ଓଡ଼ିଆ ଗଳ୍ପ ଓ କବିତା - ୧

Children

0.2  

ଓଡ଼ିଆ ଗଳ୍ପ ଓ କବିତା - ୧

Children

ମୁଁ ତମ ପାଇଁ ପିଇବି

ମୁଁ ତମ ପାଇଁ ପିଇବି

5 mins
11.3K


ପୃଥି୍ବୀର ଲୋକକଥା,

ପଣ୍ଡିଚେରୀ ଲୋକକଥା (1)


ମୁଁ ତମ ପାଇଁ ପିଇବି

ବହୁତ ଦିନ ତଳେ ଗୋଟିଏ ଗାଁରେ ଜଣେ ଲୋକ ରହୁଥିଲେ l ସେ ଖୁବ୍ ଅଳସୁଆ l ଏପରି ଚୋବାଇବା ଖାଦ୍ୟରୁ ରକ୍ଷା ପାଇବାପାଇଁ ସେ ତରଳ ଖାଦ୍ୟ ଖାଆନ୍ତି l ଆଉ ଯାହା ଯେତେବେଳେ ସେ କରନ୍ତି, ତାହା ତାଙ୍କ ନିଜ ଇଚ୍ଛାରେ ନୁହେଁ l ଏହା କେବଳ ଅନ୍ୟର ଜବରଦସ୍ତିର ଫଳ l ଯଦି କେହି ତାଙ୍କ ପାଛିରେ ଖାଦ୍ୟ ଭର୍ତ୍ତି କରି ଦିଅନ୍ତି, ସେ ସେଇ ଖାଦ୍ୟକୁ ଖୁବ୍ ଅନିଚ୍ଛାରେ ଗିଳନ୍ତି l ତାହା ତାଙ୍କ ଦାନ୍ତ କି ମାଢିକୁ ସ୍ପର୍ଶ କରେ ନାହିଁ l

ତାଙ୍କର ମାଆ ଥିଲେ l ସେ ବୃଦ୍ଧ l ସେ ଅନ୍ୟର ବିଲରେ ମୂଲିଆ ଭଳି ଖଟନ୍ତି l ପ୍ରତିଦିନ ଯାହା ମୂଲ ପାଆନ୍ତି ସେଥିରେ ସେ ପୁଅକୁ ଚଳାଇ ନିଅନ୍ତି l ବୁଢୀର ଦୁରାବସ୍ଥା ଦେଖି ପ୍ରତିବେଶୀଙ୍କର କରୁଣା ହୁଏ l ସେମାନେ ଅଳସୁଆକୁ ଗାଳି ଦିଅନ୍ତି l ଯେ କେହି ବି ତାଙ୍କ ଘରକୁ ଆସେ, ତା’ର ଅଳସୁଆକୁ ଉପଦେଶ – “ତୁ କାହିଁକି ଏତେ ଅଳସୁଆ ହେଉଛୁ ? ତୋ ମାଆର ଦେଖା ଶୁଣା କରିବା ତୋର କ’ଣ କର୍ତ୍ତବ୍ୟ ନୁହଁ l ତତେ ଟିକିଏ ଲାଜ ଲାଗୁନାହିଁ l ସେ ଏମିତି ବୃଦ୍ଧା ବୟସରେ କାମ କରିବାଟା ଏକ ଅକ୍ଷମଣୀୟ ଅପରାଧ l ଏକଥା ତୁ କ’ଣ ଜାଣିପାରୁ ନାହୁଁ ? ଯିଏ ଯାହା କହିଲେ ବି ସେ କାହାରି କଥା ଶୁଣନ୍ତି ନାହିଁ l ଏପରିକି ସେ ନିଜ ପାଟି ମଧ୍ୟ ଖୋଲନ୍ତି ନାହିଁ l ସେ କେବଳ ତାଙ୍କ ନିଜର ଖଟିଆକୁ ଜାଣନ୍ତି l ସାରା ଦିନ ସାରା ରାତି ସେଥିରେ ସେ ଶୋଇରୁହନ୍ତି ଏପରିକି ଶୋଇଥିବା ବେଳେ ମଧ୍ୟ ସେଖଟିଆରୁ ଟିକିଏ ବି ଘୁଞ୍ଚନ୍ତି ନାହିଁ l

ଦିନେ ତାଙ୍କ ବୁଢୀ ମାଆର ମୃତ୍ୟୁ ହୋଇଗଲା l ତଥାପି ସେ ଖଟିଆରୁ ଉଠିଲେ ନାହିଁ l ଏମିତିକି ସେ ମା’ର ଶବ ସାଥିରେ ଶ୍ମଶାନକୁ ମଧ୍ୟ ଗଲେ ନାହିଁ l ତା’ର ପଡୋଶୀମାନେ ଦୟାଶୀଳ l ସେମାନେ ବୃଦ୍ଧ ମହିଳାର ଶବ ସଂସ୍କାର କଲେ l

ମାଆ ମଲାପରେ ଅଳସୁଆ ଏକା l ସାହାଯ୍ୟ କରିବାକୁ ଆଉ କେହି ନଥାନ୍ତି l ତଥାପି ସେ ଅପରିବର୍ତ୍ତିତ l ବିଛଣାରେ ପଡିଥାନ୍ତି l ତାହ୍କର ପାଖପଡୋଶୀ ମାନେ ନିଜର ତା’ ପ୍ରତି ତାଙ୍କର କରୁଣା ବହୁତ l ତେଣୁ ଖାଇସାରିବା ପରେ ସେମାନଙ୍କର ଯାହା ବଳେ, ସେମାନେ ତାକୁ ଆଣି ତା’ ପାଟିରେ ଅଜାଡି ଦିଅନ୍ତି l ଏଥିରେ ମଧ୍ୟ ଅଳସୁଆର ଢଙ୍ଗ ବଦଳିଲା ନାହିଁ l ଏଣେ ତାକୁ ଖାଦ୍ୟ ଯୋଗାଇ ଯୋଗାଇ ପଡୋଶୀମାନେ ହାଲିଆ; ବ୍ୟସ୍ତ l ବିରକ୍ତ l ସେମାନେ ଆଉ ଲୋକଟିକୁ ଖାଦ୍ୟ ଦେବେନାହିଁ l ଏହା ହେଲା ସେମାନଙ୍କର ନିଷ୍ପତ୍ତି l ଦିନା ସେମାନେ ଏକଜୁଟ ହୋଇ ଅଳସୁଆକୁ କହିଲେ – “ଦେଖ ଆମେ ତାକୁ କିଛି ଝାଳ ଗଡେଇ ଖାଦ୍ୟ ଯୋଗାଡ କରୁଛୁ l ତୁମେ କିଛି ନକରି ଅଳସୁଆମୀ କରୁଛ l ଆମେ ତମକୁ ଆଉ ଖାଦ୍ୟ ଯୋଗାଇ ପାରିବୁନାହିଁ l ବଞ୍ଚିବା ପାଇଁ କାମକର l ନହେଲେ ମରିବ l ସେଥିପାଇଁ ଆମର ଦୋଷ ନାହିଁ l”

କିନ୍ତୁ ପଡୋଶୀ ମାନଙ୍କର ତାଗିଦି ଅଳସୁଆ ଉପରେ ପ୍ରଭାବ ପକାଇଲା ନାହିଁ l ସେ ଖଟିଆରୁ ଆଦୌ ଉଠିଲେ ନାହିଁ l କିଛିଦିନ ନଖାଇବା ଫଳରେ ପେଟ ତାଙ୍କର ଜଳିଲା l ଭୋକରେ ସେ ଅସମ୍ଭାଳ l ଏଣେ ତାଙ୍କୁ କେହି ଖାଦ୍ୟ ଦେବାକୁ ନାରାଜ l ତାଙ୍କର ଉପାୟ ନାହିଁ l ଦିନସାରା ଚିନ୍ତାମଗ୍ନ ହୋଇ ବସିଥାନ୍ତି l ଏତିକିବେଳେ ତାଙ୍କ ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟିଲା l ସେ ଖଟିଆରୁ ଉଠିଲେ l ସହରର ମୁଖ୍ୟ ରାସ୍ତାକୁ ଗଲେ l ସେଠାରେ ସେ ଲମ୍ବ ହୋଇ ଶୋଇଗଲେ l ଫଳରେ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ହୋଇଗଲା l ତାଙ୍କର ହିତାକାଂକ୍ଷୀମାନେ ତାଙ୍କୁ ସେଠାରୁ ଉଠି ଆସିବା ପାଇଁ ଯେତେ ବୁଝାଇଲେ ମଧ୍ୟ ସେ କିଛି ବୁଝିଲେ ନାହିଁ l ସେ ସେଠାରୁ ଉଠିଲେ ନାହିଁ

ଶଗଡ ଚାଳକ,ରିକ୍ସା ଚାଳକ ଓ ବାଟ ଚଲାଳୀ ଏଥିରେ କ୍ଷୁବ୍ଧ l ଉତକ୍ଷୀପ୍ତ l ସେମାନେ ଗାଁର ମୁଖିଆଙ୍କ ପାଖରେ ଏ ବିଷୟରେ ଫେରାଦ ହେଲେ l ମୁଖିଆ ଘଟଣା ସ୍ଥଳକୁ ଆସିଲେ l ଅଳସୁଆକୁ ସେଠାରୁ ଉଠିବା ପାଇଁ ତାଙ୍କର ନିର୍ଦ୍ଦେଶ l କିନ୍ତୁ ଅଳସୁଆ ଏଥିରେ ଅବିଚଳିତ l ସେ ସେଠାରେ କାଠଗଡ ଭଳି ପଡିରହିଲେ l ତାଙ୍କ ନୀରବତାରେ ମୁଖିଆ ବିରକ୍ତ l ତାଙ୍କୁ ପ୍ରାଣଦଣ୍ଡ ଆଦେଶ ଦେଲେ l

ଏଥର ଅଳସୁଆଟି ନିଜର ଜୀବନ ରକ୍ଷା ପାଇଁ ଉଠିପଡିବ l ଏହା ହେଲା ସମସ୍ତଙ୍କର ଚିନ୍ତାଧାରା l କିନ୍ତୁ ସମସ୍ତେ ଆଶ୍ଚର୍ଯ୍ୟ l ଅଳସୁଆଟି ଅବିଚଳିତ l ସେ ସ୍ଥାଣୁ ଭଳି ସେମିତି ପଡି ରହିଥାନ୍ତି l କିଛି ସମୟ ଚାଲିଗଲା l ସେଠାରେ ଜମା ହୋଇଥିବା ଲୋକଙ୍କର ମତ ଏଭଳି ଲୋକଙ୍କୁ ବଞ୍ଚାଇ ରଖି କିଛି ଲାଭ ନାହିଁ l ମୃତ୍ୟୁଦଣ୍ଡ ଏଥର ପାଳିତ ହେବ l ଜଗୁଆଳିମାନେ ତାଙ୍କୁ ଉଠାଇ ଶଗଡ ଗାଡିରେ ରଖିଲେ l ଶଗଡ ଗାଡିଟି ଟାଣି ଟାଣି ନେଲେ l ମୃତ୍ୟୁଦଣ୍ଡ ଦିଆଯିବା ଜାଗାକୁ ଅନ୍ୟମାନେ ଗାଡିର ପଛେ ପଛେ ଚାଲିଲେ l

ସେମାନେ ବଜାର ପାର ହୋଇ ଚାଲିଗଲେ l ସେଠାରେ ଅଳସୁଆଙ୍କର ଜଣେ ଆତ୍ମୀୟ ସେଇ ଶଗଡ ପାଖକୁ ଆସିଲା l ସେତେବେଳକୁ ଅଳସୁଆ ମୃତ ଭଳି ପଡିଥାଏ l ଆତ୍ମୀୟ ଜଣକ ତାକୁ କହିଲେ – “ତମେ ମୋ ସହିତ ଆସ l ମୋର ଗାଈ ମଇଁଷିଙ୍କ ଯତ୍ନ ନିଅ l ମୁଁ ତମକୁ ରହିବାକୁ ଘର ଓ ଖାଇବାକୁ ଖାଦ୍ୟ ଦେବି l ତମେ କାହିଁକି ମରିବ ? ମୁଁ ତମକୁ ସାହାଯ୍ୟ କରିବି l”

କିନ୍ତୁ ଅଳସୁଆ ଜଣକ ଗଛଭଳି ପଡି ରହିଲା, ସତେ କି ସେ କାଲ l ଜଗୁଆଳ ପୁଣି ଶଗଡକୁ ଟାଣିବାକୁ ଲାଗିଲେ l ସେମାନେ ଅଳ୍ପ ବାଟ ଯାଇଛନ୍ତି ଜଣେ ଦୟାଳୁ ଜମିଦାର ତାଙ୍କୁ ଅଟକାଇଲେ l ତାଙ୍କର ଅଳସୁଆ ପ୍ରତି ଦୟା ବହୁତ l ସେ କହିଲେ – “ତମର ଶେଷ ଇଚ୍ଛା ମତେ କୁହ l ମୁଁ ତାହା ପୁରଣ କରିବି l”

କିନ୍ତୁ ଅଳସୁଆ ନୀରବ l କୌଣସି ଉତ୍ତର ଦେଲା ନାହିଁ l ଜମିଦାର ପାଖ ଦୋକାନରୁ କିଛି କଦଳୀ କିଣି ଆଣିଲେ l ଅଳସୁଆକୁ ଖାଇବାକୁ ଦେଲେ l ଅଳସୁଆଟି କଦଳୀକୁ ଅନାଇଲା l ତା’ପରେ ତା’ର ଚୋପା ଛଡେଇବାକୁ ଜମିଦାରଙ୍କୁ ଇଙ୍ଗିତ ଦେଲା l

ଜମିଦାର ଦେଖିଲେ - ଏ ଜଣେ ଅଦ୍ୱିତୀୟ ଅଳସୁଆ l ସେ ପଚାରିଲେ – “ତମେ ଚାହୁଁଛ ମୁଁ କଦଳୀରୁ ଚୋପା ଛଡାଇ ତମକୁ ଦେବି l”

ଅଳସୁଆଟି ମୁଣ୍ଡ ହଲାଇ ସମ୍ମତି ଦେଲା l ଜମିଦାର ଭାବିଲେ - ଲୋକଟିର ଏଇଟା ଶେଷ ଇଚ୍ଛା l ତେଣୁ ସେ ସବୁ କଦଳୀରୁ ଚୋପା ଛଡାଇ ଅଳସୁଆକୁ ଖାଇବାକୁ ଦେଲେ l

ଅଳସୁଆଟି ପୁଣି ଜମିଦାରଙ୍କୁ ଇଙ୍ଗିତ ଦେଇ ଜଣାଇଲା – “ତମେ ଏଇ କଦଳୀଗୁଡିକୁ ଚକଟି ପାଣି ଭଳି କର l ଜମିଦାର ଗୋଟିଏ ପାତ୍ର ଆଣିଲେ l ସେଥିରେ କଦଳୀ ପକାଇ ତାକୁ ନିଜ ହାତରେ ଚକଟି ପାଣି ଭଳିଆ କଲେ l ତାପରେ ସେ ଅଳସୁଆକୁ ପାତ୍ରଟି ଦେଲେ l ଅଳସୁଆଟି ନିଜର ପାଟି ମେଲା କଲା l ଚକଟାକୁ ତା’ ପାଟିରେ ଢାଳିବାକୁ ସେ ଜମିଦାରକୁ ଇଙ୍ଗିତ ଦେଲା l

ଏଥିରେ ଜମିଦାର କ୍ଷୁବ୍ଧ l ସେ ଭୟଙ୍କର ଭାବେ ରାଗିଯାଇ ଚିତ୍କାର କଲେ - “ପାଟି ବନ୍ଦକର l ପାଟି ବନ୍ଦ କର l ପାଟି ଖୋଲିବାରେ ତମକୁ କଷ୍ଟ ହେବ l ମୁଁ ତମପାଇଁ

ପିଇଦେଉଛି l” ସେ ଆହୁରି କହିଲେ – “ଅଳସୁଆ କେଉଁଠିକାର l ତମେ ମୋ ଠାରୁ କ’ଣ ଚାହୁଁଛ ? ମୁଁ କଅଣ ତମର ବେତନଖିଆ ଚାକର ଯେ ମୁଁ ତମର ସବୁ ଇଙ୍ଗୀତକୁ ମାନିବି l ମୁଁ ତମ ପ୍ରତି ଦୟା କଲି l ଏଇଟା ମୋର ଭୁଲ l ତମେ ଚାହୁଁଛ ଅନ୍ୟର ପରିଶ୍ରମରେ ତମେ ତମର ଜୀବନ ଉପଭୋଗ କରିବ l ତମର ବଞ୍ଚିବାର କୌଣସି ଅଧିକାର ନାହିଁ l”

ତାପରେ ସେ ଜଗୁଆଳ ମାନଙ୍କ ଆଡକୁ ଚାହିଁ କହିଲେ – “ଆଉ ଡେରି କର ନାହିଁ l ସାଙ୍ଗେ ସାଙ୍ଗେ ଏହାର ମୁଣ୍ଡ କାଟି ଦିଅ l ନହେଲେ ସେ ଆମର ଦୟାର ସୁବିଧା ଓ ସୁଯୋଗ ନେଇ ଆମକୁ ବୁଝାଇ ଦେବ ଯେ, ବିନା କାମ କରି ବଞ୍ଚି ହେବ l”

ଶ୍ରୀ ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି


Rate this content
Log in

Similar oriya story from Children