Sambit Srikumar

Abstract Classics Inspirational

4.6  

Sambit Srikumar

Abstract Classics Inspirational

ମୂଲ୍ୟବୋଧ

ମୂଲ୍ୟବୋଧ

5 mins
328


ସେଦିନ ବାପା ଆସିଥିଲେ ଗାଁରୁ। ହଁ, ଏଠାରେ ପ୍ରଶ୍ନ ଉଠିପାରେ ବାପା ତ ଆସିଥିଲେ ସହରରେ ରହୁଥିବା ପୁଅ ବସାକୁ, ସେଥିରେ ନୂଆ କଥା କଣ ଅଛି? ବାପା ମୋର ବଡ଼ ସ୍ବାଭିମାନୀ ମଣିଷ। ହାତ ଗୋଡ଼ ସଠିକ୍ ଭାବେ କାର୍ଯ୍ୟକ୍ଷମ ଥିବା ଯାଏଁ କାହାରି ଉପରେ ବୋଝ ହେବେ ନାହିଁ ବୋଲି ଯେତେ ବୁଝାଇଲେ ମଧ୍ୟ ଆମ ପାଖକୁ ଆସି ଭୁବନେଶ୍ବରରେ ରହନ୍ତି ନାହିଁ। ବରଂ ସେ ଗାଁରେ ତାଙ୍କ ବିଲବାଡି ଦେଖାଶୁଣା କରି ନିଜର ଅବସର ପରବର୍ତ୍ତୀ ଜୀବନ ବିତାଇବାକୁ ଶ୍ରେୟସ୍କର ମଣନ୍ତି।


ସେଦିନ କିନ୍ତୁ ସେ ଭୁବନେଶ୍ବର ଆସିବାକୁ ଏକରକମ ବାଧ୍ଯ ହେଲେ। ଦୀର୍ଘ ଦିନ ଧରି ଜ୍ବର ଛାଡୁନଥିବାରୁ ମୋ ପାଖକୁ ଛୁଟି ଆସିଲେ ଗାଁରୁ ସକାଳ ବସ୍ ଯୋଗେ। ମାଷ୍ଟର କ୍ୟାଣ୍ଟିନ୍ ଛକକୁ ଲାଗିଛି ମୋର ସରକାରୀ ବାସଭବନ। ଯେତେବେଳେ ଯିଏ ଆସିଲେ ବି ବସାରେ ପହଞ୍ଚିବାକୁ କିଛି ଅସୁବିଧା ହୁଏ ନାହିଁ। ସକାଳୁ ସକାଳୁ ବିନା ପ୍ରାକ୍ ସୂଚନାରେ ଆସି ପହଞ୍ଚିଥିବା ବାପାଙ୍କୁ ଦେଖି ଯୁଗପତ୍ ଉତ୍କଣ୍ଠା ଏବଂ ଆଶଙ୍କା ଜାତ ହେଲା ମୋ ମନରେ।


ମାତ୍ର ନାତିନାତୁଣୀମାନଙ୍କ ସହିତ ବାପାଙ୍କ ହାସ୍ୟରୋଳ ତାଙ୍କ ସ୍ବାସ୍ଥ୍ୟବସ୍ଥାର ଗମ୍ଭୀର ସମସ୍ୟାକୁ ଆମ ସମ୍ମୁଖରେ ପ୍ରକଟ ହେବାକୁ ଦେଲା ନାହିଁ। ବିଧାନସଭା ଚାଲିଥିବା ହେତୁ ସେଦିନ ଆମ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଥାଏ। ଏଣୁ ମୁଁ କାଳବିଳମ୍ବ ନକରି ବାହାରି ପଡ଼ିଲି କାର୍ଯ୍ୟାଳୟ ଅର୍ଥାତ୍ ସଚିବାଳୟ ଅଭିମୁଖେ। କାମରେ ମନ ଲାଗୁନଥାଏ। ତଥାପି ଜରୁରୀ କାଗଜପତ୍ର ଯାଞ୍ଚ କରି ଧାଇଁଲି ବିଧାନସଭାକୁ ମନ୍ତ୍ରୀ ମହୋଦୟଙ୍କୁ ଦେବା ପାଇଁ।


ମଧ୍ୟାହ୍ନ ଭୋଜନ ସମୟରେ ଯେବେ ବସାକୁ ଫେରିଲି ଘରଣୀଙ୍କ କଥା ଶୁଣି ମନ ମୋର ବିଷାଦରେ ଭରିଗଲା। ବାପାଙ୍କ ଦେହ ଭଲ ନାହିଁ ବୋଲି ଚିକିତ୍ସା ପାଇଁ ଆମ ପାଖକୁ ଆସିଛନ୍ତି ଅଥଚ ମୋ ପାଖରେ ସମୟ ନାହିଁ। ଯାହିତାହି ମଧ୍ଯାହ୍ନ ଭୋଜନ ଶେଷ କରି ପୁଣି ଧାଇଁଲି କାର୍ଯ୍ୟାଳୟ ଅଭିମୁଖେ। ବଡ଼ ମାନସିକ ଦ୍ବନ୍ଦରେ ପଡିଗଲି ମୁଁ। ଏପଟେ ରାଜକାର୍ଯ୍ୟ ସେପଟେ ପିତୃକାର୍ଯ୍ଯ। କଣ କରିବି କଣ ନକରିବି ମୋତେ ବୁଦ୍ଧି ବାଟ କିଛି ବି ଦିଶୁନଥିଲା। ସହକର୍ମୀଙ୍କ ସହିତ ପରାମର୍ଶ କରି ବିଳମ୍ବିତ ସନ୍ଧ୍ଯାରେ ପ୍ରମୁଖ ମେଡିସିନ୍ ସ୍ପେଶାଲିଷ୍ଟ୍ ଡାକ୍ତର ପ୍ରସନ୍ନ ପଣ୍ଡାଙ୍କ ପାଖକୁ ନେବା ପାଇଁ ଯୋଜନା ପ୍ରସ୍ତୁତ କଲି।


ଯୋଜନା ମୁତାବକ ବାପାଙ୍କୁ ଧରି ମୋର ସ୍କୁଟର୍ ଛୁଟାଇଲି ଡକ୍ଟର ପଣ୍ଡାଙ୍କ କ୍ଲିନିକ୍ ଦିଗରେ। କଳ୍ପନା ଛକ ନିକଟରେ ତାଙ୍କର କ୍ଲିନିକ୍। ରୋଗୀ ସେବାରେ ଦୀର୍ଘ ଚାରି ଦଶନ୍ଧି ଧରି ଅଭିଜ୍ଞତା ହାସଲ କରିଛନ୍ତି ସେ। ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ସେବାନିବୃତ ହୋଇଛନ୍ତି ଏଇ କିଛି ବର୍ଷ ହେଲା। ବେଶ୍ ମିଷ୍ଟଭାଷୀ ଓ ମେଳାପୀ ମଣିଷ ସିଏ। ଲୋକେ କୁହାକୁହି ହୁଅନ୍ତି ଯେ, ତାଙ୍କର କଥାରେ କୁଆଡ଼େ ରୋଗ ଅଧା ଭଲ ହୋଇଯାଏ। ଆଉ ଯାହା କିଛି ଥାଏ ଔଷଧ ସେବନରେ ଥରକରେ ଠିକ୍ ହୋଇଯାଏ।


ଆମେ ଡକ୍ଟର ପଣ୍ଡାଙ୍କ କ୍ଲିନିକରେ ପହଞ୍ଚିବା ବେଳକୁ ଲମ୍ବା ଧାଡ଼ିରେ ଅପେକ୍ଷା ରତ ଥିଲେ ରୋଗୀ ଏବଂ ସେମାନଙ୍କ ସାଥିରେ ଆସିଥିବା ପରିଜନ ବୃନ୍ଦ। ଯାହା ବି ହେଉ ଆସିଛୁ ଯେତେବେଳେ ଆଉ କଣ ଦେଖା ନକରି ଫେରିଯିବୁ? ପ୍ରତୀକ୍ଷା କରିବା ଛଡା ଆଉ କିଛି ଅନ୍ୟ ଗତି ନଥିଲା ଆମର। ଦୀର୍ଘ ଦେଢ଼ ଘଣ୍ଟା ପରେ ଆମ ପାଳି ପଡିଲା। ଡାକ୍ତର ପଣ୍ଡା ମହୋଦୟଙ୍କ ଚ୍ଯାମ୍ବରକୁ ବାପାଙ୍କ ସହିତ ପ୍ରବେଶ କରିବା ମାତ୍ରେ ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। କଥାଟା ବି ସେହିପରି। ବାପା ସିଧାସଳଖ ଯାଇ ଡାକ୍ତର ମହାଶୟଙ୍କୁ ପଚାରିଲେ, "ଆରେ ପ୍ରସନ୍ନ, କେମିତି ଅଛୁରେ ବାବା? କେତେ ଦିନ ପରେ ତୋତେ ଦେଖିଲି..."


ଏସବୁ ଶୁଣିବା ପରେ ମୋର ହୋଶ୍ ଉଡିବା ଉଡିବା ପରି ମନେ ହେଉଥିଲା। କିନ୍ତୁ ନିଜକୁ ସମ୍ଭାଳି ନେଇ ଦୁହିଁଙ୍କ କଥୋପକଥନକୁ ଆଗ୍ରହର ସହିତ ଶୁଣିଲି ମୁଁ। ବାପାଙ୍କ କଥା ଶୁଣିବା ମାତ୍ରେ, ଡାକ୍ତର ପଣ୍ଡା ନିଜ ଆସନରୁ ଉଠି ଆସି ବାପାଙ୍କ ଚରଣ ସ୍ପର୍ଶ କରି ପ୍ରଣାମ ଜଣାଇଲେ। ପ୍ରତ୍ୟୁତ୍ତରରେ ବାପା ତାଙ୍କୁ କହିଲେ, "ବୁଢାଟିଏ ହୋଇଥାଆ ବାବା..."


କହିବା ବାହୁଲ୍ୟ ମାତ୍ର ଯେ, ମୋ ବାପା ଗୋଟିଏ ସମୟରେ ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ ଅବସ୍ଥାପିତ ଥିଲେ। ମୁଁ ଆବାକାବା ହୋଇ ଚାହିଁ ରହିଥିଲି। ମୋତେ ଏପରି ଅବସ୍ଥାରେ ଦେଖି ଡାକ୍ତର ପଣ୍ଡା କହିଲେ, "ଆପଣ ତାହେଲେ ସାର୍.ଙ୍କ ପୁଅ ସୁତନୁ?"


ଏତେ ବଡ଼ ବ୍ଯକ୍ତିତ୍ବର ଅଧିକାରୀ ହୋଇ ମଧ୍ୟ ମୋ ପରି ଗୋଟିଏ ତୁଛ ଲୋକର ନାଁ ଜାଣି ଥିବା ଅଧିକନ୍ତୁ ମନେ ରଖିଥିବା ହେତୁ ହାଲକା ଗର୍ବ ଅନୁଭବ ହେଲା ମୋତେ।


"ଆଜ୍ଞା" ବୋଲି ଧୀରେ କହି ମୁଣ୍ଡ ଟୁଙ୍ଗାରିଲି ମୁଁ। ବାପା ଏବଂ ଡାକ୍ତର ପଣ୍ଡାଙ୍କ ମଧ୍ଯରେ ଦୀର୍ଘ ସମୟ ଧରି କଥାବାର୍ତ୍ତା ଚାଲିଲା। ସ୍କୁଲ୍ ଠାରୁ ଆରମ୍ଭ କରି ରାଜ୍ଯ ଓ ଦେଶର ରାଜନୀତି ଆଉ ପୁଣି ରାଷ୍ଟ୍ରପତି ପୁରସ୍କାର। ଏମିତି କେତେ କଣ କଥାର ପସରା ମେଲି ବସିଲେ ବାପା ନିଜର ଅତି ପରିଚିତ ଲୋକଟିକୁ ପାଖରେ ପାଇ। ବେଶ୍ ମନଖୋଲା କଥା ହେଉଥିବା ଦେଖି, ବାପାଙ୍କ କିଛି ରୋଗ ବଇରାଗ ନଥିଲା ପରି ମୋତେ ଲାଗିଲା। ଦିନ ତମାମର ଧାଁଦୌଡ଼ ପରେ ଏମାନଙ୍କ ସୁସ୍ଥିଆ ଖୁସି ଗପ ଶୁଣିବାକୁ ମୋର ଧୈର୍ଯ୍ୟ ନଥାଏ। ତଥାପି ସମ୍ଭ୍ରମ ବୋଧରେ ସବୁକିଛି ସହିବାକୁ ପଡ଼ିବ ବୋଲି ଧରିନେଇ ମନକୁ ସେହି ଭାବରେ ବୁଝାଇଦେଲି।


ସେମାନଙ୍କ କଥାବାର୍ତ୍ତାରୁ ମୁଁ ତ ଏତିକି ବୁଝି ପାରୁଥିଲି ଯେ, ବାପାଙ୍କ ପାଖରେ କେବେ ଦିନେ ପାଠ ପଢୁଥିଲେ ଏଇ ଡାକ୍ତର ମହାଶୟ। ଦୀର୍ଘ ବର୍ଷ ପରେ ଗୁରୁଙ୍କ ଦର୍ଶନ ପ୍ରାପ୍ତ କରୁଛନ୍ତି ସୁଯୋଗ୍ୟ ଶିଷ୍ଯ ଜଣକ। ମୋର ଭାବନାରେ ଅନ୍ତ ଘଟାଇ ଡାକ୍ତର ପଣ୍ଡା ମୋତେ କହିଲେ, "କାଲି ସକାଳେ କିଛି ଜରୁରୀ ପରୀକ୍ଷା କରାଇ ରିପୋର୍ଟ ସହିତ ସନ୍ଧ୍ୟାରେ ପୁଣି ବାପାଙ୍କୁ ସାଥିରେ ଧରି ଆସିବା ନିମନ୍ତେ।"


"ଆଜ୍ଞା" କହି ଫିସ୍ ବାବଦରେ ମୁଁ ଜିଜ୍ଞାସା କରିବା ଉପରାନ୍ତେ ଯାହା ମୋର କାନ ଯୋଡ଼ିକ ଶୁଣିଲେ ତାହା ମୋର ଆଶାର ବୀପରିତ ଥିଲା। ମନେ ମନେ ଭାବୁଥିଲି ଯେତେବେଳେ ବାପାଙ୍କ ସହିତ ଡାକ୍ତର ବାବୁଙ୍କ ଗୁରୁଶିଷ୍ଯର ସମ୍ପର୍କ ରହିଛି, ସମ୍ଭବତଃ ପରାମର୍ଶ ବାବଦୀୟ ଫିସ୍ କିଛି ଲାଗିବ ନାହିଁ। ଗୁରୁଜୀଙ୍କ ସମ୍ମାନ ପାଇଁ ଫିସ୍ ଛାଡ କରିଦେବେ ଡାକ୍ତର ବାବୁ।


"କିଛି ସାମ୍ପଲ୍ ମେଡିସିନ୍ ଦେଉଛି। ବାହାରୁ ଆଉ କିଛି କିଣିବାକୁ ପଡିବ। ଫିସ୍ ଆଉ ମେଡିସିନ୍ ବାବଦକୁ ସମୁଦାୟ ପାଞ୍ଚ ଶହ ଟଙ୍କା ଦିଅନ୍ତୁ।" ହସି ହସି କହିଲେ ଡାକ୍ତର ପଣ୍ଡା ମହାଶୟ। ତାଙ୍କ କଥା ଶୁଣି ମୁଁ ବିସ୍ଫାରିତ ନେତ୍ରରେ ଗୁରୁଶିଷ୍ଯ ଦୁହିଁଙ୍କୁ ଚାହିଁ ରହିଥିଲି। ଯଦିଓ ମୁଁ ସମର୍ଥ ଥିଲି ତାଙ୍କର ଦେୟ ଦେବା ପାଇଁ କିନ୍ତୁ ସମ୍ପର୍କର ପରିଭାଷା ନିର୍ଦ୍ଦାରଣ କରୁ କରୁ ଭୁଲି ଯାଇଥିଲି। ଅଗତ୍ୟା ଡାକ୍ତରଙ୍କ ହାତକୁ ନୋଟ୍ ଖଣ୍ଡିଏ ବଢାଇ ଦେଇ ବାପାଙ୍କୁ ସାଥିରେ ଧରି କ୍ଲିନିକ୍ ରୁ ବାହାରି ଆସିଲି।


ଫେରିବା ବାଟରେ ମୋର ସ୍କୁଟର ଅଚାନକ ଖରାପ ହୋଇଗଲା। ଯେତେ ଚେଷ୍ଟା କଲେ ମଧ୍ୟ ଆଉ ଷ୍ଟାର୍ଟ୍ ହେଲା ନାହିଁ ଗାଡ଼ି। ସେତେବେଳକୁ ରାତି ପ୍ରାୟ ସାଢେ ଦଶଟା। ରାସ୍ତାରେ କାଁଭାଁ ଗାଡି ମଟର ଚଳାଚଳ କରୁଥିଲା। ସ୍କୁଟର୍ ଠେଲି ଠେଲି ପାଖ ଗ୍ଯାରେଜ୍ ମାଲିକ ଜିମାରେ ଦେଇ ଅଟୋ ଷ୍ଟାଣ୍ଡରେ ଠିଆ ହୋଇଥିଲୁ ଆମେ ବାପପୁଅ ଦୁହେଁ। ଏତିକି ବେଳେ ଅଟୋରିକ୍ସାଟିଏ ଆମ ପାଖରେ ଅଟକି ପଚାରିଲା, "କୁଆଡ଼େ ଯିବେ ଆଜ୍ଞା?"


: ମାଷ୍ଟର କ୍ୟାଣ୍ଟିନ୍ ଯିବ ମାଷ୍ଟର କ୍ୟାଣ୍ଟିନ୍...


: ବସନ୍ତୁ ଆଜ୍ଞା


ଆଉ କିଛି ବିଚାର ନ କରି ଏପରିକି ଭଡା ବାବଦରେ ମୂଲଚାଲ ନକରି ଆମେ ଦୁହେଁ ବସିପଡିଲୁ ସେଇ ଅଟୋବାଲାର ଅଟୋରିକ୍ସାରେ। ରାସ୍ତା ଖାଲି ଥିଲା। ସାତ ଆଠ ମିନିଟରେ ପହଞ୍ଚି ଗଲୁ ଆମ ବସାରେ। ରାସ୍ତା ସାରା କେହି କାହା ସହିତ କିଛି ବି କଥା ହୋଇ ନାହୁଁ। ଅଖଣ୍ଡ ନିରବତା ରାଜୁତି କରୁଥିଲା ଅଟୋରିକ୍ସାରେ। ବସା ପାଖକୁ ଆସି ଅଟୋରୁ ଓହ୍ଲାଇବା ପରେ ମୁଁ ଡ୍ରାଇଭରକୁ ପଚାରିଲି, "ଆଛା ବାବୁ, ତୁମର ଭଡା କେତେ ହେଲା?"


ଏବେ ଯାଏଁ ଅନ୍ଧାର ଥିବା ଅଟୋରିକ୍ସାର ଆଲୁଅ ଜଳି ଉଠିଲା। ଅଟୋବାଲା ଆମ ମୁହଁ କୁ ଚାହିଁ ଦୋ ଦୋ ଚାହାଁ ହେଲା। ମୋତେ ବଡ଼ ବିରକ୍ତିକର ବୋଧ ହେଉଥିଲା ତାର ଏତାଦୃଶ ବ୍ୟବହାର। ମୁଁ ଟିକେ ଚଢା ଗଳାରେ କହି ପକାଇଲି "ଭଡାଟା ତୁମର ତୁଟାଇଲେ ଆମର ଅନ୍ୟ କାମ ଅଛି। ନବରଙ୍ଗ ନକରି ଶୀଘ୍ର କୁହ...ଆମ ପାଖରେ ସମୟ ନାହିଁ।"


: ନାଇଁ ଆଜ୍ଞା। ମୁଁ ଆପଣଙ୍କ ଠୁଁ ଭଡା ନେବି ନାହିଁ।


: ଆରେ ବାବା କାହିଁକି? କି ବିଚିତ୍ର କଥା କହୁଛ?


ଅଟୋବାଲା ଆଉ କିଛି ନକହି କାନ୍ଦି କାନ୍ଦି ବାପାଙ୍କ ପାଦ ଛୁଇଁ ପଚାରିଲା, "ସାର୍, ଆପଣ କଣ ଜମାରୁ ଚିହ୍ନି ପାରୁ ନାହାନ୍ତି ମୋତେ? ମୁଁ ପରା ଆପଣଙ୍କ ଛାତ୍ର ପହଲା, ପ୍ରହଲ୍ଲାଦ ପ୍ରଧାନ।"


ଅଟୋବାଲାକୁ ନିରୁତ୍ସାହିତ କରି ବାପା କହିଲେ, "ନାଇଁ ବାବୁ, ମୁଁ ଚିହ୍ନି ପାରୁ ନାହିଁ ତୁମକୁ। ଠିକ୍ ଭାବେ ମନେ ପଡୁନି ତୁମ ନାଁ କି ଚେହେରା..."


: ହଁ ଆଜ୍ଞା, କାଇଁ ଚିହ୍ନିବେ? କୋଉ କୀର୍ତ୍ତି ମୁଁ ଅର୍ଜନ କରିଛି ଯେ, କିଏ ମୋତେ ମନେରଖିବ? ସାମାନ୍ୟ ଅଟୋରିକ୍ସା ଡ୍ରାଇଭରଟେ ମୁଁ... ମୋର କଣ ବା ଉପଲବ୍ଧି ଜୀବନରେ?


ଅଭିମାନ ଭରା କଣ୍ଠରେ କହି ଚାଲିଥିଲା ପ୍ରହଲ୍ଲାଦ। ମୋର ବିରକ୍ତିଭାବ ଚରମସୀମାରେ ପହଞ୍ଚି ସାରିଥାଏ ସେତେବେଳକୁ।


ମୁଁ କହିଲି,"ଆରେ ବାବା, ଭଡା ନିଅ ଆଉ ଏଠୁ ଶୀଘ୍ର ଯାଅ..."


ସେ କହିଲା, "ନାଇଁ ଥାଉ। ଆଉ କେବେ....."


ମୁଁ ପଇସା କାଢିବା ପୂର୍ବରୁ ସେ ତାର ଅଟୋରିକ୍ସା ଧରି ଉଭାନ୍ ହୋଇଗଲା ଆମ ଦୁହିଁଙ୍କ ଦୃଷ୍ଟିର ସମ୍ମୁଖରୁ। ମନେ ମନେ ବାପାଙ୍କ ଦୁଇ ଛାତ୍ରଙ୍କ ବିଷୟରେ ତର୍ଜମା କରୁଥିଲି ଆଉ ପ୍ରହଲ୍ଲାଦ ପ୍ରତି ଶ୍ରଦ୍ଧାରେ ମଥାନତ ହୋଇ ଯାଉଥିଲା ଆପେ ଆପେ।



Rate this content
Log in

Similar oriya story from Abstract