T.Durga Prasad Rao

Thriller Others

1.0  

T.Durga Prasad Rao

Thriller Others

ନିଶାର୍ଦ୍ଧ ନାୟିକା

ନିଶାର୍ଦ୍ଧ ନାୟିକା

4 mins
306


ଆଜି ବନାନୀ ଘରେ ନାହିଁ। ସନ୍ଧ୍ୟାରେ କାର୍ ନେଇ ବାହାରି ଯାଇଛି ତାର ଭାଇ ପାଖକୁ। ସକାଳେ ସେଇଠି ତାର କଣ ଗୋଟେ ସେମିନାର୍ ଅଛି। ମନଟା ମୋର ପ୍ରଫୁଲ୍ଲ, ପୁଣି ଭାରାକ୍ରାନ୍ତ ମଧ୍ୟ। ପ୍ରଫୁଲ୍ଲ ଏଇଥି ପାଇଁ ଯେ ଯାହା ହେଉ, ଆଜିଟା ଅନ୍ତତଃ ବିନା ବାଧାବିଘ୍ନରେ ଗଳ୍ପଟିଏ ଲେଖି ହେବ। ନଥିବ ବନାନୀର “ରାତି ଅନେକ ହେଲାଣି ଶୋଇପଡ଼” ର ତାଗିଦ୍। ଭାରାକ୍ରାନ୍ତ ଏଇଥି ପାଇଁ, ବନାନୀ ଦିନକୁ ଦିନ ଏତେ ଦୁଃସାହସିକା କେମିତି ପାଲଟିଯାଏ? ସବୁ ସେଇ ଷ୍ଟୋରୀମିରର ଲେଖିକାମାନଙ୍କ ପ୍ରେରଣା। ମୋତେ ଈର୍ଷାନ୍ୱୀତ କରି ବନାନୀ ମୋ ଗଳ୍ପ ଅପେକ୍ଷା ଲେଖିକାମାନଙ୍କ ଗଳ୍ପକୁ ବେଶୀ ପ୍ରିଫେର୍ କରେ। ମୋ ଭାଗର ରାତି, ରଣ ଚଣ୍ଡୀ, ବାଘୁଣୀର ପ୍ରତିଶୋଧ । ହାଃ, ଏଗୁଡ଼ା ପଢ଼ିଲେ ନାରୀଟିଏର ମନରେ ସାହସ ତ ସଞ୍ଚାର ହେବ ହିଁ। ତାପରେ... ଗଳ୍ପରେ ଯେଉଁ ଶବ୍ଦ ସଂଯୋଜନା, ଭାଷାର ମାଧୁର୍ଯ୍ୟ, ଧାଡ଼ିଏ ପଢ଼ିଲେ ପାରାଟିଏ ପଢ଼ିବାର ଯେଉଁ ଆଗ୍ରହ ଟାଣି ନିଏ ଗଳ୍ପର ଶେଷ ପର୍ଯ୍ୟନ୍ତ, ସେଥିରେ ବନାନୀ କ'ଣ ମୋ ପରି ଲେଖକଟିଏ ମଧ୍ୟ ଚିତ୍.ପଟାଙ୍ଗ। ତେବେ ହାରିବାର ମଜା ବି ନିଆରା। କାରଣ ମୋର ଯାହା ଅନୁମାନ ହୁଏ, ପୁରୁଷଙ୍କ ଅପେକ୍ଷା ନାରୀଟିଏର ହୃଦୟ ଅପେକ୍ଷାକୃତ ଭାବେ କୋମଳ। ତା ଜୀବନରେ ଅଙ୍ଗେ ନିଭେଇଥିବା ଟିକିନିଖି କାହାଣୀକୁ ସେ ଯେତିକି ଭାବପ୍ରବଣତାର ସହ ନିଜ ମଧ୍ୟରେ ସମାହିତ କରିପାରେ, ପୁରୁଷଟିଏ ବୋଧହୁଏ ସେତିକି ଭାବପ୍ରବଣ ହୋଇ ପାରେ ନାହିଁ।


ମୁଁ କଲମ ସଜାଡ଼ିଲି। ଆଖି ପକାଇଲି ପୂର୍ବରୁ ଲେଖିଥିବା କିଛି ଗଳ୍ପ ଉପରେ। ନା, ସବୁତକ ଚିରାଚରିତ, ଏକା ପରି ମନେ ହେଉଛି। କାହିଁକି କେଜାଣି, କିଛି ଭିନ୍ନ ଭାବନାକୁ ନେଇ ଲେଖିବା ଆରମ୍ଭ କଲେ ବି ଘୁରି ଫେରି ପହଞ୍ଚିଯାଏ ସେଇ ଏକା ଜାଗାରେ। ପ୍ରସ୍ତୁତ କଲି ନିଜକୁ। ଆଜି କିଛି ଭିନ୍ନ ଲେଖିବି। ଆଉଜି ପଡ଼ିଲି ଚେୟାର ଉପରେ। ଟେବୁଲ୍ ଲ୍ୟାମ୍ପଟା ଟିକିଏ ଧିମେଇ ଦେଲି। କଣ ଲେଖିବି, କ'ଣ ଲେଖିବି? ରାତି ଉପରେ କିଛି ଲେଖାଯାଉ। ନିଶି ଆଉ ନାରୀ, ଏ ଦୁଇଟା ବିନା ଗଳ୍ପ ସବୁ କାହିଁକି ଯେ ଅଧୁରା ଅଧୁରା ଲାଗେ? ଲେଖାଯାଉ... ଯେମିତି... ରାତିର ରମଣୀ, ତମିସ୍ରା ତରୁଣୀ... । ଛେ... ଶୀର୍ଷକ କାହିଁ ଖାସ୍ ଲାଗୁନି। ନିଶାର୍ଦ୍ଧ ନାୟିକା? ଚଳିବ, ଠିକ୍ ଠାକ୍। ଗଳ୍ପ ହବ ତ ସେତିକି ମଜାଦାର? ମୁଁ ଗଭୀର ଭାବନାରେ ବୁଡ଼ିଗଲି। ଶୀର୍ଷକକୁ ସଫଳ କରି ଲେଖିବାକୁ ହେବ ଗଳ୍ପ। କ'ଣ ହେଇପାରେ ବିଷୟବସ୍ତୁ? ରୋମାନ୍ସ? କ୍ରାଇମ୍? ନିଶି ଆଉ ନାରୀକୁ ନେଇ ଆଉ କଣ କମେଡ଼ି ଗଳ୍ପ ଲେଖି ହେବ?


ହଠାତ୍ ଦଲକାଏ ପବନ ସହ କରେଣ୍ଟ୍ ଚାଲିଗଲା। ଆଉ କି ଲେଖିବି? ତଥାପି ପ୍ଳଟ୍ ସଜାଡ଼ି ହେବ। ଓଃ, ଅଣନିଶ୍ୱାସୀ ଲାଗୁଛି। ଝରକାଟା ପୁରା ଖୋଲା ଯାଇପାରେ। ଉଠିଗଲି ଝରକା ପର୍ଯ୍ୟନ୍ତ। ଝିପି ଝିପି ବର୍ଷାରେ କିଏ ଜଣେ ମୁଣ୍ଡ ଉପରେ ଶାଢ଼ି ଦେଇ ଗେଟ୍ ଖୋଲି ପଶି ଆସୁଛି। ଆରେ, ଇଏତ ବନାନୀ! ମୁଁ ଦରଜା ଖୋଲିଦେଲି।

- ଫେରିଲ କାହିଁକି?

ବନାନୀ କୌଣସି ଉତ୍ତର ନ ଦେଇ ମଥାର ଓଢ଼ଣୀ ଖୋଲି ପଶିଗଲା ବେଡ୍.ରୁମ୍.ରେ। ମୁଁ ପୁଣି ଥରେ ଚେୟାରକୁ ଫେରି ମୋ ଭାବନାରେ ମଜିଗଲି। ପ୍ଳଟ୍ ମିଳିଗଲା। ଅନ୍ଧାରିଆ କଳା ମଚ ମଚ ରାସ୍ତା, ଝିପି ଝିପି ବର୍ଷା ଆଉ ସେଇ ବର୍ଷା ଅନ୍ଧାରରେ କାର୍.ଟିଏ ନିର୍ଜନ ରାସ୍ତାର ନିରବତାକୁ ଚିରି ସିଁ ସିଁ କରି ଆଗେଇ ଚାଲିଛି। କାର୍ ଚାଳିକା ଜଣେ ସୁନ୍ଦରୀ ତରୁଣୀ । ଏକମାତ୍ର ଆରୋହିଣୀ।

ବନାନୀ ପାଖକୁ ଲାଗି ଆସିଲା ମୋ ଭାବନାକୁ ଅସ୍ତବ୍ୟସ୍ତ କରି। ତା ଲୁଗାରୁ ହାଲ୍.କା ଓଦାଳିଆ ମାଟି ଗନ୍ଧ ଆସି ନାକରେ ବାଜୁଥିଲା।

- ଓହୋ, ତମେ ଓଦା ଲୁଗାଟା ପାଲଟୁ ନାହଁ କାହିଁକି? ଥଣ୍ଡା ଧରିବ ଯେ? ଆଛା, କହିଲ ନାହିଁ, କାହିଁକି ଫେରି ଆସିଲ?

ବନାନୀ ନିଋତ୍ତର।

- ଠିକ୍ ଅଛି, ଯାଅ, ଲୁଗା ପାଲଟାଇ ଶୋଇପଡ଼। ମୋର ଡେରି ହେବ।

ବନାନୀ ଫେରି ଯାଉଥିଲା। ମୁଁ ପଛରୁ ଡାକିଲି।

- ଆଚ୍ଛା, ଶୁଣ। ଥଣ୍ଡା ପାଗରେ କପେ କଫି ମିଳିବ?

ଚାଲିଗଲା ବନାନୀ। ରୋଷେଇଘରୁ ଟୁଣ୍ ଟାଣ୍ ଆବାଜ ଆସିଲା ମୋ ଭାବନାକୁ ବ୍ୟାଘାତ କରି। ନା, ବନାନୀ ଘରେ ଅଛି ମାନେ, ଆଉ ଲେଖିବା କଷ୍ଟ। ଦୁଇ ଧାଡ଼ି ଭାବିବା ପାଇଁ ଘଣ୍ଟାଏ ସମୟ ଲାଗିବ ଏବେ। ତେବେ ଅନ୍ଧାରରେ ବନାନୀ କଫି କେମିତି କରୁଛି?

- ଆରେ, ସେଠି ଅନ୍ଧାରରେ କଣ କରୁଛ? ଥାକରେ ଏମେର୍.ଜେନ୍ସି ଲାଇଟ୍ ଅଛି ନେଇଯାଅ।

ହଁ, କେଉଁଠି ରହିଲା ଭାବନା? କାର୍ ଆଉ ସୁନ୍ଦରୀ ତରୁଣୀ। ରାସ୍ତା ନିର୍ଜନ। ଝିପି ଝିପି ବର୍ଷା। ଆଛା, ହଠାତ୍ ଆଗରେ କିଛି ବଦ୍.ମାସ୍ ଲୋକଙ୍କୁ ଠିଆ କରିଦେଲେ କେମିତି ହୁଅନ୍ତା? ସୁନ୍ଦରୀ ତରୁଣୀ ସାଙ୍ଗରେ କିଛି ବଦ୍.ମାସ୍ କାହାଣୀରେ ନ ରହିଲେ କାହାଣୀଟା ରୋମାଞ୍ଚକର ଲାଗିବନି। ବର୍ଷାରେ କାର ହେଡ୍ ଲାଇଟ୍.ର ଆଲୁଅ ଯଥେଷ୍ଟ ଲାଗୁନି। ତରୁଣୀ ସଚେତନ ହୋଇ ବ୍ରେକ୍ କଷୁଛି। ବଦ୍.ମାସ୍ ଲୋକଗୁଡ଼ାକ ଘୁଞ୍ଚି ଯାଉଛନ୍ତି କାର୍ ଆଗରୁ। ତାପରେ... ତାପରେ... ଓଃ ମୁଣ୍ଡଟା କାହିଁକି କାମ କରୁନି।

- ବନାନୀ, କଫି ଆଉ କେତେ ସମୟ ଲାଗିବ? ଏ କରେଣ୍ଟ ମଧ୍ୟ, ଏତେବେଳେ ଯିବାକୁ ଥିଲା। ଏକାବେଳକେ ଭାବନା ସବୁକୁ କାଗଜରେ ଉତ୍ତାରିବା କଷ୍ଟ। ଅଳ୍ପ ଅଳ୍ପ କରି ଭାବନା ଲମ୍ବୁଥିବ, ଅଳ୍ପ ଅଳ୍ପ ଲେଖା ଚାଲିଥିବ, ତାହେଲେ ସିନା ଲେଖାଟା ଜମିବ।

ବନାନୀ ଆସି ପାଖରେ ଠିଆ ହେଲା। ହାମୁଡ଼ି ପଡ଼ିଲା ଟେବୁଲ୍ ଉପରେ। ସତେ ଯେମିତି କିଛି ଲେଖି ଚାଲିଛି।

- କଫି କାହିଁ?

ବନାନୀ ନିଋତ୍ତର।

- ଆଜିକାଲି ତମ କାନକୁ ଆଉ କିଛି ଶୁଭୁନାହିଁ ଦେଖୁଛି। ତମେ ଗଲ, ଶୋଇବ ଯାଅ। କଫି ମୁଁ ନିଜେ କରିନେବି।

କରେଣ୍ଟ୍ ଆସିଲା। ମନଟା ଉଶ୍ୱାସ ହେଇଗଲା। ଟେବୁଲ୍ ଲ୍ୟାମ୍ପ୍ ଟିକିଏ ତେଜି ଦେଇ ମୁଁ ଝୁଙ୍କି ପଡ଼ିଲି ଟେବୁଲ୍ ଉପରେ। ପ୍ରଥମେ ଆରମ୍ଭ ହେଇଯାଉ କାହାଣୀ। ମୋଡ଼ିଫିକେସନ୍ ଯାହା ଦରକାର ପରେ ଦେଖାଯିବ? କଲମ ଉଠାଇ ଲେଖିବାକୁ ଉଦ୍ୟତ ହଠାତ୍ ଫୋନ୍ ବାଜି ଉଠିଲା। ଆରପଟୁ ଶ୍ୟାଳକଙ୍କ କଣ୍ଠସ୍ୱର।

- ଭାଇନା, ସବୁ ସରିଗଲା। ବନାନୀର କାର୍ ନୀଳଗିରି ପାହାଡ଼ର ବଡ଼ ଟର୍ନିଙ୍ଗ୍ ପାଖରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କାର୍ ପିଟି ହେଇଯାଇଛି ବଡ଼ ଏକ ପଥରରେ। ବନାନୀ ଆଉ ନାହିଁ ଭାଇନା। ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛି ସବୁଦିନ ପାଇଁ।

- ହେଃ, କଣ କହୁଛ? ରୁହ ରୁହ, ନିଶା ଫିସା କରିଛ ବୋଧେ। ଟିକେ ଲାଇନ୍.ରେ ରୁହ। ବନାନୀ... ବନାନୀ...। ମୁଁ ବନାନୀକୁ ଡାକି ଡାକି ବେଡ୍.ରୁମ୍.କୁ ଗଲି। ଲାଇଟ୍ ଜାଳିଲି। ବେଡ୍ ଖାଲି ପଡ଼ିଥିଲା। ବନାନୀ ବୋଧେ ରୋଷେଇ ଘରେ କଫି କରୁଥିବ। ମୁଁ ଫୋନ୍.ଟା ଉଠାଇ ପୁଣି ଥରେ ଶ୍ୟାଳକଙ୍କ ଉଦ୍ଦେଶ୍ୟରେ କହିଲି- ରୁହ, ଟିକେ ଲାଇନ୍.ରେ ରୁହ। ମୁଁ ବନାନୀକୁ ଡାକୁଛି। ରୋଷେଇ ଘରେ ଲାଇଟ୍ ଜାଳି ଦେଖିଲି, ସବୁ ଜିନିଷପତ୍ର ଯେ ଯାହା ସ୍ଥାନରେ ସଜଡ଼ା ହୋଇ ଅଛି। ଗଲା କୁଆଡ଼େ...। ମୁଁ ଧୀରେ ଧୀରେ ଘରର ସବୁତକ ଲାଇଟ୍ ଜାଳିଲି। ବାରଣ୍ଡା, ବାଲ୍.କୋନୀ...। ଆରେ ହେଃ.. ବାଥ୍.ରୁମ୍, ବାଥ୍.ରୁମ୍.ରେ ଥିବ। ମୁଁ ବାଥ୍.ରୁମ୍ ଦରଜା ନକ୍ କଲି। ଦରଜା ଖୋଲିଗଲା। କାହିଁ କେହି ତ ନାହିଁ। ଆଶଙ୍କିତ ମନରେ ଫେରିଲି ଟେବୁଲ୍ ପାଖକୁ। ଥର ଥର ହାତରେ ଫୋନ୍ ଉଠାଇ କାନରେ ଦେଲି। ଆଖିରେ ପଡ଼ିଲା ଟେବୁଲ୍ ଉପରେ ସଦ୍ୟପ୍ରସ୍ତୁତ ପାଣ୍ଡୁଲିପିଟାରେ ବନାନୀର ହସ୍ତାକ୍ଷର।

- ପ୍ରତିଥର ମୋର ଦୁଃସାହସକୁ ତୁମେ କେମିତି ଏତେ ଉଦାର ମନରେ ପ୍ରଶ୍ରୟ ଦେଲ। ମୋତେ ମନା ତ କରି ପାରିଥାନ୍ତ। ମୋର ସବୁ ଦୁର୍ବାର ଇଚ୍ଛାକୁ ତୁମ ଭଲ ପାଇବାର ଛାଟରେ ଆକଟ ତ କରି ପାରିଥାନ୍ତ। ସବୁ ତୁମ ପାଇଁ। ଆଇ ହେଟ୍ ୟୁ। ଆଇ ହେଟ୍ ୟୁ।

ରିସିଭର୍ ହାତରୁ ଖସି ଯାଇଥିଲା। କ୍ଷୀଣ ଭାବରେ ଶୁଭୁଥିଲା.. ହ୍ୟାଲୋ... ହ୍ୟାଲୋ... ଭାଇନା... ହ୍ୟାଲୋ.. ।



Rate this content
Log in

Similar oriya story from Thriller