର ଜନ୍ମ ସହ ନୟନା ଏକ ନୂତନ ଯକୃତ ରୋଗ କୁ ନିଜ ଭିତରେ ଜନ୍ମ ଦେଇଥିଲା।କିନ୍ତୁ ସେ ରୋଗ କୁ ଅଣଦେଖା କରିଥିଲା ସେ।ଦୁଇ ମାସ ତଳେ ତାର ରୋଗ ଚିହ୍ନଟ ହେଲା କିନ୍ତୁ ଡାକ୍ତର ଶେଷ ସମୟ ର ସଂକେତ ଦେଇସାରିଥିଲେ।
ଡାକ୍ତର ମୁହଁ ରୁ ନୟନା ର ସ୍ବାସ୍ଥ୍ୟ କଥା ଶୁଣି ଦୁଃଖ ରେ ଭାଙ୍ଗି ପଡିଲା ବିନୋଦ। ନୟନା ର ମନ ରେ ତିଳେ ମାତ୍ର ଦୁଃଖ ନାହିଁ।ସେ ନିଷ୍ପତ୍ତି ନେଲା ଯେତିକି ସମୟ ତା ପାଖ ରେ ଅଛି ସେ ଖୁସି ରେ ବିନୋଦ ଏବଂ କୁନି ସହ ଅତିବାହିତ କରିବ। ନୟନା ପ୍ରତିଦିନ ବିନୋଦ କୁ ଲୁଚାଇ ଡାଏରୀ ଲେଖେ। ସେଥି ରେ ସେ ବିନୋଦ ଏଵଂ କୁନି ର ଭବିଷ୍ୟତ ର ପାଇଁ ଯାହା ସବୁ ସ୍ବପ୍ନ ଦେଖିଛି ଲେଖିକି ରଖେ। ନୟନା ର ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାକୁ ଲାଗିଲା। ମୃତ୍ୟୁ ପୂର୍ବ ଦିନ ବିନୋଦ କୁ କହିଲା, ତୁମେ ମୋତେ କେତେ ଭଲ ପାଉଛ?
ବିନୋଦ ଆଖି ରେ ଦୁଇ ଧାର ଲୁହ ଆସିଲା, ସେ କହିଲା ନୟନା ମୁଁ ଚାହୁଁଛି ଭଗବାନ ତୁମ ଜାଗା ରେ ମୋତେ ଏ ଦୁନିଆ ରୁ ନେଇଯାଆନ୍ତୁ।ତୁମେ ଛାଡ଼ି ଚାଲିଗଲେ ମୁଁ ଜୀବିତ ରହି ପାରିବି ନାହିଁ।ଏହା କହି ସେ ଭୋ ଭୋ କରି କାନ୍ଦି ପକେଇଲା।
ନୟନା ନିଜ ଲୁହ କୁ ଚାପି ବିନୋଦ କୁ କହିଲା, ବିନୋଦ ମୁଁ ଶେଷ ଥର ପାଇଁ କିଛି ମାଗିବି ମୋତେ ଦେବ?
ବିନୋଦ କହିଲା କୁହ ନୟନା
ମୋର ମୃତ୍ୟୁ ପରେ ତୁମେ ଦ୍ଵିତୀୟ ବିବାହ କରିବ।
ବିନୋଦ ନା କହି ସେ ବସିଥିବା ସ୍ଥାନ ରୁ ଉଠିଗଲା। ଏ ତୁମେ କଣ କହୁଛ ନୟନା , ମୁଁ ତୁମ ସ୍ଥାନ ମୋ ଜୀବନ ଅନ୍ୟ କାହାକୁ ଦେଇପାରିବି ନାହିଁ।
ନୟନା କହିଲା,ମୁଁ ଜାଣିଚି ବିନୋଦ ମୋ ସ୍ଥାନ ତୁମ ଜୀବନ ରେ କେହି ନେଇପାରିବ ନାହିଁ।କିନ୍ତୁ ତୁମେ ହୃଦୟ ରୁ ନୁହେଁ ବାସ୍ତବ କଥା ଚିନ୍ତା କର।ମୋ ପରେ ତୁମର ଆଉ କୁନି ର ଯତ୍ନ କିଏ ନେବ?ବିନା ମା ରେ ତୁମେ କୁନି ର ଦାୟିତ୍ଵ ନେଇ ପାରିବ ତ?
ବିନୋଦ କହିଲା ସେ ସବୁ ମୁଁ କିଛି ଶୁଣିବାକୁ ଚାହୁଁନି। ମୁଁ ଦ୍ଵିତୀୟ ବିବାହ କରିପାରିବି ନାହିଁ।
ନୟନା କହିଲା ମୋର ଶେଷ ଇଛା ତୁମେ ପୂରଣ କରିବନି ବିନୋଦ।ମୋ ପାଇଁ ନହେଲେ ନାହିଁ ଆମ ଝିଅ କୁନି ପାଇଁ ତୁମ କୁ ମୋ କଥା ମାନିବାକୁ ପଡ଼ିବ।
ବିନୋଦ ର ହୃଦୟ ଦୁଃଖ ଏବଂ କୋହ ରେ ଫାଟି ଯାଉଥାଏ।
ଶେଷ ରେ ନୟନା ବିନୋଦ କୁ ନିଜ ରାଣ ଦେଉ ଦ୍ଵିତୀୟ ବିବାହ ପାଇଁ ରାଜି କରେଇ ଦେଲା।
ନୟନା କହିଲା ବିନୋଦ ମୁଁ ତୁମ ର ଆଉ କୁନି ର ଭବିଷ୍ୟତ ପାଇଁ ନିଜ ର ସ୍ବପ୍ନ କୁ ଏକ ଡାଏରୀ ରେ ଲେଖି ରଖିଛି।ମୋର ମୃତ୍ୟୁ ପରେ ସେ ଡ଼ାଏରୀ ଖୋଲିବ ଏବଂ ମୋର ଇଚ୍ଛା କୁ ପୂରଣ କରିବ।
ବିନୋଦ କହିଲା, ମୁ କଥା ଦେଉଛି ନୟନା ତୁମ ର ପ୍ରତ୍ୟେକ ଇଚ୍ଛା ମୁଁ ପୂରଣ କରିବି।
ତା ପର ଦିନ ନୟନା ସକାଳୁ ଆଉ ଉଠିଲା ନାହିଁ।ସେ ସବୁ ଦିନ ପାଇଁ ବିନୋଦ କୁ ଛାଡ଼ି ଚାଲିଗଲା।
ପରିବାର ଲୋକ ଙ୍କ ସାହାଯ୍ୟ ଏବଂ ଆଶ୍ଵାସନା ରେ ବିନୋଦ ବାର ଦିନ ପର୍ଯ୍ୟନ୍ତ ନିଜ କୋହ କୁ ଚାପି ନୟନା ର କ୍ରିୟା କର୍ମ ସଂପାଦନ କଲା।
ବାର ଦିନ ସବୁ କାମ ସରିବା ପରେ ସେ ଶୁଣିଲା ତାର ବାପା ଏବଂ ମାଆ ତାର ଦ୍ଵିତୀୟ ବାହା ଘର କଥା ହେଉଛନ୍ତି।ଏହା ଶୁଣି ବିନୋଦ ଅନ୍ୟମନସ୍କ ଭାବ ରେ ନିସ୍ତବ୍ଧ ରାସ୍ତା ରେ ଚାଲିବାକୁ ଆରମ୍ଭ କଲା।ବାର ଦିନ ର କୋହ କୁ ସେ ଗଛ ତଳେ ବସି କାନ୍ଦି କାନ୍ଦି ଭାବୁ ଥାଏ।ସତ ରେ କଣ ଦ୍ଵିତୀୟ ବାହା ଘର କଲେ ତା ଜୀବନ ର ନିସ୍ତବ୍ଧତା ର ଅନ୍ତ ଘଟିବ?କଣ ଏତେ ଶୀଘ୍ର ଜଣ କୁ ଭୁଲି ଅନ୍ୟ ଜଣ ସହ ଜୀବନ ଆରମ୍ଭ କରିବା ସହଜ ହେଇଥାଏ? କେହି ବିନୋଦ ର ମନ କଥା ଜାଣିବାକୁ ଚାହୁଁନଥିଲେ ସମସ୍ତେ ନିଜ ନିଜ ର ମତ ଦେଉଥିଲେ।ବିନୋଦ ନିଜ କୁ ଏକା ମନ କରି ମନ ଦୁଃଖ ରେ ନିଜ ନୟନା କୁ ମନେ ପକାଇ ଦୁଃଖ କରୁଥାଏ।ବିବାହ ପର ଠାରୁ ସାଥୀ ରେ ଅତିବାହିତ କରିଥିବା ସବୁ ସମୟ ତା ଆଖି ଆଗରେ ନାଚି ଉଠୁଥାଏ।
ଶେଷ ରେ ବିନୋଦ ନିଜକୁ ସ୍ଥିର କଲା।ନିଜ କଥା ଚିନ୍ତା ନ କରି କୁନି କଥା ଚିନ୍ତା କଲା।କୁନି ର ଜୀବନ ର ନିସ୍ତବ୍ଧ ତା କୁ ସେ ନିଶ୍ଚୟ ଦୂର କରିବ ବୋଲି ନିଷ୍ପତ୍ତି ନେଲା।
