ଭକ୍ତି ଭାବ ରେ ବନ୍ଧା ଠାକୁର -୧
ଭକ୍ତି ଭାବ ରେ ବନ୍ଧା ଠାକୁର -୧
ଭକ୍ତି ଭାବରେ ବନ୍ଧା ଠାକୁର। ଠାକୁର ଙ୍କୁ ପାଇବା ପାଇଁ ଧନ,ସୁନା , ହୀରା,ମୋତି ଏବଂ ମାଣିକ୍ୟ ର ଦରକାର ନଥାଏ, ଦରକାର ଥାଏ ତ କେବଳ ଭକ୍ତି,ପ୍ରେମ ଏବଂ ଠାକୁର ଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ। ଯିଏ ନିଜ କୁ ସମ୍ପୂର୍ଣ୍ଣ ଭାବ ରେ ଠାକୁର ଙ୍କୁ ସମର୍ପିତ କରିଦିଏ, ଠାକୁର ତା ପ୍ରେମ ର ଡୋରି ରେ ବାନ୍ଧି ହେଇଯାଆନ୍ତି ଏବଂ ନିଜ ଭକ୍ତ ର ସବୁ ମନୋସ୍କାମନା ପୂର୍ଣ୍ଣ କରନ୍ତି।
ଏହିପରି ଏକ ଭକ୍ତ ଥିଲେ ଶ୍ରୀ ମାଧବେନ୍ଦ୍ର ପୁରୀ।ଶ୍ରୀ ଚୈତନ୍ୟ ମହାପ୍ରଭୁ ଯାହା ଙ୍କୁ ସାକ୍ଷାତ ବିଷ୍ଣୁ ଙ୍କ ଅବତାର କୁହାଯାଏ ତାଙ୍କର ଦୀକ୍ଷା ଗୁରୁ ହେଉଛନ୍ତି ଈଶ୍ୱରପୁରୀ ଏବଂ ଈଶ୍ୱରପୁରୀ ଙ୍କ ଗୁରୁ ହେଉଛନ୍ତି ଶ୍ରୀ ମାଧବେନ୍ଦ୍ର ପୁରୀ।
ଥରେ ମାଧବେନ୍ଦ୍ର ପୁରୀ ବୃନ୍ଦାବନ ଧାମ ଯାତ୍ରା କରି ଗୋବର୍ଦ୍ଧନ ପର୍ବତ ପାଖରେ ପହଞ୍ଚିଲେ। ସେଠାକାର ମନୋମୁଗ୍ଧକର ପରିବେଶ ଦେଖି ସେ ଆତ୍ମ ବିଭୋର ହେଇ ନିବାସ କରିବାକୁ ସ୍ଥିର କଲେ। ଦିନେ ସେ ଗୋବର୍ଦ୍ଧନ ପର୍ବତ ନିକଟ ରେ ଏକ ଜଙ୍ଗଲ ରେ ବୃକ୍ଷ ତଳେ ବସିଥିଲେ। ପୁରୀ ମହାରାଜ ଙ୍କ ସନ୍ନ୍ୟାସୀ ଜୀବନ ର ଏକ ନିୟମ ଥିଲା ସେ କେବେ ମଧ୍ୟ ଖାଦ୍ୟ ପାଇଁ କାହାକୁ ଭିକ୍ଷା ମାଗନ୍ତି ନାହିଁ। ଯିଏ ସନ୍ନ୍ୟାସୀ ଭାବି ଯାହା ଦିଏ ଖାଇବାକୁ ତାକୁ ସେ ସନ୍ତୋଷ ରେ ଗ୍ରହଣ କରନ୍ତି।ହେଲେ ସେହି ଦିନ ତାଙ୍କୁ କିଛି ଖାଇବାକୁ ମିଳିଲା ନାହିଁ।ନିୟମ ପାଇଁ ସେ କାହାକୁ କିଛି ମାଗି ପାରୁ ନଥିଲେ। ସନ୍ଧ୍ୟା ସମୟ ସେହି ବୃକ୍ଷ ତଳେ ବସି ପୁରୀ ମହାରାଜ ଭଗବାନ ଙ୍କୁ ଧ୍ୟାନ କରୁଥିଲେ।ଠିକ୍ ସେହି ସମୟ ରେ ତାଙ୍କୁ କାହାର ମଧୁର ସ୍ୱର ଶୁଭିଲା ଧ୍ୟାନ ରୁ ଆଖି ଖୋଲି ଦେଖିଲେ ତାଙ୍କ ସମୀପ ରେ ଏଗାର - ବାର ବର୍ଷର ବାଳକ ଗୋଟେ ପାତ୍ର ରେ କ୍ଷୀର ଧରି ତାଙ୍କ ସମ୍ମୁଖ ରେ ଛିଡା ହେଇଛି।ବାଳକ ର ରଙ୍ଗ କଳା ଥିଲେ ମଧ୍ୟ ତା'ର ମୁହଁ ରୁ ଏକ ଦିବ୍ୟ ଜ୍ୟୋତି ବାହାରୁଛି।
ଅତ୍ୟନ୍ତ କୋମଳ ସ୍ୱର ରେ ବାଳକ ଟି ପୁରୀ ମହାରାଜ ଙ୍କୁ କହିଲା ;ହେ ମହାତ୍ମା ଭୋକ ରେ କାହିଁ ବସିଛନ୍ତି ,ଏଇ ନିଅନ୍ତୁ କ୍ଷୀର ପାନ କରନ୍ତୁ।
ପୁରୀ ମହାରାଜ ଆଶ୍ଚର୍ଯ୍ୟ ହେଇ ତାକୁ ପ୍ରଶ୍ନ କଲେ କିଏ ତୁମେ, କେମିତି ଜାଣିଲ ମୁଁ ଭୋକ ରେ ଅଛି ବୋଲି?
ବାଳକ ଟି ଉତ୍ତର ଦେଲା ,ମୁଁ ଗୋପାଳ ଏହି ପାଖ ଗାଁ ରେ ରହେ।ମୋ ମା କିଛି ସମୟ ତଳେ ଏଠି ପାଣି ନେବାକୁ ଆସିଥିଲେ। ଆପଣଙ୍କୁ ଦେଖି ସନ୍ନ୍ୟାସୀ ମନେ କରି ମୋତେ କ୍ଷୀର ନେଇ ଯିବାକୁ କହିଲେ।ଆପଣ କ୍ଷୀର ପାନ କରି ପାତ୍ର କୁ ନିଜ ପାଖ ରେ ରଖନ୍ତୁ।ମୁଁ କିଛି ସମୟ ପରେ ଆସି ପାତ୍ର ନେଇଯିବି।
ପୁରୀ ମହାରାଜ ଏକ ଲୟ ରେ ବାଳକ କୁ ଦେଖୁଥାନ୍ତି।ବାଳକ ର ରୂପକାନ୍ତି ଚିତ୍ତାକର୍ଷକ ଥିଲା।ପୁରୀ ମହାରାଜ କ୍ଷୀର ପାନ କଲେ ଏତେ ସ୍ଵାଦିଷ୍ଟ କ୍ଷୀର ସେ କେବେ ପାନ କରି ନଥିଲେ ତେଣୁ ତାଙ୍କୁ ସେହି ବାଳକ ସହ ଆଉଥରେ ମିଶିବାକୁ ଇଚ୍ଛା ହେଲା। ସେଥିପାଇଁ ସେ ପାତ୍ର ଧରି ସେହି ବୃକ୍ଷ ମୂଳ ରେ ବାଳକ କୁ ଅପେକ୍ଷା କରୁଥିଲେ।ଅପେକ୍ଷା କରୁ କରୁ ଥଣ୍ଡା ପବନ ଯୋଗୁଁ ପୁରୀ ମହାରାଜ ଙ୍କୁ ନିଦ ଆସିଲା।
ନିଦ୍ରା ଅବସ୍ଥା ରେ ସେ ସ୍ବପ୍ନ ରେ ଦେଖିଲେ , ସ୍ୱୟଂ ଠାକୁର ସେହି ବାଳକ ରୂପ ରେ ଆସି ହସୁଛନ୍ତି। ଠାକୁର ପୁରୀ ମହାରାଜ ଙ୍କୁ କହିଲେ,ପୁରୀ ମୁଁ ତୁମ ପ୍ରତୀକ୍ଷା ରେ ଥିଲି।ତୁମେ ଯେଉଁ ସ୍ଥାନ ରେ ଅଛ ସେହି ସ୍ଥାନ ରେ ଦିନେ ମୋର ମନ୍ଦିର ଥିଲା।ଯେତେବେଳେ ମ୍ଳେଛ ଦେଶ ର ଲୋକ ଭାରତ ଉପରେ ଆକ୍ରମଣ କଲେ, ମୋ ପୂଜାରୀ ଭୟଭୀତ ହେଇ ଏକ ବୃକ୍ଷ ମୂଳ ରେ ମୋତେ ଲୁଚେଇ ଦେଇଛି।ମୋର ଆଦେଶ ତୁମେ ସେହି ମୂର୍ତ୍ତି ବାହାର କରି ମୋର ପୂଜା କର।ଯେମିତି ସ୍ବପ୍ନ ଭାଙ୍ଗିଲା,ପୁରୀ ମହାରାଜ ସଙ୍ଗେ ସଙ୍ଗେ ଉଠି ଗାଁ ଲୋକ ମାନ ଙ୍କୁ ଧରି ସେହି ସ୍ଥାନ ଖୋଲିଲେ।ସତ କୁ ସତ ଏକ ସୁନ୍ଦର ଗୋପାଳ ମୂର୍ତ୍ତି ସେଠାରୁ ମିଳିଲା।
ଠାକୁର ଙ୍କ ଆଦେଶ ଅନୁସାରେ ପୁରୀ ମହାରାଜ ସାଙ୍ଗେ ସାଙ୍ଗେ ଏକ ଛୋଟ କୁଡିଆ ଟି କରି ସେଠାରେ ଠାକୁର ଙ୍କୁ ସ୍ଥାପନ କଲେ। ଗାଁ ଲୋକ ମାନେ ନିଜ ସକ୍ଷମ ହିସାବ ରେ ସମସ୍ତେ ଭଲ ଭଲ ବ୍ୟଞ୍ଜନ କରି ଆଣି ଠାକୁର ଙ୍କୁ ଭୋଗ ଲଗେଇଲେ।ପୁରୀ ମହାରାଜ ପ୍ରତିଦିନ ବିଧିବଧ ଗୋପାଳ ଙ୍କ ପୂଜା କରୁଥାନ୍ତି। ଧୀରେ ଧୀରେ ଏହି ସମାଚାର ସବୁ ଆଡେ ବ୍ୟାପିବାକୁ ଲାଗିଲା।
ବଡ ବଡ ରାଜା ,ମହାରାଜ,ଜମିଦାର ସବୁ ପ୍ରକାର ଲୋକ ଗୋପାଳ ଙ୍କ ଦର୍ଶନ ପାଇଁ ଆସିବା କୁ ଆରମ୍ଭ କଲେ।କେହି ଜଣେ ଜମିଦାର ଗୋପାଳ ଙ୍କ ପାଇଁ ସୁନ୍ଦର ମନ୍ଦିର ଟି ବନେଇଦେଲା।ଠାକୁର କୁଡିଆ ରୁ ବାହାରି ମନ୍ଦିର ରେ ସ୍ଥାପନ ହେଲେ।ଏହିପରି ଦୁଇ ବର୍ଷ ପୁରୀ ମହାରାଜ ନିଷ୍ଠା ଏବଂ ନିୟମ ରେ ଠାକୁର ଙ୍କ ପୂଜା କରୁଥାନ୍ତି।
