ମୁଁ ବୃକ୍ଷ କହୁଛି
ମୁଁ ବୃକ୍ଷ କହୁଛି
କଲିକତାର ବଟାନିକାଲ ଗାର୍ଡେନ୍ ରେ ଥିବା ସବୁଠାରୁ ପୁରୁଣା ବୃକ୍ଷ ମୁଁ। ଡେନ୍ଡ୍ରୋକ୍ରୋନୋଲଜିଷ୍ଟ (ବୃକ୍ଷର ବୟସ ନିର୍ଦ୍ଧାରଣ କରିପାରୁଥିବା ବିଶାରଦ ମାନେ)ଙ୍କ ମତରେ ମୁଁ କୁଆଡେ ପାଞ୍ଚ ଶହ ବର୍ଷରୁ ବି ଅଧିକା ବୁଢା ବରଗଛଟିଏ। ଦେଖୁ ଦେଖୁ ମୁଁ ବାର୍ଦ୍ଧକ୍ୟରେ ଯେ ଉପନୀତ ହୋଇଯାଇଛି ଏକଥା ଭାବନାର ବାହାରେ।
ମୋରି ପଡୋଶୀ କେତେ ରକମର ଥିଲେ।ସବୁଜ ପତ୍ରରେ ଖୁନ୍ଦି ହୋଇଥିବା ଅଶ୍ବତ୍ଥ ଭାଇଟି ଦଶବର୍ଷ ତଳେ ହୋଇଥିବା ଝଡରେ ମୃତ୍ୟୁବରଣ କରିଥିଲେ।ବଞ୍ଚିବାର ଦୁର୍ବାର ଇଛା ଆଗରେ ପ୍ରକୃତିର ଦୁର୍ବିପାକ ବେଶୀ ପରାକ୍ରମୀ ହୋଇଗଲା।ଜୀବନ ମୃତ୍ୟୁ ସହିତ ଲଢାଇ କରୁକରୁ ଅଶ୍ବତ୍ଥ ଭାଇ ଶେଷରେ ଟଳିପଡିଲା।
ଶାଳଗଛଟି ଯିଏ ମୋର ମାଉସୀ ଥିଲେ ଓ ବିରାଟ ବିରାଟ ପତ୍ରରେ ନିଜର ତନୁବଲ୍ଲରୀକୁ ଢାଙ୍କି ରଖୁଥିଲେ,ତାଙ୍କର ସେ କଣରେ ଥିବା ଶାଗୁଆନ ଗଛଟି ସହିତ ପ୍ରେମ ହୋଇଯାଇଥିଲା।ଆଖିରେ ଆଖିରେ ସେମାନେ ନିଜର ମନର ଭାଷାକୁ ପରଷ୍ପରକୁ କହିପାରୁଥିଲେ।କି ଗୋଟେ ରୋଗର ଶିକାର ହେଲେ ମୋର ଭାବି ମଉସା ରୂପୀ ଶାଗୁଆନ ଗଛଟି କେଜାଣି ଦିନକୁ ଦିନ ଝାଉଁଳିବାରେ ଲାଗିଲେ।ଉଦ୍ଭିଦ ବିଜ୍ଞାନ ବିଭାଗ ପାରୁପର୍ଯ୍ୟନ୍ତ ଚେଷ୍ଟାକଲେ ଗଛଟିକୁ ବଞ୍ଚେଇବା ପାଇଁ କିନ୍ତୁ ତାଙ୍କର ସମସ୍ତ ଚେଷ୍ଟା ବିଫଳ ହେଲା।ଶେଷରେ ସେ ଆମମାନଙ୍କୁ ଶୋକ ସାଗରରେ ଭସାଇ ଇହଲୀଳା ସମ୍ବରଣ କଲେ।ଶାଳ ମାଉସୀ ସେଇଦିନଠୁଁ ଗୁମସୁମ୍ ହୋଇଯାଇଛନ୍ତି।
ଏଇମିତି କେତେ ଘଟଣା ଘଟିଛି ମୋ ସହ କିନ୍ତୁ ମୁଁ ଛାତିକୁ
ପଥର କରି ସବୁ ସହିଯାଇଛି।ବନ ବିଭାଗ ପାଖରେ ମୁଁ ଚିର ଋଣୀ ଏଇଥିପାଇଁ ଯେ ସେମାନେ ମୋର ଖୁବ ଯତ୍ନ ନିଅନ୍ତି।ମୁଁ ମଧ୍ୟ ପର୍ଯ୍ୟଟକ ମାନଙ୍କର ଦୃଷ୍ଟି ଆକର୍ଷଣ କରି ସରକାରଙ୍କ କୋଷାଗାରକୁ ଲାଭାନ୍ବିତ କରିବାର ପ୍ରୟାସ ଜାରି ରଖିଛି।
କେତେ ସ୍ମୃତି ବି ଜଡିତ ହୋଇ ରହିଛି ଏଇଠି।ମୋରି ମୂଳରେ ,ମୋରି ଛାୟାରେ କେତେ ପ୍ରେମୀ ଯୁଗଳ ନିଜର ପ୍ରେମର ପସରା ମେଲାଇ ଦିଅନ୍ତି।ମୁକ୍ତ ଆକାଶର ବିହଙ୍ଗ ପରି ନିଜକୁ ମୋରି ଛାଇ ତଳେ ଲୋଟାଇ ଦିଅନ୍ତି ସେମାନେ।ମୋତେ ଚୁପିଚୁପି ସେମାନଙ୍କ କଥା ଶୁଣିବାକୁ ଭାରି ଭଲଲାଗେ।ମୁଁ ବି ଜୀବନ୍ତ।ମୋର ବି ତ ସମସ୍ତଙ୍କ ପରି ଜୀବନକୁ ଉପଭୋଗ କରିବାର ଇଛାଥାଏ।
କେତେ ଛୋଟପିଲାଙ୍କୁ ମୁଁ ମୋ ବରଓହଳରେ ଝୁଲାଇଛି।ତାଙ୍କର କୋଳାହଳ ଶୁଣି ମୋ ପେଟ ଭରିଯାଏ।ମୋର ଫଳ ଗୁଡିକ ଖାଇବାକୁ କେତେଯେ ପକ୍ଷୀଙ୍କର ସମାଗମ ହୁଏ ତାହାର ଠିକଣା ନାହିଁ।ତାଙ୍କର ଆଶ୍ରୟସ୍ଥଳୀ ଅନ୍ୟ ଯେଉଁଠାରେ ହେଲେମଧ୍ୟ ମୋର ସ୍ପର୍ଶ କୁଆଡେ ସେମାନଙ୍କୁ ଖୁବ ଆପଣାର ପରି ଲାଗେ।କେତେକ ପକ୍ଷୀ ତ ନିଜର ବସା ଛାଡି ମୋର ଡାଳରେ ବସାବାନ୍ଧି ରହିବାକୁ ଅନୁନୟ କରନ୍ତି।ମୁଁ ମନେମନେ ଭାବେ,ଅନୁନୟ କରିବା କ'ଣ ଦରକାର।ଏହାତ ମୋର ଅହୋଭାଗ୍ୟ।
ବଟାନିକାଲ ଗାର୍ଡେନ୍ ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିପାରିଥିବାରୁ ମୁଁ ନିଜକୁ କୃତାର୍ଥ ମନେକରୁଛି।ମୋ ବୃକ୍ଷଜୀବନ ଧନ୍ୟ ହୋଇଛି।ଅନ୍ୟ ମାନଙ୍କ ପାଇଁ ଖୁସିର ଖୋରାକ ଯୋଗାଇ ପାରୁଥିବାରୁ ମୁଁ ନିଜକୁ ଧନ୍ୟ ମଣୁଛି।