ମୋ ପ୍ରଥମ ପ୍ରେମର ଠିକଣା
ମୋ ପ୍ରଥମ ପ୍ରେମର ଠିକଣା


ପ୍ରଥମ ଦେଖାରୁ ହିଁ ମୁଁ ତାଙ୍କ ପ୍ରେମରେ ପଡ଼ିଯାଇଥିଲି। ପଡିବିନି ବା କେମିତି ? ? ସେ ଦେଖିବାକୁ ଏତେ ସୁନ୍ଦର ଯେ ଫିଲ୍ମର ହିରୋ ବି ପଛରେ ପଡିଯିବେ। ଗୋରା ତକ୍ ତକ୍ ପାଞ୍ଚ ହାତ ଲମ୍ବର ଚେହେରା। ଝାଳ ବୁନ୍ଦା ସବୁ ତପନ କିରଣରେ ଚିକ୍ ଚିକ୍ କରି ମୋତିର ଭ୍ରମ ସୃଷ୍ଟି କରେ। ଆଖି ଦ୍ଵୟ ଉଜ୍ଜଳ ଆଉ ଚମକ୍ ଭରା। ତେଜସ୍ଵୀ ଆଉ ଗମ୍ଭୀର ମୁଖଭଙ୍ଗୀ। ସ୍ମିତ ହାସ୍ୟ ର ଝଲକ ଓଠ ଧାରେ ବେଶ୍ ମନ ମୁଗ୍ଧକର। ପ୍ରଶସ୍ତ ଶକ୍ତ ବାହୁ ଦ୍ଵୟ ସର୍ବଦା ମୋତେ କୋଳେଇ ନେବାକୁ ଉନ୍ମୁକ୍ତ। ସ୍ପଷ୍ଟ ଆଉ ନିର୍ଭିକ ବାକ୍ ଶୈଳୀ। ପର୍ବତ ଠାରୁ ଆହୁରି ଦାମ୍ଭିକ ମନ,ଗଗନ ଠାରୁ ଆହୁରି ବିଶାଳ ହୃଦୟ। ସ୍ନେହ,ପ୍ରେମ, ଶ୍ରଦ୍ଧା ର ଅସରନ୍ତି ଅମାପ ଗନ୍ତାଘର। ବହୁତ କମ୍ କୁହନ୍ତି ସେ ଆଉ ତାଠୁ କମ୍ ହସନ୍ତି। କିନ୍ତୁ ଯେତେବେଳେ ହସନ୍ତି, ଥୁଣ୍ଟା ଗଛରେ ପତ୍ର କଅଁଳେ,ଶୁଷ୍କ ତଟିନୀ ଉଛୁଳି ଉଠେ, ମୃତ ତରୁଗଣ ପଲ୍ଲବୀ ଉଠେ, ପ୍ରାଣହୀନ ରେ ପ୍ରାଣ ସଞ୍ଚାରିତ ହୁଏ। ସେ କଥା କହିଲେ,ପବନ ବି ବହିବା ବନ୍ଦ କରିଦିଏ,ତାଙ୍କ କଥା ଶୁଣିବାକୁ। କେଡେ କଷ୍ଟ ସାଧ୍ୟ ବାକ୍ୟକୁ ସହଜ ସରଳ ଓ ସାବଲୀଳ କରି ସେ ବୁଝାଇ ଦିଅନ୍ତି। ଉଦାର ମନରେ ଥାଏ ସତ୍ ଆଉ ନ୍ୟାୟ ର ବୃକ୍ଷ। ଦୁଃଖ କଷ୍ଟ ଭରା ଯେତେ ଝଡ଼ ଝଞ୍ଜା ଆସିଲେ ବି ସେ ବୃକ୍ଷ ଟିକେ ବି ବିଚଳିତ ହୁଏନି, ସେମିତି ସ୍ଥିର , ଦୃଢ଼ ହୋଇ ମୋତେ ଛାୟା ପ୍ରଦାନ କରୁଥାଏ।
ଯେବେ ପ୍ରଥମ ଥର ସେ ମୋତେ କୋଳରେ ଧରିଲେ, ଗେଲ କଲେ ମୁଁ ସ୍ଵର୍ଗର ଆନନ୍ଦ ଉପଲବ୍ଧି କଲି। ସ୍ଫୁରିତ ନେତ୍ର ଯୁଗଳ ମୋର ବନ୍ଦ ହୋଇ ଆସିଲା। ହଠାତ୍ ଏକ ଉଷୁମ ଜଳକଣାର ସ୍ପର୍ଶରେ ମୁଁ ଆଖି ଖୋଲିଲି ଦେଖିଲି ଅଗ୍ନି ପରି ଉଜ୍ୱଳିତ ନୟନରୁ ଝରୁଛି ଶ୍ରାବଣର ବାରି ଧାରା ପରି ଲୁହ। ସେ ପୁଣି ଥଣ୍ଡା ନୁହେଁ ଉଷୁମ। ମୋ ଆଖିରେ ମଧ୍ୟ ଲୁହ ଲୁଚି ରହିପାରିଲାନି, ମିଶିଗଲା ତାଙ୍କ ଲୁହ ସାଥେ ଆହୁରି ଉଷୁମ କରିବାକୁ। ବିଶାଳ ଛାତିରେ ଜାବୁଡ଼ି ଧରିଲେ ମୋତେ !ନା ଲୁଚେଇ ରଖିଲେ ଦୁନିଆଁ ର ଏ ଡାହାଣିଆ ନଜର ଠାରୁ। ସୁରକ୍ଷା କବଚ ହୋଇ ମୋ ଚାରି ପାଖରେ ଘେରି ରହିଲେ। ମୋ ଖୁସି ପାଇଁ ହାଡ଼ ଭାଙ୍ଗି,ଝାଳ ନିଗାଡି ଖଟି ଚାଲିଲେ ବିନା ଦ୍ବିଧାରେ। କାହିଁ କେବେ ସେ କଷ୍ଟ ଅନୁଭବ କରିବା ତ ମୁଁ ଆଜିଯାଏଁ ଦେଖିନି। ସତରେ କ'ଣ ତାଙ୍କୁ କେବେ କଷ୍ଟ ହୁଏନି। ସମସ୍ତଙ୍କ ଠାରୁ ଅଲଗା ତାଙ୍କ ଶରୀର। ମୋ ପାଇଁ କେତେ କ'ଣ ଜିନିଷ ନେଇ ଆସନ୍ତି। କହିବା ଆଗରୁ କେମିତି ମୋ ମନ କଥା ବୁଝି ମନଲାଖି ଜିନିଷ ମୋ ପାପୁଲିରେ ଅଜାଡ଼ି ଦିଅନ୍ତି। ମୋର ସବୁ ଅଳି ଅର୍ଦ୍ଦଳି କୁ ହସି ହସି କେମିତି ସହିଯାନ୍ତି ? ମୋ ଉପରେ କେବେ ରାଗିବା,କଡ଼ା କରି ପଦେ କହିବା ଆଜି ପର୍ଯ୍ୟନ୍ତ ମୁଁ ଦେଖିନି ତାଙ୍କ ପାଖରେ। ଯେତେ ଗମ୍ଭୀର ଥିଲେ ମୋ ଠାରୁ ପଦେ କଥା ଶୁଣି କେମିତି ଭୁଲି ଯାଇ ହସି ଦିଅନ୍ତି ? ସଂସାର ର ସବୁ ଦୁଃଖ କଷ୍ଟଭରା ବିଷକୁ ଅମୃତ କରି କେମିତି ପିଇଯାନ୍ତି ? କେତେ ଘାତ ପ୍ରତିଘାତ ସହୁଥିବା ମଣିଷଟି କେମିତି ମୋ ପାଦରେ କଣ୍ଟା ଟେ ଫୁଟି ଗଲେ ବିଚଳିତ ହୋଇଯାଆନ୍ତି ? ମୋର ପ୍ରତ୍ୟେକ ଟି କଥାକୁ କେମିତି ଆଖି ବୁଜି ବିଶ୍ୱାସ କରିଯାଆନ୍ତି ? କେମିତି କେମିତି କେମିତି......
ନିଜ ଠୁ ଅଧିକ ବିଶ୍ଵାସ କରୁଥିବା ଜୀବନ ଠୁ ଅଧିକ ଭଲପାଉଥିବା, ଗୋଟେ ମୂହୁର୍ତ୍ତ ମୋ ବିନା ବଞ୍ଚିପାରୁନଥିବା ଲୋକଟି ସେଦିନ ମୋତେ ନିଜଠାରୁ ଦୂରେଇ ଅଜଣା ଅପରିଚିତ ହାତରେ ଟେକି ଦେଇ ଖୁସି ହୋଇପାରିଲା କେମିତି ? ପ୍ରଥମ ଥର ପାଇଁ ସେ କାନ୍ଦିବାର ଦେଖିଥିଲି। ନିଜ କର୍ତ୍ତବ୍ୟ ସମ୍ପାଦନ କରିବା ଖୁସିରେ ନା ଶରୀର ଥାଇ ହୃଦୟ କୁ ଆଉ କାହାକୁ ଦେବା ଦୁଃଖରେ। ସେଦିନ କନ୍ୟାଦାନ କରି ଗର୍ବରେ ଛାତି କୁଣ୍ଢେମୋଟ ହୋଇଯାଉଥିଲା ତାଙ୍କର। ସେ ହସୁଥିଲେ ନା କାନ୍ଦୁଥିଲେ, ମୋତେ ଲୁଚି , କାଳେ ତାଙ୍କ ଆଖିରେ ଲୁହ ଦେଖି ମୁଁ ବି କାନ୍ଦିବି। ସେ ତ ଜଣେ ଯିଏ ମୋ ଆଖିରେ ଲୁହ ଟୋପେ ଦେଖିପାରନ୍ତି ନି..। ମୁଁ କିନ୍ତୁ ଠିକ୍ ଦେଖିଛି ହିମାଳୟ ପରି ଅଚଳ,ଅଟଳ,ଦମ୍ଭ ହୃଦୟ ତାଙ୍କର ତରଳି ସାରିଥିଲା ନିର୍ଝରଣୀ ହୋଇ ବହିବା ଆଗରୁ ସେ ପିଇ ଯାଉଥିଲେ ଲୁଚି ଲୁଚି!
ସେ ମୋ ପ୍ରଥମ ପ୍ରେମର ଠିକଣା! ଏ ପ୍ରେମରେ ନଥାଏ ଛଳନା , ନଥାଏ ପ୍ରତାରଣାର ଭୟ। ଏ ପ୍ରେମ ଚିର ଶାଶ୍ଵତ, ଚିରନ୍ତନ,ଚିର ଅମଳିନ,ଅମୃତମୟ । ସେ ମୋ ବାପା ...ମୋ ବାପା... ସେ ମୋ ମହାରାଜା । ମୋ ଶକ୍ତିମାନ , ମୋ ସୁପର୍ ହିରୋ, ମୋ ଜୀବନ, ମୋ ଖୁସି, ମୋର ସବୁକିଛି.......।