ମୁଁ ନିର୍ଦ୍ଦୋଷ
ମୁଁ ନିର୍ଦ୍ଦୋଷ


ମୁଁ ଗୋଟିଏ ନିର୍ଦୋଷ ଡାକ୍ତର, ମୋ ବିରୁଦ୍ଧରେ ଅଭିଯୋଗ, ମୁଁ ଔଷଧ କମ୍ପାନୀ ମାନଙ୍କୁ ତୋଷ କରିବା ପାଇଁ ,ତାଙ୍କଠାରୁ ଉତ୍କୋଚ ଆଣି, ଗରିବ ରୋଗୀ ମାନଙ୍କୁ, ଯଥେଷ୍ଟ ଅଧିକ ମୂଲ୍ୟର ଔଷଧ ଲେଖି,ରୋଗୀଙ୍କୁ ଶୋଷଣ କରୁଛି ।ଅନ୍ୟ କମ୍ପାନି ଔଷଧ, ମୁଁ ଲେଖିଥିବା କମ୍ପାନୀ ରେ ଔଷଧ, ଏକା ମାନର ହୋଇଥିଲେ ସୁଦ୍ଧା, ମୁଁ ଅଧିକ ମୂଲ୍ୟର ଔଷଧ ଲେଖି,ରୋଗୀଙ୍କୁ ଶୋଷଣ କରୁଛି ।ସମାଜ ଆଖିରେ ମୁଁ ଦ୍ବିତୀୟ ଈଶ୍ୱର ହୋଇଥିଲେ ସୁଦ୍ଧା, ସରକାରଙ୍କ ରୋଗୀ କଲ୍ୟାଣ ପାଣ୍ଠିକୁ ଆତ୍ମସାତ କରୁଛି ।ମୋ ବିରୁଦ୍ଧରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ତଦନ୍ତ ହୋଇ ,କିଛି ପ୍ରମାଣ ପାଇ ମୋତେ ଜେଲ୍ ପଠାଇ ଦିଆଯାଇଛି ।କିଛି ଦିନ ଜେଲ କୋଠରୀରେ ରହିବା ପରେ, କଳେବଳେ କୌଶଳେ ତଳଠୁ ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ସବୁ ପ୍ରକାର ଚେଷ୍ଟା କରି ,ଜାମିନ ରେ ଆସି, ମୁଁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ଆପ୍ରାଣ ଉଦ୍ୟମ କରିବି।ମୋ ପାଖରେ ଅର୍ଥ ର ଅଭାବ ନାହିଁ।ପାଞ୍ଚ ପାଞ୍ଚ ଟା କୋଠା ପ୍ଲଟ ମିଶି,ବହୁତ ସୁନାରୂପା ,ଗାଡି ପ୍ରଭୁତି ଭରିରହିଛି।ବ୍ୟାଙ୍କ ବାଲାନ୍ସ ବି କମ୍ ନୁହେଁ।ଆମ ବିଚାର ବିଭାଗର ଅପାର କରୁଣାରୁ ,ବିଚାର ସରିବା ବେଳକୁ, ଅର୍ଧାଧିକ ଆୟୁ ସରିଥିବ।ତଦନ୍ତ ର ସମୟରେ ବି ବହୁତ ଟାଇମ୍ ମିଳିବ।ମୋର ଅସୁବିଧା କଣ ହେବ ?ମୁଁ ନିର୍ଦ୍ଦୋଷ, ଗୋଟାପଣେ ନିର୍ଦ୍ଦୋଷ ।ମୁଁ ଚିଟ଼ଫଣ୍ଡ କମ୍ପାନୀ ରେ ଗୋଟେ ଜମାକାରୀ, ମୁଁ ଥାନା ରେ ଓ ସରକାରଙ୍କ ପାଖରେ ଅଭିଯୋଗ କରିଛି, ମୋ ଜମାରାଶି ମୋତେ ମିଳୁନି ।ସରକାର ବ୍ୟବସ୍ଥା କରନ୍ତୁ ମୁଁ ମୋ ଟଙ୍କା ଫେରିପାଏ।ଜମା କଲାବେଳେ ମୁଁ ଭାବିଲିନି ଯେ ,ରାଷ୍ଟ୍ରାୟତ ବ୍ୟାଙ୍କମାନେ ଯଦି ସେତିକି ସମୟ ସୀମା ମଧ୍ୟରେ, ସେଇ ହାରରେ ସୁଧର ସୁବିଧା ଦେଇ ପାରୁନାହାନ୍ତି, ତେବେ ଏ ବେସରକାରୀ କମ୍ପାନୀ ମାନେ କେମିତି ମୋତେ ଏତେ ଫାଇଦା ଦେବେ?ସେତେବେଳେ ମୋ ଲୋଭ ମୋତେ ସେକଥା ଭାବିବାକୁ ଦେଲାନି।ଏବେ ସରକାରଙ୍କ ଉପରେ ସବୁ ଦାୟୀତ୍ୱ ଅଜାଡ଼ି ଦେଇ ମୁଁ ନିର୍ଦ୍ଦୋଷ ହେଇଗଲି।ମୁଁ ଗୋଟାପଣେ ନିର୍ଦ୍ଦୋଷ ।ବିଜ୍ଞାନ ଯୁଗରେ, ବିଜ୍ଞାନ ଅନେକ ଜିନିଷ ଆମକୁ ଦେଇ ଆମର ସୁଖ ସୁବିଧା ବଢାଇ ଦେଇଛି ।ସେ ମଧ୍ୟରେ ସୋସିଆଲ ମିଡିଆ ର ସୁବିଧା ନେଇ ,ଅଚିହ୍ନା ଯୁବକ ଟିଏ ସହିତ ଫେସବୁକ ଜରିଆରେ ବନ୍ଧୁତା କରି ,ଘନିଷ୍ଠ ହୋଇଗଲି।ଟିକିଏ ବି ଭାବିଲିନି, ଗୁରୁଜନ, ବାପା ମା କିମ୍ବା ଶୁଭେଚ୍ଛୁ କାହାକୁ ଏ ବିଷୟରେ ଜଣାଇ ,ଯୁବକ ବନ୍ଧୁ ଟି ଦେଇଥିବା ପରିଚୟର ସଠିକତା ବିଷୟରେ ଜାଣିବାକୁ ।ମୋ ଦୃଷ୍ଟିରେ, ଯୁବକ ବନ୍ଧୁଟି ସତ୍ୟବାଦୀ, ନିଷ୍ଠାବାନ ଓ ସବୁ ଦୃଷ୍ଟିରୁ ମୋ ପାଇଁ ସେ ଉପଯୁକ୍ତ ।ସେଇ ବିଶ୍ୱାସ ସହିତ ଖେଳି, ଦୁର୍ବଳ ମୁହୂର୍ତ୍ତ ଟିଏ ସୃଷ୍ଟି କରି ମୋର ଫଟୋ ଗୁଡିଏ ନେଇ, ଭାଇରାଲ କରିଦେବି କହି ବ୍ଲାକମେଲ କରିଚାଲିଲା।ବିଶ୍ୱାସଘାତକ ବନ୍ଧୁଟି ଠାରୁ ବିଶ୍ୱାସ ହରାଇ, ତା ଧମକକୁ ସାମନା କରି ,ଯେତେବେଳେ ଥକିପଡ଼ିଲି ତେବେ ଯାଇ ବାପା ମା ପୋଲିସ ବାବୁ ମାନଙ୍କର ସହାୟତା ନେଲି।ଏ ଘଟଣା ପାଇଁ ମୋର ଦୋଷ କଣ ?ମୁଁ ନିର୍ଦ୍ଦୋଷ, ଗୋଟାପଣେ ନିର୍ଦ୍ଦୋଷ ।ମୁଁ ଯୁବକ ଟିଏ, ପାଠପଢିଲି, ବାପା ମା ମୋ ପାଠପଢା ପାଇଁ ଯେତେ କଷ୍ଟ ସ୍ୱୀକାର କରିବାକୁ ପଡିଲେ ମଧ୍ୟ ସେମାନେ କୁଣ୍ଠିତ ନ ହୋଇ ଅର୍ଥ ଯୋଗାଡ କରିଲେ।ପଢା ସରିବା ପରେ ଜୀବିକା ନିର୍ବାହ ପାଇଁ କର୍ମସଂସ୍ଥାନ ଟିଏ ପାଇଲି ନାହିଁ,ଯେଉଁଠୁ କିଛି ଛୋଟିଆ ରୋଜଗାର କଲି,ତାକୁ ମୋର ସଫଳତା ବୋଲି ଆତ୍ମସନ୍ତୋଷ ପାଇଲିନି।ମୋର ବିଫଳତାକୁ ନେଇ ଆତ୍ମଗ୍ଳାନି ରେ ଭାଙ୍ଗିପଡିବା ବେଳକୁ, ମୋ ମନ କହିଲା ମୁଁ ବିଫଳ ହେଲେ କଣ ହେଲା,ରାଜ୍ୟସରକାର ଙ୍କର ,ସଫଳ ପ୍ରୟାସ ପାଇଁ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇଁ ସରକାର ମଦର ବହୁଳ ପ୍ରସାର କରୁଛନ୍ତି ।ଯାହାକିଛି ଅଳ୍ପ ରୋଜଗାର ହେଲା ସେଥିରେ ମଦପିଇ ସରକାରଙ୍କର ରାଜସ୍ୱ ବୃଦ୍ଧି ପାଇଁ ଉଦ୍ୟମ କଲି।କିଛି ଦିନ ଅଭ୍ୟାସ ରେ ପଡିବାରୁ ,ପିଇବାକୁ ପଇସା ନ ମିଳିବାରୁ ଚୋରି କଲି,ମଦ ନିଶାରେ କାହାପ୍ରତି କି ବ୍ୟବହାର କଲି ଜାଣିପାରିଲି ନାହିଁ।ସ୍ଥାନ, କାଳ, ପାତ୍ର ର ଜ୍ଞାନ ଲୋପ ପାଇଲା।ଚାରିତ୍ରିକ ସ୍ଖଳନ ଯୋଗୁ ଦୁଶ୍ଚରିତ୍ରା ସ୍ତ୍ରୀ ମାନଙ୍କର ସମ୍ପର୍କରେ ଆସି ଏଚ୍ଆଇଭି ସଂକ୍ରମିତ ହେଲି।ଏଥିପାଇଁ ମୋର ଦୋଷ ନାହିଁ।ମୁଁ ଗୋଟାପଣେ ନିର୍ଦ୍ଦୋଷ ।ଏଇ ନିର୍ଦୋଷ ମୁଁ ମାନଙ୍କ ବିଷୟରେ ଲେଖିଲେ ସରିବନି ।ସେହିପରି ନେତା, ମନ୍ତ୍ରୀ ,ବିଧାୟକ, ପୋଲିସ, ସାଂସଦ ସବୁ ମୁଁ ମାନେ ଗୋଟିଏ କିସମର ।ମାତ୍ର ଏ ଯେତେସବୁ ନିର୍ଦୋଷିଆ ଗୁଡିକ ଜଣଙ୍କ ପାଖରେ ଦୋଷୀ ହୋଇ ଯାଆନ୍ତି ।ସେ ହେଉଛି ମହାକାଳ ।ତାର ପ୍ରଖର ସ୍ରୋତରେ କାହିଁ କୁଆଡକୁ ନେଇଯିବ ,ଯେ ତାର ଚିହ୍ନ ବର୍ଣ୍ଣ ନ ରଖି ସବୁ ଗୋଟାପଣେ ନିର୍ଦୋଷିଆ ଗୁଡାଙ୍କୁ ଗର୍ଭସ୍ଥ, ଉଦରସ୍ଥ କରିପକାଇବ।ଏଡେ ବଡ ସତ୍ୟକୁ ଜାଣି ନିର୍ଦୋଷ ହେବାକୁ ପ୍ରାଣପଣେ ଉଦ୍ୟମ କରିବା, ମଣିଷ ଜନ୍ମ ର ଶ୍ରେଷ୍ଠତା ପାଇଁ ଉପହାସ ହେବ କି?